ମକର ସଂକ୍ରାନ୍ତି, ଶନି ପୂଜା ଓ ରାଶି ଅର୍ପଣ
- *********************************
- ମକର ସଂକ୍ରାନ୍ତି
TATKAL ODISHA// ଐତିହ୍ୟ ଖୋଜ// - ବୀଣାପାଣି ତ୍ରିପାଠୀ
- *********************************
ପବିତ୍ର ମକର ସଂକ୍ରାନ୍ତି । ସନାତନ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଭାରତର ସବୁକୋଣରେ ଏହି ପର୍ବ ପାଳନ ହୁଏ । ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ନେଇ ମକର ସଂକ୍ରାନ୍ତିର ତାତ୍ପର୍ଯ୍ୟ ରହିଛି I
ସୂର୍ଯ୍ୟ ହେଉଛନ୍ତି ଆମର ମିତ୍ର ଦେବତା ଯାହାକୁ ଆମେ ପ୍ରତ୍ୟକ୍ଷ ଦର୍ଶନ କରିଥାଉ ।
ସୃଷ୍ଟି, ସ୍ଥିତି ପ୍ରଳୟ ଭାବେ ସୂର୍ଯ୍ୟଙ୍କୁ ତ୍ରିଶକ୍ତିର ଧାରକ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଭାବେ ମଧ୍ୟ ଗ୍ରହଣ କରାଯାଇଛି । ସେଥିପାଇଁ କୁହାଯାଇଛି..
ଉଦୟଂ ବ୍ରହ୍ମା ରୂପେଣ, ମଧ୍ୟାହ୍ନେ ତ୍ବଂ ମହେଶ୍ବରମ୍।
ଅସ୍ତମାନେ ସ୍ବୟଂ ବିଷ୍ଣୁ ତ୍ରିମୂର୍ତ୍ତି ଚ଼ ଦିବାକର।।
ଉଦୟକାଳରେ ସ୍ବୟଂ ବ୍ରହ୍ମାଙ୍କୁ ସୃଷ୍ଟିର ସ୍ରଷ୍ଟାଭାବେ ଗ୍ରହଣ କରାଯାଇଛି। ମଧ୍ୟାହ୍ନ ସମୟରେ ମହେଶ୍ବର ଯିଏକି ସ୍ବୟଂ ରୁଦ୍ରରୂପି ଶିବଶମ୍ଭୁ ଶଙ୍କର ଭାବେ, ଅସ୍ତ ସମୟରେ ସ୍ବୟଂ ଶ୍ରୀମନ୍ ନାରାୟଣ ଭାବେ ଯାହାଙ୍କୁ ଗ୍ରହଣ କରାଯାଇଛି । ତ୍ରିଗୁଣ ତ୍ରିରଜ୍ଜୁ ଧାରକ ଏବଂ ସୃଷ୍ଟି, ସ୍ଥିତି ପ୍ରଳୟର ସମାହାର ଭାବେ ସ୍ବର୍ଯ୍ୟନାରାୟଣ ତଥା ଭାସ୍କର ହେଉଛନ୍ତି ସନାତନ ହିନ୍ଦୁ ଧର୍ମ ଅନୁଯାୟୀ ସକଳ ଶକ୍ତିର ଆଧାର।
ହିନ୍ଦୁ ଧର୍ମାନୁସାରେ ଯଦି କେବଳ ସୂର୍ଯ୍ୟନାରାୟଣଙ୍କୁ ପ୍ରାତଃ ସମୟରେ ସ୍ନାନକରି ଜଳ ଅର୍ପଣ କରାଯାଏ, ତେବେ ଦେବାର୍ଚ୍ଚନା ବିଧି ସମ୍ପନ୍ନ ହୋଇଥାଏ। ଏହିଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଆସିଥାନ୍ତି। ଆଗାମୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରିଥାନ୍ତି ।
ଓଡ଼ିଆରେ ଢଗ ଅଛି, ମକର ବକର । ଅର୍ଥାତ୍ ଏହି ଦିନଠୁ ଦିନ ବଡ଼ ଓ ରାତି ଛୋଟ ହୁଏ । କାରଣ ସୂର୍ଯ୍ୟଙ୍କ ଗତି ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତର ଗୋଲାର୍ଦ୍ଧକୁ ହୋଇଥାଏ। ଯାହାକୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ବୋଲି ମଧ୍ୟ କୁହାଯାଏ।
ବିଶ୍ବାସ ରହିଛି, ଯେତେବେଳେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୁଏ, ସେତେବେଳେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଏ । ଗୃହ ପ୍ରତିଷ୍ଠାଠାରୁ ଆରମ୍ଭ କରି ବିବାହ, ବ୍ରତ ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଯାଏ । ଏହି ଛଅ ମାସ ଧରି ସମସ୍ତ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଟିତ ହୁଏ ।
ଆହୁରି ମଧ୍ୟ ବିଶ୍ବାସ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଯଦି କେହି ମୃତ୍ୟୁବରଣ କରେ ତାହେଲେ ସେ ମୋକ୍ଷପ୍ରାନ୍ତ ହୋଇଥାଏ । ତେଣୁ ଏହିଦିନ ସ୍ନାନ, ଦାନ, ଯପ ଓ ତପ ଯାହାକିଛି କରାଯାଏ, ତାହା ଶୁଭଫଳ ପ୍ରଦାନ କରିଥାଏ ।
ଓଡ଼ିଶାରେ ଏହାକୁ ମକର ସଂକ୍ରାନ୍ତି, ଉତ୍ତରଭାରତରେ ଲୋହରୀ ବା ଲାକ୍ରୀ ଭାବରେ ପରିଚିତ । ଏହିଦିନ ଉତ୍ତରଭାରତରେ ମାଘମେଳା ଅନୁଷ୍ଠିତ ହେବା ସହ ଭାରତର ବିଭିନ୍ନ ସ୍ଥାନରେ ବିବିଧ ଭକ୍ତି ପ୍ରକାରେ ଏହି ପର୍ବ ପାଳିତ ହୁଏ । ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ଧୂମଧାମରେ ପାଳନ କରନ୍ତି।
ଓଡ଼ିଶାର ପ୍ରତ୍ୟେକ ହିନ୍ଦୁ ଘରେ ପାଳିତ ହୁଏ, ଏହି ପର୍ବ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବାର ମାସରେ ତେର ଯାତ । କୋଟି କୋଟି ଓଡ଼ିଆ ପ୍ରାଣର ଦେବତା ଏବଂ ଯାହାଙ୍କଠାରେ ସମସ୍ତ ଜାତି, ଧର୍ମବର୍ଣ୍ଣ ଏକାକାର ହୋଇଯାଇଛି । ଯାହାର ମହିମା ବିଶ୍ବଶାନ୍ତି, ମୈତ୍ରୀ ଭାତୃତ୍ବବାଦର ଅମୃତ ଧାରା ପ୍ରଦାନ କରେ । ସେହି ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ବରେ ନିଜର ଧ୍ବଜା ଉଡାଇଚାଲିଛି । ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଉତ୍ତରାୟଣ ବନ୍ଦାପନା ଅନୁଷ୍ଠିତ ହୋଇଥାଏ । ଯେଉଁଥିପାଇଁ ଏହାର ଅନ୍ୟନାମ ମଧ୍ୟ ଉତ୍ତରାୟଣ ପର୍ବ ବୋଲି କୁହାଯାଏ । ଓଡ଼ିଶାର ଏକ ପ୍ରମୁଖ ପର୍ବ ଭାବେ ମକର ସଂକ୍ରାନ୍ତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମକର ଚଉରାଅଶି ବେଶ ହେବା ସହ ଶ୍ରୀଜିଉଙ୍କ ମସ୍ତକରେ ମକର ଚୂଳ ଲାଗି ହୋଇଥାଏ ।
ଓଡ଼ିଶାର ଘରେ ଘରେ ପ୍ରସ୍ତୁତ ହୁଏ ମକର ଚାଉଳ । ଏହି ପର୍ବର ପାଳିବାର କୃଷି ସହିତ ସମ୍ପର୍କ ରହିଛି । ମାର୍ଗଶୀର ପରେ ନୂଆ ଧାନ ଓ ଆଖୁ ଅମଳ ହୋଇଥାଏ । ନୂଆ ଆଖୁରେ ପ୍ରସ୍ତୁତ କରାଯାଏ ନୂଆ ଗୁଡ଼ । ସେହିପରି ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳକୁ ଭିଜାଇ ଗୁଣ୍ଡ କରି ସେଥିରେ ଗୁଡ଼ କିମ୍ବା ଚିନି, ଘିଅ, କ୍ଷୀର, ଛେନା, ଗୋଲମରିଚ,ପାଚିଲା କଦଳୀ ଓ ବିଭିନ୍ନ ପ୍ରକାର ସୁସ୍ବାଦୁ ଫଳ ମିଶାଇ ସୁମିଷ୍ଟ ମକର ଚାଉଳ ପ୍ରସ୍ତୁତ କରି ନୈବେଦ୍ୟ ଭାବେ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଭୋଗଲାଗି ହୁଏ ।
ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତୁଳସୀ ଚଉରାମୂଳେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଓ ଇଷ୍ଟ ଦେବାଦେବୀଙ୍କ ପାଖରେ ମକର ଚାଉଳ ଭୋଗ ଲାଗି କରାଯାଏ ।
ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ମକର ଚାଉଳର ଅନେକ ସ୍ବାସ୍ଥ୍ୟଗତ ଉପାଦେୟତା ଉଲ୍ଲେଖ ରହିଛି। ଯେହେତୁ, ମକର ସଂକ୍ରାନ୍ତିଠାରୁ ଶୀତ କମି କମି ଆସିଥାଏ । ବାୟୁମଣ୍ଡଳରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇଲେ ଆମ ଶରୀର ଗୁରୁପାକ ଖାଦ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଏ ।
ଜ୍ୟୋତିଷ ଶାସ୍ତ୍ର କହେ ମକର ରାଶିର ଅଧିପତି ହେଉଛନ୍ତି ଶନି ଗ୍ରହ । ତିଳ ବା ରାଶି ଅର୍ପଣ କଲେ ଶନି ଗ୍ରହ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ବାସ ରହିଛି । ସେଥିପାଇଁ ମକର ସଂକ୍ରାନ୍ତି ଦିନ ରାଶି ଓ ଗୁଡ଼ରେ ପ୍ରସ୍ତୁତ ମୁଆଁ ଭୋଗ କରାଯାଏ ।
ମକର ସଂକ୍ରାନ୍ତିର ଆଉ ଗୋଟିଏ ବିଶେଷତ୍ବ ହେଉଛି ମକର ଗୁଡ଼ି । ମକରରେ ଗୁଡ଼ି ଉଡ଼ାଇବାର ଯେଉଁ ପରମ୍ପରା ରହିଛି ତା ମଧ୍ୟ ଏକ ତତ୍ତ୍ବଭିତ୍ତିକ । ମଣିଷର ଚିନ୍ତା ଚେତନାକୁ ଉର୍ଦ୍ଧ୍ବଗାମୀ କରି ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଏକ ବାର୍ତ୍ତା ଦେଇଥାଏ ଗୁଡ଼ି ଉଡ଼ା ପର୍ବ । ଗୁଡ଼ି ଉଡାଇବାର ଅର୍ଥ ହେଉଛି ଯାବତୀୟ ବିଷୟ ଜଞ୍ଜାଳ ସଂସାରରେ ରହି ସୁଦ୍ଧା ନିଜର ଭୌତିକ ଭାବନାକୁ ଆତ୍ମ ବନ୍ଧନରୁ ମୁକ୍ତ କରି ନିଜର ଚିନ୍ତା ଓ ଚେତନାକୁ ଗୁଡ଼ି ପରି ଉଡାଇ ପରମବ୍ରହ୍ମ ପରମେଶ୍ବରଙ୍କ ସହିତ ନିଜକୁ ଏକାକାର କରିବା ।
କଥାରେ ଅଛି, ଯଥା ଦେହେ, ତଥା ଦେବେ । ଓଡ଼ିଆ ସଂସ୍କୃତି ପରମ୍ପରାରେ ବିବାହିତ କନ୍ୟା ବର୍ଷ ଭିତରେ ଅନ୍ୟ କେଉଁଦିନ ବାପଘରକୁ ଆସି ନ ପାରିଲେ, ପୌଷ ମାସରେ ବାପଘରକୁ ଆସିବାର ପ୍ରଥା ରହିଛି । ଏହି ପରମ୍ପରା ଶ୍ରୀମନ୍ଦିରରେ ବି ପାଳିତ ହୁଏ । ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକମାସ ପର୍ଯ୍ୟନ୍ତ ତାଙ୍କ ବାପଘରକୁ ଯାଇଥାନ୍ତି । ମକର ସଂକ୍ରାନ୍ତି ଦିନ ମକର ଚାଉଳ ସହିତ ଧନୁ ମୁଆଁ, ବିଭିନ୍ନ ପ୍ରକାର ପାଟବସ୍ତ୍ର ଅଳଙ୍କାର ଏବଂ ମହାପ୍ରଭୁଙ୍କ ପାଇଁ ଶତାଧିକ ପାନପତ୍ରରେ ପ୍ରସ୍ତୁତ ଏକ ବଡ଼ ପାନ ସହିତ ପଟୁଆରରେ ଶ୍ରୀମନ୍ଦିରକୁ ଆସିଥାଏ । ଏହିଦିନ ସନ୍ଧ୍ୟା ସମୟରେ ମହାଲକ୍ଷ୍ମୀ ସାଙ୍ଗରେ ଆଣିଥିବା ସମସ୍ତ ଦ୍ରବ୍ୟକୁ ଧରି ଶ୍ରୀମନ୍ଦିରର ବରିଷ୍ଠ ସେବାୟତଗଣ ମନ୍ଦିର ଭିତର ବେଢ଼ା ସାଢେ ଚାରି ଘେରା, ମନ୍ଦିର ବାହାର ବେଢା ସାଢ଼େ ଚାରି ଘେରା ପରିକ୍ରମା କରିଥାନ୍ତି ।
ଏହି ପରିକ୍ରମା ନଅ ଥର ହେଉଥିବାରୁ ଏହାକୁ ନବାଙ୍କ ବେଢ଼ା କୁହାଯାଏ । ଦ୍ବିପ୍ରହର ଧୂପ ପରେ ଏହି ପରିକ୍ରମା ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏ ଚାଲିଥାଏ । ଏହିଦିନ ପୁରୀ ଗଜପତି ମହାରାଜଙ୍କର ନୂଆ ଅଙ୍କ ଆରମ୍ଭ ହୋଇଥାଏ । ଲୋକମତରେ ବିଶ୍ବାସ ରହିଛି ଯେ, ଯେଉଁ ବ୍ୟକ୍ତି ବୟସର ଭାରରେ ନଇଁ ପଡ଼ିଛନ୍ତି, ଏକାଧିକ ରୋଗରେ ପୀଡ଼ିତ, ସନ୍ତୁଳିତ ଶରୀର ହରାଇଛନ୍ତି, ମନରେ ବିଶାଦ ଭରି ରହିଛି । ଏସବୁକୁ ମନରୁ ବାହାର କରିଦେବା ପାଇଁ ପଟୁଆର ସହିତ ନବାଙ୍କ ବେଢ଼ା ବୁଲନ୍ତି । ନବାଙ୍କ ବେଢା ପରିକ୍ରମା କରି ଯେଉଁ ବ୍ୟକ୍ତି ଶ୍ରୀଜିଉଙ୍କୁ ଦର୍ଶନ କରେ ତାର ଗ୍ରହଜନିତ ସକଳ ବାଧା ଦୂର ହୁଏ । ଜୀବନ ଚକ୍ରରେ ନବଗ୍ରହଙ୍କ ଅଧୀନରେ ସମସ୍ତେ ପରିଚାଳିତ । ଗ୍ରହମାନଙ୍କୁ କୋପଦୃଷ୍ଟିକୁ ଏଡ଼ାଇବା ପାଇଁ ନବାଙ୍କବେଢ଼ା ପରିକ୍ରମାର ବିଶେଷ ମହତ୍ତ୍ବ ରହିଛି । ନବଗ୍ରହ ପରେ ଆଉ ଗୋଟିଏ ଗ୍ରହ ରହିଛି । ଯାହାର ନାମ ଅନୁଗ୍ରହ । ବେଢା ପରିକ୍ରମା କରି ଶ୍ରୀବିଗ୍ରହ ଦର୍ଶନ କଲେ ମହାପ୍ରଭୁଙ୍କ ଅନୁଗ୍ରହ ପ୍ରାପ୍ତ କରିହୁଏ I
- ସମ୍ପର୍କ:binapanitripathy77@gmail.com