ମାୟାଧର ମିଜାଇଲ-11: ଛଇ ଛାଡିଯିବ ଛକେ ଛକେ ଛ’ ଦିନକେ
ଛଇ ଛାଡିଯିବ ଛକେ ଛକେ ଛ’ ଦିନକେ
ମାୟାଧର ନାୟକ
ଅଜବ ଏ ଦୁନିଆ । ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ଯେଉଁମାନେ ଛଇ ଦେଖାଇ ଥରହର କରୁଥିଲେ – ସେମାନଙ୍କ ଛାଲ ଛାଡିଗଲା । ପୁରାଣରୁ ଏସବୁ କଥା ଶୁଣୁଛେ । ଏ ଘୋର କଳିକାଳଯୁଗରେ ଗଲା ତିନିଯୁଗର ଛଇଛଟକବାଲାଙ୍କ ସବୁଗୁଣରୁ ହଜାରଗୁଣ ଅଧିକ ଛଟକିଆ ଅଛନ୍ତି । ସେମାନଙ୍କ ଛଟକ ଦେଖୁଆସୁଛେ । କିଏ କେତେ କଳଙ୍କିତମାନେ ଇତିହାସର ଓଳିଆଗଦାରେ ପଡିଛନ୍ତି – ତା’ର ହିସାବ କେବଳ ଇତିହାସ ରଖିଛି । ଯେଉଁମାନେ ଗର୍ବଅହଂକାରରେ ଫାଟିପଡି ଛକେ ଛକେ ଛଟକ ଦେଖାଇ ଜନସମ୍ମୁଖରେ ଘୃଣାର ପାତ୍ରଭାବେ ପରିଚିତ ହୋଇ ପରପାରିକୁ ଚାଲିଗଲେଣି – ସେମାନଙ୍କୁ ଇତିହାସ କେବେ କ୍ଷମାଦେଇନି କି ଦେବନାହିଁ ।
ଏଇ ୨୦୨୩ରେ ଯେଉଁ ଛଟକିଆ ସାରାବିଶ୍ୱରେ ଛଟକ ଦେଖାଉଛନ୍ତି – ସେମାନଙ୍କ ଖେଳାଲୀଳା ପୁରିଆସୁଛି – ସେମାନେ ମହାପାପରେ ଘାଣ୍ଟିହୋଇ ନର୍କଭୋଗ କରିବେ । ଏ ମୋ ବାଣୀ ନୁହେଁ – ଏ ଗୀତା ଭାଗବତ ବାଣୀ । ଆମ ଦେଶରେ ମଧ୍ୟ ରାଜନେତା, ଧାର୍ମିକ, ବେପାରୀ, ବିପ୍ଲବୀ, କର୍ମଚାରୀ, ସମାଜସେବୀ, ସାହିତ୍ୟିକ, ସାମ୍ବାଦିକ ହାଉଯାଉ । ଏମାନଙ୍କ ଭିତରୁ ୯୫ ଭାଗ ନକଲି । ଏମାନେ ଗାଦି ମାଡିବସି ମଂଚ ଦଖଲ କରିନେଇଛନ୍ତି । ଏମାନଙ୍କ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର, ଶୋଷଣ, କଷଣ, ଠକାମି, ଗୁଣ୍ଡାମି, ଯୌନ କେଳେଙ୍କାରୀରେ ମା’ ଧରଣୀ ଥରହର । ଆଜି ଦେଶରେ ଶ୍ରମଜୀବୀ ୯୫ ଭାଗ ଲୋକ ଅଭାବଅନାଟନରେ ଷଢୁଛନ୍ତି – ବାକି ୫ ଭାଗ ଲୋକ ମଉଜମଜ୍ଲିସ କରି ଛଟକ ଦେଖାଉଛନ୍ତି । ଅନ୍ୟଦେଶର ରାଜନେତାମାନେ ଅଧିକାଂଶ ପାଗଳ । ଆମେରିକା ରାଷ୍ଟ୍ରପତି ୮୦ ବର୍ଷର ବାଇଡେନ୍ ପୁଣି ରାଷ୍ଟ୍ରପତି ହେବାକୁ ମନ ବଳେଇଲେଣି । ଏବେ ଆମେରିକା ଦୁଆଳିଆ ହେବାକୁ ଯାଉଛି । ଲୋକେ ବ୍ୟାଙ୍କରୁ ଋଣନେଇ ସୁଜୁନାହାଁନ୍ତି । ଅର୍ଥନୀତି ବିପର୍ଯ୍ୟୟ ଅବସ୍ଥାରେ ପହଞ୍ôଚଗଲାଣି । ଯେଉଁ ଆମେରିକା ଦିନେ ବିଶ୍ୱକୁ ନଚାଉଥିଲା – ସେ ଆଜି ଧ୍ୱଂସଆଡକୁ ଦଉଡୁଛି । ଆମେରିକାର ଆର୍ଥିକ ସଂକଟ, ଜାତିସଂଘ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ୟାନ୍ୟ ଦେଶକୁ ଦୁର୍ବଳକରି ଘୋର ଅସ୍ଥିରତା ସୃଷ୍ଟି କରିବ । ଗରୀବ ସାହାଯ୍ୟପ୍ରାପ୍ତ ଦେଶଗୁଡିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢିଯିବ । ରୁଷିଆର ପୁତିନ୍, ଚୀନ୍ର ଜିନ୍ପିଙ୍ଗ୍, ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଆହୁରି ଅନେକଙ୍କ ପାଗଳାମୀକୁ ପ୍ରତିନିୟତ ଏ ବିଶ୍ୱ ଦେଖୁଛି । ଆମ ଦେଶରେ ମଧ୍ୟ ବହୁନେତାଙ୍କ ପାଗଳାମୀରେ ଦେଶବାସୀ ଭୀଷଣ ବିରକ୍ତ । ଏମାନଙ୍କ ଛଇଛଟକ ଦେଖି ଦେଖି ମନରେ ଘୃଣାଜାତ ହେଉଛି ।
ଆମର ପ୍ରିୟ ଭାରତଭୂଇଁ ଏବେ ଜନସଂଖ୍ୟାରେ ସାରାବିଶ୍ୱରେ ପ୍ରଥମ । ୧୪୨ କୋଟି ୮୬ ଲକ୍ଷ । ସୁଖୀ ଦେଶ ତାଲିକାରେ ୧୩୬ ନମ୍ବରରେ ଅଛି । ଆମେସବୁ ଦୁଃଖୀ ଭାରତୀୟ । ଏଇ ଦେଶରେ ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ରତନ ଟାଟା ଭଳି ସହସ୍ର କୋଟି ଟଙ୍କାର ମାଲିକ ଅଛନ୍ତି । ଏମାନଙ୍କ ସଂଖ୍ୟା ହଜାରେ ପାଖାପାଖି ହେବ । ଏମାନେ ୧୪୨ କୋଟି ୮୬ ଲକ୍ଷ ଭାରତୀୟ ଏବଂ ବିଶ୍ୱର ୮୦୦ କୋଟି ଲୋକଙ୍କ ଝାଳବୁହା ସମ୍ପତ୍ତିରୁ ହଡପ୍ କରି ଆଜି ବିଶ୍ୱରେ ଛଟକ ଦେଖାଉଥିଲେ । ଏବେ ସେମାନଙ୍କ କଳାଧନର କୋଠରି ଖୋଲିଯାଇଛି । ସେମାନଙ୍କ ଅସଲ ଚେହେରା ପଦାରେ ପଡିଯାଇଛି । ଏଇସବୁ ପୁଞ୍ଜିପତି, ଶିଳ୍ପପତିମାନେ ଦେଶର ରାଜନୈତିକ ଦଳମାନଙ୍କୁ ଚାନ୍ଦାଦେଇ ପୋଷିପାଳି ରଖିଛନ୍ତି । ଏଇ ଦଳ ଯିଏ ଯେତେବେଳେ ସରକାରକୁ ଆସିଛନ୍ତି ୧୯୪୭ରୁ ଆଜି ପର୍ଯ୍ୟନ୍ତ – ସେମାନେ ତାଙ୍କ ପ୍ରଭୁମାନଙ୍କ ସେବା ହିଁ କରିଆସିଛନ୍ତି । ସାଧାରଣ ଜନତା ଭୋଟରମାନଙ୍କୁ ସେମାନଙ୍କର ଖାତିର ନାହିଁ । ଏଇ ଶିଳ୍ପପତି, ରାଜନେତା, ଅଫିସରମାନଙ୍କ ଅଶୁଭ ମୈତ୍ରୀ କାହିଁ କେବେଠୁ ଗଢିଉଠିଲାଣି । ଦେଶରେ କେଉଁ ନେତା, ବେପାରୀ, ଧର୍ମଗୁରୁ, କର୍ମଚାରୀ, ଦେଶଦ୍ରୋହୀ, ରାଜକୋଷଲୁଟେରା ସେମାନଙ୍କ ହିସାବ ନାଁ ଲେଖିଲେ ପର୍ବତପ୍ରମାଣ ପୋଥି ହେବ । ଏମାନଙ୍କ ଛଇଛଟକ ମଧ୍ୟ ଛାଡିଯିବ ଛ’ ଦିନକେ ।
ଆମ ରାଜ୍ୟ ଓଡିଶା ଭୂଇଁ । ଏ ବିଶ୍ୱରୁ ଭାରତରୁ ଅଲଗା ନୁହେଁ । ଏଠି ବି ଛଟକିଆମାନେ ବହୁଳାଂଶରେ ରାସ୍ତାଘାଟ, ଅଫିସଦପ୍ତର, ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆତଯାତ ହେଉଛନ୍ତି । ଏମାନଙ୍କ ଢଙ୍ଗଢାଙ୍ଗ ଦେଖିଲେ ଆମେ ଚିଡିଆଖାନା ଭିତରେ ପଶିଯାଇଛେ କି ? ଏ ମଣିଷରୂପୀ ଜନ୍ତୁମାନଙ୍କୁ ଦେଖି କେତେକ ହୁଏତ ମଜ୍ଜା ନେଉଥିବେ, କିନ୍ତୁ ଏମାନଙ୍କ ଉତ୍ପାତରୁ ଯେ ପ୍ରଭୂତ କ୍ଷତି ହେବାରେ ଲାଗିଛି – ଏ କଥା ମଧ୍ୟ ହେଜିବାକୁ ହେବ । କିଛି ଦରପାଠୁଆ, ଅଳ୍ପପାଠୁଆ ନେତା ହୋଇଯାଇଛନ୍ତି । ସେମାନଙ୍କୁ ଯଦିଓ ଶିକ୍ଷା, ସଂସ୍କୃତି ଆଇନକାନୁନ ମାଲୁମ ନାହିଁ, କିନ୍ତୁ ଅର୍ଥନୀତିରେ ଧୁରନ୍ଧର । ଟଙ୍କା କୋଉ ବାଟରେ ଆସିବ ସେମାନେ ରାତିଦିନ କୁଟୀଳ ବୁଦ୍ଧି ଖଟାଉଛନ୍ତି । କାହାକୁ ଧରିଲେ ଠିକାଦାରୀ ମିଳିବ, କୋଉଠି କୋଉଠି ରାଜକୋଷ ଲୁଣ୍ଠନ କରିହେବ -ସେମାନଙ୍କୁ ଜଣା । ହୁଏତ ଅତୀତରେ ସେମାନଙ୍କ ପୂର୍ବପୁରୁଷ କିଛି ଭଲକାମ କରିଥିଲେ । ଏମାନେ ଠିକ୍ ଓଲଟା କାମ କରୁଛନ୍ତି । କୌଶଳକ୍ରମେ ଗୁଡାଏ ଟଙ୍କା ଠକିନେଇ ହାତରେ ଗୁଣ୍ଡାବାହିନୀ ଓ ଖୋସାମଦିଆଙ୍କୁ ପୋଷିଲେ । କେତେକ ଗଣମାଧ୍ୟମକୁ ହାତକରି ଧୁମ୍ ପ୍ରଚାର କଲେ । ଶିଳ୍ପପତିଠିକାଦାରମାନଙ୍କୁ ଡରାଇ ବଟି ଆଦାୟ କଲେ । ରାଜନୈତିକ ଦଳମାନଙ୍କର ନିର୍ବାଚନ ପାଇଁ ଟଙ୍କା ଦରକାର । ଏମାନେ ଅଜାଚିତ କୋଟିକୋଟି ଟଙ୍କା କୁଢେଇଦେଲେ । ଦଳର ହାଇକମାଣ୍ଡ ବାହାଃବାହାଃ କହି ସେମାନଙ୍କୁ ଦଳକୁ ଆଉଜେଇଆଣିଲେ । ଟିକଟ ବି ଦେଲେ । ସେମାନେ ବି ଜିତିଲେ, ମନ୍ତ୍ରୀ ମଧ୍ୟ ହେଲେ । ଏଥର କଚେପୁଅ ବାର । ରାଜ୍ୟର ଯେତେ ଟେଉଁଠି ଠଣା ଥିଲା ସବୁ ଖୋଜିଖାଜି କୋଟିକୋଟି ଟଙ୍କାର ମାଲିକ ହେଇଗଲେ । ଗର୍ବଅହଂକାରରେ ବାଉଳାଚାଉଳା ହେଲେ । ପାଟିରୁ ଅସଭ୍ୟ ଭାଷା ବାହାରିଲା । ତଥାପି ମାଗିଖିଆମାନେ ତାଙ୍କ ଗୁଣ ଗାଇଲେ । ଏସବୁ ଘଟଣାରେ ସେମାନେ ଫୁଲିଉଠିଲେ । ବେଳେବେଳେ ବିଲେଇ ଆଖି ବୁଜିବୁଜି କ୍ଷୀର ପିଏ । ସେ ଭାବେ ତାକୁ କେହି ଦେଖୁନାହାଁନ୍ତି । ସେଇଭଳି ଭାବେ ଏ ରାଜକୋଷ ଲୁଟେରା, ଦେଶଦ୍ରୋହୀମାନଙ୍କ କାର୍ଯ୍ୟକଳାପ ଆଜି ହାଟରେ ପଡି ଦାଣ୍ଡରେ ଗଡଗଡ ହେଉଛି । ଯେଉଁଦିନ ଏମାନେ ଗୁଣ୍ଡାମାନଙ୍କ ଡିମାଣ୍ଡ, ମାଗିଖିଆମାନଙ୍କ ହାତଟେକା କିମ୍ବା ହାଇକମାଣ୍ଡଙ୍କ ହେଭି ଡିମାଣ୍ଡକୁ ପୂରଣ କରିପାରିବେନାହିଁ – ସେଦିନ ଏମାନେ ଚାରିପାଞ୍ଜିରୁ ଯିବା ଥୟ ।
ଆମ ଓଡିଶା ଏକ ଧନୀ ରାଜ୍ୟ । କିନ୍ତୁ ଏଠାକାର ଲୋକମାନେ ଗରିବ । କାମଦାମ ନାହିଁ – ବେକାର ମାଳମାଳ । ଅନ୍ୟରାଜ୍ୟ – ବିଦେଶକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଏଠି ଅନ୍ନଦାତା ଚାଷୀମୁଣ୍ଡରେ ଚଡକ । ଦେଶ ନିର୍ମାଣ ଶ୍ରମଜୀବୀଙ୍କ ଅବସ୍ଥା ଘାଏଲ । ଘରେ ଘରେ କରଜରେ ବୁଡିଛନ୍ତି । କିସ୍ତି ଦେଇ ଦେଇ ଘାଏଲ । ଆମର ଯୁବଛାତ୍ରମାନେ ଫଟା ସଂସ୍କୃତି, ବିଦେଶୀ ପଚାସଂସ୍କୃତିରେ ନିମଗ୍ନ । ଏଠି ଅପପୃଷ୍ଟିରେ ଶିଶୁ ମରେ । ମା’ଭଉଣୀମାନଙ୍କୁ ଉପଯୁକ୍ତ ସମ୍ମାନ ନାହିଁ । ବୟସ୍କମାନଙ୍କ କଥା ପଚାରେ କିଏ ? ଏତେ ସବୁ ଅଘଟଣ ଘଟିଯାଉଥିଲେ ବି କାହାର ତୁଣ୍ଡରୁ ପଦେ କଥା ବାହାରିବା ମୁସକିଲ୍ । ହାଟବାଟ ବଜାରଘାଟ, ଛକମାନଙ୍କରେ ଖାଲି ଗୁଲିଖଟି ଗପ । ମାଗଣା ସଂସ୍କୃତିର ଦୃଗନ୍ଧପୋଖରୀରେ ବୁଡ ମାରୁଛେ । ଛଟକିଆମାନେ ଯେତେଦିନ ପର୍ଯ୍ୟନ୍ତ ଛଇଛଟକ ଦେଖାଉଥିବେ – ଆମ ଭାଗ୍ୟ ଯେଉଁ ତିମିରେକୁ ସେଇ ତିମିରେ ।
ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଗଲାଣି । ୨୦୨୪ ନିର୍ବାଚନ ଆଉ ପାଖାପାଖି ଆଠ, ନ’ମାସ ବାକିଅଛି । ସବୁବେଳେ ଆମର ବହୁଳାଂଶ ଭୋଟର ନିର୍ବାଚନକୁ ଅପେକ୍ଷା କରିଥାନ୍ତି । ବିଭିନ୍ନ ଦଳଠାରୁ ମୋଟା ଅଙ୍କରେ ମାଲ ହାତେଇବେ । ଭୋଟ୍ କାହାକୁ ଦେବେ ମା’ ଗଙ୍ଗେଇ ଜାଣନ୍ତି । ଭୋଟ୍ ବେପାରୀମାନଙ୍କର ଭଲ ଦି’ ପଇସା ରୋଗାର ହେବ । ବହୁ ଯୁବକ, ଦରବୁଢା, ବୁଢାମାନେ ୧୫ଦିନ ନିର୍ବାଚନବେଳେ ଟଙ୍କା, ମଦ, ଭୋଜିରେ କଟାଇଦେବେ । କେତେକଙ୍କର ବର୍ଷକର ରୋଜଗାର ମଧ୍ୟ ହୋଇଯିବ । ଯେଉଁ ଟଙ୍କା ମଦ ଭୋଜି ଉପହାର ଦଳ ଓ ପ୍ରାର୍ଥୀମାନେ ଦିଅନ୍ତି – ସେମାନେ ତାଙ୍କ ଜମିବାଡି ବିକି ଦିଅନ୍ତିନାହିଁ । ସେ ଟଙ୍କା ତାଙ୍କ ବୋପାଧନ ନୁହେଁ – ସେ ସବୁ ଟଙ୍କା ଆମ ଜନସାଧାରଣଙ୍କର । ଦରଦାମ ବଢାଇ, ଠକି ଯେଉଁ ଟଙ୍କା ବେପାରୀମାନେ ନେଇଥିବେ – ସେଇଥିରୁ କାଣିଚାଏ ଦଳ, ନେତା, ପ୍ରାର୍ଥୀଙ୍କ ମୁଣିରେ ପୁରାଇଦିଅନ୍ତି । ଜିତିଲାପରେ ସେ ଦଳ ଯଦି ସରକାର କଲା – ତା’ହେଲେ ବେପାରୀମାନେ ଦେଇଥିବା ଟଙ୍କାର ହଜାରଗୁଣ ଉଠାଇନିଅନ୍ତି । ଯିଏ ବି ସରକାର ଗଢୁ – ତିଷ୍ଠିବା ଭାରି କଷ୍ଟ । ଭୋଟରମାନଙ୍କୁ ଯେଉଁ ଗଦା ଗଦା ପ୍ରତିଶ୍ରୁତି ଦେଇଥିବେ – ୫ ବର୍ଷ କ’ଣ ୫୦ ବର୍ଷରେ ବି ପୂରଣ କରିପାରିବେନାହିଁ । ଲୋକଙ୍କୁ ରୋଗ ମାଡିବସିବ – ଭୋକରେ ଆଉଟୁପାଉଟୁ ହେବେ । ୟାଙ୍କୁ ସମ୍ଭାଳିବ କୋଉ ସରକାର । ଖାଇବାକୁ ନପାଇଲେ ଲୋକେ ବାଇଆପାଗଳା ହୋଇଯିବେ । ରୋଗାକୁକୁର କାମୁଡିଲା ଭଳି କାମୁଡି ଗୋଡେଇବେ । ରାସ୍ତାଘାଟ ଅଫିସଦପ୍ତରରେ ମାଡ ପିଟାପିଟି ହଣାକଟା ହେବ । ସମୟ ଆସୁଛି ନେତାମାନେ ଲୁଚିବାକୁ ଗୁପ୍ତକୋଠରୀ ପାଇବେନାହିଁ । ଆମ ଶାନ୍ତସରଳ ଅତିଥିପରାୟଣ ଓଡିଶା ଏବେ ଅଶାନ୍ତ ଅସନ୍ତୋଷର ବହ୍ନିରେ ଜଳୁଛି । ନାହିଁ ନାହିଁର ଭାରତରେ ଲୋକେ ସରକାରଙ୍କ ହାତଟେକାକୁ ଚାହିଁ ରହିଛନ୍ତି – ଯାହାବି ମିଳୁଛି ସମୁଦ୍ରରୁ ଶଙ୍ଖେ । ଆଗକୁ ପ୍ରାକୃତିକ, ମନୁଷ୍ୟକୃତ ବିପଦରେ ଲୋକେ ଚଳିତଳାନ୍ତ ହୋଇଯିବେ । ଲୋକଙ୍କ ଦୃଷ୍ଟିକୁ ଅନ୍ୟଆଡେ ନେଇଯିବାକୁ ସରକାରୀ ଲୋଭ ପ୍ରଚାରର ପଦ୍ମତୋଳା ଶୁଣି ଶୁଣି ଲୋକଙ୍କ ମୁଣ୍ଡ ଟିଣ, କାନ ବଧିରା, ଆଖି ଦଦରା ହେବାରେ ଲାଗିଛି । ଆମେସବୁ କାଙ୍ଗାଳ, ଆମେ ମାଗିଖିଆ, ସେମାନଙ୍କ ହାତଟେକାକୁ ଅନେଇଥାନ୍ତି । ଯେତେଦିନ ପର୍ଯ୍ୟନ୍ତ ଆମେ ହାତ ଉଠାଇପାରିବାନାହିଁ – ସେତେଦିନ ପର୍ଯ୍ୟନ୍ତ ଭାତ ମିଳିବନାହିଁ ଆମକୁ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩