ମାୟାଧର ମିଜାଇଲ-22: ୨୦ଲକ୍ଷ ବଢିଲା ଝିଅବୋହୁ ଗଲେ କୁଆଡ଼େ?

0
  • //TATKAL ODISHA//
  • ୨୦ଲକ୍ଷ ବଢିଲା ଝିଅବୋହୁ ଗଲେ କୁଆଡେ ?
  • ମାୟାଧର ନାୟକ

ନଗଦାନଗଦି ଭାରତ ସରକାରଙ୍କ ଗୃହବିଭାଗ ପ୍ରକାଶ କରିଛନ୍ତି – “ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‍.ସି.ଆର୍‍.ବି) ତଥ୍ୟାନୁଯାୟୀ ୨୦୧୯ରୁ ୨୦୨୧ ମଧ୍ୟରେ ତେରଲକ୍ଷ ତେରହଜାର ଝିଅ ଓ ମହିଳା ନିଖୋଜ” । ବାକି ୨୦୨୨ ଓ ୨୩ ଦୁଇବର୍ଷରେ ପାଖାପାଖି ୭ଲକ୍ଷ ନିଖୋଜ । କୋଡିଏ ଲକ୍ଷ ଝିଅବୋହୁ ହଜିଯାଇଛନ୍ତି । ପତ୍ତା ମିଳୁନି । ଏମାନେ ଗଲେ କୁଆଡେ ? ଏହା ଭୟଙ୍କର ଦୁଃଖଦାୟକ, ହୃଦୟ ବିଦାରକ । ସରକାରୀ ସୂତ୍ରାନୁଯାୟୀ ୧୮ବର୍ଷରୁ ଉର୍ଦ୍ଧ ମହିଳାଙ୍କ ନିଖୋଜ ସଂଖ୍ୟା ୧୦ଲକ୍ଷ ୬୧ହଜାର ୬୪୮ ଏବଂ ୧୮ବର୍ଷରୁ କମ୍‍ ନାବାଳିକା ୨ ଲକ୍ଷ ୫୧ହଜାର ୪୩୦ ଗଲା ୨୦୧୯ରୁ ୨୦୨୧ ମଧ୍ୟରେ – ସେମାନଙ୍କ ପତ୍ତା ମିଳୁନି । ଏହାପଛରେ ଦେଶର ଏକ ବିରାଟ ଦଲାଲଗୋଷ୍ଠି କାମ କରୁଛନ୍ତି । ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇଛି ।
ଏ ବିଭତ୍ସ ଘଟଣା ଦ୍ୱାରା ନାରୀମାନଙ୍କ ସୁରକ୍ଷା, ଅଧିକାର, ମର୍ଯ୍ୟାଦା ଲୁଣ୍ଠିତ । ୨୦୧୯ରୁ ୨୦୨୧ କୋଭିଡ୍‍-୧୯ କରୋନା ସମୟରେ ଯେଉଁ ମହିଳାମାନେ ହଜିଗଲେ – ନିଖୋଜ ହୋଇଗଲେ – କିମ୍ବା ଏମାନଙ୍କୁ କିଏ ନେଇଗଲେ – ସେ ଖବର କୋଉ ରାଜ୍ୟସରକାରଙ୍କ ପାଖରେ ନାହିଁ । ଅର୍ଥନୈତିକ ଅସମାନତା, ଅଶିକ୍ଷା, ଅଭାବଅନାଟନରେ ଏଇ ହତଭାଗ୍ୟା ନାରୀମାନଙ୍କୁ ଦଳେ ନାରୀଶିକାରୀ ଶୋଷଣ କରିବାରେ ପଛେଇଲେ ନାହିଁ । ସରକାରୀ ଆଇନ୍‍ ସେମାନଙ୍କୁ ରକ୍ଷାକରିପାରିଲାନାହିଁ । ମହିଳାମାନଙ୍କ ଉପରେ ପାଶବିକ ଅତ୍ୟାଚାର, ଯୌନାଚାର ଦିନକୁଦିନ ବଢିଚାଲିଛି ।

  • ଏବେ ଭାରତବର୍ଷରେ ହଜାରେ ପାଖାପାଖି ଅଣସ୍ୱିକୃତୀପ୍ରାପ୍ତ, ବନ୍ୟବିକୃତ ଗୁଣ୍ଡାବାହିନୀ, ବର୍ବରବାହିନୀଙ୍କ ଅବର୍ଣ୍ଣନନୀୟ ଅତ୍ୟାଚାର ୨୦୨୩ ମେ’ ୪ ତାରିଖରେ ମଣିପୁରରେ ବଢିଲାଝିଅକୁ ଘରୁଟାଣିଆଣି ବିଚ୍‍ରାସ୍ତାରେ ଲଙ୍ଗଳାକରି ରାସ୍ତାରେ ଗୋଡେଇଗୋଡେଇ ବଳାତ୍କାର କରିବା ଘଟଣା କେବଳ ୧୪୨କୋଟି ୪୬ଲକ୍ଷ ଭାରତୀୟଙ୍କୁ ବ୍ୟଥା,ବେଦନା,ଘୃଣା,କ୍ଷୋଭ, ଅସନ୍ତୋଷ ଦେଇନି – ସାରାବିଶ୍ୱର ଆଠଶହକୋଟି ନରନାରୀଙ୍କ ମୁହଁର ରଙ୍ଗକୁ ଳଜ୍ଜାରୁଣ କରି କୁହୁଳାନିଆଁର ପାଉଁଶଗଦାରେ ପୋତିଦେଇଛି ।

ସଂପ୍ରତି ସମଗ୍ର ବିଶ୍ୱରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ସଂଖ୍ୟାଧିକ । ପୁରୁଷମାନେ କୌଣସି ନା କୌଣସି ନାରୀ – ତଥା ନିଜ ନିଜର ମାତୃଜରାୟୁରୁ ଜନ୍ମଗ୍ରହଣ କରିଛନ୍ତି । ସେଇ ନାରୀ ଆମ ଜନନୀ-ଭଗିନୀ-ଜାୟା-ଜୀବନସଂଗିନୀଠାରୁ ଆରମ୍ଭକରି କନ୍ୟାରତ୍ନ ରୂପେ ନାନାକଳ୍ପରେ ଉଦ୍ଭାସିତା । ମା’କୁ ଆମେ ମେଦିନୀତୁଲ୍ୟା ମଣିଆସିଛୁ ଆମ ସଂସ୍କୃତିରେ । ମାତା ସେ ମହାସ୍ୱର୍ଗାଦପି ଗରିୟସୀ – ନାରୀ ସେ ନବ୍ୟାଭବ୍ୟା ନାରାୟଣୀ । ମା’ ଜାତିଙ୍କୁ ସତ୍ୟଯୁଗର ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା, କାଳୀ, ପାର୍ବତୀ ରୂପରେ ତ୍ରେତୟାରେ ସୀତା, ଦ୍ୱାପରରେ ରାଧା ରୂପରେ କଳନାକଳ୍ପନା କରି ଏ ଘୋରକଳିକାଳ ଯୁଗ ଯାବତ ମନ୍ଦିରରେ, ମୂର୍ତ୍ତିରେ, ଏପରିକି ଫ୍ରେମ୍‍ବନ୍ଧା ଫଟୋଗୁଡିକରେ ସୁଦ୍ଧା ଫୁଲଚନ୍ଦନ ଦେଇ ପ୍ରତିଦିନ ପୂଜା କରିଆସୁଛେ ।

  • ତିନିଯୁଗର ମା’ମାନଙ୍କୁ ଯେପରି ବର୍ବର ଅସୁରବର୍ଗ ବଳାତ୍କାର, ଯୌନାଚାର, ହରଣଚାଳ କରି ସାଂସାରିକ ସଂନ୍ତ୍ରାସର ସୃଷ୍ଟିକର୍ତ୍ତା ସାଜି ସର୍ବସମ୍ମୁଖରେ ବିଜେ କରିଥିଲେ ବସ୍ତ୍ରହରଣକରି ବିଭତ୍ସ ଭୂମିକାରେ, ସେ ସମସ୍ତେ ଶେଷରେ ଧ୍ୱଂସ ପାଇଯାଇଛନ୍ତି ବିଦ୍ରୋହୀ ମାନବକୁଳର ବଜ୍ରବାହୁରେ – ଆଜି ଏ ଯୁଗରେ ସେଇ ବର୍ବର ଆଧୁନିକ ଅସୁରମାନେ ମଣିପୁରରେ ଘଟାଇଚାଲିଲେ ଏହି ଅଚିନ୍ତନୀୟ ଅପକର୍ମ ତଥା ବିଶ୍ୱଲଜ୍ଜାଦାୟକ ପ୍ରକାଣ୍ଡ ପାପକର୍ମ ।

ଏବେ ପ୍ରତିଦିନ ପ୍ରତିମୁହୂର୍ତ୍ତରେ ନାରୀର ଇଜ୍ଜତମହତ ହରଣ କରାଯାଉଛି ।

ଭାରତର ଗୋଟିଏ କୋଣରେ ମଣିପୁର ରାଜ୍ୟ । ପାହାଡ, ପର୍ବତ, ସମତଳ ଅଞ୍ଚଳରେ ଏ ଦୁଇ ସଂପ୍ରଦାୟ ମଧ୍ୟରେ ଦିନେ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଥିଲେ – ଆଜି ସେମାନେ ପରସ୍ପର ସହ ଶତ୍ରୁତା, ହଣାକଟାରେ ମାତିଛନ୍ତି । ମଣିପୁରକୁ କେବେଠୁ ଆସାମ୍‍ ରାଇଫଲ୍‍ ପାରାମିଲିଟାରୀବାହିନୀ ଜଗିରହିଛନ୍ତି । ୨୦୦୪ ଜୁଲାଇ ୧୫ରେ ୧୨ଜଣ ମା’ଭଉଣୀ ଲଙ୍ଗଳାହୋଇ ପ୍ଲାକାର୍ଡରେ ଲେଖି ସ୍ଲୋଗାନ ଦେଇଥିଲେ – “ଭାରତୀୟ ସୈନ୍ୟମାନେ ଆମକୁ ରେପ୍‍ କରିବେ କି ?” ହାଜତରେ ରେପ୍‍ କରି ୩୨ବର୍ଷୀୟା ମନୋରମାକୁ ମର୍ଡର କରିଦିଆଯାଇଥିଲା । ଦୋଷ ଥିଲା – ମନୋରମା ଥିଲେ ମହାବିଦ୍ରୋହିଣୀ – ତାଙ୍କୁ ଅମାନୁଷିକ ଅତ୍ୟାଚାରକରି ଏଭଳି ଅବିଚାରିତ ଭାବରେ ତଥା ବଣ୍ୟରୀତିରେ ହତ୍ୟାକରିବା ଘଟଣା ସାରାବିଶ୍ୱକୁ ସ୍ପବ୍ଧ କରିଦେଇଥିଲା ସେ ସମୟରେ ।

କେବଳ ଯେ ମଣିପୁର ଜଳୁଛି ତା’ ନୁହେଁ – ସାରାଦେଶରେ ଅଶାନ୍ତିଅସନ୍ତୋଷର ବହ୍ନି ବିଷ୍ଫୋରଣମୁଖୀ ହେବାରେ ଲାଗିଛି । ଏଇ କେତେଦିନ ହେଲା – କୁସ୍ତିଗୀର ଝିଅ ଦେହସାରା, ବିଶେଷକରି ସ୍ତନ ଓ ପେଟରେ ହାତଚଳାଇବାର ଅଭିଯୋଗ କୁସ୍ତିସଂସ୍ଥାର ଅଧ୍ୟକ୍ଷ ବ୍ରିଜ୍‍ଭୂଷଣଙ୍କ ନାଁରେ ଉଠିଆସିଲା । ସେ ବିଜେପିର ଲୋକସଭା ସଦସ୍ୟ । କୁସ୍ତିଗୀର ଯୁବକଯୁବତୀ ମାସମାସଧରି ଧାରଣା ଆନ୍ଦୋଳନ ଚଳାଇଲେ । ଏ ଜଘନ୍ୟ ଅଭିଯୋଗ ଉଠିଥିଲେ ବି ପ୍ରଧାନମନ୍ତ୍ରୀ ମୋଦିଜୀ, ଗୃହମନ୍ତ୍ରୀ ଅମିତ ଶାହାଜୀ ସାଂଘାତିକ ନିରବ ରହିଲେ । ଅଭିଯୁକ୍ତ ବ୍ରିଜ୍‍ଭୂଷଣ ଗିରଫ କରାଗଲେ କାଳେ ସରକାରଙ୍କ ମୁହଁ ପୋଡିଯିବ – ସେଥିପାଇଁ ଗାଲେଇଦେଲେ ଏଭଳି ଅଘଟଣଟାକୁ । ସେ ଝିଅଟି ଯଦି ଆମ ଘରର ହୋଇଥାନ୍ତା – ଆମେ କ’ଣ ଚୁପ୍‍ହୋଇ ବସିଥାନ୍ତେ ? ଆମେ କ’ଣ ସତରେ ଅମଣିଷ ହୋଇଗଲେ ?

କେବଳ କୁସ୍ତିଗୀରଙ୍କ ଘଟଣା ନୁହେଁ – ସାରାଦେଶରେ ନାରୀଜାତି ଉପରେ ଯେଉଁ ଯୌନାଚାର, ବ୍ୟଭିଚାରର ବର୍ବରତା ବଜାୟ ରହିଛି – ତାହା ଆମେ ଗଣମାଧ୍ୟମରେ ପ୍ରତିଦିନ ଦେଖୁଛେ, ଶୁଣୁଛେ । କାଁଭାଁ ପ୍ରତିବାଦ ହେଉଛି କେଉଁଠି କେଉଁଠି କେବଳ, ଖବରକାଗଜରେ ଖୋରାକ୍‍ ଜୁଟାଇବାକୁ ସିନା, ନହେଲେ ଅସଲ ପ୍ରତିକାରର ପର୍ବ ଆରମ୍ଭ ହେଉଛି କାହିଁ ପ୍ରକୃତରେ ? ପ୍ରତିବାଦର ପଟୁଆର ପୁଣି ଆୟୋଜିତ ହେଉଛି ଅଳ୍ପ କେତେକଙ୍କ ଦ୍ୱାରା । ଶେଷ ହୋଇଯାଉଛି ଯଥାଶୀଘ୍ର । ଆମେ ସବୁ ଚୁପ୍‍ଚାପ୍‍ । ହଁ – ଆମଘରେ ହୋଇନିତ ?

ଦ୍ରୌପଦୀଙ୍କ ବସ୍ତ୍ରହରଣବେଳେ କୁରୁସଭାରେ ସବୁ ମହାମହା ଜ୍ଞାନୀ, ପଣ୍ଡିତ, ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ପ୍ରମୂଖ, ଏପରିକି ପାଣ୍ଡବ ପାଞ୍ଚଭାଇ ଏ ଦରବାରୀ ସଭାରେ ମୌନ ରହିଥିଲେ – କେବଳ ଅନ୍ଧରାଜା ଧ୍ରୁତରାଷ୍ଟ୍ରଙ୍କୁ ବିଦୂର ପ୍ରଶ୍ନ ପଚାରିଥିଲେ । ଆଜି କେହିଜଣେ ବିଦୂର ନାହାଁନ୍ତି – ମଣିପୁର ବିଶ୍ୱଲଜ୍ୟା ସଂପର୍କରେ ଶାସକଙ୍କୁ ପଚାରିବାକୁ । ସମସ୍ତେ କ’ଣ ଅନ୍ଧ ପାଲଟିଗଲେ ! କଳିଯୁଗର ଏପରି ଏକ କରାଳ କାଳଖଣ୍ଡରେ ଦୁଷ୍ଟ ଦୁଃଶାସନମାନଙ୍କ ଦ୍ୱାରା, ଦିନ ଦ୍ୱିପହରରେ ନାରୀର ଇଜ୍ଜତ ହରଣ ହେଉଥିବାବେଳେ କେହି ରକ୍ଷାକରିବାକୁ ଆସୁନାହାଁନ୍ତି ।

ଏସବୁ ଯେଉଁ ବୀଭତ୍ସ ଘଟଣାମାନ ପ୍ରତିନିୟତ ଘଟିଯାଉଛି – ତା’ର ମୂଳକାରଣ ଆମର ପ୍ରତାରିତ ସମାଜ ବ୍ୟବସ୍ଥା । ମନେରଖିବାକୁ ହେବ – ନାରୀପ୍ରତି ଅତ୍ୟାଚାର, ଶୋଷଣ, ଦମନ, ଅପମାନ, ପୁରା ମାନବତା ପାଇଁ କଳଙ୍କ । ଇତିହାସ ବଡ ନିଷ୍ଠୁର । ସେ ନିଶ୍ଚୟ ଲିପିବଦ୍ଧ କରିଦେବ ଭାରତର ଏକ କୋଣରେ ମହିଳାଙ୍କୁ ଲଙ୍ଗଳା କରି ଗଣଯୌନାଚାର କରାଯାଇଥିଲା – ସେତେବେଳେ ସାରାଦେଶ, ସାରାବିଶ୍ୱ କେବଳ ଆରୋପ-ପ୍ରତ୍ୟାରୋପରେ ହିଁ ଶେଷ କରିଦେଇଥିଲେ ସମୟ ।

ଭାରତର ବର୍ତ୍ତମାନ ପୂତ୍ତିଗନ୍ଧମୟ ପୁ୍‍ଞ୍ଜିବାଦୀ ବ୍ୟବସ୍ଥା ଚାଲିଛି । ଏଠି ସମ୍ବିଧାନ, ଆଇନ୍‍କାନୁନ୍‍ ସବୁ ବେକାର । ସବୁ ସେଇ ଧନଦାନବ – କ୍ଷମତାପାଗଳ ଶାସକମାନଙ୍କର ଭୟଙ୍କର ଖେଳାଲୀଳା । ଏ ବ୍ୟବସ୍ଥା – କଳିକାଳର ଅନ୍ତିମ ଅକାଳ । ଏହାକୁ କେବଳ ବଦଳାଇବାକୁ ହେବନି – ସଂପୂର୍ଣ୍ଣ ଭାଙ୍ଗି ସମୁଦ୍ରରେ ଫିଙ୍ଗିଦେବାର ବେଳ ଆସିଛି । ପୁଣି ନୂଆଯୁଗ – ସତ୍ୟଯୁଗ ଆରମ୍ଭ ହେବ ଖୁବ୍‍ ଶୀଘ୍ର । ଏବେ ମଣିପୁରର ମହିଳାମାନଙ୍କୁ ଘେରି ନାଚକରୁଥିବା ମରଦମାନଙ୍କ ଭିଡ ଚାରିଆଡେ ଦେଖାଗଲାଣି । ଧରିନିଅନ୍ତୁ – ସେ ମହିଳାମାନେ ମଣିପୁରର ନୁହଁନ୍ତି – ସେମାନେ କୁକି ନୁହଁନ୍ତି – ସେମାନେ ଆଉ କିଛି ନୁହଁନ୍ତି – କେବଳ ନାରୀ । ଆମ ମା’ ଭଉଣୀ, ଝିଅ ।

ଯାହାସବୁ ଘଟୁଛି – ଘଟିଛି – ସେ କଥାସବୁ ଖବରକାଗଜ, ଟିଭିରେ ଶହେରୁ ଭାଗେ ଦେଖୁଛନ୍ତି ପଢୁଛନ୍ତି । କୌଣସି ଭାବାବେଗ ନାହିଁ । ନେପୋଲିୟନ୍‍ ବୋନାପାର୍ଟ କହିଥିଲେ – “ଦୃଷ୍ଟଲୋକଙ୍କ ହିଂସାର କାରଣରୁ ବିଶ୍ୱ ଯେତେ ପ୍ରଭାବିତ ହୋଇନଥାଏ, ବରଂ ଭଲଲୋକଙ୍କ ନିରବତାରୁ ଅଧିକ କ୍ଷତିଗ୍ରସ୍ତ ହୁଏ” । ଆଜି ମଣିପୁର ଦୁଃଖ ଦେଶର ଦୁଃଖଠାରୁ ବଳିଯାଇଛି । ଭାରତର ଗଣତନ୍ତ୍ର ଫମ୍ପା ଆବାଜରେ ପରିଣତ ହୋଇଗଲାଣି । ସାରାଦେଶରେ ରାଜନୈତିକ ଫାର୍ସ ଚାଲିଛି । ମାନବତା ଓ ନୈତିକତାର ଅଧଃପତନ ଘଟିଛି । ଏଇସବୁ ଦଘନ୍ୟ କାଣ୍ଡକାରଖାନା ପ୍ରତିଦିନ ଚାଲିଲେ – ଆମେ କ’ଣ ବିଶ୍ୱଗୁରୁ ହୋଇପାରିବା?

ଆମେ କ’ଣ ସତରେ ମଣିଷ ଜନ୍ମ ପାଇଛେ ? ବିପୁଳ ସଂଖ୍ୟକ ପୁରୁଷମାନଙ୍କ ଭିଡ ନାରୀମାନଙ୍କୁ ଧରିନେଉଥିଲେ । ଭିଡ ଭିତରେ ଘାତକମାନଙ୍କ ହାତ, ଝିଅବୋହୂଙ୍କ ବିଭିନ୍ନ ଅଙ୍ଗକୁ ଚିପାଚିପି ସହ ଦେହ ସହିତ ଖେଳୁଥିଲା । ସେମାନେ କାନ୍ଦୁଥିଲେ – ଚାତକମାନେ ଚାହିଁ ଚାହିଁ ନିଜ ଚାପା ହସ ନିଜେ ଚାଖୁଥିଲେ । ପାପ କେବେ ଫେରିଆସେନା – ପ୍ରାୟଶ୍ଚିତ କରିବାକୁ ହେବ ।

ଆପଣ ଯଦି ନାରୀମାନଙ୍କ ଉପରେ ଅତ୍ୟାଚାର, ଗଣବଳାତ୍କାର, ବ୍ୟଭିଚାର କଥା ଚାରିଆଡେ କହିବେ ନାହିଁ – ସେ ନାରୀମାନଙ୍କ ଦେହ ତ ଦେହ, ସବୁଦିନ ସକାଶେ ମନ ମଧ୍ୟ କାଳକାଳକୁ ବିବସ୍ତ୍ର ହୋଇ ରହିଯିବ । ଆପଣମାନେ ନିରବ ରହିଲେ – ଆପଣ ବି ସେଇ ଘାତକମାନଙ୍କ ସହ ସମାନ ହୋଇଯିବେ । ମଣିପୁରରେ ନାରୀମାନଙ୍କ ସେଇ ମାନସିକ ବିବସ୍ତ୍ରତା ଅନୁଭବ କରିପାରିବେନି – ସେମାନଙ୍କ ଆର୍ତ୍ତନାଦ ଶୁଣିପାରିବା ଭଳି ଅବସ୍ଥାରେ ଆଉ ନାହାଁନ୍ତି କୌଣସି ସତ୍‍ବିବେକୀ । କୋଉ ଦେଶରେ କୋଉ ନଦୀ ଅଛି – ମଣିପୁର ଓ ଦେଶର ଅନ୍ୟାନ୍ୟ ରାଜ୍ୟରେ ଘଟୁଥିବା ଏଭଳି ବର୍ବର ଯୌନବୀଭତ୍ସତାକୁ ଧୋଇଦେବ ? କୋଉ ଭଗବାନ ଦେଶରେ ଅଛନ୍ତି – ଏ ଜଘନ୍ୟ କାଣ୍ଡକୁ ଦେଖି ପ୍ରତିକାର କରିବେ ।

  • ମାୟାଧର ନାୟକ,ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.