ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଚଇତି ଘୋଡ଼ା’
- ଗଳ୍ପ//ଚଇତି ଘୋଡା//
- ++++++++++++++
- ମନୋଜ କୁମାର ମହାପାତ୍ର
- +++++++++++++++
ଘର ଠାରୁ ଡାକେ ଦୂରରେ ଥିବା ଶାଗ କିଆରୀରୁ ବିଡ଼ାଏ ଶାଗ ଉପାଡୁ ଥିବାବେଳେ ଯେମିତି କ୍ଷୀପ୍ର ପାହୁଣ୍ଡ ପକାଇ ଏକା ନିଃଶ୍ୱାସେ ଦୌଡ଼ିବା ଆରମ୍ଭ କରେ ମା’ଟିଏ ନିଜର କଅଁଳା ଶିଶୁର ରାହା ଶୁଣି, ସେମିତି ନାଳିଆ ନଈର ସୁଅ ତ୍ୱରିତ ବେଗଗାମୀ ଥିଲା ସେ ଦିନ l
ଏଇ କେତେ ଦିନ ହେଲା ନାଳିଆ ନଈର ସ୍ଵଭାଵ ହଠାତ ବଦଳିବା ଏକରକମ ବିସ୍ମୟ ବଳୟ ଭିତରକୁ ଠେଲି ଦେଉଥିଲେ ବି ନୁକା ମାଝୀ ଜାଣିଛି ନିଜ ଅଭିଜ୍ଞତାରୁ ଯେ ନାଳିଆଟା ଏମିତି ବେଳେବେଳେ ହୁନ୍ଦର ଦେଖାଏ l ତଥାପି କ୍ଷୀପ୍ର ସୁଅ ବିରୋଧରେ ନିଜର ହୁଲି ଡ଼ଙ୍ଗାଟାକୁ ନଈର ଉପର ମୁଣ୍ଡ ଆଡକୁ ଉଜାଣି ସୁଅରେ ସେ ବାହୁଥିଲା l ତାର ସତୁରିବର୍ଷୀୟ କାଳିଆ ଦେହର ଚମଗୁଡାକ ଆହୁଲା ମାରୁଥିବା ବେଳେ ଚିଙ୍ଗମ ଭଳି ଟାଣି ହେଇଯାଉଥିଲା l କଣ କରିବ ବିଚରା, ତାକୁ ତ ଘରେ ଜଲଦି ପହଂଚିବାକୁ ହେବ l ଜାଲରେ ଧରିଥିବା ବାଳିଆ, ତାଟରା ଚିଙ୍ଗୁଡ଼ିଗୁଡାକୁ ଗାଁ ଗାଁ ବୁଲି ଆଜି ବିକିବାଜୁ ତାହାର ବେଳ ନାହିଁ ବରଂ ବେପାରୀକୁ ଦେଇଦେବ l
ସୂର୍ଯ୍ୟ ଆକାଶରେ ମୁଣ୍ଡ ଉପରକୁ ଉଠିବା ଦେଖି ନୁକା ମାଝୀ ବିରକ୍ତିରେ କହି ଉଠିଲା – ଶଃ….. ଆଜି ପରା ଦିନରେ ଦେଖୁନ ଏଇ ନାଳିଆଟାକୁ ଦୌଡିବାର ଥିଲା l ଟିକେ ଧୀରେ ଧୀରେ ବୋହି ଚାଲିଲେ ହୁଅନ୍ତାନି,ଦେଖିପାରିନୁ କି ଏ ବୁଢାଟା କେମିତି ଆହୁଲା ମାରିବାରେ ଯନ୍ତ୍ରଣା ଭୋଗୁଛି ?ଧଇଁସଇଁ ହେଇଯାଉଛି l ତୋର ସୁଅ ଟିକେ ମନ୍ଥର ହେଲେ ଚଳନ୍ତାନି ?
ଏମିତି ନଈ ସହିତ ବକର ବକର ହେଇ କିଛି ବାଟ ଗଲା ଉତ୍ତାରୁ ତାର ଗାଁ ଆସିଗଲା l ଘାଟରେ ଡ଼ଙ୍ଗାକୁ ବାନ୍ଧି ଦେଇ,ମାଛ ଭର୍ତି ଦୁଣ୍ଡୁରି (ଖାଳେଇ) କାନ୍ଧରେ ଝୁଲାଇ ସଅଳ ପାଦରେ ଘରମୁହାଁ ହେଉଥିବାବେଳେ ନଈକୂଳର ଡେଙ୍ଗା ଆମ୍ବଗଛ ଛାଈରେ ଠିଆ ହେଇଥିବା ଗୋରା ଲୋକଟା କହୁଥିଲା – ହଇଏ ନୁକା ଭାଇ ,ବୁଢା କାଳରେ ବି ମାଛ ଧରୁଛ, ପୁଣି ଏଇ ଡହ ଡହ ଖରାରେ ? ଦେଖେଇଲ ତୁମ ଦୁଣ୍ଡୁରି ?
ନୁକାମାଝୀ ପଛକୁ ସାମାନ୍ୟ ବାଙ୍କ ଚାହାଁଣିରେ କହିଲା – ବେଳ ଉଛୁର ହେଉଛି, ଗୋଟେ ମିନିଟ ବି ଠିଆ ହେଇପାରିବିନି l
ଏତକ କହି ପୁଣି ଆଗକୁ ଚାଲୁଥାଏ ଓ କହୁଥାଏ – ଶଃ….ୟାକୁ ଦୁଣ୍ଡୁରି ଦେଖାଇବି ?
କିନ୍ତୁ ଲୋକଟା ନଛୋଡ଼ାବନ୍ଧା l ସେ ତୀବ୍ର ବେଗରେ ତା ପଛେ ପଛେ ଦୌଡ଼ି କହୁଥିଲା – ମୋ ବାପାଟା ପରା,ଦେଇ ଦେ ଲୋ ମୋତେ ସବୁତକ ମାଛ, କେତେ ଟଙ୍କା କହ ମୁଁ ଦେବି l
ନୁକା ଚାଲୁ ଚାଲୁ ଥମିଗଲା l ମନେ ମନେ ଭାବିଲା – ହଁ ତ ବେପାରୀ ପାଖକୁ ଯାଇ ମାଛତକ ବିକି ଟଙ୍କା ଆଣିଲେ ଡେରି ହେବ, ୟାକୁ ଦେଇ ଦେଲେ,ବାସେଳୀ ପୂଜା ସାରି ମେଳଣ ପଡିଆରେ ଠିକ ସମୟରେ ପହଂଚିପାରିବି l
ଦେଖିଲା ଲୋକଟା ତା ଆଗରେ ଠିଆ ହେଇ ତାର ଦୁଣ୍ଡୁରିକୁ ଟାଣି କହୁଛି – ଏ.. ବାପା….ଏ….ବାପା କେତେ ଟଙ୍କା କହ ?
ଟିକେ ବିରକ୍ତି ଗଳାରେ ଉଖୁରେଇ ନୁକା କହିଲା – ହଇଓ ବାବୁ ଏମିତି ଟଣା ଓଟରା କାହିଁକି କରୁଛ, ଟିକେ ସବୁର କର l ହଉହେଲା,ମୋତେ ଟଙ୍କା ପଚାଶ ଦିଅ l
ଚିଲ ଯେମିତି ଜାଲରେ ପଡ଼ିଥିବା ଗୋଟିଏ ମାଛକୁ ଝାମ୍ପି ନେଇ ଆକାଶକୁ ଉଡ଼ିଯାଏ ସେମିତି ନୁକା ହାତରୁ ଦୁଣ୍ଡୁରିଟାକୁ ଛଡାଇ ନେଇ ଖୁବ ଜୋରରେ ପଛକୁ ଦୌଡ଼ିଲା ଲୋକଟା l ବିଚରା ନୁକା ରାଗରେ ତମ ତମ ହେଇ ତା ପଛେ ପଛେ କିଛି ବାଟ ଦୌଡ଼ିଲା କିନ୍ତୁ ଦେଖିଲା ଯେ ଲୋକଟା ଆଉ ଦେଖାଯାଉନି l ସତେ କି ଲୋକଟା କେଉଁଠି ଅଦୃଶ୍ୟ ହେଇଗଲା !!!
ଏଭଳି ଅଦ୍ଭୁତ କାଣ୍ଡ ନିଜ ମାଛ – ଧରା ଜୀବନ ବୃତ୍ତିରେ କେବେ ଦେଖିନଥିଲା l କିନ୍ତୁ ଭାବୁଥିଲା ଯେ ସେଇ ଲୋକଟା ଇଟାଗଡି ଗାଁର ବାସୁ ପଧାନର ଭାଇ କୁମୁଦ ଭଳି ଦେଖାଯାଉଛି l ସେଇ ହେଇଥିବ ତ ? ସେ ତ ଏଇନା କଲେଜର ପ୍ରଫେସର l ଏମିତିକା ଛୋଟ କାମ କେମିତି ସେ କରିବ ? ତଥାପି କାଲି ସକାଳୁ ଯିବି ତା ପାଖକୁ l ମୋ ଝାଳବୁହା ଟଙ୍କା କେବେ ବୁଡିବନି l
ଘରେ ପହଂଚି ଦେଖେ ତ ତାର ବୁଢ଼ୀ କେଉଟ ଝିଅ ଅପେକ୍ଷା କରି ବସିଛି l ବୁଢାର ଶୁଖିଲା ଶୁଖିଲା ଓ ଅବଶ ମୁହଁ ଦେଖି ଠଉରେଇ ନେଲା ଯେ ଆଜି ବୋଧେ ମାଛ ବୁଢା ଜାଲରେ ପଡିନି l ଯେହେତୁ ବେଳ ଗଡି ଗଲାଣି ସେ ମାଛଫାଚ କଥା ନ ପଚାରି କହିଲା – ଝଅଟ ଯାଅ, ଗାଧେଇ ଆସ,ମା ବାସେଳୀଙ୍କ ପୂଜା ସାରିଦିଅ, ତାପରେ ଯଉଁ କଥା l
ନୁକା ଗାଡ଼ିଆକୁ ଚାଲିଗଲା ତର ତର ପାଦରେ ଗାଧେଇବାକୁ l ଇଆଡ଼େ କେଉଟ ଝିଅ ସୁନ୍ଦୁରା-ମା ଗୋଟିଏ ଡାଲାରେ ତ୍ରିଶାଖା ବେଲପତ୍ର ଓ ନାଲି ଟହ ଟହ ମନ୍ଦାରଫୁଲ ଯତ୍ନରେ ରଖିଲା l ଉଖୁଡା କଦଳୀ ଗୋଟିଏ ପଥୁରି ବାଟିରେ ରଖି ଅପେକ୍ଷା କଲା ନିଜ ଗେରସ୍ତ୍ରର ଫେରିବା ବାଟକୁ l
ନୁକା ଗାଧେଇ ବାସେଳୀଙ୍କ ପୂଜା ଵିଧି ମୁତାବକ କଲା ସତ କିନ୍ତୁ ମନଟା ସେଇ ଅପରିଚିତ ଲୋକଟାର ଦୁଣ୍ଡୁରି ଝାମ୍ପି ନେବାର କାଣ୍ଡ ଆଡକୁ ଖାଲି ଧାଉଁଥିଲା l ମନରେ ବାରମ୍ବାର ଗୁଡେଇ ତୁଡ଼େଇ ହେଇ ପ୍ରଶ୍ନ ଜାଲ ଭିତରେ ଛନ୍ଦି ହେଉଥିଲା l ଇୟେ କଣ ସେଇ ଭୁତ ଯିଏ ମୋତେ ରାତି ଅଧରେ ଥରେ ଘରୁ ଡାକି ନେଇଥିଲା ?
ଯେତେହେଲେ ସେ ଖୋଦ କୈବର୍ତ୍ତ ଦାସ-ରାଜାଙ୍କର ବଂଶଜ,ସେଥିପାଇଁ ପ୍ରତିବର୍ଷ ଚୈତ ମାସରେ ବାସେଳୀ ଓ ଘୋଡ଼ାମୁଣ୍ଡ ପୂଜା କରି ପାରମ୍ପରିକ ଘୋଡା ନାଚ ଆରମ୍ଭ କରିଥାଏ l ନୁକାର ଏମନ୍ତ ସମୟରେ ମନେପଡ଼ିଗଲା ଭୂତ ସହିତ ସାମ୍ନା ସାମନି ହେବାର ଅତୀତର ଏକ ଘଟଣା l
ହଁ ପରା ଖରାଦିନେ ଶୁଖିଲା ନାଳିଆ ନଈର ଗୋଟିଏ ଗଣ୍ଡ ପ୍ରାୟେ କେବେ ଶୁଖେନି l କିନ୍ତୁ ତେରସ୍ତା ବର୍ଷ ଗଣ୍ଡଟି ଅଧା ଶୁଖିଗଲାରୁ ନୁକା ମାଝୀ ଗୋଟିଏ ଯନ୍ତ ସାହାଯ୍ୟରେ ପାଣି ବୋହିବାକୁ ଆରମ୍ଭ କରିଥିଲା l କିନ୍ତୁ ପାଣି ଅଳ୍ପ ରହିଥିବା ବେଳେ ସନ୍ଧ୍ୟା ହେଇଗଲା l ସେ ଘରକୁ ପଳାଇ ଆସିଲା ଏବଂ ସାଙ୍ଗ ବାଞ୍ଛାକୁ କହିଲା – ଆରେ ଭାଇ, ଗଣ୍ଡରେ ପ୍ରବଳ ମାଛ ଅଛି l କାଲି ରାତି ପାହିବା ପୂର୍ବରୁ ଆମ ଘରକୁ ଆସିବୁ, ଆମେ ଦୁହେଁ ରାତିରୁ ଯନ୍ତରେ ଯାଇ ପାଣି ବୋହିବା ଆରମ୍ଭ କରିବା l ଯାହା ମାଛ ଧରିବା ତୋର ଅଧେ ମୋର ଅଧେ l ବାଞ୍ଛା ରାଜି ହେଲା l
ନୁକା ଘରେ ଶୋଇଲା କିନ୍ତୁ ନିଦ ବାରମ୍ବାର ଭାଙ୍ଗୁଥିଲା l ବାହାରେ ଖଡ଼ ଖଡ଼ ଆୱାଜ ହେଲେ ସେ ଭାବେ ବାଞ୍ଛା ଆସିଲା କି ? ହଠାତ ଘର କବାଟ କିଏ ଖଟ ଖଟ କଲା ଭଳି ଶୁଭିଲା, ସେ ଝଅଟ ଯାଇ କବାଟ ଖୋଲିଦେଲା l ଦେଖିଲା ଜଣେ ଲୋକ ନଡ଼ିଆ ଗଛ ମୂଳରେ ଠିଆ ହେଇଛି l ମନେ ମନେ ଭାବିନେଲା ଯେ ବାଞ୍ଛା ବୋଧେ ଠିଆ ହେଇଛି l ସେ କହିଲା – ଭାଇ ଟିକେ ରହ ମୁଁ ସଜବାଜ ଧରି ଆସୁଛି l
କାନ୍ଧରେ ଖଇଁଚି, ମୁଗୁରା ଓ ଦୁଣ୍ଡୁରି କାନ୍ଧରେ ଝୁଲାଇ ଘରୁ ବାହାରି ଆସି ସେଇ ଲୋକଟା ପଛେ ପଛେ ଚାଲିଲା ନୁକା l
ଘନ ଅନ୍ଧକାର ଭିତରେ ସେ ଦେଖୁଥିଲା ତାର ଆଗେ ଆଗେ ଚାଲିଛି ଲୋକଟା ଯାହାକୁ ସେ ତାର ସାଙ୍ଗ ବାଞ୍ଛା ବୋଲି ଭାବିଛି l ନୁକା କହୁଥିଲା – ଆରେ ବାଞ୍ଛା, ବର୍ତମାନ ବୋଧେ ରାତି ପାହିବାକୁ ଅନେକ ବେଳ ବାକି ଅଛି l ନୁହେଁ କି ?
ଆଗେ ଆଗେ ଚାଲୁଥିବା ଲୋକଟା କହୁଥିଲା “ହୁଁ ” l
ଲଣ୍ଠନ ଆଣିଛି, ନଈ କୂଳରେ ପହଂଚିବା ପରେ ଜଳାଇବା l
ଲୋକଟା କହୁଥିଲା – ହୁଁ l
ନୁକା ଯାହା ପଚାରୁଥିଲା ଲୋକଟା କେବଳ ହୁଁ ଛଡା କିଛି କହୁନଥିଲା l
ନଈ ପାଖରେ ପହଂଚିବା କ୍ଷଣି ସେ ଦେଖିଲା ଯେ ଲୋକଟା ଅନ୍ତର୍ଦ୍ଧାନ ହେଇ ଯାଇଛି l ଚାରିଆଡକୁ ଚାହି ବଡ଼ ପାଟିରେ ବାଞ୍ଛା ବାଞ୍ଛା ଡାକିଲା l କେହି ଶୁଣିଲେ ନାହିଁ l କେବଳ ଅନ୍ଧାର ହିଁ ଅନ୍ଧାର l କିନ୍ତୁ ନଈ କୂଳ ଗଛର ପତ୍ର ସାଇଁ ସାଇଁ ହଲୁଥିଲା ଯେମିତି ପ୍ରବଳ ପବନରେ ଦୋହଲେ l କିନ୍ତୁ ବିଲକୁଲ ପବନ ନ ଥିଲା l
ଭାରୀ ସାହସୀ ନୁକା l ଭୂତ ପ୍ରେତ ପ୍ରତି ତିଳେ ବିଶ୍ୱାସ ନାହିଁ l ସେ ଲଣ୍ଠନ ଜଳାଇଲା l ଲଣ୍ଠନ ଆଲୁଅରେ ଚାରିଆଡକୁ ଚାହିଁଲା l କେହି ନାହିଁ l ଅଶରୀରି ଭୂତକୁ ବହେ ଗାଳିଦେଇ କହିଲା – ମୁଁ ପରା ଦାସ ରଜା କୈବର୍ତ୍ତ ଘରର ପିଲା l ଦରିଆ ପାରି ହେଇ ମୋର ପୂର୍ବଜମାନେ ସାଧବଙ୍କ ବୋଇତ ବାହି କେତେ ଦେଶକୁ ଯାଉଥିଲେ l ମୁଁ ପରା ଦିନେ ସମୁଦ୍ରର ଉତ୍ତାଳ ତରଙ୍ଗକୁ ଖାତିର ନ କରି ମୋ ହୁଲି ଡଙ୍ଗାରେ କେତେ ଇଲିସି ବୋହି ଆଣୁଥିଲି ଚାନ୍ଦବାଲି ହାଟକୁ l ତୁ ମୋତେ ଡ଼ରଉଛୁ ଶଳା l
ଏତିକିବେଳେ ବାଞ୍ଛା ପହଂଚି କହିଲା – ଆରେ ନୁକା ଭାଇ , ତୁ କେତେବେଳେ ପଳାଇ ଆସିଲୁ ? ନୁକା ସମସ୍ତ ଘଟଣା କହିସାରିବା ପରେ ଦୁହେଁ ଯନ୍ତରେ ପାଣି ବୋହି ଗଣ୍ଡକୁ ଶୁଖାଇଲେ l ସକାଳୁ ସକାଳୁ ବେଶ ପର୍ଯ୍ୟାପ୍ତ ମାଛ ଧରି ଘରକୁ ଚାଲି ଆସିଥିଲେ କିନ୍ତୁ ରାତିର ଭୌତିକ କାଣ୍ଡଟି ଅଡୁଆ ସୂତା ଭଳି ସବୁଦିନ ଅସମାଧିତ ହେଇ ରହିଗଲା ତା ମନରେ l
ନୁକା ବାସେଳୀ ପୂଜା ସାରି , ସାମାନ୍ୟ ବିଶ୍ରାମ ନେଇ, ଠିକ ସନ୍ଧ୍ୟା ବେଳେ ମେଲଣ ପଡିଆରେ ହାଜର ହେଲା l ସେ ଦିନ ସମୁଦାୟ ଦଶଟି ଘୋଡା ଚଇତି ମେଲଣରେ ଭାଗ ନେଇଥିଲେ l ନୁକା ନିଜର ବାଉଁଶ ପାତିଆରେ ତିଆରି ଛାଞ୍ଚରେ ଘୋଡାମୁଣ୍ଡକୁ ଅତି ସୁନ୍ଦର ଭାବରେ ଖଞ୍ଜିଥିଲା l ଘୋଡା ନାଚ ଆରମ୍ଭ ହେଲା l ଢୋଲ ଓ ମହୁରୀ ବାଜିଲା l ନୁକାର ଚଇତି ଘୋଡା ବି ନାଚିଲା l ଏଥର ଉନ୍ମାଦନା ଭରା ନୁକାର ନାଚ ଦେଖି ସମସ୍ତ ଦେଖଣାହାରୀ ବିସ୍ମିତ l ସତେକି ବୁଢା- ନୁକା ପୁଣି ଥରେ ଟୋକା ହେଇଯାଇଛି ? ଆଜି ସୁନ୍ଦୁରାଟା ମୋ ପାଖରେ ଥିଲେ ଚଇତି ଘୋଡାନାଚ ଗୀତଟା ବଢିଆ ଗାଇଥାନ୍ତା l ଏମିତି ଭାବୁ ଭାବୁ ତା ଆଖି ଇୟା ଭିତରେ ଛଳ ଛଳ ହେଇଗଲା l
ଯାହାହେଉ ସେ ଦିନ ଘୋଡା ନାଚ ମେଲଣରେ ନୁକାର ଘୋଡାନାଚ ଫାଷ୍ଟ ପ୍ରାଇଜ ପାଇଲା ଏବଂ ପୁରସ୍କାର ବାବଦରେ ମିଳିଲା ହଜାରେ ଟଙ୍କା ନଗଦ l
ମେଲଣ ପଡିଆରୁ ବିଦା ହେବାବେଳକୁ ରାତି ପ୍ରାୟ ବାରଟା l କିନ୍ତୁ ନାଳିଆ ନଈ କୂଳରେ ପହଂଚିଲାବେଳକୁ ହଠାତ ମାଛ ଭଜା ବାସ୍ନାରେ ଖଣ୍ଡ ମଣ୍ଡଳ ମହକିତ ହେଉଛି l ଦେଖିଲା ଯେ ଜଣେ ଲୋକ ବଡ଼ କରେଇରେ ମାଛ ଭାଜୁଛି ଗଛ ମୂଳରେ ବସି l ଚୁଲିରେ ନିଆଁ ଦାଉ ଦାଉ ଜଳୁଛି l
ଏତେ ରାତି ପୁଣି ନିଛାଟିଆ ଜାଗା l ଏମିତି ଜାଗାରେ ମାଛ ଭଜା ? ଶଃ…..
ନୁକା ଛାତିରେ ଛନକା ପଶିଲା l ଛାତି ଭିତରଟା ଚଢେଇର ଡେଣା ଝଡ଼ା ଶବ୍ଦରେ ଶିହରି ଉଠୁଥିଲା l ଶଳା ସେଇ ଭୁତଟା ପୁଣି ତାର ଭୌତିକ କାଣ୍ଡ ବୋଧେ ଆରମ୍ଭ କରି ଦେଇଛି l ମୋ କାନ୍ଧରେ ତ ମା ବାସେଳୀଙ୍କର ଘୋଡାମୁଣ୍ଡ ରହିଛି l ଶଳା ମୋର ବାଳ ବଙ୍କା କରିପାରିବନି l
ଛାତିରେ ଅଜସ୍ର ସାହସ ଗଜୁରି ଉଠିଲା l ଅତି ପାଖେଇ ଆସିବାରୁ ପୁଣି ଦେଖିଲା ଯେ ମାଛ ଭାଜୁଥିବା ଲୋକଟାର ମୁଣ୍ଡ ନାହିଁ ଅଥଚ ତାର ହାତ ଦୁଇଟା କେବଳ ମାଛ ଭାଜୁଛି l ବାପରେ ବାପ ଇଏ କି ପ୍ରକାର ବିକୃତ ଦୃଶ୍ୟ ?
ଖୁବ ଚିତ୍କାର କରି ମା ବାସେଳୀଙ୍କୁ ଡାକ ଛାଡିଲା l ତାପରେ ସବୁ ଅନ୍ଧାର l ନା ଲୋକଟା ଅଛି ନା ଚୁଲି ଜଳୁଛି l
ସକାଳୁ ସକାଳୁ ଗାଁ ଲୋକେ ଦେଖନ୍ତି ଯେ ନୁକାମାଝୀ ରକ୍ତବାନ୍ତି କରି ବେହୋସ ହେଇ ନଈ କୂଳର ଗଛ ମୂଳରେ ପଡିଛି l ଘୋଡ଼ାମୁଣ୍ଡଟା ଛିଟିକି ଯାଇ ନଈ ମଝିରେ ଗୋଟିଏ ଲତାରେ ଲାଖି ଭାସୁଛି, ବାଉଁଶ ପାତିଆର ଘୋଡା ଛାଞ୍ଚଟା ଗଛ ଡାଳରେ ଝୁଲୁଛି l ଗଛ ମୂଳରେ ସକାଳେ ଧରିଥିବା ଦୁଣ୍ଡୁରି ଭର୍ତ୍ତି ମାଛଗୁଡାକ ପଚି ସଢ଼ି ଗନ୍ଧଉଛି, ଆଇଁଶିଆ ଗନ୍ଧରେ ନାକ ଫାଟି ପଡୁଛି l
ଲୋକେ ତା ମୁହଁରେ ପାଣି ଛାଟୁ ଥିବା ବେଳେ ନୁକା ଅସ୍ପଷ୍ଟ ସ୍ୱରରେ କହୁଥିଲା – ” ବାପା ଲୋ ହୁଲି ଡ଼ଙ୍ଗାରୁ ଖସିପଡି ପ୍ରବଳ ସୁଅରେ ଭାସି ଯାଉଥିବାବେଳେ ସେ ଦିନ ମୁଁ ପ୍ରାଣ ବଞ୍ଚାଇବା ପାଇଁ କୂଳ ଆଡଜୁ ପହଁରି ପହଁରି ଅତି କଷ୍ଟରେ ଆସୁଥିଲି l ଭାବିଥିଲି ନିଶ୍ଚୟ କୂଳରେ ପହଂଚିବି ବୋଲି l କିନ୍ତୁ ହାରିଗଲି ହୋ,ତୁମେ ମୋତେ ବଞ୍ଚାଇ ପାରିନଥିଲ” l
ନୁକା ଉଠି ବସିଲା l ସେ ଏବେ ସୁସ୍ଥ l ଆଉ ପ୍ରଳାପ ନାହିଁ l କେବଳ ସେ ଏତିକି କହିଲା – କିଟିମିଟି ଅନ୍ଧାର ଭିତରେ ମୁଁ ସେଇ ଶଳା ଭୂତଟାକୁ ଘୋଡାମୁଣ୍ଡରେ ପାହାର ଦେବାକୁ ଉଦ୍ୟତ ହେଉଥିବା ସମୟରେ ଏଇ ଗଛରେ ଏମିତି ଭୟଙ୍କର ଭାବେ ମୋ ମୁଣ୍ଡଟା ପିଟି ହେଇଗଲା ଯେ ମୁଁ ଅନ୍ଧାର ଭିତରେ ହଜିଗଲି l ତାପରେ କଣ ହେଲା ମୋତେ ଜଣା ନାହିଁ l
“ବୁଝିଲ ନୁକା ମଉସା ,ଯେଉଁ ଅଶରୀରୀ ଭୂତଟା ତୁମକୁ କାଲି ନଈରେ ମାଛ ଧରିବା ଠାରୁ ମାଡି ବସିଥିଲାନା, ସେଟା ତୁମ ଦେହରୁ ବାହାରିଗଲା, ଆଉ ଏଇ ଇଲାକାରେ କେବେ ଦେଖା ଦେବନି କି ତୁମ ପାଖକୁ ଆସିବନି l ସେ କିଏ ତୁମେ ଜାଣିଛ ? ବାସୁ ପଧାନର ସାନ ଭାଇ କଲେଜର ମନୋବିଜ୍ଞାନୀ ପ୍ରଫେସର କୁମୁଦ ମୁରୁକି ମୁରୁକି ହସି କହିଲେ l
ନୁକା ଡିମା ଡିମା ଆଖିରେ ପଚାରିଲା – ସେ କିଏ ?
କିଏ ଆଉ ହେବ ? ତୁମର ଏକୋଇବଳା ପୁଅ ସୁନ୍ଦୁରା ପରା, ଯିଏ ତୁମ ଡ଼ଙ୍ଗାରୁ ଖସି ପଡି ଏଇ ଦୁଇ ବର୍ଷ ତଳେ ନାଳିଆ ନଈର ଶ୍ରାବଣ ମାସର ପ୍ରବଳ ସୁଅରେ ଭାସି ଯାଇ ନିଖୋଜ ହେଇଥିଲା l ସେଇ ଦିନଠୁଁ ତାକୁ ତୁମେ ଆଜି ଯାଏଁ ଝୁରି ଝୁରି ଅନେକ ସମୟରେ କାନ୍ଦୁ ନାହଁ କି ?
ନୁକା ଭୋ ଭୋ କାନ୍ଦି ଉଠିଲା l ତା ମୁହଁରୁ ଶବ୍ଦଟିଏ ବାହାରିଲାନି ବରଂ ଆଁ କରି କେବଳ ପ୍ରଫେସର କୁମୁଦକୁ ଅନେଇଲା l
ବୁଝିଲ ମଉସା, କୌଣସି ଭୂତଫୁତ ବାହାରୁ ତୁମକୁ ଡରାଉ ନ ଥିଲେ, ବରଂ ତୁମ ମନ ଭିତରେ ବସା ବାନ୍ଧି ରହିଥିବା ପୁଅକୁ ହରାଇବାର ଦୁଃଖଟି ପ୍ରତି ମୁହୂର୍ତ୍ତରେ ତୁମକୁ କଲବଲ କରୁଥିଲା l ସାବଧାନ ମଉସା,ଖୁବ ସଚେତନ ହୁଅ,ଦେଖିବ ଆଉ ଭୂତ ପ୍ରେତର ଭ୍ରମ ତୁମ ପାଖ ମାଡ଼ିବନି l
———-000000——–
© ମନୋଜ କୁମାର ମହାପାତ୍ର..