ବୀର ସୁରେନ୍ଦ୍ର ସାଏ କ୍ଷତ୍ରୀୟ ନୁହଁନ୍ତି, ରାଜଗୋଁଣ୍ଡ?
- ପଢନ୍ତୁ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଗୋଁଣ୍ଡ ଜୀବନ ଓ ସଂସ୍କୃତି ଉପରେ ଗବେଷଣାତ୍ମକ ପୁସ୍ତକ-“ଡଙ୍ଗର ଉହାଡ଼େ ଜହ୍ନ”
- TATKAL ODISHA//ଐତିହ୍ୟ ଖୋଜ//
ବୀର ସୁରେନ୍ଦ୍ର ସାଏ କ୍ଷତ୍ରୀୟ ଥିଲେ? ନା’ ଜନଜାତି ଗୋଁଣ୍ଡ??
ଏଇ ଗୁରୁତ୍ୱପୂର୍ଣ ଦୁଇ ପ୍ରଶ୍ନର ଉତ୍ତର ପଢ଼ାଯାଉଥିବା ଇତିହାସ ପୁସ୍ତକରେ ହିଁ ଅସ୍ପଷ୍ଟ I କିଛି ପାଠ୍ୟ ପୁସ୍ତକରେ ସୁରେନ୍ଦ୍ର ସାଏ କ୍ଷତ୍ରୀୟ ବୋଲି ଦର୍ଶା ଯାଇଛି I ହେଲେ ତାହା ସତ ନୁହେଁ I
ତେଇଶି ଜାନୁଆରୀ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏହି ପ୍ରସଙ୍ଗ ଉତଥାପିତ କରୁଛୁ..
ଏହାର ଗବେଷଣାତ୍ମକ ତଥ୍ୟ ଯୁବ ସାମ୍ବାଦିକ ତଥା ଗବେଷକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଗୋଁଣ୍ଡ ଜୀବନ ଓ ସଂସ୍କୃତି ଉପରେ ଗବେଷଣାତ୍ମକ ପୁସ୍ତକ-“ଡଙ୍ଗର ଉହାଡ଼େ ଜହ୍ନ”ରେ ଉପସ୍ଥାପନା ହୋଇଛି I
ଗୋଁଣ୍ଡ ଜନଜାତି ମୁଖ୍ୟତଃ 4 ପ୍ରକାରର I
ସେମାନେ ହେଉଛନ୍ତି –
- ରାଜ ଗୋଁଣ୍ଡ,
- ଅମେତ ଗୋଁଣ୍ଡ
- ଧ୍ରୁବ ଗୋଁଣ୍ଡ
- ମୁରିଆ ଗୋଁଣ୍ଡ
ସୁରେନ୍ଦ୍ର ସାଏ ରାଜ ଗୋଁଣ୍ଡ ସମ୍ପ୍ରଦାୟରେ ଥିଲେ I କାରଣ ରାଜନୈତିକ, ଆର୍ଥିକ ଓ ସାମାଜିକ ସ୍ଥିତି ଅନୁସାରେ ଗୌଣ୍ଡମାନେ ନିଜର ବୃତ୍ତି ବାଛି ନେଇଥିଲେ। ଆନ୍ଧ୍ରର ଆଦିଲାବାଦ, ମଧ୍ୟପ୍ରଦେଶର ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାର ଅଠର ଗଡ଼ରୁ ୧୦ ଗଡ଼ରେ ଗୌଣ୍ଡ ଜମିଦାରମାନେ ରାଜୁତି କରୁଥିଲେ।
ରାଜଗୋଁଣ୍ଡ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ଗଲିଥିବା ମୁକ୍ତି ସଂଗ୍ରାମରେ ଏହି ଦଶ ଗଡ଼ର ଜମିଦାରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କୋଲାବିରା ଦୁର୍ଗ ଏଇ ମୁକ୍ତି ସଂଗ୍ରାମର ମୂକସାକ୍ଷୀ ।
ବୀର ସୁରେନ୍ଦ୍ର ସାଏ ପୁଣ୍ୟତୋୟା ତେଲେନ ନଦୀ କୂଳରେ ଅବସ୍ଥିତ ଏଇ ଐତିହାସିକ ଓ ପ୍ରାଚୀନ କୋଲାବିରା ଦୁର୍ଗର ଗୌରବ ଗାଥା ଅବର୍ଣ୍ଣନୀୟ । ବାଉଁଶ ବଣ ଘେରା ଏହି ଗଡ଼ଟି ଝାରସୁଗୁଡ଼ା ସହରର ପୂର୍ବ ଦିଗକୁ ୧୭ କି.ମି ଗଲେ ପଡ଼ିବ। ସମ୍ବଲପୁର ଖିଣ୍ଡା ରାଜବଂଶର ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ଋଲିଥିବା ମୁକ୍ତି ସଂଗ୍ରାମରେ କୋଲାବିରା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତତ୍କାଳୀନ ଜମିଦାର ବୀର କରୁଣାକର ନାଏକ ଓ ପରିବାରରଅବଦାନ କିଛି କମ୍ ନଥିଲା।
କୋଲାବିରାର ରକ୍ତରଂଜିତ ସଂଗ୍ରାମର ଗାଥା ଆଜି ଇତିହାସ ପୃଷ୍ଠାରେ ଲିପିବଦ୍ଧ। ସେଇଥ୍ ପାଇଁ ଏହି ସଂଗ୍ରାମୀ ପୀଠକୁ ‘ ଅଗ୍ନି ତୀର୍ଥ’ ଭାବରେ ନାମିତ କରାଯାଇଛି। ସେହିପରି ସମ୍ବଲପୁର ଭେଡ଼େନ ନଦୀ କୂଳରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖୁଣ୍ଡା ବି ଶକ୍ତି, ସାହସ ଓ ବୀରତ୍ଵର ସ୍ମୃତି ବିଜଡ଼ିତ ଲୋମହର୍ଷକ କାହାଣୀକୁ ନିରବରେ ବୟାନ କରେ।ବୀର ସୁରେନ୍ଦ୍ର ସାଏ ଇଂରେଜ ସରକାରଙ୍କ ବିରୋଧରେ ୧୮୧୭ରୁ ୧୮୪୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବିଦ୍ରୋହ ଦ୍ବିତୀୟ ପର୍ଯ୍ୟାୟ ବିଦ୍ରୋହ ୧୮୫୭ରୁ ୧୮୬୩ ପର୍ଯ୍ୟନ୍ତ କରିଥିଲେ। ଏହି ବିଦ୍ରୋହ ପୂର୍ବରୁ ସାଏ, ତାଙ୍କ ଭାଇ, କାକା ଓ ଅନ୍ୟ ସହଯୋଗୀମାନେ ୧୮୪୦ରୁ ୧୮୫୭ ଯାଏ ବିହାରର ହଜାରିବାଗ ଜେଲରେ ବନ୍ଦୀ ଜୀବନ ବିତାଇଥିଲେ । ହେଲେ ଜେଲର ସେଇ ଉଚ୍ଚା ଓ ନିରୋଜ ପାଚେରି ସେମାନଙ୍କୁ ବେଶୀଦିନ ଅଟକ କରି ପାରିନଥିଲା।
୧୮୫୭ରେ ସୁରେନ୍ଦ୍ର ଙ୍କ ନେତୃତ୍ବରେ ବନ୍ଦୀଥିବା ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ମୁକ୍ତ ହୋଇଥିଲେ ସେଠାରୁ ସୁରେନ୍ଦ୍ର ଓଡ଼ିଶା ଓ ବିହାର ମଧ୍ୟରେ ଥିବା ନିଘଞ୍ଚ ଜଙ୍ଗଲ ବାଟ ଦେଇ ଲୁକ୍କାୟିତ ଭାବେ ସମ୍ବଲପୁର ପଳାଇ ଆସିଥିଲେ। ଶହେ ଷାଠିଏ ବର୍ଷ ପୂର୍ବରୁ ରାସ୍ତାଘାଟ ଓ ପରିବହନ ସୁବିଧା ନଥିବାବେଳେ ପ୍ରାୟ ହଜାରେ କିଲୋମିଟର ଦୀର୍ଘ ପଥକୁ ସେ କିଭଳି ଅତିକ୍ରମ କଲେ ତାହା ଆଜି ବି ଗବେଷକ ଓ ସାଧାରଣ ଅନୁସନ୍ଧିସୁ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏଇଠୁ ସାଏଙ୍କର ମନୋବଳ ଓ ନିଷ୍ଠା କେତେ ବଳିଷ୍ଠ ଓ ଦୃଢ଼ ତାହା ବୁଝାପଡୁଛି । ତେବେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ପ୍ରଥମେ ଖିଣ୍ଡା ଆସିଥିବାର ପ୍ରମାଣ ମିଳେ।
- ତଥ୍ୟ : ପୁସ୍ତକ // ଡଙ୍ଗର ଉହାଡ଼େ ଜହ୍ନ, ପୃଷ୍ଠା -20,21,23,24
(ସମ୍ବଲପୁର ଗେଜେଟିଅରରେ ବୀର ସୁରେନ୍ଦ୍ର ସାଏଙ୍କ ଉପରେ ପ୍ରକାଶିତ ରିପୋର୍ଟ)