ବିକଶିତ ଭାରତର ସ୍ବପ୍ନ ସାକାର ହେବାକୁ ଯାଉଛି : ରାଷ୍ଟ୍ରପତି
- ପ୍ରତି ପ୍ରବାସୀ ଭାରତୀୟ ନିଜର 5 ବନ୍ଧୁଙ୍କୁ ନିଜର ମାଟିକୁ ଆଣି ଦେଖାଇବା ଉଚିତ: ମୁଖ୍ୟମନ୍ତ୍ରୀ
- ବସୁଦେବ କୁଟୁମ୍ବକମ’କୁ ସର୍ବଦା ଗୁରୁତ୍ୱ ଦେଇଛି ଭାରତ: ବୈଦେଶିକ ମନ୍ତ୍ରୀ ଡ଼. ଜୟଶଙ୍କର
- ପୂର୍ବଦ୍ୟୋୟ ସ୍ବପ୍ନ ସାକାର ହେବାକୁ ଯାଉଛି : ଧର୍ମେନ୍ଦ୍ର ପ୍ରଧାନ
- ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରୁ ଅନେକ ଶିଖିବାର ମିଳିଛି : ଜୁଏଲ ଓରାମ
ଭୁବନେଶ୍ୱର// TATKAL ODISHA//
ଭାରତ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛି I ବିକଶିତ ଭାରତର ସ୍ବପ୍ନ ସାକାର ହେବାକୁ ଯାଉଛି I ବିଶ୍ୱ ସ୍ତରରେ ଭାରତର ଗୁରୁତ୍ୱ ଦ୍ବିଗୁଣିତ ହୋଇଛି I
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି I
ବୈଦେଶିକ ମନ୍ତ୍ରୀ ଡ଼ ଏସ ଜୟଶଙ୍କର କହିଛନ୍ତି ଯେ, ‘ବସୁଦେବ କୁଟୁମ୍ବକମ’କୁ ସର୍ବଦା ଗୁରୁତ୍ୱ ଦେଇଛି ଭାରତ I ଯିଏ ଯେଉଁଠି ଥିଲେ ହେଁ ଭାରତମାତାର ଆକର୍ଷଣ ସେମାନଙ୍କୁ ଏଠାକୁ ଟାଣି ଆଣିଛି I ବିଦେଶରେ ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଯେଉଁ ଉତ୍କର୍ଷତା ଦେଖାଇ ସଫଳତା ପାଇଛନ୍ତି, ତାହା ପାଇଁ ଭାରତର ଟେକ ରହିଛି I
କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରୁ ଅନେକ ଶିଖିବାର ମିଳିଛି I ଏଭଳି ଆୟୋଜନ ପରେ ଉଭୟ ଭାରତ ଓ ରାଜ୍ୟ ସରକାରଙ୍କୁ ଅନେକ ଆତ୍ମବିଶ୍ୱାସ ମିଳିଛି I ‘ଆମେ ଯୁଦ୍ଧ ନୁହେଁ, ବୁଦ୍ଧର ଭାରତ ଚାହୁଁ’ ବୋଲି ନାରା ଦେଇଥିବା ପ୍ରଧାନମନ୍ତ୍ରୀ ସତରେ ବିଶ୍ୱକୁ ବଡ଼ ଶାନ୍ତିର ବାର୍ତ୍ତା ଦେଇଛନ୍ତି I
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସାରା ବିଶ୍ୱକୁ ଆକର୍ଷିତ କରିଛି I ଏହି ମାଟିର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱର ଠାକୁର I ସବୁ କ୍ଷେତ୍ରରେ ଓଡ଼ିଶା ଅଗ୍ରସର ହେଉଛି I ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ସ୍ବପ୍ନ ସାକାର ହେବାକୁ ଯାଉଛି I ଏଇଠୁ ବିକାଶର ରାସ୍ତା ପ୍ରଶସ୍ତ ହେବ I 2036 ସୁଦ୍ଧା ଓଡିଶା ହେବ ବିକଶିତ ଓଡ଼ିଶା ବୋଲି ସେ କହିଛନ୍ତି I
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ସମ୍ମିଳନୀର ଗୁରୁତ୍ୱକୁ ବଢ଼ାଇବା ସହ ମହିମାମଣ୍ଡିତ କରିଛନ୍ତି I ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ପ୍ରବାସୀ ଭାରତୀୟ ନିଜର 5 ବନ୍ଧୁଙ୍କୁ ନିଜର ମାଟିକୁ ଆଣି ଦେଖାଇବା ଉଚିତ I ଏହାଦ୍ୱାରା ଭାରତ ‘ଲୋକାଲରୁ ଗ୍ଲୋବାଲ’ ହୋଇଯିବ I ଓଡ଼ିଆ ଅସ୍ମିତା ଏବେ ନୂଆ ସୋପାନରେ ଅବତୀର୍ଣ୍ଣ ହୋଇଛି I ‘
ଏହି ଅବସରରେ 27 ଜଣ ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି I