ବଢ଼ିପାରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ?

0
  • ଓଇଆରସି ଅଧ୍ୟକ୍ଷ ହେବା ନେଇ ବି ଚର୍ଚ୍ଚା
  • ଭୁବନେଶ୍ୱର//TATKAL ODISHA//EXCLUSIVE//

ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ପରେ ରାଜ୍ୟରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ? ଆଗୁଆ ଇସ୍ତଫା ଦେବେ କି ସୁରେଶ? ନା ତାଙ୍କର କାର୍ଯ୍ୟକାଳ ବଢ଼ିବ??

ଏଭଳି କିଛି ଅସମାହିତ ପ୍ରଶ୍ନକୁ ନେଇ ପାୱାର କରିଡରରେ ଖୁବ ଚର୍ଚ୍ଚା I ଓଡ଼ିଶା ପ୍ରଶାସନର ସେ ମୁଖିଆ ହୋଇଥିବାରୁ ତାଙ୍କୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେବା ସ୍ୱାଭାବିକ I

ୟୁ ଏନ ବେହେରା

ଫେବୃଆରୀରେ ଅବସର ନେବାକୁ ଥିବା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ିପାରେ I ତାହା 6 ମାସରୁ ବର୍ଷେ ହୋଇପାରେ ବୋଲି କୁହାଯାଉଛି I ଦ୍ଵିତୀୟ ଆଲୋଚନା ହେଉଛି ଜାନୁଆରୀ 15ରେ ଓଇଆରସି ଅଧ୍ୟକ୍ଷ ପଦରୁ ୟୁ ଏନ ବେହେରା ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ସୁରେଶ ବାବୁ ପରବର୍ତ୍ତୀ ଓଇଆରସିର ଅଧ୍ୟକ୍ଷ ହେବେ I

ତେବେ ସରକାରୀ ଭାବେ କିଛି କୁହାଯାଇନାହିଁ କି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ I

ଚର୍ଚ୍ଚାନୁସାରେ ସରକାର କାହିଁକି ସୁରେଶ ବାବୁଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଚିନ୍ତା କରୁଛନ୍ତି?

ଭିତିରିଆ ସୂତ୍ରରୁ ଯାହା ଜଣାପଡ଼େ ସରକାର ବର୍ତମାନର କ୍ରମବର୍ଦ୍ଧିଷ୍ଣୁ ଓମିକ୍ରନ ସଂକ୍ରମଣ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନ ଝାମେଲା ଯୋଗୁଁ ରିସ୍କ ନେବାକୁ ଚାହୁଁ ନାହାନ୍ତି I ନୂଆ ଅଧିକାରୀ ଏହି ସିଏସ ପଦବୀରେ ବସିବା ପରେ ସରକାରଙ୍କ ସହ କେମିତି ତାଲମେଳ ରହିବ ତାକୁ ନେଇ ସମସ୍ୟା ରହିପାରେ I ତେଣୁ ଏନେଇ ତର୍ଜମା ଆରମ୍ଭ ବି ହୋଇଛି I

ଦ୍ଵିତୀୟରେ ରାଜ୍ୟ ସରକାର “ମୁଳୁ ମାରିଲେ ଯିବ ସରି ” ନ୍ୟାୟରେ ରଣନୀତି ଆପଣେଇଛନ୍ତି I କାରଣ କିଛି ବରିଷ୍ଠ ଆଇଏଏସ ମୁଖ୍ୟ ସଚିବ ଦୌଡ଼ରେ ଅଛନ୍ତି I ସୁରେଶ ବାବୁଙ୍କ ଚାକରି ଅବଧି ବଢ଼ିଲେ ସେମାନେ ଅବସର ନେଇଯିବେ I ସେମାନଙ୍କୁ ଅସନ୍ତୁଷ୍ଟ ନ କରି ହାତରେ ନୁହେଁ, ଭାତରେ ମରାଯାଇଥିବା କୁହାଯାଉଛି I

ନିୟମ ଅନୁସାରେ ପୋଲିସ ମହାନିର୍ଦେଶକ (DG) ପଦବୀରେ ଜଣେ ଅଣ ଓଡ଼ିଆ ଆସୀନ ହେଲେ ମୁଖ୍ୟ ଶାସନ ସଚିବ ଓଡ଼ିଆ ହେବା କଥା I ସେଇ ଦୃଷ୍ଟିରୁ ଦୁଇ ଓଡ଼ିଆଙ୍କ ନାମ ତାଲିକାରେ ରହିଥିବା କୁହାଯାଉଛି I ସେମାନଙ୍କ ନାମ ପ୍ରକାଶ କରୁ ନାହୁଁ I ତାହା ସମସ୍ତେ ଜାଣିଛନ୍ତି I

ଯଦି ସୁରେଶ ବାବୁ ଓଇଆରସି ଅଧ୍ୟକ୍ଷ ପଦରେ ଆସୀନ ହୁଅନ୍ତି ତାହାଲେ ତାଙ୍କ ଜାନୁଆରୀ ପୂର୍ବରୁ ଇସ୍ତଫା ଦେବାକୁ ହେବ I ହେଲେ ସେ ଇସ୍ତଫା ଦେଇ ନାହାନ୍ତି I ସ୍ୱଳ୍ପ ସମୟ ବି ରହିଛି I ତେଣୁ ତାଙ୍କର କାର୍ଯ୍ୟକାଳ ଆଉ 6 ମାସରୁ 1 ବର୍ଷ ଯାଏ ବଢ଼ିପାରେ ବୋଲି ହେଉଥିବା ଚର୍ଚ୍ଚା ସତ୍ୟ ହୋଇପାରେ I ଫଳରେ ଏଥିଯୋଗୁଁ ଆଶାୟୀ ମନ ଖଟକା ହେବା ସ୍ୱାଭାବିକ I

  • IAS ତାଲିକାରେ କେଉଁମାନେ ଜାଣନ୍ତୁ…
  • ++++++++++++++++++++++++
  • ୟୁ ପି ସିଂ -1985- କେନ୍ଦ୍ରୀୟ ଡେପୁଟେସନ
  • ସୁରେଶ ଚନ୍ଦ୍ର ମହାପାତ୍ର – 1986- ବର୍ତମାନର ମୁଖ୍ୟ ଶାସନ ସଚିବ
  • ଜି ଭି ଭେନୁଗୋପାଳ – 1986- ବୋର୍ଡ ଅଫ ରେଭେନ୍ୟୁ ସଭ୍ୟ
  • ସୁଦର୍ଶନ ପାଳ ଠାକୁର -1986-ଡିଜି, ଗୋପବନ୍ଧୁ ଏକାଡେମୀ
  • ତୁହିନୀକାନ୍ତ ପାଣ୍ଡେ -1987-କେନ୍ଦ୍ରୀୟ ଡେପୁଟେସନ
  • ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରରାୟ -1987- କେନ୍ଦ୍ରୀୟ ଡେପୁଟେସନ
  • ରାଜ କୁମାର ଶର୍ମା -1987- ଏପିସି
  • ରାଜକିଶୋର ବର୍ମା – 1987- କେନ୍ଦ୍ରୀୟ ଡେପୁଟେସନ
  • ସି ଜେ ବେନୁଗୋପାଳ – 1988- କେବିକେ ମୁଖ୍ୟ ପ୍ରଶାସକ
  • ପ୍ରଦୀପ୍ତ ମହାପାତ୍ର – 1988-ସିଏମଡି, ଓଏଫଡିସି
  • ପରାଗ ଗୁପ୍ତା – 1988-ଅତିରିକ୍ତ ମୁଖ୍ୟ ଶାସନ ସଚିବ
  • ପ୍ରଦୀପ କୁମାର ଜେନା – 1989- ଉନ୍ନୟନ କମିଶନର
  • ମୋନା ଶର୍ମା – 1989- ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
  • ବିନୋଦ କୁମାର – 1989- ନିଲମ୍ବିତ
  • ନୀତେନ ଚନ୍ଦ୍ର -1990-କେନ୍ଦ୍ରୀୟ ଡେପୁଟେସନ
  • ମନୋଜ ଆହୁଜା – 1990- କେନ୍ଦ୍ରୀୟ ଡେପୁଟେସନ

ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦ ପାଇଁ ଏହି ତାଲିକାରୁ ହିଁ ବାଛିବେ I ତେଣୁ ଆଗକୁ ସରକାର କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା କଥା I

Leave A Reply

Your email address will not be published.