ପ୍ର.ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ନିୟମିତ ସ୍ତମ୍ବ: ‘ଭୋଜନ ରାଜନୀତି’

0

  • ଭୋଜନ ରାଜନୀତି
  • TATKAL ODISHA//ତୀର୍ଯ୍ୟକ//ସତ୍ୟେନ୍ଦ୍ର ପଟ୍ଟନାୟକ//


ବର୍ତ୍ତମାନ ଓଡ଼ିଶା ରାଜନୀତି ସରଗରମ। ସହରାଞ୍ଚଳ କର୍ପୋରେଟର ଏବଂ ମେୟର ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ରାସ୍ତାକୁ ଓହ୍ଲାଇ ପଡ଼ଛନ୍ତି। ଖବର କାଗଜରେ ବିଭିନ୍ନ ପ୍ରାର୍ଥୀମାନଙ୍କ ନିର୍ବାଚନ ଜିତିବା କଳାକୌଶଳର ଖବର ଏବଂ ଏ ସମ୍ପର୍କିତ ଫଟୋ ପ୍ରକାଶ ପାଉଛି। ସ୍ୱଭାବବଶତଃ ସକାଳୁ ଚାକପେ ଧରି ଖବର କାଗଜରେ ଆଖି ବୁଲେଇଲା ବେଳେ ଗୋଟିଏ ଫଟୋ ଉପରେ ନଜର ପଡ଼ିଲା, ଶାସକ ଦଳ ପକ୍ଷରୁ ମେୟର ପ୍ରାର୍ଥୀ କୌଣସି ଏକ ପରିବାର ସହ ପଖାଳ ଖାଉଥିବା ଚିତ୍ରରେ। ପଖାଳ ସାଙ୍ଗରେ ୨, ୪ ରକମର ଭଜା ବା ବ୍ୟଞ୍ଜନ ମଧ୍ୟ ଥିବାର ଫଟୋ ମଧ୍ୟ ଅଛି।

ଓଡ଼ିଶାରେ ଏଭଳି ଛବି ବିରଳ, ଭାରତ ବର୍ଷର ସବୁଠାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ମେୟର ଏଭଳି ଫଟୋ ଉଠାଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୁଝି ପାରିଲି ନାହିଁ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ବସ ଯୋଗେ ପାକସ୍ତାନ ଯିବା ‘ବସଡ଼ିପ୍ଲୋମାସି’ ବା ୨୦୧୧ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀଙ୍କ ସହ କ୍ରିକେଟ ବିଶ୍ୱକପ୍ ସେମିଫାଇନାଲ ଦେଖିବା ‘କ୍ରିକେଟ ଡ଼ିପ୍ଲୋମାସି’ ଭାବେ ପ୍ରଚାରିତ ହେବାଭଳି ସାଧାରଣ ଗରିବ ପରିବାର ସହ ଖାଇବାର ଫଟୋକୁ ଭୋଜନ ଡ଼ିପ୍ଲୋମାସି ବୋଲି ବିଚାର କରିବା ପାଇଁ ମେୟର ପ୍ରାର୍ଥୀ ଯଦି ଚିନ୍ତା କରୁଥାନ୍ତି ତାହାଲେ ଏହା ତାଙ୍କର ନିମ୍ନ ମାନସିକତାର ପରିଚୟ ଦେଉଛି ବୋଲି ମନେହୁଏ। ନିଛକ ଓଡ଼ିଆ ଭାଷାରେ ଏହାକୁ ଭୋଜନ ରାଜନୀତି ଛଡ଼ା ଆଉ କିଛି କୁହାଯାଇ ପାରିବ ନାହିଁ।

ପ୍ରତ୍ୟେକ ଓଡ଼ିଆ ତାଙ୍କ ଘରେ ପାଖଳ ଖାଉଛନ୍ତି କିନ୍ତୁ ଆମେ କେହି ତାର ଫଟ ବାହାର କରି ନିଜର ମହାନତା ପ୍ରକାଶ କରୁନାହିଁ। ଯଦି କୌଣସି ବିଶିଷ୍ଟ ବ୍ୟକ୍ତି ଏକ ସାଧାରଣ ବ୍ୟକ୍ତିଙ୍କ ଘରେ ପଖାଳ ଖାଉଛନ୍ତି ତା ଦ୍ୱାରା ସେ କଣ ତାଙ୍କର ମହାନତା ପ୍ରକାଶ କରୁଛନ୍ତି କି? ସେ କୌଣସି ଘରେ ପଖାଳ ଖାଇ ସେ ପରିବାରକୁ କଣ ଧନ୍ୟ କରାଇ ଦେଉଛନ୍ତି କି? ବା ଏତେ ବଡ଼ ବ୍ୟକ୍ତି ହୋଇ ପଖାଳ ଖାଇବା ଭଳି ଏକ ସାଧାରଣ କାର୍ଯ୍ୟ କରି ସେ ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛନ୍ତି କି? ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏତେ ସିଧା, ସରଳ ତଥା ନିରଡ଼ାମ୍ବର ଜୀବନରେ ବିଶ୍ୱାସ କରନ୍ତି ତାଙ୍କ ଦଳର ମେୟର ପ୍ରାର୍ଥୀ ଏଭଳି ଲୋକ ଦେଖାଣିଆ ଫଟୋ ଉଠାଇ ପଖାଳ ଖାଇ ଅନ୍ୟକୁ ଅନୁଗୃହୀତ କରିବା ଭାବଭଙ୍ଗୀ ସମଚୀନ ଲାଗୁନାହିଁ।

ଏ ବିଷୟରେ ଆଲୋଚନା କରିବାର ଅର୍ଥ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅପମାନ କରିବା ନୁହେଁ। ନିଜକୁ ମହାନ ବୋଲି ଭାବି ନିଜଠାରୁ ଅନ୍ୟକୁ ହୀନ ଭାବି ତାଙ୍କୁ କୁଣ୍ଢାଇ ପକେଇବା, ତାଙ୍କ ସହ ବସି ଖାଇବା ଏବଂ ଏସବୁର ଫଟୋ ଖବର କାଗଜ, ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଆଜିକାଲି ରାଜନୀତିର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଥିଲା ଭଳି ମନେହୁଏ। ୨୦୧୯ ଲୋକସଭା ନିର୍ବାଚନ ବେଳେ ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବା ପ୍ରାର୍ଥୀ ପୁରୀ ବଡ଼ ଦାଣ୍ଡରେ ରୋଷେଇ କରୁଥିବା ଏକ ଗରିବ ସ୍ତ୍ରୀ ଲୋକ ସହ ଖାଇବା ଫଟୋ ଦେଖାଇ ବିଜେପି ଗରିବଙ୍କ ସାଥି ବୋଲି ପ୍ରଚାର କରିବାର ଅପଚେଷ୍ଟା ଦ୍ୱାରା ନିଜ ସରକାରଙ୍କ ବିଫଳତାକୁ ସମସ୍ତଙ୍କ ସାମନାକୁ ଆଣିଥିଲେ। ରୋଷେଇ କରୁଥିବା ସ୍ତ୍ରୀ ଲୋକ ପାଖରେ ଗ୍ୟାସ ଚୁଲିନଥିଲା। ରାସ୍ତାକଡ଼ରେ ନିଜ ଘର କରିଥିବା ସ୍ତ୍ରୀ ଲୋକ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସତେ ଯେପରି ଉପହାସ କରୁଥିଲା। ଶାସକର ଗାଦିରେ ବସି ସମସ୍ତ ସୁଖ ସୁବିଧା ଉପଭୋଗ କରି ଏକ ପ୍ରାଚୁର୍ଯ୍ୟ ଭିତରେ ରହି ରାଜନେତାମାନଙ୍କୁ ଭୋଟ ବେଳେ ସାଧାରଣ ମଣିଷ ମନେପଡ଼ନ୍ତି। ନିର୍ବାଚନ ପୂର୍ବରୁ ଘରଘର ବୁଲି, ଲୋକଙ୍କ ପାଦତଳେ ମୁଣ୍ଡିଆ ମାରି, ତାଙ୍କ ଘରେ ଖାଇ ନିଜକୁ ସେମାନଙ୍କ ଦରଦୀ ବୋଲି ନଛକ ଅଭିନୟ କରି ଭୋଟ ପାଇବା ପରେ ସାଧାରଣ ମଣିଷ ଠାରୁ ଦୂରେଇ ରହିବାର କଳା ବୋଧହୁଏ ସଫଳ ରାଜନୀତି।

ନିଜକୁ ସାଧାରଣ ଲୋକ ବିଶେଷ କରି ଦଳିତ ସଂପ୍ରଦାୟ ପାଖରେ ପହଞ୍ôଚଥିବାର ଛବି ଭୋଟ ରାଜନୀତିକୁ ପ୍ରଭାବିତ କରିପାରିବ ବୋଲି ଆଶାକରି ଭାରତୀୟ ଜନତା ପାର୍ଟି ତାହାର ନେତାମାନଙ୍କୁ ଦଳିତମାନଙ୍କ ଘରେ ଖାଇବା ପାଇଁ ପରାମର୍ଶ ଦେବା ପଛର ରାଜନୀତିକୁ ‘ଆଉଟ୍‌ରିଚ’ ପ୍ରୋଗ୍ରାମ୍ ଭାବେ ଅଗ୍ରାଧିକାର ଦେଇଛି। କେବଳ ଭାରତୀୟ ଜନତା ପାର୍ଟି ନୁହେଁ କଂଗ୍ରେସ ମଧ୍ୟ ଏ ନୀତି ଆପଣାଇ ଥିବାର ଉଦାହରଣ ଅଛି। ରାହୁଳ ଗାନ୍ଧୀ ଏକ ଦଳିତ ଘରେ ସେମାନଙ୍କ ସହ ଆଖିପିଆ କରି ରାତ୍ରୀଯାପନ କରିବା ଏକଦା ମୁଖ୍ୟ ଖବର ହୋଇଥିଲା। ସାଧାରଣ ଜନତାମାନଙ୍କ ପାଇଁ କାରାବରଣ କରି, ବ୍ରିଟିଶ ଜେଲରେ ନିର୍ଯ୍ୟାତିତ ହୋଇଥିବା ନେତାମାନେ କଣ କେବେ ତାର ଫଟୋ ଉଠାଇ ଖବର କାଗଜରେ ପ୍ରଚାର କରିଥିଲେ କି? ସେମାନଙ୍କ ବ୍ୟକ୍ତିତ୍ୱ ସେମାନଙ୍କ ପରିଚୟ ଥିଲା। ନିଜ ସନ୍ତାନକୁ ଅସୁସ୍ଥ ଅବସ୍ଥାରେ ଛାଡ଼ି ଆନ୍ଦୋଳନରେ ଯୋଗଦେଇଥିବା ଗୋପବନ୍ଧୁ ଦାଶ କେବେ ବି ତାଙ୍କ ଚରିତ୍ରର ଏହି ଦିଗକୁ ପଚାର କରି ନଥିଲେ। ଆଜିର ପ୍ରଚାର ସର୍ବସ୍ୱ ନେତାମାନଙ୍କର ରାଜନୈତିକ ଅଧୋପତନକୁ ଏହା ସ୍ପଷ୍ଟ ଦର୍ଶାଉଛି। ଏହି ଅଧୋପତନ କେବେ ଠାରୁ ଆରମ୍ଭ ହେଲା ତାର ବିଶ୍ଲେଷଣ ଜରୁରୀ।

ମଣ୍ଡଳ ପର ରାଜନୀତିରେ ରାଜନୈତିକ ଦଳମାନେ ନିଜର ଭୋଟବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ନିଜ ନିଜକୁ ଦଳିତ ହିତୈଷୀ ଭାବେ ପ୍ରଚାର କରିବାକୁ ଲାଗିଲେ। ବହୁବର୍ଷ ଧରି ଶୋଷିତ, ଅବହେଳିତ, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଦୁର୍ବଳ ଦଳିତ ସମାଜକୁ ହଠାତ ସବଳ କରିବା ପାଇଁ ଚେଷ୍ଟା କରୁଥିବା କଥା ସବୁ ଦଳ ବିଭିନ୍ନ ମାଧ୍ୟମରେ ପ୍ରଚାର କରିବାକୁ ଚାହିଁଲେ। ନେତାମାନେ ଦଳିତମାନଙ୍କ ଘରେ ସେମାନଙ୍କ ବାସନରେ ଖାଇବାର ଫଟୋ ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା। କିନ୍ତୁ କେବେ କୌଣସି ଦଳିତ କୌଣସି ନେତାଙ୍କ ଘରେ ଖାଇବାର ଫଟୋ ଆଜିପର୍ଯ୍ୟନ୍ତ ଦେଖାଯାଇାନହିଁ। ସତରେ କଣ ନେତାମାନେ ଗରିବ, ଅବହେଳିତ ଦଳିତମାନଙ୍କ ଘରେ ରନ୍ଧା ଯାଇଥିବା ଖାଦ୍ୟ ଖାଉଥିବା ଚିତ୍ର କେହି ଦେଖିଛନ୍ତି। ନିର୍ବାଚନ ପୂର୍ବରୁ ହଠାତ ଦଳିତମାନଙ୍କ ଘରକୁ ଯାଉଥିବା ନେତାମାନଙ୍କ ବିଷୟରେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଥିବା ମୋଦୀ ମନ୍ତ୍ରୀମଣ୍ଡଳର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ ଏହାକୁ ଦଳିତ ପର୍ଯ୍ୟଟନ ବୋଲି କହିଥିଲେ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀ ମଣ୍ଡଳରେ ଆଖୁ ମନ୍ତ୍ରୀ ସୁରେଶ ରାଣା ଏହି ଭଳି ଜଣେ ଦଳିତଙ୍କ ଘରେ ଖାଇବାକୁ ବସିଥିବା ଫଟୋ ବହୁଳ ପ୍ରଚାରିତ ହୋଇଥିଲା। ସୁରେଶ ରାଣାଙ୍କ ଦଳିତ ପ୍ରେମ ଯୋଗୁଁ ନୁହେଁ ବରଂ ଦଳିତଙ୍କ ଘରେ ନିଜ ଘରୁ ଆସିଥିବା ଖାଦ୍ୟ ଓ ପାଣି ନିଜ ବାସନରେ ଖାଉଥିବା ହେତୁ ବହୁଳ ପ୍ରଚାରିତ ହୋଇଥିଲା। ପଶ୍ଚିମ ବଙ୍ଗ ନିର୍ବାଚନ ବେଳେ ଭାରତର ଗୃହମନ୍ତ୍ରୀ ଆମିତ ଶାହା ଜଣେ ଆଦିବାସୀଙ୍କ ଘରେ ତାଙ୍କ ସାଙ୍ଗସାଥୀଙ୍କୁ ଧରି ଖାଇବାର ଫଟୋ ବହୁଳ ପ୍ରଚାରିତ ହୋଇଥିଲା। ଏହାକୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ, ଶାହାଙ୍କର ‘ଶୋ ବାଜି’ ବୋଲି କହିଥିଲେ କାରଣ ଶାହା ଯିବା ପୂର୍ବରୁ ସେହି ଆଦିବାସୀଙ୍କ ଘର ସାନିଟାଇଜ କରାଯାଇଥିଲା ଏବଂ ଶାହା ଖାଉଥିବା ଖାଦ୍ୟ ସହରର ଏକ ପଞ୍ଚତାରକା ହୋଟେଲରୁ ଅଣାଯାଇଥିବା କଥା ମମତା ବାନାର୍ଜୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଯଦି ସତ୍ୟ ହୋଇଥାଏ ତା ହେଲେ ସାଂଘାତିକ। କିନ୍ତୁ ଏ ଘଟଣା ମିଛ ହୋଇଥିଲେ ପ୍ରଶ୍ନ ଉଠେ ଯାହା ଘରେ ଗୃହମନ୍ତ୍ରୀ ଖାଦ୍ୟ ଖାଇଲେ ସେ ଏତେ ପରିମାଣର ବାସୁମତି ଚାଉଳର ଭାତ, ପୋସ୍ତ (ଯାହା କେଜି ୨୦୦୦ ଟଙ୍କା) ବରା, ପନିପରିବା ଆଣିଲେ କେଉଁଠୁ। ସେଠାରେ ରାନ୍ଧିବା ପାଇଁ ତାଙ୍କୁ ନିଶ୍ଚୟ ଏ ସବୁ ଯୋଗାଇ ଦିଆଯାଇଥିବ ବା ଗୃହସ୍ୱାମୀ ନିଶ୍ଚୟ ସ୍ୱଚ୍ଛଳ ଥିଲେ। ଏହା ଦ୍ୱାରା ଅବଶ୍ୟ ଗୋଟିଏ ଭଲ ଜିନିଷ ହୋଇଥିଲା, କାରଣ ନେତାମାନଙ୍କ ପାଇଁ ରୋଷଇ କଲାବେଳେ ଦଳିତ ଏବଂ ଗରିବ ଗୃହସ୍ୱାମୀ ଅନ୍ତତଃ ସେହିଦିନ ଟିକେ ଭଲ ଖାଇଥିବେ।

ଗରିବଙ୍କ ଘରେ ଖାଇବା ବା ଦଳିତଙ୍କ ପ୍ରତି ସହାନୁଭୁତି ଦେଖାଇବା ଏକ ପ୍ରତୀକ ବାଦ (ବୋର୍କେନିଜମ୍‌)। କାରଣ ପ୍ରକୃତରେ ଉଦ୍ଦେଶ୍ୟ ଭୋଟ ପାଇବା ପାଇଁ ଏହା ଏକ ପ୍ରଚାର। କୌଣସି ନେତା ସେମାନେ ଖାଇଥିବା ଘରର ଗୃହସ୍ୱାମୀଙ୍କ ନାଁ ମଧ୍ୟ ଜାଣିନଥିବେ ବା ଜାଣିଥିଲେ ବି ମନେ ରଖିନଥିବେ। ଏହା ଏକ ନିଛକ ପ୍ରଚାର। ପୁରୁଷୋତ୍ତମ ରାମଚନ୍ଦ୍ର ଶବରୀ ହାତରୁ ଖାଇଥିବା ଅଇଁଠା କୋଳି ଓ ଆଜିର ତଥାକଥିତ ରାଜାମାନେ (ନେତା) ଗରିବ, ଦଳିତ ଘରେ ଖାଇବା ମଧ୍ୟରେ ଆକାଶ ପାତଳ ଫରକ। ନିଜକୁ ଏକ ଉଚ୍ଚ ଆସନରେ ରଖି କାହାଘରେ ଖାଇ ତାକୁ ଧନ୍ୟ କରିଦେବା ବୋଲି ଭାବୁଥିବା ନେତାମାନେ ସଂକୀର୍ଣ୍ଣ ମନୋଭାବାପନ୍ନ। ନିର୍ବାଚନ ଜିତିବା ପାଇଁ ଏହା ଏକ ନୂତନ ପନ୍ଥା ଭୋଜନ ରାଜନୀତି।

SATYENDRA PATNAIK //

 (English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)

MOB: 94370 41465


Leave A Reply

Your email address will not be published.