ରାଜଧାନୀରେ ବର୍ଷା ବିତ୍ପାତ: ନଇଁଗଲା ତିନି ମହଲା କୋଠା

0
  • ତିନି ଫୁଟ ତଳକୁ ଦବି ଗଲା ରଘୁନାଥ ନଗରର ତିନି ମହଲା କୋଠା
  • 24 ଘଣ୍ଟାରେ 163 ମିମି ବର୍ଷା : 63 ବର୍ଷର ରେକର୍ଡ ଭଙ୍ଗ
  • ପାଣି ଘେରରେ ବିଶ୍ୱସ୍ତରୀୟ ଭୁବନେଶ୍ୱର ଷ୍ଟେସନ
  • ଇସ୍କନ ସମ୍ମୁଖରେ କୃତ୍ରିମ ବନ୍ୟା
  • ଜିଜିପି କଲୋନୀରେ ଆଣ୍ଠୁଏ ଉଚ୍ଚରେ ପାଣି

ଭୁବନେଶ୍ୱର//TATKAL ODISHA//

ଦିନ ତମାମ ଜାରି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ସନ୍ଧ୍ୟାରେ ସାମାନ୍ୟ କମି ଥିଲେ ହେଁ ରାଜଧାନୀ ବାସୀଙ୍କୁ ବେହାଲ କରିଦେଇଛି I ଭାସୁଛି ସ୍ମାର୍ଟ ସିଟିର ଅଧିକାଂଶ ଅଞ୍ଚଳ I ଇସ୍କନ ମନ୍ଦିର ସମ୍ମୁଖରେ ପୂର୍ବ ପରି କୃତ୍ରିମ ବନ୍ୟା ପ୍ରବାହିତ ହେଉଥିଲାବେଳେ ତଳିଆ ଅଂଚଳରେ ଘରେ ପଶି ଯାଇଛି I ପ୍ରସ୍ତାବିତ ବିଶ୍ଵାସ୍ତରୀୟ ଭୁବନେଶ୍ୱର ରେଳ ଷ୍ଟେସନ ପାଣି ଘେରରେ ରହିଛି I ରସୁଲଗଡ ଜିଜିପି କଲୋନୀରେ ନାଆ ଖେଳୁଛି I ରଘୁନାଥ ନଗରରେ ଏକ ତିନି ମହଲା କୋଠା ପାଣି ପ୍ରବାହିତ ଯୋଗୁଁ ତିନି ଫୁଟ ତଳକୁ ଦବି ଯାଇଛି ।ସେହିପରି ପଟିଆ ଅହଲ୍ୟା ନଗରରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ଘରେ ରହିବା ଅସମ୍ଭବ ହୋଇପଡିଛି । ଖବରପାଇ ଦମକଳ ବାହିନି ଘଟଣାସ୍ଥଳରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରୁଛନ୍ତି ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ କରି କହିଛନ୍ତି ଯେ, ଦୀର୍ଘ ୬୩ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର I ୨୪ ଘଣ୍ଟାରେ ଭୁବନେଶ୍ୱରରେ ରେକର୍ଡ ୧୬୩ ମିମି ବର୍ଷା ହୋଇଛି I ୧୯୫୮ ସେପ୍ଟେମ୍ବର ୯ରେ ରେକର୍ଡ ପରିମାଣ ବର୍ଷା ହୋଇଥିଲା I ତାହା ଭାଙ୍ଗି ରବିବାର ସର୍ବାଧିକ ବର୍ଷା ହୋଇଛି I

ଭୁବନେଶ୍ୱର ରେଳଷ୍ଟେସନ : ପାଣିରେ ଭାସୁଛି..


ଅନ୍ୟ ପକ୍ଷରେ ଭୁବନେଶ୍ୱର ମହାନଗର(ବିଏମସି ) ସୂତ୍ରରୁ ଘର ଦବିବା ତଥ୍ୟ ମିଳିଛି I

ଖଣ୍ଡଗିରି ଡୁମୁଡୁମା ରଘୁନାଥନଗରରେ ଲଗାଣ ବର୍ଷାରେ କୋଠା ଦବିଛି । ଘର ମାଲିକଙ୍କ ନାମ ଶିବ ନାୟକ I ସେଠାରେ ଭଡାରେ ଥିବା ଲୋକେ ଜୀବନ ବିକଳରେ ଜିନିଷପତ୍ର ଛାଡି ଉଚ୍ଚା ସ୍ଥାନକୁ ପଳାଇଛନ୍ତି । ବର୍ଷା ପାଣି ଘର ପାଖରେ ଜମି ରହିବାରୁ ଏଭଳି ଘଟଣା ଘଟିଛି ।


ଅନ୍ୟ ପକ୍ଷରେ ନୂଆପଲ୍ଲୀ ସ୍ଥିତ ଇସ୍କନ୍ ମନ୍ଦିର ସମ୍ମୁଖରେ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରିଛି I ବର୍ଷା ପାଣିରେ ସୁଅରେ ବହୁ ଗାଡ଼ି ଭାସି ଯିବା ସହ ଅଣ୍ଟେ ଉଚା ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ।

ପୂର୍ବରୁ ମଧ୍ୟ ଅସରାଏ ବର୍ଷାରେ ଏହି ସ୍ଥାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବାର ନଜିର ରହିଛି । ରାସ୍ତା କଡରେ ଛିଡା ହୋଇରହିଥିବା ଗାଡି ଗୁଡିକ ଅଧା ବୁଡି ହୋଇରହିଥିବା ବେଳେ, ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ବାରମ୍ବାର ଏପରି ହେଉଥିଲେ ମଧ୍ୟ ମହାନଗର ନିଗମର ସବୁ ଯୋଜନା ଫେଲ ମାରୁଛି।

ରାଜଧାନୀରେ ଶତାବ୍ଦୀ ନଗର, ବମିଖାଲ, ଶିଶୁପାଳଗଡ଼, ପାଣ୍ଡରା, ରସୁଲଗଡ଼, ସାଇମନ୍ଦିର, ଟଙ୍କପାଣି -ଶହୀଦ ଦିବାକର ମାର୍ଗ ରୋଡ ଦୁଇ ପାର୍ଶ୍ଵ ଇଲାକା, ଲିଂଗିପୁର, ମଦନପୁର, ବରମୁଣ୍ଡା, କୁରଡ଼କଣ୍ଟା, ଇଟିପୁର, ଶ୍ରୀରାମ ନଗର, ଭୀମଟାଙ୍ଗୀ, ଗଣ୍ଡମୁଣ୍ଡା ତଳିଆ ଅଂଚଳରେ ପାଣି ସୁଅ ଛୁଟୁଛି I

ରାତ୍ରି ସୁଦ୍ଧା ଝାଟି ମାଟି ଘରେ ଥିବାଲୋକଙ୍କୁ ଉଦ୍ଧାର କରାଯାଇଛି I ବର୍ଷା ଛାଡ଼ି ଥିବାରୁ ସ୍ଥିତି ନିୟନ୍ତ୍ରଣରେ ଅଛି I

Leave A Reply

Your email address will not be published.