ମନୋଜ କୁମାର ମହାପାତ୍ରଙ୍କ ନୂଆ ଗଳ୍ପ-‘ନିର୍ଜନତାର ପ୍ରଳାପ’

0
  • +++++++++++++
  • ଗଳ୍ପ
    ନିର୍ଜନତାର ପ୍ରଳାପ
  • +++++++++++++
  * ମନୋଜ କୁମାର ମହାପାତ୍ର

ଜୀବନର ଚଲାପଥରେ ବେଳେବେଳେ ଏମିତି କିଛି ମୁହୂର୍ତ୍ତ ଆସେ ଯା'କୁ ସାମ୍ନା କରିବା ବଡ଼ ଯନ୍ତ୍ରଣାଦାୟକ l ଯିଏ ଯନ୍ତ୍ରଣା ଭୋଗୁଛି ତାକୁ ଯେତେ କଷ୍ଟ ନ ହୁଏ ତାହା ଅପେକ୍ଷା ବେଶୀ କଷ୍ଟ ପାଏ ଯିଏ ଯନ୍ତ୍ରଣାକୁ ଦେଖେ l ସେ ଏଇଥିପାଇଁ ବେଶୀ ଯନ୍ତ୍ରଣାରେ ଛଟପଟ ହୁଏ, ଯେତେବେଳେ ସେ ଦେଖେ ଜୀବନରେ ନ ଭାବିଥିବା ଘଟଣାଟି ଘଟିଛି ଓ ଯନ୍ତ୍ରଣାର ଲାଘବ ପାଇଁ କିଛି ସେ କରିପାରୁନି l ମୋର ପଂଚାଶୀ ବର୍ଷୀୟା ନାନୀକୁ ଏଭଳି ଜିଅନ୍ତା ଶବ ହେଇ ଖଟ ଉପରେ ଶୋଇଥିବା ଦେଖିବି ବୋଲି କେବେ ସ୍ୱପ୍ନରେ ଭାବି ନ ଥିଲି l କି ଦାରୁଣ ଦୃଶ୍ୟ ସତେ !!! 
  ବିଦେଶରେ ରହି ଵି ନାନୀ ପ୍ରାୟତଃ ମୋ ସ୍ମୃତି ଇଲାକାରେ ଆସନ ଜମେଇ ରହିଥାଏ l ସେ ମୋ ସ୍ମୃତିର ଏକ ଅଲିଭା ଦୀପ, ତାର ସ୍ତିମିତ ଆଲୋକରେ ମୁଁ ଅନେକାଂଶରେ ଆଲୋକିତ l ମୋ ଗର୍ଭଧାରିଣୀ ମାଆର ସେ ହି ମୋର ଦ୍ଵିତୀୟ ସ୍ଥାନ,ଯେଉଁଠି ମନ ଖୋଲି ମୋର ବେଦନା ପ୍ରକାଶ କରି ପାଏ ଅଶେଷ ଶାନ୍ତି 
       ଗାଁକୁ ବହୁଦିନ ବ୍ୟବଧାନରେ ଥରେ ଆସିଥାଏ l ଘରେ ଥିବା ସମୟରେ ନାନୀକୁ ଦେଖିବାର ଇଛା ମୋତେ ମାଡି ବସିଲା l ସେ ଦିନ ଥିଲା ଶିବରାତ୍ରି l କିଛି ଫଳ ନେଇ ନାନୀ ଘରେ ପହଞ୍ଚି ଦେଖେତ ଘରର ତଳ  ଓ ଉପର ତାଲାର ସବୁ ଝରକା ଓ କବାଟ ବନ୍ଦ ସତେକି ଘରେ କେହି ନାହାନ୍ତି, ଶୂନ ଶାନ l 
    ଏମନ୍ତ ପରିସ୍ଥିତିରେ ଛାତିରେ ଅନେକ ପ୍ରକାର ଆଶଙ୍କାର ଲହଡି ମନକୁ କରୁଥାଏ ଭାରାକ୍ରାନ୍ତ l ଏକା ନିଃଶ୍ୱାସରେ ପଛ ଦୁଆର ଦେଇ ଘରଜୁ ଅନିଶ୍ଚିତତାର ପାହୁଲ ପକାଇ ପଶିଲି l ଅବଶ୍ୟ ଇୟେ ଗୋଟେ ପ୍ରକାର ଅନୁଭୂତି ଯାହା ମୋର ଧୁକ ଧୁକ କରୁଥିବା ଶିରା ପ୍ରଶିରାକୁ ବେଗଗାମୀ କରୁଥାଲା l 
    ନାନୀ ଗୋଟିଏ କୋଠିରୀରେ ଘୋଡେଇ ଘାଡେଇ ଶୋଇଛି l ମୋ ଡାକ ଶୁଣି ଅନେଇଲା l ମୁହଁରେ ଝଳକାଏ ଅଦିନ ମେଘ ଭଳି ହସ  ଲହରୀତ, ସେ କହିଲା - ତୁ ଆସିଛୁ ? ଦେଖୁନୁ କେହି ନାହାନ୍ତି, ଏତେବଡ ଘରଟାରେ ଏକଲା ପଡିଛି l ମୋତେ ଖୁଆଇ ପିଆଇ ଘୁମା ଯାଇଛି ତା' ଘରକୁ l ପୁଣି ସଞ୍ଜ ବେଳକୁ ଆସିବ l 
  ଘୁମା ନାନୀର କେୟାର ଟେକର, ମାସକୁ ଦଶହଜାର ଟଙ୍କା ନିଏ l ଆଣ୍ଠୁଗଣ୍ଠି ରୋଗ ତାକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇଛି l ହୁଇଲ ଚେୟାରରେ ବସାଇ ତାକୁ ଘୁମା ଦିନରେ ଥରେ ବୁଲାଇ ଆଣେ l ତାକୁ  ସଫାସୁତୁରା ରଖେ l 
  ନାନୀର ପୁଅ ବୋହୂ ନାତି ନାତୁଣୀଙ୍କର ସଂଖ୍ୟା କମ ନୁହେଁ, ତଥାପି ସେ ନିଃସଙ୍ଗତାର ନିଆଁରେ ଜଳୁଛି l ମଣିଷର ସ୍ୱର ଏଇନେ ଶୁଣିବା ତା ପକ୍ଷେ ସାତ ସପନ l ନିର୍ଜନତାକୁ କେବଳ ଗୋଟିଏ ଘରେ ରହି ବିଭିନ୍ନ ରୂପରେ ଦେଖେ l ଅଥଚ  ତାର ଗାଁ-ଘର ଚତୁଃପାର୍ଶ୍ୱରେ ମଣିଷ ସମୁଦ୍ରର ଭିଡ଼ କିନ୍ତୁ ନିଜ କୋଠରୀଟି ଗୋଟିଏ ନିର୍ଜନ ଦ୍ବୀପ ଭଳି ନିଃଶବ୍ଦ l 
      ହେଇ ଦେଖୁନ,ଆଜିକାଲି କେତେଜଣ ନବ୍ୟ ସଭ୍ୟ ଶିକ୍ଷିତ ପୁରୁଷ ଓ ମହିଳା ମୁହଁ ଅନ୍ଧାର ବଡି ଭୋରୁ ଯେମିତି ପର ଘରବାଡ଼ିରୁ ଲୁଚି ଛୁପି ଫୁଲ ତୋଳି ଆଣି ନିଜଘରର ଠାକୁରଙ୍କୁ ପୂଜନ୍ତି ଓ ମୁହଁର ଝାଳ ତୁଣ୍ଡରେ ମାରି ଫୁଲ ଫୁଟାଇଥିବା ସେଇ ବାଡ଼ି ବଗିଚାର ମାଲିକକୁ ଯଥା ସମ୍ମାନ ଦେବା ତ ଦୂରର କଥା ସାମାନ୍ୟ ମନେ ପକାନ୍ତିନି କି କୃତଜ୍ଞ ନୁହନ୍ତି ,ସେପରି ନାନୀର ଅସ୍ତିତ୍ୱ ନିଜର ଖୋଦ ଘରେ l ଏଇଟା କଣ ଆଜିର ଆଧୁନିକ ମଣିଷର ଅନାସକ୍ତପଣ ନା ଆତ୍ମ-କୈନ୍ଦ୍ରିକ ହେୟ ମନୋଭାବ ? କିଏ ଜାଣେ ? 
   ଇତ୍ୟାବସରେ ହଠାତ ନାନୀ କଡ଼ ଲେଉଟାଇ କହିଲା - ତୁ ଜାଣିଛୁ, ଦଶବର୍ଷ, କୋଡିଏ ବର୍ଷ, ଏମିତି କି ତିରିଶ ଚାଳିଶ ବର୍ଷର ମାଇପିମାନେ ମୋ ଘରକୁ ସବୁବେଳେ ଆସୁଛନ୍ତି l ବଢିଆ ବଢିଆ ଦାମିକା ଶାଢ଼ୀ ପିନ୍ଧିଛନ୍ତି, ମୁଣ୍ଡ ସିନ୍ଥାଣିରେ ବହଳେ ଲେଖାଁ ସିନ୍ଦୁର, ହାତରେ ପୁଳାଏ ଲେଖାଁ ସୁନା ଓ ସଙ୍ଖା ଚୁଡ଼ି l କି ହସ ହସ ହଳଦୀ ଗୋରା ମୁହଁ !! 
    ମୁଁ ପଚାରିଲି - ସେମାନେ ତୋତେ କଣ କହନ୍ତି ? 
    ସେମାନଙ୍କୁ ଯେତେ ପଚାରେ  କିଛି କୁହନ୍ତିନି l 
      ବର୍ତମାନ କେହି ଏଠାରେ ଅଛନ୍ତି କି ? 
      ନା, କେହି ଜଣେ ଲୋକ ମୋ ପାଖରେ ରହିଲେ ସେମାନେ ଆସନ୍ତିନି l 
     ମୁଁ ବୁଝିଗଲି ନିଃସଙ୍ଗତା କେମିତି ନିର୍ଜନତା ସହିତ ସମ୍ଭୋଗ କରି ଉପୁଯାଉଛି ଅନେକ କିସମର ପ୍ରହେଳିକାର ଛବି ମୋ ନାନୀ ଆଖିରେ l
      ବନିସର ଥୋପକୁ ମାଛ ଖୁମ୍ପୁ ଥିବାର ଦୃଶ୍ୟ ଯେମିତି ଜଣକର ଆଖିକୁ ସ୍ଥିର କରିଦିଏ ସେମିତି ମୋ ନାନୀର ଆଖିରେ ତରଂଗାୟିତ ଭାଷା ଭିତରେ କ୍ରମଶଃ ସ୍ଥିର ହେଇ ହଜିଯାଇଥିଲି l ଇତ୍ୟାବସରେ ନାନୀର ଅସ୍ଫଟ ପଦେ କଥାରେ ମୁଁ ପ୍ରକୃତିସ୍ଥ ହେଲି l ନାନୀ ମୋତେ ଚାହିଁ କହୁଥିଲା - ଆରେ ବାବା, ମୋର ଟିକେ ଚାଲିବାକୁ ଭାରି ଇଛା l ମୁଁ କଣ ଆଉ ଚାଲିପାରିବିନି ? 
   ମୁଁ ଜାଣିଛି ନାନୀର ଦୁଇ ଆଣ୍ଠୁ ଅଚଳ l ଏଇ ପରିଣତ ବୟସରେ ଅପରେସନ କଲେ ଵି ଫଳ ଓଲଟା ହେବାର ଅଧିକ ସମ୍ଭାବନା ବୋଲି ଡାକ୍ତର କହିସାରିଛନ୍ତି l ନାନୀକୁ କଣ ଆଶ୍ୱାସନା ଦେଵି ବୋଲି ଭାବନାରେ ପୂରା ଅଟକି ଗଲି l
   ନାନୀ ପୁଣି କହିଲା - ଆରେ ତୁ ଏମିତି ଅକାବକା ହେଇ ଚାହିଁଛୁ କଣ ?  ନହେଲେ ଆଣ୍ଠୁ ପାଖରୁ ତଳକୁ ଗୋଟେ କି ଦୁଇଟା ଯାକ ଗୋଡ଼ ଡାକ୍ତରଖାନରେ ଅପରେସନ କରି କାଟି ଦେଲେ ଭଲ ହୁଅନ୍ତା, ମୁଁ ଆଶ୍ରା ବାଡ଼ି ଧରି ଟିକେ ତ ଛୋଟେଇ ଛୋଟେଇ ଚାଲି ପାରନ୍ତି ! କିଛି ନ ହେଲେ ଵି ଠାକୁରଙ୍କର ପୂଜା ବାସନତକ ମାଜି ପାରନ୍ତି କି ଶଙ୍ଖ ଫୁଙ୍କି ପାରନ୍ତି l 
    ହେ ଭଗବାନ ! ଯିଏ ଜୀବନ ସାରା କେବଳ ଚାଲୁ ନଥିଲା ବରଂ ପରିବାର ବୋଝ ମୁଣ୍ଡେଇ ଦୌଡୁଥିଲା ସେ ଆଜି ଚାଲିବା ପାଇଁ କେତେ ବିକଳ ସତେ ! ଜୀବନଟା ଯାକ ଚାଲୁଥିବା ବେଳେ ସେ କେବେ ଵି ଗୋଡ଼ ଦୁଇଟିର ମହତ୍ୱ, ଦାୟିତ୍ୱର ବୋଝ ନିଶାରେ ବୁଝୁ ନଥିଲା କିନ୍ତୁ ଆଜି ତଳେ ଠିଆ ହେଇପାରୁନି ବୋଲି କେମିତି ବିକଳ ହେଉଛି ଟିକେ ଚାଲିବା ପାଇଁ ! 
   ମୁଁ ବାକରୁଦ୍ଧ ହେଇ ଚାହିଁଥିବା ସମୟରେ ଦେଖିଲି ନାନୀ ସତୃଷ୍ଣ ଆଖିରେ ମୋତେ ଚାହିଁଛି l ମୁଁ କହିଲି - ଆଜିକାଲି ପୁଅ ବୋହୂ ବଡ଼ ସ୍ୱାର୍ଥପର,ତୋର ଚାରି ଚାରିଟା ବୋହୂ,ତିନ ତିନଟା ଝିଅ ଭିତରୁ ଜଣେ ଲେଖାଏଁ ପାଳି କରି ତୋ ପାଖରେ ରହନ୍ତେନି? ଏକୁଟିଆପଣ ଭିତରୁ ଯେଉଁସବୁ ଭ୍ରମିତ ଛବି ଦେଖୁଛୁ,ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ତାହା  ଅନ୍ତତଃପକ୍ଷେ ଦେଖନ୍ତୁନି l 
      ନାନୀ ମୋ ପ୍ରଶ୍ନକୁ ବାଁରେଇ ଦେଇ ଓଲଟା ମୋତେ ପଚାରିଲା - ଆରେ ବାବା, ଯେଉଁ ମାଇପିମାନେ ମୋ ପାଖକୁ ଆସନ୍ତି ସେମାନେ କିଏ ? ଜାଣିଛୁ ସେମାନଙ୍କ ଭିତରୁ ଗୋଟେ ମାଇପି ସାଇକେଲ ଚଢି ଆସେ l ଏ କଥା କହୁଥିବା ସମୟରେ ମୁଁ ଦେଖିଲି ଯେ ତାର ଯୋଡିକ ଆଖି ଅନେଇଛି କୋଠରୀର କାନ୍ଥକୁ ଲାଗି ଥୁଆ ହେଇଥିବା ହୁଇଲ ଚେୟାରକୁ l 
    ମୁଁ ବୁଝିଗଲି ଏଇ ହୁଇଲ ଚେୟାର ଚକଟା ତାର ଆଖିରେ ସାଇକେଲର ଭ୍ରମ ସୃଷ୍ଟି କରୁଛି l ନାନୀର ପ୍ରଶ୍ନର ଉତ୍ତରଟିଏ ଖୋଜୁଥିଲି ସତ କିନ୍ତୁ କିଛି କହିପାରୁନଥିଲି l ଯିଏ ପୁଅ ବୋହୂ ନାତି ନାତୁଣୀଙ୍କର କୋଳାହଳ ମଝିରେ ଜୀବନ ବଂଚୁଥିଲା, ସେମାନଙ୍କ ଅନୁପସ୍ଥିତରେ ସେ ଆଉ କଣ ଦେଖିବ ? ପଦଟିଏ କଥା ତାର ଦରକାର, ଚେନାଏ ସ୍ନେହ ଏଇନେ ତାର ଦରକାର l ଟଙ୍କା ଦେଇ ନର୍ସ କିମ୍ବା କେୟାର ଟେକର ରଖିଦେଲେ ନିର୍ଜନତା ଚାଲିଯାଏନି ବରଂ ପ୍ରଳାପ ଭୈରବି ରଢ଼ି କରେ ମନ ଓ ଚେତନାରେ l 
    ଆହାଃ ! ଏଇ ନାନୀ ତ ଦିନେ ଧାନଭର୍ତି ବିରାଟ ବିରାଟ ମାଟିହାଣ୍ଡିକୁ ଚୁଲିରେ ବସାଉଥିଲା ଉସେଇଁବା ପାଇଁ l ପୁଣି ମୁଣ୍ଡର ଓଢଣାକୁ ହାତେ ଲମ୍ବେ ଟାଣି ଚୁଲିର ମୁହଁ ବାଟେ ଜ୍ୱଳନ୍ତ ନିଆଁ ଭିତରଜୁ ବାରମ୍ବାର ବଗିଚାରୁ ଗୋଟାଇ ଆଣିଥିବା ଶୁଖିଲା ପତ୍ରଗୁଡାକୁ ଅର୍ଚିଣାରେ ଠେସୂଥିଲା l ଗ୍ରୀଷ୍ମ ଉତ୍ତାପ ତାର ଶ୍ୟାମଳୀ ମୁହଁରେ ବିଞ୍ଚି ଦେଉଥାଏ ବିନ୍ଦୁ ବିନ୍ଦୁ ଝାଳ l ଶାଢ଼ୀକାନିରେ ମଝିରେ ମଝିରେ ପୋଛିଦିଏ ମୁହଁରୁ ଝାଳ l ହାଣ୍ଡିରୁ ଗରମ ଢହଢହ ଧାନକୁ ଛାଣି ଝଙ୍କାରେ ଢାଳେ l ପୁଣି  ଝଙ୍କାକୁ ଟେକି ନେଇ ଖଳାରେ ପଡ଼ିଥିବା ହେଁସ ଉପରେ ଶୁଖିବା ପାଇଁ ବିଛାଇଦିଏ l ଗୋବରବୋଳା ଛୁଞ୍ଚକନାରେ ସାରା ଘର ପରାସ୍ତକୁ ଏକାକୀ ଲିପେ l ଗୋଟେ ପ୍ରକାର କାରଖାନାର ସକଳ ପ୍ରକ୍ରିୟା କେବଳ ମୋ ନାନୀ ଦ୍ୱାରା ସମ୍ପାଦିତ ହେଉଥିବାର ମୁଁ ଦେଖିଛି l ଏ କାରଖାନାର ସେ ଥିଲା ୱାର୍କର, ସେ ଵି ଓନର l
     ପିଲାଦିନେ ଦେଖୁଛି ନାନୀର ହାତ ତିଆରି ଗୋବର ଘଷି ପୁନେଇ ଜହ୍ନ ଠାରୁ ଅଧିକ ଗୋଲ, ପୁନେଇ ଜହ୍ନ ତ ଦିନକୁ ଦିନ କ୍ଷୟ ହେଇ ପନ୍ଦରଟା ଦିନରେ ଶୂନ ହେଇଯାଏ କିନ୍ତୁ ଦାରୁଣ ଗ୍ରୀଷ୍ମ କାଳରେ ମୋ ନାନୀର ହାତ ଗଢ଼ା ଗୋଲାକାର ଘଷି ଧାରା ଶ୍ରାବଣ ମାସର ରାତିରେ ଚୁଲିରେ ପଶିବା ପର୍ଯ୍ୟନ୍ତ ସେମତି ଗୁହାଳ ପରସ୍ତ ଘଷିଭାଡ଼ିରେ ପୁନେଇ ଜହ୍ନ ହେଇ ରହିଥାଏ l ମାଣବସା ଗୁରୁବାର ଦିନରେ ଝୁଟିରେ ତିଆରି କରିଥିବା ନାନୀର ଲକ୍ଷ୍ମୀପାଦ କାଳେ ସତ ଲକ୍ଷ୍ମୀପାଦର ଭ୍ରମ ସୃଷ୍ଟି କରେ ତା' ଶାଶୂ ଆଖିରେ, ଆଉ ସଞ୍ଜବେଳେ ଠାକୁରଘରେ ତାର ଭାଗବତ ପଢ଼ାର ସ୍ୱର କାଳେ ବୈକୁଣ୍ଠଧାମ ନିତ୍ୟଲୀଳାର ସଂକୀର୍ତନ ଭଳି ତାର ଶ୍ଵଶୁର କାନରେ ଶୁଭେ l
      ଯେହେତୁ ନାନୀର ଶ୍ଵଶୁରଘର ଆମ ଘରଠୁ ଡାକେ ବାଟ, ନାନୀ ପ୍ରାୟତଃ ମୋତେ କାଖେଇ ନେଇଯାଏ ତା ଘରକୁ ଆଉ ମୋ ମୁହଁ ଓ ଦେହରେ ପାଉଡର ଲଗାଇ ଦେଇ ଗୋଟିଏ ବରଡ଼ାପତ୍ର ଚଟେଇରେ ବସାଇ ଦେଉଥିଲା ବୋଲି ମୋତେ କହେ l ମୋର ହେତୁ ହେଲା ପରେ ନାନୀ ମୋ ଦେହରେ ପାଉଡର ବୋଳିବା, ଆଖିରେ କଜଳ ଲଗାଇବା ଓ ମୋ ମୁଣ୍ଡରେ ଟେରି କାଟିବା ଭଳି ମୋତେ ସଜାଇବାର ଉଦାମତ୍ତା ମୁଁ ଦେଖିଛି l 
        ଏମିତି ସେ କାହିଁକି କରୁଥିଲା ବୋଲି ଆଜି ଯଦି କିଏ ମୋତେ ପଚାରେ, ତାର ଉତ୍ତର ଦିଏ ମୁଁ ଶୂନ l ଶୂନରେ ଯେପରି ଗୁଣ ନାହିଁ, ତାହା ଭଲ କି ମନ୍ଦ  ହେଇଥାଉ,କିନ୍ତୁ ନିର୍ଗୁଣ ହେଲେ ଵି ବେଳେବେଳେ ହେଇଉଠେ ଗୁଣମୟ l ଏଇଥିପାଇଁ ଯେ ନାନୀର ଭଲପାଇବା ଭିତରେ ନ ଥିଲା କିଛି ପାଇବାର ଆଶା ମୋ ଠାରୁ l ସେ କେବଳ ଜାଣିଥିଲା ଯେ ଏଇ କୁନି ଭାଇଟି ମୋର ଗର୍ଭ-ସାଙ୍ଗ l ଗର୍ଭ ସାଙ୍ଗମାନଙ୍କର ସମ୍ପର୍କ ଭିତରେ ନିର୍ଗୁଣ ଶୂନ ହେଇ ରହିପାରେନି ବରଂ ଗୁଣମୟ ହେବାକୁ ବାଧ୍ୟ l ଏପରି ହେବା ସ୍ୱାଭାବିକ ପ୍ରକ୍ରିୟା l ନାନୀ ଓ ମୁଁ ଓରଫ ତାର କୁନି ଭାଇ ଏମନ୍ତ ସ୍ୱାଭାବିକ ପ୍ରକ୍ରିୟାର ଅଂଶ ମାତ୍ର l
      ନାନୀ କେବେ ବାହାହେଇ ଆମ ଘରୁ ବିଦାୟ ନେଲା ମୋର ହେତୁ ନାହିଁ l ତଥାପି ମୋ ମାଆ କହୁଥିଲା ଯେ ନାନୀର ବାହାଘର ବେଳକୁ ମୋତେ କାଳେ ହେଇଥିଲା ତିନିବର୍ଷ l ନାନୀ ମୋତେ ଛାତିରେ ଚାପି ଧରି କୁଣ୍ଢାଇ କେତେ ପ୍ରକାର ଝିଅବିଦାର ପାରମ୍ପରିକ ଗୀତ ବୋଲି କାନ୍ଦିକାନ୍ଦି  ବେହୋସ ହେଇଯାଉଥିଲା l ହଁ ପରା ସେ ସମୟରେ ଝିଅମାନେ କାନ୍ଦଣା ଗୀତ ବାହାଘର ପୂର୍ବରୁ ଗାଁର ବୁଢୀମାନଙ୍କ ପାଖରୁ ଶିଖି ଗୀତ ଗାଇବା ଅଭ୍ୟାସ କରୁଥିଲେ l
    ମୋ ନାନୀ ଅବଶ୍ୟ ବେଶୀ ପାଠ ପଢିନଥିଲା କିନ୍ତୁ ବହି ପଢିପାରୁଥିଲା ଓ କିଛି ଲେଖିପାରୁଥିଲା l ଯେହେତୁ ସ୍ୱାଧୀନତା ପୂର୍ବକାଳର ଝିଅ ଥିଲା ସେ, ଚାଟଶାଳୀରୁ ଯାହା ପଢିଥିଲା ସେତିକି ତା ପାଇଁ ଯଥେଷ୍ଟ ବୋଲି ବୋଉ କହୁଥିଲା l କାହିଁକି ନା ତାର ପଞ୍ଝାଏ ଭାଇ ଭଉଣୀଙ୍କର ଦେଖାଶୁଣା କିଏ କରିଥାନ୍ତା ? ଝିଅ ଜନମ ପରଘରକୁ ନ୍ୟାୟରେ ନାନୀର ଅସ୍ତିତ୍ୱ ଅସ୍ଥାୟୀ ଥିଲା ଆମ ଘରେ l
      ଶାଶୂଘରକୁ ବୋହୂ ହେଇ ଆସିବା ଉତ୍ତାରୁ ନାନୀ କଣ କେବେ ଭାବିଥିଲା ଯେ ଏଇଠି ଦିନେ ଖଟରେ  ଶୋଇ ନିର୍ଜନତାର ପ୍ରଳାପ ଶୁଣିବ ? ସେ କଣ ଜାଣିଥିଲା ରକ୍ତର ଟୁକୁରାଗୁଡାକ କେନ୍ଦ୍ରବିନ୍ଦୁଠୁଁ ଦିନେ ଏପରି ଦୂରେଇଯିବେ ? ଏମିତି ଗଭୀର ଚିନ୍ତାରେ ପୂରା ଡୁବି ଥିବାବେଳେ ନାନୀର ଡାକ ଶୁଣି ଚମକି ପଡିଲି l 
    ସେ କହୁଥିଲା - ଆରେ ତୁ ଏମିତି ଗୁମସୁମ ହେଇ ଭାବୁଛୁ କଣ ? କହିଲୁନି ତ ସେ ମାଇପିଗୁଡାକ କିଏ ? 
      କଣ ଆଉ କହିବି, ତଥାପି କହିଲି  - " ଶୁଣ, ମୋତେ ଯେତେବେଳେ ଦଶବର୍ଷ ହେଇଥିଲା, ମୁଁ ପରା ଟାଇଫୋଡ଼ ଜ୍ଵରରେ ସିରିଅସ ହେଇ ଭଦ୍ରକ ଡାକ୍ତରଖାନାରେ ଏକୋଇଶିଦିନ ରହିଥିଲି l ତୁ ବାପାଙ୍କ ସାଙ୍ଗରେ ମୋ ପାଖରେ ଛାଈଟିଏ ଭଳି ରହି ମୋର ସେବା କରୁଥିଲୁ l ରାତି ଅଧରେ ଥରେ କେବିନ ବାହାରକୁ ଚାହିଁ ଦେଖିଲୁ ଯେ ଜଣେ ଆଠବର୍ଷର ଝିଅ ଦେହସାରା ସୁନା ଗହଣା ପିନ୍ଧି ବୋହୂଟିଏ ଭଳି ହସ୍ପିଟାଲର ପାଚେରୀ ଉପରେ ବସିଛି l ତୁ ହାଉଳି ଖାଇ ମୋ ବେଡ଼ ପାଖରେ କାହାକୁ କିଛି ନ କହି ଶୋଇପଡିଲୁ l ହଁ, ତୁ କାଳେ ଏପରି ଦୃଶ୍ୟ ଅନେଜ ବାର ଡାକ୍ତରଖାନାରେ ଥିବାବେଳେ ଦେଖିଥିଲୁ ବୋଲି ବାପାଙ୍କୁ ଶେଷରେ କହିବାରୁ ବାପା ତତେ କଣ କହିଥିଲେ ତୋର ମନେନାହିଁ କି ? 
       ନାନୀ ଆଖି ତରାଟି କହିଲା - ହଁ ହଁ ମୋର ମନେ ଅଛି ? ବାପା ସେ ଦିନ କହିଥିଲେ - ଆମ ଗ୍ରାମଦେବତୀ କ୍ଷେତ୍ରପାଳ ଠାକୁରାଣୀଙ୍କର ଅଷ୍ଟମାତୃକା ଭିତରୁ ସେ ଜଣେ ଦେବୀ ମାତା l 
   ଯାହାହେଉ ନାନୀର ସ୍ମୃତିଶକ୍ତି ଏଯାଏଁ ହ୍ରାସ ହେଇନି ଜାଣି ଖୁସି ହେଲି l ନିର୍ଜନତାର ଅସହ୍ୟ କଲବଲ ଭିତରେ ତାର ମନରେ ଶକ୍ତି ସଂଚରଣ ପାଇଁ କହିଲି - ନାନୀ ! ଏବେ ବୁଝିପାରୁଛୁ ତ ସେମାନେ ହେଉଛନ୍ତି ମହାମାୟା ଜଗନ୍ମାତାଙ୍କର ଅଷ୍ଟମାତୃକାଗଣ l ଡ଼ରିବୁନି ବରଂ ଭକ୍ତି ସହ ପ୍ରଣାମ କରିବୁ l ଯାହା ଚାହିଁବୁ ତାହା ତାଙ୍କୁ ମାଗିବୁ l 
       ହେଇପାରେ ଏହା ମୋର ମନଗଢା କଳ୍ପନା l କିନ୍ତୁ ଦେଖିଲି ହଠାତ ନାନୀ ମୁହଁଟା ସାମାନ୍ୟ ସଫା ଦେଖାଗଲା, ହସ ଖେଳିଲା ଓଠରେ l ସନ୍ତୁଷ୍ଟି ଭାବ ମୁହୂର୍ମୁହୁ ପ୍ରକାଶିତ ମୁହଁ ସାରା l ପୁଣି ଚାଲିବାର ଯେଉଁ ଟିକକ ମୋହ ମନରେ ଆଗରୁ ବସା ବାନ୍ଧିଥିଲା, ତାହା ଏକାବେଳକେ ଅନ୍ତର୍ହିତ ହେବାର ଲକ୍ଷ୍ୟ କଲି l 
      ସେ ଖୁସିରେ ଗଦଗଦ ହେଇ କହିଲା - ସେମାନଙ୍କୁ ଗୁହାରି କଲେ ମୋତେ ନେଇଯିବେତ ? 
    ମୁଁ କହିଲି - ହଁ l 
    ଆଶୀର୍ବାଦ ହେଉ କି ଅଭିଶାପର ଭାଷା ହେଉ, ଏତକ ନାନୀକୁ ଦେଇ ଚାଲିଆସିଲି ସେ ଦିନ ଭାରୀ ହୃଦୟରେ ମୋ ନାନୀ ପାଖରୁ l 

    ---------0000---------

© ମନୋଜ କୁମାର ମହାପାତ୍ର
31.3.24

Leave A Reply

Your email address will not be published.