ମାୟାଧର ମିଜାଇଲ-29: ବାଣୀ ହିଁ ବାଣ : ‘କର୍କଶ ହିଁ କଳିକାଳ’

0

//TATKAL ODISHA//

  • ****************************
  • ବାଣୀ ହିଁ ବାଣ : କର୍କଶ ହିଁ କଳିକାଳ
  • ମାୟାଧର ନାୟକ
  • ****************************

ବାଣୀ ହିଁ ବାଣ । ସେ ମୁଖବାଣୀ ହେଉକି ଭବିଷ୍ୟତବାଣୀ ହେଉ । କାଣ୍ଡରୁ ଥରେ ବାଣ ଖସିଲେ – ଫେରେନା । ପକାଇଲା ଛେପ ଢୋକି ହୁଏନା । ଥରେ ପରମାଣୁବୋମା ଫୁଟିଲେ ସାରାଦୁନିଆ ଥରଥର, ଧ୍ୱଂସବିଧ୍ୱଂସ, ଛାରଖାର । ବାଣୀ ମଣିଷର ପରିଚୟ ସୃଷ୍ଟିକରେ । କାହାକୁ ବାଣୀଦ୍ୱାରା ଆଘାତ କରିବା ଉଚିତ୍‍ ନୁହେଁ । ଆମର ମାନସିକତା ଯେମିତି ତୁଣ୍ଡରୁ ବାଣୀ ବାହାରିବ ସେମିତି । ଯିଏ କୌଣସି ପ୍ରାଣୀଙ୍କ ପ୍ରତି କ୍ରୋଧପ୍ରକାଶ କରନ୍ତିନାହିଁ – ସେହିମାନେ ହିଁ ସିଦ୍ଧିଲାଭକରନ୍ତି ।

  • କର୍କଶ ହିଁ କଳିକାଳ । କର୍କଶରୁ କଳି । ଦେଶେଦେଶେ, ରାଜ୍ୟେରାଜ୍ୟେ ଏପରିକି ପରିବାର ସଂପର୍କ ମଧ୍ୟରେ ମଧ୍ୟ କର୍କଶ ସ୍ୱରରେ କଳିଲାଗିଯାଏ । ପଶାଖେଳରୁ, ଝିମିଟିଖେଳରୁ ମହାଭାରତ ଯୁଦ୍ଧ ସୃଷ୍ଟି । ସବୁଯଗରେ ସେ ଦେବଦେବୀ, ରାକ୍ଷସ କି ଭଗବାନ ହୁଅନ୍ତୁ କି ମଣିଷ ହୁଅନ୍ତୁ – ଗର୍ବଅହଙ୍କାର, ହାମବଡା ଯୋଗୁ କର୍କଶ ଶଦ୍ଦ ବ୍ୟବହାରକରି ମହାକଳି ଲଗେଇଦିଆନ୍ତି- ଯାହା ଉଭୟପକ୍ଷର ପ୍ରଭୃତ କ୍ଷତିହୁଏ । କଳି ଶେଷ ହେଲାବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇଥାଏ । ତ୍ରେତୟଯୁଗରେ ମନ୍ଥରାର ମନ୍ତ୍ରଣା, କାନକୁହାକଥାରେ ରାଣୀ କୈକେୟୀ କଳିକରି ରାଜା ଦଶରଥକୁ କହି ରାମକୁ ୧୪ବର୍ଷ ବନବାସ ପଠାଇଥିଲେ । ଦ୍ୱାପରଯୁଗରେ ମାମୁଁ ଶକୁନୀ ଭଣଜା ଦୁର୍ଯ୍ୟୋଧନକୁ କୁମନ୍ତ୍ରଣାଦେଇ କୁରୁବଂଶ ଧ୍ୱଂସ କରିଦେଇଥିଲେ । ଯୁଗେଯୁଗେ କାନକୁହା କୁମନ୍ତ୍ରଣା ମଣିଷ ଅଛନ୍ତି । ଏମାନେ କର୍କଶ କିମ୍ବା ଉଚ୍ଚସ୍ୱରରେ କହନ୍ତିନାହିଁ । ଯେଉଁମାନଙ୍କ କାନରେ ଏ କୁମନ୍ତ୍ରଣା ପଶେ ସେମାନେ କର୍କଶ ସ୍ୱରରେ ଚିତ୍‍କାରକରି ଭୂଲ କରିବସନ୍ତି ।
  • କଳିକାଳରେ ମଧ୍ୟ କୁମନ୍ତ୍ରଣାଦେବା ମଣିଷ ଚାରିଆଡେ । ସେବେକାର ରଜା,ରାଣୀ,ମନ୍ତ୍ରୀ ଏବେକାର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ନେତା,ଅଫିସରମାନଙ୍କୁ କିଛି କୁଟିଳ କୁମନ୍ତ୍ରଣାଦେଇ ଦେଶରାଜ୍ୟରେ ନାନାବିଭ୍ରାଟ ସୃଷ୍ଟି କରାଉଛନ୍ତି । ଏମାନଙ୍କ ଯୋଗୁ ସାଧୁ ଦଣ୍ଡ ପାଉଛି – ଚୋର ପୁରସ୍କୃତ ହେଉଛି । ଏପରିକି ସବୁଆଡେ ନିଜସ୍ୱାର୍ଥ ହାସଲପାଇଁ ମିଛ – ଡାହାମିଛକୁ ଶହେ ପରସେଣ୍ଟ ସତଭାବେ ମାଲିକମାନଙ୍କ କାନପାଖରେ ଧିରେଧିରେ କହନ୍ତି । ଏହାକୁ ପରୀକ୍ଷା ନକରି ଅନ୍ଧଭାବେ ବିଶ୍ୱାସକରି ସେ ମାଲିକ ଗର୍ଜ୍ଜିଉଠେ, ଅତ୍ୟନ୍ତ କର୍କଶ ଭାଷାରେ ଅଭିଯୁକ୍ତକୁ ଗାଳିଦିଏ । ଯାହାଫଳରେ ସବୁ ଗଣ୍ଡଗୋଳ ହୋଇଯାଏ । ଏହାଦ୍ୱାରା ମାଲିକର ତ କ୍ଷତିହୁଏ – ସମାଜର ମଧ୍ୟ କ୍ଷତିସାଧନ ହୁଏ ।
  • ଏହି ଉଚ୍ଚ ଏବଂ କର୍କଶ ଉଚ୍ଚାରଣ ପାଇଁ ଚୀନ୍‍-ଭାରତ ଯୁଦ୍ଧ ଲାଗିଯାଇଥିଲା । ସେତେବେଳେ ସ୍ୱାଧୀନତାର ୧୫ବର୍ଷରେ ଭାରତର ଅର୍ଥନୈତିକ ଅବସ୍ଥା ଭଲ ନଥାଏ । ଆମେ ଚୀନ୍‍ ସହ ବନ୍ଧୁତାବାନ୍ଧି ହିନ୍ଦ-ଚୀନ ଭାଇଭାଇ ନାରାଦେଲେ । ସେଇ ଚୀନ୍‍ ସୀମାବିବାଦରେ ତାଙ୍କର କିଛି ଭୂଖଣ୍ଡ ଭାରତଭିତରେ ଅଛି – ଫେରେଇଦେବାକୁ ଜିଦ୍‍ ଧରିଲେ । ଭାରତ ଦେବାକୁ ରାଜି ନୁହେଁ । ଯୁଦ୍ଧ ପରିସ୍ଥିତି । ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କ୍ୟାବିନେଟ୍‍ ବୈଠକ ଓ ଜଳ,ସ୍ଥଳ,ଆକାଶବାହିନୀର ମୁଖ୍ୟମାନଙ୍କୁ ଡାକି ଯୁଦ୍ଧପରିସ୍ଥିତି ସଂପର୍କରେ ଆଲୋଚନା କଲେ । ଦେଶର ରକ୍ଷାମନ୍ତ୍ରୀ କୃଷ୍ଣ ମନେନ୍‍ ସବୁ ପରିସ୍ଥିତିକୁ ଲକ୍ଷ୍ୟକରି କହିଥିଲେ – ଆମ ହାତରେ ଯଥେଷ୍ଟ ଯୁଦ୍ଧାସ୍ତ୍ର ନାହିଁ । ଯୁଦ୍ଧ ଲଢିଲେ ହାରିଯାଇପାରନ୍ତି । ବଂର ସମଝୋତା ପାଇଁ ପ୍ରସ୍ତାବ ଦିଆଯାଉ । ସମସ୍ତେ ରାଜିହେଲେ ।
  • ବାହାରେ ସାମ୍ବାଦିକମାନେ ଅପେକ୍ଷାରତ । ନେହେରୁଙ୍କୁ ପଚାରିଲେ – ସେ କହିଲେ – ଦେଖେଜେ୍ଞ । ଅର୍ଥହେଲା – ଦେଖିବା । ଏହି କଥାପଦକ ବୀରଦର୍ପରେ ବଡପାଟିରେ କହିଥିଲେ । ସାମ୍ବାଦିକମାନେ ତାଙ୍କ କଣ୍ଠସ୍ୱରରୁ କ’ଣ ବୁଝିଲେ କେଜାଣି ସଂଗେସଂଗେ ଗଣମାଧ୍ୟମରେ ଯୁଦ୍ଧପାଇଁ ପ୍ରସ୍ତୁତବୋଲି ଖବର ପ୍ରସାରଣ ହୋଇଗଲା । ଏ ସମ୍ବାଦପାଇ ଚୀନ୍‍ ସରକାର ତା’ର ଗରିଲା ସୈନ୍ୟବାହିନୀକୁ ସେଇ ରାତିରାତି ପଠାଇ ସକାଳୁସକାଳୁ ଭାରତୀୟ ସେନାଛାଉଣୀକୁ ଘେରାଉକରି ସମସ୍ତ ସୈନ୍ୟକୁ ବନ୍ଦୀ କରିନେଇଗଲେ । ଯୁଦ୍ଧ ଅବଶ୍ୟ ବେଶିଦିନ ଚାଲିଲାନାହିଁ । ଭାରତ କିନ୍ତୁ ହାରିଗଲା ।
  • ସାରାପୃଥିବୀରେ ଏଇ କର୍କଶ କଥାରେ ଅନେକ ବିଭ୍ରାଟ ଘଟିଯାଏ । କୋଟିକୋଟି ଉଦାହରଣ ଅଛି । ଭାତହାଣ୍ଡିରୁ ଗୋଟିଏ ଚିପିଲେ ଯେମିତି ଭାତ ହୋଇଛି କି ନାହିଁ ଜଣାଯାଏ – ସେଇଭଳି ଅଳ୍ପକିଛି ଉଦାହରଣକୁ ଲକ୍ଷ୍ୟକଲେ ଏଭଳି କାଣ୍ଡ ସାରାବିଶ୍ୱରେ ଘଟିଚାଲିଛି । ସାରାବିଶ୍ୱରେ କିଛି ଦେଶର ମୁଣ୍ଡିଆଳମାନେ ଅଛନ୍ତି – ସେମାନେ ଡାହାମିଛ କହି କଳି ଲଗେଇଦିଅନ୍ତି । ନିଜକୁ ଏକନାୟକତ୍ୱ ଭୂମିକାରେ ଅବତୀର୍ଣ୍ଣ କରାଇବାକୁ ନାନାପ୍ରକାର କୌଶଳ ଅବଲମ୍ବନ କରନ୍ତି । ଗଣମାଧ୍ୟମରେ ଜୋକରଙ୍କ ଭଳି ଅଭିନୟ କରି ଆପଣାର ବାହାଦୂରି ବଖାଣନ୍ତି । ଶେଷରେ ଏକଛତ୍ରବାଦୀ ଶାସକ ହୋଇ ଜନଗଣଙ୍କ ବଜ୍ରବାହୁ ଆକ୍ରମଣରେ ଧରାଶାୟୀ ହୁଅନ୍ତି । ଜଣେଜଣେ ଅତି ନୃଶଂସ ରାଷ୍ଟ୍ରମୁଖ୍ୟ ଅଛନ୍ତି – ସେମାନେ ସମସ୍ତଙ୍କୁ ଧମକେଇ ଚମକେଇ ରଖନ୍ତି । ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲର୍‍ ଥରେ ଗୋଟିଏ କୁକୁଡାକୁ ନେଇ ସଂସଦରେ ପ୍ରବେଶ କଲେ । ସମସ୍ତଙ୍କ ସାମ୍ନାରେ କୁକୁଡାର ପର ଟାଣି ଛିଡେଇଦେଲେ । କୁକୁଡାଟି ବ୍ୟଥାବେଦନାରେ ରଡି ଛାଡୁଛି – ତା’ପରେ ପରହୀନ ସେଇ କୁକୁଡାଟିକୁ ନିଜ ପାଦତଳେ କିଛି ଖାଦ୍ୟରଖି ଛାଡିଦେଲେ । କୁକୁଡାଟି ଖାଦ୍ୟ ଖାଇବାକୁ ଲାଗିଲା । ହିଟଲର୍‍ ଯୁଆଡେ ଯୁଆଡେ ପଦଚାରଣ କଲେ କୁକୁଡାଟି ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲା । ହିଟଲର୍‍ ସମସ୍ତଙ୍କୁ ଧମକ୍‍ ଦେଇ କର୍କଶ ସ୍ୱରରେ କହିଲେ – ଯିଏ ମୋ ନିର୍ଦ୍ଧେଶ ନ ମାନିବ ତାହାର ଡେଣା ଛଡାଇଦେବି । ସେମାନେ ଏଇ କୁକୁଡା ଭଳିଆ ମୋ ପଛେ ପଛେ ଗୋଡେଇବେ । ଆଜିକାଲି ଅହଂକାରୀ, ଗର୍ବି ନେତାମାନେ ତାଙ୍କୁ ଟପିଲାଭଳିଆ କୌଣସି ନେତାଙ୍କୁ ରଖେଇଦେଉନାହାଁନ୍ତି । କୁକୁଡା ଭଳି ସେମାନଙ୍କ ପର ଛିଡାଇଦେଉଛନ୍ତି । ବାଧ୍ୟହୋଇ ସେ ନେତାମାନେ ଏତେବଡ ହେଇଥାଆନ୍ତୁ ବଂର – ହାଇକମାଣ୍ଡଙ୍କ ପଛେ ପଛେ ଗୋଡାଉଛନ୍ତି । ଏଭଳି ଘଟଣା ସବୁଦେଶରେ, ସବୁରାଜ୍ୟରେ ଘଟିଚାଲିଛି ।
  • ଏଠାରେ ଏକ ଆଖିଦେଖା ଉଦାହରଣ ଦେଉଛି – ବାପମା’ମାନେ ମଧ୍ୟ ରୋଜଗାରିଆ ପୁଅକୁ କର୍କଶ ବାକ୍ୟରେ ଆତ୍ମହତ୍ୟାର ରାସ୍ତା ଦେଖାଇଦିଅନ୍ତି । ଜଣେ ସୁଦର୍ଶନ ଯୁବକ ନିଜ ପିଉସୀଝିଅ – ଭଉଣୀ ହିସାବ ହେବ – ପ୍ରେମକଲା – ଦୁହେଁ ରାଜିରେ ବାହାହେବାକୁ ସ୍ଥିରକଲେ – ପୁଅର ମା’ ପୁଅକୁ ଅତ୍ୟନ୍ତ କଟୁଭାଷାରେ ଭର୍ତ୍ସନା କଲେ – ତୁ ଦଉଡିଦେଇ ମରୁନୁ । ଏଇ କର୍କଶବାଣୀ ଶୁଣି ସେ ପଳାଇଗଲା । ସେ ପିଲା ରାତିରେ ଫ୍ୟାନ୍‍ରେ ରସିଲଗାଇ ଆତ୍ମହତ୍ୟା କରିଦେଲା । ଆଉଥରେ ଜଣେ ଜ୍ଞାନୀ, ନିର୍ଭିକ ଶିକ୍ଷିତଯୁବକ ଅନ୍ୟଜାତିର ଝିଅକୁ ପ୍ରେମକରି ବାହାହେବାକୁ ଜିଦ୍‍ ଧରିଲା । ତା ମା’ ଅତ୍ୟନ୍ତ ରୁକ୍ଷ ଭାଷାରେ ଗାଳିଗୁଲଜ କରି କନିଅରମଞ୍ଜି ମିଳୁନି ତତେ – ବିଷଖାଇ କରିଯାଉନୁ । ପଲାଟି ଘରୁ ଦଉଡି ପଳାଇଗଲା । କନିଅର ଗଛରୁ କନିଅରମଞ୍ଜି ଆଣି ଖାଇଦେଲା । କିଛିକ୍ଷଣପରେ ସେ ପିଲା ମରିଗଲା । ଏଇଭଳି ହଜାରଏକ ଘଟଣା ପ୍ରତିଦିନ, ପ୍ରତିଘଣ୍ଟା, ପ୍ରତିମୁହୂର୍ତ୍ତରେ ଘଟୁଛି । ଆଜି ଆଉ ଦଉଡିଦେବା, କନିଅରମଞ୍ଜି ଖାଇ ମରିବା ସମୟ ସାପେକ୍ଷ । ଏବେ ଦୋକାନରେ ବିଷ ମିଳୁଛି । ସାଇନାସାଇଡ୍‍ ଅଛି । ଭାରତ ଏକ ବିଷରଭଣ୍ଡାର । ସେ ବିଷରୁ ଟୋପେ ପଡିଲେ – ଜୀବନ ଶେଷ । ସାଇନାସାଇଡ୍‍ ପାଟିରେ ଜାକିଦେଲେ କ୍ଷଣକେ ମୃତ୍ୟୁ ।
  • ବିଶେଷକରି ଗାଁଗହଳି ସହରବଜାରରେ ଯେଉଁମାନେ ସୁଧିଆରେ କରଜ ଆଣୁଛନ୍ତି – ଠିକ୍‍ ସମୟରେ ସୁଧମୂଳ ଦେଇନପାରିଲେ – କରଜଦାତାଙ୍କ ଗାଳି, ପୋଷାଗୁଣ୍ଡାଙ୍କ ଉତ୍ପାତ, ଅଭଦ୍ରଭାଷାରେ ଶୋଧାଶୋଧି ପାଇଁ ଅଧିକାଂଶ କରଜଗ୍ରହିତା ଆତ୍ମହତ୍ୟା କରିଦେବାର ଖବର ପ୍ରକାଶପାଉଛି । ପ୍ରେମରେ ବିଫଳହୋଇ ଆତ୍ମହତ୍ୟା ଘଟଣା ତ ପ୍ରତିଦିନ ଘଟୁଛି । ପ୍ରେମିକ କିମ୍ବା ପ୍ରେମିକାର ବିଫଳରେ କଟୁ କଥାବାର୍ତ୍ତା ମଧ୍ୟ ଆତ୍ମହତ୍ୟାରେ ପରିଣତ ହୁଏ । ଏବେ ଘଇତାଛଡା ମାଇପଛଡାଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଇଂଲଣ୍ଡ ରଜା ମାଇପ ଛାଡିଲା – ଯାହାକୁ ରାଣୀ କଲା – ସେ ଘଇତା ଛାଡିଥିଲା । ଏ ଖବର ଯେତେ ପ୍ରଚାରପ୍ରସାର ହେଉଛି – ସମଗ୍ରବିଶ୍ୱରେ ଏଇ ଘଇତାଛଡା ମାଇପଛଡା ଝଗଡା ଉଗ୍ରରୂପ ଧାରଣ କରୁଛି । ଏ କଳିକାଳରେ ଆଉ ମୁଘମ ବୋଲି କିଛିନାହିଁ । ଝଗଡାକଳି ଘରଭିତରୁ ଆସି ରାସ୍ତାରେ ପହଞ୍ଚି ଗଲାଣି ।

ଜଣେଜଣେ ଅଛନ୍ତି- ନାରୀ ହେଉ କି ପୁରୁଷ ହେଉ – ତାଙ୍କର ଅଭ୍ୟାସ କଣ୍ଟାବାଡରେ ଲୁଗାପକାଇ କଳିକରିବା । ଏଇ ଯେମିତି ଆମ୍ବଗଛ ଜଣଙ୍କ ବାଡିରେ – ଡାଳରେ ଫଳ ଓହଳିଛି ଅନ୍ୟଜଣଙ୍କ ବାଡିରେ । ଆମ୍ବ କାହାର ୟାକୁନେଇ ମାଡପିଟାପିଟି, ହଣାକଟାକଟି ମଧ୍ୟ ଦେଖାଯାଏ ।

ଯେମିତି ସୀମାବିବାଦ, ଜଳବିବାଦକୁନେଇ ଦୁଇଦେଶ ମଧ୍ୟରେ କଳିରୁ ଯୁଦ୍ଧଆଡକୁ ସୂତ୍ରପାତ ହୁଏ – ସେଇମିତି ଭାଇଭାଇର ପୈତୃକ ଜମିନେଇ ମଧ୍ୟ ହଣାକଟା ହୋଇଥାଏ । ସାମାନ୍ୟ ସାମାନ୍ୟ କଥାରୁ ପରିବାର ସଦସ୍ୟ, ବନ୍ଧୁବାନ୍ଧବ କି ଅତିଆପଣାର ମଣିଷଭିତରେ ଏଇ କର୍କଶକଥାରୁ ମନଅମିଳନ ହୋଇ ବହୁଦିନ ଏପରିକି ବର୍ଷବର୍ଷଧରି କଥାବାର୍ତ୍ତା – ମୁହଁ ଚୁଆଁଚୁଇଁ ହୁଅନ୍ତିନାହିଁ । ଏ କ୍ଷେତ୍ରରେ ଯିଏ ପ୍ରଥମେ କଥା କୁହେ – ସେ ହିଁ ମହାନ୍‍ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.