ମରିବାକୁ ଚାହେଁ ମୁହିଁ ସୁନ୍ଦର ଭୁବନେ,ବଞ୍ଚିବାକୁ ଚାହେଁ ମୁହିଁ ଶିଶୁଙ୍କ ଗହଣେ
ଶିଶୁଦିବସ-ପଣ୍ଡିତ ନେହରୁଙ୍କୁ ମନେ ପକେଇବାର ଦିନଟିଏ
ନଭେମ୍ବର 14, ପ୍ରତି ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ |ଏହା ହେଉଛି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମଦିନ |
ନୂତନ ଭାରତର ଦିଗନ୍ତ ବିସ୍ତାରୀ ରାଜନୈତିକ ଆକାଶକୁ ଯେଉଁ କେତେଜଣ ଉଜ୍ଜଳତମ ତାରକା ନିଜର ପ୍ରତିଭା ବଳରେ ଜ୍ୟୋତିର୍ମୟ କରିଥିଲେ ସେମାନଙ୍କ ମଧ୍ୟରେ ଯୁଗପୁରୁଷ ନେହେରୁ ଥିଲେ ଅନ୍ୟତମ |ସେ ଏକା ଧାରରେ ଥିଲେ ଜଣେ ବିପ୍ଲବୀ, ଦେଶ ନିର୍ମାଣକାରୀ, ଜାତୀୟତାବାଦୀ, ଅନ୍ତର୍ଜାତୀୟବାଦୀ, ଗଣତନ୍ତ୍ରବାଦୀ, ଓ ସମାଜବାଦୀ |ଭାରତକୁ ସେ ଆଣିଥିଲେ ଇଟାଲୀୟ ନବ ଜାଗରଣ | ଜର୍ମାନୀର ପୁନର୍ଗଠନ ପରି ଭାରତକୁ ପୁନର୍ଗଠିତ କରିଥିଲେ | ଫ୍ରାନ୍ସ ବିପ୍ଳବ ପରି ବିପ୍ଳବ ସୃଷ୍ଟି କରିଥିଲେ ଏ ମାଟିରେ |ଆଉ ମଧ୍ୟ ବ୍ରିଟେନର ଗଣତନ୍ତ୍ର ଉପହାର ଦେଇଥିଲେ ଏ ଦେଶକୁ |ଗଣତନ୍ତ୍ର, ଧର୍ମ ନିରପେକ୍ଷତା ସାମାଜିକ ଓ ଆର୍ଥିକ ନ୍ୟାୟ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଭାରତକୁ ଏକ ଆଧୁନିକ ରାଷ୍ଟ୍ର ଭାବରେ ଗଢିବାର ମୂଳଦୁଆ ସେ ପକେଇଥିଲେ |
ଏହି ମହା ମାନବଙ୍କର ଜନ୍ମ ହୋଇଥିଲା 1889ମସିହା ନଭେମ୍ବର 14 ତାରିଖରେ | ତାଙ୍କ ପିତାଙ୍କ ନାଁ ଥିଲା ମୋତିଲାଲ ନେହୁରୁ ଓ ମାତା ଥିଲେ ସ୍ୱରୂପା ରାଣୀ |ଅତ୍ୟନ୍ତ ବିତ୍ଶାଳୀ ପରିବାରର ଦାୟାଦ ଥିଲେ ହେଁ ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ଅବସ୍ଥା ବୁଝିବାରେ ସେ ସମର୍ଥ ହୋଇଥିଲେ |
ସେ ଅନୁଭବ କରିଥିଲେ ‘ଜାତିର ଭବିଷ୍ୟତ ଶିଶୁ ମାନଙ୍କ ପ୍ରତି ଅବହେଳା ଏକ ଅକ୍ଷମଣିୟ ଜାତୀୟ ଅପରାଧ |ବାସ୍ତବରେ ଆଜିର ଶିଶୁ ଦେଶର ଭବିଷ୍ୟତ ନାଗରିକ |ସେମାନେ ଉପଯୁକ୍ତ ଶିକ୍ଷା ଲାଭ କଲେ ଦେଶର ଦାୟିତ୍ୱ ତୁଲେଇବାକୁ ସକ୍ଷମ ହୋଇ ପାରିବେ |ଶିଶୁମାନେ ଚରିତ୍ରବାନ୍ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ ହେବ |ପିତା, ମାତା ଓ ଶିକ୍ଷକ ମାନେ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ |ସେଥିପାଇଁ ସେ ମା’ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଯତ୍ନଶିଳ ଥିଲେ |ଜଣେ ସୁସ୍ଥ, ଶିକ୍ଷିତ ମା’ ଦେଶକୁ ସୁସ୍ଥ ଶିକ୍ଷିତ ଶିଶୁ ଦେଇପାରିବ |
- ଏବେ ଦେଖା ଯାଉଛି ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି |ଶିଶୁ ବିକ୍ରି ସହିତ ଶିଶୁମାନଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲଗାଯାଉଛି |ସେମାନଙ୍କୁ ନେଇ ଅଶ୍ଳୀଳ ଫିଲ୍ମ ତିଆରି କରି ସେମାନଙ୍କ ଭବିଷ୍ୟତ ନଷ୍ଟ କରିଦିଆଯାଉଛି |
ଆଜିର ଇଣ୍ଟେର୍ନେଟ ଯୁଗରେ ଶିଶୁମାନେ ପଥଭ୍ରଷ୍ଟ ହେଉଛନ୍ତି |ଏହି କଅଁଳ ବୟସରେ ସେମାନଙ୍କୁ ଅଧିକ ସମୟ ନିଜ ପରିବାର ସହିତ କାଟିବାର ଅଛି |କିନ୍ତୁ ସେମାନଙ୍କୁ ସେ ସୁଯୋଗ ପିତା ମାତା ଦେଉନାହାନ୍ତି, ବରଂ ପିତା ମାତା ମାନେ ନିଜ କର୍ମଜଞ୍ଜାଳରୁ ଟିକେ ସମୟ ପାଇଲେ ମୋବାଇଲ ସହ ସେଇ ସମୟ କାଟି ଦେଉଛନ୍ତି, ଆଉ ପିଲାଙ୍କୁ ମଧ୍ୟ ମୋବଇଲ ଦେଖି ସେମାନଙ୍କୁ disturb ନ କରିବାକୁ ଚେତାବନୀ ଦେଉଛନ୍ତି | ଶିଶୁଟି ମୋବାଇଲ ସହ ସମୟ ବିତେଇବାକୁ ପସନ୍ଦ କରୁଛି |ଏ ପ୍ରଥା ପରବର୍ତ୍ତୀ ଅବସ୍ଥାରେ ଉଭୟ ପିଲା ଓ ପିତାମାତାଙ୍କର ଦୁଃଖର କାରଣ ହେଉଛି |ଏ କୁବ୍ୟବସ୍ଥାର ଅନ୍ତ ହେବା ଜରୁରୀ |ନେହୁରୁଙ୍କ ବିଚାର ଅନୁସାରେ ପରିବାର ବର୍ଗ ପିଲାମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି |ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ଆମର ଦାୟିତ୍ୱ |
ନେହୁରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସତ ମାତ୍ର ଶିଶୁଙ୍କ ପାଇଁ ସେ ଥିଲେ ଆଦରର ଚାଚା ନେହୁରୁ |ସେ ବୁଝିଥିଲେ ଶିଶୁମାନେ ହେଉଛନ୍ତି ସରଳ, କୋମଳ ଓ ନିଷ୍ପାପ ହୃଦୟ ସମ୍ପର୍ଣ୍ଣ |
ତାଙ୍କୁ ଯେତେବେଳେ ପଚରାଗଲା ତାଙ୍କ ଜନ୍ମଦିନ କିପରି ପାଳିତ ହେବ, ସେ ଉତ୍ତର ଦେଇଥିଲେ ଏହା ଶିଶୁ ଦିବସ ରୂପେ ପାଳିତ ହେବ |ତାଙ୍କ କଥା ଅନୁଯାୟୀ 1964ମସିହା ନଭେମ୍ବର 14 ତାରିଖରୁ ଏହି ଦିବସ ଭାରତରେ ପାଳିତ ହୋଇ ଆସୁଛି |
ବିଦ୍ୟାଳୟ ମାନଙ୍କରେ ତାଙ୍କ ଫୋଟୋରେ ଫୁଲ ମାଳ ଦେଇ ତାଙ୍କ ସ୍ମୃତିଚାରଣ କରାଯାଏ |ପ୍ରବନ୍ଧ, ଗୀତ, ନୃତ୍ୟ, କୌତୁକ ବେଶ ଓ ତର୍କ ପ୍ରତିଯୋଗିତା କରାଯାଇ ନେହୁରୁଙ୍କ ସ୍ମୃତିକୁ ଜୀବନ୍ତ କରାଯାଏ |ଶିଶୁ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଏ |ଏମିତି ଶିଶୁ ଦିବସ ପାଳନ ସାର୍ଥକ ହେବ ଯେବେ ଶିଶୁମାନଙ୍କ ପ୍ରତି ଅତ୍ୟାଚାର, ତଥା ଶିଶୁ ଶ୍ରମିକ ପ୍ରଥାର ଅନ୍ତ ଘଟିବ |
ଶେଷରେ ଏତିକି ନିବେଦନ ମାତୃଜାତିକୁ ସୁଶିକ୍ଷିତା କରି ପାରିଲେ ସେମାନେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷା ର ଯତ୍ନ ନେଇପାରିବେ |ମାତୃ ଜାତିର ସୁରକ୍ଷା ଓ ମଙ୍ଗଳ ଉପରେ ଶିଶୁମାନଙ୍କ ବିକାଶ ନିର୍ଭର କରେ |ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର | ଶିଶୁମାନଙ୍କ ବିକାଶ ପାଇଁ ପାଣ୍ଠି ସଂଗ୍ରହ କରାଯାଇ ତାର ସଦୁପଯୋଗ କରାଯିବା ଉଚିତ |ଶିଶୁର ଉନ୍ନତିରେ ସମାଜର ପ୍ରଗତି ନିହିତ |ଶିଶୁ ହସିଲେ ଦୁନିଆ ହସିବ |ସେଥିପାଇଁ ନେହେରୁ କହୁଥିଲେ ‘
ମରିବାକୁ ଚାହେଁ ମୁହିଁ ସୁନ୍ଦର ଭୁବନେ,
ବଞ୍ଚିବାକୁ ଚାହେଁ ମୁହିଁ ଶିଶୁଙ୍କ ଗହଣେ “|
ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି” ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ, |.ଦୂରଭାଷ :9238304919.