ବିଶ୍ୱବିଦ୍ୟାଳୟର ଅଧିକାରକୁ ସଙ୍କୁଚିତ କରା ନ ଯାଉ

0

ଭୁବନେଶ୍ୱର//TATKAL ODISHA//

କୌଣସି ବିଶ୍ୱବିଦ୍ୟାଳୟର ଅଧିକାରକୁ ସଙ୍କୁଚିତ କରିବା କଥା ନୁହେଁ । ଏହାର ବୌଦ୍ଧିକ ପରିପ୍ରକାଶରେ ଅଙ୍କୁଶ ଲଗାଇବା ମଧ୍ୟ ଅନୁଚିତ । ପ୍ରଗତି ପାଇଁ ସ୍ୱତନ୍ତ୍ରତା ରହିବା ଦରକାର । ତେବେ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ଆଉ ଥରେ ଅନୁଧ୍ୟାନ ଓ ବିଚାବିମର୍ଷ କରିବା ଜରୁରୀ ।


 ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବମୟ ଇତିହାସ, ଶ୍ରୀମନ୍ଦିର ଓ ଏହାର ରୋଷଶାଳାର ବୈଜ୍ଞାନିକ ପୃଷ୍ଠଭୂମି, ଭକ୍ତସାଲବେଗଙ୍କ ଜୀବନୀ, ନାରୀ ସଶକ୍ତିକରଣର କଥା କହୁଥିବା ଶ୍ରୀୟା ଚଣ୍ଡାଳୁଣିଙ୍କ ମହତ୍ୱ ସହ ଆଧ୍ୟାତ୍ମିକ ସଂସ୍କୃତି ଓ ପରମ୍ପରା ଉପରେ ଶିକ୍ଷାଦାନ କରିବା ଉପରେ ବିଶ୍ୱବିଦ୍ୟାଳୟ ବିଚାର ବିମର୍ଷ କରିବା ଦରକାର । ମହାମାରୀ ଦ୍ୱାରା ଅନେକ ରାଷ୍ଟ୍ର ପ୍ରଭାବିତ ହୋଇଥିବାବେଳେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି । ଏପରିସ୍ଥିତିରେ ଆଗାମୀ ଦିନର ଚାଲିଚଳଣୀ, ସାମାଜିକ ଜୀବନ, ପାଠପଢ଼ା କିପରି ହେବ, ତାହାର ନିଷ୍ପତ୍ତି ବିଶ୍ୱବିଦ୍ୟାଳୟମାନେ ନେବା ଦରକାର । ପାଠପଢ଼ା ସମେତ ମାନବ ସମସ୍ୟାର ସମାଧାନର ସୂତ୍ର ବାହାର କରିବାକୁ ବିଶ୍ୱବିଦ୍ୟାଳୟଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ । ଏତଦ୍ ବ୍ୟତୀତ ବିଦ୍ୟାଞ୍ଜଳିରେ ବିଶ୍ୱବିଦ୍ୟାଳୟକୁ ସାମିଲ କରିବା ଏବଂ ଏଥିରେ ଯୋଡିବା ପାଇଁ ଏବେର ଛାତ୍ରଛାତ୍ରୀଙ୍କ ସହ ଆଲୁମିନି ବା ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ରହିବା ମଧ୍ୟ ଜରୁରୀ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ସମାଜ ପରିବର୍ତ୍ତନର ମାଧ୍ୟମ ଓ ଲୋକଙ୍କ ସହ ନିଜକୁ ବାନ୍ଧି ରଖିବାର ଶିକ୍ଷାର ପ୍ରେରଣା ମୋତେ ଏହି ଠାରୁ ହିଁ ମିଳିଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ନାକ୍ ଏ+ ମାନ୍ୟତା ପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନ ‘ମେଣ୍ଟର’ ଭାବେ କାର୍ଯ୍ୟ କରିବ ।


 ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି -୨୦୨୦ଆମକୁ ମଲଟି ଡ଼ିସିପ୍ଲିନାରୀ, ନିଯୁକ୍ତି, ଗବେଷଣା, ସ୍ଥାନୀୟ ଭାଷା ସହ ମାତୃଭାଷା ଓ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟକରଣ କରିବାର ସୁଯୋଗ ଦେଇଛି । ଏଥିପାଇଁ ସ୍ୱତନ୍ତ୍ର ଫ୍ରେମ୍‌ୱାର୍କ ଆଣିବା ପାଇଁ ଚିନ୍ତା କରିବା ଆବଶ୍ୟକ ।
 ଶେଷରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ସେଣ୍ଟର ଫର୍ ଇନୋଭେସନ ଏଣ୍ଡ ଇନ୍‌କ୍ୟୁବେସନର ନୂତନ ୱେବ୍‌ସାଇଟକୁ ଲୋକାର୍ପଣ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଣ୍ଟି ଟ୍ରାନ୍ସଫରିନ୍ ଆଣ୍ଟିବଡିର ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.