ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ-‘ପୁନଶ୍ଚ କଣାମାମୁ’

0

// TATKAL ODISHA//ଗଳ୍ପ //

*****************
ପୁନଶ୍ଚ କଣାମାମୁ 

ମନୋଜ କୁମାର ମହାପାତ୍ର
***************** 

        ଅଜଣା ଅଚିହ୍ନା ମଣିଷ ସେ ଏହି ଇଲାକାରେ l ବୟସ ଷାଠିଏ ଧରିଲେଣି, କେବେ ବି ଏ ଅଂଚଳର ମାଟି ମାଡି ନାହାନ୍ତି l କାନ୍ଧରେ ଖଦଡ଼ ବ୍ୟାଗଟିଏ ଝୁଲାଇ ଖୋଜିଲା ଖୋଜିଲା ଆଖିରେ ବୈତରଣୀ ନଦୀ ବାଲୁକା ପଠାରେ କଣ ଗୋଟେ ଖୋଜିବାରେ ବ୍ୟସ୍ତ l ସେ ଏଇ ଜାଗାକୁ ଜାଣିଶୁଣି ଆସିଛନ୍ତି ନା କିଏ ତାଙ୍କୁ ଟାଣିଆଣିଛି, ସେ କଥା ସେ ନିଜେ ବୁଝିନାହାନ୍ତି l ତଥାପି ସେ ଆସିଛନ୍ତି l
    ଅବଶ୍ୟ ଫାଙ୍କା ଆଖିରେ ଚାହିଁଛନ୍ତି ଚାରିଆଡକୁ କିନ୍ତୁ ମସ୍ତିଷ୍କ ଭିତରଟା ଆଦୌ ଫାଙ୍କା ନୁହେଁ, ରୀତିମତ ଏକ ପ୍ରକାର ମନ୍ଥନ ଚାଲିଛି ଅତୀତକୁ ନେଇ l ହଠାତ ଦେଖିଲେ ଏମିତି ଏକ ଦୃଶ୍ୟ ଯାହା ତାଙ୍କ ମନ ଭିତରେ ଲୁଚି ରହିଥିଲା କେଉଁ କାଳରୁ ଯେପରି ଦହି ହାଣ୍ଡିରେ ଲହୁଣି ଲୁଚିଲା ଭଳି l 
     ହେଇ ଦେଖୁନ ଦୌଡୁଥିବା କାଳିଆ ଷଣ୍ଢ ପଛରେ ଲୋକଟା ଅଣ୍ଟାରେ ନାଲି ଗାମୁଛା ଭିଡି କେମିତି ଦୌଡୁଛି, ଆଉ ନଦୀ ପଠାରେ ପଞ୍ଝାଏ ଲୋକ ତାଳି ମାରି ହିପିପ ହୁରେ କହି ତାକୁ ଉସକାଉଛନ୍ତି l ସେଇ ବେଲଜ୍ଜା ଲୋକଟା ବି ଧୁକୁଡ଼ ଧୁକୁଡ଼ ହେଇ ଦୌଡୁଛି l ଯଦି ଷଣ୍ଢଟା ବୁଲି ପଡ଼ି ତାକୁ ଭୁସି ଦିଏ ତାର ଦଶା କଣ ହେବଯେ ସେ କଣ ବୁଝିପାରୁନି ?
     ଏଇ ସମୟରେ ପଠାରେ ଛନଛାନିଆ ବାଇଗଣ କିଆରିରୁ ଗୋଟିଏ ବାଇଗଣ ହାତରେ ଧରି କଳାମୁହାଁ ଭୁଣ୍ଡା ଅନ୍ତାଟା ଷଣ୍ଢ ଆଗକୁ ଧାଇଁ ଆସିବାରୁ ଧାବମାନ ଷଣ୍ଢ ତାର ଗତିପଥ ହଠାତ ବଦଳାଇ ପଛମୁହାଁ ହେଲା l
    ନଈ କୂଳରେ ଠିଆ ପଞ୍ଝାଏ ଲୋକ ପୁଣି ହିପିପ ହୁରେ କହିବାରୁ ଦୌଡୁଥିବା ଲୋକଟା ଏମିତି ଜୋସ ଖାଇଲାଯେ ତା ଆଡକୁ ଛୁଟିଆସୁଥିବା ଷଣ୍ଢର ସିଂଘ ଧରି ରୀତିମତ ଯୁଦ୍ଧ କରିବାକୁ ଉଦ୍ୟତ ହେଲା l କିନ୍ତୁ ଷଣ୍ଢର ପ୍ରଚଣ୍ଡ ଭୁଶା ତାକୁ ଆକାଶକୁ ଉଡ଼ାଇଦେଲା l ସେ ଛିଟିକି ତଳେ ପଡିଲା ଦୁଲକିନା ଚାରକାତ ହେଇ l ଷଣ୍ଢ ବିକଟାଳ ହମ୍ବା ରଢ଼ି ଦେଇ ଚାଲିଗଲା ତା ବାଟରେ l ହେଁ  ହେଁ  ହେଁ l 
     ବାପରେ ବାପ କି ମର୍ମନ୍ତୁଦ ଦୁର୍ଘଟଣା  ସତେ l ଲୋକଟାର ଆଣ୍ଠୁଗଣ୍ଠି ବୋଧେ ଛିଡ଼ିଛି l ତଥାପି ବାହାପିଆ କଥାରେ ବାଟୁଳି ବାଜୁନଥାଏ l ଶଃ..... ଷଣ୍ଢଟା ମୋ ହାବୁଡ଼ରୁ ବଂଚିଗଲା ହୋ l  ଅନ୍ତାଟା ବାଟ ଓଗାଳି ନ ଥିଲେ ମୁଁ ତ ଷଣ୍ଢର ଲାଙ୍ଗୁଡ଼କୁ ଧରି ତା ଉପରକୁ ଚଢି ଯାଇଥାନ୍ତି l ଦେଖିଥାନ୍ତ ଵାସୁଆ ଉପରେ କେମିତି ଭୋଳା ମହେଶ ବସିଛି l
      ଏତକ କହୁଥିବାବେଳେ ଦେଖଣାହାରୀଙ୍କ ଭିତରୁ ଜଣେ ଦାନ୍ତ ନିକୁଟି ଚିଗୁଲେଇ କହୁଥିଲା  - ହଁ ହଁ ଆମେ ତୁମର ତାକତ ଜାଣିଛୁ ହୋ ମଉସା l ନିଜକୁ ଟିକେ ଦେଖ, ତୁମ ପିନ୍ଧିଥିବା ଲୁଙ୍ଗିଟା କୁଆଡେ ଗଲା ? ଦେଖିପାରୁଛତ ଲୁଙ୍ଗିଟା ଦିଫାଳ ହେଇ କେମିତି ଷଣ୍ଢ ସିଂଘରେ ଉଡ଼ନ୍ତା ପତିତପାବନ ବାନା ସାଜିଛି l 
ଲୋକଟା ମୁହଁ ତଳକୁ କରି ଦେଖେତ - ସତେ ତ l ଲୁଙ୍ଗିଟା ନାହିଁ, ବିଚରା ଆଉ କଣ କରିବ l
       ଏମନ୍ତ ଦୃଶ୍ୟରେ ସେତେବେଳକୁ କଲ୍ୟାଣବାବୁଙ୍କ ପେଳେଇ ପାଣି l ଲୋକଟା ଚଡିଟିଏ ପିନ୍ଧି ଛୋଟେଇ ଛୋଟେଇ ତାଙ୍କ ଆଡକୁ ଖେପି ଆସୁଛି l ସେ ଯେତେ ପାଖେଇ ଆସୁଥିଲା ସେତେ ତାର ମୁହଁଟା ସ୍ପଷ୍ଟ ବାରି ହେଉଥିଲା l
    କଲ୍ୟାଣବାବୁ ଅପଲକ ଆଖିରେ ଲୋକଟାକୁ ଚାହିଁ ମନେ ମନେ ରୀତିମତ ମିଶାଣ ଫେଡ଼ାଣ କରିବାକୁ ଲାଗିଲେ l ଶେଷରେ ହତବାକ ହେଇ କହି ଉଠିଲେ - ଆରେ ଲୋକଟା ଗୋଟାପଣେ କଣମାମୁ ଭଳି ଦେଖାଯାଉଛି l ଏମନ୍ତ ଭାବନ୍ତେ ତାଙ୍କୁ ଲାଗିଲା ତାଙ୍କ ମୁଣ୍ଡଟାକୁ ସତେକି ବିରୁଡିଟିଏ ଦଂଶି ଦେଇଛି ! ସେ ବାୟାବାତୁଳ ଆଖିରେ ଚାହାଁନ୍ତେ - ଲୋକଟା ଯେ କଣମାମୁ ଆଉ ସନ୍ଦେହ ରହିଲା ନାହିଁ l
    ହଁ ପରା ତାର ରୂପ ଓ  ବାହାପିଆ ବ୍ୟବହାର ଠିକ ଆମ କଣାମାମୁଁ ଭଳି l ଦେଖୁନ ତାର ଜଙ୍ଘ ଦୁଇଟା ଅସଂଗତ ଭାବରେ ମୋଟ, ଯେପରି ଯୋଡ଼ାଏ ବେଢ଼ିଆ ଖୁଣ୍ଟ l ଆଉ ଅଣ୍ଟା ଠାରୁ ମୁଣ୍ଡଯାକେ ଯେତେ ଲମ୍ବ, ଚାହିଁଲାବେଳକୁ ଅଧୋ ଭାଗଟା ବେଶ ବେଶୀ l  ତା ଉପରେ ପୁଣି ଡେବିରି ଆଖିଟା କଣା, ଡୋଳାଟା ଡିମା ହେଇ ବାହାରି ପଡିଛି l ତାର ବାଳ ଗୋଟିଏ ପାଚି ନଥିଲା କି ଦାନ୍ତ ଗୋଟିଏ ପଡ଼ି ନ ଥିଲା l ମୁହଁଟାଯାକ ବସନ୍ତ ଦାଗ l ତହିଁରେ ପୁଣି ବାଲୁ ବାଲୁ ମୁଛ ଦାଢ଼ି l
    କଲ୍ୟାଣବାବୁ ଗୁଣୁଗୁଣୁ ହେଲେ  -  ବାଃ......ହଜିଲା ବଳଦ ଖୋଜିଲା ଠେଇଁ ...l
      ସେତେବେଳକୁ ଲୋକଟା ତାଙ୍କ ସାମ୍ନାରେ ପୂରା ଉଭା ହେଇସାରିଲେଣି ଏବଂ ମୁରୁକି ମୁରୁକି ହସି ଚାହୁଁଛି l
       କଲ୍ୟାଣବାବୁଙ୍କ ପାଟିରୁ ବାହାରିପଡିଲା - ମାମୁଁ ଓଳକି  l ନିଅ ନିଅ ଲୁଙ୍ଗିଟା, ଏତକ କହି ଝୁଲନ୍ତ ଖଦଡ଼ ବେଗରୁ ନିଜ ଲୁଙ୍ଗିଟା ବାହାର କରି ତାଙ୍କ ହାତକୁ ବଢ଼ାଇଦେଲେ l
    ମାମୁ ହସି କହିଲେ - ଯାହାହେଉ ଏତେଦିନକେ ଜଣେ ଖୋଦ ଭଣଜାର ସାକ୍ଷାତ ହେଲା l ଲୁଙ୍ଗିଟି ପିନ୍ଧୁଥିବା ବେଳେ ଖୁସିରେ ଗଦ ଗଦ ହେଇ ସେ କହୁଥିଲେ - ଶଃ..... ଆଜିକାଲି ମାମୁଟାକୁ କେହି ଚିହ୍ନୁନାହାନ୍ତି ହୋ l ଦେଖୁନ ଲୋକଗୁଡ଼ାଙ୍କର ଆଗଭଳି ମାନ ମହତ ଅଛି ଆଉ? ଏମାନେ କେମିତି ମାମୁଁକୁ ମଉସା ଡାକୁଛନ୍ତି,ଦେଖୁଛତ l  
    କଲ୍ୟାଣବାବୁ ଉତ୍ସକ ସ୍ୱରରେ ପଚାରିଲେ - ମାମୁଁ ତୁମେ କଣ ଏଠିକି ବୁଲିବାକୁ ଆସିଥିଲ?
     ସେ ଏମିତି ଗୋଟେ ହସ ମୁହଁରୁ ବିସ୍ଫୋରଣ କଲେ ଯେ ନଈ ପଠାରେ ଚରୁଥିବା ଗୋରୁପଲ ଖପାଖପ ଡେଇଁ ପଡିଲେ ନଦୀର ଆଣ୍ଠୁଏ ଗଭୀର ପାଣି ଭିତରକୁ l ଏତିକିବେଳେ ବୁଢୀଟିଏ ନଈରୁ ଗାଧୋଇ କାଖରେ ମୁଠିଶାଗ ଭର୍ତି ପାଛିଆଟେ କାଖେଇ ବାଡ଼ି ଠୁକୁ ଠୁକୁ କରି ସେଇ ବାଟରେ ଆସୁଥିଲା l 
           ମାମୁ ତାକୁ ଦେଖି ଫେଁ କିନା ହସି ପଚାରିଲେ  - ଆଲୋ ତୁ ଚେମି ମା ନା ? 
      ବୁଢୀ କହିଲା - ହଁ.. ହଁ ମଃ l 
     ହଉ ଯାଆ, ମୁଠିଶାଗ ଭାଜି ରଖିଥିବୁ l ମୋତେ ଭାରୀ ଭୋକ l ଆଜି ତୋ ଘରେ ପଖାଳ ଗଣ୍ଡେ ଖାଇବି l ମୁଠିଶାଗ ଭଜା ଅନେକ ଦିନ ହେଲା ଖାଇନିତ l 
          ବୁଢୀ ମନ୍ଥର ଗତିରେ ପାଦ ଆଗକୁ ବଢାଇବା ମାତ୍ରେ ପଛରୁ ଡାକ ଶୁଣି ଠିଆ ହେଲା l ମାମୁ କହିଲେ - ତୋର ଇନ୍ଦିରା ଆବାସ ହେଇଯିବ, ଆଉ ଚିନ୍ତା କରନା l ମୋ ପୁଅର ଶ୍ଵଶୁରର ସାଙ୍ଗ ଖୋଦ ଏମେଲେ ଅଛିନା, ତାକୁ କହିଦେଇଛି l 
    ବୁଢୀ ମୁରୁକି ମୁରୁକି ହସି କହିଊଠିଲା - ଦେଖୁନ ପୋଡ଼ାମୁହାଁକୁ, ମୂଳରୁ ମାଇପ ନାହିଁ, କହୁଛି ପୁଅ ନାଁ ଗୋପାଳିଆ l ଵାସ ଏତକ କହି ବୁଢୀ ତା ବାଟରେ ଚାଲିଗଲା l 
      ଆଖିର ଡିମା ଡୋଳା ନଚାଇ ମାମୁଁ କହିଲେ - ଆରେ ଏଇଟା ମୋ ଚରା ଭୂଇଁ l ଏଠିକାର ଲୋକେ ମୋତେ ଖାତିର କରନ୍ତି l ଦେଖୁନ ଏଇ ଲୋଟଣି ବରଗଛଟାକୁ, ନଦୀ କୂଳରୁ ଆରମ୍ଭ ହେଇ କେମିତି ଲୋଟି ଲୋଟି ବନ୍ଧ ଯାଏ ପହଂଚିଲାଣି l ଜାଣିଛ ଏଇ ବରଗଛ ଯୋଗୁ ବଢି ପାଣି ଗାଁ ଭିତରକୁ ପଶିପାରେନି l ଦିନ ତମାମ ଏଇଠି ବୁଲୁଥାଏ l ତା'ନହେଲେ  ଏଇ ଗଛଟା କଣ ଏଠି ଥାଆନ୍ତା, ହଣାହଣି କରି ସଫା କରିଦେଇଥାନ୍ତେନା l 
           ଏଇଠି ତୁମ ଘର ନା ଆଉ କେଉଁଠି ? କଲ୍ୟାଣବାବୁ ପଚାରିକେ l 
       ନା ହୋ ମୋ ଘର ଏଇ ନଦୀବନ୍ଧ ସେପଟେ l ରାଜ ଉଆସ l ତୁମେ କଣ ଭାବୁଛ ମୋ ମା ଧାନକୁଟି,  ମୁଁ ତାର ପୁଅ ନାଗର, ବାରବୁଲା ଫେସନଵାଲା ? ନା.... ନା l
        ମାମୁ ପୁଣି ଆଖି ତରାଟି କହିଲେ - ତୁମେ ପରା ମୋର ଜନ୍ମସ୍ଥାନ ଦେଖିବାକୁ ଆଜି ସକାଳେ ଯାଇଥିଲ, ପୁଣି କଣ ମୋତେ ପଚାରୁଛ ମୋ ଘର କେଉଁଠି ? ମୋ ସହ ଇୟାର୍କି କରୁଛନା କଣ ? 
    କଲ୍ୟାଣବାବୁ ସାମାନ୍ୟ ଘବରେଇ ଯାଇ କହିଲେ  - ନା ନା ସେମିତି ନୁହେଁ l ମୋ ଜେଜେଙ୍କ ମାମୁଘର ଦେଖିବାକୁ ଯାଇଥିଲି l
  ଏ କଥା ଶୁଣି ମାମୁଙ୍କ କପାଳ କୁଞ୍ଚିତ ହେବାରୁ ମୁହଁଯାକ ବସନ୍ତଦାଗ ଅଧବୁଜା ଭଳି ଉଙ୍କି ମାରିଲା l ଭୁରୁଡିଟିଏ ମାରି କହିଲେ  - ସେଠି କଣ ଦେଖିଲ ହୋ ?
     ଆଉ କଣ ଦେଖିବି ଆଜ୍ଞା !  କର୍ପୁର ଉଡିଯାଇଛି କେବଳ କନାଟିଏ ପଡିଛି l ପରିତ୍ୟକ୍ତ ବିଶାଳ ଉଆସ ଭୁତକୋଠି ଭଳି, କାନ୍ଥରେ ଉଠିଛି ଅସଂଖ୍ୟ ବରଗଛ, ଅରମା ଜଙ୍ଗଲରେ ପରିପୂର୍ଣ, ବିଷଧର ସର୍ପ ଓ ସରୀସୃପଙ୍କର ଆଡ୍ଡା ସ୍ଥଳୀ l ଛାତରୁ ଖସୁଛି ବଡ଼ ବଡ଼ ସିମେଣ୍ଟ ପ୍ଲେଟ l ବାପରେ ବାପ କି ଭୟଙ୍କର ସେଇ ଉଆସଟା ଏଇନେ l
       ଜେଜେଙ୍କ ମାମୁଘର ଉଆସର ବର୍ଣନା କରୁଥିବା ସମୟରେ କଲ୍ୟାଣବାବୁ ମଝିରେ ମଝିରେ ମାମୁଁଙ୍କ ମୁହଁକୁ ଚାହୁଁଥିଲେ l ବାପରେ ବାପ କି ଭୟଙ୍କର ମୁହଁ ସେତେବେଳକୁ ତାଙ୍କର l ହସିଲେ ମଣିଷର ମୁହଁଟା କେବେ ବି ଇମିତି ଅବାଗିଆ ଦେଖାଯାଏନି କିନ୍ତୁ ମାମୁଁ ହସୁଥିଲେ ଭଳି ଦେଖାଯାଉଥିଲେ l ଦି ଚାରିଟା ଫର୍ଚ୍ଚା ଆଗ ଦାନ୍ତ ଦେଖା ମୁହଁରେ ସେ ପଚାରିଲେ - ଆଉ କଣ ଦେଖିଲ ? ଫଟା ଫଟ କୁହନା l ମୋ ପାଖରେ ଟାଇମ କମ l 
  ଭୟରେ କଲ୍ୟାଣବାବୁ କହିଲେ  - ଜେଜେ ଯେଉଁ ଘରେ ରହି କଣାମାମୁଁ ଉପନ୍ୟାସଟା ଲେଖୁଥିଲେ, ସେଇ ଘରଟା ଏବେ ଦଦରା, ଅନ୍ଧାରୁଆ ଓ ଚେମିଣିଆ ଗୁହର ନାକଫଟା ଗନ୍ଧରେ ଭରା l
     ମାମୁଙ୍କୁ ଆଉ କିଏ ସମ୍ଭାଳେ ?  ଭାରତନାଟ୍ୟ ନୃତ୍ୟ ନ ହେଲେବି ସେଇଭଳି ଏକପ୍ରକାର ନାଚ ଆରମ୍ଭ କରି ଖାଲି ଗୋଡ଼ ଛଟାଛଟି କରି ଡେଇଁବାଜୁ ଲାଗିଲେ l   କଲ୍ୟାଣ ବାବୁ ସେତେବେଳଜୁ ନିଶ୍ଚିତ ହେଇସାରିଲେଣି ଯେ ଆଗରେ ନାଚୁଥିବା ମଣିଷଟି କଣାମାମୁଁ ଛଡା ଆଉ କେହି ନୁହେ l
      ଇତ୍ୟାବସରେ କଣାମାମୁ ନିରୁଦ୍ଦିଷ୍ଟ ହେବା ପୂର୍ବରୁ ନିଜ ବିଷୟରେ ଯେଉଁ ଭବିଷ୍ୟବାଣୀ ଶୁଣାଇଥିଲେ ତାର କିୟଦ°ଶ କଲ୍ୟାଣବାବୁଙ୍କ ମନରେ ଝଲସି ଉଠିଲା - " ମୁଁ ଗୋଟାଏ ବଡ଼ କାମରେ ହାତ ପୁରାଇଛି l ପୁଲିସ ସେ କଥା ଜାଣିସାରିଲାଣି l କାମଟା ସହଜ ନୁହେଁ, ଜୀବନ ନେବାକୁ ହେବ, ଆଉ ଜୀବନ ଦେବାକୁ ହେବ"l 
   ତାପରେ ଉତ୍ସୁକତା ସହ କଲ୍ୟାଣ ବାବୁ ପଚାରିଲେ - ମାମୁଁ ତୁମେ କଣ ଇଂରାଜୀ ଶାସନ ତଡିବାକୁ ତ୍ୟାଗୀ ବାବାଜୀ ହେଇ କୁଆଡେ ପଳାଇ ଯାଇଥିଲ କି? ତୁମେ କାଳେ କହିଥିଲ ଜୀବନ ନେବି କିମ୍ବା ଜୀବନ ଦେବି l କାହାର ଜୀବନ ନେଲ ନା ନିଜ ଜୀବନକୁ ପୋଲିସକୁ ଦେଇଦେଲ ଦେଶମାତୃକାର ସେବା ପାଇଁ l 
    ମାମୁଙ୍କ ପୂରା ମୁହଁଟା ନିରବତାରେ ଗମ୍ଭୀର ଦେଖାଗଲା l କିଛି କ୍ଷଣ ଉତ୍ତାରୁ ଠୋ ଠୋ ହସି କହିଲେ - ଯେଉଁ ପୋଲିସଵାଲା ମୋତେ ଦେଖି ଲାଙ୍ଗୁଡ଼ ଜାକି ହଗିବା ବାହାନାରେ ନଈ ପଠାକୁ ପଳାନ୍ତି ସେ ମୋର ଜୀବନ ନେବେ? ହୁଁ  ହୁଁ  ହୁଁ  l 
    କଲ୍ୟାଣୀବାବୁ ତାଙ୍କର ବାହାପିଆ କଥାରେ ନ ହସି ରହିପାରିଲେନି l ବରଂ ଛେପ ଢ଼ୋକି କହିଲେ - ଆଠବର୍ଷର ଝିଅ ହାରକୁ ବଞ୍ଚାଇବା ପାଇଁ  ହୁତୁହୁତୁ ନିଆଁ ଜଳୁଥିବା ଘର ଭିତରଜୁ ବିଜୁଳି ବେଗରେ ପଶିଯାଇଥିଲନିକି ? ଝିଅଟାକୁ ଉଦ୍ଧାର କଲ l କିନ୍ତୁ ତୁମର ତଳିପା ଯୋଡ଼ାକଯାକ ଫୋଟକା ହେଇଗଲା ଓ ଦେହରେ ଖଣ୍ଡେ ଖଣ୍ଡେ ଚମ ଉଠିଯାଇଥିଲା ନିଆଁଚେଙ୍କା ଲାଗି l
     ତାପରେ ତୁମକୁ ପୁଲିସ ଧରିନେଇ ହାଜତରେ ରଖିଥିଲାନା? କିନ୍ତୁ ପରେ ଖବର ଆସିଲା ଯେ ତୁମେ କାଳେ ଜେଲଖାନା ହାଜତରୁ କୁଆଡେ ପଳାଇଗଲ?
    ତୁମର ଅନ୍ତର୍ଦ୍ଧନ ପରେ ଜେଜେ ତୁମ ଖବର ରଖିଲେନି କି ତୁମକୁ ଆଉ ଫେରାଇ ଆଣିବାକୁ ଚେଷ୍ଟା ବି କଲେନି l ତୁମକୁ ଅଣଲେଉଟା ରୁକୁଣା ରଥ ସଜେଇ କଣ ଛାଡିଦେଲେ ?
      ମାମୁ ମୁରୁକି ମୁରୁକି ହସି କହିଲେ - ତୁମ ଗାଁ ପୋଖରୀରେ ଏକଦା ଶତଦଳ ପଦ୍ମ ଫୁଟୁଥିଲା l ଏବେ ଫୁଟୁନି କି ପଦ୍ମର ନାଁ ଗନ୍ଧ ନାହିଁ l ତା ମାନେ କଣ ପଦ୍ମ ଭଳି ଫୁଲର ବଂଶ ବୁଡିଗଲା l ହେଲେ ଆଉ କେଉଁଠି ଥିବ ? ମୋର ସ୍ରଷ୍ଟା ମୋତେ ଯେଉଁଠି ରଖିଦେଲେ ମୁଁ ସେଇଠି ରହିଗଲି l
    ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡି କହିଲେ - ତୁମେ କଣ ଜାଣିନ କି ମୋର ମୃତ୍ୟୁ ନାହିଁ l ତୁମ ଜେଜେ ମୋତେ ଅମର ବର ଦେଇଛନ୍ତି ପରା l ମୁଁ ଥିଲି, ମୁଁ ଅଛି ଆଉ ମୁଁ ଅନନ୍ତ କାଳ ପର୍ଯ୍ୟନ୍ତ ରହିବି l
    ହେଇ ଦେଖୁନ ବୈତରଣୀକୁ l ତୁମ ଜେଜେ ଏକଦା ଡଙ୍ଗାରେ ମାମୁଁ ଘରକୁ ଆସୁଥିଲେ ଓ କୂଳରେ ଲାଗୁଥିଲା ପାଲିଙ୍କି l କୂଳ ନନ୍ଦନକୁ କେଡେ ସରାଗରେ ପାଲିଙ୍କିରେ ବସାଇ ମାମୁଘର ଲୋକେ ଉଆସଜୁ ନେଉଥିଲେ l ଏବେ ତୁମ ଜେଜେ ଅଛନ୍ତି ନା ତାଙ୍କ ମାମୁଁଘର ଉଆସ ଅଛି ନା ସେ ଦିନର ବୈତରଣୀର ଜଳର ସୁଅ ଅଛି l କିନ୍ତୁ ବୈତରଣୀ ହତାଦର ହେଇ ପଡିଛି ଯେମିତି ତାଙ୍କ କଣାମାମୁଁ ହତାଦର ହେଇ ବଂଚିଛି ଏବେ l
    ତୁମେ କଣ ଏ ପର୍ଯ୍ୟନ୍ତ ମରିନ ?
    କେମିତି ମରିବି ହୋ l ମୋର କଣ ପଞ୍ଚଭୁତର ଦେହ କି ? ତୁମ ଜେଜେଙ୍କର ଯନ୍ତ୍ରଣାର ମୁଁ ଥିଲି ଏକ ଉପଶମକ କିମ୍ବା କହିପାର ଉସାସ ଦେଉଥିବା ମଲମ l
    ତେବେ ତୁମେ ନିରୁଦ୍ଦିଷ୍ଟ ହେଲ କାହିଁକି ? 
     ତୁମ ଜେଜେ ମୋତେ ନିରୁଦ୍ଦିଷ୍ଟ କରାଇଦେଲେ l କାହିଁକି କଲେ ତାର ଉତ୍ତର ମୋ ପାଖରେ ନାହିଁ l ସେ ଜାଣିଥିବେ l 
      ତୁମେ କଣ ଏମିତି ଅସମ୍ପୂର୍ଣ୍ଣ ରହିଥିବ ମାମୁ ?
   ମାମୁ ଗୋଟିଏ ଜବରଦସ୍ତ ହସ ବିସ୍ତାର କରି କହିଲେ - ହଇଏ ଭଣଜା କହିଲ ଭଲା, ତୁମ ଜୀବନରେ ତୁମେ ସମ୍ପୂର୍ଣ୍ଣ ନା ଅସମ୍ପୂର୍ଣ୍ଣ ? 
       ସଠିକ ଉତ୍ତରଟିଏ ଦେଇ ନ ପାରି କଲ୍ୟାଣବାବୁ ଆଁ କରି କେବଳ ଚାହିଁଲେ ତାଙ୍କୁ l
      ମାମୁ ତାଳିମାରି କହିଲେ - ଦେଖିଲତ ତାର ଉତ୍ତର ତୁମ ପାଖରେ ନାହିଁ l କାହା ପାଖରେ ବି ନାହିଁ l ଏ ସଂସାରରେ କେହି ବି ଜଣେ ଅସମ୍ପୂର୍ଣ୍ଣ ନୁହନ୍ତି, ତଥାପି ପ୍ରତ୍ୟେକେ ଭାବନ୍ତି ମୁଁ ଅସମ୍ପୂର୍ଣ୍ଣ l 
   ଏତିକିବେଳେ ପୁଣି ଷଣ୍ଢଟା କେଉଁଠି ଥିଲା କେଜାଣି ନଈପଠାର ପୂର୍ବ ଦିଗସ୍ଥ କିଆବୁଦା ଜଙ୍ଗଲରୁ ଶିଆଳମାନଙ୍କର ହୁକେ ହୋ ରଢ଼ିରେ  ଅସ୍ତବ୍ୟସ୍ତ ହେଇ ଖେପି ଆସିଲା ମାମୁଙ୍କ ଆଡକୁ l
         ମାମୁଁ ବିଦ୍ରୁପ କଣ୍ଠରେ କହି ଉଠିଲେ - ଶଳା ପୁଣି ଲଢ଼ିବାକୁ ଅସିଗଲୁ ମୋ ସହିତ? ଏଥର ଏମିତି ଗୋଟିଏ ନିର୍ଘାତିଆ ଥାପଡ଼ ଦେବି ଯେ ତୁ ସିଧା ଯାଇ କୈଳାସ ପର୍ବତରେ ପଡ଼ିବୁ l ମାମୁ ଏତକ କହି ଷଣ୍ଢର ଦୁଇଟା ସିଂଘକୁ ଧରିବା ମାତ୍ରେ , ତାପରେ କଣ ଘଟିଲା,କଲ୍ୟାଣ ବାବୁ ଜାଣି ପାରିଲେନି l ତାଙ୍କ ଦୁଇ ଆଖିରୁ ବିଜୁଳି ଖସିପଡିଲା, ସେ ଏକବାରେ ଭୟଙ୍କର କିଟିମିଟି ଅନ୍ଧାର ଭିତରକୁ ପଶିଗଲେ l
   ଇତ୍ୟାବସରେ ରାଧାକୃଷ୍ଣଙ୍କର ମଙ୍ଗଳ ଆଳତିର ଘଣ୍ଟ,ଶଙ୍ଖ, ଝାଞ୍ଜ ଧ୍ଵନି ଓ ହରେ କୃଷ୍ଣ ମହାମନ୍ତ୍ର ଉଚ୍ଚାରଣ ଶୁଭିବାରୁ କଲ୍ୟାଣ ବାବୁ ଧଡ଼ପଡ଼ ହେଇ ବିଛଣାରୁ ଉଠି ବସିଲେ l ଦେଖିଲେ ଯେ ସେ ପୂର୍ବବତ ଭଗ୍ନ ଉଆସର ସଂଲଗ୍ନ ମଠର ଅତିଥି କକ୍ଷରେ ଶୋଇଛନ୍ତି l ଉଷାର ସ୍ତିମିତ ଆଲୋକରେ ଚାରିଆଡେ ପ୍ରାୟ ଫର୍ଚ୍ଚା ଦେଖାଗଲାଣି l 
    ପାଖରେ ଠିଆ ହେଇ ବୁଢ଼ା ବୈଷ୍ଣବ ମହନ୍ତ ପଚାରୁଛନ୍ତି - ରାତିରେ ଶୋଇବାରେ କିଛି ଅସୁବିଧା ହେଇନି ତ  ବାବୁ ?
   କଲ୍ୟାଣବାବୁ ଶୁଖି ଶୁଖି ଯାଉଥିବା କଣ୍ଠରେ ଆଖି ମଳି ମଳି କହିଲେ - କୁଆଡେ ଗଲେ ଆମର କଣମାମୁଁ ? 
  ବୃଦ୍ଧ ମହନ୍ତ ବିସ୍ମିତ କଣ୍ଠରେ କହିଲେ - କଣା ମାମୁଁ !!! କିଏ ସେଇ କଣାମାମୁଁ ? ତୁମେ ତ କାଲିଠାରୁ ଆସି ଏଇ ଭଙ୍ଗାରୁଜା ଉଆସଯାକ ବୁଲାବୁଲି କରି ଫଟୋ ଉଠାଇଲ l ରାତି ହେଲାରୁ ପ୍ରସାଦ ସେବନାନ୍ତେ ମଠର ଅତିଥି କକ୍ଷରେ ଶୋଇଛ l
   ଆବେଗଭରା କଣ୍ଠରେ କଲ୍ୟାଣବାବୁ କହି ଉଠିଲେ - ହଁ ହଁ କଣାମାମୁଁଙ୍କୁ ଦେଖିଛି କହି ସେ ନିଜର ଖଦଡ଼ ବ୍ୟାଗକୁ ଅଣ୍ଡାଳିଲେ l ହେଇ ଦେଖୁନ ମୋ ଲୁଙ୍ଗିଟା ଏଥିରେ ନାହିଁ ଯେ l
     ବୃଦ୍ଧ ମହନ୍ତ ହସି କହିଲେ - ତୁମତ ଗାଧୋଇ ସାରି ଲୁଙ୍ଗି ବାହାରେ ଶୁଖାଇଥିଲ l ତୋଳି ଆଣି ରଖିଛି l ହେଇ ଦେଖୁନ ତୁମ ଲୁଙ୍ଗି କାଠ ସ୍ଟୁଲ ଉପରେ ଥୁଆହେଇଛି l
     କଲ୍ୟାଣବାବୁ ଖୁବ ଚିନ୍ତିତ ହେଇ ଭାବିଲେ - ଏହା କଣ ମୋର ସ୍ୱପ୍ନ  ନା ଜେଜେ ଯାହା ଲେଖିଛନ୍ତି ତାହା ସତ୍ୟ ? 
"   .........ଧୀର ଓ ଶାନ୍ତିହୀନ ଭାବରେ କାଳ ପ୍ରବାହରେ କଣାମାମୁଁଙ୍କ ସ୍ମୃତି ବୋଧେ ଧୋଇଯାଇଛି l ସେ ଏବେ ଗୋଟେ ରୂପକଥାର କାହାଣୀ-ଗୋଟାଏ ରହସ୍ୟମୟ କିମ୍ବଦନ୍ତୀ - ଗୋଟାଏ ଅବୋଧ୍ୟ ପ୍ରହେଳିକା l
  ଏଇ ଉକ୍ତିଟିକୁ କଲ୍ୟାଣ ବାବୁ ସହଜରେ ମାନିବାକୁ ନାରାଜ l
    ବୃଦ୍ଧ ମହନ୍ତ ଅକାବକା ହେଇ ତାଙ୍କୁ ଚାହିଁଥିବା ସମୟରେ କଲ୍ୟାଣବାବୁ କହୁଥିଲେ - କଣମାମୁ ଆମ ଗହଣରେ ଏବେ ବି ଅଛନ୍ତି, ତାଙ୍କୁ ମୁଁ ଦେଖିଛି ତାହା ଅବଶ୍ୟ ଜାଗ୍ରତ କି ସ୍ୱପ୍ନ ଜଗତ ହେଉପଛେ l କଣ କହୁଛ ମହନ୍ତେ, ଏ ସଂସାରରେ ଯଦି କଣାମାମୁମାନେ ମରିଯିବେନା, ତେବେ ମଣିଷ ଓଠରୁ କୁତୁକୁତୁ ହସ ଚିରଦିନ ଉଭେଇ ଯିବ l
      ତିଳକ ଚିତାଧାରୀ ମହନ୍ତ ଏମନ୍ତ ରହସ୍ୟଭରା ଘଟଣାଟାକୁ ବୁଝିବାତ ଦୂରର କଥା କେବଳ ମୁଣ୍ଡ ଟୁଙ୍ଗାରିଲେ, କହିଲେ - ହେଇଥିବ ଆଜ୍ଞା l 

………..oooooo…………

© Manoj Kumar Mahapatra

Leave A Reply

Your email address will not be published.