ବିରୋଧୀଙ୍କୁ ନବୀନଙ୍କ ସଫ୍ଟ ଟାର୍ଗେଟ, ପ୍ରଚାର ବେଳେ ଡିସେନ୍ସି ରଖ

0
  • ମହିଳାଙ୍କୁ ଉଚିତ ସମ୍ମାନ ଦେଉ ନ ଥିବା ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ଭୁବନେଶ୍ୱର,//TATKAL ODISHA//

ନିର୍ବାଚନରେ ହାର ଜିତ୍‌ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଡିସେନ୍ସି ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା’ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ । ବିରୋଧୀ ବାରମ୍ବାର ତାହା କରୁଛନ୍ତି I ଏସବୁ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ I

   ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଏଭଳି ଢଙ୍ଗରେ ଶାଣିତ ଆକ୍ରମଣ କରିଛନ୍ତି I ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରି, ଝାରସୁଗୁଡା ମାଟିକୁ ପ୍ରଣାମ କରି ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି I   ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ବାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ବାସ କରନ୍ତି । ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ । ମା ମାନଙ୍କ ଶସକ୍ତିକରଣରେ ବିଶ୍ବାସ କରେ । ଚାଷୀ ଭାଇର ଶସକ୍ତିକରଣ  ଉପରେ ବିଶ୍ବାସ କରେ। ଯୁବଶକ୍ତିର ଶସକ୍ତିକରଣରେ ବିଶ୍ବାସ କରେ । ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ।

 ଶ୍ରୀ ପଟ୍ଟନାୟକ ବିରୋଧୀଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି । ଦୀପାଳି ଏ ମାଟିର ଝିଅ ।ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ତେଣୁ ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ ।  ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି I 

Leave A Reply

Your email address will not be published.