ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -ମୁହଁ ଟା ଯାକ ଜହ୍ନ

0

TATKALODISHA //ଗଳ୍ପ//

       *ମୁହଁ ଟା ଯାକ ଜହ୍ନ ?* 

  *ମନୋଜ କୁମାର ମହାପାତ୍ର*

          ଶୀତଋତୁର ରାତି ସହଜରେ ସରେନି ବୋଲି ଆଗ କାଳର ଲୋକେ କହନ୍ତି l କହିବାଟା ବି ସ୍ୱାଭାବିକ l ସୂର୍ଯ୍ୟାସ୍ତ ହେଉ ହେଉ ସଞ୍ଜ ନଇଁ ଆସେ l ସତେକି ରାତିଟା ଗୋଡ଼ କାଢ଼ି ଆଗରୁ ବସିଥିଲା ! ଚଢେଇମାନେ ବସାଭିମୁଖୀ, କିଚିରି ମିଚିରି କୁଜନରେ ତଳୁଆ ଆକାଶଟା ଶବ୍ଦମୟ l ଆଜିକାଲି ଗାଁରେ ଗାଈଗୋଠର ବାହୁଡ଼ିବା ଓ ଗାୟାଳର କୁହାଟ ସାତ ସପନ l ତଥାପି ପଶ୍ଚିମ ଦିଗବଳୟରେ ବୁଢ଼ା ଡେଙ୍ଗା ତାଳଗଛ ଉହାଡ଼ରେ ସୂର୍ଯ୍ୟାସ୍ତ ଦୃଶ୍ୟରେ ନାହିଁ କିଛି ପରିବର୍ତନ,ଇୟା ଭିତରେ ପ୍ରାୟ ଷାଠିଏ ବର୍ଷ ବିତିଗଲା ପରେ ବି l ଅଥଚ ସେ ନିଜେ ଅନେକ ବଦଳି ଗଲେଣି ସାବିତ୍ରୀ-ମା ବରଗଛ ଭଳି l
    ସାବିତ୍ରୀ-ମା ବରଗଛ ଏଇନେ ଥୁଣ୍ଟାପ୍ରାୟ l ନା ଅଛି ତାର କୁଣ୍ଢ ପାଉନଥିବା ଗଣ୍ଡି ନା ଅଛି ତାର ଝାଙ୍କୁଲା ସବୁଜପତ୍ର ଭରା ମୋଟା ମୋଟା ଶାଖା ପ୍ରଶାଖା l ଚନ୍ଦା ମୁଣ୍ଡରେ କାଁ ଭାଁ କେତୋଟି ଠିଆ ଧଳା ଚୁଟି ଭଳି, କେତୋଟି ସରୁ ସରୁ ଡାଳ ଓ ପତ୍ର ଠିଆ ହେଇଛି ତାର ଦରମଲା ଗଣ୍ଡିରେ l ବାପରେ ବାପ କି ଭୟଙ୍କର ଥିଲା ତାର ରୂପ ଆମ ପିଲାଦିନରେ !!! ତାର କୋପରେ ଗାଁ ମୁଣ୍ଡର ଏଇ ଜାଗାଟି ବି ଦେଖା ଯାଉଥିଲା ଭୟଙ୍କର ଓ ଭୀତିପ୍ରଦ l ଗାଁଟା ଯାକର ମୃତକ୍ରିୟାର ଦଶାହ ବା ଏକାଦଶାହର ଚିତ୍ରବିଚିତ୍ର ମାଲଆଟିକା, ବିସର୍ଜନ ହାଣ୍ଡି ଏହାରି ମୂଳରେ ବିସର୍ଜିତ ହୁଏ l
      ପୁଣି ମହାମାରୀ ହଇଜା ସମୟରେ ଗ୍ରାମଦେବତୀ କ୍ଷେତ୍ରପାଳଙ୍କର କାଳିସୀ- ଦାସୀ,ଢୋଲ ମହୁରୀ ଓ ହରିବୋଲ ଧ୍ଵନି ଭିତରେ ହାତରେ ବେତ ଧରି, ପାଦର ରୁଣୁଝୁଣୁ ନୁପୁର ଧ୍ଵନିରେ କ୍ଷିପ୍ର ଗତିରେ ଏଠିକି ଦୌଡି ଆସନ୍ତି l ବେତକୁ ଗଛ ମୂଳ ପାଖରେ ତିନିଥର ତଳେ ପିଟି କୁହନ୍ତି -ଆଲୋ ମହାମାରୀ, ଏଇ ପିଅ ପଣା, ଆଉ ଗାଁ ଭିତରକୁ ପଶିବନି l ଏତିକି କାଳିସୀ-ଦାସୀ କହିବା ମାତ୍ରେ, ଲୋକେ ଛେନା, ଗୁଡ଼, କଦଳୀ ମିଶ୍ରିତ ହାଣ୍ଡିଏ ପଣା ଓ ଥାଳି ପ୍ରାୟ ଗୋବର ଘଷିରେ ଜ୍ୱଳନ୍ତ ଝୁଣା ରଖି  ସେଠାରେ ଏବଂ ପଛକୁ ନ ଚାହିଁ ଲୋକେ ଦାସୀ ସାଙ୍ଗରେ ଏକମୁହାଁ ହେଇ ପଳାଇ ଆସନ୍ତି ଠାକୁରାଣୀଙ୍କ ପୀଠକୁ l
       ବୃଦ୍ଧ ଦେବଦତ୍ତବାବୁ ଟିକିଏ ଠିଆ ହେଇ ଚାହିଁଲେ ସାବିତ୍ରୀ-ମା ବରଗଛକୁ,ଏମିତି ସଞ୍ଜବେଳାରେ ସାହସର ସହିତ ଠିଆହେବା ବୋଧେ ଥିଲା ପ୍ରଥମ l ପିଲାଦିନେ ତାହାର ବହଳ ଝାଂକୁଲା ଡାଳପତ୍ର ଏଭଳି ଅନ୍ଧାରୁଆ କରିଥାଏ ଯେ ରାସ୍ତାର ବାଙ୍କକୁ, ତାକୁ ଚାହିଁବା ତ ଦୂରର କଥା ସେ ଏକନିଶ୍ୱାସରେ ଅତିକ୍ରମ କରନ୍ତି ମାଙ୍କଡ଼ ଡିଆଁ ମାରି ସେଇ ଜାଗାଟିକୁ, ଯା'ର ଅତିକ୍ରାନ୍ତେ, ସେ ଅନୁଭବ କରନ୍ତି ସତେକି ଏକ ଭୟଙ୍କର ମରଣ ମୁହଁରୁ ବର୍ତ୍ତିଗଲେ !
       ଗଭୀର ସ୍ମୃତି ଗର୍ଭରୁ ବାଲ୍ୟକାଳୀନ ସ୍ମୃତିଟି ରଜନୀଗନ୍ଧା କଢ଼କୁ ଫୁଟାଇ ଦେବା ଭଳି ଚହଟି ଉଠିଲା ତାଙ୍କର ତମାମ ବ୍ୟକ୍ତିକ ଚେତନାରେ, ସେ ନ ହସି ରହିପାରିଲେନି l ଏଇଥିପାଇଁ ଯେ ସେ ପୂର୍ବଭଳି ଆଜି ଡ଼ରୁ ନାହାନ୍ତି  ସାବିତ୍ରୀ-ମା ବରଗଛକୁ l ସେ ଏବେ ଖୁବ ସାହସୀ l
        ପୁରୁଣା ବାଲ୍ୟ ସ୍ମୃତିର ଗଭୀର ପ୍ରବାହରେ ଅବଗାହନ କରୁଥିବାବେଳେ ଝଙ୍କାଏ ବୋଇତାଳୁ ମୁଣ୍ଡେଇ ଜଣେ ଅଚିହ୍ନା ଆଧା-ବୁଢ଼ା ଚାଷୀ ଘାଉଲା ନାହାକ ବିଲ ମଝିରୁ ବାହାରି ରାସ୍ତାରେ ଠିଆହେଇ ତାଙ୍କୁ କଟମଟ ଆଖିରେ ଅନାଇ କହିଲା - ହଇଓ ମଉସା ! ଏଠି ଅନ୍ଧାରରେ ଠିଆ ହେଇଛ କାହିଁକି ? ବାଟ ବାରିପାରୁନ କି ? କୁଆଡେ ଯିବ ? ଏଠି ରାତିରେ ଠିଆ ହୁଅନି, ବିପଦରେ ପଡିବ l
     ଦେବଦତ୍ତ ବାବୁ ହସି ଦେଇ କହିଲେ - କି ବିପଦ ?
   ଆଜିକାଲି ସାବିତ୍ରୀମା ବରଗଛ ପାଖରେ ରାତି ଯେତେ ଘନେଇ ଆସେ,ସେତେ ଭୟଙ୍କର ଉପଦ୍ରଵରେ ଦୁଲୁକି ଉଠେ ଏହି ସ୍ଥାନ l 
    ଓହୋଃ, ଆଜି ପର୍ଯ୍ୟନ୍ତ ସେଇ ଚିରଗୁଣୀର ଉତ୍ପାତ କମିନି ?
   ଚିରଗୁଣୀ ??? କଉଁ ଚିରଗୁଣି ହେ ?  ଏମନ୍ତ ବିଚିତ୍ର ଉଚ୍ଚାରଣରେ ଅବାକ ଚାଷୀ ଘାଉଲା ନାହାକ l ମୁଣ୍ଡରୁ ବୋଇତାଳୁ ବୋଝ ଓହ୍ଲାଇ ତଳେ ରଖି ନିଠେଇ ତାଙ୍କୁ ଚାହିଁଲା l ପୁନେଇଁ ଜହ୍ନର ଗଛ ଉହାଡ଼ ଛାଈ ଛାଇକା ଆଲୁଅରେ ଦେବଦତ୍ତଙ୍କର ଗୋରା ମୁହଁ ଭଲ ଦେଖି ହେଉନଥିଲା l ଘାଉଲା ପାଉଁ ଅବଶ୍ୟ ଚିହ୍ନା ମୁହଁ ନୁହେଁ,ତଥାପି ଚିହ୍ନା ଚିହ୍ନା ଲାଗୁଥାଏ l ବୃଦ୍ଧଙ୍କର ବେଶଭୂଷାରୁ ସେ ଠଉରେଇ ନେଲା ଯେ ଇୟେ ଜଣେ ନିଶ୍ଚିତ ଉଚ୍ଚ ଶିକ୍ଷିତ ହେଇଥିବେ l ସେ  ପୁଣି ଥରେ ପଚାରିଲା - ଆଜ୍ଞା, କଉଁ ଚିରଗୁଣୀ କଥା?
       ବୃଦ୍ଧ ଦେବଦତ୍ତ ୱାକିଙ୍ଗ ଷ୍ଟିକ ଉପରେ ଭାରା ଦେଇ କହିଲେ - ତୁମେ କଣ ଜାଣିନାହଁ କେଉଁ କାଳରୁ ଏଇ ବରଗଛରେ ଗୋଟିଏ ଚିରଗୁଣୀ ବାସ କରେ l ଦୁଇପାଖର ବିଲ ଶୂନଶାନ ହେଲେ,ରାତି ଅଧରେ, ପୁଣି ଅମାବାସ୍ୟା ରାତିରେ, ଅବଶ୍ୟ ସବୁ ରାତିରେ ନୁହେଁ, ସେ ଗଛରୁ ଓହ୍ଲାଇ ଗୋଡ ଲମ୍ବେଇ ବସି ତାର ସଦ୍ୟଜାତ ପୁଅକୁ କୋଳରେ ଧରି ବାହୁନେ ଓ ନିଆଁରେ ପୁଅକୁ ସେକେ ? ଦୈବାତ ଯିଏ ତାର ହାବୁଡ଼ରେ ପଡେ, ସିଏ ରକ୍ତ ବାନ୍ତି କରି ମରେ ବୋଲି କଣ ଜାଣିନ ?  ସେଇଟା କଣ ଆଜି ପର୍ଯ୍ୟନ୍ତ ଏଠି ଉତ୍ପାତ କରୁଛି ?
   ବିଚିତ୍ର ଲୋକର ବିଚିତ୍ର ଗପ ଶୁଣି ଚାଷୀ ବିଚରା ନ ହସି ରହିପାରିଲାନି l ସେ କହିଲା - ଆଜ୍ଞା ! ବିଲ ମଝିରେ ଥିବା କଢ଼ୁଆଁସ କୁଦରେ ମୋର ବର୍ଷ ଯାକ ଚାଷ କାମ l ଏଇ ଖରାଦିନେ ଗାଡିଆରୁ ଯନ୍ତାରେ ପାଣି ବୋହି ବୋଇତାଳୁ କିଆରୀରେ ପାଣି ମଡାଇ ଘରକୁ ଫେରୁ ଫେରୁ ରାତି କେତେବେଳେ ଗୋଟେ ହେଇଯାଏ l କାହିଁ ତ ଏଠି କଉଁ ଚିରଗୁଣୀ ଫିରଗୁଣୀ ହାବୁଡ଼ରେ ମୁଁ ପଡିନି !
      ତେବେ ତୁମେ ମୋତେ କାହିଁକି ସାବଧାନ କରିଦେଲ ଏଇ ଜାଗାରେ ବେଶୀ ରାତି ପର୍ଯ୍ୟନ୍ତ ନ ଠିଆ ହେବାକୁ ? ଭୟଙ୍କର ଉପଦ୍ରବର ସାମ୍ନା କରିବ ? ଦେବଦତ୍ତ ଅନୁଚ ସ୍ୱରରେ ପଚାରିଲେ l
    ଚାଷୀ ଘାଉଲା ନାହାକ ଖୁବ ଜୋରରେ ହସି ଉଠିଲା l ଓହୋଃ ତାହାଲେ ଛେନାରୁ ଚୋପା ଛଡାଇଲା ଭଳି ମୋର ସତର୍କତାରୁ ଚୋପା ଛଡାଇ ଚିରଗୁଣୀକୁ ବାହାର କରି ଆଣିଲ ! ଆଜ୍ଞା ମୁଁ  ଚିରଗୁଣୀ କି ପିଚାଶୁଣୀ କି ଭୂତ ପ୍ରେତ କଥା କହୁନି l କହୁନି ବି ଦିଗନ୍ତବ୍ୟାପୀ ବିଲ ମଝିରେ ରହିଥିବା   ତାଳପୋଖରୀ ହୁଡ଼ାରୁ ରାତି ଅଧରେ ଡାହାଣୀ ଆଲୁଅଟିଏ ବାହାରି କଢ଼ୁଆଁଶ କୁଦ ଇଲାକାରେ ବୁଲିବାର  ଲୋକ-କଥା l କିନ୍ତୁ ସେପରି ଜିନିଷ ମୁଁ କେବେ ଦେଖିନି l 
    ତେବେ କିଏ ସାବିତ୍ରୀ ମା ବରଗଛ ନିକଟରେ ଉପଦ୍ରଵ କରେ ହୋ ? ଦେବଦତ୍ତ ଅବଶ୍ୟ ସାମାନ୍ୟ ଉଚ୍ଚ ସ୍ୱରରେ ପଚାରିଲେ l 
    ଘାଉଲା କହିଲା - ରାତି ବେଶୀ ହେଲେ ମଦୁଆ, ଗଞ୍ଜୋଡ଼ ଓ ବ୍ରାଉନ ସୁଗାର ଖିଆ ଟୋକାମାନେ ଏଠି ଭିଡ଼ ଜମେଇ ଉତ୍ପାତ କରନ୍ତି l ଅଚିହ୍ନା ଲୋକଙ୍କୁ ଏକଲା ପାଇ ଲୁଟନ୍ତି, ଦରକାର ପଡିଲେ ଲହୁଲୁହାଣ କରିବାକୁ ପଚ୍ଛାନ୍ତିନି l
  ଏ କଥା ଶୁଣି ଦେବଦତ୍ତବାବୁ ଆଉ କହିବେ କଣ, ପାଖରେ ଥିବା ସିମେଣ୍ଟ ସୁଠ ଉପରେ ଟିକେ ବସିପଡିଲେ l ଦୀର୍ଘ ନିଃଶ୍ୱାସଟିଏ ମାରି କହିଲେ - ଏବେ ବୁଝିଲି l ଗାଁ ବଦଳି ଗଲାଣି l ବଦଳି ଗଲେଣି ବି ଲୋକଙ୍କର ଆବହମ କାଳରୁ ଚଳି ଆସୁଥିବା ପୁରୁଣା ବିଶ୍ୱାସ ଗୁଡିକ l 
       ଇତ୍ୟାବସରେ ଅଧାବୁଢ଼ା ଚାଷୀ ଘାଉଲା ନାହାକ ଛାଈ ଅନ୍ଧାରରେ ଠିଆ ହେଇଥିବା ଲୋକଟିର ପାଖକୁ ଲାଗି ଆସି ଦେଖେତ -" ଆରେ ଇୟେ ତ ଆମର ଦେବନ୍ନା ! ସେ ଖୁସିରେ କୁରୁଳି ଉଠି କହିଲା - ନନା ଜୁହାର l ଆପଣ କେବେ ଗାଁକୁ ଆସିଲେ କି ? ମୁଁ ଯାହା ଦେଖୁଛି ଆପଣ ଏ ବୁଢ଼ା ବୟସରେ ବି ଗାଁର ମାଟିର ବାସ୍ନାକୁ ଭୁଲି ପାରୁନାହାନ୍ତି l ନନା,ଏବେ ପରା ମାସେ ରହି ଆଠଦିନ ହେବ ଗାଁରୁ ଯାଇଛ ! ପୁଣି ଆସିଗଲ ? 
   ଦେବଦତ୍ତ ବାବୁଙ୍କ ମୁହଁରେ ହସର ଛଟା ଚମକି ଉଠିଲା l ନା'ରେ ଘାଉଲା , ଗାଁର ମାଟିର ବାସ୍ନା ମୁଁ ଭୁଲିପାରୁନି କହିବା ଠିକ ହେବନି ବରଂ ଗାଁର ମାଟିର ବାସ୍ନା ମୋତେ ଭୁଲେଇ ଦେଉନି l ସେ ଏମିତି ମୋ ସ୍ମୃତିରେ ପରସ୍ତ ପରସ୍ତ ହେଇ ନେଶି ହେଇଛି ଯେ ତାକୁ ଯେତେ ଆଡେ଼ଇଲେ ବି ପୁଣି ନାଚି ନାଚି ଲମ୍ବଖମ୍ବ ହେଇ ଭିତରେ ଶୋଇ ଯାଇ  ମୋତେ ବାରମ୍ବାର ଟାଣି ଆଣୁଛି ତାର କୋଳକୁ l ହେଇ ଯେମିତି   ଗାଡିଆରେ ବୁର, ତାକୁ ଯେତେ ଘାଟ ପାଖରୁ ଆଡେଇ ଚାଲି ଆସିଲା ପରେ ବି, ପୁଣି ପବନରେ ଭାସି ଆସି ଘାଟ ପାଖେ ହାଜର l ସେଇଭଳି ମୋ ଦଶା l
   ଘାଉଲାର ମୁଣ୍ଡ ଏମନ୍ତ କଥାରେ  ଝାଏଁ ଝାଏଁ ହେବାରୁ ସେ ପଚାରିଲା - ନନା, ତୁମେ ତ ଇସ୍ରୋର ବଡ଼ ବୈଜ୍ଞନିକ ଥିଲ l ତୁମେ ଜଣେ ବିଜ୍ଞାନର ମଣିଷ l କେତେ ଦେଶ ବିଦେଶ ଦେଖିଛ l କେତେ ମାନ, ସମ୍ମାନ,ଯଶ ପାଇଛ l ମୁମ୍ବାଇ ଭଳି ବଡ଼ ମେଟ୍ରୋ ସିଟିରେ ଘର କରିଛ l ସେ ସବୁର ବାସ୍ନା କଣ ତୁମକୁ ଶାନ୍ତି ଦେଲାନି ଯେ ସେବାନିବୃତ ବୁଢ଼ା ବୟସରେ ଖାଲି ଗାଁକୁ ଧାଉଁଛ l କଣ ନା ମୋତେ ଗାଁର ମାଟିର ବାସ୍ନା ଟାଣୁଛି ?
     ଦେବଦତ୍ତ ଖୁବ ଜୋରରେ ହସି ଉଠି କହିଲେ - ତୁ କଣ ଭାବୁଛୁ ଏବେକାର ଗାଁର ଦୃଶ୍ୟ ମୋତେ ଟାଣି ଆଣେ ? ଆଦୌ ନୁହେଁ l ବର୍ତମାନ ତ  ଗାଁ ଓ ସହର ଭିତରେ ବେଶୀ ତଫାତ ନାହିଁ l
  ତେବେ କିଏ ଟାଣୁଛି ?
  ଗାଁକୁ ଭଲ ପାଇବାର ଆବେଗ l 
  ସେଥିରୁ ମିଳେ କଣ ତୁମକୁ ?
  ସେଇ ଗାଁ ମନସ୍କ ଆବେଗ ନିରନ୍ତର ଚାହେଁ ଭେଟିବାକୁ ତାର ମୂଳ ସ୍ରଷ୍ଟା ରୂପୀ ଗାଁକୁ, ଯେଉଁଠୁ ସେ ପାଇଛି ମଣିଷ ଭଳି ମଣିଷ ହେବାର ସମ୍ଭାବନାର ପ୍ରଥମ ପ୍ରତିଶୃତି l ସେଇଟା ହେଉଛି ମାଟିର ବାସ୍ନା l କି ଆନନ୍ଦ ସତେ ସେଇ ବାସ୍ନା l ପିଣ୍ଡରୁ ପ୍ରାଣ ଗଲେବି ସେଇ ବାସ୍ନା ସ୍ମୃତିରୁ ବିଛିନ୍ନ ହୁଏନି l 
      ଘାଉଲା ଚୁପ ହେବା ମଣିଷ ନୁହେଁ l ସେ ବି,ଏ ପାସ କରିଛି କିନ୍ତୁ କୋଡିଏ ବର୍ଷ ହେଲା ଚାଷକୁ ବୃତ୍ତି ଭାବରେ ଆପଣେଇଛି l ଦୁର୍ବଳ ଆର୍ଥିକ ପରିସ୍ଥିତି ସତ୍ୱେ ସେ ଗାଁ ମାଟିର ମହକରେ ସବୁବେଳେ ମତୱାଲା l ଦେବନ୍ନାଙ୍କର ଗାଁ ମାଟିର ବାସ୍ନାକୁ ବେଶ ବୁଝିପାରି ପଚାରିଲା - ଆଛା ନନା, ତୁମେ ତ ମୁମ୍ବାଇର ଏବେ ସ୍ଥାୟୀ ବାସିନ୍ଦା l ସେଠାରେ କଣ ସହରୀ ବାସ୍ନା ବାରିପାରୁନ ?
  ଦେବଦତ୍ତ ବାବୁ ହସିଲେ - ହଇରେ ଘାଉଲା, ବାସ୍ନା ଅଛି କିନ୍ତୁ ସେଇ ବାସ୍ନାଟା ଧନ ମାନ ଓ ଯଶ ସ୍ୱାର୍ଥ ସମ୍ବଳିତ, ତୋ କିଆରିର ବୋଇତାଳୁ ଡଙ୍କ ଭଳି ମନ ଓ ଚେତନାରେ ସେଟା ମାଡିପାରେନା l
     ଦେବଦତ୍ତବାବୁଙ୍କ ମୁହଁ ଇତ୍ୟବସରେ ଖୁବ ହସୁରା ଦେଖାଗଲା l ସେ ଏକ ଅବ୍ୟକ୍ତ ଉଲ୍ଲାସରେ ଶିହରିତ ହେଇ କହିଲେ - ପିଲାଦିନରେ ଘରବାଡ଼ିରେ ଫୁଟନ୍ତ ଜହ୍ନିଫୁଲ, କାକୁଡିଫୁଲର ଶୋଭା , ହଳଦୀ ବସନ୍ତର ସଜନା ଡାଳକୁ ଡାଳ ଡେଇଁବାର ଦୃଶ୍ୟ, ବଇଞ୍ଚ କୋଳି, କଣ୍ଟେଇ କୋଳି ଖାଇବାର ମଜା, ନଈ ନାଳରେ ସାଙ୍ଗ ସାଥୀଙ୍କ ସହିତ ମାଛ ଧରିବାର କୌତୁକତା, ଝଡ଼ିବର୍ଷାରେ ପଖିଆ ଘୋଡ଼ି ବଗିଚାରେ ଆମ୍ବ ଗୋଟାଇବାର ଉନ୍ମାଦନା, ବିଲରେ ପାକଳ ଧାନ ଛିଞ୍ଚାର ମହକ,ଗୋଟା ପାଚିଲା ତାଳକୁ ଦାନ୍ତରେ କୋରି ଖାଇବାର ଆସ୍ଵାଦନ ଆଉ ଏଇ ସାବିତ୍ରୀ-ମା ବରଗଛରେ ଅଶରୀରୀମାନଙ୍କର ବସାର ଗପ ଶୁଣି ଏଠାରୁ ଦୌଡ଼ି ପଳାଇବାର ଛାତିଥରା ଭୟ ଇତ୍ୟାଦି ଆମ ମନ ଓ ଚେତନାରେ ଯେମିତି ନେଶି ହେଇ ସ୍ମୃତି ସିନ୍ଦୁକରେ ସାଇତା ହେଇ ରହିଛି, ତାର ବାସ୍ନା ଓ ମହକ ପାଖରେ ସହରୀ ବାସ୍ନାର ମାଦକତା ତୁଛ ଓ ନିଷ୍ପ୍ରଭ ରେ ଘାଉଲା l
   ଘାଉଲା ତୃପ୍ତ ଚାହାଁଣିରେ ପଚାରିଲା - ଏଇ ସାବିତ୍ରୀ-ମା ବରଗଛକୁ କଣ ତୁମେ ପିଲାଦିନରୁ ଦେଖୁଛ ନନା ? ଇୟାର ନାଁ କିଏ ସାବିତ୍ରୀ-ମା ରଖିଲା ?
   ଆରେ ଘାଉଲା, ଇଏ ପରା ମୋ ବାପା, ତାଙ୍କ ବାପା, ତାଙ୍କ ବାପା, ତାଙ୍କ ପୂର୍ବରୁ ଆହୁରି କେତେ ବାପାଙ୍କ ଅମଳରୁ ଇୟେ ଏଠି ଛିଡା ହେଇଛି l କେତେ ଶହବର୍ଷ ହେବ କିଏ କହିପାରିବ ?
    କିନ୍ତୁ ଆମ ଗାଁର ଗୂଦାନାନୀ ମୋତେ ପିଲାଦିନେ କହିଥିଲା - ଆରେ ଦେବୁ,ହେଇ ଯେଉଁ ବିଲ ମଝିରେ ତାଳପୋଖରୀ କୁଦ ଦେଖୁଛୁନା, ସେଇଟା ଆଗରୁ କାଳେ କୁମ୍ଭାରମାନଙ୍କର ଗାଁ ଥିଲା l ସେଇ ଗାଁରେ ଜଣେ ବୁଢ଼ୀ କୁମ୍ଭାରୁଣୀର ଘର l ତାର ଏକମାତ୍ର ଝିଅର ନାଁ ସାବିତ୍ରୀ l ଯେହେତୁ ସେ ଥିଲା ବିଧବା ଓ ତାର ପୁଅ ନ ଥିବାରୁ ସାବିତ୍ରୀକୁ ବାହା କରାଇ ଘର ଜୋଇଁଆ କରି ରଖିଲା l ସଂସାର ତାର ବେଶ ଖୁସିରେ ଵିତୁଥିଲା l ସମୟ କ୍ରମେ ସାବିତ୍ରୀ ଏକଦା ଗର୍ଭବତୀ ହେଲା l ତାର ପେଟରେ ପିଲା ରହିବା ଦିନ ଠାରୁ  ବୁଢ଼ୀର ଖୁସି ଆକାଶକୁ ଛୁଇଁଲା ଓ ନାତିଟିଏ ହେବାର ଆଶାକୁ ଛାତି ଭିତରେ ଚାପି ଧରି ଆକାଶରେ ରଚିଲା ନିତି ସାତସପନର କେତେ ଇନ୍ଦ୍ରଧନୁ l 
      ନିର୍ଦ୍ଦୟ କାଳ କଣ ଇନ୍ଦ୍ରଧନୁକୁ ଆକାଶରେ ରଖାଇଦେଲା କି ? ପ୍ରସବ ସମୟରେ ଗର୍ଭ ଯନ୍ତଣା ସହି ନପାରି ସାବିତ୍ରୀ ଛଟ ପଟ ହେଇ ଆଖି ବୁଝିଲା, ତା ସହିତ ବି ଗର୍ଭସ୍ଥ ଶିଶୁ l ପ୍ରଥାନୁସାରେ ଗର୍ଭରୁ ଶିଶୁକୁ ବାହାର କରି ଲୋକେ ଉଭୟ ମା ଓ ସଦ୍ୟଜାତ ମୃତ ପୁଅକୁ ଏହି ରାସ୍ତା କଡରେ ବରଗଛ ପାଖରେ ପୋତି ଦେଇଥିଲେ l
    ଝିଅର ମରଣରେ ସାବିତ୍ରୀର ବୁଢ଼ୀ ମା ଝୁରି ଝୁରି କଣ୍ଟା ହେଇଗଲା l ସାବିତ୍ରୀର କାନ୍ଦୁରା ମୁହଁକୁ ସବୁବେଳେ ସ୍ୱପ୍ନରେ ଦେଖିଲା l ଗାଁର ନାହାକକୁ ପଚାରିବାରେ ସେ ବୁଢ଼ୀକି କହିଲା ଯେ ତୋ ଝିଅର ଅତୃପ୍ତ ଆତ୍ମା ଚାରିଆଡେ ଘୁରି ବୁଲୁଛି l ତୋ ଝିଅର ସମାଧି ପାଖରେ ଯେଉଁ ବରଗଛ ଅଛି, ତାର ମୂଳରେ ପ୍ରତିଦିନ ପାଣି ଢାଳି ଫୁଲଟିଏ ଦେ, ତାର ମୋକ୍ଷ ହେବ l ବୁଢ଼ୀ ବଂଚିଥିବା  ଯାଏଁ ଏଇ ଗଛ ମୂଳରେ ପାଣି ଢାଳେ, ଫୁଲ ଦିଏ l 
     ତାପରେ ଆରମ୍ଭ ହେଲା ଏକ ମନଗଢା କାହାଣୀ l କାହା ମୁହଁରୁ କିଏ ଜାଣେ ? ସାବିତ୍ରୀ ଅଶରୀରୀ ଚିରଗୁଣୀ ପାଲଟି କରୁଣ ସ୍ୱରରେ ରାତିରେ ବରଗଛ ପାଖ ବିଲରେ ଗୋଡ଼ ଲମ୍ବେଇ ବସି କାନ୍ଦେ ଏବଂ ନିଆଁ ଜଳାଇ କୋଳରେ ଧରିଥିବା ପୁଅକୁ ସେକେ l ତୁଣ୍ଡ ବାଇଦ ସହସ୍ର କୋଶ ନ୍ୟାୟରେ ଏଇ  କଳ୍ପିତ କାହାଣୀ ଚରିଗଲା ଗାଁ କୁ ଗାଁ ଏବଂ ଭରିଦେଲା ଭୟର ଫୁସଫୁସ ସ୍ୱର ସଭିଙ୍କ କାନରେ l
     ଘାଉଲା କହିଲା - ଓହୋଃ,ଏବେ ବୁଝିଲି l ସେଇ ଦିନଠୁଁ ବୋଧେ ଏଇ ବରଗଛ ନାଁଟିଏ ପାଇଗଲା ସାବିତ୍ରୀ ମା ବରଗଛ ବୋଲି l ଦେଖୁନ ନନା, ଅନେଶତ ମସିହାର ମହାବାତ୍ୟା ଅବଶ୍ୟ ତାର ବଡ଼ ବଡ଼ ଡାଳ ଭାଙ୍ଗି ତାକୁ ଲଣ୍ଡା କରିଦେଲା କିନ୍ତୁ ମୂଳରୁ ଉପାଡି ନିଶ୍ଚିନ୍ନ କରି ପାରିଲାନି l ଧନ୍ୟ ତାର ମାଟି ସହିତ ମଜଭୁତ ଭାବଗତ ସମ୍ପର୍କ l
    ଘାଉଲା ଏତିକିରେ ଅଟକି ନ ଯାଇ ବରଂ ନନାକୁ ଅନାଇ ହସର ବାଣଟିଏ ମାରି କହିଲା - ଯେମିତି ତୁମର ଚନ୍ଦାମୁଣ୍ଡରେ ସାଇତା ସ୍ମୃତି ସିନ୍ଦୁକ ଏଇ ଗାଁର ବାସ୍ନାକୁ ଭୁଲି ନପାରି ଟାଣି ଆଣୁଛି ଅନବରତ ଗାଁକୁ, ସେମିତି ମାଟି ଛାଡିପାରୁନି ସାବିତ୍ରୀ ମା ବରଗଛକୁ l
   ଘାଉଲାର ଏଇ ପଦକ କଥାରେ ଦେବଦତ୍ତ ବାବୁ ଏମିତି ପୂର୍ଣ୍ଣପ୍ରାଣରେ ଅଟ୍ଟହାସ୍ୟ କଲେ ଯେ ଦିଗବଳୟରୁ ମଝି ଆକାଶକୁ ଉଠିଯାଇଥିବା ପୁନେଇଁ ଚାନ୍ଦଟା ସତେକି ତାଙ୍କର ଗୋରା ମୁହଁକୁ ଓହ୍ଲାଇ ଆସିଛି !!!!
     ଦେବନ୍ନାଙ୍କ ମୁହଁର ପ୍ରଚଣ୍ଡ ଆଲୋକର ବିକରଣ ଯୋଗୁ ଘାଉଲାକୁ ଚାରିଆଡେ ଅନ୍ଧାର ଦିଶିଲା l ସେଇ ଅନ୍ଧକାର ମଧ୍ୟରେ ନିଜକୁ ଅଣ୍ଡାଳୁ ଥିବା ସମୟରେ ସେ ଦପ କିନା ଠିଆ ହେଇ ଆକାଶକୁ ଚାହିଁଲା l ଦେଖିଲା ଯେ ପୁନେଇଁ ଚାନ୍ଦ ଆକାଶରେ ବେଶ କ୍ରୀଡାରତ l କିନ୍ତୁ ସିମେଣ୍ଟ ସୁଠ ଉପରେ କିଛି ମୁହୁର୍ତ ପୂର୍ବରୁ କଥା କହୁଥିବା ଦେବନ୍ନା ସେଠାରେ ନ ଥିଲେ l
   ବୋଇତାଳୁ ବୋଝ ମୁଣ୍ଡେଇ ଉତ୍କଣ୍ଠିତ ଭାବନାରେ ଘରକୁ ଫେରି ସ୍ତ୍ରୀଙ୍କ ପାଖରୁ ଘାଉଲା ନାହାକ ଶୁଣନ୍ତି - ହେଇ ଶୁଣୁଛ, ଆଜିନା ଟିଭି ରାତି ଦଶଟା ନିୟୁଜରେ କହୁଥିଲା - ମାସିଭ ହାର୍ଟ ଆଟାକରେ ଭାରତର ବିଶିଷ୍ଟ ବୈଜ୍ଞନିକ ଦେବଦତ୍ତ ସେନାପତିଙ୍କର ଅଶୀବର୍ଷ ବୟସରେ ମୃତ୍ୟୁ ହେଇଛି l
     ଘାଉଲା ନାହାକ ଚମକି ଉଠିଲା l ତାର କଣ୍ଠ ଅଠା ଅଠା ଲାଗିଲା l ସ୍ତ୍ରୀଙ୍କ ହାତରୁ ପାଣି ଗ୍ଲାସଟିଏ ଢକ ଢକ ପିଇ, ବାଷ୍ପରୁଦ୍ଧ କଣ୍ଠରେ କହି ଉଠିଲେ - ଦେବନ୍ନା, ଗାଁକୁ ଜୀବନ ସାରା ଭଲ ପାଉଥିବା ମଣିଷର ତୁମେ କଣ ଏବେ ପ୍ରେତ !!!! 

————-00009———–
© ମନୋଜ କୁମାର ମହାପାତ୍ର 12.7.23

Leave A Reply

Your email address will not be published.