ଯୋଗେଶ୍ୱର ଶ୍ରୀକୃଷ୍ଣ ହିଁ ଶ୍ରୀଜଗନ୍ନାଥ

0
  • ହେ’ ମହାନାୟକ ତୁମକୁ ଶତ କୋଟି ପ୍ରଣାମ
  • ++++++++++
  • ଶ୍ରୀକାନ୍ତ ଦାଶ
  • *************

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ମହାନାୟକ ଯୋଗେଶ୍ୱର ଶ୍ରୀକୃଷ୍ଣ ମହାରାଜଙ୍କ ଜନ୍ମଦିବସ |ସେ ଥିଲେ ଆଦର୍ଶ ବ୍ରହ୍ମଚାରୀ, ଆଦର୍ଶ ଗୃହସ୍ଥ, ଆଦର୍ଶ ରାଜନୀତିଜ୍ଞ, ଆଦର୍ଶ ଯୋଦ୍ଧା, ଆଦର୍ଶ ରାଜା, ଆଦର୍ଶ ମିତ୍ର, ଆଦର୍ଶ କର୍ମଯୋଗୀ |

ଆଜକୁ ପ୍ରାୟ 5200 ବର୍ଷ ତଳେ ସେ ମଥୁରା ରାଜା କଂସର ବନ୍ଦୀ ଶାଳାରେ ଜନ୍ମ ଗ୍ରହଣ କରି ଏ ଧରାରେ ଲୀଳା ଖେଳା କରି ଅକ୍ଷୟ କୀର୍ତ୍ତି ସ୍ଥାପନ କରି ଯାଇଛନ୍ତି |

ସେ ଥିଲେ ବସୁଦେବ ଦେବକୀଙ୍କ ଅଷ୍ଟମ ସନ୍ତାନ | କଂସର ଅତ୍ୟାଚାରରୁ ସଂସାରକୁ ରକ୍ଷାକରିବା ସହିତ ଅଧର୍ମର ବିନାଶ ଓ ଧର୍ମର ସ୍ଥାପନ କରି ଏ ସଂସାରରୁ ବିଦାୟ ନେଇଥିଲେ | ତାଙ୍କରି ଜନ୍ମଦିନକୁ ଆମେ ମହାସମାରୋହରେ ଜନ୍ମାଷ୍ଟମୀ ଭାବେ ପାଳନ କରୁଛେ, ବ୍ରତ ଉପବାସ ରଖି ତାଙ୍କ ଜନ୍ମ ବିବରଣୀ ଭାଗବତରୁ ଶୁଣି ନିଜକୁ ଧନ୍ୟ ମନେ କରୁଛେ |

ତେଵେ ତାଙ୍କ ଶେଷ ଜୀବନ କିପରି ଥିଲା ସେ ବିଷୟରେ ଆଲୋଚନା କରି ତାଙ୍କ ମହାନାୟକତ୍ବର ଯଥାର୍ଥତା ପାଠକ ମାନଙ୍କ ସମ୍ମୁଖରେ ଉପସ୍ଥାପନା କରୁଛି |

ଯଦୁବଂଶ ଧ୍ବଂସ ଓ କୃଷ୍ଣବଳରାମଙ୍କ ଦେହ ତ୍ୟାଗ :

ଶୁକଦେବ ପରୀକ୍ଷିତ ମହାରାଜଙ୍କୁ କହିଲେ “ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୁଷ୍କର୍ମକାରୀଙ୍କ ଧ୍ବଂସ ଓ ଧର୍ମ ସଂସ୍ଥାପନ କାର୍ଯ୍ୟ ସରିଯାଇଛି |ଦ୍ୱାପର ଯୁଗରେ ତାଙ୍କ ଅବତାର ସଫଳ ହୋଇଛି |କଂସକେଶୀ ନିସୁଦନ ଠାରୁ ଜରାସନ୍ଧ,ଶାଲ୍ୱ ଶିଶୁପାଳ ଓ ଅବଶେଷରେ ଅନ୍ୟାୟୀ କୁରୁ ବଂଶକୁ ଧ୍ବଂସ କରି ସାରିଲେଣି | ଉଦ୍ଦେଶ୍ୟ ଧର୍ମ ପ୍ରତିଷ୍ଠା | ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ୱାରା ପ୍ରତିଷ୍ଠିତ ଧର୍ମରାଜ୍ୟ ତାର ନିଦର୍ଶନ, |ସବୁକିଛି ସାରିବା ପରେ କୃଷ୍ଣ ଫେରି ଚାହିଁଲେ ଦ୍ୱାରିକାର ଉଦ୍ଧତ ଯାଦବମାନଙ୍କୁ, ଯେଉଁ ମାନେ ମଦ୍ୟପାନ କରି ହିତାହିତ ଜ୍ଞାନ ଭୁଲି ପରସ୍ପର ମଧ୍ୟରେ କଳହ କରୁଥିଲେ |

କୃଷ୍ଣ ଅନୁଭବ କଲେ ଯଦୁବଂଶ ଧ୍ବଂସ ନ କରି ସ୍ବଧାମ ପ୍ରାପ୍ତ ହୋଇ ପାରିବିନାହିଁ | ତେବେ ତାଙ୍କୁ ବିଶେଷ କଷ୍ଟ କରିବାକୁ ପଡିଲାନାହିଁ | ଯାଦବମାନେ ଏରକାର ଗଣ୍ଡିସବୁକୁ ଗଦା ରୂପେ ବ୍ୟବହାର କରି ପରସ୍ପରକୁ ଆଘାତ କଲେ ଓ ଅନେକ ମୃତ ଅବା ଆହତ ହେଲେ | ଏ ଦୃଶ୍ୟରେ ବ୍ୟସ୍ତ ବଳରାମ ଏରକା ଗଣ୍ଡିକୁ ଗଦା କରି ଦୁଷ୍ଟ ହିଂସ୍ର ଯଦୁବଂଶୀ ମାନଙ୍କୁ ବଧ କରି ଅତ୍ୟାଚାରୀଙ୍କ ଅନ୍ତ ଘଟାଇଲେ |

ପରେ ବଳରାମ ନିଜ ପୁତ୍ର ପୌତ୍ରାଦିଙ୍କ ବିନାଶରେ ରୋରୁଦ୍ୟମାନ ହୋଇ ସମୁଦ୍ର ବାଲିରେ ଯୋଗାସନରେ ବସିଲେ ଓ ମହାପ୍ରୟାଣ ନେଇ ସ୍ବଧାମ ଗମନ କଲେ |

ବଳରାମଙ୍କ ମହା ପ୍ରୟାଣପରେ ଏ ଧରାରୁ ତାଙ୍କର କର୍ତ୍ତବ୍ୟ ସମାପ୍ତ ହୋଇଛି ଏହା କୃଷ୍ଣ ଅନୁଭବ କରି ସ୍ବସ୍ଥାନ ଯାତ୍ରାର ଆୟୋଜନ କଲେ |କର୍ମକ୍ଲାନ୍ତ ହେବା ପରେ ଝୁଲଣ ଦୋଳା ପରି ଘନ ଶିଆଳି ଲତା କୁଞ୍ଜରେ ଶୟନ କଲେ | ସମୟର ଗତି ଅଚିନ୍ତନୀୟ |ଶିକାର ଆଶାରେ ଶରାସନ ହସ୍ତେ ଭ୍ରମଣ କରୁଥିବା ଜାରା ଶବର ଶିଆଳି ଲତା କୁଞ୍ଜରେ ଲୋହିତ ବର୍ଣ୍ଣର ମୃଗକର୍ଣ୍ଣ ଦୋଳାୟମାନ ଦେଖି ଶୟନରତ ମୃଗ ମନେକରି ଶର ପ୍ରୟୋଗ କଲା | ଅଳତା ରଞ୍ଜିତ ପଦ ଯୁଗଳ କୃଷ୍ଣଙ୍କର ହିଁ ଥିଲା |ଶର ଆଘାତରେ କୃଷ୍ଣଙ୍କ ପାଟିରୁ ଆହା ବୋଲି ଯନ୍ତ୍ରଣା ବିଧୁର ଶବ୍ଦ ଭାସିଆସିଲା |ମାନବ କଣ୍ଠର ଯନ୍ତ୍ରଣା ଶବ୍ଦ ଶୁଣି ପାଖକୁ ଆସି ଜାରା କୃଷ୍ଣଙ୍କୁ ଦେଖି ବିକଳ ଭାବେ ରୋଦନ କରିବାକୁ ଲାଗିଲା | କୃଷ୍ଣ କହିଲେ ଏହା ନିୟତିର ଲୀଳା | ଅନୁଶୋଚନା କରନାହିଁ |ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ସ୍ୱର୍ଗରୁ ରଥ ଆସି ଜାରା ଶବରକୁ ବୈକୁଣ୍ଠ ନେଇଗଲା | ସାରଥୀକୁ ନିର୍ଦ୍ଦେଶ ଦେଇ କୃଷ୍ଣ କହିଲେ ଦ୍ଵାରକାରେ ଥିବା ଅବଶିଷ୍ଟ ଲୋକମାନଙ୍କ ସହ ଅଷ୍ଟପାଟ୍ଟ ବଂଶୀମାନଙ୍କୁ ନେଇ ଇନ୍ଦ୍ରପ୍ରସ୍ଥରେ ଛାଡିଦିଅ | ଏହାପରେ ଦ୍ଵାରକା ଜଳ ମଗ୍ନ ହେବ | ଦ୍ଵାରକାରୁ ବିଦାୟ ନେଇ କୃଷ୍ଣ ପାର୍ଥିବ ଶରୀର ତ୍ୟାଗ କରି ସ୍ବସ୍ଥାନ ଯାତ୍ରା କଲେ |

ଆସିବା କୃଷ୍ଣ କାହାଣୀକୁ..

ବ୍ୟାସଦେବଙ୍କ ରଚିତ ଶ୍ରୀମଦ ଭାଗବତ ମହାପୁରାଣର ଦଶମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ତାଙ୍କର ଜନ୍ମ ବିଷୟରହିଛି | କୃଷ୍ଣ ସ୍ୱୟଂ ଭଗବାନ ବିଷ୍ଣୁ | ପୂର୍ବ ଦିଗରେ ପୂର୍ଣ୍ଣ ଚନ୍ଦ୍ରର ଉଦୟ ହେବାପରି ଦେବୀ ରୁପା ଦେବକୀଙ୍କ ଗର୍ଭରୁ ସମସ୍ତ ପ୍ରାଣୀଙ୍କ ଆଶ୍ରୟ ସ୍ୱରୂପ ଭଗବାନ ବିଷ୍ଣୁ ଭୂମିଷ୍ଠ ହେଲେ | ବସୁଦେବ ସେଇ ଅଦ୍ଭୁତ ଶିଶୁକୁ ଦର୍ଶନ କଲେ |ପଦ୍ମ ସମ ଚକ୍ଷୁ, ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ବକ୍ଷରେ ଶ୍ରୀବତ୍ସ ଚି଼ହ୍ନ, ଗଳାରେ କୌସ୍ତୁଭ ମଣି, ପିତାମ୍ବର, ସଜଳଜଳଦ ମୂର୍ତ୍ତି, ମହାର୍ଘ ବୈଦୁର୍ଯ୍ୟମଣି ଶୋଭିତ କିରିଟ କୁଣ୍ଡଳ, କୁଞ୍ଚିତ କେଶରାଜି, ଉଜ୍ଜଳ କଟି ବସ୍ତ୍ର, ବାଜୁବନ୍ଧ ଓ କଙ୍କଣ :- ଏ ସମସ୍ତ ଅଳଙ୍କାରରେ ସୁଶୋଭିତ ଥିଲେ ସେହି ତେଜସ୍ବୀ ଶିଶୁ |ପରବର୍ତ୍ତୀ ଅବସ୍ଥାରେ ସେ ନିଜର ଅଦ୍ଭୁତ କର୍ମ କରି ସଂସାରରେ ଧର୍ମ ସ୍ଥାପନା କରିଥିଲେ |

ସଂସାରକୁ ଗୀତାଜ୍ଞାନ ପ୍ରଦାନ କରି ଉଚିତ ମାର୍ଗ ଦର୍ଶନ କରି ଥିବା କୃଷ୍ଣ ଅବଶ୍ୟ ଦଶ ଅବତାର ମଧ୍ୟରେ ସ୍ଥାନ ପାଇନାହାନ୍ତି |


ଯୋଗେଶ୍ୱର ଶ୍ରୀକୃଷ୍ଣ ହିଁ ଶ୍ରୀ ଜଗନ୍ନାଥ
ଶାସ୍ତ୍ର ମତର
ଜଗନ୍ନାଥ ଯେ ଷୋଳକଳା
ତହୁଁ କଳା ଏ ନନ୍ଦବଳା,
କଳାକୁ ଷୋଳକଳା କରି,
ଗୋପେ ବିହରେ ନରହରି |

ଏଠାରେ ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ନାରାୟଣ | ତାଙ୍କର ଏକ କଳା ହିଁ ଶ୍ରୀକୃଷ୍ଣ ଅବତାର |ଜଗନ୍ନାଥ ହେଉଛନ୍ତି ଅବତାରୀ |ଏହି କାରଣ ଯୋଗୁଁ ଶ୍ରୀକୃଷ୍ଣଙ୍କୁ କୁହାଯାଏ ଜଗନ୍ନାଥ ଶ୍ରୀକୃଷ୍ଣ |

ଜଗନ୍ନାଥ ହେଉଛନ୍ତି ସବୁ ଧର୍ମର ସମନ୍ୱୟ ଓ ଏକେଶ୍ଵର ବାଦର ପ୍ରତିକ ଅଥଚ ବହୁଧା ତାଙ୍କର ରୂପ |ଏହି କାରଣରୁ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଏ |

ଶେଷରେ ଏତିକି ପ୍ରାର୍ଥନା ହେ ମହାନାୟକ, ଏବେ ସଂସାରରେ ଅନେକ ଅସୁର ଜନ୍ମ ନେଇ ସାଧୁ ସନ୍ଥଙ୍କୁ କଷ୍ଟ ଦେଉଛନ୍ତି | ଚାରିଆଡେ ଅନ୍ୟାୟ ଅତ୍ୟାଚାର, ନାରୀ ଦୁଷ୍କର୍ମ, ଶିଶୁ ହତ୍ୟା ଚାଲିଛି | ପରିବେଶ ଅଶାନ୍ତ | ଜାତି ଜାତି, ଦେଶ ଦେଶ ମଧ୍ୟରେ ଯୁଦ୍ଧ ବିଭିଶିକା ସାଧୁଜନଙ୍କୁ ସନ୍ତ୍ରସ୍ତ କରି ରଖିଛି |

ଆଉଥରେ ଅବତାର ନେଇ ସଂସାରକୁ ରକ୍ଷାକର ହେ ମହାନାୟକ 🙏

  • ଶ୍ରୀକାନ୍ତ ଦାଶ, ସଭାପତି ‘ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ.
    e-mail :srikantadash. bpc@gmail.com

Leave A Reply

Your email address will not be published.