ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

0

  • ସମ୍ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,//TATKAL

ଜଣେ ମହିଳାଙ୍କ ପେଟରୁ ୧୦.୫ କେଜି ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ସର୍ଜନ। କଳାହାଣ୍ଡି ଅଂଚଳର ୫୦ ବର୍ଷୀୟା ମହିଳାଙ୍କ ପେଟରେ ଏହି ଟ୍ୟୁମର ସୃଷ୍ଟି ହୋଇଥିବା ବେଳେ ସଫଳତାର ସହ ଏହାକୁ ବାହାର କରିପାରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍

ଦୀର୍ଘ ଦୁଇ ବର୍ଷ ଧରି ମହିଳା ଜଣଙ୍କର ପେଟ ଅସ୍ବାଭାବିକ ଭାବେ ଫୁଲି ରହିଥିବା ବେଳେ ସେ ଠିକ୍ ଭାବରେ ଚଲାବୁଲା ମଧ୍ୟ କରି ପାରୁନଥିଲେ । ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲକୁ ଆସି ଡାକ୍ତର ପଣ୍ଡାଙ୍କ ନିକଟରେ ଏହି ମହିଳା ଜଣକ ଚିକିତ୍ସା ଆରମ୍ଭ କରିଥିଲେ।

ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିବାର ଜଣାପଡିଥିଲା ଏବଂ ତାଙ୍କ ତଳିପେଟରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବା ଜଣାପଡିଥିଲା। ଏପରି ସମସ୍ୟାକୁ ଲିୟୋମାୟୋସାରକୋମା କୁହାଯାଏ ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଏହା ଏକ ବଡ ଟ୍ୟୁମର ଥିଲା ଏବଂ ପେଟ ଭିତରେ ଅନ୍ୟ ଅଙ୍ଗ ଗୁଡିକ ସହ ମଧ୍ୟ ଏହା ଯୋଡ଼ି ହୋଇ ରହିଥିଲା। ତେଣୁ ଟ୍ୟୁମରଟିକୁ ଅନ୍ୟ ଅଙ୍ଗ ଗୁଡିକ ଠାରୁ ଅଲଗା କରି ଅସ୍ତ୍ରୋପଚାର ଜରିଆରେ ବାହାର କରିବା ଖୁବ୍ କଷ୍ଟକର ଥିଲା। ତେବୁ ଅତ୍ୟନ୍ତ ଯତ୍ନ ଓ ସତର୍କତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

ଏଭଳି ସମସ୍ୟା ଆରମ୍ଭରୁ ଜଣାପଡେ ନାହିଁ ଏବଂ ପରବର୍ତୀ ଅବସ୍ଥାରେ ଏହା ଗୁରୁତର ହୋଇ ଉଠିଥାଏ। ତେଣୁ ଆମେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଛୁ ଏବଂ ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ପଣ୍ଡାଙ୍କ ସମେତ ଅସ୍ତ୍ରୋପଚାର ଟିମରେ ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଶାଶୁତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କୋଲୋଜି ବିଭାଗର ଡାକ୍ତର ସି. ପ୍ରଥମେଶ ଏବଂ ଡାକ୍ତର କେ, ବିକାଶ ପ୍ରମୁଖ ସାମିଲ ଥିଲେ ।

++++++++++++++++++++++++++++++++++++++++

Leave A Reply

Your email address will not be published.