ମାୟାଧର ନାୟକ-24: ଆଜି ଖଣିଲୁଟେରା, କାଲି କ୍ଷମତାର ମଂଗଧରା !

0

II TATKAL ODISHA II

  • ଆଜି ଖଣିଲୁଟେରା, କାଲି କ୍ଷମତାର ମଂଗଧରା !
    ++++++++++++
  • ମାୟାଧର ନାୟକ
  • +++++++++

ଆନ୍ତର୍ଜାତିକ ମହାଜନୀ ମାଫିଆର କରାଳ କୂଟଚକ୍ରାନ୍ତରେ ଶାସନ ପ୍ରଶାସନର ମଧ୍ୟସ୍ଥତାରେ ଶିକାର ହେଉଛି ସାଧାରଣ ଜନତା । ଖଣିଜପଦାର୍ଥକୁ ସାମଗ୍ରୀରେ ପ୍ରସ୍ତୁତ ବା ପରିଣତ କରିବାରେ କାରିଗରୀ କୌଶଳଠାରୁ ଆଜି ମଧ୍ୟ ଆମେ ଅପହଂଚ ଦୂରତ୍ୱରେ । ତେଣୁ ମୋଟ କଥା – ଏଥିପାଇଁ ଆବଶ୍ୟକ ବୈଷୟିକ, ବୈଜ୍ଞାନିକ ଜ୍ଞାନ ଓ ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ । ଏସବୁର ଅଭାବ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଖଣିଜପଦାର୍ଥର ଭବିଷ୍ୟତ ଘୋର ଅନ୍ଧକାର । ୧୦୦ ବର୍ଷର ସମ୍ପତ୍ତି ୭ ବର୍ଷରେ ସାଫ୍‍ – ଖଣିଜପଦାର୍ଥର ନାହିଁ ମା କି ବାପ୍‍ ।

  • ଏସିଆ ମହାଦେଶରେ କେବଳ ଓଡିଶାର ସୁକିନ୍ଦାରେ ହିଁ ୯୬% କ୍ରୋମପଥର ଅଛି । ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣଆଫ୍ରିକା, ଜିମ୍ବାୱେ, କାଜାକ୍‍ସ୍ଥାନରେ ଗଚ୍ଛିତ କ୍ରୋମପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ । କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡିଶାବାସୀ ନୁହଁନ୍ତି – ସାରା ପୃଥବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ । କ୍ରୋମପଥର ବିଶେଷଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶି ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ । ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି – ସେଥବରେ କ୍ରୋମାଇଟ୍‍ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ । ବଲବ୍‍ ବେରିଙ୍ଗଠାରୁ ଆରମ୍ଭକରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ ।

ଦଧୀଚିର ଅସ୍ଥି – ଯାହାକୁ ନେଇ ବଜ୍ର । ଏ କ୍ରେମାଇଟ୍‍ ହେଉଛି – କଳିକାଳର ଦଧୀଚି ହାଡ – ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି । ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା । ଏସୀୟ ରାଷ୍ଟ୍ର ଚୀନ୍‍ ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରେମାଇଟର ବହୁଳାଂଶ । ଯେଉଁ ଦେଶର ଖଣିଜ କଂଚାମାଲ ରପ୍ତାନି ହୁଏ, ସେ ଦେଶର ଲୋକେ ହତଭାଗା । ଆମେ ସେହି ହତଭାଗା ଭାରତୀୟ – ଲକ୍ଷଲକ୍ଷ ବର୍ଷଧରି ଆମ ମାଟିତଳେ ଗଚ୍ଛିତଥିବା ମୂଲ୍ୟବାନ ଖଣିଜପଦାର୍ଥକୁ ବିଦେଶକୁ ଶାଗମାଛ ମୂଲରେ ବିକ୍ରି କରିଦେଉଛେ ।

“ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ୍‍ ଅଛି ଦିନେ ଶେଷ ହୋଇଯିବ । ସେତେବେଳେ ଏହି ଖଣି ଅଞ୍ଚଳ ‘ଭୂତଳ ଅଞ୍ଚଳ’ରେ ପରିଣତ ହେବ”

ତେବେ ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ୍‍ ଅଛି – ତାହା ବେପରୁଆ ଭାବେ ଉତ୍ତୋଳନକରି ବିକ୍ରି କରୁଥିଲେ କି ଚୋରି କରୁଥିଲେ – ତାହା ଦିନେ ଶେଷ ହୋଇଯିବ । ସେତେବେଳେ ସୁକିନ୍ଦା ଖଣି ଅଞ୍ଚଳ ‘ଭୂତଳ ଅଞ୍ଚଳ’ରେ ପରିଣତ ହେବ । ବର୍ମାରେ ଗଚ୍ଛିତ ଡିଜେଲ୍‍, ପେଟ୍ରୋଲ୍‍ ଶେଷ ହୋଇଗଲାପରେ ଯାହା ଅବସ୍ଥା ହେଲା, ସୁକିନ୍ଦା କ୍ରୋମାଇଟ୍‍ ସରିଗଲେ – କ’ଣ ହେବ ଏବଠୁ କହିହେବନି ।

କ୍ରୋମାଇଟ୍‍ ଯଦି ମାଟି ଉପରେ ବାଲିଗୋଡି ଭଳି ଥୁଆହୋଇଥାନ୍ତା – ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି । କ୍ରୋମାଇଟ୍‍ ଅଛି ସାତତଳ ପଙ୍କ ଭିତରେ ମାଟିତଳ ଗୋଦାମରେ । ଉପରେ ଜଙ୍ଗଲ, ଗଛମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର । କ୍ରେମାଇଟ୍‍ ବାହାର କରିବାକୁହେଲେ ଜଙ୍ଗଲ ଧ୍ୱଂସ କରିବାକୁ ହେବ – ଝରଣାର ଗତିପଥ ବଦଳାଇ ଦେବାକୁ ହେବ – ମାଟି କାଦୁଅ ଖୋଳିବାକୁ ହେବ – ଖଚ୍ଚିରେ ପାଣି ଭର୍ତ୍ତିହେଲେ – ପାଣି ପାଢି ନଈନାଳକୁ ଛାଡିବାକ ୁ ହେବ – ଆଉ ଅନେକ ଅନେକ କାର୍ଯ୍ୟ ଅକାର୍ଯ୍ୟ କରିବାକୁ ହେବ – ଏସବୁ ହେଲେ କ୍ରୋମାଇଟ୍‍ ‘ମହାପ୍ରଭୁ’ ପଦାକୁ ଆସିବେ । ସେହି କ୍ରୋମାଇଟ୍‍ ମହାପ୍ରଭୁଙ୍କୁ ଧଳା କାଗଜକଲମରେ ବିକିବେ, କଳାରେ ଦଶଗୁଣ ବିକିବେ । ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ । ସେଇ ଲାଭ ଟଙ୍କାରୁ ପାଞ୍ଚଦଶ ଭାଗ ‘ଭୋଗ’ବଣ୍ଟାରେ ଯିବ ।

ଓଡିଶାରେ ମାତ୍ର ସାତଆଠଟି ଲୁହାପଥର ଖଣିଚୋରି ଖୋଳତାଡ ହେବାରୁ ୩ ଲକ୍ଷ କୋଟି ଟଙ୍କା କେହିକେହି ୫ ଲକ୍ଷ କୋଟି ଟଙ୍କା ଦୁର୍ନୀତିକୁ ଶତାଦ୍ଦୀର ମହାଦୁର୍ନୀତି ବୋଲି କହୁଛନ୍ତି

ଆମ ଓଡିଶାରେ ମାତ୍ର ସାତଆଠଟି ଲୁହାପଥର ଖଣିଚୋରି ଖୋଳତାଡ ହେବାରୁ ୩ ଲକ୍ଷ କୋଟି ଟଙ୍କା କେହିକେହି ୫ ଲକ୍ଷ କୋଟି ଟଙ୍କା ଦୁର୍ନୀତିକୁ ଶତାଦ୍ଦୀର ମହାଦୁର୍ନୀତି ବୋଲି କହୁଛନ୍ତି । ୩୨ ପ୍ରକାର ଖଣିଜ ସଂପଦରୁ ମାତ୍ର ୧ ପ୍ରକାର ଲୁହାପଥର ଖଣି ପୁଣି ମାତ୍ର ୭/୮ଟି ଖଣିରେ ଯଦି ଏତେ ବିପୁଳ ପରିମାଣରେ ଚୋରି ହୋଇଥାଏ, ତା’ହେଲେ ଅତ୍ୟନ୍ତ ମୂଲ୍ୟବାନ ଖଣିଜ ସଂପଦ କ୍ରୋମାଇଟ୍‍, କୋଇଲା, ହୀରାମୋତି, ମାଣିକ, ସୁନା, ବକ୍ସାଇଟ୍‍, ମାଙ୍ଗାନିଜ୍‍ ପ୍ରମୁଖ ୩୧ ପ୍ରକାର ଖଣିଜ ପଦାର୍ଥର ପ୍ରାୟ ଏକହଜାର ଖଣିରୁ କେତେ ଚୋରିହୋଇଥିବ ଅନୁମାନ କରନ୍ତୁ ।

ଖଣିଜ ସଂପଦ ବିଶ୍ୱର ଭାତହାଣ୍ଡି । ଏଇ ବିଶ୍ୱରେ ଜାଣିଥିଲି – ୩୨ ପ୍ରକାର ଖଣିଜସମ୍ପଦ । ଏବେ ଜାଣିଲି ଆଉ ୩୦ ପ୍ରକାର ଅତି ପ୍ରୟୋଜନ ଦୁର୍ମୂଲ୍ୟ, ଜଟିଳ ଖଣିଜର ସନ୍ଧାନ । ପାଖାପାଖି ୫୦ପ୍ରକାର ଖଣିଜସଂପଦ ମଣିଷ ସଭ୍ୟତାର ବିକାଶରେ ଅତ୍ୟନ୍ତ ପ୍ରୟୋଜନ । ଏହି ଖଣି ପାଇଁ ସବୁଦେଶ ଧନଦାନବମାନେ ପାଗଳ । ପୃଥିବୀଗ୍ରହରୁ ଚନ୍ଦ୍ରଗ୍ରହକୁ ଯାଇ ଖଣିଜସଂପଦ ଖୋଜୁଛନ୍ତି । ଅର୍ଥନୈତିକ ବିକାଶ ଓ ଜାତୀୟ ସୁରକ୍ଷାପାଇଁ ଖଣିଜପଦାର୍ଥ ଅତ୍ୟନ୍ତ ଦରକାରୀ ଓ ଅମୂଲ୍ୟ । କେବଳ ଭାରତ ନୁହେଁ ସାରାବିଶ୍ୱ ପାଇଁ ଆବଶ୍ୟକ । ଲୁହାପଥର, କ୍ରୋମାଇଟ୍‍, କୋଇଲା, ମାଙ୍ଗନିଜ୍‍, ବକ୍‍ସାଇଟ୍‍, ହୀରା, ସୁନା, ମଣି, ମାଣିକ୍ୟ ପ୍ରମୁଖ ୩୨ ପ୍ରକାର ଏବଂ ଅତ୍ୟନ୍ତ ଜଟିଳ ଖଣିଜସଂପଦ ଲିଥିୟମ, କୋବାଲ୍ଟ, ନିକେଲ୍‍, ଭାଣ୍ଡାଡିଅମ୍‍, ନିଓବିଓମ୍‍, ସେରାମନିୟମ, ଫେନିୟମ, ବେରିଲିୟମ, ଟାଣ୍ଟାଲିଓମ୍‍, ଷ୍ଟ୍ରୋଟିଲଅମ୍‍, ଆଣ୍ଟିମନି, ବିସ୍‍ମୁଥ, କୋପର, ଗାଲିୟମ, ଗ୍ରାଫାଇଟ୍‍, ହାଫନିୟମ୍‍, ଇଣ୍ଡୁଏମ୍‍. ମୋଲିବେଭନିୟମ୍‍, ପ୍ଲାଟିନମ୍‍ ଗ୍ରୁପ୍‍, ଫସପରସ୍‍ ୟିଙ୍ଗସ୍‍, ପଟାସ୍‍, ରେଆର ଇରଥିଏଲିମେଣ୍ଟସ୍‍, ସିଲିକନ୍‍, ଟେଲିଟୁରିୟମ୍‍, ଟିନ୍‍, ଟାଟାନିୟମ, ଟୁଙ୍ଗଷ୍ଟେନ୍‍ ଜିରାକୋନିୟମ, ସିଲେନିୟମ୍‍, କାଡମିୟମ୍‍ ପ୍ରଭୃତି ୩୦ ପ୍ରକାର ପାତାଳରେ, ପାହାଡପର୍ବତରେ ପ୍ରକୃତି ମା’ ଧରଣୀ ସାଇତି ରଖିଛି ।

ଏ ସମସ୍ତ ଖଣିଜସଂପଦ ସକଳ ଭୂଭାଗରେ ବିଚ୍ଛୁରିତ । ଏ ସମସ୍ତ ଖଣିଜସଂପଦ ପୃଥିବୀପୃଷ୍ଠରେ ଯିଏ ଯେଉଁଠି ଦେଶଗଢି ବସବାସ କରୁଛନ୍ତି – ସେ ଭୂଖଣ୍ଡରେ ସେ ମାଲିକ । କିନ୍ତୁ ଖଣିଜସଂପଦ ସମସ୍ତଙ୍କର ବିକାଶର ଅଗ୍ରଗତି ପାଇଁ ଜରୁରୀ । ତେଣୁ ଖଣିଜସଂପଦ ଆମଦାନୀ-ରତ୍ପାନୀ କରାଯାଏ । ଏଇସବୁ ଖଣିଜସଂପଦରୁ ଯେଉଁସବୁ ପଦାର୍ଥ ପ୍ରସ୍ତୁତ ହୁଏ, ତା’ର ଅମୂଲ୍ୟ ମୂଲ୍ୟ । ଯାହାପାଖରେ ଅର୍ଥ – ସେ ହାତେଇନେଇ ଫିନସ୍‍ପ୍ରଡକ୍ଟ କରି ପୁଣି ଆମଦାନୀ-ରତ୍ପାନୀ ହୁଏ । ଯିଏ ବେଶି ମୁଣ୍ଡ ଖଟାଇଲା – ସେଇ ଦେଶ ବେଶି ଲାଭପାଏ । ଯେଉଁମାନେ ମୁଣ୍ଡଖଟେଇ ପାରନ୍ତିନାହିଁ ଖଣିଜ କଞ୍ଚାମାଲକୁ ବିକାବିକି କରନ୍ତି – ସେ ଦେଶର ଲୋକେ ହତଭାଗା ।

ଲିଥିୟମ୍‍ ହେଉଛି ନୂଆଚେହେରାରେ ଚାନ୍ଦିସୁନା । ଏହି କଅଁଳ ସିଲଭର୍‍ ଧଳାମେଟାଲ୍‍ରେ ବିଦ୍ୟୁତ୍‍ଚାଳିତ ଗାଡିର ବ୍ୟାଟେରୀ, ମୋବାଇଲ୍‍ ଫୋନ୍‍ ରିଚାର୍ଜ ବ୍ୟାଟେରୀ, ହାଇଡ୍ରୋଜେନ୍‍ ଫୁଏଲ୍‍ ଷ୍ଟୋରେଜ୍‍, ମିଲିଟାରୀ ବାଲିଷ୍ଟିକ୍‍ ଆରମୋଭର୍‍, ଏୟାରକ୍ରାଫ୍ଟ, ଟ୍ରେନ୍‍ କମ୍ପାଟ୍‍ମେଣ୍ଟସ୍‍, ଟ୍ରେନ୍‍ କମ୍ପୋନେଣ୍ଟସ୍‍ କାର୍ଯ୍ୟରେ ଲାଗେ । ଏଇ ଲିଥିୟମ ଭାରତରେ ଏକ କିଲୋଗ୍ରାମ୍‍ ମଧ୍ୟ ନାହିଁ । ଆମେ ହଂକଂ, ଚୀନ୍‍, ଇଣ୍ଡୋନେସିଆ, ସିଙ୍ଗାପୁର, ଦକ୍ଷୀଣକୋରିଆରୁ କିଣୁଛେ । କୋବାଲ୍ଟ ବ୍ୟବହାର ହୁଏ – ଇଲେକ୍ଟ୍ରି କମ୍ପୋନେଣ୍ଟସ୍‍, ଟର୍‍ବାଇନ୍‍ ଇଂଜିନ୍‍ କମ୍ପୋନେଣ୍ଟସ୍‍, ଅଟୋମୋବାଇଲ ଏୟାରବ୍ୟାଗଗ, ଡ୍ରାଇଙ୍ଗ୍‍ ଏଜେଣ୍ଟସ୍‍ ଅଫ୍‍ ପେଣ୍ଟସ୍‍ । ଏହି ସଂପଦ ଆମେ ଚୀନ୍‍, ବେଲଜିୟମ୍‍, ନେଦରଲ୍ୟାଣ୍ଡ୍‍, ଆମେରିକା, ଜାପାନରୁ ଆମଦାନୀ କରୁଛେ ।

ନିକେଲ ଖଣିଜସଂପଦ ଜେଟ୍‍ ଆଣ୍ଡ୍‍ କମ୍ବିନେସନ୍‍ ଇଂଜିନ୍‍ କମ୍ପୋନେଣ୍ଟସ୍‍ ରିଚାର୍ଜ ବେଲ୍‍ ବ୍ୟାଟେରୀ ଟୋନସ୍‍, କମ୍ପ୍ୟୁଟରସ୍‍, ଇଣ୍ଡରଷ୍ଟ୍ରିଆଲ୍‍ ମାନ୍ୟୁଫାକ୍‍ଚରିଙ୍ଗ୍‍ ମେସିନସ୍‍ କାର୍ଯ୍ୟରେ ଲାଗେ । ଚୀନ୍‍, ସ୍ୱିଡେନ୍‍, ଇଣ୍ଡୋନେସିଆ, ଜାପାନ, ଫିଲିପାଇନସରୁ ରତ୍ପାନୀ କରୁଛେ । ଆମ ଭାରତର ଓଡିଶାର ସୁକିନ୍ଦାରେ ନିକେଲ ଅଛି । ମାଟିଖୋଳି କ୍ରୋମାଇଟ୍‍ସ୍ତର ଡେଇଁଲେ ନିକେଲ ମିଳିବ । କ୍ରୋମାଇଟ୍‍ ମାଲିକଙ୍କ ଚକ୍ରାନ୍ତରେ ଏହି ନିକେଲ ବାହାରିପାରୁନାହିଁ । ଭାନାଡିୟମ୍‍ ବ୍ୟବହାର ହୁଏ ମିଲିଟାରୀ ଆରମୋଭର୍‍ ପ୍ଲେଟିଙ୍ଗ୍‍, ଭେହିକିଲ୍‍ ଆଙ୍କିସ୍‍, ନ୍ୟୁକ୍ଲିଅର ରିଆକ୍ଟର କମ୍ପୋନେଣ୍ଟସ୍‍ । ଏହା ଜର୍ମାନୀ, ସାଉଥଆଫ୍ରିକା, ବ୍ରାଜିଲ୍‍, କୁଏତ୍‍, ଥାଇଲାଣ୍ଡରେ ମିଳେ ।

ନିଓବିୟମ୍‍ ଖଣିଜଧାତୁରେ ଜେଟ୍‍ ଇଂଜିନ୍‍, ରକେଟସ୍‍, ଏମ୍‍.ଆର୍‍.ଆଇ. ସ୍କାନର୍ସ, ଅଏଲ୍‍ ରିଗସ୍‍, ପାଇପ୍‍ ଲାଇନସ୍‍ରେ ବ୍ୟବହୃତ । ଏହାକୁ ବ୍ରାଜିଲ୍‍, ଅଷ୍ଟ୍ରେଲିଆ, କାନାଡା, ସାଉଥଆଫ୍ରିକା, ଇଣ୍ଡୋନେସିଆରୁ ରତ୍ପାନୀ କରୁ । ଜେରାନିୟମ ଫାଇବ୍ରାଅପଟିକ୍‍ କମ୍ୟୁନିକେସନ୍‍ ନେଟ୍‍ ୱାର୍କସ, କ୍ୟାମେରାଓ ମାଇକ୍ରୋସ୍କୋପ୍‍ ଲେନସ୍‍, ଇନ୍‍ଫ୍ରାରେଡା ନାଇଟ୍‍ ଭିଜନ୍‍ ସିଷ୍ଟମସ୍‍ରେ ବ୍ୟବହାର ହୁଏ । ଫେଲିଅମ୍‍ରେ ଏରିଓସ୍ପେସ୍‍ ପ୍ରଡକ୍ଟ, ରିଫାଇନ୍‍ ପେଟ୍ରୋଲିୟମ୍‍ ପ୍ରଡକ୍ଟ ପ୍ରସ୍ତୁତ ହୁଏ । ଏହା ରୁଷ, ଚୀନ୍‍, ଇଂଲଣ୍ଡ, ନେଦରଲ୍ୟାଣ୍ଡ୍‍, ସାଉଥଆଫ୍ରିକାରୁ ଆମଦାନୀ ହୁଏ । ବେରିଲିୟମ୍‍ ବ୍ୟବହାର ହୁଏ କମ୍ପ୍ୟୁଟର ଇଲେକ୍ଟ୍ରୋନିକସ୍‍ ଏବଂ ଅପ୍ଟିକାଲ ପ୍ରଡକ୍ଟସ୍‍ରେ । ଟାଣ୍ଟାନିୟମରେ କାପାସିଟର, ଗ୍ୟାସ୍‍ ଟରବିନ୍‍ କମ୍ପୋନେଣ୍ଟସ୍‍, ମିଶାଇଲ୍‍ ଏବଂ ରେଡିଓ କମ୍ୟୁନିକେସନ୍‍ ସିଷ୍ଟମସ୍‍ ପ୍ରସ୍ତୁତ ହୁଏ । ଏହା ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସାଉଥଆଫ୍ରିକା, ମାଲେସିଆ, ଆମେରିକାରୁ ଆମଦାନୀ ହୁଏ । ଷ୍ଟ୍ରୋଟିୟମ୍‍ରେ ବାଇକ୍‍ ଆସେସୋରିଜ୍‍, କାଷ୍ଟିଙ୍ଗ୍‍ ଆଏ ନନ୍‍ଫେରିଏସ୍‍ରେ ବ୍ୟବହୃତ ହୁଏ । ଏହା ଚୀନ୍‍, ଆମେରିକା, ରୁଷିଆ, ଇଷ୍ଟୋନିଆ, ଷ୍ଟୋଭେନିଆରୁ ଆମଦାନୀ ହୁଏ । ବାକି ୨୦ପ୍ରକାର ଜଟିଳ ଖଣିଜପଦାର୍ଥରୁ ନୂଆନୂଆ ପରୀକ୍ଷାନିରୀକ୍ଷା କରି ପଦାର୍ଥ ପ୍ରସ୍ତୁତ ହେଉଛି ।

ଭାରତ ସରକାରଙ୍କ ନିଜର ଅପହୃତ ଇଛାଶକ୍ତି ଓ ଦୂରଦୃଷ୍ଟିହୀନପାଇଁ ଦୁର୍ମୂଲ୍ୟ ଖଣିଜସଂପଦକୁ ଖଣିରୁ ବାହାରକରି କଳକାରଖାନାରେ ବ୍ୟବହାର କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟକରିବା ଆବଶ୍ୟକ – ସେଥିପ୍ରତି ଆଦୌ ଦୃଷ୍ଟି ଦେଉନାହାଁନ୍ତି । ସବୁ ଖାମଖିଆଲ ଖାଲି ଖଣିଜସଂପଦ ଯେନତେନ ପ୍ରକାରେଣ କାଢି ବସ୍ତାବସ୍ତା ଅର୍ଥ ସାଇତିବା ହେଲା ମୂଳଲକ୍ଷ୍ୟ ।

ଭାରତର ଏନର୍ଜି ସେକ୍ଟର ଅତ୍ୟନ୍ତ ଦୁର୍ବଳ । ବର୍ତ୍ତମାନ ସାରାବିଶ୍ୱରେ ବିଜୁଳି, ତେଲର ଆବଶ୍ୟକତା ଅଛି । ଏହି ବିଜୁଳିଶକ୍ତି, ଡିଜେଲ, ପେଟ୍ରୋଲ୍‍, କୋଇଲା ଏବଂ ପ୍ରାକୃତିକ ଗ୍ୟାସରୁ ଆସେ । ଭାରତ ପୃଥିବୀର ଜନସଂଖ୍ୟାରେ ଏକନମ୍ବର କିନ୍ତୁ ଆମ ବୁଦ୍ଧିଆ ଲୋକମାନଙ୍କୁ ବିଦେଶୀମାନେ କିଣିନେଇଛନ୍ତି । ମୋଟା ଦରମା, ସବୁ ସୁବିଧା ଯୋଗାଇଦେଇ ଆଧୁନିକ ଗୋଲାମକରି ରଖିଛନ୍ତି । ସେମାନଙ୍କୁ ବୁଦ୍ଧିକୁ ତାଙ୍କ ଦେଶର ସଂପତ୍ତି ବଢାଇବାରେ ଲଗେଇଛନ୍ତି । ଆଉ ଯେଉଁ ଦ୍ୱିତୀୟ ବୁଦ୍ଧିଆମାନେ ରହିଲେ – ସରକାର ସେମାନଙ୍କ ମୁଣ୍ଡ ଖରାପକରିଦେଇ ସୁବିଧାବାଦୀଗୋଲାମ କରିଦେଇଛନ୍ତି । ବାକି ତୃତୀୟ, ଚତୁର୍ଥ ଅଧାପାଠୁଆ ଯୁବଶକ୍ତି ନିଶାଗ୍ରସ୍ତ – ମାଗଣାଖିଆ – ବାକି ପଞ୍ଚମ ବୁଦ୍ଧିଆମାନେ ସରଳ, ଶାନ୍ତ, ଚାଷୀମୂଲିଆଶ୍ରମିକ ପେଟକୁ ପୁରା ଦାନା ପାଉଛନ୍ତି । ଆମ ଭାତହାଣ୍ଡି ଖଣିରୁ ଦେଶୀବିଦେଶୀ ଧନଦାନବମାନେ ସବୁ ଭାତନେଇ ହାଣ୍ଡି ଭାଙ୍ଗି ଦେଇଛନ୍ତି । ଏବେ ଭଙ୍ଗାହାଣ୍ଡିର ଭାରତବର୍ଷର ଜନ୍ତାରେ ପଡି ଜନତା ଜିଅନ୍ତା ଜଳୁଛନ୍ତି । କ୍ଷୟ ହୋଇଯିବ ଖଣିଜସଂପଦ – ଏଡାଇ ହେବନାହିଁ ଏ ଭୟାନକ ଭବିଷ୍ୟତ ।

ସେଇ ସୁକିନ୍ଦା ଉପତ୍ୟକା ଖଣି ଅଞ୍ଚଳରେ ମୋର ଉତ୍ତପ୍ତ ତାରୁଣ୍ୟର ସବୁଯାକ ଦ୍ୱିପ୍ରହର ମୁଁ କଟାଇସାରିଛି । ଯାହା ଦେଖୁଛି – ବ୍ୟକ୍ତିତ୍ୱ ବର୍ତ୍ତମାନ ଜିରୋ – ବିତ୍ତ ବର୍ତ୍ତମାନ ପୌରୁଷ । ଖଣି ମାଲିକରୁ ମୁଲକ ମାଲିକ ହେବାର ରାସ୍ତା ତିଆରି ହେଲାଣି । ଏ ରାତାରାତି ରାଜନୀତିର ଜମାନା – ଖରି ଲୁଟେରାମାନେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବାର ଯୋଜନା କରୁଛନ୍ତି । କୌଳିକତାହୀନ ଏବଂ ମୌଳିକତାହୀନ ଗୁଡାଏ ଅପଦାର୍ଥ ଏହି ଖଣିଜପଦାର୍ଥକୁ ଆତ୍ମସାତ୍‍ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତ୍ତର ଅଧିକାରୀ ହେବାକୁ ଯାଉଛନ୍ତି – ତାହା ସେମାନଙ୍କୁ ଜନଗଣଙ୍କର ପିଠି ଉପରେ ତାବୁକ୍‍ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ – କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ – ଅଛି ବିତ୍ତରେ । ଧନ ଧଳା ହେଉ କି କଳା ହେଉ – ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱବର୍ଜିତ – ଅଥଚ ବିତ୍ତଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରାସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ ।

ଏଇ କଥା ଆଜି କହିଲାବେଳକୁ ମୁଁ କ୍ଲାନ୍ତ ନୁହେଁ ଅବଶ୍ୟ, ମାତ୍ର ଭୟଙ୍କର ଭାବରେ ହତାଶ । କାରଣ – ଏଇ କଥା – ଖାଲି ଏତିକି କଥା ନୁହେଁ – ଆହୁରି ବହୁତ କଥା – ବହୁବର୍ଷ ତଳୁ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କଠୁ ଆରମ୍ଭକରି ରାଜନୈତିକ ସ୍ୱପ୍ନବିଳାସୀ ବିଜୁବାବୁଙ୍କ ପର୍ଯ୍ୟନ୍ତ କାହା କାହାକୁ ମୁଁ ନ କହି ଆସିଛି – ଅଳ୍ପ କହିଛି – ବହୁତ ଅକୁହା ରହିଛି – କାହିିଁକି ନା କୌଣସି କର୍ଣ୍ଣଧାର ମୋର ଏ କଥାରେ କର୍ଣ୍ଣପାତ କରିନାହାଁନ୍ତି ବୋଲି ମୁଁ କାହିଁକି କେଜାଣି ଭାବିଆସୁଛି । ଏବେ ନେଡିଗୁଡ କହୁଣୀକୁ ବୋହିଯିବା ବେଳକୁ ଖଣିକୁ ନେଇ ଖାଲି ଖଞ୍ଜଣି ମାଡ, ଶାସନ ଛାଡ । କିନ୍ତୁ ଯିଏ ବି ଶାସନକୁ ଆସିଲା, ସେ ବି ଏଇ ଖଣିଲୁଟିର ଲାଳସାରେ ଲଟରପଟର ହେବାର ଦେଖିଲି – ପ୍ରତିବାଦ କରି କରି ମୁଁ ନିଜେ ପ୍ରତ୍ୟାହୃତ କରିଆଣିଛି ନିଜକୁ ତଥାକଥିତ କର୍ଣ୍ଣଧାରମାନଙ୍କର କେନ୍ଦ୍ରୀୟ ପରିଧିରୁ ।

  • ମାୟାଧର ନାୟକ,
  • ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.