ମାୟାଧର ମିଜାଇଲ-13: ‘ନୀଳପୋଖରୀକୁ ପ୍ରବେଶପତ୍ର’

0

//TATKAL ODISHA //

  • ନୀଳପୋଖରୀକୁ ପ୍ରବେଶପତ୍ର
  • ମାୟାଧର ନାୟକ

ପାଶ୍ଚାତ୍ୟ ଦେଶମାନଙ୍କରେ ସବୁ ଅଜବ ଘଟଣା ଘଟିଥାଏ । ୭୦ବର୍ଷ ପରେ ବ୍ରିଟେନ୍‍ରେ ୭୪ ବର୍ଷୀୟ ଚାର୍ଲସଙ୍କ ରାଜାଭିଷେକ ହେଲା । ଏବେବି ବ୍ରିଟେନ୍‍ରେ ରାଜାରାଣୀ ପ୍ରଥା ଅଛି । ଏହି ଚାର୍ଲସ ସୁନ୍ଦରୀଡାଏନାଙ୍କୁ ବିବାହକରି ଦୁଇଟି ପୁତ୍ର ଜନ୍ମ ହେବାପରେ ଛାଡପତ୍ର ଦେଇଛନ୍ତି । ତାଙ୍କର ପୁରୁଣା ପ୍ରେମିକା ପାମେଲାଙ୍କୁ ବିବାହ କରିଥିଲେ । ସେହି ପାମେଲା ଏବେ ବ୍ରିଟେନର ମହାରାଣୀ । ଏହାର ପ୍ରଭାବ ସାରା ବିଶ୍ୱରେ ପଡିଛି ।

ବିଦେଶରେ ଛାଡପତ୍ର ଏକ ମାମୁଲି ଘଟଣା । ବ୍ରିଟେନ୍‍ର ରାଜା ଚାର୍ଲସ (୩ୟ) ମାଇପଛଡାକୁ ରାଣୀ ପାମିଲା ଘଇତାଛଡା । ଏମାନେ ପୁଣି ବ୍ରିଟିଶ୍‍ ଭଳି ସଭ୍ୟଦେଶରେ ରଜାରାଣୀ । ଏମାନଙ୍କୁ ବିଶ୍ୱର ସବୁଦେଶ ସମ୍ମାନ ଦେଉଛନ୍ତି । ରାଜତନ୍ତ୍ର କେବେଠୁ ସମାଧି ନେଲାଣି – ଏବେବି କେତେକ ଦେଶ ରାଜତନ୍ତ୍ରକୁ ଗଳାରମାଳିକରି ବୁଲୁଛନ୍ତି । ତୈଳ ସମ୍ପଦ ଥିବା ମଧ୍ୟ ପ୍ରାଚ୍ୟର ୮ଟି ଦେଶର ରାଜାମାନେ ସାମ୍ବିଧାନିକ କ୍ଷମତା ଉପଭୋଗ କରୁଛନ୍ତି । ବେଳେବେଳେ ରାଜାମାନେ ବେଶି ଉତ୍‍ପାତ ହେଲେ ସେମାନଙ୍କ ମୁଣ୍ଡ ମଧ୍ୟ ଗଡିଯାଉଛି । କ୍ଷମତା ପାଇଁ ଆମ ଦେଶ ସମେତ ବହୁଦେଶରେ ନିଜ ପରିବାର ଭିତରୁ ଓ ବାହାରୁ ରାଜାମାନଙ୍କୁ ଗାଦିଚ୍ୟୁତ କରାଯାଇଛି । ସ୍ଥଳବିଶେଷରେ ହତ୍ୟା ମଧ୍ୟ କରାଯାଇଥିବାର ଘଟଣା ଘଟିଛି । ରାଜାରାଣୀମାନଙ୍କ ଅଜବ କାହାଣୀ ଆମେସବୁ ପଢିଛେ । ସେମାନଙ୍କ ହଜାରେଖରାପଗୁଣ, ବ୍ୟଭିଚାର, ଅତ୍ୟାଚାର, ଶୋଷଣ, କଷଣ, ପର ଝିଅବୋହୁଠୁ ଆରମ୍ଭକରି ପରଧନ ହରଣ ସବୁକିଛି କରୁଥିଲେ ବି କିଛିଲୋକ ରାଜାରାଣୀଙ୍କ ପ୍ରଶଂସାରେ ଶତମୁଖ । ଆମେ ଏକବିଂଶ ଶତାଦ୍ଦୀରେ ପହଞ୍ôଚଗଲେଣି – ତଥାପି ଆମର ଗୋଲାମୀତନ୍ତ୍ର ଗଲାନି ।

ରାଜାରାଣୀମାନଙ୍କ ଅଜବ କାହାଣୀ ଆମେସବୁ ପଢିଛେ । ସେମାନଙ୍କ ହଜାରେଖରାପଗୁଣ, ବ୍ୟଭିଚାର, ଅତ୍ୟାଚାର, ଶୋଷଣ, କଷଣ, ପର ଝିଅବୋହୁଠୁ ଆରମ୍ଭକରି ପରଧନ ହରଣ ସବୁକିଛି କରୁଥିଲେ ବି କିଛିଲୋକ ରାଜାରାଣୀଙ୍କ ପ୍ରଶଂସାରେ ଶତମୁଖ

ଏଇ ଓଡିଶାରେ ଏପରିକି ସମଗ୍ର ଦେଶରେ ମୁର୍ଖଠାରୁ ଶିକ୍ଷିତପର୍ଯ୍ୟନ୍ତ ତଳପାହ୍ୟାରୁ ଉପରପାହ୍ୟା ପର୍ଯ୍ୟନ୍ତ ଛାଡପତ୍ର ଘଟଣା କାଁଭାଁ ଶୁଣାଯାଉଥିଲା । ଛାଡପତ୍ର ହେଲେ ସ୍ୱାମୀ-ସ୍ତ୍ରୀଙ୍କୁ ପୁନଶ୍ଚ ମିଳାମିଶା କରି ସଂସାରଗଢିବାପାଇଁ କୋର୍ଟ ଛ’ ମାସରୁ ଦେଢବର୍ଷ ପର୍ଯ୍ୟନ୍ତ ସମୟ ଗଡେଇଚାଲୁଥିଲେ । ଏବେ ସୁପ୍ରିମ୍‍କୋର୍ଟ ତାଙ୍କ ରାୟରେ କହିଦେଲେ – ୧୪୨ ଧାରା ଲାଗୁକରି ଛାଡପତ୍ର ବେଶି ସମୟ ନଗଡେଇ ସଂଗେ ସଂଗେ ଫଇସଲା ହୋଇଯିବ । ଆମେ ସମ୍ବାଦପତ୍ରମାନଙ୍କରେ ପ୍ରାୟ ପଢୁଛେ ଗାଁଗହଳି, ସହରବଜାରର ନିର୍ଯାତିତା ନାରୀ ଓ ନିର୍ଯାତିତ ପୁରୁଷ ଅଭିଯୋଗ ଦରଖାସ୍ତମାନ ଥାନାଠାରୁ ଆରମ୍ଭକରି ଜିଲ୍ଲାର ମୁଖ୍ୟମାନଙ୍କୁ ଦେଇଥାନ୍ତି । କୋର୍ଟକଚେରୀରେ ମଧ୍ୟ ମକଦ୍ଦମା ହୋଇଥାଏ ।

ଏସବୁ ଖବରର ବିବରଣୀ ଆମେ ତ ପ୍ରତିନିୟତ ଦେଖୁଛେ, ଶୁଣୁଛେ, ପଢୁଛେ । କେବଳ ଓଡିଶା ନୁହେଁ ଭାରତର ଗାଁଗହଳିରେ ଜଣେ ଜଣେ ନାରୀ ଦୁଇତିନି ଜଣ ସ୍ୱାମୀଙ୍କୁ ଛାଡି ଚତୁର୍ଥ ସ୍ୱାମୀଙ୍କୁ ବିବାହ କରୁଛନ୍ତି । ସେଇଭଳି କିଛି ପୁରୁଷ ଦୁଇତିନି ଜଣ ପତ୍ନୀ ମଧ୍ୟ ଗ୍ରହଣ କରନ୍ତି । ସେ ପତ୍ନୀ ହେଉ କି ପତି ହେଉ ଏମାନେ ସେ ସଜନୂଆ ପୁଅଝିଅଙ୍କୁ ବାହାହୁଅନ୍ତି ତାହା ନୁହେଁ – କିଏ ସ୍ୱାମୀ ଛଡା ତ କିଏ ପତ୍ନୀଛଡା । ରଜାମାନେ ଶହେ ପର୍ଯ୍ୟନ୍ତ ବାହାହେଉଥିଲେ । ଏ କଳିଯୁଗରେ ମଧ୍ୟ ବହୁଦେଶର ବଡ ବଡ ନେତାମାନେ ଦି’ଚାରିଟା ଲେଖାଏଁ ବାହାହୋଇପଡୁଛନ୍ତି । ଆମେ ସତ୍ୟ, ତ୍ରେତୟା, ଦ୍ୱାପରଯୁଗ ପାରହୋଇ କଳିଯୁଗର ଶେଷମୁହୂର୍ତ୍ତରେ ପହଞ୍ଚିଗଲେଣି । ଏଇ କଳିଯୁଗରେ ବିଭିନ୍ନ ଦେଶରେ ଆଇନ୍‍କାନୁନ, ସମ୍ବିଧାନ ରହିଛି । ତାକୁ ଲୋକେ ମାନିଲେ ସିନା ହେବ ! ଏବେ ଆଉ ଏକ ଘଟଣା ଘଟିଚାଲିଛି, ତା’ ହେଲା – ନାରୀ ନାରୀକୁ ବାହାହେବେ, ପୁରୁଷ ପୁରୁଷକୁ ବାହାହେବେ । ଏ ସବୁକୁ ଆଇନ୍‍ରେ ପରିଣତ କରିବାପାଇଁ କୋର୍ଟକଚେରୀସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ବି ବିଚାର ଚାଲିଛି ।

ଏସବୁ ଘଟଣାରୁ ନରନାରୀମାନେ କି ଶିକ୍ଷା ନେଉଛନ୍ତି ? ଗାଁଗହଳିସହରବଜାରରେ ଲୁଚାଛପାରେ ସିନା ଏ କାର୍ଯ୍ୟ ହେଉଥିଲା – ପଦାକୁ ବେଶି ବାହାରୁନଥିଲା । ଏବେ ଖୁଲମଖୁଲ୍ଲା ଜାକଜକମରେ ଏସବୁ ଘଟିଚାଲିଛି । ବିଦେଶୀସଂସ୍କୃତିକୁ ଆମ ଭାରତୀୟମାନେ ଜଲଦି ଆପଣେଇ ନେଉଛନ୍ତି । ଆପଣାସଂସ୍କୃତିକୁ କେହି ମାନୁନାହାଁନ୍ତି । ଯାହାଫଳରେ ସମାଜରେ ନିଶାସେବନ, ଯୌନବ୍ୟଭିଚାର, ସାମାଜିକ, ସାଂସ୍କୃତିକଅବକ୍ଷୟ, ଅର୍ଥନୈତିକ ଆତଙ୍କବାଦ, ରାଜନୈତକଅଧପତନ ଦ୍ରୁତଗତିରେ ଧ୍ୱଂସଆଡକୁ ମୁହାଁଉଛି । ଭୋକ-ରୋଗ ପୃଥିବୀକୁ ଗ୍ରାସ କରିଗଲାଣି । ପ୍ରାକୃତିକ ଓ ମନୁଷ୍ୟକୃତ ବିପଦ ପ୍ରତିମୁହୂର୍ତ୍ତରେ ଲାଗିରହିଛି । ଧର୍ମ ଧର୍ମ ଭିତରେ, ଜାତି ଜାତି ଭିତରେ ଘୃଣା ସୃଷ୍ଟି ହେଉଥିବାରୁ ହଣାକଟା ଠାରୁ ଆରମ୍ଭକରି ପୋଡାପୋଡି ଏପରିକି ଯୁଦ୍ଧ ଓ ଗୃହଯୁଦ୍ଧ ଲାଗିଯାଉଛି । ଫଳରେ ଏ ବିଶ୍ୱର ମାନବଜାତି କଠିନ ପରିଶ୍ରମ କରି ଯେଉଁସବୁ ସମ୍ପଦ ବର୍ଷ ବର୍ଷ ଧରି ସୃଷ୍ଟିକରିଥିଲେ ସେସବୁ ଆଖିପିଛୁଳାକେ ଧ୍ୱଂସହୋଇ ଶ୍ମଶାନଭୂମିରେ ପରିଣତ ହୋଇଯାଉଛି । ସେ ବିଶ୍ୱରେ ହେଉ କି ଦେଶରେ, ରାଜ୍ୟରେ ହେଉ କି ଗାଁ ଗଣ୍ଡାରେ ହେଉ କେହି କାହା କଥା ଶୁଣୁନାହାଁନ୍ତି କି ମାନୁନାହାଁନ୍ତି । ରାଜକୋଷ ଲୁଣ୍ଠନକରାଧନ ଅପହରଣ କରି ଯେଉଁମାନେ କୋଟିକୋଟି ଟଙ୍କା, ଡଲାର, ପାଉଣ୍ଡ, ରୁବେଲ୍‍ ସବୁ ଲୁଚେଇ ରଖିଛନ୍ତି ସେ ସବୁକୁ ଅନ୍ୟାୟ ଉପାୟରେ ବଦ୍‍ଖର୍ଚ୍ଚ କରିବାଦ୍ୱାରା ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ସାମାଜିକ ସ୍ତରରେ ସମାଜ, ପରିବାର ପତନ ଆଡକୁ ଯାଉଛି ।

ଏଇ ୨୦୨୩-୨୪ ବହୁ ଅଘଟଣ ଘଟିବାର ସୂଚନା ଜଳଜଳ ହୋଇ ଦେଖାଯାଉଛି । ଆଖି ଯାହା ଦେଖିନଥିଲା, କାନ ଯାହା ଶୁଣିନଥିଲା, ସେ ସବୁ ଦେଖିବ ଓ ଶୁଣିବ । ମୋର କହିବାର କଥା – ନାରୀପୁରୁଷମାନେ ଆବଶ୍ୟକତା ପାଇଁ ବାହା ହୁଅନ୍ତୁ, ନୂଆ ସଂସାର କରନ୍ତୁ, ସେଥିରେ କିଛି ଅସୁବିଧା ନାହିଁ । କିନ୍ତୁ ଅସୁବିଧା ଗୋଟିଏ ଜାଗାରେ ଅଛି । ‘ଦେଖାଶିଖା ଓଡିଶା’ରେ ପଦପଦବୀଥିବା ବଡଲୋକମାନେ ଏବଂ ଧନୀଲୋକମାନେ ଯେଉଁସବୁ କାର୍ଯ୍ୟ କରନ୍ତି ତାକୁ ସାଧାରଣ ଲୋକେ ପସନ୍ଦ କରନ୍ତି ନାହିଁ । କିନ୍ତୁ ସେଇ ଅପସଂସ୍କୃତି ଧୀରେ ଧୀରେ ଗାଁଗଣ୍ଡା ସହରବଜାରରେ ପଶିଗଲାଣି । ଫଳରେ କଥାକଥାକେ ସ୍ୱାମୀ ପତ୍ନୀକୁ ଛାଡିଦେଉଛି । ପତ୍ନୀ ମଧ୍ୟ ସ୍ୱାମୀକୁ ଛାଡିଦେଉଛି ।

ପୁନଶ୍ଚ ସେମାନେ ଅନ୍ୟତ୍ର ବିବାହକରି ନୂଆ ସଂସାର ଗଢୁଛନ୍ତି । ଏ ସବୁରେ କଟକଣା ଲଗାଇବାପାଇଁ ଆଇନ୍‍ ଥିଲେ ବି ସେ ଆଇନ୍‍ ସବୁସ୍ଥାନରେ କାର୍ଯ୍ୟକାରୀ ହେଉନାହିଁ । ଏହାଦ୍ୱାରା ଯୁବକଯୁବତୀମାନେ ଅସାମାଜିକ ଅପସଂସ୍କୃତିର ଶିକାରହୋଇ ପରିବାର ଅଭିଭାବକମାନଙ୍କୁ ମାନୁନାହାଁନ୍ତି, ମନଇଛା ଜୀବନକୁ ଉପଭୋଗ କରିବାପାଇଁ ମରିଚୀକା ପଛରେ ଗୋଡଉଛନ୍ତି । ନୀଳପୋଖରୀକୁ ପ୍ରବେଶପତ୍ର ହାସଲପାଇଁ ପ୍ରତିଯୋଗିତା ଚାଲିଛି । ପରିବାର ଭାଙ୍ଗିଯାଉଛି । ସଂସାର ଉଛନ୍ନ ହେଇଯାଉଛି । ୟାଡେ ପୁଣି ଅଭାବଅନାଟନ, ବେକାରୀ, ଭୋକ-ରୋଗରେ ଆଉଟୁପାଉଟୁ ହୋଇ ହତାଶପଙ୍କରେ ଘାଣ୍ଟିହେଉଛନ୍ତି । ଦି’ଓଳି ଦି’ମୁଠା ଖାଇବାପାଇଁ ପିଲାଛୁଆଙ୍କ ମୁହଁରେ ଦାନା ଦେବାପାଇଁ, ପରିଣତ ବୟସରେ ବାପା’ମା ମାନଙ୍କୁ ପୋଷିବାପାଇଁ ଏବଂ ପିଲାଙ୍କ ପାଠପଢା, ଚିକିତ୍ସା ଖର୍ଚ୍ଚ ଯୋଗାଡ କରିପାରୁନାହାଁନ୍ତି । ଅନ୍ୟକୁ ହାତଟେକାକୁ ଚାହିଁରହିଛନ୍ତି । କରଜ କରି ସୁଧମୂଳ ଗଣିଗଣି ଭିଟାମାଟି ଖଣ୍ଡକ ବି ଉଜୁଡିଯାଉଛି । ଯେହେତୁ ସେମାନେ ଭୋଟର୍‍, ତାଙ୍କ ଭୋଟ୍‍ରେ ସରକାର ଗଢିବାପାଇଁ ଦଳ ଓ ନେତାମାନେ ଭୋକିଲା ଓ ଅଭାବୀ ଭୋଟରମାନଙ୍କୁ ନାନା ପ୍ରତିଶ୍ରୁତି ଦେଇ ମାଗଣାରେ ଟଙ୍କା, ଚାଉଳ, ଗହମ, ମଦ ଦେଇ ଭୋଟ କିଣିନିଅନ୍ତି । ସରକାର ଗଢିଲାପରେ ଏ ଭୋଟର ବିଚରାଙ୍କୁ କିଏ ପଚାରେ ? ଚାହିଁଲେ ବି ସେମାନେ ୱାର୍ଡମେମ୍ବର ଠାରୁ ଆରମ୍ଭକରି ମନ୍ତ୍ରୀ ପର୍ଯ୍ୟନ୍ତ କାହାକୁ ବି ଗାଦିରୁ ତଡିପାରିବେ ନାହିଁ । ପୁଣି ଅନେଇଥିବେ ସେଇ ପାଞ୍ଚବର୍ଷ ଭୋଟ୍‍ ବେଳକୁ । ସେତେବେଳକୁ ଭାବିବାକୁ ବେଳ ନଥାଏ, ନେଡିଗୁଡ କହୁଣୀକୁ ବୋହିଯାଇଥାଏ ।

ଏଭଳି ଘଟଣା ଅଘଟଣା ଆଗେ କାଁ ଭାଁ ଘଟୁଥିଲା । ସେତେବେଳେ କିଛି ଭଲଲୋକ ଥିଲେ । ସେମାନେ ଗାଁଗଣ୍ଡା ସହରବଜାରରେ ମୁରବୀ ଦାୟିତ୍ୱ ତୁଲାଉଥିଲେ । ଯଦି କିଛି ଖରାପ କାର୍ଯ୍ୟ ହେଉଥିଲା ସେମାନେ ଆକଟ କରି ଦଣ୍ଡ ଦେଉଥିଲେ । ଲୋକଙ୍କର ଟିକେ ଭୟ ଥିଲା । ଏଇ କେତେବର୍ଷ ହେଲା ଆଉ ସେ ଭଲଲୋକ ନାହାଁନ୍ତି, ଆଉ ଯେଉଁ ମୁରବୀ ସବୁ ଅଛନ୍ତି ସେମାନଙ୍କୁ କେହି ମାନୁନାହାଁନ୍ତି । ଫଳରେ ପ୍ରବଳ ସାମାଜିକ ବିଶୃଙ୍ଖଳା ବଢିଚାଲିଛି । କିଛି ଦେଶର ବିସ୍ତାରବାଦୀ ନୀତି ଯୋଗୁଁ ଦେଶ ଦେଶ ଭିତରେ ଯୁଦ୍ଧ ଲାଗିଛି । ଜାତି ଜାତି ଭିତରେ ହଣାକଟା ଚାଲିଛି । ଭୟଙ୍କର ମାରଣାସ୍ତ୍ରମାନ ପରସ୍ପର ବିରୁଦ୍ଧରେ ନିକ୍ଷେପ କରୁଛନ୍ତି ।

ଦେଶର ରାଜକୋଷକୁ ବଡ କୌଶଳରେ ଲୁଟ୍‍କରି ଗଣମାଧ୍ୟମରେ ବାହାଦୁରି ଦେଖାଉଛନ୍ତି । ରାଜନୀତିରେ ଆଉ ସୌନ୍ଦର୍ଯ୍ୟ ନାହିଁ କି ସୌରଭ ନାହିଁ । କେବଳ ମିଥ୍ୟା ପ୍ରତିଶ୍ରୁତିର ପାହାଡପାହାଡ ଦସ୍ତାବିଜ୍‍ । ଏ ବିଶ୍ୱ ଧ୍ୱଂସ ଆଡକୁ ମୁହାଁଇଛି । ଏବେ ପୃଥିବୀତମାମ୍‍ ବହୁଲୋକଙ୍କ ମୁଣ୍ଡ କାମକରୁନି । ସେ ମୁଣ୍ଡ କ୍ଷମତା, ଟଙ୍କାପଇସା ପାଖରେ ମୁଣ୍ଡିଆ ମାରୁଛି । ମନେରଖନ୍ତୁ – ‘ମୁକୁଟ ଠାରୁ ମୁଣ୍ଡ ମୂଲ୍ୟବାନ’ ।

  • ମାୟାଧର ନାୟକ,ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.