ମନୋଜଙ୍କ ମହାଯାତ୍ରା…

0


ପୁଡୁଚେରୀ ସମୁଦ୍ରକୂଳର କାଲାପେଟ୍
ଶ୍ମଶାନଘାଟରେ ରାଷ୍ଟ୍ରୀୟ ମର୍ଯାଦା ସହ
ଶେଷକୃତ୍ଯ…….

•🌹🌹••••••••••••••••••••••••••••••
ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ
ବାରି ବାରି ପାଦଚିହ୍ନ, ଏ ବିସ୍ମୃତ ତିମିର-ଶିବିରେ
ବେନିକରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା ସଦନେ….”
।।••••••••••••••••••••••••🌹🌹•••
ଭାରତୀୟ କଥା ସାହିତ୍ୟର ଯଶସ୍ୱୀ ଓ ଶିଖର ବ୍ୟକ୍ତିତ୍ୱ ମନୋଜ ଦାସଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି ଶ୍ରୀଅରବିନ୍ଦଙ୍କ ପବିତ୍ର ଆଶ୍ରମ ଅଂଗନରୁ । ମଙ୍ଗଳବାର ଆଶ୍ରମ ପରିସରସ୍ଥିତ ନର୍ସିଂହୋମରେ ରାତି ପ୍ରାୟ ଆଠଟା ସମୟରେ ପରଲୋକ ଗମନ କରିଥିଲେ ଏହି ମହାନ ମଣିଷ ।


ମରଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଥିଲା ଏବଂ ଜଣକ ପରେ ଜଣେ ଅନ୍ତେବାସୀମାନେ ଆସି ଡ୍ରଇଁରୁମ୍ ପାଖରେ- ତାଙ୍କ ପ୍ରିୟ ସାଥୀ ଓ ବଂଧୁଙ୍କର ଶେଷ ଦର୍ଶନ କରିଥିଲେ । ୧୯୬୩ ମସିହାରୁ ଏହି ମହାନ ମଣିଷ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଓ ଚିନ୍ତନରେ ପ୍ରଭାବିତ ହୋଇ ସେଠାରେ ଆଧ୍ୟାତ୍ମିକ ଜୀବନ ଅତିବାହିତ କରୁଥିଲେ ।
ବିଗତ ଦଶଦିନଧରି ତାଙ୍କ ସ୍ୱାସ୍ଥ୍ୟରେ ବହୁତ ଅବନତି ଦେଖାଦେଇଥିଲା ଏବଂ ପୂର୍ବରୁ ସେ ଶଯ୍ୟାରୁ ଉଠି ନିଜ ହାତରେ ଖାଉଥିଲେ ହେଁ ତାହା ବି ସଂଭବ ହେଉନଥିଲା । ଆଗରୁ ସେ ଅସୁସ୍ଥତା ସହିତ କଠିନ ଖାଦ୍ୟ ଖାଉଥିଲେ ବି ଏବେ କେବଳ ଗ୍ରାଇଣ୍ଡିଂ କରି ତାଙ୍କୁ ତରଳ ଖାଦ୍ୟ ଦିଆଯାଉଥିଲା ।। ତାଙ୍କ ଶରୀର ଅତି ଦୁର୍ବଳ ହୋଇଯାଇଥିଲା । ଗତ ସୋମବାର ଠାରୁ ତାଙ୍କର ସ୍ୱାଭାବିକ କ୍ରିୟା ଅଚଳ ହେବାକୁ ଆରମ୍ଭ କରିଥିଲା ।
ଆଜି ( ୨୮ ଏପ୍ରିଲ ୨୦୨୧ ) ଅପରାହ୍ନ ପ୍ରାୟ ୪ ଟା ବେଳକୁ ପୁଡୁଚେରୀମାଟିରେ ଉତ୍କଳ ଜନନୀର ଏହି ମହାନ ସରସ୍ବତୀ ସୂତଙ୍କ ଶେଷକୃତ୍ଯ ସମାପନ ହେଉଛି । ରାଷ୍ଟ୍ରୀୟ ମର୍ଯାଦା ସହିତ ଏହି ଅସାମାନ୍ଯ ଓ ଅସାଧାରଣ ଓଡିଆ ପୁଅଙ୍କ ଶେଷକୃତ୍ଯ ସଂପନ୍ନ କରିବା ପାଇଁ ଓଡିଶା ସରକାର ଗତକାଲି ଅନୁରୋଧ କରିଥିଲେ । ବର୍ତ୍ତମାନ ପୁଡୁଚେରୀରେ କରୋନା ପ୍ରକୋପ ବଢିଯାଇଥିବାରୁ ଶେଷକୃତ୍ଯ ସଂପନ୍ନ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ।
ଶ୍ରୀ ଅରବିନ୍ଦ ଆଶ୍ରମଠାରୁ କିଛିଦୂରରେ ଇଷ୍ଟକୋଷ୍ଟ ରୋଡ୍- ସମୁଦ୍ରକୂଳର କାଲାପେଟ୍ ଶ୍ମଶାନ ଘାଟରେ ଏହି ପବିତ୍ର ଆତ୍ମାଙ୍କର ସତ୍କାର କରାଯାଉଛି । ଆଶ୍ରମର ରୀତିନୀତି ଅନୁଯାୟୀ ଅତ୍ୟନ୍ତ ପବିତ୍ର ଭାବରେ ଶେଷକୃତ୍ଯ ସଂପନ୍ନ ହେବ । ଦିବ୍ୟାତ୍ମା ଙ୍କ ଶରୀରରେ ଚନ୍ଦନ, ଘୃତ ଓ ତିଲକ ମାଟିର ଲେପନ ସହିତ ଦାହକର୍ମ କରାଯିବ । କାଲାପେଟ୍ ଶ୍ମଶାନରେ ଆଶ୍ରମବାସୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ସ୍ଥାନରେ ଫୁଲ, କର୍ପୂର, ଝୁଣା, ଅଗରୁ ଭଳି ସୁଗନ୍ଧିତ ଦ୍ରବ୍ୟ ଦିଆଯାଇ ଚନ୍ଦନ କାଠ ଓ କେବଳ ଘଷି ସାହାଯ୍ୟରେ ଏହି ଦାହସଂସ୍କାର କ୍ରିୟା କରାଯିବ ।
ଦିବଂଗତ ମନୋଜଙ୍କ ପରିବାରର ସାନଭାଇ ସନତ ଦାସ ( ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶଂଖାରୀ ଗାଁର ବଳରାମ ଦାସଙ୍କ ପୁତ୍ର ) ମୁଖାଗ୍ନି ଦେଇଥିବା ଜଣାପଡିଛି ।

କୋଭିଡ କଟକଣା ପାଇଁ ଶ୍ମଶାନ ପରିସରରେ ମାତ୍ର ଛଅ ଜଣ ରହିବେ ଏବଂ ଶ୍ମଶାନ ବାହାରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହ ଅନ୍ୟ ୨୫ ଜଣ ରହିବେ ବୋଲି ପୁଡୁଚେରୀ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।।
ଓଡିଶା ସାରସ୍ୱତ ଜଗତର ଏହି ଅନନ୍ୟ ପ୍ରଜ୍ଞାପୁରୁଷଙ୍କୁ
ହୃଦୟର ଶ୍ରଦ୍ଧାଞ୍ଜଳି ।।⚘🙏🙏⚘ ।।
@ subhendu Kumar bhuyan

Leave A Reply

Your email address will not be published.