ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ସୁନା ପଞ୍ଜୁରୀ’
- TATKAL ODISHA//ଗଳ୍ପ//
- ************************
*ସୁନା ପଞ୍ଜୁରୀ*
*ମନୋଜ କୁମାର ମହାପାତ୍ର*
**********************
ସତୁରି ବର୍ଷର ବୁଢ଼ୀ ସାରିଆ-ମା ସଞ୍ଜ ବେଳେ ଅଣ୍ଟା ସଳଖି ଚାହିଁଲା ଆକାଶକୁ l "ହେଇଲୋ..ମା ... ଦେଖୁନ କେତେ ବରଷ ପରେ ସେଇ କୁନି ତରାଟା ପୁଣି ଦୁତୀୟା ଜହ୍ନ ତଳେ କେମିତି ଆସି ଉଭା ହେଲେଣି l ପୁଣି କିଛି ଗୋଟେ କାଣ୍ଡ କାରଖାନା ବୋଧେ ଘଟିବ ! ହଁ ମଃ... ଆଉ କଣଟା ମୋର ଅଛି ଯେ ମୋର ନିହାଲ କରିବ" l ବୁଢ଼ୀ ଚଉଁରା ମୂଳେ ସଞ୍ଜବତୀ ଦେଇ ଶଙ୍ଖ ଫୁଙ୍କିଲା କିନ୍ତୁ ତାର ଦୃଷ୍ଟି ସେଇ କୁନି ତରା ଆଡକୁ ଥାଏ l ଏହି ସମୟରେ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିବା ପିଲାମାନଙ୍କର ଏକ ଶୋଭାଯାତ୍ରାର ସ୍ଲୋଗାନ ସଞ୍ଜବେଳର ଭକ୍ତିପୂର୍ବକ ପରିବେଶକୁ ବେଶ ସୃତିମଧୁର କରୁଥିଲା - "ହେ ବୀର ! ସଦର୍ପେ କୁହ...... ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ବାର୍ଦ୍ଧକ୍ୟର ବାରଣାସୀ....l"
ସାରିଆ-ବାପା ଓରଫ ପଞ୍ଚସ୍ତରୀ ବର୍ଷୀୟ ବୁଢ଼ା ଦିନା ମଳିକ ମୁଣ୍ଡରୁ ବୋଇତାଳୁ ବୋଝ ଝଙ୍କାଟାକୁ ଓହ୍ଲାଇ ଦାଣ୍ଡପିଣ୍ଡାରେ ଥୋଇ ମୁହଁରୁ ଝାଳ ପୋଛିଲା l ବିବେକାନନ୍ଦଙ୍କ ସ୍ଲୋଗାନଟି ତାର ମନକୁ ପାଇଲା l ଶୋଭାଯାତ୍ରା ଆଡକୁ ଚାହିଁ ମନେ ମନେ କହିଲା - ସତରେ ତ,ଏଇ ଗାଁ ମୋର ବୁଢ଼ା କାଳର ବାରଣାସୀ l ୟାକୁ ଛାଡି କୁଆଡେ ଯିବି ? ଏହାର ମାଟି ସତରେ କେଉଁ ତୀର୍ଥ ଅପେକ୍ଷା ଶ୍ରେୟସ୍କର ଓ ପବିତ୍ର ?
ସାରିଆଟା କଣ ତାହା ବୁଝିବ ? ସେ ଖାଲି କହିବ - ବାପା, ତମେ ଆମ ଜମିର ମାଟିର ମଣିଷ l କେତେ କଷ୍ଟ ନ ସହିଛ ମୋ ପାଇଁ l ନିଜେ ଭଲରେ ଗଣ୍ଡିଏ ଖାଇନ, ଖଣ୍ଡେ ଦାମି ଲୁଗା କେବେ ପିନ୍ଧିନ l ସକାଳୁ ସଞ୍ଜ ଯାଏ ସମୟ କେମିତି ତୁମର କଟେ ସବୁକିଛି ମୁଁ ନିଜେ ଆଖିରେ ଦେଖିଛି l ବିଲରେ କେହି ଜଣେ ଚାଷୀ ନ ଥିବାବେଳେ ନିଜେ ଡହ ଡହ ଖରାରେ ହଳ ଚଳାଅ, କୋଡ଼ିରେ ମନ୍ଦା ବନାଅ, ବୋଇତାଳୁ ମଞ୍ଜି ପୋତ, ପାଣି ଦିଅ, ପୁଣି ମୁଣ୍ଡରେ ଝଙ୍କେ ବୋଇତାଳୁ ମୁଣ୍ଡାଇ ହାଟକୁ ଯାଅ l କଣ ନା ମୋ ପୁଅକୁ ପାଠ ପଢ଼େଇ ହାକିମ କରିବି l ସେଥିପାଇଁ କେତେବେଳେ ତମେ ରାଗିନ କି ଅଭିମାନ କରିନ l ପୁଣି ସେ କହିବ ଯେ ମୋ ବାପା ଭଳି ଜଗତରେ ବାପା ନାହାନ୍ତି l
ବାପାଙ୍କର ଏଭଳି ତ୍ୟାଗର ସଳିତାର ପ୍ରଜ୍ଜ୍ୱଳନ ଦେଖି ସାରିଆ ଓରଫ ସାରଙ୍ଗ ମଲ୍ଲିକର ବାଳକ ସୁଲଭ ଅପରିପକ୍ୱ ଭାବନା ରାଜ୍ୟରେ ସେତେବେଳେ ଗୋଟିଏ ସୁନା ପଞ୍ଜୁରୀ ଅଲକ୍ଷ୍ୟରେ ମନ୍ଥର ଗତିରେ ନିର୍ମିତ ହେଉଥିଲା l ବଡ଼ ମଣିଷ ହେଲେ ସେ ତାର ବାପାଙ୍କୁ ସେହି ସୁନା ପିଞ୍ଜୁରୀରେ ରଖିବ ଏବଂ ସଂସାରର ସବୁ ସୁଖ ତାଙ୍କୁ ଭୁଞ୍ଜାଇବ l ସେତେବେଳେ ମୋର ବୃଦ୍ଧ ବାପା ନିଶ୍ଚିତ ମୋର ସେବାପଣକୁ ଦେଖି ଗର୍ବରେ ଗଦଗଦ ହେଇ କହିବେ - ଆରେ ସାରିଆ, ତୁ ମୋ ପୁଅ ନୁହଁରେ, ତୂ ମୋର ଦେବତା l
ବାପାଙ୍କର ହାଡଭଙ୍ଗା ପରିଶ୍ରମ ବିଲରେ ଯେତେ କ୍ଷିପ୍ରତର ହୁଏ, ସାରିଆର ମନ ସେତେ ବୋଇତାଳୁ କଅଁଳଡଙ୍କ ଭଳି ଆଗକୁ ମାଡି ଯାଇ ସ୍ୱପ୍ନବିଭୋର ହେଇଉଠେ l ସେ ଆକାଶକୁ ଛୁଇଁବା ପାଇଁ ବହୁ ଦୁରକୁ ଯିବ l ମାତ୍ର ଦଶଗୁଣ୍ଠ ଜମି, ହଳେ ଲଙ୍ଗଳ ଓ ଜୁଆଳି ଓ ଦୁଇ ତିନିଟି କୋଡ଼ି କୋଦାଳ ଆଉ ଗୋଟିଏ ଦୁଧିଆଳି ଗାଈର ସମ୍ପତ୍ତିକୁ ନେଇ ବାପା ଯେଉଁ ପ୍ରତିଦିନ ସଂଗ୍ରାମ କରନ୍ତି ତାର ଯନ୍ତ୍ରଣା ତାଙ୍କ ଦେହରୁ ବୋହୁଥିବା ଝାଳ ଓ ନାକର ଦୀର୍ଘ ନିଃଶ୍ୱାସ କେବଳ ବୁଝିପାରେ ବୋଲି ସାରିଆ ଭଲ ଭାବେ ପିଲାଦିନରୁ ବୁଝିପାରିଥିଲା l ସେଥିପାଇଁ ପିତୃ ଋଣ ଶୁଝିବା ସକାଶେ ସେ ମନେ ମନେ ତିଆରି କରିବାରେ ଲାଗିଛି ଭବିଷ୍ୟତର ସୁନା ପଞ୍ଜୁରୀ ଯେଉଁଠି ରହି ବାପା ଭବିଷ୍ୟତରେ ସ୍ୱର୍ଗସୁଖ ଉପଭୋଗ କରିବେ ହିଁ କରିବେ l କିନ୍ତୁ ଇଆଡ଼େ ଯେ ଅଦୃଶ୍ୟ ଲୁବ୍ଧକ ମାୟା ଫାସ ବିଛାଇବାରେ ଲାଗିଲାଣି ବିଚରା ପୁଅକୁ ଜଣା ନାହିଁ l
ଯେଉଁ ଦିନ ସାରଙ୍ଗ ଆଇ. ଏମ. ଏ ଅହମଦାବାଦରେ ଏମ. ବି. ଏ ପାଠର ମୁଣ୍ଡି ମାରି କେମ୍ପସ ଇଣ୍ଟରଭିୟୁ ମାଧ୍ୟମରେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ମୋଟା ଅଙ୍କ ବିଶିଷ୍ଟ ଚାକିରୀରେ ଜଏନ କଲା ସେତେବେଳକୁ ଦିନା ମଳିକ ପାଖରେ ନା ଥିଲା ଦଶଗୁଣ୍ଠ ଜମି ନା ଦୁଧିଆଳି ଗାଈ l ହଳ, ଲଙ୍ଗଳ, କୋଡ଼ି, କୋଦାଳ ସହିତ ଛୋଟମୋଟୋ ଯାବତୀୟ ଚାଷ ଉପକରଣ ଶୂନ ପାଲଟିଯାଇଥିଲା ତାର ମାଟି ନଡା ଛପର ଘରେ l
ସେଦିନ ସଞ୍ଜବେଳେ ଉଭୟ ଦିନା ମଳିକ ଓ ତାର ସ୍ତ୍ରୀ ଆକାଶରେ ଦା' ଭଳି ଜହ୍ନ ତଳେ ଦେଖିଥିଲେ କୁନି ତରାକୁ l ଶୁଭ ଖବରଟିଏ ଘରେ ପହଁଚିଲା l ପୁଅ ସାରଙ୍ଗ ମଲ୍ଲିକ ଓରଫ ସାରିଆ ଚିଠିଟିଏ ବି ବାପା ପାଖକୁ ଲେଖିଥିଲେ - ବାପା ତୁମକୁ ଆଉ ଖରାତରାରେ ଖଟିବାକୁ ପଡ଼ିବନି l ତମେ ଓ ମା ମୋ ପାଖରେ ଏଇ ବାଙ୍ଗାଲୋରରେ ରହିବ l ସାରିଆ-ମା ଚିଠିର ଏଇ ପଦକ କଥା ଶୁଣି ଆବେଗପୂର୍ଣ୍ଣ ଭାଷାରେ କହିଲା - ମୁଁ ଜାଣିଛି ପରା ଦିତିଆ ଜହ୍ନକୁ ଯେମିତି ତାର ଛୁଆ ତରା ଭୁଲିପାରିବନି ସେମିତି ଆମର ସାରିଆ ପରା l
କିନ୍ତୁ ସ୍ତ୍ରୀର କଥା ଶୁଣି ସ୍ଥିତପ୍ରଜ୍ଞ କର୍ମମନସ୍କ ଦିନା ମଳିକ ପାଟିରୁ ଉଁ କି ଚୁଁ ପ୍ରତିକ୍ରିୟା ବାହାରିଲାନି ବରଂ ଚୁପ ଚାପ ବସି ବିନ୍ଧା ଛିଟିକା ହେଉଥିବା ନିଜ ଗୋଡକୁ ଆଉଁଶିଲା l କାହାରି, ଏପରିକି ନିଜ ପୁଅର ଗୌରବର ଆଲୋକରେ ଆଲୋକିତ ଅନୁଭବ କରିବା ମଣିଷ ସେ ନୁହେଁ l ସେ ମେହନତି ମଣିଷ, ସେ କେବଳ ନିଜ ମୁଣ୍ଡର ଝାଳ ତୁଣ୍ଡରେ ମାରିପାରେ l ବାପାର କର୍ତ୍ତବ୍ୟ ସେ ପାରୁପର୍ଯ୍ୟନ୍ତ କରିବା ଜାଣିଛି, ତା ଛଡା ଆଉ କିଛି ନୁହେଁ l
ଚାକିରୀ ପାଇବାର ବର୍ଷେ ନପୂରୁଣୁ ଜଣେ ଉଚ୍ଚ ବର୍ଣ୍ଣର ବିଶିଷ୍ଟ ଧନୀର ଝିଅକୁ ସାରିଆ ପ୍ରେମ ବିବାହ କରିଛି ବୋଲି ଯେତେବେଳେ ଦିନା ମଳିକ ଜାଣିଲା, ସେତେବେଳେ ତାର ନା ଥିଲା କୌଣସି କ୍ଷୋଭ ନା ପିତୃତ୍ୱ ଅହଂକାର ପ୍ରତି ପ୍ରହାରର ବେଦନାସିକ୍ତ ଅନୁଭବ ବରଂ ସେ ସାଇପଡିଶାଙ୍କୁ ସେଦିନ ହସି କହିଥିଲା - ଯେ ପକ୍ଷୀ ଉଡେ ଯେତେ ଦୂର,ସେ ଜାଣେ ତହିଁର ବେଭାର l ମୋ ପୁଅ ଯେଉଁଠି ଥାଉ ଭଲରେ ଥାଉ l ମୁହଁରେ ସେ ଏମିତି ସିନା କହେ କିନ୍ତୁ ବହୂକୁ ଦେଖିବାର ଉତ୍କଣ୍ଠା ତାର ମନକୁ ସ୍ୱପ୍ନିଳ କରିଦିଏ l ଏଭଳି ଇଛାକୁ ନେଇ ତାର ମନ ଅନେକ ସ୍ୱପ୍ନ ଦେଖୁଥିବାବେଳେ, ଚିଠିଟିଏ ପାଇଲା ସାରିଆ ପାଖରୁ ଯେ ସେ ଗୋଟିଏ ବଡ଼ ଘର କିଣିଛି ବାଙ୍ଗାଲୋରରେ ଯାର ଦାମ ଦୁଇକୋଟି ଟଙ୍କା l କେବଳ ସେତିକି ନୁହେଁ ସେ ଖୁବ ଶୀଘ୍ର ଆସି ତାଙ୍କୁ ନେଇଯିବ ବୋଲି ଲେଖିଛି l
କିଛି ଦିନ ଉତ୍ତାରୁ ସାରିଆ ବାପା ଓ ମା'କୁ ବାଙ୍ଗାଲୋର ନେଇଆସିଲା l ଗୋଟିଏ ବିଶାଳ ଆପାର୍ଟମେଣ୍ଟର ବେସମେଣ୍ଟରେ କାର ପାର୍କିଂ କରି ସାରଙ୍ଗ କହିଲେ - ବାପା ଏଇଠି ମୋ ନୂଆ ଘର l ଆକାଶଚୁମ୍ବୀ ଆପାର୍ଟମେଣ୍ଟ ଦେଖି ବିଚରା ବାପାର ଆଖି ଲାଖିଗଲା ସତ କିନ୍ତୁ ସେ କିଛି କହିପାରିଲେନି, ହେଇଥିବ ଗୋଟାଯାକ ତାର ଆପାର୍ଟମେଣ୍ଟ ବୋଲି ଏମିତି ଭାବି ପୁଅ ପଛେ ପଛେ ଯାଇ ଲିଫ୍ଟ ଚଢିଲେ l ତିରିଶ ତାଲାର ନିଜ ଫ୍ଲାଟ ଭିତରକୁ ପଶିବା କ୍ଷଣି ସାରଙ୍ଗ କହିଲେ - ବାପା ଏଇଟା ମୋ ଘର l ବୃଦ୍ଧ ପିତା ପଚାରିଲେ - ତାହେଲେ ଏଇ ପୂରା ବଡ଼ କୋଠାଟା ତୋର ନୁହେଁ ? ନାଇ...ନାଇ ବାପା ଏଇ ଘର ମାନେ ଫ୍ଲାଟଟି କେବଳ ମୋର l ଏତିକି କହିଛନ୍ତି କି ନାହିଁ ଘର ଭିତରୁ ପଦ୍ମା ବାହାରି ଆସି ହାତଯୋଡି ଶାଶୁ ଶ୍ଵଶୁରଙ୍କୁ ନମସ୍କାର କଲେ l ବହୂର ବେଶଭୁଶା ଅଂସଙ୍ଗତ ଅବାଗିଆ ଦେଖି ଦୁହିଁଙ୍କର ମୁଣ୍ଡ ନିରାଶ ଓ ଲଜ୍ଜାରେ ନଇଁ ଗଲା ସେଇ ମୁହୁର୍ତରେ l
ପରମୁହୂର୍ତ୍ତରେ ବହୂର ଆଚରଣ ଦୁହିଁକି ବେଶ ମୁଗ୍ଧ କଲାରୁ ଦିନା ମଳିକ କହିଲେ - ଆରେ ସାରିଆ, ପଦ୍ମା ବଡ଼ ଘରର ଝିଅ ତଥାପି ତାର ବ୍ୟବହାର ଅତି ସୁନ୍ଦର l କଥାରେ ଅଛି ପରା ଚାଟ ଘରର ପୁଅ ଚାଟ ଭାଟ ଘରର ପୁଅ ଭାଟ l ସାରଙ୍ଗ ଖୁସିରେ କୁରୁଳି ଉଠି କହିଲେ - ତୁମେ ଦୁହେଁ ଏଇଠି ସବୁଦିନେ ରହିବ l ତୁମ ପାଇଁ ତ ଏଇ ସୁନା ପଞ୍ଜୁରୀ କିଣିଛି l ତୁମେ ଦୁହେଁ ଖୁସିରେ ରହିଲେ ମୋର ସ୍ୱପ୍ନ ସାକାର ହେବ ଓ ତୁମର ହାଡଭଙ୍ଗା ପରିଶ୍ରମର ମୂଲ୍ୟ ତୁମେ ପାଇବ l ବାପା ସମ୍ମତି ସୂଚକ ଠାଣିରେ ମୁଣ୍ଡ ଟୁଙ୍ଗାରିଲେ l
ତିରିଶ ମହଲା ଫ୍ଲାଟରେ ଶୁଆ ଶାରୀ ସୁନା ପଞ୍ଜୁରୀରେ ରହିଲା ଭଳି ସାରିଆ ବାପା ମା ରହିଲେ ସିନା କିନ୍ତୁ କାହା ସାଙ୍ଗରେ ପଦେ ମନ ଖୋଲି କଥା ହେଇପାରିଲେନି l ପୁଅ ବୋହୂ ଚାକିରିଆ l ସକାଳୁ ଅଫିସ ଯାଆନ୍ତି ରାତି ଦଶଟାରେ ଘରକୁ ଫେରନ୍ତି, ରୋଷେୟା ଯାହା ଖାଇବା ତିଆରି କରି ରଖିଥାଏ,ବାସ ତାକୁ ଖାଇ ବିଛଣା ଧରନ୍ତି l ବୁଢ଼ା ବୁଢ଼ୀ ବାଲକୋନୀରେ ବସି ଉପରକୁ ଚାହିଁଲେ ଦେଖନ୍ତି କେବଳ ଆକାଶ ହିଁ ଆକାଶ, ତଳକୁ ଚାହିଁଲେ ଦୌଡୁ ଥିବା ମାଳ ମାଳ ଗାଡି, ଆଉ ଚାରିପାଖକୁ ଚାହିଁଲେ ଡେଙ୍ଗା ଡେଙ୍ଗା କୋଠା, ଦୋକାନ ମଲର ଧାଡି l
ଏମିତି ବାପା ମା ଦୁହେଁ ପୁଅର ସୁନା ପଞ୍ଜୁରୀରେ ନିଃସଙ୍ଗତାର ଉତ୍ତପ୍ତ ନିଆଁରେ ଡହଳ ବିକଳ ହେଉଥିବାବେଳେ ବୋହୂର ଛଳନାରୂପୀ ବ୍ୟବହାର ଭିତରୁ ତାର ଅସଲ ରୂପ ଧୀରେ ଧୀରେ ମୁଣ୍ଡ ଟେକି ବାରମ୍ବାର ଦଂଶନ କରୁଥିଲା ସେ ଦୁହିଁଙ୍କୁ l ଯାହାକୁ ପ୍ରଥମ ଦେଖାରେ ଚାଟ ଘରର ଝିଅ ବୋଲି ଦିନା ମଳିକ ଭାବୁଥିଲେ ସେ ଯେ ବାସ୍ତବରେ ଭାଟ ଘରର ଝିଅ, ତାହା ଅନେକ ସମୟରେ ବୋହୂର ନାକଟେକା ବ୍ୟବହାରରୁ ଠଉରେଇ ଛନ୍ତି l
ତଥାପି ଦିନୁ ମଳିକ ନିଜ ସ୍ତ୍ରୀକୁ ବାରବାର ସତର୍କ କରାଇ କହୁଥିଲା - ଦେଖ, ଆମ ପ୍ରତି ବୋହୂର ନିଆଁଲଗା ବ୍ୟବହାର ବିଷୟରେ ସାରିଆକୁ କହିବୁନି l ଆମକୁ ନେଇ ସେ ଦୁହିଁଙ୍କ ଭିତରେ ଯଦି ଝଗଡା ଝାଣ୍ଟି ହୁଏ ତେବେ ତାର ସୁଖର ସଂସାର ଚୁନା ହେଇଯିବ l ବୁଢ଼ୀ ମୁହଁ ଫଣଫଣ କରି କହିଲା - ନା ମଃ କିଛି କହିବିନି ଯେ କିନ୍ତୁ ରାତିରେ ପୋଡ଼ାମୁହିଁ ବୋହୂଟା ଯେମିତି ସାରିଆକୁ ବୋତଲ ବୋତଲ ମଦ ପିଆଉଛି, ତା ଦେଖି ମୋ ଛାତି ହାଉଲ ମାଉଲ ହେଉଛି l ଛୁଆଟାକୁ ଜନ୍ମ କରି ପାଳିପୋଷି ମଣିଷ କରିଥିଲି କଣ ଏଇୟା ଦେଖିବାକୁ ? ଦିନୁ ଟିକେ ବିଚଳିତ ହେଇ କହିଲା - ହଉ ହଉ l କାନ୍ଦିବା ବନ୍ଦ କର l ଯେତେହେଲେ ସେ ଦୁହେଁ ଆମ ପୁଅ ବୋହୂ l
ସୁନା ପଞ୍ଜୁରୀରେ ରହିବାର ପ୍ରାୟ ଛଅ ମାସ ଅନ୍ତେ ପଦ୍ମାଙ୍କର ବାର୍ଥଡେ ଗୋଟିଏ ଫାଇବ ଷ୍ଟାର ହୋଟେଲ ମଧ୍ୟସ୍ଥ ଏକ ଅତ୍ୟାଧୁନିକ କ୍ଲବରେ ପାଳିତ ହେଲା l ପଦ୍ମାଙ୍କର ବାପା, ମା, ଭାଇ, ଭଉଣୀ,ବନ୍ଧୁ ବାନ୍ଧବ ସହିତ ଅନେକ ନିମନ୍ତ୍ରିତ ବ୍ୟକ୍ତି କ୍ଲବରେ ଉପସ୍ଥିତ ଥିଲେ l ସାରଙ୍ଗଙ୍କର ଧୋତି ପିନ୍ଧା ବାପା ଓ ଶାଢ଼ୀ ପିନ୍ଧା ମା ଗୋଟିଏ କୋଣରେ ଚେୟାରରେ ବସି ଦେଖୁଥିଲେ ବିଭିନ୍ନ ପ୍ରକାର ନାଚ, ସଂଗୀତ ଓ ଖାଦ୍ୟ ପେୟର ପରିବେଷଣ l କେହି ଜଣେ ବି ସେ ଦୁହିଁଙ୍କୁ କାହା ସହିତ ପରିଚିତ କରାଇ ଦେବା ତ ଦୂରର କଥା ପଦେ ହସି କଥା ହେଉନଥିଲେ l ପୁଅ ବୋହୂ ତ ଅତିଥି ସତ୍କାର ଓ ନାଚ ଗୀତରେ ମସଗୁଲ l
ସେଠି ନାଚ, ଗୀତ ଓ ପିଇବାରେ ସଂଯମ ନଥିଲା l ଆଉ ଯେଉଁ ସାଜସଜାରେ ଲୋକେ ପେଗ ପରେ ପେଗ ମଦ ପିଇ ନାଚୁଥିଲେ ଅଶ୍ଳୀଳ ଭଙ୍ଗୀରେ, ପୁଣି ନାଲି ନୀଳ ଭଳି ଅନେକ ରଙ୍ଗର ଦପ ଦପ ଆଲୋକରେ, ସେ ଦୁହିଁଙ୍କ ପକ୍ଷରେ ଦେଖିବା ବଡ଼ ଯନ୍ତ୍ରଣାଦାୟକ ଥିଲା l ସତେକି ସେ ଦୁହେଁ କଣ୍ଟେଇ କୋଳି ବୁଦା ଭିତରେ ବସିଛନ୍ତି ! ପୁଅ, ବୋହୂ, ସମୁଦୀ ସମୁଦୁଣୀଙ୍କର ଉଦଣ୍ଡ ନାଚ ଦିନାକୁ ଯେତେ ଅସହ୍ୟ ଯନ୍ତ୍ରଣାରେ ଛଟପଟ କରୁଥିଲା ତାହା ଠାରୁ ବେଶୀ ବାଧିଲା ଯେତେବେଳେ ସମୁଦୀ ଟଳ ଟଳ ପାଦରେ ତାକୁ ମଦ ଗ୍ଲାସଟିଏ ଯାଚି କହିଲେ - ହାୟ ସମୁଦୀ, ଏଇ ଗ୍ଲାସର ମଜା ଟିକେ ଚାଖନା l ଏତକ କହି ସମୁଦି ମହାଶୟ ଗ୍ଳାସଭରା ମଦ ବୋତଲକୁ ତାଙ୍କ ଉପରେ ଢାଳି ଦେଲେ l ଦିନା କଟମଟ କରି ତାଙ୍କୁ ଚାହିଁଲା, ସମୁଦି କିନ୍ତୁ ମଦ ନିଶାରେ ଅଷ୍ଟବକ୍ର ହେଇ ତା ଆଗରେ ନାଚୁଥିଲା l ଓହୋ ! ଏମାନେ ପରା ଏ ଯୁଗର ନବ୍ୟ ସଭ୍ୟ ମଣିଷ !
ଏ ଦୁଃଖ କାହାକୁ କହିବେ ? ପୁଅ ବୋହୂ ତ ମଦ ନିଶାରେ ବେହୋସ l କାହାକୁ ଥରଟିଏ ନ ଅନେଉ ଦିନା ମଳିକ ତାର ସ୍ତ୍ରୀକୁ ସାଙ୍ଗରେ ଧରି ନୀରବରେ ହୋଟେଲ ବାହାରକୁ ଚାଲି ଆସିଲା l ଆକାଶରେ ଜଳଜଳ ଦେଖା ଯାଉଥିଲା ଜହ୍ନ ତଳେ ଟିକି ତରାl ଯାହାହେଉ ହୋଟେଲ ପାଖରେ ଥିଲା ରେଳ ଷ୍ଟେସନ l ସେ ପାସସେଞ୍ଜର କ୍ଲାସର ଦୁଇଟି ଟିକଟ କାଟି ସେଇ ପିନ୍ଧିଥିବା ଲୁଗାରେ ବସି ପଡିଲେ ହାୱାଡା ଅଭିମୁଖେ ଟ୍ରେନରେ l
ଗାଁରେ ପହଂଚି ଦିନା ଚିଠିଟିଏ ପୁଅ ପାଖକୁ ଲେଖିଲା - ଆରେ ସାରିଆ, କେବେ ଭାବିବୁନି ଯେ ଆମେ ତୋ ଉପରେ ରାଗି କି ଅଭିମାନ କରି ଚାଲି ଆସିଛୁ l ଆଜିକାଲି ବାପା ମା-ମାନେ ଯେମିତି ପୁଅ ବୋହୂର ଖାପଛଡା ବ୍ୟବହାର ଓ ସାମାନ୍ୟ ଘଟଣାରେ ବୀତସ୍ପୃହ ହେଇ ଅଲଗା ରହିବାକୁ ପସନ୍ଦ କରନ୍ତି ବା ପୁଅ ବୋହୂ ବିରୋଧରେ ଗାଳି ବର୍ଷଣ କରି ଅଭିଶାପ ଦିଅନ୍ତି, ସେଭଳି ବାପା ମୁଁ ନୁହେଁରେ ସାରିଆ l ମୁଁ ବାପା.... ଜୀବନର ସକଳ ଦୁଃଖ ଝଡ଼ଝଞ୍ଜା ଆତ୍ମସାତ କରି ଯିଏ ସନ୍ତାନର ସମସ୍ତ ଗ୍ଲାନି ଓ ଅପରାଧକୁ ହସି ହସି କ୍ଷମା କରେ, ତାର ନାଁ ବାପା l ହଁ, ତୁମେ ଦୁହେଁ ଭଲରେ ରୁହ ଏତିକି ମୋର ଆଶୀର୍ବାଦ l ତୋ ଘର ସୁନା ପଞ୍ଜୁରୀ ହେଇପାରେ,ହେଇଥାଉ ବି ସବୁ ଦିନ ପାଇଁ କିନ୍ତୁ ତୋର ଲେଖା ପଢା ବିବର୍ଜିତ ଏଇ ବାପା ପାଇଁ ଆମ ଗାଁର ଘର ଯେ ବାର୍ଦ୍ଧକ୍ୟର ବାରଣାସୀ, ଏଇ କଥାଟିକୁ କେବେ ଭୁଲିବୁନି l
--------00000--------
© ମନୋଜ କୁମାର ମହାପାତ୍ର
31.03.23