ମହା ବିଷୁବ ସଂକ୍ରାନ୍ତି: କେବେ, କାହିଁକି ଓ କିପରି?
- ବୀଣାପାଣି ତ୍ରିପାଠୀ
- //TATKAL ODISHA//
ବୈଶାଖ କୃଷ୍ଣ ନବମୀ ତିଥି । ଓଡ଼ିଆ ନବବର୍ଷର ପ୍ରଥମ ଦିନ । ସଂକଟମୋଚନ ବୀର ହନୁମାନଙ୍କ ଜନ୍ମ ଦିବସ । ସନାତନ ହିନ୍ଦୁ ଧର୍ମାନୁସାରେ ପଣା ସଂକ୍ରାନ୍ତି କିମ୍ବା ମହା ବିଷୁବ ସଂକ୍ରାନ୍ତି । ବୈଶାଖର ଆଦ୍ୟ ପର୍ବରେ ରୌଦ୍ରତାପ ପ୍ରଖର । କିନ୍ତୁ ବୃକ୍ଷ ତରୁଲତାର ନବ ପଲ୍ଲବ କିଛିଟା ଗାଢ଼ା ହୋଇ ସୃଷ୍ଟି କରେ ସବୁଜିମା । ଏହିଦିନ ଠାରୁ କୃଷକ ଅପେକ୍ଷା କରେ ଅକ୍ଷୟ ତୃତୀୟା ତିଥିକୁ । ଅଦିନିଆ ବର୍ଷା ଟିକକ ତା ମାଟିକୁ ଦିଏ ବଳ । ଏପରି ଏକ ମହାର୍ଘ ଦିନକୁ ସମସ୍ତେ ଚାହିଁ ରହିଥାନ୍ତି । ଯାହାକୁ ମହା ବିଷୁବ ସଂକ୍ରାନ୍ତି ଓ ପଣା ସଂକ୍ରାନ୍ତି ବୋଲି କୁହାଯାଏ ।
ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ସୌର ଜଗତର ଗତିବିଧି ଲକ୍ଷ୍ୟ କରି ଓଡ଼ିଆ ମାସର ଗଣନା କରାଯାଏ । ସୌର ମାସର ଗଣନା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବାବେଳେ ଚନ୍ଦ୍ରମାସର ଗଣନା ପୂର୍ଣ୍ଣମୀଠାରୁ ଆରମ୍ଭ ହୁଏ । ବର୍ଷକର ବାରମାସ ବାରଟି ରାଶିଙ୍କ ଚଳନ ଅନୁଯାୟୀ ଆସେ । ବାରଟି ରାଶିର କ୍ରମାନ୍ବୟରେ ବାରଟି ସଂକ୍ରାନ୍ତିର ନାମକରଣ କରିବାର ବିଧି ରହିଛି । ବୈଶାଖ ମାସର ଆରମ୍ଭ ହୁଏ ମେଷ ସଂକ୍ରାନ୍ତିଠାରୁ ।
ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବେଳେ ପୃଥିବୀ ବିଷୁବ ରେଖା ଉପରକୁ ଆସିଥାଏ । ଯେଉଁଥିପାଇଁ ଏହି ଦିନଟିକୁ ବିଷୁବ ସଂକ୍ରାନ୍ତି ବୋଲି ଗଣନା କରାଯାଏ । ଆରମ୍ଭ ହୁଏ ନୂତନ ପଞ୍ଜିକାର ଗଣନା ।
ବିବାହ, ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଦିନ ଓ ମୂହୁର୍ତ୍ତ ନିର୍ଣ୍ଣୟ ଏହି ଦିନଠାରୁ ଆଗାମୀ ବର୍ଷକ ପାଇଁ କରାଯାଇଥାଏ ।
ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର । ଆଜିର ଦିନଟି ସୂର୍ଯ୍ୟ ନାରାୟଣଙ୍କୁ ସମର୍ପିତ । ସୌର ଉପାସକମାନଙ୍କର ଆଜି ହେଉଛି ଆଦ୍ୟ ଦିବସ ।
” ନମଃ ଶବିତ୍ରେ ଜଗଦେକ ଚକ୍ଷୁସେ ।
ଜଗତ୍ପ୍ରସୂତି ସ୍ଥିତି ନାଶ ହେତବେ । ।
ତ୍ରୟିଂଅୟାୟ ତ୍ରିଗୁଣାତ୍ମକ ଧାରିଣୀ ।
ବିରଞ୍ଚିନାରାୟଣ ସଂକରାତ୍ମନେ” । ।
ଆ-କା-ମା ବୈ, ପାନ ଗୁଆ ଥୋଇ ବୋଲି ଏକ ଲୋକକଥା ପ୍ରଚଳିତ ଅଛି । ସାଧାରଣତଃ ଏହି ଲୋକକଥା କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ ବେଳେ ବୋଲାଯିବାର ପରମ୍ପରା ରହିଛି । କିନ୍ତୁ ଏହାର ବୈଶିଷ୍ଟ୍ୟ ଭିନ୍ନ ରହିଛି । ବର୍ଷକ ବାରମାସ ଭିତରେ ଏହି ଚାରିମାସ ପ୍ରସିଦ୍ଧ ମାସ । ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ।
ବୈଶାଖମାସ ଧର୍ମମାସ । ସୂର୍ଯ୍ୟ ହେଉଛନ୍ତି ଧର୍ମଦେବତା । ସୂର୍ଯ୍ୟନାରାୟଣଙ୍କ ଉପାସନାର ପ୍ରକୃଷ୍ଟ ଦିନ ହେଉଛି ଆଜିର ମହା ବିଷୁବ ସଂକ୍ରାନ୍ତି । ଗ୍ରୀଷ୍ଣ ଋତୁ ଆରମ୍ଭରୁ ରୌଦ୍ରତାପ ଅଧିକ ଥିବାରୁ ଶରୀର ଶୀତଳ କରିବା ପାଇଁ ଅଧିକରୁ ଅଧିକ ପଣା ପିଇବା ଜରୁରୀ । ଏହି ସଂକ୍ରାନ୍ତିରେ ଭୋଗ ଆକାରରେ ପଣା ଓ ଛତୁଆ ସୂର୍ଯ୍ୟ ଓ ଅନ୍ୟ ଦେବାଦେବୀଙ୍କୁ ଭୋଗ କରିବାର ବିଧି ରହିଛି ।
ବୈଶାଖରେ ଖରାର ପ୍ରକୋପ ଯୋଗୁ ମାଟିରୁ ଜଳ ପରିମାଣ ହ୍ରାସ ପାଏ । ଚଉଁରାରୁ ତୁଳସୀ ଗଛ ଶୁଖିଯିବା ଅଶୁଭ ଲକ୍ଷଣ ।
ଏଥିପାଇଁ ଚଉଁରାରେ ବସ୍ତନ୍ତ ବଢ଼ା ବାନ୍ଧି ଜଳପଣା ଦିଆଯିବାର ପରମ୍ପରା ରହିଛି । ଖାଲି ତୁଳସୀ ଗଛ ନୁହେଁ, ବେଲଗଛ, ନିମ୍ବ, ବର, ମନ୍ଦିର ଓ ପୂର୍ବପରୁଷଙ୍କ ସମାଧିରେ ବସନ୍ତ ବଢ଼ା ବାନ୍ଧି ଜଳ ଓ ପଣା ଅର୍ପଣ କରାଯାଏ । ଏହିଦିନ ମହାବୀର ହନୁମାନଙ୍କ ଜୟନ୍ତୀ ପାଳନ ହୁଏ । ପବନ ପୁତ୍ର ହନୁମାନ ହେଉଛନ୍ତି ଶ୍ରୀରାମଙ୍କ ଭକ୍ତ । ସେ ସାହାସ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ । ସେହିଦିନ ସମସ୍ତ ହନୁମାନ ମନ୍ଦିର ଓ ଆଖଡ଼ା ଗୃହମାନଙ୍କରେ ହନୁମାନଙ୍କର ପୂଜାର୍ଚ୍ଚନା ଓ ଯାଗ ଯଜ୍ଞ ଆଦି କରାଯାଏ । ଆଖଡ଼ା ଘରମାନଙ୍କରେ ଥିବା ବିଭିନ୍ନ ଉପକରଣର ମଧ୍ୟ ପୂଜାର୍ଚ୍ଚନା ହୋଇଥାଏ ।
ଓଡ଼ିଆ ନବବର୍ଷ ଯୋଗୁ ସମସ୍ତଙ୍କ ଘରେ ଜମେ ପଣାର ଆସର । ଏହି ଦିନମାନଙ୍କରେ ବେଲ ଅଧିକ ପରିମାଣରେ ମିଳୁଥିବାରୁ ବେଲପଣା ସମସ୍ତେ ଗ୍ରହଣ କରିଥାନ୍ତି । କାରଣ ବେଲ ଶରୀରକୁ ଥଣ୍ଡା ରଖିବା ସହିତ ପେଟର ଯାବତୀୟ ରୋଗ ନାଶ କରିଥାଏ । ଏହାଛଡ଼ା ଦହି ପଣା, କ୍ଷୀର ଛେନା ଓ ବିଭିନ୍ନ ସୁମିଷ୍ଟ ଫଳର ମିଶ୍ରଣରେ ବି ପଣା ହୋଇଥାଏ । ଏହି ଦିନ ଚଉରା ମୂଳେ ଗବଗଛ ବାଡ଼ି କିମ୍ବା ନଡ଼ିଆ ଗଛର ବାହୁଙ୍ଗାରେ ଚାଞ୍ଚେରା ବୁଣାଯାଇ ଛାମୁଣ୍ଡିଆ କଲାଭଳି ତୁଳସୀ ଚଉରାରେ ବନ୍ଧାଯାଏ । ଏହାସହିତ ବାଣିରେ ଏକ ଶିକା ପ୍ରସ୍ତୁତ ହୋଇ ଏକ ଛୋଟ ଛିଦ୍ର ହୋଇଥିବା କଳସୀରେ କୁଶ ଲମ୍ବାଇ ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଏଥିରେ ଜଳପୂର୍ଣ୍ଣ କରାଯାଏ । ଚଉଁରାରେ ଏହି କଳସୀ ବନ୍ଧାକୁ ବସନ୍ତ ଘଡ଼ି ବା ବସନ୍ତ ବଢ଼ା କୁହାଯାଏ ।
ଏହିଦିନ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଆଉ ଏକ ପରମ୍ପରା ଦେଖିବାକୁ ମିଳିଥାଏ । ତା ହେଉଛି ଝାମୁଯାତ୍ରା ଓ ଦଣ୍ଡ ଯାତ୍ରା । ସଂକ୍ରାନ୍ତିର ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଥାଏ ଦଣ୍ଡ ଯାତ୍ରା । ଏହି ଯାତ୍ରାରେ ମାନସିକ ଧାରୀ ଦଣ୍ଡୁଆ ନିଜ ନିଜର ଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସାରି ଯାତ୍ରା ଆରମ୍ଭ କରିଥାନ୍ତି । ପଣା ସଂକ୍ରାନ୍ତି ଦିନ ମନ୍ଦିରକୁ ଫେରି ନୀତିକାନ୍ତି ସହ ଯାତ୍ରାରୁ ଉଦଯାପନ କରିଥାନ୍ତି । ଅଥି ନିଷ୍ଠାର ସହ ଦଣ୍ଡୁଆମାନେ ଦଣ୍ଡନାଚ କରିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଧୂଳି ଦଣ୍ଡ, ପାଣି ଦଣ୍ଡ ଏବଂ ଅଗ୍ନି ଦଣ୍ଡ କରନ୍ତି । ଏହି ଦଣ୍ଡ ଯାତ୍ରାରେ ଭଗବାନ ଶିବ ଓ ମା’ କାଳୀଙ୍କର ପୂଜାର୍ଚ୍ଚନା କରାଯାଏ । ବିଭିନ୍ନ ଦେବୀ ପୀଠରେ ପାଳନ ହୁଏ ଝାମୁଯାତ୍ରା । ଯେଉଁଥିରେ ମାନସିକଧାରୀ ମାନସିକ ପୂରଣ ପାଇଁ ନିଆଁ ଉପରେ ଚାଲିଥାନ୍ତି ।….
- ବୀଣାପାଣି ତ୍ରିପାଠୀ
କଳିଙ୍ଗ ବିହାର, ଭୁବନେଶ୍ବର-୭୫୧୦୧୯