ଶ୍ରୀମନ୍ଦିର ଢାଞ୍ଚାରେ ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର
- ୩୦ ଏକର ଜମିରେ ନିର୍ମିତ ହେବ
- ୨୦୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ
- ୪ ମିଲିଅନ୍ ପାଉଣ୍ଡ ବ୍ୟୟ ଅଟକଳ
- ବାର୍ତ୍ତାପତ୍ରକୁ ଓଡ଼ିଶା ବାଚସ୍ପତିଙ୍କ କଲେ ଉନ୍ମୋଚନ
ଲଣ୍ଡନ /ଭୁବନେଶ୍ୱର //TATKAL ODISHA ବ୍ୟୁରୋ //
ପୁରୀ ଶ୍ରୀମନ୍ଦିରର ଢାଞ୍ଚାରେ ନିର୍ମାଣ ହେବ ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର । ସେଠାରେ ୩୦ ଏକର ପରିମିତ ଜମି ଚିହ୍ନଟ ହୋଇଛି । ପ୍ରଥମ ଭୂମି ପୂଜନ ବି ସରିଛି । ଏହି ଭବ୍ୟ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ୪ ମିଲିଅନ୍ ପାଉଣ୍ଡ ବ୍ୟୟ ଅଟକଳ କରାଯାଇଛି । ମନ୍ଦିରଟି ଲଣ୍ଡନ ତଥା ୟୁରୋପର ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଓ ଦର୍ଶନର ଏକ ପ୍ରାଣ କେନ୍ଦ୍ର ପାଲଟିବ । ଓଡ଼ିଶା ସରକାରଙ୍କ ବନ ବିଭାଗ ସହାୟତାରେ ଓଡ଼ିଶାରୁ ଚିହ୍ନିତ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରାଙ୍କ ସମସ୍ତ ଦିବ୍ୟ ଆଧ୍ୟାତ୍ମିକ ଲକ୍ଷଣଯୁକ୍ତ “ନିମଦାରୁ” ସମସ୍ତ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ପୁରୀ ଦଇତାପତିଙ୍କ ମାର୍ଗଦର୍ଶନ ଅନୁପାଳନ ପୂର୍ବକ ସେଇ ମନ୍ଦିର ପାଇଁ ସଂଗ୍ରହ ହୋଇଯାଇଛି।
ଏହି ଅବସରରେ ‘ଶ୍ରୀଜଗନ୍ନାଥ ଶୋସାଇଟି ଲଣ୍ଡନ’ର ବାର୍ତ୍ତାପତ୍ରକୁ ଉନ୍ମୋଚନ କରିଥିଲେ ଓଡ଼ିଶାର ବାଚସ୍ପତି ଡ଼ଃ. ସୂର୍ଯ୍ୟନାରାୟଣ ପାତ୍ର ।
ମଙ୍ଗଳବାର ୱେବ୍ ମାଧ୍ୟମରେ ଲଣ୍ଡନର ଶ୍ରୀଜଗନ୍ନାଥ ସୋସାଇଟିର ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚନ ଅବସରରେ ଡ଼ଃ. ପାତ୍ର କହିଥିଲେ, ବିଶ୍ୱବ୍ୟାପୀ ନିଜ ନିଜ କର୍ମ ସଂସ୍ଥାନରେ ଅବସ୍ଥାନ କରୁଥିବା ଓଡ଼ିଆମାନେ ଏକ ପରିବାର, ଏକତା ଓ ସହଯୋଗ ବଳରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିପାରିବା ଦରକାର । ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।
ଯୁକ୍ତରାଜ୍ୟ ଆୟାରଲାଣ୍ଡ, ପୂର୍ବ ପ୍ରାଚ୍ୟ ତଥା ଭାରତର ଅନେକ ଅଂଶରୁ ଯୋଗ ଦେଇ ଭକ୍ତଗଣଙ୍କ ‘ହରିବୋଲ ଓ କରତାଳି’ ଧୂନି ସହିତ ଏହି ପ୍ରଥମ ବାର୍ତ୍ତାପତ୍ର ଉନ୍ମୋଚିତ ହୋଇଥିଲା । ସୋସାଇଟିର ଅଧ୍ୟକ୍ଷ ଡାକ୍ତର ସହଦେଵ ସ୍ବାଇଁ ଏବଂ ସମ୍ପାଦକ ଡ଼ ପ୍ରକାଶ ଦେ ଏହି ଉଦ୍ୟମର ଅୟମାରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘଯାତ୍ରାର ଏକ ସମ୍ପୂର୍ଣ୍ଣ ବିବରଣୀ ଅଗ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଲଣ୍ଡନର ଉପକଣ୍ଠ ୩୦ ଏକର ଜମି ଚିହ୍ନଟ ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ ହୋଇଛି । ଏହି ମନ୍ଦିର ପୁରୀ ଶ୍ରୀମନ୍ଦିର ଅବିକଳ ଢାଞ୍ଚା ଓ ଶୈଳୀରେ ନିର୍ମାଣ ହେବାକୁ ଲକ୍ଷ୍ୟ କରାଯାଇଛି ବୋଲି ଡ଼. ଦେ କହିଥିଲେ ।
ଶ୍ରୀଜଗନ୍ନାଥ ସମାଜ, ଲଣ୍ଡନର ଟ୍ରଷ୍ଟି ଯୋଗାଯୋଗ ମୁଖ୍ୟ ତଥା ବାର୍ତ୍ତାପତ୍ରର ସମ୍ପାଦକ ଡ଼ ଚେତନ ଶତପଥୀ ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଭାବରେ ଏହି ପତ୍ର ମୁଦ୍ରଣ ମାଧ୍ୟମ ସମେତ ୱେବସାଇଟ୍ ଓ ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମରେ ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କହିଥିଲେ । ସହ ସମ୍ପାଦକ ଉମାକାନ୍ତ ରାଉତ, ପରିଚାଳନା ସମ୍ପାଦିକା ରୀନା ମେହେର ଆଗାମୀ ପୀଢ଼ି ଭକ୍ତଙ୍କ ପାଇଁ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସନ୍ଦେଶବାହକ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ।
ଅନ୍ୟତମ ଟ୍ରଷ୍ଟି ରଶ୍ମିକାନ୍ତ ନନ୍ଦ, ଭକ୍ତ ପଣ୍ଡା, ସୁକାନ୍ତ ସାହୁ, ଯୁବ ଉଦ୍ୟୋଗୀ ଡ. ମଳୟ ନାୟକ, ଡ. ଅଦ୍ୱୈତ ସିଂହ, ଶରଦ ଝା, ସୁଶାନ୍ତ ପଟନାୟକ ପ୍ରମୁଖ ଏହି ମନ୍ଦିର ଓ ବାର୍ତ୍ତାପତ୍ର ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ । ଶତାବ୍ଦୀ ଦାଶ ଲଣ୍ଡନରେ ଅବସ୍ଥାପିତା ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସ୍ୱୟଂ ଶାସିତ ଅନୁଷ୍ଠାନ ଶ୍ରୀ ସୁଭଦ୍ରା ସୋସାଇଟି ସମ୍ପର୍କରେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମକୁ ଅର୍ଚ୍ଚନା ପ୍ରଧାନ ମାନସିଂହ ସୁଚାରୁ ପରିଚାଳନା କରିଥିବାବେଳେ ବିଜୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କଣ୍ଠଶିଳ୍ପୀ ତପୁ ମିଶ୍ର, ଲଣ୍ଡନ ବାସିନ୍ଦା ମୌସୁମୀ ମିଶ୍ର, ସୁଚିନ୍ତିତା ପାଣିଗ୍ରାହୀ ସୁମଧୁର ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ।