ମାୟାଧର ମିଜାଇଲ-21: ଆମ ଭୋଟ୍ କ’ଣ ମାହାଳିଆ?

0
  • ମାୟାଧର ନାୟକ
  • //TATKAL ODISHA //

ଏଇ ଘୋର କଳିକାଳରେ ଆମେ ପୁରାଣ, ରାମାୟଣ, ମହାଭାରତ କାହାଣୀ କି ଦୋହରାଉଛୁ । ଯେହେତୁ ଯୁଗଯୁଗ ଧରି ଦେବଦେବୀ, ଠାକୁରଠାକୁରାଣୀ, ରାମରାବଣ, କୃଷ୍ଣକଂସ ଉପାଖ୍ୟାନ ଆମ ଭାରତୀୟ ଜନମାନସରେ ବସା ବାନ୍ଧିଯାଇଛି ।

ଆମେ କଥାକଥାକେ ରାମାୟଣ, ମହାଭାରତର କିଛିକିଛି ଗାଥାକୁ ଏବେବି ନଜିର ଦେବାରେ ଲାଗିଛୁ । ଲୋକେ ମଣିଷ ଦେହଧାରୀ ଶ୍ରୀରାମଚନ୍ଦ୍ର-ଶ୍ରୀକୃଷ୍ଣଙ୍କ ଲୀଳା ଯେମିତି ଦେଖୁଛନ୍ତି ସେଇ ମଣିଷ ଦେହଧାରୀ ରାବଣ-କଂସରାଜାଙ୍କ ଅତ୍ୟାଚାର ମଧ୍ୟ ଶୁଣୁଛନ୍ତି । ଏବେ କଳିକାଳ ଯୁଗରେ ୨୦୧୯ ନିର୍ବାଚନ ଏକ ଭୟଙ୍କର ରାଜନୀତୀକ କାଳବୈଶାଖୀ ସୃଷ୍ଟି କରିବାକୁ ଯାଉଛି । ଏ ମହାବାତ୍ୟାରେ କିଏ ଧ୍ୱଂସ ହେଇଯିବ, କିଏ ରହିବ ଏବେଠୁ କହିହେଉନି ।

  • ଏବେ ଖୋଲାଖୋଲି ଭାବେ ଦଳମାନେ ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେବାପାଇଁ ଭିତିରିଆ ଟଙ୍କା ନେବାଟା ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି । ଗୋଟେଗୋଟେ ଟିକେଟ୍‌ର ଦାମ୍ ୫ କୋଟିରୁ ୫୦ କୋଟି ଛୁଇଁଲାଣି । ଏସବୁ ଖବର ଖୋଲାଖୋଲି ଭାବେ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଲାଣି । ଅନୁମାନ କରନ୍ତୁ ଜଣେ ପ୍ରାର୍ଥୀ ଟିକେଟ୍ କିଣିବାରେ ଯଦି ୫ କୋଟିରୁ ୫୦ କୋଟି ପର୍ଯ୍ୟନ୍ତ ଦଳର ମୁଖିଆମାନଙ୍କୁ ଲାଂଚ ଦିଏ, ତା’ହେଲେ ସେ ପ୍ରାର୍ଥୀପତ୍ର ଦାଖଲ ଠାରୁ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଆହୁରି ୨୦ରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବାଧ୍ୟ । ଏ ଟଙ୍କା ତାଙ୍କର ପିତୃଅର୍ଜିତ ସଂପତି ନୁହେଁ, ଆମ ଭୋଟରମାନଙ୍କର ଟିକସରେ ଭର୍ତି ହୋଇଥିବା ବିପୁଳ ରାଜକୋଷର ବିତ । ବେପାରୀମାନେ ବିତମୁଣି ଧରି ପ୍ରାର୍ଥୀ କିଣିବାରେ ଲାଗିଛନ୍ତି । ବର୍ତମାନ ଯାହା ଜଣାପଡୁଛି ଦଳ ଓ ନେତାମାନଙ୍କ ହାତରେ ନିର୍ବାଚନର ଡୋରି ନାହିଁ । ଖଣିମାଫିଆ, କଳକାରଖାନା ମାଲିକ ଓ କୋଟିପତିଙ୍କ ହାତରେ ରିମୋଟ୍ କଂଟ୍ରୋଲ ରହିଛି । ସେମାନେ ଯାହା ଚାହିଁବେ କରଉଛନ୍ତି, ଦଳ ଓ ନେତାମାନଙ୍କୁ ସଖୀକଣ୍ଢେଇ ଭଳିଆ ନଚଉଛନ୍ତି, ଭୋଟରମାନଙ୍କୁ ଭକୁଆ ବନଉଛନ୍ତି । ଭୋଟରମାନଙ୍କୁ ଭିକାରି ବନାଇ କେଉଁଦିନଠାରୁ ହାତ ପତେଇବା ଅଭ୍ୟାସ ଶିଖେଇ ଦେଇଛନ୍ତି । ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି । ମାହାଳିଆ ଖାଇଖାଇ ଲୋକ ଅଳସୁଆ ହେଇଗଲେଣି, କାମଦାମ କରୁନାହାଁନ୍ତି । ଗରିବ ଠାରୁ ଥିଲାବାଲା ଲୋକେ ବି ହାତ ପତଉଛନ୍ତି । ରିଲିଫ୍ ଭଳି କିଛିକିଛି ପାଇଗଲେ – ନିର୍ବାଚନ ସମୟ ପର୍ଯ୍ୟନ୍ତ ସେମାନଙ୍କ ମୁଣ୍ଡ ଆଉ କାମ କରୁନାହିଁ ।

ସବୁ ଦଳ ଓ ନେତା ଲୋଭନୀୟ ପ୍ରତିଶ୍ରୃତିରେ ଭୋଟରଙ୍କ କାନ, ଆଖି ବନ୍ଦି କରିଦେଇଛନ୍ତି । ବିଭିନ୍ନ ଦଳପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ମେ’୨୩ ଭୋଟ୍ ଫଳ ପ୍ରକାଶ ଓ ପରବର୍ତୀ ୭ ଦିନ ପର୍ଯ୍ୟନ୍ତ ଦେଶରେ ଡିଜେଲ, ପେଟ୍ରୋଲ, ଦେଶୀବିଦେଶୀ ମଦ, ଗଞ୍ଜେଇ, ଅଫିମ, ଚରସ୍‌, ହିରୋଇନ୍‌ର ଭୀଷଣ କଳାବଜାରି ହେବ । ଦାମ୍ ମଧ୍ୟ ଆକାଶଛୁଆଁ ହେବ । ତା’ ସାଙ୍ଗକୁ ଛେଳି, ମେଣ୍ଢା, କୁକୁଡା, ବତକ, ଘୁଷୁରୀ, ଗାଈଗୋରୁ, ମଇଁଷିମାନଙ୍କ ଭାଗ୍ୟ ଖରାପ । କେତେ ଯେ ବଳିପଡିବେ, ହଣାହେବେ – ତାହା କହିହେବନି । ସବୁ ଦଳ ନିଜନିଜ ନିର୍ବାଚନୀ ଇସ୍ତାହାରରେ ଏଥର ପାହାଡପ୍ରମାଣ ମିଥ୍ୟା ପ୍ରତିଶ୍ରୃତି ଓଜାଡି ଦେଲେଣି । କିଏ କହୁଛି ଆମକୁ ଭୋଟ୍ ଦେଲେ ସାଙ୍ଗେସାଙ୍ଗେ ଟଙ୍କାରେ ତମ ଘର ପୋତିଦେବୁ, ଆଉ କିଏ କହୁଛି – ତମ ଗାଁରେ ବ୍ରିଜ୍ ନଥିଲେ ବ୍ରିଜ୍ କରିଦେବୁ । ଜଣେ ଯଦି ପଚାରେ ଆମ ଗାଁରେ ତ ନଈ ନାହିଁ ବ୍ରିଜ୍ କ’ଣ ହେବ? ପ୍ରାର୍ଥୀ କହୁଛନ୍ତି – ତମ ଗାଁରେ ନଈ ଖୋଳିଦେଇ ବ୍ରିଜ୍ କରିଦେବୁ । ଆଉ କିଏ କହୁଛି – ଆମେ ବନ୍ୟା ସୃଷ୍ଟି କରି ରିଲିଫ୍ ଦେବୁ । ଯଦି ବନ୍ୟା ନହେବ, ତା’ହେଲେ ମରୁଡି କରାଇଦେଇ ଟଙ୍କା ଓଜାଡି ପକାଇବୁ । ତା’ପରେ ଏ ବୈଜ୍ଞାନିକ ଯୁଗରେ ଅତ୍ୟାଧୁନିକ ପ୍ରଚାର ସିନେମା ଭଳି ଦେଖାଯାଉଛି । କିଏ ବୋମ୍ୟଯାନରେ ଆସି ତଳକୁ ଓହ୍ଲାଇଲାଣି ତ କିଏ ବୁଲେଟ୍‌ପ୍ରୁଫ୍ କାର୍‌, ବସରେ ପ୍ରଚାର କଲାଣି । ଭୋଟ୍ କେତେଦିନ ଏ ଭୟଙ୍କର ମିଛ ନାଟକ ଟେଲିଭିଜନ ପରଦାରେ ଦେଖି ଗଦାଗଦା ଖବରକାଗଜରୁ ପଢି ଭୋଟରଙ୍କ ଆଖିକାନ ଭୟଙ୍କର ଭାବେ ଆଗକୁ ଅକାମୀ ହୋଇଯିବ । ସତେ କ’ଣ ଭୋଟ୍ ଆମପାଇଁ କାଳ ହୋଇଯିବ? ବହୁବର୍ଷ ଧର ମିଛ ପ୍ରତିଶ୍ରୁତିର ବୈତରଣୀରେ ଭୋଟର ଭାଇଭଉଣୀମାନେ ପହଁରୁଛନ୍ତି । ଭୋଟ୍ ସରିଗଲାପରେ ପ୍ରକୃତ ଦେଶର ମାଲିକ ଜନଗଣ ଶୁଖିଲାରେ ପଡିରହିବେ, ପ୍ରତିଶ୍ରୃତି ପ୍ରତାରଣାରେ ପରିଣତ ହେବ, ପୁଣି ଚାଲିବ ସେଇ କରାଳକଂସ-ରାବଣରାଜ । ଲୋକ ତ୍ରାହି ତ୍ରାହି ଡାକିବେ, ସେତେବେଳକୁ ପାଖରେ ଏଇ ନେତାମାନେ, ଦଳମାନେ ଥିବେ ତ?

  • ଏକଦା କଂସନଗରୀ ଧନସଂପତିରେ ଥିଲା ଭରପୂର । ପ୍ରଜାମାନଙ୍କୁ କଂସ କିଛିକିଛି ରିଲିଫ୍ ଦେଉଥିଲେ । ପ୍ରଜାମାନେ କଂସରାଜାଙ୍କ ଜୟଗାନ କରୁଥିଲେ । ଧୀରେଧୀରେ କଂସଙ୍କ ମନ୍ତ୍ରୀ, ଗୁମାସ୍ତା, କଟୁଆଳ, କର୍ମଚାରୀମାନେ ରଜାଙ୍କ ନାଁରେ ରାଜ୍ୟର ଧନସଂପତିକୁ ହଡପ୍ କରିନେଲେ । ଧୀରେଧୀରେ ପ୍ରଜାଙ୍କୁ ମିଳୁଥିବା ସୁବିଧାସୁଯୋଗ ବନ୍ଦ ହୋଇଗଲା । ପ୍ରଜାମାନଙ୍କ ଭିତରେ ପ୍ରବଳ ଘୃଣା, ଅସନ୍ତୋଷ, ବିଷୋଦଗାର… କଂସ ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଗନପବନ ପ୍ରକମ୍ପିତ । ଏମନ୍ତ ଖବର ପାଇ କଂସଙ୍କ ଶ୍ୱଶୁର ଜରାସନ୍ଧ କିଛି ମୁଖିଆଙ୍କୁ ଡାକି ସତ୍ୟାସତ୍ୟ ଜାଣିବାପାଇଁ ଏକ ଗୁଇନ୍ଦା ବିଭାଗକୁ ରାଜ୍ୟସାରା ବୁଲାଇଲେ । ଗୁଇନ୍ଦାମାନେ ଆସି ରିପୋର୍ଟ ଦେଲେ ଘଟଣା ସତ୍ୟ । ପ୍ରଜାଙ୍କ ଘୃଣା ଚରମସୀମାରେ ପହଂଚିଲାଣି । ଯେକୌଣସି ମୁହୂର୍ତରେ ରାଜ୍ୟରେ ବିଦ୍ରୋହ ସୃଷ୍ଟି ହେବ । ଏଇ ବିଦ୍ରୋହର ନେତୃତ୍ୱ ନେବ ଯିଏ, ଗୋପରେ ବଢୁଛି ସିଏ । ଜରାସନ୍ଧ କହିଲେ – ତାହାର ଉପାୟ କ’ଣ? ମନ୍ତ୍ରଣା ହେଲା ରାଜ୍ୟର ସମସ୍ତିଙ୍କୁ ଚୋର, ଡକାୟତ, ଦୁର୍ନୀତିଖୋର, ନାରୀଧର୍ଷଣକାରୀ, ନିଶାଖୋରେ କରେଇଦେଇପାରିଲେ, କେହି ଆଉ ବିଦ୍ରୋହ କରିବେନାହିଁ । ନିଷ୍ପତି କାର୍ଯ୍ୟକାରୀ ହେବାରେ ଲାଗିଲା । କଂସ ଶ୍ୱଶୁର ଜରାସନ୍ଧଙ୍କ କଥାଶୁଣି ଭୟରେ ଜଡସଡ ହୋଇଗଲେ । ରାଜ୍ୟରେ ଥିବା ସଚ୍ଚା ଭଲମଣିଷମାନଙ୍କୁ କିଭଳି ଭାବେ ହଟାଯିବ ଯୋଜନାକଲେ । ଦଇବବାଣୀ ‘କଂସକୁ ମାରିବ ଯିଏ, ଗୋପରେ ବଢୁଛି ସିଏ’ ଶୁଣି ନିଜ ଭଉଣୀ ଦେବକୀ ଗର୍ଭ ନଷ୍ଟ କରିବାରେ ଲାଗିପଡିଲେ । କଂସରାଜାର ଅତ୍ୟାଚାରରେ ଚାରିଆଡେ ‘ରକ୍ଷାକର-ରକ୍ଷାକର’ ରଡି ଶୁଭିଲା । ଶେଷରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବରେ କଂସ ମଂଚାରୁ ପଡି ମର୍ମନ୍ତୁଦ ମୃତ୍ୟୁବରଣ କଲେ ।

ଏବେ ଭାରତରେ ବିଭିନ୍ନ ରାଜ୍ୟରେ ଶାସନ କରୁଥିବା ଦଳ ଓ ନେତାମାନେ ନିଜ ଆୟତରେ ନାହାଁନ୍ତି । ଦଳ, ନେତାମାନଙ୍କର କୌଣସି ନୀତି, ଆଦର୍ଶ ନାହିଁ । ଦଳ, ନେତାମାନେ କର୍ମୀମାନଙ୍କୁ ଏଭଳି ନିଶା ଚଖେଇ ଦେଇଛନ୍ତି ଯେ ସେମାନେ ରାଜକୋଷ ଲୁଣ୍ଠନ ଛଡା ଆଉକିଛି ଜାଣନ୍ତିନାହିଁ । ଫଳରେ ପ୍ରତ୍ୟେକ ରାଜ୍ୟରେ ଭୋଟରମାନେ ଭୟଙ୍କର ଭାବେ ଅଶାନ୍ତି, ଅସନ୍ତୋଷରେ କୁହୁଳିଛନ୍ତି । କେତେବେଳେ ବିଷ୍ଫୋରଣ ହେବ କହିହେବନି । ଏ ଅସନ୍ତୋଷର ଝଡରୁ ରକ୍ଷା ପାଇବାପାଇଁ ଜରାସନ୍ଧଙ୍କ ବୁଦ୍ଧି ଆପଣେଇଲେଣି । ସମସ୍ତଙ୍କୁ ଟଙ୍କା, ମଦ, ମାଂସ ଲୋଭରେ ବୁଡେଇଦିଅ । ସେମାନେ ପାଗଳଙ୍କ ଭଳି ଦଳପ୍ରାର୍ଥୀଙ୍କ ପଛରେ ଗୋଡେଇବେ । ବିଭିନ୍ନ ରାଜ୍ୟରେ ମୁଖିଆମାନଙ୍କ ବୟସ ଅତିକ୍ରାନ୍ତ ହୋଇଗଲାଣି । ସେମାନଙ୍କୁ ବିଭିନ୍ନ ରୋଗ ମାଡିଆସିଲାଣି । ସେମାନଙ୍କର ଦଳପ୍ରତି ଅକ୍ତିଆର ରହୁନାହିଁ, କିନ୍ତୁ ସେହି ମୁଖାକୁ ରଖି ତଳେ କେତେକ ଧ୍ରୃତ ଅଫିସର ଆଉ କୁଚକ୍ରୀ ନେତା ବିରାଟ ଷଡଯନ୍ତ୍ର ଆରମ୍ଭ କରିଦେଇଛନ୍ତି । ମୁଖିଆଙ୍କୁ ଗୃହବନ୍ଦୀ କରି ସି.ବି.ଆଇ.ର ଭୟ ଦେଖାଇ ମୁଣ୍ଡକୁ ପାଗଳ କରିଦେଉଛନ୍ତି । ଏବେବି ବିଭିନ୍ନ ରାଜ୍ୟର ବହୁ ମୁଖିଆ ଜେଲରେ ଶଢୁଛନ୍ତି । ଆଉ ଯେଉଁ ରାଜ୍ୟରେ ମୁଖିଆ ମାନଙ୍କ ନାଁରେ ଭୋଟ୍ ଅଛି ସେମାନଙ୍କୁ ମଧ୍ୟ ସି.ବି.ଆ.ଇ. ଭୟ, ଜେଲ୍ ଯିବା ଭୟ ଦେଖାଉଛନ୍ତି । ମୁଖିଆମାନେ ଛାନିଆ ହୋଇ ଜେଲ୍ ଯନ୍ତ୍ରଣା ମୃତ୍ୟୁ ସଂଗେ ସମାନ ବୋଲି ଧରିନେଲେଣି । ଏଥିରୁ ନିସ୍ତାର ପାଇବାପାଇଁ ମୁଖିଆଙ୍କୁ କୁହାଯାଉଛି ଆମେ ଯେତେ ଚୋର, ଡକାୟତ, ରାଜକୋଷ ଲୁଣ୍ଠନକାରୀ, ଆମ ସମସ୍ତଙ୍କୁ ଟିକେଟ୍ ଦେଇଦେଲେ ଶାନ୍ତିରେ ନିଶ୍ୱାସ ନେଇପାରିବେ ଆପଣ । ‘ତୁ ତ ମୁତୁରି, ମୁଁ ତ ମୁତୁରି, ହେଁସ କାହିଁପାହିଁ ଧୋଇବା’? ହେଲେ ସମୟ ରଖେଇ ଦେଲେ ତ?

ଏମନ୍ତ ଫନ୍ଦିଫିକର ଭିତରେ ରାଜ୍ୟ ନିର୍ବାଚନ ଆରମ୍ଭ ହୋଇଯାଇଥିବାରୁ କର୍ମୀମାନେ ମତୁଆଲା ହୋଇଉଠିଲେଣି । କିଏ କେତେ ଟଙ୍କା, ମଦ, ମାଂସ ଆପଣେଇପାରିବ ଏବେଠୁ ତୁମୁଳ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଏଥର ନିର୍ବାଚନ ଆରମ୍ଭ ନହେଉଣୁ ହଣାକଟା ଆରମ୍ଭ ହେଲାଣି । ଭୋଟ୍ ଶେଷରେ କେତେ ଯେ ମୁଣ୍ଡ ଗଡିବ କହିହେଉନି । ଟଙ୍କା, ମଦ, ମାଂସ ପାଇଁ ଏମିତି ଗଣ୍ଡଗୋଳ ଲାଗିଯିବ ଯେ ଯଦୁବଂଶ ଭଳି ହଣାକଟା ହୋଇ ବଂଶ ବୁଡିଯିବ !

  • ଭୋଟର କିନ୍ତୁ ଚୁପ୍‌ଚାପ୍ ସବୁ ଦେଖୁଛନ୍ତି । ସେମାନେ କିନ୍ତୁ କହିବାକୁ ଆରମ୍ଭ କଲେଣି – ପ୍ରାର୍ଥୀମାନେ କୋଟିକୋଟି ଟଙ୍କା ଦେଇ ଟିକେଟ୍ କିଣୁଛନ୍ତି, କୋଟିକୋଟି ଟଙ୍କା ଖର୍ଚ୍ଚ କରି ଜିତିଆସି ସରକାର କଲେ ସେମାନେ ଖଣି, ପାଣି, ଜମି, ଜଙ୍ଗଲ, ଚାଷବାସ ସବୁ ଗିଳିଦେବେ । ଆମେ ଚାଷିକୁଳ, ଶ୍ରମିକକୁଳ, ସାଧାରଣ ଲୋକେ ଯୋଉ ହନ୍ତସନ୍ତକୁ ସେଇ ହନ୍ତସନ୍ତ ଅବସ୍ଥାରେ ଛଟପଟ ହେବା, ଏହା ଧ୍ରୃବ ସତ୍ୟ । ପ୍ରାର୍ଥୀମାନେ ଯଦି ଟିକେଟ୍ କିଣୁଛନ୍ତି, ସେମାନେ ବି ଭୋଟ୍ କିଣିବେ, ତା’ହେଲେ ଆମେ ଭୋଟରମାନେ ଭୋଟ୍ ଖଣ୍ଡିକୁ ୧୦ହଜାର ଟଙ୍କା କାହିଁକି ନ ନବା! ଯାହାଘରେ ୧୦ ଖଣ୍ଡ ଭୋଟ୍ ଅଛି, ସିଏ ଲକ୍ଷେ ଟଙ୍କା ଡିମାଣ୍ଡ କରୁ । ଭରତୀୟ ଭୋଟର ମାନସିକତା ବର୍ତମାନ ଦଳ ଓ ନେତାମାନଙ୍କ ପ୍ରତି ବିଦ୍ରୋହି, ସେଥିପାଇଁ ଭୋଟ ଖଣ୍ଡିକୁ ଏବେ ୧୦ହଜାର ମୁଲଚାଲ ହେବବୋଲି ଚା’ଦୋକାନ ଗୁଡାକରେ ଚର୍ଚ୍ଚା । ଠିକ୍ ଅଛି, ଭୋଟ୍ ପାଇଁ ଗୋପନୀୟ ଦର ଧାର୍ଯ୍ୟ ହେଉ – ମନା ନାହିଁ । ହେଲେ ଅସଲ ବେଳକୁ ଭୋଟ୍ ଆସିଗଲେ – ନିଜ ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ବୁଦ୍ଧି-ବିବେକକୁ ପଚାରି ବିଚାରି ଭୋଟ୍ ଦିଅନ୍ତୁ । ଯଦି ଜଣେ ବି କେହି ମନପସନ୍ଦ ପ୍ରାର୍ଥୀ ନାହାଁନ୍ତି ‘ନୋଟା’ରେ ସୁଇଚ୍ ଟିପି କାମ ଫତେ କରନ୍ତୁ । କାରଣ ଭୋଟ୍ ପରେ ଏ ପ୍ରାର୍ଥୀମାନଙ୍କର ଆଉ ଦେଖାମିଳିବନି । ଆମେ ପୁଣି ଆଉ ୫ବର୍ଷ ଜଳକା ହୋଇ ଚାହିଁରହିଥିବା । ଅବଶ୍ୟ ଆମେ ସଚେତନ ଭୋଟରମାନେ ରାସ୍ତାଘାଟ, ଅଫିସଦପ୍ତର, ଖଣିଖାଦାନ, ଜଙ୍ଗଲ ଭିତରେ ରାଜକୋଷ-ଲୁଟେରା ଓ ଦେଶଦ୍ରୋହୀମାନଙ୍କୁ ଗୋଡେଇଗୋଡେଇ, ବାଡେଇବାଡେଇ ସାବାଡ୍ କରିଦେବାର ସମୟ ଆସିଗଲାଣି । ସେମାନଙ୍କୁ ସାବାଡ୍ କରିବା ଦେଶପ୍ରେମୀର କାମ ।
  • ମାୟାଧର ନାୟକ ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.