ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -ବାଇ ଚଢେଇ
//TATKAL ODISHA//
- ଗଳ୍ପ
//ବାଇ ଚଢେଇ//
- *******************
- ମନୋଜ କୁମାର ମହାପାତ୍ର
- +++++++++++++++
ସ୍ୱାମୀଙ୍କ ଦେହାନ୍ତ ଉତ୍ତାରୁ ଅଶୀତିପର ବର୍ଷିଆନ ସୁଲକ୍ଷଣା ଦେବୀ ଶେଷରେ ଚାଲି ଆସିଲେ ଗାଁକୁ l କଠୋର ନିଷ୍ପତ୍ତିରେ ସେ ଅଟଳ, ଆଉ ମୁମ୍ବାଇ ଯିବେନି ବରଂ ଏଇଠି ସେ ଗାଁ ଶ୍ମଶାନରେ ମୁଠାଏ ପାଉଁଶ ହେବେ l ଏତେ ବଡ଼ ନିଶୁନ ଚାଳଛପର ଖଞ୍ଜା ଘରେ ସେ ଏକଲା ହେଲେ ବି, ସେ ଆଜିକାଲି ନିଃସଙ୍ଗ ଅନୁଭବ କରନ୍ତିନି l ଏଠି ତ ସମସ୍ତେ ଚିହ୍ନା, ତା ବାଦେ ଦାଣ୍ଡ ସେପଟେ ବେହେରା ଘରର ନାତୁଣୀ ବୋହୂ ରୋଜି ତାଙ୍କର ଦେଖାଶୁଣା ଫୁଲର ଡେମ୍ଫ ଭଳି ଦିନରାତି କରେ l
ଖରା ଦିନ,ସେ ଥରେ ଦାଣ୍ଡପିଣ୍ଡାରେ ଲମ୍ବା ନଡ଼ିଆ ବାହୁଙ୍ଗା ଚଟେଇରେ ଗଡ଼ପଡ଼ ହେଉଥିବା ବେଳେ ମଝିରେ ମଝିରେ ଚାହୁଁଥିଲେ ସାମାନ୍ୟ ଦୂରରୁ ଦିଶୁଥିବା ଡେଙ୍ଗା ତାଳଗଛ ଆଡକୁ l କାହିଁତ ଗୋଟିଏ ବି ବାଇଚଢେଇ ବସା ଡାଳରେ ଦୋହଲୁନି l ଆଗକୁ ତ ବର୍ଷାଦିନ l କଣ ସେମାନେ ବସା କରିବେନି କି ଏଥର ! ଏମିତି ଭାବୁ ଭାବୁ ଛାଇନିଦ ଇଲାକା ଭିତରୁ ପଶିଗଲେଣି କେତେବେଳୁ ତାଙ୍କୁ ଜଣା ନାହିଁ l ତଥାପି ଡାହାଣ ହାତରେ ଧରିଥିବା ବରଡ଼ାପତ୍ର ବିଞ୍ଚଣାଟା ଘୁରୁଥିଲା ମନ୍ଥର ଗତିରେ l କିଛି ମୁହୂର୍ତ୍ତ ପରେ ସେଟା ବି ହାତରୁ ଖସି ପଡିଲା l
ନିଘୋଡ଼ ନିଦରେ ଶୋଉଲା ଭଳି ଲାଗୁଥିଲେ ବି ଓଠରେ ଲହରୀତ ହସର ନିଃଶବ୍ଦ ମୃଦୁ ପ୍ଲାବନ l କିନ୍ତୁ ପାଟିରୁ ନିଃସୃତ ହେଉଥିଲା ଅନୁଚ୍ଚ ସ୍ୱରରେ - ବାଇ ଚଢେଇରେ ବାଇ ଚଢେଇ, ତୋ ମା ଯାଇଛି ଗାଈ ଚରେଇ l ଗାଈରୁ ଆଣିବ ଗଜରା ଦୁଧ,ଢ଼ୋକିଏ ପିଇଲେ ମାଡ଼ିବ ନିଦ l
ଏମନ୍ତ ସମୟେ ନାତୁଣୀ ବୋହୂ ରୋଜି ପହଂଚି ତାଙ୍କ ଦେହକୁ ଧୀରେ ହଲାଇ ଦେଇ କହିଲେ - ଗୋସମା କଣ ସ୍ୱପ୍ନ ଦେଖୁଛ କି, ପୁଣି ଏଇ ଖରା ବେଳରେ? ସୁଲକ୍ଷଣା ଦେବି ଧଡ଼ପଡ଼ ହେଇ ଉଠି, କାନ୍ଥକୁ ଆଉଜି ବସି କହିଲେ - ହଁ ମଃ,ତାଳଗଛଟାକୁ ଅନେଇ ବାଇଚଢେଇ ବସା କଥା ଭାବୁଥିଲି, ଆଖିଟା କେତେବେଳେ ଲାଗି ଯାଇଛି ମୁଁ ଜାଣେନି l
ରୋଜିନା ବିଞ୍ଚଣାରେ ଗୋସାମାକୁ ବିଞ୍ଚୁ ବିଞ୍ଚୁ ପଚାରିଲେ - ତୁମେ ତ ବିଦେଶରେ ରହିଥିଲ, ବାଇଚଢେଇ ଖବର ଜାଣିବ କେମିତି ? ଅନେଶତ ମସିହା ବାତ୍ୟା ପରେ ବାଇଚଢେଇର ଆଉ ଦେଖା ନାହିଁ l କୁଆଡେ ମରିହଜି ଗଲେଣି l
ଆଲୋ ମା ମୁଁ ମରି ଯାଉଥାଏ l ମୋ ମାମୁଁଘର ଗାଁରେ ପିଲାଦିନେ କେତେ ତାଳଗଛରେ ଝୁଲନ୍ତ ବାଇଚଢେଇ ବସା ନ ଦେଖିଛି ସତେ !
ଅଳସଭରା ହାଇଟିଏ ମାରି ପାକୁଆ ପାଟିରେ ଗୋସମା କହିଲେ - ହଁ ପରା ଆଜିକାଲି ଗାଁ ହେଉ କି ସହର, ଚାରିଆଡେ ବିକାଶ ଓ ପରିବର୍ତନର ସୁଅ l ମୋ ପୁଅର ନବୀ ମୁମ୍ବାଇର ଗୋଟିଏ ଆପାର୍ଟମେଣ୍ଟର ତିରିଶତାଲା ଘରେ ରହୁଥିଲି l ତଳକୁ ଚାହିଁଲେ ହାଉଯାଉ ମଣିଷ ଓ ଗାଡିର ପିମ୍ପୁଡିଧାର,ଉପରେ ତ ଉଡ଼ନ୍ତା ଏରୋପ୍ଲେନର ତୁହାକୁତୁହା କାନଫଟା ଶବ୍ଦ l
ରୋଜି ପଚାରିଲା - ତମ ପୁଅ ବୋହୂ ତ ରିଟାୟାର୍ଡ଼ ହେଇ ସାରିବେଣି ?
ହଁ ହଁ ସେ ଦୁହେଁ ବି ବୁଢ଼ା ବୁଢ଼ୀ ହେଲେଣି l ମୁମ୍ବାଇରେ ଛଅ ମାସ ରହିଲେ ଜର୍ମାନରେ ତାଙ୍କ ପୁଅ ବୋହୂ ପାଖରେ ପୁଣି ଛଅ ମାସ ରହନ୍ତି l ତୋ ଗୋସାପ ସ୍ୱର୍ଗବାସୀ ହେବା ପରେ ଏଇ ଛଅ ମାସ ମୁଁ ଆପାର୍ଟମେଣ୍ଟରେ ରହେ l ଅବଶ୍ୟ ଗୋଟେ ସ୍ତ୍ରୀଲୋକ ପ୍ରତିଦିନ ଆସି ଘର ସଫାସଫି ସହିତ ମୋର ଖାଇବା ପିଇବା କଥା ବୁଝେ l
ଏତେ ବଡ଼ ଘରଟାରେ କେହି ନାହିଁ, ନିଜେ ନିଜ ସହ କଥା ହୁଏ, କେତେବେଳେ ନିଜର ଛାଇକୁ ବି ଡରେ l ଅବଶ୍ୟ ପୁଅ ବୋହୂ ଅନେକ ସମୟରେ ଫୋନରେ ମୋ ସହିତ କଥା ହୁଅନ୍ତି କିନ୍ତୁ ମୋତେ ଲାଗେ ମୁଁ ଯେମିତି ଦର୍ପଣରେ ପ୍ରତିଫଳିତ ଛବିମାନଙ୍କ ସହିତ କଥା ହେଉଛି ! କିମ୍ବା ମର୍ତ୍ୟମଣ୍ଡଳରେ ନାହିଁ, ସତେକି କେଉଁ ଏକ ପରପାରିର ନିଶୂନ ଅପନ୍ତରା ରାଜ୍ୟର ବାସିନ୍ଦା l କହନା ଲୋ ମା ଏଭଳି ଏକଲାପଣର ଯନ୍ତ୍ରଣା ସହିବା ଭାରି କଷ୍ଟ l
ବୁଝିଲୁ ବୋହୂ,ପିଲା ବୟସ କି ଯୁବା ବୟସ ହେଉ ସବୁଥିରେ କିଛି ନା କିଛି ଦୁଃଖ ସୁଖ ଅଛି କିନ୍ତୁ ବୃଦ୍ଧା ବୟସରେ ପୁଅ-ବୋହୂ, ନାତି-ନାତୁଣୀ-ବୋହୂ ଓ ଅଣ ନାତି ନାତୁଣୀ ସମସ୍ତେ ଥାଇ ବି ନଥିଲା ପରି ଲାଗେ l
ରୋଜି ହଠାତ କହି ଉଠିଲା କହିଲା - ପରିପୂର୍ଣ ପରିବାରରେ ଏହା କେମିତି ସମ୍ଭବ ?
ଆଲୋ ତୁ ମୋ କଥା ବୁଝି ପାରିଲୁନିକି ? ମାନେ ସେମାନେ ଯିଏ ଯାହାର କାମରେ ବ୍ୟସ୍ତ l ଏ ବୁଢ଼ୀଟା ପାଇଁ କାହାର ସମୟ ନାହିଁ l
ମୋ ମା'ର ଆମେ ଭାଇ ଭଉଣୀ ମିଶି ଦଶଜଣ, ପିଲାଦିନ ମନପବନ ଡଙ୍ଗାରେ ବସି ଖୁସି ମିଞ୍ଜାସରେ ବିତିଲା l ଯୁବା ବୟସ ବି ସାତରଙ୍ଗିଆ ଇନ୍ଦ୍ରଧନୁ ସହ ଫଗୁ ଖେଳି ଖେଳି ବିତିଲା l ପ୍ରୋଉଢ ଜୀବନଟା ଭାରବାହି ଗଧ ସହିତ ପ୍ରତିଯୋଗିତା କରି ବିତିଲା l ଆଉ ଏଇନେ ନିଜ ଛାଇ ସହିତ ସଙ୍ଗାତ ବସି ଜୀବନ ବାହୁଛି l ଓହଃ କି ଯନ୍ତ୍ରଣା ସତେ ଏକଲାପଣ !
ରୋଜି ହାଉଳି ଖାଇ କହି ଉଠିଲା - ହେ ମା, ତୁମେ ଦଶଜଣ ପିଲା କଣ ଗୋଟିଏ ମା ପେଟରୁ ???
ଗୋସମାର ଦାନ୍ତବିହୀନ ନାଲି ଟୁକୁ ଟୁକୁ ପାନଖିଆ ପାଟିରୁ ବାଡ଼ବତା ନ ମାନି ଗୋଟିଏ ଜବରଦସ୍ତ ହସ ଉଛୁଳି ପଡିଲା - ନା କଣ ଦଶଟା ମା ପେଟରୁ ?? ଆଲୋ ଆଗ କାଳରେ ମା'ଟିଏ ଦଶବାରଟା ପିଲା ଜନ୍ମ କରି ସନ୍ତାନକୁ ଠିକ ଭାବେ ମଣିଷ କରୁଥିଲା l ଗର୍ଭ ଯନ୍ତ୍ରଣା କଣ ସେମାନଙ୍କୁ ଜଣା ଥିଲା l ଆଜିକାଲିର ମା ଗୋଟିଏ ପିଲା ଜନ୍ମ କରି ଗର୍ଭ ବେଦନା କେମିତି ଜାଣିବେ ? ପୁଣି ସେଥିରେ ସିଜରିନ l ଆମ ସମୟରେ ନା ଡାକ୍ତରଖାନା ଥିଲା ନା ନର୍ସ ଥିଲେ l ଛାଡ଼ ସେ କଥା l
ଏଇ ଆମ ବୁଧି ମାଉସୀ ମଃ, ସେ କହୁଥିଲା - ଗର୍ଭଧାରଣ ଯନ୍ତ୍ରଣା ସେଇ ଜାଣେ ଯିଏ ଗର୍ଭରେ ଶିଶୁକୁ ଧରିଛି l
ବୁଧି ମାଉସୀ ଫେରେ କିଏ ?
ତୁମେମାନେ ତ ଏବେକାର ପିଲା, ତାକୁ କେମିତି ଜାଣିବ ! ସାଆନ୍ତାଣୀଶ୍ୱରୀ ଠାକୁରାଣୀ ମନ୍ଦିର ପାଖରେ ତା ଘର l ପ୍ରସବବିଦ୍ୟାରେ ସିଦ୍ଧହସ୍ତା l ଆମ ଗାଁ ସହିତ ଆଖପାଖ ଗାଁର ଗର୍ଭବତୀ ମହିଳାଙ୍କର ପ୍ରସବ ବେଶ ସୁରୁଖୁରୁରେ କରାଇ ଦିଏ l ସ୍ୱାଧୀନତା ପୂର୍ବରୁ ଏମିତି ଜଣେ ସ୍ତ୍ରୀଲୋକ ନାହିଁ ଯିଏ ଶୁଳୁଣୀ ବୁଧି ମାଉସୀର ସାହାଯ୍ୟ ପ୍ରସବ ସମୟରେ ନେଇ ନାହିଁ l
ବୁଝିଲୁ ଲୋ ମା, ମୋ ମା'ର ଦଶଟି ପିଲାକୁ ସେ ଜନ୍ମ କରାଇ ଥିଲା l ଆମେ ସବୁ ପିଲା ତାକୁ ମାଉସୀ ବୋଲି ଡାକୁ l ଯେହେତୁ ମୁଁ ମା'ର ପ୍ରଥମ ଝିଅ, ସେ ମୋତେ ଭାରି ଭଲ ପାଏ l ସେ ମୋତେ କାଖେଇ ମଝିରେ ମଝିରେ ତା ଘରକୁ ନେଇଯାଏ l ମୁଁ କାନ୍ଦିଲେ ମୋତେ ବାଇ ଚଢେଇ ଗୀତ ଗାଇ ଶୁଆଇ ପକାଏ l
ପିଲାଦିନର ଗୋଟିଏ ଘଟଣା ଏବେ ବି ମୋର ମନେ ଅଛି l ମୋ ବୟସ ସେତେବେଳେ ଚାରି କି ପାଞ୍ଚବର୍ଷ ହେବ l ମୋତେ କାଖେଇ ଥରେ ମୋ ମାମୁଁ ଘର ଗାଁର ଝାଡ଼ପଟା ଫଗୁ ମେଲଣ ଦେଖାଇବାକୁ ନେଇଥିଲା l ସେଠାରେ ସେ ଅନେକ ତାଳ ଗଛ ବାହୁଙ୍ଗାରେ ଝୁଲୁଥିବା ବାଇ ଚଢେଇ ବସା ଦେଖାଇ କହିଲା - ହେଇ ଦେଖ ବାଇ ଚଢେଇ ବସାରେ ତାର ଝିଅ ପୁଅମାନେ କେମିତି ଝୁଲଣରେ ଝୁଲୁଛନ୍ତି l
ମୁଁ ପଚାରିଲି - ତା ମା ନାହିଁ କି ?
. ସେ କହିଲା - ତା ମା ଗାଇ ଚରେଇ ଯାଇଛି ପରା l ଗଜରା ଦୁଧ ଆଣିବ l
ବୁଧି ମାଉସୀ କାଖରୁ ଓହ୍ଲାଇ ତଳେ ଠିଆ ହେଇ ଏକ ଲୟରେ ଡୋଳାୟିତ ବାଉଚଢେଇ ବସାକୁ ଚାହିଁ ଥିବାବେଳେ ହଠାତ ଦେଖିଲି ଯେ ଗୋଟିଏ ବାଇ ଚଢେଇ ବସାଟିଏ ତଳେ ପଡିଛି ଏବଂ ସଦ୍ୟଜାତ କୁନି ନାଲି ଟୁକୁଟୁକୁ ଚଢେଇଟିଏ ଚେଁ ଚେଁ ହଉଛି l ଖୁସିରେ କୁରୁଳି ଉଠି ବସାକୁ ଧରି ପକାଇବାରୁ ବୁଧି ମାଉସୀ ମୋ ହାତକୁ ଛିଞ୍ଛାଡି ଦେଇ କାଖେଇ କହିଲା - ବସାକୁ ଛୁଁନା l ମୁଁ କହିଲି କାହିଁକି ? ସେ କହିଲା - ଛୁଇଁଲେ ଜର ହେବ l
ଘରେ ପହଁଚିଲା ପରେ ସତକୁ ସତ ରାତିରେ ମୋତେ ଜର ହେଲା l ବୁଧି ମାଉସୀ ମୋ ଦେହର ତାତି ଦେଖି ତାର ହଂସା ଉଡିଗଲା l ଖଣ୍ଡିଏ ଘଷି ଉପରେ ପୁଳାଏ ଲୁଣ ରଖି ଗୁଣୁଗୁଣୁ ହେଇ କହୁଥାଏ - ଛାଡ଼ ଛାଡ଼ ମୋ ଝିଅ ଦେହରୁ....... ଈଶ୍ୱର ପାର୍ବତୀଙ୍କର ଆଜ୍ଞା....... ପୁଣି ସେଥିରୁ ଟିକେ ଲୁଣ ଆଣି ମୋ ପାଟିରେ ଖୁଆଇ ଦେଲା ଓ ଛାଞ୍ଚୁଣିରେ ମୋ ଦେହକୁ ବାରମ୍ବାର ଝାଡ଼ି ଦେଲା l
ସକାଳୁ ମୋ ଦେହରେ ଜ୍ୱର ନ ଥିଲା l ପରେ ମୋ ମା ପାଖରୁ ଜାଣିଲି ଯେ ସେ ଝଡାଫୁଙ୍କାରେ ସିଦ୍ଧି ଲାଭ କରିଛି l
ସମୟର ଗତି ମୋତେ କ୍ରମଶଃ ଆଗକୁ ନେଲା l ପିଲାକାଳର ଶଡେଇ ଓ ଧୂଳିଖେଳ ଅନେକ ପଛରେ ପଡିଗଲା l ହାଇସ୍କୁଲରେ ପଢିବା ସମୟରେ ପ୍ରାୟ ପ୍ରତିଦିନ ବୁଧି ମାଉସୀ ସହିତ ମୋର ବାଟରେ ଦେଖାହୁଏ l କାହିଁକି ନା ଶରଦା ନାଳ ପାଖରେ ସେ ପ୍ରତିଦିନ ଛେଳି ଚରାଏ l ମୋତେ ଦେଖିଲା କ୍ଷଣି ମୋ ମୁଣ୍ଡକୁ ଆଉଁସି ଦେଇ ମୋ ଗାଲରେ ଚୁମା ଦେଇ କହିବ - ଯା ଝଅଟ ଯା, ଘରେ ଗଣ୍ଡେ ଖାଇ ଦେବୁ l ତୋ ମା ଚାହିଁ ବସିଥିବ ଯେ l ଖରାଦିନେ ରାସ୍ତା ପାଖରୁ ବଇଁଚ କୋଳି ତୋଳି ମୋତେ ଖୁଆଇ ଦିଏ ଓ ବର୍ଷା ଋତୁରେ ଜାମୁ କୋଳି ତୋଳି ଗୋଟିଏ ସାରୁପତ୍ରରେ ବାନ୍ଧି ମୋତେ ନିଶ୍ଚିତ ଦେବ ଘରେ ଖାଇବା ପାଇଁ l
ପୁଣି ସମୟ ବଦଳି ଯାଏ l ମୁଁ ଯେଉଁ ଦିନ ବାହା ହେଇ ବୋହୂ ବେଶରେ ସଵାରୀ ପାଖକୁ ଯିବାକୁ ଉଦ୍ୟତ ହେଲି, ସମସ୍ତେ କାନ୍ଦୁଥାନ୍ତି, ମୁଁ ବି କାନ୍ଦି ବାରମ୍ବାର ବେହୋସ ହେଉଥିଲି, ସେତେବେଳେ ବୁଧି ମାଉସୀର ରାହା ଛାଡ଼ କାନ୍ଦ ସମସ୍ତଙ୍କ ଆଖିରେ ଲୁହ ଭରି ଦେଉଥିଲା l କେତେପ୍ରକାର ଝିଅବିଦା ବେଳର ଗାଉଁଲି ଗୀତ ବୋଲି ମୋତେ କୁଣ୍ଢାଇ ଧରୁଥାଏ l ସେ ଦୃଶ୍ୟ କେବେ ଭୁଲି ହେବନି l ମୋ ସ୍ୱାମୀ ଶେଷ ନିଃଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ବେଳେବେକେ ବୁଧି ମାଉସୀର ପଦେଅଧେ ଗୀତ ଗାଇ ମୋତେ ଚିଡାଉ ଥିଲେ l
ଯେହେତୁ ମୋ ସ୍ୱାମୀଙ୍କର ଚାକିରୀ ମୁମ୍ବାଇରେ, ମୋତେ ସେଠାରେ ରହିବାକୁ ପଡିଲା l ମଝିରେ କେବେ କେମିତି ଗାଁକୁ ଆସିଲେ ମୁଁ ବୁଧି ମାଉସୀ ଘରକୁ ଯାଇ ତାକୁ ଦେଖା କରେ, ଭଲ ଶାଢ଼ୀଟିଏ ତାକୁ ଦିଏ l ସେ କେତେ ଖୁସି ହୁଏ, ଯେଉଁ ଖୁସି କାହା ପାଖରେ ମୁଁ ଏ ପର୍ଯ୍ୟନ୍ତ ପାଇନି l ମୋ ମୁଣ୍ଡକୁ ଆଉଁସି ଦେଇ କହିବ ମୋ ସୁଲୁ ସୁଲିଆ ବାଇ ଚଢେଇ ଭଳି କେହି ହେବନି ଏହି ଇଲାକାରେ ଲୋ ମା l କେଡେ ଖାନଦାନୀ ଘରର ପାଠପଢ଼ା ଝିଅ ଓ ବୋହୂ ବିଦେଶରେ ଥାଇ ବି ଏଇ ଗାଉଁଲି ଶୁଳୁଣୀକୁ ଭୁଲିନି l
ଦିନେ ବୁଧି ମାଉସୀ ମୋତେ କହିଥିଲା ନିଜର ଜୀବନଯାକର ଅଙ୍ଗେନିଭା ନିଆରା ଅନୁଭୂତି l ତାର ଅନୁଭୂତି କେଉଁ ଦାର୍ଶନିକର ଅନୁଭୂତି ଠାରୁ କମ ନୁହେଁ l ଗୋଡ ଲମ୍ବେଇ ବସି ପାଟିରେ ଟିକେ ଦୋକ୍ତାର ନାଶ ଜିଭ ତଳେ ଜାକି କହିଲା - ବୁଝିଲୁ ଲୋ ଶୁଲି, ଗୋଟିଏ ମାତ୍ର ଝିଅଟିଏ ମୋର l ଝିଅଟିକୁ ପାଞ୍ଚବର୍ଷ ହେଇଥିବା ବେଳେ ମୋ ଗେରସ୍ତ ହଇଜାରେ ମଲା l ସତରେ ମୋତେ ସେତେବେଳେ କିଟିମିଟି ଅନ୍ଧାର ଭିତରକୁ କିଏ ଠେଲିଦେଲା l କୁନି ଝିଅଟିକୁ ନେଇ କେମିତି ବଞ୍ଚିବି l ଥଳକୂଳ ପାଉନଥିବା ସମୟରେ ତୋ ମା ମୋର ସାହା ହେଲା l ଦୁଃଖ ସୁଖରେ ତୋ ମା'ର ହାତଖୋଲା ସାହାଯ୍ୟ ଯୋଗୁ ଆମେ ବଂଚିଗଲୁ l
ରୋଜି ଖୁବ ଉତ୍ସୁକ ହେଇ ପଚାରିଲା - ତୁମକୁ କଣ ବୁଧି ମାଉସୀ ସୁଲି ବୋଲି ଡାକନ୍ତି l
ଆଲୋ ମୋତେ କେବଳ ନୁହେଁ, ପ୍ରସବ ସମୟରେ ଯେଉଁ ଶିଶୁଟିକୁ ମା ପେଟରୁ ବାହାର କରେ, ତାର ନାଁଟିଏ ସେ ମମତାବିଷ୍ଟ ହେଇ ଦେଇଥାଏ l ମୁଁ ଜନ୍ମ ବେଳେ ତା ଦୃଷ୍ଟିରେ କାଳେ ସୋଲ ଭଳି ହାଲୁକା ହେଇଥିଲି, ସେ ମୋ ନାଁ ଦେଇଥିଲା ଶୁଲି l ମୋ ବାପା ତାର ନାଁକୁ ସମ୍ମାନ ଦେଇ ମୋ ନାଁ ରଖିଥିଲେ ସୁଲକ୍ଷଣା l
ସେ କହୁଥିଲା - ପିଲାଙ୍କୁ ମୁଁ ଜନ୍ମ କରାଏ ସତ କିନ୍ତୁ ମା ଗର୍ଭର ଯନ୍ତ୍ରଣା ଭିତରୁ ବାହାରି ଯେତେବେଳେ ମୋ ହାତରେ ପ୍ରଥମେ ପଡ଼ି କୁଆଁ କୁଆଁ କାନ୍ଦେ,ମୋ ଛାତି ଭିତର ଶୂନ୍ୟ ପୋଖରୀରେ ଧୋବ ଫରଫର କଇଁଫୁଲର ସମ୍ଭାର ପାଖୁଡା ମେଲାଇ ଫୁଟି ଉଠେ l ସେତେବେଳେ ଉଲ୍ଲାସଦୀପ୍ତ ମମତାର ଢେଉ ମୋତେ ଏମିତି ଡୁବାଇ ଦିଏ ମୁଁ କଥା କହି ପାରେନି କିନ୍ତୁ ମୋ ଛାତି ଭିତରର କଇଁଫୁଲମାନେ ବେଶ ନବ ଜାତକକୁ ସ୍ୱାଗତ କରନ୍ତି l ପ୍ରଥମ ଆଲୋକ ସ୍ପର୍ଶରେ ଲାଜକୁଳି ଲତା ପରି ତାର ଆଖିବୁଜା ମୁହଁରେ ମୁଁ ଦେଖେ ଭବିଷ୍ୟତର ଅନେକ ସମ୍ଭାବନା ଏବଂ ତାର ଲାଳ ସଡ଼ ସଡ଼ ଦେହକୁ ଲୁଗାରେ ସଫା କରୁଥିବା ବେଳେ ଠାକୁରାଣୀଙ୍କୁ ପାର୍ଥନା କରି କହେ - ମା ଗୋ ୟାକୁ ତୋର ପଣତ କାନିରେ ସଦା ଘଣ୍ଟ ଘୋଡାଇ ରଖିବୁ l ଶିଶୁର ସ୍ପର୍ଶ ମୋ ଦେହରେ ଖେଳାଏ ମୁହୂର୍ମୁହୁ ପୁଲକ, ସବୁ ଦୁଃଖ ପାସୋରି ଯାଏ ନିମିଷରେ l
ଆହାଃ କି ଚମତ୍କାର ତାର ଜୀବନର ଦର୍ଶନ !!!! ଆଜି ବୁଧି ମାଉସୀ ନାହିଁ, କେଉଁ କାଳରୁ ସେ ଆରପାରିକୁ ଗଲେଣି କିନ୍ତୁ ତାର ଏଇ କେଇପଦ ହୃଦୟ ଛୁଆଁ କଥା ମନେପଡିଲେ ମୋ ଛାତି ଭିତରଟା ମମତାରେ ଭରି ଉଠେ l
ରୋଜି ପଚାରିଲା - ତୁମେ କଣ ତାଙ୍କୁ ଶେଷ ସମୟରେ ଦେଖିଛ ?
ଆଖି ଛଳଛଳ କରି ସୁଲକ୍ଷଣା ଦେବୀ କହିଲେ - ହଁ ଲୋ ମା l ଥରେ ରଜକୁ ଗାଁକୁ ଆସିଥିଲି, ତା ପାଇଁ ଆଣିଥିଲି ବଉଳପାଟ ଶାଢୀଟିଏ l ତା ଘରକୁ ଯାଇ ଦେଖିଲି ଯେ ସେ ଖଟିଆରେ ଶୋଇଛି l ମୁଁ ତାକୁ ମାଉସୀ ମାଉସୀ ବୋଲି ଡାକିବାରୁ ସେ ଧଡ଼ କିନା ଉଠିବସିଲା l ବଉଳପାଟ ଶାଢ଼ୀକି ଧରି କାନ୍ଦି କହିଲା - ମୋ ସୁଲି ପରି କେହି ହେବନି ଏ ଖଣ୍ଡ ମଣ୍ଡଳରେ l ଆଉ ମୋତେ କୁଣ୍ଢାଇ ବହୁତ କାନ୍ଦିଲା l ନିଜ ହାତରେ ମୁଁ ଶେଷ ଥର ପାଇଁ ମୁମ୍ବାଇ ଲଡ଼ୁ ତାକୁ ଖୁଆଇ ଦେଇଥିଲି
ବାସ ତାର କିଛି ଦିନ ଅନ୍ତେ ସ୍ୱର୍ଗବାସୀ ହେଲା ବୁଧି ମାଉସୀ l ତା ସହିତ ବି ଶୁଳୁଣୀ ଶବ୍ଦର ମୃତ୍ୟୁ ଘଟିଲା ବିକଶିତ ଗାଁ ଓ ସହରରେ l ଏତକ କହି ସୁଲକ୍ଷଣା ଦେବି କାନ୍ଦି କାନ୍ଦି କହିଲେ - ତାର ବାଇଚଢେଇ ଗୀତ ଗାଇବା ସ୍ୱରରେ ଭରିଥିଲା ସୁମଧୁର ଲାଳିତ୍ୟ ଓ ଅପୂର୍ବ ତନ୍ମୟତା ଯାହାକୁ ଶୁଣି ଶୁଣି ଶିଶୁ ଶୋଇପଡେ ନିଗୋଢ ନିଦରେ l
ରୋଜିର ନିଷ୍କାମ ସେବା ଓ ଶୁଶ୍ରୁଷା ପାଇ ସୁଲକ୍ଷଣା ଦେବୀ ମାତ୍ର ବର୍ଷଟିଏ ସୁସ୍ଥ ରହିବା ଉତ୍ତାରୁ ବାର୍ଦ୍ଧକ୍ୟ ଜନିତ ରୋଗ ଦିନକୁ ଦିନ ତାଙ୍କୁ କ୍ଷୀଣ କଲା l ରାତିରେ ଭଲ ନିଦ ହେଲାନି ସ୍ଲିପି° ଟେଵଲେଟ ଖାଇବା ପରେ ବି l
ଦିନେ ରାତି ବାରଟା ସୁଦ୍ଧା ନିଦ ନ ମାଡିବାରୁ ସେ ଏଣୁତେଣୁ ପ୍ରଳାପ କରିବାକୁ ଲାଗିଲେ l ରୋଜି ପାଖରେ ବସି ତାଙ୍କ ମୁଣ୍ଡ ଆଉଁସି ଦେଉଥିଲା ଏବଂ ଧୀରେ ଧୀରେ "ବାଇ ଚଢେଇରେ ବାଇଚଢେଇ ତୋ ମା ଯାଇଛି ଗାଇ ଚରେଇ".... ଗୀତଟିକୁ ଗାଇବାର କିଛି କ୍ଷଣ ଉତ୍ତାରୁ ଦେଖିଲା ଯେ ଗୋସମା ଶୋଇ ପଡିଲେଣି l
ସକାଳୁ ସକାଳୁ ଯେମିତି ରୋଜି ତାଙ୍କ ପାଖକୁ ପୁଣି ଆସିଛି, ସେ ଖୁସିରେ ଆତ୍ମହରା ହେଇ କହି ଉଠିଲେ - ଆଲୋ ମା, ତୋ ସ୍ୱରଟା ଠିକ ମୋ ବୁଧି ମାଉସୀ ସ୍ୱର ଭଳି ?
ରୋଜି ମୁରୁକି ମୁରୁକି ହସି କହିଲା - ମୋତେ ପରା ସେ ଏଇ ବାଇଚଢେଇ ଗୀତ ଗାଇ ଶୁଆଇ ପକାଉଥିଲା ପିଲାଦିନେ l
ସୁଲକ୍ଷଣା ଦେବୀ ହତବମ୍ବ ହେଇ ତାକୁ ଚାହିଁଲେ,ପାଟିରୁ ପଦଟିଏ କଥା ବାହାରିଲାନି l
ରୋଜି କହିଲା - ତୁମ ବୁଧି ମାଉସୀର ମୁଁ ପରା ନାତୁଣୀ l
ଏତେବେଳକେ ସୁଲକ୍ଷଣା ଦେବୀଙ୍କ ମୁହଁରୁ ପଦେ ବାକ୍ୟ ବାହାରିଲା - ତା ଝିଅ ହୀରା ଯିଏ କେଶପୁରରେ ବାହା ହେଇଥିଲା ତାର ଝିଅ ତୁ ?
ରୋଜି ମୁଣ୍ଡକୁ ତଳକୁ କରି କହିଲା - ହଁ ହଁ ହଁ l ତୁମେ ତ ବାହାରେ ରହୁଥିଲ, କେମିତି ଜାଣିବ ମୋ ବାହାଘର କଥା l ହେଇ ଦେଖୁନ ମୋ ମାଆର ବାହାଘର ବେଳେ ତୁମେ ଯେଉଁ ସୁନାହାରଟିଏ ଦେଇଥିଲ ଏବେ ମୋ ବେକରେ କେମିତି ଶୋଭା ପାଉଛି l
ସୁଲକ୍ଷଣା ଦେବୀ ଖୁସିରେ ଗଦ ଗଦ ହେଇ ତାକୁ କୁଣ୍ଢାଇ କହି ଉଠିଲେ - ଯାହାହେଉ ମୋର ଜନ୍ମ ବୁଧି ମାଉସୀ ହାତରେ ହେଇଥିଲା, ଏବେ ମୋ ମରଣ ବୁଧି ମାଉସୀର ନାତୁଣୀ କୋଳରେ ହେବ l ସତେ କି ଭାଗ୍ୟ ମୋର !!!!"
ମୃତ୍ୟୁ ପୂର୍ବରୁ ଦଶଲକ୍ଷ ଟଙ୍କାର ଚେକଟିଏ ରୋଜି ହାତରେ ଦେଇ ତା'ରି କୋଳରେ ମୁଣ୍ଡ ରଖି ସୁଲକ୍ଷଣା ଦେବୀ ଶେଷ ନିଃଶ୍ୱାସ ତ୍ୟାଗ କଲେ l
--------0000-------
© ମନୋଜ କୁମାର ମହାପାତ୍ର