ମାନସ ସ୍ୱାଇଁ ହତ୍ୟାକାଣ୍ଡ: ନିରଞ୍ଜନ ସେଠୀ ଗିରଫ

0

  • ଭୁବନେଶ୍ୱର//TATKAL ODISHA//

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଓଆଇଏସ ଅଧିକାରୀ ତଥା ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି I ମାତ୍ର ବର୍ତ୍ତମାନ ସୁଦ୍ଧା  ବହୁଚର୍ଚ୍ଚିତ ‘ଚିପ’ ମିଳିପାରି ନାହିଁ କି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସର୍ମିଷ୍ଠା ରାଉତ ଗିରଫ ହୋଇ ନାହାନ୍ତି I ସେ ଏବେବି ଫେରାର ଅଛନ୍ତି I 

   ଭଦ୍ରକ ଓ କମିଶନରେଟ ପୋଲିସ ଏନେଇ ତନାଘନା ଚଳାଇଛି। ଏହି ହତ୍ୟାକାଣ୍ଡ ପଛରେ ସାପ୍ତାହିକ ଖବରକାଗଜ ମାଲିକାଣୀ ସର୍ମିଷ୍ଠାଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଛି । ହେଲେ ସର୍ମିଷ୍ଠାଙ୍କ ପଛରେ କିଛି ବଡବାବୁ ଓ ଧଳାହାତୀଙ୍କର ପ୍ରଚ୍ଛନ୍ନ ହାତ ଥିବା ନେଇ ଯେଉଁ ଚର୍ଚ୍ଚା ହୋଇଥିଲା, ତାହା ସତ ହେବାକୁ ବସିଛି  ।

ଶର୍ମିଷ୍ଠା ରାଉତ ଏବେବି ଫେରାର

  ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ  ସର୍ମିଷ୍ଠା ଏକ ଦୈନିକ ଖବରକାଗଜରୁ କ୍ରାଇମ ରିପୋର୍ଟର ଭାବେ ନିଜର କ୍ୟାରିଅର  ଆରମ୍ଭ କରିଥିଲେ । ହେଲେ ଚାକିରୀରୁ ତାଙ୍କୁ ବାହାର କରିଦିଆଯାଇଥିଲା । ପରେ ସେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ । କେଇଦିନ ମଧ୍ୟରେ ସେ ହଠାତ କୋଟିପତି ପାଲଟି ଯାଇଥିଲେ । ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ଏକ ଘର, ବିଳାଶପୂର୍ଣ୍ଣ କାର ଓ ହାଇଫାଇ ଢଙ୍ଗରେ ଚଳଣୀ ଆରମ୍ଭ କରିଥିଲେ ବୋଲି ଚର୍ଚ୍ଚା ହେଉଛି। ଏପରିକି ନେତା, ମନ୍ତ୍ରୀ ଓ ପ୍ରଶାସନମାନଙ୍କ ପାଖରେ ତାଙ୍କର ଦବଦବା ଜାହିର କରିଥିଲେ । ଏପରିକି କିଛି ବଡବଡିଆ ରାଜନେତା ଓ କିଛି ପ୍ରଶାସକଙ୍କ ସହ ସେ ରାଜ୍ୟ ବାହାରକୁ ଗସ୍ତ ମଧ୍ୟ କରିଥିଲେ ବୋଲି କୁହାଯାଇଛି  । 

ସମୟ ଏବେ ଯେତିକି ଗଡୁଛି, ହତ୍ୟାକାଣ୍ଡକୁ ନେଇ ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନିରଞ୍ଜନ ସେଠୀ ଗିରଫ ହେବା ପରେ କିଛି ଗୁମର ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି I 

Leave A Reply

Your email address will not be published.