ବରିଷ୍ଠ କର୍ମଚାରୀ ପଦୋନ୍ନତିରୁ ବଂଚିତ, ରାଜ୍ୟ ସରକାର ଗଣିବେ ଦୁଇ ଲକ୍ଷ ଟଙ୍କାର ତଣ୍ଡ
- ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ
ଭୁବନେଶ୍ୱର//TATKAL ODISHA//
ବରିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତିରୁ ବଂଚିତ କରିବାରୁ ରାଜ୍ୟ ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ତଣ୍ଡ ହେବାକୁ ହେବ I ଓଡ଼ିଶା ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି I
ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ୮ ନଭେମ୍ବର ୨୦୧୪ରେ W.P.(C) No.୨୪୩୫୭/୨୦୧୯ର (ବିଜୟ କୁମାର ମଲ୍ଲିକ ବନାମ ଓଡିଶା ରାଜ୍ୟ ସରକାରଙ୍କ ) ମାମଲାରେ ରାୟ ଦେଇ ତିନିମାସ ମଧ୍ୟରେ ଆବେଦନକାରୀଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
ମାମଲାଟିର ଆବେଦନକାରୀ ୧୯୮୫ରେ ଓପିଏସସି ପରୀକ୍ଷାରେ କନିଷ୍ଠ ସହାୟକ ପଦବୀ ପାଇଁ ଉତ୍ତୀର୍ଣ ହୋଇଥିଲେ | ପରବର୍ତ୍ତୀ ସମୟରେ ଗୃହ ବିଭାଗ ପ୍ରସ୍ତୁତ କରିଥିବା ଗ୍ରେଡେସନ ଲିଷ୍ଟରେ ବିଜୟ କୁମାର ମଲ୍ଲିକ ନ . ୨୦୮ (ଅନୁସୂଚିତ ଜାତି) ରେ ସ୍ଥାନିତ ହୋଇଥିବା ସ୍ଥଳେ ତାଙ୍କ ପ୍ରତିପକ୍ଷ ବିଶ୍ୱଜିତ ଦାସ ନ .୨୩୯ ରେ ସ୍ଥାନିତ ହୋଇଥିଲେ | ତେବେ ଗ୍ରେଡେସନ ଲିଷ୍ଟର ଉପରେ ସ୍ଥାନିତ ଶ୍ରୀ ମଲ୍ଲିକ ୨୭.୯.୯୫ ରେ ବରିଷ୍ଠ ସହାୟକ ପଦକୁ ପ୍ରୋମୋସନ ପାଇଥିବା ସ୍ଥଳେ ନିମ୍ନରେ ସ୍ଥାନିତ ଶ୍ରୀ ଦାସ ୦୪.୯.୧୯୯୩ରୁ ପ୍ରୋମୋସନ ପାଇସାରିଥିଲେ |
ପରବର୍ତ୍ତୀ ୨୦୦୩ରେ ଗୃହ ବିଭାଗ ପ୍ରସ୍ତୁତ କରିଥିବା ଗ୍ରେଡେସନ ଲିଷ୍ଟରେ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀ ମଲ୍ଲିକଙ୍କୁ ୧୧୭୬ରେ ସ୍ଥାନିତ କରିଥିବା ସ୍ଥଳେ ଶ୍ରୀ ଦାସ ଙ୍କୁ ୯୬୭ ନ .ରେ ସ୍ଥାନିତ କରିଥିଲେ |ପୁନଶ୍ଚ ୨୦୧୦ ମସିହାରେ କ୍ୟାଡର ମିଶ୍ରଣ ପରେ ଶ୍ରୀ ମଲ୍ଲିକଙ୍କୁ 397ରେ ସ୍ଥାନିତ କରିଥିବା ସ୍ଥଳେ ଶ୍ରୀ ଦାସଙ୍କୁ ୧୯୫ରେ ସ୍ଥାନିତ କରିଥିଲେ |
ତେବେ ଏହାର ଢେର ପୂର୍ବରୁ ବରିଷ୍ଠତାକୁ ନେଇ ଶ୍ରୀ ମଲ୍ଲିକ ଓ ଅନ୍ୟମାନେ ୧୯୯୬ ମସିହାରେ OATରେ OANo. ୧୮୩୭ (C)/୧୯୯୬ ମାମଲା ଦାଏର କରିଥିଲେ |କୋର୍ଟଙ୍କ ପରମର୍ଶ କ୍ରମେ ଶ୍ରୀ ମଲ୍ଲିକ ବ୍ୟକ୍ତିଗତ ରୂପେ ଆବେଦନ କରିଥିଲେ | ତେବେ ଅନେକ ସମାନ କିସମର ମାମଲା କୋର୍ଟରେ ବିଚାରାଧୀନ ଥିବା ଯୋଗୁଁ ଆବେଦନ ଟିକୁ ଝୁଲାଇ ରଖାଯାଇଥିଲା |ଶ୍ରୀ ମଲ୍ଲିକଙ୍କ ପ୍ରତି ଏତାଦୃଶ ପକ୍ଷପାତିତା ପରବର୍ତ୍ତୀ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତିରେ ରେ ମଧ୍ୟ ଜାରି ରହିଥିଲା |
ପରିଶେଷରେ ନ୍ୟାୟ ପାଇଁ ଶ୍ରୀ ମଲ୍ଲିକ ପୁଣିଥରେ ୨୦୧୫ରେ ଆଉ ଏକ ମାମଲା ଦାଏର କରି ତାଙ୍କୁ ସମସ୍ତ ସୁବିଧା ୨୪.୦୨.୧୯୯୩ ମସିହାରୁ ( ଯେଉଁ ଦିନଠାରୁ ତାଙ୍କ ଠାରୁ କନିଷ୍ଠ ଶ୍ରୀ ଦାସଙ୍କୁ ପ୍ରୋମସନ ପାଇଥିଲେ) ପ୍ରଦାନ କରିବାକୁ ନିବେଦନ କରିଥିଲେ |
ଏହି ଦୀର୍ଘ କାଳୀନ ମାମଲାଟିକୁ ସଂଜ୍ଞାନକୁ ନେଇ ମାନ୍ୟବର ଉଚ୍ଚ ଅଦାଲତ ରାୟ ଦେଇ ଏହି ମାମଲାଟିକୁ ଏକ ଅନନ୍ୟ ମାମଲା ରୂପେ ବିବେଚନା କରି ପ୍ରକ୍ରିୟାଗତ ବିଳମ୍ବ ଏବଂ ଗୃହ ବିଭାଗର ସ୍ଥାଣୁତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି |
ଯେହେତୁ ମାମଲାଟିର ସମାଧାନ ପାଇଁ ୨୯ ବର୍ଷ ପୂର୍ବକୁ ଫେରିବାକୁ ପଡିବ ଯାହାକି ଏକ ଅତି ଜଟିଳ ପ୍ରକ୍ରିୟା ତଥା ଯାହା ନ୍ୟାୟିକ ଚତୁରତାର ନୀତି ଏବଂ ସେବା ସ୍ଥିରତା ବିପକ୍ଷରେ, ଏଣୁ ଦୀର୍ଘକାଳୀନ ସମାଧାନ ହୋଇପାରିନଥିବା ଅଭିଯୋଗ ଏବଂ ଆବେଦନକାରୀଙ୍କ ବୃତ୍ତି ଅଗ୍ରଗତି ଉପରେ ପଡିଥିବା ପ୍ରଭାବ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି |
ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅପରିଣାମଦର୍ଶିତା ତଥା ଜଣେ ଅନୁସୂଚିତ ଜାତି କର୍ମଚାରୀଙ୍କ ଅଭିଯୋଗ ପ୍ରତି ଉପେକ୍ଷା ମନୋଭାବର ପରିଣତି ହେଉଛି ରାଜ୍ୟ ସରକାରଙ୍କୁ ଦୁଇ ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡୁଛି | ତେବେ ଆଶା କରାଯାଉଛି ଭବିଷ୍ୟତରେ ଗୃହ ବିଭାଗ ସମ୍ବିଧାନ ପ୍ରଦତ୍ତ ଆଇନକୁ ଅନୁପାଳନ କରିବାକୁ ଯାଇ ଜାତି , ବର୍ଣ ଓ ଧର୍ମ ନିର୍ବିଶେଷରେ ନିରପେକ୍ଷ ନୀତି ଅନୁସରଣ କରିବ ଏବଂ ରାଜ୍ୟ ସରକାରଙ୍କୁ ଅଦାଲତରେ ନିନ୍ଦିତ ତଥା ଲଜ୍ଜିତ ହେବାରୁ ନିବୃତ୍ତ ରହିବ ଓ ସଚେତନ ହେବ |