ମନୋଜ କୁମାର ମହାପାତ୍ରଙ୍କ 2022 ବର୍ଷର ଶେଷ ଗଳ୍ପ ‘ଗଞ୍ଜା ରଜା’
*ଗଞ୍ଜା ରଜା*
*ମନୋଜ କୁମାର ମହାପାତ୍ର*
କିରିବୁରୁ ବେସକେମ୍ପ ପାଖ ଦେଇ ବୋହି ଯାଉଥିବା କାରୋ ନଦୀ କୂଳରେ ହରମଠ ଗାଁରେ ରଇବାରିର ଜନ୍ମ l ଏଇନେ ତାର ବୟସ ଷାଠିଏ ପାର ହେଲେଣି l ଗାଁ ପାଖ ମାଇନ୍ସରେ ତାର ବାପ ପ୍ରଥମେ ଶ୍ରମିକଟିଏ ହେଇ କାମ କରୁଥିଲା,ତାପରେ ସ୍ୱାମୀ ଓ ଶେଷରେ ଦୁଇ ପୁଅ କାମ କରୁଥିବାବେଳେ ବ୍ଲାଷ୍ଟିଙ୍ଗ ଦୁର୍ଘଟଣାରେ ପ୍ରାଣ ହରାଇଲେ l କାରୋ ଛାତିରେ ଷାଠିଏ ବର୍ଷ ହେଲା କେତେ ପାଣି ବହି ଗଲାଣି, ରଇବାରିର ବାପ, ସ୍ୱାମୀ, ପୁଅମାନେ ମଧ୍ୟ ମାଟିରେ ହଜିଗଲେଣି l ସେ ଏବେ ଏକୁଟିଆ ରହୁଛି ପୈତୃକ ଖପର-ଛିଆ ଘରେ l ଯେହେତୁ ତା ବାପା ଥିଲା କୋହ୍ଲ ଜନଜାତିର ମୁଖିଆ, ବାପା ଅନ୍ତେ ପୈତୃକ ଉତ୍ତରାଧିକାରୀ ସୂତ୍ରରେ ଲୋକେ ତାକୁ ରାଣୀ ବୋଲି ଡାକନ୍ତି l
ରଇବାରିର ନାଲି ଗଞ୍ଜା ଏଇନେ ଅତି ଆପଣାର, କହିବାକୁ ଗଲେ ତାର ଏକୁଟିଆପଣର ସାଥୀ l ଗଞ୍ଜାଟି ମୁଣ୍ଡରେ ନାଲି ମୁକୁଟ ଦେଖାଯାଏ ପଚପଚକିଆ ସିନ୍ଥେଟିକ ଦୁଇ ପେନ୍ଥା ନାଲି ଫୁଲ ଭଳି l ତାର ହଳଦିଆ ଲମ୍ବା ଥଣ୍ଟ ଉପରେ ନୀଳ ରଙ୍ଗିଆ ଆଖି ଦୁଇଟିର ଡୋଳା ସଦା ଘୁର୍ଣ୍ଣୟମାନ ଶିକାର ଅନ୍ୱେଷଣରେ l ଆଉ ତାର ପାଦରୁ ଜଙ୍ଘ ପର୍ଯ୍ୟନ୍ତ ଲୋମଶୂନ୍ୟ ପାଉଁଶିଆ ଦୁଇଟି ଗୋଡ଼ ଦେଖାଯାଏ, ରାଜା ପିନ୍ଧିଥିବା ଫୁଲପ୍ୟାଣ୍ଟକୁ ଜଙ୍ଘ ପର୍ଯ୍ୟନ୍ତ ଟେକି ଦେଲା ଭଳି l ପାଦର ବିସ୍ତାରିତ ନଖ ରାଜାଙ୍କର ବଂକିମ ଜୋତାର ଆଗ୍ରଭାଗ ଭଳି l ନାଲି ରଙ୍ଗର ପରଗୁଡାକରେ ମିଶିଥାଏ କାଁ ଭାଁ କଳା ରଙ୍ଗର ପର l ତାର ଢଳି ଢଳି ଚାଲି ବାସ୍ତବରେ ରାଜକୀୟ ଓ ସମ୍ଭ୍ରାନ୍ତ l ବେଳେବେଳେ ତାର ଡେଣା ମେଲେଇ ଖଣ୍ଡି ଉଡ଼ା ରାଜାଙ୍କର ଉଡ଼ନ୍ତା ବିମାନ ଭଳି ଲାଗେ l ରାତି ନ ପାହାଣୁ ତାର କକ ...କକ .....କ... କୋ ରାବ ଗାଁ ଲୋକଙ୍କର ଆଖିରୁ ନିଦ ହଜାଇଦିଏ l ସତରେ ସେ ରଜା l କାହା ପାଇଁ ରଜା ନ ହେଇପାରେ କିନ୍ତୁ ରଇବାରିର ସେ ରଜା l ତାକୁ ସେ ଗେହ୍ଲଇ ଡାକେ ରଜା, ଏକମାତ୍ର ସାଙ୍ଗ ଓ ସମ୍ପତ୍ତି ଏ ବୁଢୀ ବୟସରେ l
ଏକଦା ବର୍ଷେ ତଳେ କାରୋ ନଈରେ ସକାଳୁ ସକାଳୁ ଗାଧେଇଲାବେଳେ ଶୁଣିଲା ଗୋଟିଏ ଭୁଣ୍ଡା କଟାସ ମୁହଁରୁ ନିଃସୃତ କୁକୁଡ଼ାର ଆର୍ତନାଦ ଏବଂ ଶୁଣିବା ମାତ୍ରେ ସେ ପଥର ଢେଲାଟିଏ ଛାଟିଲା କଟାସକୁ ଲକ୍ଷ୍ୟ କରି,ମା କୁକୁଡ଼ାକୁ ବଂଚେଇ ପାରିଲାନି ସିନା କିନ୍ତୁ ମା ପଛେ ପଛେ ଦୌଡୁଥିବା ଚିଆଁଟାକୁ ଧରିପକାଇଥିଲା ସେଦିନ l ବାସ ସେହିଦିନରୁ ଚିଆଁଟା ବଢିଲା ରଇବାରିର ସ୍ନେହଭରା କୋଳରେ l ତାର ନାଁ ଦେଲା ରଜା l ଆଖି ଆଗରୁ ମୁହୂର୍ତ୍ତଟିଏ ବି ଟାକୁ ଅନ୍ତରାଳ କରେନି l
ସତ କୁ ସତ ଗୋଟିଏ ବର୍ଷ ପରେ କୁକୁଟଙ୍କର ରଜା ଭଳି ସେ ଦେଖାଗଲା l ସେ ଏଇ ମାଟିର ଦେଶୀ ରଜା, ତାର ରାଜ୍ୟ ଥିଲା ବୁଢ଼ୀର ଅଗଣା l କକ... କକ....କକ....କୋ... କରି ଯେବେ ଅଗଣାରେ ରାବେ ସମସ୍ତ ରାଜ୍ୟ ପ୍ରତିଧ୍ୱନିତ ହୁଏ l ସେ କଣ ବ୍ରଏଲର କୁକୁଡା କି ତାରଘେରା ପିଞ୍ଜିରାରେ ରହି ଖାଦ୍ୟ ସାମଗ୍ରୀ କାହାର ହେବ l ସେ ତ ଦେଶୀ ବଣୁଆ ରାଜା l ଯୁଦ୍ଧଖୋର ବି କିନ୍ତୁ ବୁଢୀ ତାକୁ କୁଆଡେ ଛାଡେନି ଲଢେଇ କରିବାକୁ l
କାରୋ ନଦୀ କୂଳରେ ଥିବା ଚର୍ଚ୍ଚକୁ ପ୍ରତିବର୍ଷ ଡ଼ିସେମ୍ବର ଚବିଶ ତାରିଖରେ ସେ ଯାଏ ଓ ରାତିରେ ଖ୍ରୀଷ୍ଟାଧର୍ମୀ ଭାଇ ଭଉଣୀଙ୍କ ସହିତ ମିଶି ପ୍ରାର୍ଥନା କରେ l ରାତି ଅଧରେ କେବେ କେବେ ଫେରେ, ନୋହିଲେ ଚର୍ଚ୍ଚ ବାରଣ୍ଡାରେ ଶୋଇ ପଡ଼ି ଘରକୁ ସକାଳୁ ଫେରେ l ଏଥର ତାର ଚିନ୍ତା କେମିତି ରଜାକୁ ଏକଲା ଛାଡି ଯିବ l ନଈ କୂଳରେ ତ କେତେଦିନ ହେଲା ହାଟ ବସିଛି l ଠାଏ ଠାଏ ଜୁଆ ଖେଳ ଓ କୁକୁଡ଼ା ଲଢେଇ ଚାଲିଲେଣି l ତାର ଅବର୍ତମାନରେ କେହି ଯଦି ରଜାକୁ ଚୋରି କରିନିଏ, ତେବେ କଥା ସରିଲା l ପିଣ୍ଡାରେ ଗୋଡ଼ ଲମ୍ବାଇ ଏମିତି ଦୁଶ୍ଚିନ୍ତାରେ ଆଉଟପାଉଟ ହେଉଥିବା ସମୟରେ ରାଜା ଦୌଡ଼ି ଆସି ତା କୋଳରେ ବସିପଡିଲା l ବୁଢୀ ତାର ଦୁଇକେନା ନାଲି ମୁକୁଟକୁ ଗେହ୍ଲରେ ଆଉଁସି ଦେବାରୁ ସେ ଢ଼ୋଲେଇଲା l
ରଜାର ହୃଷ୍ଟପୃଷ୍ଟ ଡେଙ୍ଗା ଚେହେରା, ଥଲଥଲ ମାଂସପେଶୀ ଓ ନାଲି କଳା ମିଶା ଚିକଚିକ କରୁଥିବା ପୁଚ୍ଛ ଦ୍ୱାରା ଲୋକଙ୍କ ମନରେ ଆଦିମ ମାଂସାସୀ ପିପାସା ଜାଗିଉଠେ l ଲୋଭ ଆକାଶଛୁଆଁ ହୁଏ l ଜୁଆଡ଼ିମାନେ ଦିନ ଗଣନ୍ତି କେମିତି ରାଜାକୁ କଳେବଳେ ଅପହରଣ କରି କୁକୁଡ଼ା ଲଢେଇରେ ସାମିଲ କରିବେ l ଇୟା ଭିତରେ ଗଞ୍ଜାକୁ କେତେଜଣ ଚଢା ଦରରେ କିଣିବାକୁ ବୁଢୀ ପାଖରେ ଗୁହାରି କଲେଣି କିନ୍ତୁ ବୁଢୀ ସେମାନଙ୍କୁ ଛାଞ୍ଚୁଣି ଉଞ୍ଚାଇଁ ତଡି ଦିଏ ଘର ଅଗଣାରୁ l
ଠାଉରିଆ ଓ ଜୁଆଡିଆଙ୍କର ଗତିବିଧି କେତେଦିନ ହେଲା ସନ୍ଦେହପୂର୍ଣ୍ଣ ଦେଖି ରଇବାରି ମନେ ମନେ ନିଷ୍ପତି ନେଲା,ଡିସେମ୍ବର 24 ତାରିଖ ଦିନ ରଜାକୁ ଏକାକି ଛାଡି ଏଥର ବଡ଼ଦିନର ଅର୍ଦ୍ଧରାତ୍ରି ସମୂହ ପ୍ରାର୍ଥନାରେ ଯୋଗ ଦେବନି l ଏତକ ଚିନ୍ତି ରଜାକୁ ଖୁଣ୍ଟରେ ବାନ୍ଧି ସେ ଶୋଇବାକୁ ଗଲା l
ରଇବାରିର ଦେହସୁଆ ହେଇଯାଇଛି ଯେ ପ୍ରତିଦିନ ସିନ୍ଦୁରା ଫାଟିବା ପୂର୍ବରୁ ରଜାର କକେ.... କେ...... କୋ... ରାବ ଶୁଣି ନିଦରୁ ଉଠେ l ଦୈବାତ ଆଜି କିନ୍ତୁ ରାଜାର ରାବ ନ ଶୁଣିବାରୁ ନିଦ ଭାଙ୍ଗିବା ଡେରି ହେଇଗଲା l ସେ ଧଡ଼ପଡ଼ ଉଠି ଦେଖେ ତ ସୁନେଲି ଖରା ସାରା ଅଗଣାରେ ବିଛେଇ ଯାଇଛି ଓ ଯେଉଁ ଖୁଣ୍ଟିରେ ରଜାକୁ ରାତିରେ ପ୍ରତିଦିନ ବାନ୍ଧେ ସେଇ ଖୁଣ୍ଟି ନାହିଁ କି ରାଜା ନାହିଁ l
ତାର ହଂସା ଉଡ଼ିଗଲା l କାନ୍ଥକୁ ଆଉଜି ଉପରକୁ ଆଁ କରି ବସିପଡ଼ିଲା l ନା କାନ୍ଦି ପାରୁଛି ନା ପାଟିରୁ କିଛି କଥା ବାହାରୁଛି l କିଛି ସମୟ ଅତିକ୍ରାନ୍ତେ ବାଡ଼ି ଖଣ୍ଡକୁ ହାତରେ ଧରି ଅଗଣା ବାହାରକୁ ଆସି ତାର ନିତିଦିନିଆ ଟି.... ଟି.... ଟି ଡାକ ଛାଡିଲା - ରାଜାରେ..... ରାଜା l ମୋ ଧନ କେଉଁଠି ଅଛୁରେ l ଆ.. ଆ.. ଆ...ଟି ଟି ଟି l ତାର ସବୁତକ ଡାକ ପ୍ରତିଧ୍ୱନିତ ହେଇ ତାରି ପାଖକୁ କେବଳ ଫେରି ଆସୁଥିଲା l ଶେଷରେ ପାଗଳି ପରି ଗାଁଟା ଯାକ ବୁଲି ଟି... ଟି.... ଟି..... ଡାକିଲା ଓ ସଭିଙ୍କୁ ପଚାରିଲା ତାର ଖବର ବିଷୟରେ l ଶେଷରେ ନିରାଶ ହେଇ ଘରକୁ ଫେରିଲା ବୁଢ଼ୀ କିନ୍ତୁ ଭୋକ ଶୋଷ ଏକାବେଳକେ ପାସୋରିଗଲା l ବିଛଣାରେ ପଡ଼ି ଆଖିରୁ ଲୁହ ଝରାଇବା ଛଡା ଆଉ ତାର ଚାରା ନ ଥିଲା l
ଅନ୍ୟ ଘଟଣା କ୍ରମେ ନର୍ସଦା ଗାଁ ହାଟରେ କୁକୁଡ଼ା ଲଢେଇ ଏଥର ବିଗତ ଦିନର ସବୁ ରେକର୍ଡ ଭାଙ୍ଗିଛି ବୋଲି ଦେଖଣାହାରୀ, କିଏ ଛାତି ଫୁଲେଇ ବା ହାଣ୍ଡିଆ ଓ ଦେଶୀ ମଦ ନିଶାରେ କହୁଥାନ୍ତି l କନ୍ଧରାଣୀ ରଇବାରିର ପାଳିତ ଗଞ୍ଜା ରଜାର ଆକ୍ରଣାତ୍ମକ ଲଢେଇ କୌଶଳ ଥିଲା ଅତି ଚମତ୍କାର, ନିମିଷକ ଭିତରେ ପ୍ରତିପକ୍ଷ ଗଞ୍ଜାମାନଙ୍କୁ ରକ୍ତାକ୍ତ ଓ ଧରାଶାୟୀ କରିପାରୁଥିଲା l ତାର ଅଦ୍ଭୁତ ଡେଣା ବିସ୍ତାର ଓ ଲକ୍ଷ୍ୟଭେଦି ଝାମ୍ପ ଦେଖି ଦେଖଣାହାରୀଙ୍କର କରତାଳି ଉଛୁଳି ପଡୁଥିଲା l ସତରେ ଆଜି ଲଢେଇରେ ରାଜା ଗଞ୍ଜା ହିଁ ଅପ୍ରତିଦ୍ବନ୍ଦୀ ହିରୋ l ଇତ୍ୟାବସରେ କୁକୁଡ଼ା ଲଢେଇ ଓ ଜୁଆ ଚାଲିଥିବାର ସମ୍ବାଦ ପହଞ୍ଚିବା ମାତ୍ରେ ପୋଲିସ ସେଠାରେ ହଠାତ ପହଞ୍ଚି ଜୁଆଡ଼ି ହାଁସଦା ଓ ସିଲାଇ ମୁର୍ମୁକୁ ଗିରଫ କରି ଜେଲ ପଠାଇଦେଲା ଓ ତିନୋଟି ଗଞ୍ଜାକୁ ଜବତ କରି ଥାନାକୁ ନେଇଆସିଲା l କୁକୁଡ଼ା ଲଢେଇର ଆନନ୍ଦ ଉଲ୍ଲାସ ଉପରେ ହିମପାତ ହେବାରୁ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଲେ କିନ୍ତୁ ରାଜା ଗଞ୍ଜାର ରଣ କୌଶଳ ସମଗ୍ର ଇଲାକାର ଏକ ଚର୍ଚ୍ଚାର ବିଷୟ ସେତେବେଳକୁ ପାଲଟି ଯାଇଥିଲା l
ଡିସେମ୍ବର ବଡ଼ ଦିନ ରାତି ଯେତେ ଘନେଇ ଆସୁଥିଲା ଚର୍ଚ୍ଚର ପ୍ରାର୍ଥନା ରଇବାରିର ବେଦନାଗ୍ରସ୍ତ ମନରେ ସେତେ ଜାଗି ଉଠୁଥିଲା l ସେ ଆଉ ନିଜକୁ ସମ୍ଭାଳି ପାରିଲାନି l ବାଡ଼ି ଠୁକ ଠୁକ କରି କିଟିମିଟି ଅନ୍ଧାରରେ ଚର୍ଚ୍ଚ ଆଡକୁ ଚାଲିଲା, ସେ ପ୍ରଭୁଙ୍କୁ ପ୍ରାର୍ଥନା କରିବ ତାର ରାଜାକୁ ନିରାପଦରେ ଫେରାଇ ଦେବାକୁ l
ଚର୍ଚ୍ଚରେ ପହଁଚି ଦେଖେ ତ ପ୍ରାର୍ଥନା ଆରମ୍ଭ ହେଲେଣି l ସବା ପଛରେ ଠିଆ ହେଲା, ପ୍ରାର୍ଥନାର ଶବ୍ଦ ପାଟିରେ ପଶିଲାନି ଯେତେ ଚେଷ୍ଟା କଲେ ମଧ୍ୟ ଗାଇବାକୁ l ଯୋଡହସ୍ତରେ ହୋଲି କ୍ରସକୁ ଚାହିଁ କେବଳ କାନ୍ଦିଲା - ହେ ପ୍ରଭୁ ମୋ ରାଜାକୁ ମୋତେ ନିରାପଦରେ ଫେରାଇ ଆଣ l
ପ୍ରାର୍ଥନାର ସମାପ୍ତି ପରେ ସେ ଦେଖିଲା ଯେ ରାତି ଅନେକ ହେଲାଣି l ଭାବିଲା, ସକାଳ ହେଲେ ଘରକୁ ଯିବ l ସେ ଚର୍ଚ୍ଚ ପିଣ୍ଡାର କାନ୍ଥକୁ ଆଉଜି ବସି ପଡିଲା l ଫାଦର ଦେଇଥିବା ମୋଟା କମ୍ବଳଟିଏ ଘୋଡ଼ି ହେଲା ଏବଂ ଚର୍ଚ୍ଚ ତରଫରୁ ପ୍ରଦତ୍ତ ପାକେଟରୁ ପୁରି ତରକାରୀ ଖାଇଲା l ପୁଷମାସ ଶୀତ ତାର ଜୀର୍ଣ୍ଣ ଦେହକୁ ପ୍ରବଳ ଭାବେ ଥରାଉ ଥାଏ l ଯୀଶୁଙ୍କ ଜନ୍ମ କାହାଣୀ ମନେ ମନେ ସ୍ମରଣ କରୁ କରୁ ସେ କେତେବେଳୁ ଶୋଇ ପଡିଛି ତାକୁ ଜଣା ନାହିଁ l
ଭୋରୁ ନିଦ ଭାଙ୍ଗିଲା ବେଳକୁ ଚର୍ଚ୍ଚ ପଡିଆରେ ଖରାଏ ଖରା l ପାହାନ୍ତିଆ ସ୍ୱପ୍ନଟା ତା ମନକୁ କେବଳ ଖୁବ ହାଲୁକା କରିଦେଇନି ବରଂ ଅମାପ ବିଶ୍ୱାସ ଭରିଦେଇଛି l ରାତିରେ ସ୍ୱପ୍ନରେ ସେ ଦେଖିଛି ଚର୍ଚ୍ଚ ଚୂଡ଼ଦେଶର ହୋଲିକ୍ରସ ପାଖରୁ ରଜା ଖଣ୍ଡି ଉଡ଼ା ଦେଇ ଫେରି ଆସିଛି ଘରକୁ l ରଇବାରି ଏମନ୍ତ ଦିବ୍ୟ ସ୍ୱପ୍ନରେ ଶିହରିତ ହେଇ ସଅଳ ପାଦରେ ଘରକୁ ବାହୁଡ଼ି ଆସିଲା କିନ୍ତୁ ହାୟ ରେ ବିଧାତା, ଦେଖିଲାନି ରାଜାକୁ ସେଠାରେ l ପୁଣି ଅବସାଦ ଘୁର୍ଣ୍ଣିଜାଲରେ ପଡ଼ି ଭାବିଲା - ତେବେ ସ୍ୱପ୍ନ କଣ ମିଛ !!!
ଇତ୍ୟବସରେ ଘର ଆଗ ରାସ୍ତାରେ ଯାଉଥିବା ଗାଁର ଦିଟା ଟୋକା ରଇବାରିକୁ ଦେଖି ଅଟକି ଗଲେ l ଆଲୋ ମାଉସୀ ! ତୁ ଜାଣିଛୁ ନା ତୋ ରଜାକୁ ପୋଲିସ ବାନ୍ଧି ନେଇ ଥାନାରେ ରଖିଛି l
ରଇବାରିର ଆଶା ସଂଚରିତ କଣ୍ଠରୁ ଝରି ପଡିଲା - କାହିଁକି ? ମୋ ରାଜା କି ଦୋଷ କଲାକି ?
ଗତକାଲି ରାତି ପାହାନ୍ତାରେ ନର୍ସଦା ଗାଁର ଜୁଆଡ଼ି ହାଁସଦା ଓ ସିଲାଇ ତୋ ଘରୁ ତାକୁ ଚୋରାଇ ନେଇ ହାଟରେ କୁକୁଡ଼ା ଲଢେଇରେ ଲଗାଇଥିଲେ l ପୋଲିସ ଜାଣିପାରି ଜୁଆଡ଼ି ହାଁସଦା ଆଉ ସିଲାଇକୁ ବାନ୍ଧି ଜେଲକୁ ପଠାଇ ଦେଇଛି l ତିନୋଟି ଗଞ୍ଜାକୁ ଥାନାରେ ରଖିଛି, ତା ଭିତରେ ତୋ ଗଞ୍ଜା ରଜା ଅଛି l
ରଇବାରି ରାଗରେ ଜଳି ଉଠିଲା l ତମ ତମ ହେଇ ବାଡ଼ିଟିକୁ ହାତରେ ଧରି ଥାନା ଆଡକୁ ଚାଲିଲା l ସେ କୋହ୍ଲ ବଂଶର ଏକମାତ୍ର ଜୀବିତ ରାଣୀ, ଏ ସମଗ୍ର ଜଙ୍ଗଲ ତାର ରାଜ୍ୟ, ସେ ପୁଣି କାହାକୁ ଡରିବ !!!! ଥାନାବାବୁ କଣ ତା ଉପରେ ????
ଇଆଡ଼େ ସିପାଇ ଥାନାବାବୁଙ୍କୁ ଥାନା ଅଫିସରେ କହୁଥିଲା - ସାରେ, କୁକୁଡାଗୁଡ଼ାକ ଗୋଡ଼ରେ ଖୁର ବନ୍ଧା ହେଉଛି l ସେଥି ମଧ୍ୟରୁ ଦୁଇଟି ଗଞ୍ଜା ଲଢେଇ କରି ବେଶୀ ଖଣ୍ଡିଆ ଖାବରା ହେଇଛନ୍ତି l ଡୁଇଟି ବୋଧେ ମରିଯାଇପାରନ୍ତି l କଣ କହୁଥିଲି କି ସାରେ......ଆଜି ବଡଦିନ, ତରକାରୀ କରିଦେଲେ ଭଲହୁଅନ୍ତା !!! କିନ୍ତୁ ଏଇ ଡେଙ୍ଗା ନାଲି ଗଞ୍ଜାକୁ ଆମେ ତନ୍ଦୁରି କରିବା l ଆପଣ ଆଦେଶ ଦେଲେ ଆଜି ଥାନା ପରିସରରେ ରାତି ଭୋଜିଟା ଟିକେ ଜମନ୍ତା l
ଏମନ୍ତ ପରାମର୍ଶରେ ଥାନାବାବୁ ଉଲ୍ଲସିତ ହେଇ ଚାହିଁଲେ ପୃଥଳକାୟ ଆକର୍ଷଣୀୟ ନାଲି ଡେଙ୍ଗା ଗଞ୍ଜାକୁ l କହିଲେ - ଏଇଟା ମସ୍ତ ହେଇଛି l ତନ୍ଦୁରି ପାଇଁ ଫିଟ l ତୁମେ କହୁଛ ୟାକୁ ଆଜି ରାତିରେ କୃଶବିଦ୍ଧ କରିବା l ଏତିକି ମାତ୍ର ସେ କହିଛନ୍ତି କି ନାହିଁ ଥାନାର ବାହାର ପିଣ୍ଡାରୁ ଶୁଭିଲା କାହାର ବଡ଼ପାଟି କରି ଡାକିବାର ଶବ୍ଦ - ହଇଓ ଥାନାବାବୁ ମୋ ନାଲି ଗଞ୍ଜା ରଜାକୁ କାହିଁକି ବାନ୍ଧିକି ଥାନାରେ ପୁରାଇଛ ?
ଥାନାବାବୁ କିଛି ଜବାବ ଦେବା ପୂର୍ବରୁ ବୁଢ଼ୀର ସ୍ୱର ବାରିପାରି ରଜା ଗଞ୍ଜା ଡେଣା ଫଡ ଫଡ କରି କକ.... କକ...... କୋ....ରାବି ଥାନା ଭିତରଟାକୁ ହୁଲୁସ୍ତୁଲ କଲା l ବୁଢ଼ୀକୁ କିଏ ଆଉ ସମ୍ଭାଳେ l ଏକା ନିଶ୍ୱାସକେ ଭିତରକୁ ପଶି ଯାଇ ଦେଖେତ ରାଜା ବନ୍ଧା ହେଇଛି l ସେ ପାଖେଇ ଗଲାରୁ ରାଜା ତାର ଗୋଡ଼କୁ ଖୁମ୍ପିବାକୁ ଲାଗିଲା l ଆଖି ପିଛୁଳାକେ ବୁଢ଼ୀ ତାକୁ ବନ୍ଧନ ମୁକ୍ତ କରିବାରୁ ସେ ଡେଇଁ ପଡିଲା ତାର କୋଳକୁ l ଧୀରେ କିନା ଗୋଡ଼ରୁ ଖୋଲିଦେଲା ତୀକ୍ଷ୍ଣ ଖୁର l
ରାଜାର ଖଣ୍ଡିଆ ଖାବରା ଗୋଡଦୁଇଟିରୁ ଶୁଖିଲା ରକ୍ତ ନିଜ କାନିରେ ପୋଛି ବାହୁନି ବାହୁନି କହିଲା - ହେ ପ୍ରଭୁ ! ସତରେ ତୁମେ ସମସ୍ତ ପ୍ରାଣୀର ତ୍ରାଣକର୍ତ୍ତା l ତୁମେ ଦୟାସାଗର ଓ କରୁଣାର ଅବତାର l ତୁମକୁ କିଏ ବା କୃଶବିଦ୍ଧ କରିପାରିବ !!!! ଏତକ କହି ରାଜାକୁ ନିଜ ଛାତିରେ ଜୋରରେ ଚାପି ଧରି ଲୁହଭରା ଆଖିରେ ଚାହିଁଲା ଥାନାବାବୁଙ୍କ ଆଡକୁ l
ଥାନାବାବୁ ବୁଢ଼ୀର ଜୀବ ପ୍ରତି ପ୍ରେମ ଓ ପ୍ରଭୁ ଭକ୍ତି ଦେଖି ତାଙ୍କ ଆଖି ଛଳ ଛଳ ହେଇ ଉଠିଲା l ସେ ଏକ ଅବ୍ୟକ୍ତ ମୁକ୍ତିର ଲହରୀ ଅନୁଭବ କଲେ ନିଜ ଭିତରେ l ସତେକି ପ୍ରଭୁ ତାଙ୍କୁ ଏକ ସମ୍ଭାବ୍ୟ କୃଶବିଦ୍ଧ ଯନ୍ତ୍ରଣାରୁ ବଞ୍ଚାଇ ଦେଲେ !!!
ସେ ହଠାତ ସିପାହୀକୁ ଚାହିଁ କହିଲେ - ସେଇ ଦୁଇଟି ଗଞ୍ଜାକୁ ଯେଝା ମାଲିକ ପାଖରେ ଅବିଳମ୍ବେ ପହଞ୍ଚାଇ ଦିଅ l
-------00000-------
© ମନୋଜ କୁମାର ମହାପାତ୍ର
30.12.22