ମାୟାଧର ମିଜାଇଲ-6:’ଭୋଗଦଖଲର ଭୋକୀବୈକୁଣ୍ଠ !’
- TATKAL ODISHA
- ମାୟାଧର ନାୟକ
ଅତି ସାମାନ୍ୟ ଦଲକାଏ ପବନରେ ଭାଙ୍ଗିପଡେ ତାସ୍ଘର । ଅଚାନକ ବତାସୀ ପବନର ଝାପଟରେ ଭୁଷୁଡିପଡେ ବାଲିଘର । ହେଲେ ବେଳେବେଳେ ଏମିତି ବି ହୁଏ – ଭାଙ୍ଗିପଡୁଥିବା ମସ୍ତବଡ ମାର୍ବଲ୍ ପଥରଗଢା ଇମାରତ୍ର ଇଜ୍ଜତ୍ ମାଟିକାମୁଡିବାକୁ ବାଧ୍ୟ ହୁଏ । ଜନରୋଷର ଜାଗ୍ରତ ଝଙ୍କାପଞ୍ଝାଘାତ ସମ୍ଭାଳିନପାରି ଦୀର୍ଘଦିନଧରି ଦର୍ପପ୍ରଦର୍ଶନ କରିଆସୁଥିବା ପ୍ରକାଣ୍ଡ ପ୍ରାଚୀନ ଦୁର୍ଗଗୁଡିକର ମଧ୍ୟ ଇତିହାସର ଅଦୃଷ୍ଟ ଦ୍ୱାରା ଅଙ୍କିତ ହୁଏ ପତନର ପଟଚିତ୍ର । ହଁ, ସେସବୁ ଅନ୍ତିମ ଦିନ ବି ଆସେ, ଆଖିଆଗରେ ଆସି ଉଭା ହୋଇଯାଏ ଭାଂଗିପଡୁଥିବାର ଦିନସବୁ, ଭୁଷୁଡିପଡୁଥିବାର ଦିନସବୁ, ପାଣିଚିଆ ପବନରେ ପାଣିଫଟକା ପରି ମିଳେଇଯାଉଥିବା ଶେଷ ଫୁତ୍କ୍ାରର ମୁର୍ମୂଷୁ ମୁହୂର୍ତ୍ତମୟ ଦାରୁଣଧୂସର ଦିନଦିନାନ୍ତସବୁ । ଭୟଙ୍କରମାନେ ଘାତକୀୟ ଘେରିବନ୍ଧ ବାନ୍ଧି ତହୁଁ ବଡ ବଡ ଭୟଙ୍କରକୁ ସୁଧା ହତ୍ୟାକରିବାକୁ ପଛାନ୍ତି ନାହିଁ । ଏବେ ଆମ ସମୟ ଏଇ ଧୋସ୍ତାୟମାନ ଧୂସର ଦିନପଞ୍ଜିର ଫର୍ଦ୍ଦପ୍ରସ୍ତୁତି କରିଚାଲୁଛି ଗୋଟାକ ପରେ ଗୋଟାଏ – ନିଜ ନିର୍ଭିକାର ଚିତ୍ରଗୁପ୍ତ ଭୂମିକା ନିର୍ବାହକରି ।
ସମଗ୍ର ବିଶ୍ୱ ସମ୍ପ୍ରତି ମହାସମସ୍ୟାସଂକଟବାହୀ ପ୍ରଳୟପୟୋଧିଜଳପ୍ଲାବନରେ ଟଳମଳ । ଭୂକମ୍ପନ, ଭୂସ୍ଖଳନ, ଜଳବାୟୁର ଘନଘନ ଅସ୍ୱାଭାବିକ ପରିବର୍ତ୍ତନ, ଘମାଘୋଟ ଜଘନ୍ୟ ଯୁଦ୍ଧାଭିଯାନ, ମରଣାତ୍ମକ ମହାମାରୀ କରୋନା ଭୂତାଣୁଜନିତ ବିଭିଷୀକାମୟ ବ୍ୟାଧି ସଂକ୍ରମଣ, ମୁନାଫା ସର୍ବସ୍ୱ ଶିଳ୍ପସାମ୍ରାଜ୍ୟବିସ୍ତାରୀ ଅର୍ଥଗୃଧ୍ମ କଳାକୁବେରତନ୍ତ୍ରର ମାରାତ୍ମକ ପରସ୍ୱାପହରଣକାମୀ ଧୂମଜିହ୍ୱା-ବିସ୍ତାରଣ, କ୍ଷୁଧାଜର୍ଜରିତ ହୃଦୟବିଦାରୀ ଜନଯନ୍ତ୍ରଣାର କରୁଣ କୁନ୍ଥନ ଇତ୍ୟାଦି ବିବିଧ ବିଡମ୍ବନା ଏବେ ସୀମା ଲଂଘି ବିପଦସଂକେତ ପାର୍ ହୋଇସାରିଲାଣି ଏଠି ସେଠି ସବୁଠି । ଆଗେ ଦେଶେଦେଶେ କାନ୍ଦୁଥିଲେ ନିରନ୍ନ ଜନତା, ନିଗୃହୀତ ନିଃସ୍ୱନିଷ୍ପେଷିତ, ଦଳିତ ଦୁର୍ଗତ, ଭୋକୀରଙ୍କୀ ଗରିବଗୁରୁବା – ଏବେ କିନ୍ତୁ କମ୍ପମାନ କରାଳ କ୍ରୋଧରେ କୁହୁଳୁଛନ୍ତି ଜୀଅନ୍ତା ଜଳୁଜଳୁ । ଆଉ ଜୁଳୁଜୁଳୁ ଚାହିଁବାର ଅସହାୟ ଶୂନ୍ୟଦୃଷ୍ଟି ନାହିଁ ସେ କୋଟିକୋଟି କୁହୁଳା ଆଖିରେ । ଏବେ ସେ କୋଟରଗତ ଆଖିଗୁଡାକରେ କଠୋର କୋପାଗ୍ନି ଅଚିରେ ହିଁ ଚିତାଗ୍ନିରେ ପରିଣତ ହେବାକୁ ଯାଉଛି କ୍ରମବର୍ଦ୍ଧିଷ୍ଣୁ କମ୍ପାନୀକର୍ତ୍ତାମାନଙ୍କର କୁଶପୁତ୍ତଳିକାଦାହ ସଂକଳ୍ପରେ । ପୁଞ୍ଜିପିପାସୁଚକ୍ରର ଅତିକାୟ ଗର୍ବଅହଂକାରରୂପକ ଧ୍ୱଜଚିହ୍ନିତ ଗମ୍ବୁଜଗୁଡାକ ଭାଙ୍ଗି ଚୂର୍ମାର୍ ହେବାକୁ ଯାଉଛି ଅଦୂର ଭବିଷ୍ୟତରେ ।
ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ମୁକେଶ ଅମ୍ବାନୀ ଭାରତର ଏକନମ୍ବର ଧନୀବ୍ୟକ୍ତି । ତାଙ୍କ ପୁଅ ଅନନ୍ତ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଅସ୍ୱାଭାବିକ ଭାବେ ମୋଟା ହୋଇଯାଇଛନ୍ତି । ତାଙ୍କ ବାହାଘର ହୋଇଯାଇଛି । ଏବେ ଅନନ୍ତବାବୁ ୧୮ କୋଟି ଟଙ୍କାର ଘଣ୍ଟା ପିନ୍ଧୁଛନ୍ତି । ତାଙ୍କ ପତ୍ନୀ ୨ କୋଟି ଟଙ୍କାର ଭ୍ୟାନିଟ୍ ବ୍ୟାଗ୍ ଧରିଛନ୍ତି । ସେ ଭ୍ୟାନିଟ୍ ବ୍ୟାଗ୍ ଏତେ ଛୋଟ ଯେ – କେବଳ ଗୋଟିଏ ନେଲ୍ପାଲିସ୍ ରହିପାରିବ । ୧୨ ଅପ୍ରେଲ୍ ୨୦୨୩ରେ ଗଣମାଧ୍ୟମରେ ପ୍ରକାଶପାଇଛି ଯେ – ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ସହିତ ଶ୍ଲୋକ ମେହେଟାଙ୍କର ବିବାହବେଳେ ନୀତା ଅମ୍ବାନୀ ବୋହୁକୁ ସାଢେଚାରିଶହକୋଟି ଟଙ୍କାର ହୀରାହାର ଉପହାର ଦେଇଛନ୍ତି । ଏ ହାରକଥା ଭାବିଲେ କିଛିକ୍ଷଣ ପାଇଁ ବିଶ୍ୱପ୍ରିସିଦ୍ଧ କୋହିନୂର ହୀରା କଥା ଭୂଲିଯିବାକୁ ହେବ ।
ଅମ୍ବାନୀଙ୍କ ପୁଅବୋହୂ ଘଣ୍ଟା, ଭ୍ୟାନିଟ୍ ବ୍ୟାଗ୍, ହାରର ଫଟୋ ସାରାବିଶ୍ୱରେ ଗଣମାଧ୍ୟମରେ ପ୍ରକାଶିତ । ନୀତା ଅମ୍ବାନୀ ତାଙ୍କ ଜନ୍ମଦିନରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଦେଶବିଦେଶରୁ ମହା ମହା ହସ୍ତୀ ନୀତାଙ୍କ ବାର୍ଥ ଡେ’ ପାର୍ଟିରେ ସାମିଲ ହୋଇଥିଲେ । ଏ ଘଟଣାଟି ୨୦୧୩ ମସିହାର । ୟା’ ଭିତରେ ପ୍ରତିବର୍ଷ ତାଙ୍କ ବାର୍ଥ ଡେ’ ପାଳନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ହିସାବ ଆମ ପାଖରେ ନାହିଁ । ଏବେ ମୁକେଶ ଅମ୍ବାନୀଙ୍କ ଲାର୍ସନ୍ ଏଣ୍ଡ୍ ଟ୍ୟୁବ୍ରୋ ଟେକ୍ନୋଲୋଜି ସର୍ଭିସେସ୍ (ଏଲ୍.ଟି.ଟି.ଏସ୍) ଭାରତରୁ କର୍ମଚାରୀମାନଙ୍କୁ ଦେଶବିଦେଶରୁ ନେବାଆଣିବା ପାଇଁ ଭିସାରେ ମିଥ୍ୟା ଓ ଠକାମି ଯୋଗୁ ଆମେରିକା କୋର୍ଟରେ ୯.୯ ବିଲିୟନ୍ ପାଉଣ୍ଡ୍ ତଣ୍ଡ ଗଣିବାକୁ ପଡିଛି । ବର୍ତ୍ତମାନ ଏକ ପାଉଣ୍ଡର ଭାରତୀୟ ମୂଲ୍ୟ ୧୦୨ ଟଙ୍କା୨୩ ପଇସା । ସମୁଦାୟ ୯୨ ହଜାର ୭ କୋଟି ଟଙ୍କା ଜୋରିମାନା ଦେଇଛନ୍ତି ।
ଆପଣମାନଙ୍କର ସ୍ମରଣ ଥିବ – ଏଇ ମୁକେଶ-ଅନୀଲ ଅମ୍ବାନୀଙ୍କ ବାପା ଧିରୁଭାଇ ଅମ୍ବାନୀ ଦଲାଲ ଷ୍ଟ୍ରିଟ୍ରେ ବେପାର କରୁଥିଲେ । ମୁକେଶ-ଅନୀଲ ଦୁଇପୁଅ ମଧ୍ୟ ସାହାଯ୍ୟ କରୁଥିଲେ । ସଂଧ୍ୟାପରେ ଯେଉଁ ଟେବୁଲ୍ ଚେୟାରରେ ବସି ବେପାର କରୁଥିଲେ – ତାକୁ ଗୋଟିଏ ଖୁଣ୍ଟରେ ଜଞ୍ଜିରଦେଇ ଚାବିପକେଇଦେଇ ଆସୁଥିଲେ । ଦେବାଳିଆ ହୋଇ ଭାରତକୁ ଫେରିଆସି ବ୍ୟବସାୟ କରି ଆଜି ତାଙ୍କ ବଡପୁଅ ମୁକେଶ ଦେଶର ଏକନମ୍ବର ଧନୀ । ସାନପୁଅ ଅନୀଲ ବ୍ୟବସାୟରେ କ୍ଷତି ସହି ମୁଣ୍ଡରେ ହାତଦେଇ ବସିଛି ।
ଆମର କହିବାର କଥା – ତମେ ଧନୀ ହେଲ ବୋଲି ଏତେ ଛଇଛଟକ କାହିଁକି ? ଏହାଦ୍ୱାରା ସମାଜରେ ସାଧାରଣ ଲୋକେ ତୁମକୁ ପ୍ରଶଂସା ଓଜାଡି ଦେବେନାହିଁ । ତମ ଧନଗୁଡା ତମର ନୁହେଁ – ଦେଶର । ତମେ କେବଳ ଜଗୁଆଳି । ଜଣେ କେୟାରଟେକର୍ କ’ଣ ମନଇଛା ଅଯଥାରେ ଧନ ବରବାଦ୍ କରିଦେବ । ସମୟ ଆସୁଛି – ତମର ଅହଂକାରର ପୁରଷ୍କାର ପାଇବ । ତୁମେ ତ ରାବଣ ଠୁ ବଡ ନୁହଁ – ଦୁର୍ଯ୍ୟୋଧନ ଠୁ ବି । ସେମାନେ ତାଙ୍କ ଅହଂକାର ଯୋଗୁ ଧ୍ୱଂସ ହୋଇଗଲେ । ଏଇ ବିଶ୍ୱରେ ଗର୍ବି, ଅହଂକାରୀମାନେ ବଡ ଦୟନୀୟ ଅବସ୍ଥାରେ ଖତମ ହୋଇଯାଇଛନ୍ତି । ଇତିହାସ କାହାକୁ କ୍ଷମାଦେଇନି କି ଦେବନାହିଁ ।
ଟାଟା ଏଇ ଓଡିଶାରେ ତା’ ଜନଦ୍ରୋହୀ, ଦେଶଦ୍ରୋହୀ କାର୍ଯ୍ୟକଳାପ ପାଇଁ ଧରାପଡିଥିବା ସତ୍ୟ ବେମାଲୁମ୍ ନୁହେଁ ଜାଣିବାଶୁଣିବା ମହଲରେ । ପ୍ରାୟ ୧୮୬୮ରୁ ୨୦୨୩ ମସିହା ୧୫୫ବର୍ଷ ହେଲା ଟାଟା କମ୍ପାନୀ ଭାରତଭୂଇଁରେ ଚରିଚରି ବିଦେଶଭୂଇଁରେ ମଧ୍ୟ ଚରିଗଲା । ଲୁଣଠାରୁ ଉଡାଜାହାଜ ଯାଏ ବିକ୍ରିବଟାକରି ଦୁନିଆର ଆଖିଦୁରୁଶା ଧନୀକମ୍ପାନୀ ବନିଗଲା । ଟାଟାର ବିରାଟ ସାମ୍ରାଜ୍ୟ କେବଳ ଓଡିଶାଭୂଇଁର ଖଣି, ପାଣି, ଜଳ, ଜମି, ଜଙ୍ଗଲ ଓ ଶସ୍ତାଶ୍ରମରୁ ଗଢିଉଠିଥିବା କାହାକୁ ଅଛପା ? ଶେଷରେ ୨୦୧୪ ମସିହାରେ ଓଡିଶା ସରକାରଙ୍କଠୁ ମାଗଣାରେ ଜମିନେଇ ଗଞ୍ଜାମ ଗୋପାଳପୁରଠାରେ ସୁପର ସ୍ପେଶାଲିଷ୍ଟ୍ ହସପିଟାଲ କରିବାପାଇଁ ମହାଆଡମ୍ବରରେ ଘୋଷଣା କଲା । ୮ ବର୍ଷ କାଳ କୋଠାବାଡି, ଯନ୍ତ୍ରପାତି ପ୍ରତିଷ୍ଠାକରି ଆଦୌ ଡାକ୍ତରଖାନା କାର୍ଯ୍ୟକାରୀ ନହେବା ପୂର୍ବରୁ ବିକ୍ରିପାଇଁ ଟେଣ୍ଡର ଡାକିଦେଲା । ଏଇ ଟାଟା କମ୍ପାନୀ ଓଡିଶାରୁ ଖଣିଖାଦାନ ହାତେଇନେଇ ଲକ୍ଷ ଲକ୍ଷ କୋଟି ଟଙ୍କା ଲାଭର ପାହାଡ ସୃଷ୍ଟି କରିଛି । ପ୍ରତିଦାନରେ ଓଡିଶାବାସୀ ପାଇଛନ୍ତି କ’ଣ ? ଖାଲି ଧୂଳି, ଧୂଆଁ, ପାଉଁଶର ପିଣ୍ଡୁଳା, ବିଷଭସ୍ମର ବିଭୀଷିକା, ଅଙ୍ଗାରକାମ୍ଳର ଆଘ୍ରାଣ, ଶରୀର କ୍ଷୟକାରୀ ମୁର୍ମୁହୁଃ ମାରାତ୍ମକ ରୋଗର ପ୍ରକୋପ, ପ୍ରଦ୍ୟୂଷଣ ସମେତ ମୁନାଫାମୁଖୀ ସର୍ବଗ୍ରାସୀ ଶିଳ୍ପଦାନବଦତ୍ତ ଅପ୍ରତ୍ୟାଶିତ ଛଟେଇ, ଅସ୍ଫୁରଣୀୟ ବେକାରୀ, ବିସ୍ଥାପନ, ବିପର୍ଯ୍ୟୟ ଇତ୍ୟାଦି କେତେ କେତେ ଅମାନୁଷୀକ ମହାସମସ୍ୟାସଂକଟସମ୍ବଳିତ ଜୀବନହାନୀକାରକ ଉତ୍କଟ ଉପହାର । ଟାଟା କମ୍ପାନୀ ଦ୍ୱାରା ନିର୍ଯାତିତ, ଶୋଷିତ, ଅତ୍ୟାଚାରିତ, ବିସ୍ଥାପିତ ମଣିଷ ମନରେ ଅଶାନ୍ତି-ଅସନ୍ତୋଷର ଅଦମ୍ୟ ଅନଳ ପ୍ରଜ୍ୱଳିତ ହେବାରେ ଲାଗିଛି ।
ଏଇ ନଗଦାନଗଦୀ ଏକ ଘଟଣା ପୃଥିବୀରେ ଘଟିଛି ଗୌତମ ଆଦାନୀଙ୍କ କ୍ଷେତ୍ରରେ । ଆହାଃ ! ଆହାଃ ! ପୃଥିବୀର ସର୍ବାଧିକ ସମ୍ପତ୍ତିର ସମ୍ରାଟ ସାଜି ମହାପ୍ରାଚୁର୍ଯ୍ୟର ମୌନୀପାହାଡ ଠିଆ କରାଇଦେଇଥିଲେ ରାତାରାତି । ରାତିକେ ହାତୀଏ ନୁହେଁ, ଘଡି ଘଡିକେ ଲକ୍ଷେ କଳାଟଙ୍କିଆ ଘୋଡା ଛୁଟାଇଛୁଟାଇ ହଠାତ୍ ଦିନେ ପାଲଟିଗଲେ ବିଶ୍ୱର ୨ ନଂ ଧନାଢ୍ୟ ଶିଳ୍ପଦାନବ – ହେଲେ ଭାଙ୍ଗିଭୁଶୁଡିଯିବାର ସେ ପତନଦିବସ ଯେତେବେଳେ ଆସି ପହଞ୍ଚିଗଲା, ଶାସକ-ପ୍ରଶାସକଚକ୍ରରଚିତ ବିଶାଳ ସୁରକ୍ଷାବଳୟ ସୁଦ୍ଧା ଅକାମୀ ହୋଇପଡିଲା ଦ୍ରୁତଦ୍ରୁତତର ଅମାପମାପ ଆୟକାରୀ ଏ ଆଦାନୀର ଆମଦାନିକୁ ସହାୟତା ସମର୍ପିବାରେ ।
ସାମାନ୍ୟ ଇଣ୍ଡେନ୍ବର୍ଗର ଛୋଟିଆ ଗୋଟେ ରିପୋର୍ଟରେ ଲାଗିଥିବା ଅର୍ଖନୂଆ ପିନ୍କଣ୍ଟାର ଫୋଡାପୀଡା ଯୋଗୁଁ କାଲିର ଅତ୍ୟୁଚ୍ଚ ଆଦାନୀ ସାତତାଳଗଛ ଶିଖରରୁ ପଡି ଗୋଡିମାଟିରେ ତୁଚ୍ଛଦିନଗୁଡାକ ଗଣୁଛି ବଡ ବିକଳରେ ।
“ଆଦାନୀ କମ୍ପାନୀ ସମ୍ପତ୍ତି ବଢାଇବାରେ ଯେଉଁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସହଯୋଗ କରିଛନ୍ତି – ସେମାନଙ୍କ ମଖମଲୀମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି“..
ଆଦାନୀ କମ୍ପାନୀ ସମ୍ପତ୍ତି ବଢାଇବାରେ ଯେଉଁମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସହଯୋଗ କରିଛନ୍ତି – ସେମାନଙ୍କ ମଖମଲୀମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି । ବିଶ୍ୱ ଓ ଦେଶବାସୀ ଏଯାବତ୍ ଯାହାକୁ ବାଘସିଂହ ଭଳି ମଣିଆସୁଥିଲେ – ବାସ୍ତବରେ ସେ ଯେ ନୀଚନ୍ୟୂନଶ୍ରେଣୀୟ ଏକ ନୀଳବର୍ଣ୍ଣ ଶୃଗାଳ – ଏ ଅବିଶ୍ୱାସ୍ୟ ସାଂଘାତିକ ସତ୍ୟର ସଦ୍ୟଗର୍ଜନ ଦାଣ୍ଡରେ ପଡି ହାଟରେ ପାଲଟିଛି କାଳକୁହାଟ ! ବିଶ୍ୱରେ ସମସ୍ତେ ଜାଣିସାରିଛନ୍ତି ଆକାଶଚୁମ୍ବୀ ଆଦାନୀର ଏଇ ଦୋନମ୍ବରୀ ଦୁନିଆତଳର ପାତାଳରହସ୍ୟ !
କେତେବେଳେ ଯେ କରାଳ ଭୂମିକମ୍ପ ଭଳି ବିସ୍ଫୋରଣ ନ ଘଟିପାରେ କିଏ କହିବ ! ଆଦାନୀ-ଅମ୍ବାନୀ-ଟାଟା ଭଳି କୋଟି କୋଟି ଟଙ୍କାର କଳଙ୍କିତକାଙ୍ଗାଳକୂଳ ଦେଶର ଦୁଷ୍ମନ୍ – ଜାତିର ଜହ୍ଲାଦ । ଏମାନେ କ୍ରାନ୍ତିର କଂସେଇ । ଏଇଭଳି କୁଳାଙ୍ଗାର କାଙ୍ଗାଳକୂଳକୁ ଆମର ଭାରତଜନନୀ କ’ଣ କେବେହେଲେ ପୌଷ୍ୟପୁତ୍ର କରିବାକୁ ସୁଦ୍ଧା ସମ୍ମତି ପ୍ରଦାନ କରିପାରେ ? ଜନଗଣ ଜାଗିଉଠିବା ଜରୁରୀ । ଯେମିତି ୧୯୧୮ ମସିହାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଟାଟା ସମ୍ପତିକୁ ଭାରତୀୟକରଣ କରିବାକୁ ଦାବି କରିଥିଲେ – ଏଇ ୨୦୨୩ରେ ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ଟାଟା କମ୍ପାନୀ ଓ ଅନ୍ୟ କମ୍ପାନୀର ଅମାପମାପ ରାଜକୋଷଲୁଟ୍ ସମ୍ପତିକୁ ଦେଶର ସମ୍ପତି, ଭାରତବାସୀଙ୍କ ସମ୍ପତି ଘୋଷଣା କରିବାକୁ ଏ ଅଧମ ଦାବି କରୁଛି । ଦୁଃଖୀ ଭାରତରେ ସୁଖୀ ଅହଂକାରୀ, ଗର୍ବି, ଧନଲୋଭୀ ତଥାକଥିତ ସମ୍ରାଟମାନେ – ସାରିଆ–ଭଗିଆର ଛ’ମାଣ ଆଠଗୁଣ୍ଠ ଜମିସ୍ୱରୂପ ଆଦିବାସୀର ବନଭୂମିରୁ ଅଧିବାସୀର ଜନଭୂମୀ ଯାଏଁ ଦୁଃଖସୁଖଭରା ସରଳସୁନ୍ଦର ଦୁନିଆକୁ ଆଉ ଦଖଲ କରନା – ଫେରେଇ ଦିଅ – ଏ ଦେଶର ଗଣତନ୍ତ୍ରକୁ, ଏ ମହାଜାତିର ଉତ୍ତରଦାୟଦମାନଙ୍କୁ ।
- Mayadhar NAYAK
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩