ଭୟ ଶୂନ୍ୟ, ଜୀବନ ଧନ୍ୟ
- ମାଲକାନଗିରି ସ୍ୱାଭିମାନୀ ଅଞ୍ଚଳରେ ଏବେ ବିକାଶର ରାସ୍ତା ଫିଟିଛି
- ଗୁରୁପ୍ରିୟା ସେତୁ ଆଉ ଏକ ଜୀବନ ରେଖା
- ମାଓଗଡ଼ରେ ଆଦିବାସୀଙ୍କ ହୃଦୟ ଜିତିଲା ଛପନଭୋଗ
- ମାଲକାନଗିରି//TATKAL ODISHA//
ଏକଦା ମାଓବାଦୀଙ୍କ ଗଡ କୁହାଯାଉଥିବା ମାଲକାନଗିରିରେ ପୋଲିସ୍ ଓ ବିଏସଏଫର ମିଳିତ ସହଯୋଗରେ ଏବେ ଶାନ୍ତି ଫେରିବା ସହ ସ୍ଥାନୀୟ ଆଦିବାସୀଙ୍କ ଭୟ ଦୂର ହେବାରେ ଲାଗିଛି।
ଭୟ ଖସିଛି, ଜୀବନ ହସୁଛି
ଗତ ୪ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ଗମନାଗମନ କ୍ଷେତ୍ରରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଅନେକ ଗୁରୁତ୍ୱ ଦିଆଯାଉଛି।
ଏକଦା ଦୁର୍ଗମ ଥିବା ଏହି ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା – ଗୋରାସେତୁ ଅଞ୍ଚଳରେ ଗତ ରବିବାର ଦିନ ବିଏସଏଫ ପକ୍ଷରୁ ଏକ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।
ଉଲ୍ଲେଖନୀୟ ହେଉଛି ଏହି ଶିବିରରେ ଉପସ୍ଥିତ ଆଖପାଖ ଗାଁର ପ୍ରାୟ ଦେଢ଼ ହଜାର ଆଦିବାସୀଙ୍କୁ ଭୁବନେଶ୍ଵରର ମିଠା ବ୍ୟବସାୟୀ ତଥା ଜୟଦେବବିହାର ଛପନ ଭୋଗ ମାଲିକ ସତ୍ୟବ୍ରତ ମହାନ୍ତି ନିଜ ସଞ୍ଚିତ ଅର୍ଥରୁ ବିଭିନ୍ନ ସାମଗ୍ରୀ ବାଣ୍ଟିଥିଲେ।
ସ୍ଥାନୀୟ ଅସହାୟ ଆଦିବାସୀଙ୍କ ମଧ୍ୟରେ କମ୍ବଳ, ଶାଢ଼ୀ, ଲୁଙ୍ଗି, ପିଲାଙ୍କୁ ପୋଷାକ , ମହିଳାଙ୍କୁ ସିଲେଇ ମେସିନ୍ , ଯୁବକ ମାନଙ୍କୁ ଖେଳ ସାମଗ୍ରୀ, ଷ୍ଟେସନାରୀ, ସ୍କୁଲ ବ୍ୟାଗ, ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସ୍ଥାନୀୟ ବଣ୍ଟନ କରାଯାଇଥିଲା ।
“ହିଂସାମୁକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ହିଁ ବିକାଶ ସମ୍ଭବ“
ଏହି ଅବସରରେ ଆୟୋଜିତ ଏକ ଶିବିରରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ହିଂସାମୁକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ହିଁ ବିକାଶ ସମ୍ଭବ ବୋଲି ମତ ଦେଇଥିଲେ। ବିଏସଏଫ କମଣ୍ଡାଣ୍ଟ ସଞ୍ଜୟ ଦାସ ଅଧ୍ୟକ୍ଷତା କରିଥିଲେ।
ଅନ୍ୟମାନଂକ ମଧ୍ୟରେ ବିଏସଏଫ ଅଧିକାରୀ ବିଜୟ କାଶ୍ୟପ, ଶୁଭଞ୍ଜନ ମହାପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ସମସ୍ତ ସମ୍ପର୍କ ତୁଟାଇ ବିକାଶ ଧାରାରେ ଆଗକୁ ବଢୁଥିବା ନିରୀହ ଆଦିବାସୀଙ୍କ ହୃଦୟରେ ବ୍ୟବସ୍ଥା ପ୍ରତି ଆସ୍ଥା ବଢ଼ାଇବା ପାଇଁ ଭରପୁର ପ୍ରୟାସ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୋରା ସେତୁ, ପଣସପୁଟ, ବେଜିଙ୍ଗ, ସିଦ୍ଧିପୁଟ ଭଳି ପଣସପୁଟ ଓ ଯୋଡାମ୍ବ ପଞ୍ଚାୟତର ବହୁ ଗ୍ରାମର ଲୋକେ ଯୋଗ ଦେଇଥିଲେ।