ମାୟାଧର ମିଜାଇଲ-11: ‘ଶାଖାସଂସାରରେ ବୈଶାଖୀବର୍ଷା’
//TATKAL ODISHA//
- ଶାଖାସଂସାରରେ ବୈଶାଖୀବର୍ଷା
- ମାୟାଧର ନାୟକ
ପ୍ରକୃତିର ଆକସ୍ମିକ ତାଣ୍ଡବ, ଘୂର୍ଣ୍ଣିଝଡ, କାଳବୈଶାଖୀ ମାତ୍ର ୪୧ ମିନିଟ୍ରେ ୮୦ କିଲୋମିଟର ବେଗରେ ବହିଗଲା ଏଇ ୨୦୨୩ ମଇ ୧୫ ତାରିଖ ଓପରଓଳା । ବିନା ବର୍ଷାରେ ପବନ – ପୁଣି ପରେପରେ ସାମାନ୍ୟବର୍ଷା ଓ କୁଆପଥର ବୃଷ୍ଟି । ଝଡବର୍ଷା ହଠାତ୍ କମିଗଲା – ପୁଣି ଖରା । ଜଣାଗଲା ଯେ – ବହୁସ୍ଥାନରେ ପୁରୁଣାନୂଆ ଗଛସବୁ ଭାଙ୍ଗଯାଇଛି । ରାସ୍ତାରେ ପଡି ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଖବର ମିଳିଲା କିଛି ଜୀବଜନ୍ତୁଙ୍କର ମଧ୍ୟ ଜୀବନ ଚାଲିଯାଇଛି ।
- ପ୍ରତିମୁହୂର୍ତ୍ତରେ ପରିବର୍ତ୍ତନଶୀଳ ପ୍ରକୃତିର ନିୟମ ଅତ୍ୟନ୍ତ ବିସ୍ମୟ ତଥା ବିଚିତ୍ରମୟ – ଯାହାର ପ୍ରଭାବରେ ବିଶେଷ ବିଶେଷ ସମୟରେ ଓ ପରିସ୍ଥିତିରେ ପ୍ରାଣୀଜଗତ ଉପରେ ସୁଦୂରପ୍ରସାରୀ ପ୍ରଭାବ ମଧ୍ୟ ପଡିଥାଏ । ଆବର୍ତ୍ତନ ଓ ବିବର୍ତ୍ତନ ଦ୍ୱାରା ସମୟେ ସମୟେ ପ୍ରକୃତି ନିଜର ଭାରସାମ୍ୟକୁ ହରାଇବା ଦ୍ୱାରା ଏହା ଭୀଷଣ ରୂପ ଧାରଣ କରିଥାଏ । ପ୍ରଭାବସ୍ୱରୂପ ଯେତେବେଳେ ଶାନ୍ତସରଳ ନୀଳସମୁଦ୍ରରେ ଝଡବାତ୍ୟାର ରୂପ ନିଏ – କେବେ ବନ୍ୟା ଆଉ କେବେ ପ୍ରଚଣ୍ଡ ଝାଞ୍ଜି ପ୍ରଭାବରେ ଘୂର୍ଣ୍ଣଝଡ ମଧ୍ୟ ଘଟିଥାଏ । ଏହା ନିମିଷକ ମଧ୍ୟରେ ପ୍ରବଳ ରୂପ ଧାରଣକରି ସବୁକିଛିକି ଧ୍ୱସ୍ତବିଧ୍ୱସ୍ତ କରିଦିଏ ।
ଏଇଭଳି ଏକ କରାଳ ରୂପ ଦେଖି ମୋ ଦେହରେ ଶିଥିଳତା ଆସିଯାଇଥିଲା । କିଛି ସମୟ ପାଇଁ ମୁଁ ହତବାକ୍ ହୋଇପଡିଥିଲି । ଅତ୍ୟନ୍ତ ଦୁଃଖ ମତେ ମ୍ରିୟମାଣ କରିଦେଇଥିଲା । ଏଇମାତ୍ର ୧୫ ତାରିଖ ସୋମବାରର କଥା । ମୋ ଘର ଆଗରେ ଏକ ବଗିଚା ଅଛି । ବହୁ ପ୍ରଜାତିର ଫୁଲ ଏବଂ ଫଳରେ ଭରପୂର । ପ୍ରତିଦିନ ସମୟ ପାଇଲେ ମୁଁ ବଗିଚାକୁ ଯାଇ ବୁଲିଆସେ । ହଠାତ୍ ଦେଖିଲି – ଚଢେଇଟିଏ ତା’ର କୁନିଥଣ୍ଟରେ ଛୋଟଛୋଟ ଝଟା ଆଣି ମୋର ପ୍ରିୟଚମ୍ପାଗଛରେ ଏକ ବସା ବାନ୍ଧିଛି । ଏଇ ବସାରେ ସେ ଅଣ୍ଡାଦେଇ ଚାତକ ପରି ଚାହିଁରହିଛି – କେବେ ତା’ର ସନ୍ତାନ ଏ ଦୁନିଆରେ ସୂର୍ଯ୍ୟାଲୋକ ଦେଖିବ । ତା’ ସ୍ୱପ୍ନର ଅନ୍ତ ଘଟିଛି । କିଛିଦିନ ପରେ ସେ ତିନୋଟି ଛୁଆର ମା’ ହୋଇଛି । ଚଢେଇଛୁଆମାନଙ୍କ କେଁକଟର, ଚେଁଚାଁ ମଧୁର ଶଦ୍ଦଶୁଣି ମୁଁ ତୃପ୍ତି ଅନୁଭବ କରୁଥିଲି । ଚଢେଇ ହେଲେବି ସେ ଗୋଟିଏ ମା’ । ତା’ ହୃଦୟରେ ସ୍ନେହମମତା, ଭଲପାଇବା, ମୋହମାୟାରେ ସେ ବନ୍ଧା । ମା’ ଓ ଛୁଆର ନିବିଡସଂପର୍କ ତାକୁ ଅସ୍ତବ୍ୟସ୍ତ କରିଦିଏ । ଛୁଆମାନଙ୍କ ଉଦରପୂରଣ ପାଇଁ ସେ ପ୍ରତ୍ୟେହ ବସାରେ ସେମାନଙ୍କୁ ଛାଡି ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ । ଯାହା ପାଏ ତାହା ଅତ୍ୟନ୍ତ ସ୍ନେହମମତାର ସହ ତା’ର ଛୁଆମାନଙ୍କୁ ଖୁଆଇ ସେ ସନ୍ତୋଷ ପାଇଥାଏ । ସେଦିନ ବୈଶାଖୀଝଡରେ ମା’ ତା ବସାକୁ ଫେରିପାରିନଥିଲା । ମଇ ୧୪ ତାରିଖରେ ବିଶ୍ୱ ମାତୃତ୍ୱଦିବସ ପାଳନ ଅବସରରେ ପତ୍ନୀ ଇନ୍ଦିରା ଏକ ସ୍କୁଲକୁ ଅତିଥିହୋଇ ଯାଇଥିଲେ । ଦିନକ ପୂର୍ବରୁ ମାତୃଶକ୍ତି ବିଶ୍ୱରେ ମହାଶକ୍ତି । ମା’ ବିନା ଏ ସଂସାର ଅସାର ସଂପର୍କରେ ଏକ ନିବନ୍ଧ ଲେଖି ମତେ ପଢାଇଥିଲେ ।
- ସେଇ ୧୫ ତାରିଖ ଓପରଓଳି ପ୍ରାୟ ୫ଟା ହେବ – ହଠାତ୍ ଦେଖିଲି – ଘୂର୍ଣ୍ଣିଝଡ ପ୍ରଚଣ୍ଡବେଗରେ ମାଡିଆସୁଛି ଏବଂ ପ୍ରବଳବେଗରେ ପବନ ମଧ୍ୟ ବହୁଛି । ମୁଁ ଅସ୍ତବ୍ୟସ୍ତ ହୋଇ ଘରେ ବସିରହିଛି । କିଛି ସମୟପରେ ଝଡ ଚାଲିଗଲା ଝଡର ବାଟରେ – ପବନ ହୋଇଲା ଶାନ୍ତ । କିନ୍ତୁ ବାଇଚଢେଇବସାକୁ ଉଡେଇନେଇ ଗେଟ୍ପାଖରେ କଚାଡିଦେଇଛି । ତିନୋଟି ନିଷ୍ପାପ ଶିଶୁଚଢେଇଙ୍କ କ୍ଷୁଦ୍ରଜୀବନବାୟୁ ଉଡିଯାଇଛି । ସେମାନେ ଶବହୋଇ ପଡିରହିଛନ୍ତି । ପୁଅ ଆକାଶର ବ୍ୟକ୍ତିଗତ ସଚିବ ପ୍ରମୋଦ, ଡି.ଟି.ପି. ଅପରେଟର୍ ଆଦିତ୍ୟ, ଡ୍ରାଇଭର ସତ୍ୟ, ଲାଇବ୍ରେରୀଆନ୍ ପ୍ରଦୀପ, ପଛଘରେ ରହୁଥିବା ଗୋଲକ, ପତ୍ନୀ ଇନ୍ଦିରା, ସହାୟିକା ପୂଜା ସମସ୍ତେ ଥିଲେ । କାଳବୈଶାଖୀ ପରେ ଗୋଲକ ଆସି କହିଲା – ଆଜ୍ଞା! ଚଢେଇଛୁଆ ତିନୋଟି ମରିପଡିଛନ୍ତି । କାଳବିଳମ୍ବ ନକରି ଅତ୍ୟନ୍ତ ଦୋଦୁଲ୍ୟମାନ ଅବସ୍ଥାରେ ସମ୍ଭାଳିନପାରି ବଗିଚାକୁ ଦୌଡିଗଲି । ସେଠାରେ ଯାହା ଦେଖିଲି – ଭାଷାରେ ବର୍ଣ୍ଣନା କରିପାରିବିନାହିଁ । ବଗିଚା ଧ୍ୱସ୍ତବିଧ୍ୱସ୍ତ ହୋଇ ତା’ର ସୌନ୍ଦର୍ଯ୍ୟକୁ ହରାଇବସିଛି । ଚମ୍ପାଗଛକୁ ଦେଖି ମୁଁ ହଠାତ୍ ହତବାକ୍ । କାନ୍ଦିବି ନା ଦୁଃଖକୁ କାହକୁ କହିବି । ଏଭଳି ସ୍ଥିତିରେ ନଥିଲି – ମୁଁ ଦେଖୁଛି – ମୋ ଆଖିଆଗରେ ଟିକିଚଢେଇର ତିନୋଟି ନିରୀହ ସରଳ ଛୁଆରଜୀବନ ଚାଲିଯାଇଛି । ମୋ ହୃଦୟ ଆନ୍ଦୋଳିତ ହୋଇଗଲା । ହୃଦୟର ବ୍ୟଥାକୁ ହୃଦୟରେ ଚାପିରଖି ଫେରିଆସିଲି ମୋ ଲାଇବ୍ରେରୀକୁ । ଚଢେଇଛୁଆର କଥା ଭାବୁଭାବୁ ଏ ସାଂପ୍ରତିକ ସମାଜର ହଜାର ହଜାର ନିରୀହ ଦୁଃଖୀରଙ୍କି ମା’ମାନଙ୍କ କଥା ଓ ବ୍ୟଥା ମୋ ହୃତୟକୁ ଭାଙ୍ଗିଦେଲା । ମୋ ମନରଜଗତକୁ କୁଠାରଘାତ କରିଚାଲିଲା । ଯେଉଁ ଜନନୀମାନେ ଦଶମାସ ଦଶଦିନ ନିଜଗର୍ଭରେ ଶିଶୁଟିକୁ ଧାରଣକରି କେତେଯେ – ବିନିଦ୍ର ରଜନୀ ସେମାନଙ୍କୁ କାଟିବାକୁ ପଡିଛି – ନିଜର ଅନ୍ତଫାଡି ସେମାନଙ୍କୁ ଜନ୍ମଦେଇଛି – ସେମାନଙ୍କ ମୁହଁରେ ଆହାରଗଣ୍ଡେ ଦବାପାଇଁ – କେତେ ଯେ ଯନ୍ତ୍ରଣା ସହିବାକୁ ପଡିଛି । ଖରାବର୍ଷାଶୀତକାକରକୁ ଖାତିରନକରି ଦୁନିଆଆଗରେ କେତେ ହାରିଗୁହାରି କରିଛି – ନିଜ ପେଟରେ ଓଦାକନାଦେଇ ଘରେଘରେ ବାସନମାଜିଛି – ରାସ୍ତାଘାଟ, ଖଣିଖାଦାନ, କ୍ଷେତଖମାରରେ ସକାଳୁସଂଜ ପର୍ଯ୍ୟନ୍ତ ଖଟିଛି – ନିଜକୁ ସେ ତିଳତିଳ କରି ମାଟିରେ ମିଶାଇଦେଇଛି – ତଥାପି ସେ ସ୍ୱପ୍ନ ଦେଖୁଛି – ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଏମାନଙ୍କୁ ବଡ କରିବି ।
ଛୁଆଙ୍କୁ ବଡ କରିବାକୁ ହେଲେ ଯାହା ଯାହା ଆବଶ୍ୟକ କିଏ କ’ଣ ତାକୁ ପୂରଣ କରିପାରିବ – ନା – ଏ ସମାଜ କ’ଣ ତାକୁ ପୂରଣ କରିବାକୁ ସୁଯୋଗ ଦେବ ? ଶେଷରେ କ’ଣ ଚଢେଇଛୁଆର ଦୁର୍ଦ୍ଦଶା ଭଳି ଏମାନଙ୍କୁ ଭୋଗିବାକୁ ପଡିବ । ଏମାନଙ୍କ ଭାଗ୍ୟଆକାଶରେ କେହିନା କେହି ଦଣ୍ଡାୟମାନ ହୋଇ ଅଟ୍ଟହାସ୍ୟ କରିବ – ତମେ ହାରିଗଲ – ହାରିଗଲ – ହାରିଗଲ । ତମକୁ ବଞ୍ଚିବାକୁ ହେଲେ ତୁମୁଳ ଜୀବନସଂଗ୍ରାମ କରିବାକୁ ପଡିବ । ଅତ୍ୟାଚାରୀ ଜନଦ୍ରୋହୀ ଶୋଷକମାନଙ୍କୁ ନିପାତ କରିବାକୁ ହେବ । ମା’ ତୁମେ – ପାରିବ – ପାରିବ – ନିଶ୍ଚୟ ପାରିବ । ତେବେଯାଇ ତୁମେ ନିଜ ଶିଶୁର ଭାଗ୍ୟ ନିର୍ଦ୍ଧାରଣ କରିପାରିବ ।
ଏଇ ୧୫ ମାସ ହେଲା ୨୦୨୨ ଫେବୃଆରୀ ୨୪ରୁ ରୁଷ-ୟୁକ୍ରେନ୍ ଯୁଦ୍ଧ ଲାଗିଛି । ଥମିବାରେ ନାଁ ଧରୁନି । କେତେଯେ ସୈନ୍ୟ – ସାଧାରଣ ନାଗରିକଙ୍କ ଜୀବନ ଗଲାଣି – କେତେଯେ ବାସ୍ତୁହରା ହେଲେଣି ତା’ର ହିସାବନାହିଁ । ସୁଦାନରେ ଗୃହଯୁଦ୍ଧ, ମଣିପୁରରେ ଆଦିବାସୀ-ଆଦିବାସୀ ମଧ୍ୟରେ ସଂଘର୍ଷ, ପାକିସ୍ଥାନରେ ସଂଘର୍ଷ, ଖାଦ୍ୟପାଇଁ ଦଳାଚକଟା, ସାଂପ୍ରଦାୟିକ ଦଙ୍ଗା, ବ୍ରଜପାତ, ଘୂର୍ଣ୍ଣିଝଡ, ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ଗାଁସହରରେ ହଣାକଟା ପ୍ରତିମୁହୂର୍ତ୍ତରେ ହତ୍ୟାକାଣ୍ଡ, କଥାକଥାକେ ମୁଣ୍ଡ କଟାକଟି ଭଳି ଅନେକ ଘଟଣାରେ ବହୁଲୋକ ମରୁଛନ୍ତି । ପୁଣି ଭୋକରେ – ରୋଗରେ ମରିବା ଲୋକଙ୍କ ହିସାବ ରଖୁଛି କିଏ ? ଏ ମନୁଷ୍ୟକୃତ ପ୍ରାକୃତିକ ବିପର୍ଯ୍ୟୟ କୋଟିକୋଟି ଜୀବଜନ୍ତୁଙ୍କ ମୃତ୍ୟୁଖବର ମତେ ଯେତେ ବିଚଳିତ କରିପାରିନଥିଲା – କିନ୍ତୁ ଏ ତିନୋଟି ଚଢେଇଛୁଆର ଦାରୁଣ ପ୍ରାକୃତିକ ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିଲି ।
- ଏ ବିହଙ୍ଗ ସାବକ ତିନୋଟିକୁ ଶେଷସଂସ୍କାର ଉଦ୍ଦେଶ୍ୟରେ ଯେତେବେଳେ ଏ ସହିଷ୍ଣୁମୂର୍ତ୍ତିକାରେ ଗୋଟିଏ ଗାତଖୋଳି ପୋତିଦେଲି – ସବୁରି ଅଜାଣତରେ – ସମସ୍ତଙ୍କ ଅଲକ୍ଷ୍ୟରେ – ସେ ଗାତରେ ବି ସମାଧି ନେଇଗଲା – ମୋ ଯୋଡିଏ ଆଖିର ଅଶ୍ରୁ ଦି’ବୁନ୍ଦା – ସେ ଆଖି ମୋର – ସେ ଅଶ୍ରୁ – ସେ ସାବକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ଇଛାହେଲା – ଉପରେ ଥିବା ସେଇ ଅନ୍ଧ, ମୂକ, ବଧୀର ବିଧାତାର ଦ୍ୱାରବନ୍ଧରେ ଘନଘନ କରାଘାତକରି କହିପାରନ୍ତିକି – ହେ ! ଦାରୁଣ ଦାରୁଭୂତ ! ଆରେ – କାଢିନେ ମୋ ଭିତରୁ ମତେ ଦେଇଥିବା ଏ କୋମଳତମ ହୃଦୟକୁ – ଆଉ ତା’ ବିନିମୟରେ ବଞ୍ଚେଇଦେ – ଏ ତିନୋଟି ଶିଶୁ ବିହଙ୍ଗକୁ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩