ପ୍ର. ସତ୍ୟେନ୍ଦ୍ର ପଟ୍ଟନାୟକଙ୍କ ସ୍ତମ୍ବ-4 : “ହରେକମାଲ ମାଗଣା”

0
  • TATKAL ODISHA //ନିୟମିତ ସ୍ତମ୍ବ//ତୀର୍ଯ୍ୟକ//


*ଡ଼ଃ ସତ୍ୟେନ୍ଦ୍ର ପଟ୍ଟନାୟକ


ଗଣତନ୍ତ୍ରର ସଂଜ୍ଞା ଆଜି ବଦଳିଯାଇଛି। ନେତାମାନଙ୍କ ପାଇଁ ଏହାର ଅର୍ଥ ଅଲଗା ଓ ସାଧାରଣ ଜନତାମାନଙ୍କ ପାଇଁ ଏହାର ଅର୍ଥ ଅଲଗା। ଜନତାର ବର୍ଗୀକରଣ ହୋଇଯାଇଛି। ଗରିବୀ ରେଖାର ଉପରେ ଏବଂ ଗରିବୀ ରେଖାର ତଳେ। ଏହି ଗରିବୀ ରେଖା ସମୟ ସମୟରେ ବଦଳି ମଧ୍ୟ ଯାଉଛି। ଏହି ଜନତାମାନଙ୍କ ମଧ୍ୟରେ ମଧ୍ୟବିତ୍ତ ଶ୍ରେଣୀ ଆସୁନାହିଁ।

ନେତାମାନଙ୍କ ପାଇଁ ଗଣତନ୍ତ୍ର ‘ଜନତାଙ୍କ ପାଇଁ କିନ୍ତୁ ଜନତାଙ୍କ ଦ୍ୱାରା ନୁହେଁ’ ଏବଂ ଜନତା ପାଇଁ ଗଣତନ୍ତ୍ର ‘ନେତାମାନଙ୍କ ପାଇଁ ଓ ନେତା ମାନଙ୍କ ଦ୍ୱାରା’ ।

ଆବ୍ରାହମ ଲିଙ୍କନ୍‌ଙ୍କ ଦ୍ୱାରା ଦିଆଯାଇଥିବା ସଂଜ୍ଞା ‘ଅଫ ଦି ପିଉପୁଲ ବାଇ ଦି ପିଉପୁଲ ଏବଂ ଫର ଦି ପିଉପୁଲ’ ଆଜି ଯେମିତି ବଦଳି ଯାଇଛି । ଗୋଟିଏ ଲୋକ ଗୋଟିଏ ଭୋଟ ପଦ୍ଧତିରେ ହେଉଥିବା ନିର୍ବାଚନ ଗଣତନ୍ତ୍ରର ଏକ ବଡ଼ ଉପଲବ୍‌ଧି କିନ୍ତୁ ବର୍ତ୍ତମାନର ବଜାର ଅର୍ଥନୀତିରେ ଲୋକମାନେ ବସ୍ତୁରେ ପରିଣତ ହୋଇଯାଇଛନ୍ତି ଯାହାର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ନିର୍ବାଚନ ଲଢ଼ୁଥିବା ପାର୍ଟି ଏବଂ ପ୍ରାର୍ଥୀମାନେ। ଜଣ ପିଛା ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ହିସାବରେ ପରିବାର ପିଛା କେତେ ହେବ ପ୍ରାର୍ଥୀମାନେ ବିଚାର କରୁଛନ୍ତି। ଦରମା ସହ ଭତ୍ତା ଭଳି ଅର୍ଥ ସହ ସାମୂହିକ ଭୋଜି, ପରିବାର ପାଇଁ ମାଛମାଂସ ନିର୍ବାଚନ ପୂର୍ବରୁ ଘରେ ଘରେ ବଣ୍ଟାଯାଉଛି।
ସଂପ୍ରତି ଶେଷ ହୋଇଥିବା ପଞ୍ଚାୟତ, ପୌର ନିର୍ବାଚନରେ ଏହାର ବହୁଳ ପ୍ରଚଳନ ଦେଖାଯାଇଥିଲା।

ପ୍ରଶ୍ନ ଉଠୁଛି ଏ ସମ୍ପର୍କରେ କେହି ପ୍ରତିବାଦ କରୁନାହାନ୍ତି କାହିଁକ? ଅନୁଗ୍ରହ ପାଉଥିବା ଲୋକମାନେ ୫ ବର୍ଷ କଷ୍ଟରେ ରହି ନିର୍ବାଚନ କେତେ ଦିନ  ଟିକେ ଭଲରେ ରହିବେ ବୋଲି କିଛି କହନ୍ତି ନାହିଁ ଏବଂ ପ୍ରତିଦଳ ଓ ପ୍ରତି ପ୍ରାର୍ଥୀ ଏହା କରୁଥିବାରୁ ‘ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁ ପାଇଁ ଧୋଇବା’ ନ୍ୟାୟରେ ଏ ସମ୍ପର୍କରେ ମୁହଁ ଖୋଲ ନାହାନ୍ତି । ବିଧାନ ସଭା ଏବଂ ଲୋକସଭା ନିର୍ବାଚନରେ ଏହାଠାରୁ ଟିକେ ବଡ଼ ଆକାରରେ ହୁଏ ଏବଂ ଏ ସମୟରେ ବିଭିନ୍ନ ରାଜନୈତିକ ଦଳ ‘ହରେକମାଲ ମାଗଣା’ର ପ୍ରତିଶ୍ରୁତି ଦିଅନ୍ତି।

ମାଗଣା ବିଜୁଳି, ପାଣି, ମାସିକ ଭତ୍ତା, ସ୍ମାର୍ଟଫୋନ, ଲାପଟପ୍‌, ସାଇକେଲ, ସ୍କୁଟିଠାରୁ ଆରମ୍ଭ କରି ରିହାତି ଦରରେ ଟଙ୍କାଏ ବା ଦୁଇଟଙ୍କାରେ ଚାଉଳ, ମାଗଣା ତେଲ, ମସଲା ଇତ୍ୟାଦିର ପ୍ରତିଶ୍ରୁତିରେ ସାଧାରଣ ଲୋକ ପ୍ରଭାବିତ ହୋଇ ଭୋଟ ଦେଇ ନିର୍ବାଚନ କରନ୍ତି ଲୋକ ପ୍ରତିନିଧି ଏବଂ ଭୋଟ ପାଇଲା ପରେ ବିଜୟୀ ପ୍ରାର୍ଥୀ ବା ଦଳ ଏହା ଗଣତନ୍ତ୍ରର ବିଜୟ ବୋଲି କହିଥାନ୍ତି। ସବୁ ଜନିଷ ମାଗଣା ଦେବା ପାଇଁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳମାନେ ଦେଶର ପ୍ରଗତି ଏବଂ ଅର୍ଥନୈତିକ ବିକାଶ ପାଇଁ କବର ଖୋଳୁନାହାନ୍ତି କି? ସର୍ବୋଚ୍ଚ ନ୍ୟାୟାଳୟରେ ଏହି ନିର୍ବାଚନରେ ମାଗଣା ଜନିଷ ଦେବାର ପ୍ରତିଶ୍ରୁତି ବିରୋଧରେ ଦାୟର କରାଯାଇଥିବା ଏକ ଯାଚିକା ଉପରେ ମୁଖ୍ୟ ନ୍ୟାୟାଧୀଶ ମାନନୀୟ ଶ୍ରୀ ରମଣା ଏହା ଏକ ଗମ୍ଭୀର ବିଷୟ ବୋଲି ବର୍ଣ୍ଣନା କରିବା ସହ ଏହି ପ୍ରତିଶ୍ରୁତି  ଦେଶର ବଜେଟଠାରୁ ମଧ୍ୟ ବୋଶୀ ବୋଲି କହିଛନ୍ତି। ଏସ୍ ସୁବ୍ରମଣ୍ୟମ ବାଲାଜୀ ଏବଂ ତାମିଲନାଡ଼ୁ ସରକାରଙ୍କ ୨୦୧୩ ମାମଲାରେ ଏହା ଯୁକ୍ତିସଂଗତ ନୁହେଁ ତଥା ଏହା ଏକ ‘ଦୁର୍ନୀତି ଗ୍ରସ୍ତ ପ୍ରାକ୍ଟିସ୍‌’ କହିବା ସହ ଏହାକୁ ବିନା ରାଜ୍ୟ ସରକାରଙ୍କ ସହଯୋଗ ଦ୍ୱାରା ବନ୍ଦ କରାଯାଇ ପାରିବ ନାହିଁ ବୋଲି ମତ୍ୟବ୍ୟକ୍ତ କରିଛନ୍ତି । ଯଦିଓ ଏହାକୁ ବନ୍ଦ କରିବା ପାଇଁ ବା ଏହା ଉପରେ ପ୍ରତ୍ୟକ୍ଷ ରୂପରେ କଟକଣା ଜାରି କରାଯାଇ ପାରିବ ନାହିଁ ତଥାପି ନିର୍ବାଚନ କମିଶନ ମାନ୍ୟତା ପ୍ରାପ୍ତ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ଏ ସମ୍ପର୍କରେ କିଛି କରିପାରିବେ।

ମାଗଣା ଚାଉଳଠାରୁ ଆରମ୍ଭ କରି ମାଗଣା ଲାପଟପ ପର୍ଯ୍ୟନ୍ତ କୌଣସି ଜିନିଷ ମାଗଣା ନୁହେଁ ବୋଲି ଜନସାଧାରଣ ବୁଝିବା ଉଚି଼ତ। ଅର୍ଥନୀତିରେ କୌଣସି ଜିନିଷ ମାଗଣା ନୁହେଁ, ଆଜି ନ ହେଲେ କାଲି ଏହା ଟିକସ ମାଧ୍ୟମରେ ଆଦାୟ କରାଯିବ। ଏହି ମତ ପ୍ରକାଶ କରି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ମିଲଟନ୍ ଫ୍ରାଏଡ଼ମାନ ତାଙ୍କ ବହି There is no such thing as free lunch’ରେ ଲେଖିଛନ୍ତି ଯେ ଯେତେବେଳ ସରକାର ମାଗଣା ଉପହାର ବିତରଣ କରନ୍ତି, ଜନ ସାଧାରଣ ଏଥିପାଇଁ ପଇସା ଦିଅନ୍ତି। କେବଳ ଧନୀ ବର୍ଗ ନୁହେଁ ଅଧିକାଂଶ ସମୟରେ ଗରିବ ଲୋକମାନେ ଏହି ମାଗଣା ଜନିଷ ପାଇଁ ସବୁଥିରେ ଟିକସ ଦିଆନ୍ତି। ଏ ବିଷୟରେ ବେଶୀ କିଛି ଆଲୋଚନା କରିବା ପୂର୍ବରୁ ଏହି ମାଗଣା / ଟଙ୍କିକିଆ ଚାଉଳର ପୃଷ୍ଠଭୂମି ବିଷୟରେ ଜାଣିବା ଦରକାର।ଶସ୍ତା ଚାଉଳ ହେଉ ବା ମାଗଣା ଟି.ଭି. ବା ଋଣଛାଡ଼ ଭଳି ବହୁ ଲୋକପ୍ରିୟ ଯୋଜନା ତାମିଲନାଡ଼ୁ ପ୍ରଦେଶରୁ ପ୍ରଥମେ ଆରମ୍ଭ ହୋଇଥିଲା।

୧୯୫୪ରୁ ୧୯୬୩ ମଧ୍ୟରେ  କାମରାଜ ମୁଖ୍ୟମନ୍ତ୍ରୀ ଥିଲାବେଳେ ପ୍ରତି ବିଦ୍ୟାଳୟରେ ମାଗଣା ଶିକ୍ଷା ଓ ମାଗଣା ଭୋଜନର ବ୍ୟବସ୍ଥାରୁ ହିଁ ପରବର୍ତ୍ତୀ ସମୟରେ ଏହି ‘ମାଗଣା ବ୍ୟାଧି’ ସମସ୍ତ ରାଜନୈତିକ ଦଳକୁ ସଂକ୍ରମିତ ହୋଇଯାଇଥିଲା। ତାମିଲନାଡ଼ୁରେ ଡ଼ିଏମକେ ଦଳର ପ୍ରତିଷ୍ଠାତା ସି. ଏନ. ଆନାଦୁରାଇ ଏକ ଟଙ୍କାରେ ସାଢ଼େ ୪ କିଲୋ ଚାଉଳ ସୁଲଭ ରାସନ ମାଧ୍ୟମରେ (ପିଡ଼ିଏସ୍‌) ଦେବା ପାଇଁ ଘୋଷଣା କରିବା ଦ୍ୱାରା ନିର୍ବାଚନ  ଜିତିଥିଲେ। ସମଗ୍ର ଦେଶରେ ଭୀଷଣ ଖାଦ୍ୟ ସମସ୍ୟା ଦେଖାଦେଇଥିବା ବେଳେ ୧୯୬୭ ରେ ଏହି ଟଙ୍କିକିଆ ଚାଉଳ ହେତୁ କଂଗ୍ରେସକୁ ପରାଜୟ କରି ଡ଼ିଏମକେ ଶାସନ ହାତେଇଥିଲା । ପରବର୍ତ୍ତୀ ସମୟରେ ଡ଼ିଏମ୍‌କେ ୨୦୧୧ରେ ଏଆଇଡ଼ିଏମ୍‌କେ ତରଫରୁ ସୁଶ୍ରୀ ଜୟଲଳିତା ମାଗଣା ମିକ୍ସର – ଗ୍ରାଇଣ୍ଡର ଦେବା ପାଇଁ ତାଙ୍କ ଦଳ ମୁଖପତ୍ରରେ ଘୋଷଣା କରିଥିଲେ। ୨୦୦୩ରେ ପ୍ରଥମ ଥର ପାଇଁ  ଜୟଲଳିତା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ, ମାଗଣା ବହିପତ୍ର ଏବଂ ୟୁନିଫର୍ମ ବାଣ୍ଟିବା ପାଇଁ ଯୋଜନା କରିଥିଲେ। କେବଳ ସେତିକି  ନୁହେଁ ତଫସିଲଭୁକ୍ତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଝିଅ ପିଲାମାନଙ୍କ ପଢ଼ିବା ପାଇଁ ୩ୟ ଶ୍ରେଣୀରୁ ୫ମ ଶ୍ରେଣୀ ପିଲାମାନଙ୍କୁ ୫୦୦ ଏବଂ ଗାଁ ଗହଳରେ ପଢ଼ୁଥିବା ଝିଅମାନଙ୍କ, ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୧୦୦୦ ଟଙ୍କା ଏବଂ ସାନିଟାରୀ ନାପକିନ ଦେବା ନିଶ୍ଚିତ ଭାବରେ ଏକ ବଳିଷ୍ଠ ପଦକ୍ଷେପ ଥିଲା କିନ୍ତୁ ବିପିଏଲ ଶ୍ରେଣୀଭୁକ୍ତ ମହିଳାମାନଙ୍କୁ ବାହା ହେବା ପାଇଁ ୨୦ ହଜାର ଟଙ୍କା ସହ ୨ ଗ୍ରାମ ଲେଖାଏଁ ସୁନା ମଙ୍ଗଳସୂତ୍ର ପାଇଁ ଦେବା ଏ ସଂକ୍ରାନ୍ତରେ ଦୁର୍ନୀତିକୁ ନିଶ୍ଚୟ ଉଜାଗର କରୁଛି । ସବୁ ମାଗଣା ଦେବା ନିଶ୍ଚତ ସାମାଜିକ – ଅର୍ଥନୈତିକ  ଭାବେ ଗୁଣାତ୍ମକ ଜୀବନ ଯାପନ ପାଇଁ ଏକ ଛୋଟ ପଦକ୍ଷେପ ହୋଇପାରେ କିନ୍ତୁ ଏହା ଦ୍ୱାରା ଅର୍ଥନୈତିକ ବୋଝ ସମାଜ ଉପରେ ମଧ୍ୟ ପଡ଼ିଥାଏ।

ଭୋଟ ପାଇବା ପାଇଁ ସୁବକିଛି ମାଗଣା ଦେବା କଥା ଉଣାଅଧିକେ ସବୁ ରାଜନୈତିକ ଦଳମାନେ ଆପଣାଉଛନ୍ତି। ସଂପ୍ରତି ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ ସରକାରୀ ମାଗଣା ତଥା ବହୁକମରେ ଜନିଷ ପାଉଥିବା ଏକ ବିଶାଳ ବର୍ଗଙ୍କୁ ‘ଲାଭାର୍ଥୀ’ ଜାତି ଭାବେ ବିଚାର କରି ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ବହୁ ଭୋଟରେ ଶାସନ ହାତେଇଛି। ଲୁଣଠାରୁ ଆରମ୍ଭ କରି ତେଲ, ଚାଉଳ ପ୍ରଭୃତି ସବୁ ଯୋଗାଇ ଦେଇ ଭୋଟରମାନଙ୍କୁ ପ୍ରଭାବିତ କରାଯାଇଛି। ଯଦିଓ ଏହାକୁ ସରକାର ଦ୍ୱାରା ‘ଜନକଲ୍ୟାଣ’ ବା ‘ସାମାଜିକ ସୁରକ୍ଷା’ ବୋଲି ଘୋଷଣା କରାଯାଉଛି ତଥାପି ଏହା ପାଇଁ ଅର୍ଥ ଭାରତବର୍ଷର ସବୁ ବର୍ଗର ଲୋକମାନେ ଟିକସ୍ ହିସାବରେ ଦେଉଛନ୍ତି କିନ୍ତୁ ଲାଭାର୍ଥୀମାନଙ୍କ ମନରେ ଏହା ଶାସକ ବର୍ଗ ତରଫରୁ ଲୋକମାନଙ୍କୁ ଦାନ ବୋଲି ପ୍ରଚାର କରାଯାଇଛି। ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ଲୋକମାନେ ଆମର ଲୁଣ ଖାଇଛନ୍ତି ତେଣୁ ଆମକୁ ଭୋଟ ଦେବା କହିବା ବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଛବିଥିବା ମୁଣିରେ ଚାଉଳ ଦେବା ନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିଛି।

କେବଳ ଉତ୍ତର ପ୍ରଦେଶ ନୁହେଁ ଆମ୍‍ ଆଦମୀ ପାର୍ଟି ପଞ୍ଜାବରେ ପ୍ରତ୍ୟେକ ସ୍ତ୍ରୀ ଲୋକମାନଙ୍କୁ ମାସିକ ୧୦୦୦ ଟଙ୍କା ଦେବା କଥା କହିଥିଲା ବେଳେ ଶିରୋମଣୀ ଅକାଳି ଦଳ ମାସିକ ୨୦୦୦ ଟଙ୍କା ପେନ୍‌ସନ୍ ଦେବା କଥା ଘୋଷଣା କରିଥିଲା ଏବଂ କଂଗ୍ରେସ୍ ୨୦୦୦ ଟଙ୍କା ସହ ୮ଟି ଗ୍ୟାସ୍ ସିଲିଣ୍ଡର, କଲେଜ୍ ପଢ଼ୁଆ ଝିଅଙ୍କୁ ସ୍କୁଟି ମାଗଣା ଦେବା ମଧ୍ୟ ଘୋଷଣା କରିଥିଲା। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ୩୦୦ ୟୁନିଟ୍ ବିଜୁଳି ଏବଂ ପ୍ରତ୍ୟେକ ମହିଳାଙ୍କୁ ୧୫୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିଲା।
ପଶ୍ଚିମ ବଙ୍ଗ ଓ ତାମିଲନାଡ଼ୁରେ ‘ମା, କ୍ୟାଣ୍ଟିନ’, ‘କନ୍ୟାଶ୍ରୀ’, ‘କୃଷକ ବନ୍ଧୁ’, ‘ମାଗଣା ୱାସିଙ୍ଗ ମେସିନ୍‌’, ‘ମାଗଣା ଘର’, ‘ମାଗଣା ଲାପଟପ’, ଓଡ଼ିଶାରେ ଟଙ୍କିକିଆ ଚାଉଳ, ‘କାଳିଆ ଯୋଜନା’  ମଧ୍ୟ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟବୀମା ଭଳି ଯୋଜନା ମଧ୍ୟରୁ ଶିକ୍ଷା, କୃଷି ଏବଂ ସ୍ୱାସ୍ଥ୍ୟ ପାଇଁ କରାଯାଉଥିବା ଖର୍ଚ୍ଚ ପ୍ରତ୍ୟେକ ସରକାରଙ୍କ ସାମାଜିକ ଦାୟିତ୍ୱ ହୋଇଥିବା ବେଳେ ବାକି ସବୁ ଲୋକମାନଙ୍କୁ ପରିଶ୍ରମ କାତର କରି ଦେଉଛି।
ଅଯୌକ୍ତିକ ଭାବେ ଏହି ‘ମାଗଣା ସଂସ୍କୃତି’କୁ ସୁପ୍ରିମ କୋର୍ଟ ‘ତମାସା’ ବୋଲି ବର୍ଣ୍ଣନା କରି ଏହା ଚାଲି ଆସିଛି ଏବଂ ଲୋକଙ୍କ ପଇସା ଖର୍ଚ୍ଚ କରି ଏହା କାହିଁକି ଚାଲିଛି ବୋଲି ମୁଖ୍ୟ ନ୍ୟାୟାଧିଶ ଏନ. ଭି. ରମଣା, ନ୍ୟାୟାଧୀଶ ଏ. ଏସ୍‌. ବୋପନ୍ନା ଏବଂ ନ୍ୟାୟାଧୀଶ ହିମାଳୋହଲି କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନକୁ  ନୋଟିସ ଜାରିକରିଛନ୍ତି। ଏ ସବୁ ମାଗଣା ଯୋଜନା ପାଇଁ ଦେଶ ଅର୍ଥନୀତିକୁ ଦୁର୍ବଳ କରିବା ସହ ମନରେ ସ୍ୱତଃ ଏକ ପ୍ରଶ୍ନ ଉଠାଏ, ଏଥିପାଇଁ ଅର୍ଥ ଦିଏ କିଏ। ଏଥିପାଇଁ ଆମେ ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଟିକସ୍‌ର ବୋଝ ବୋହୁଥାନ୍ତି। ସବୁ ଜନିଷ ମାଗଣା ପାଇବା ଆଶାରେ, ଟଙ୍କିକିଆ ଚାଉଳ ପାଇବା ହେତୁ ସାଧାରଣ କର୍ମଠ ଏବଂ ଖଟିଖିଆ ମଣିଷ ଅଳସୁଆ ହୋଇଯାଉଥିବା ଯୋଗୁ କିଛି କାମ କରୁ ନାହାନ୍ତି । ଏଥିପାଇଁ ଗାଁ ଗହଳରେ ସବୁ ସମୟରେ ଲୋକମାନେ ତାସ ପାଲି ନେଇ ବସିବା ପସନ୍ଦ କରୁଛନ୍ତି। ସେଥିପାଇଁ କଥାରେ ଅଛି, ଜଣକୁ ଦିନେ ମାଛ ଦେଇ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ମାଛଧରା ଶିଖେଇ ଦେଲେ ସେ ସାରା ଜୀବନ ମାଛ ଧରି ଖାଇବା କୌଶଳ ଜାଣି ପାରିବ । ସେହିଭଳି କାମଧନ୍ଦା ନକରି ଘରେ ବସି ମାଗଣା ଚାଉଳ ଖାଇବା ଅପେକ୍ଷା ରୋଜଗାର କରି ସ୍ୱାବଲମ୍ବୀ ହେବା ପାଇଁ  ଆମ ରାଜନେତାମାନେ ଜନସାଧାଣଙ୍କୁ ଶିଖାଇବା ଉଚତ ନୁହେଁ କି? ଏତଦ୍ ବ୍ୟତୀତ ନିର୍ବାଚନ ପୂର୍ବରୁ ସବୁ ଜିନିଷ ମାଗଣା ଦେବାର ପ୍ରତିଶୃତି ଭୋଟରଙ୍କୁ ଲାଞ୍ଚ ଦେବା ଭଳି ନୁହେଁ କି? ଏହା ଦ୍ୱାରା ନିର୍ବାଚନର ନିରପକ୍ଷତା ଏବଂ ଏହାର ମର୍ଯ୍ୟାଦା ହାନୀ ହେବା ସହ ଏହା ସମ୍ବିଧାନ ଧାରା ୧୪, ୧୬୨, ୨୬୬ (୩) ଏବଂ ୨୫୨କୁ ଉଲ୍ଲଘନ କରୁନାହିଁ କି?


 ଯଦିଓ ରାଜନୈତିକ ଦଳମାନେ ଏଭଳି ‘ମାଗଣା ପ୍ରକଳ୍ପ’କୁ ଠିକ୍ ବୋଲି ଭାବୁଛନ୍ତି ତଥାପି ସାମାଜିକ ସୁରକ୍ଷା ଓ ଲୋକପ୍ରିୟ ମାଗଣା ଯୋଜନା ମଧ୍ୟରେ ଭାରସାମ୍ୟ ରହିବା ନିଶ୍ଚିତ ଭାବରେ ଆବଶ୍ୟକ।

ଦି ଟାଇମସ ଅଫ୍ ଇଣ୍ଡିଆ ସମ୍ବାଦପତ୍ରରେ ସ୍ୱାମୀନାଥନ ଆୟାର ତାଙ୍କ ବ୍ଲଗରେ ଲେଖିଥିବା ‘ଡ଼ାର୍କ ସିକ୍ରେଟ’ କଥା ଉଲ୍ଲେଖ କରି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ତାଙ୍କ ମତ ଅନୁସାରେ ଏହି ସବୁ ମଗାଣା ଯୋଜନା ପାଇଁ ଅର୍ଥ ପ୍ରମୁଖତଃ ମଦ ବିକ୍ରିରୁ ଆସିଥାଏ। ଯଦିଓ ପ୍ରତିରାଜ୍ୟ ସମ୍ପୂର୍ଣ୍ଣ ନିଶା ନିବାରଣ ଚାହାନ୍ତି, ତଥାପି ସେମାନେ ପରୋକ୍ଷରେ ମଦ ବିକ୍ରିକୁ ପ୍ରୋତ୍ସାହନ ଦିଅନ୍ତି କାରଣ ଏହା ବ୍ୟତୀରେକେ ନିଜର ମଗାଣା ସ୍କିମ୍ ଚଳେଇବା ପାଇଁ ସେମାନେ ଯଥେଷ୍ଟ ଅର୍ଥରାଶି ପାଇବେ ନାହିଁ। ଯଦିଓ ସେ ତାମିଲନାଡ଼ୁ ସନ୍ଦର୍ଭରେ ଏହା କହିଥିଲେ ତଥାପି ମୋଟାମୋଟି ଭାବରେ ପ୍ରତିଟି ରାଜ୍ୟ ଏ ସବୁ ଅର୍ଥ ଯୋଗାଡ଼ କରିବା ପାଇଁ ଏଭଳି କିଛି କାମ କରିଥାନ୍ତି, ନଚେତ ସବୁ ସମୟରେ ନିଅଣ୍ଟିଆ ବଜେଟ ଦ୍ୱାରା ପରବର୍ତ୍ତୀ ସରକାର ପାଇଁ ଋଣବୋଝ ଛାଡ଼ି ଯାଆନ୍ତି।

ମାଗଣା ଗ୍ୟାସ ଦ୍ୱାରା ଅଧିକାଂଶ ପରିବାକୁ ଗ୍ୟାସ୍ ଯୋଗାଇବାର ଖର୍ଚ୍ଚର ଅର୍ଥ ପାଇଁ, ପେଟ୍ରୋଲ, ଡ଼ିଜେଲ ଏବଂ ଗ୍ୟାସ ଦର ହୁ ହୁ କରି ବଢ଼ାଯାଉଛି।  ଏହା ବଢ଼ିଯିବାରୁ ମଧ୍ୟବିତ୍ତ ପରିବାର ଉପରେ ଏହାର ଚାପ ପଡ଼ୁଛି I କାରଣ ଏହି ବର୍ଦ୍ଧିତ ମୂଲ୍ୟର ବୋଝ ଜନତା ବୋହୁଥିବା ବେଳେ ସରକାର ନିଜ ପିଠି ଥାପୁଡ଼ାଉଛନ୍ତି। ପ୍ରଥମ ଥର ମାଗଣା ଗ୍ୟାସ ପାଇବା ପରେ ଗ୍ୟାସ୍ ଭରିବା ପାଇଁ ପଇସା ନଥିବାରୁ ଗ୍ୟାସ୍ ପାଇଥିବା ପରିବାର ଯେଉଁ ଜାଳ ଜାଳି ଧୂଆଁ ଭିତରେ ରୋଷେଇ କରୁଥିଲେ ଆଜି ବି ତାହା କରୁଛନ୍ତି। ଏ ସମ୍ପର୍କରେ ମନେପଡ଼େ ୨୦୦୬ ମସିହାରେ ଡ଼ିଏମକେ କ୍ଷମତାକୁ ଆସିବାର ପରେ ମୁଖ୍ୟମନ୍ତ୍ରୀ କରୁଣାନିଧି ଲାଭାର୍ଥୀମାନଙ୍କୁ ଦୁଇ ଚୁଲିଥିବା ଗ୍ୟାସ୍ ଦେବା ପାଇଁ ସରକାରୀ ଅଫିସରମାନଙ୍କୁ ବାଧ୍ୟ କରିଥିଲେ। କାରଣ ସେମାନେ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି କରୁଣାନିଧିଙ୍କୁ ପରାମର୍ଶ ଦେବା ପରେ ସେ କହିଥିଲେ ୨ଟି ଚୁଲାଥିଲେ ଶୀଘ୍ର ରୋଷେଇ କରିସାରି ଗୃହିଣୀମାନେ ନିଜକୁ ଅନ୍ୟକାମରେ ନିୟୋଜିତ କରିପାରିବେ।
ସାଧାରଣ ଲୋକଙ୍କୁ ବିଭିନ୍ନ ଲୋଭ ଦେଖାଇବା ପରେ କିଛି ମାଗଣା ଜିନିଷ ଦେବା ବୋଧହୁଏ, ନେତାମାନଙ୍କର ଏକ ନୈତିକ ଦାୟିତ୍ୱ ବୋଲି  ସେମାନେ ବିଚାର କରନ୍ତି। ବହୁ ବ୍ୟବସାୟୀ ଦିନସାରା ଭେଜାଲ ଜିନିଷ ବିକ୍ରିକରି ଲୋକଙ୍କୁ ଠକିବା ପରେ ନିଜ ମନ ଭିତରର ପାପ ମାରିବା ପାଇଁ ସକାଳୁ ଅଟା ବା ଚିନି ଧରି ପିମ୍ପୁଡ଼ି ଗାତ ପାଖରେ କିଛି ପକାଇଲା ଭଳି ବା ଭଗବାନଙ୍କଠାରୁ କିଛି ପାଇବା ପାଇଁ ମାନସିକ କରିଥିବା ହେତୁ କିଛି ଭୋଗ ଦେଲାଭଳି ନେତାମାନେ ୫ ବର୍ଷ ଭିତରେ ନିଜ ଆୟକୁ ବହୁଗୁଣ ବୃଦ୍ଧି କରିବା ପାଇଁ ସୁଯୋଗ ଦେଇଥିବା ଜନତାମାନଙ୍କୁ ଲାଞ୍ଚ ଦେବା ଭଳି ‘ମାଗଣା ଯୋଜନା’ କରାଇବା ମନେହୁଏ।

ନିର୍ବାଚନ ପୂର୍ବରୁ ଆଫିଡ଼େଭିଟ୍‌ରେ ନିଜର ଆୟ ଦେଖାଇ ଥିବା ନେତାମାନେ ୫ ବର୍ଷ ପରେ ତାଙ୍କର କେତେ ଆୟ ବୃଦ୍ଧି ହୋଇଛି ଖାଲି ସେତିକି ଠିକ୍ ଭାବରେ ସରକାର ଯଦି ଯାଞ୍ଚ କରନ୍ତେ ତାହାଲେ ଜଣାପଡ଼ନ୍ତା, ସେମାନେ ନିର୍ବାଚନରେ ଏଭଳି ଭାବେ ଏତେ ପଇସା କାହିଁକି ଖର୍ଚ୍ଚ କରୁଛନ୍ତି ବା କାହିଁକି ଏସବୁ ‘ମାଗଣା ଯୋଜନା’ ଦେଶରେ ଚାଲିଛି।


୧୯୫୦ରେ ଆମେରାକି ଗାୟିକା ଟ୍ରିନି ଲୋପେଜ ଗାଇଥିବା ଗୀତଥିଲା ‘ମୁଁ ଆମେରିକାରେ ରହିବାକୁ ଭଲ ପାଏ କାରଣ ମୋ ମତରେ ଆମେରିକାରେ ସବୁ ଜନିଷ ମାଗଣା ମିଳେ’ (I like to be in America, Ok by me in America, everything is free in America) । ଯଦି ଆଜି ସେ ଏହି ଗୀତ ଗାଇଥାନ୍ତେ ତାହାଲେ ନିଶ୍ଚୟ ଗାଇଥାନ୍ତେ ଯେ “ମୁଁ ନିର୍ବାଚନ ହେବାକୁ ଥିବା ଭାରତରେ ରହିବାକୁ ଭଲ ପାଏ କାରଣ ମୋ ମତରେ ଏଠାରେ ସବୁ ଜିନିଷ ମାଗଣା ମିଳେ।”

ଭାରତବର୍ଷର ମହାନ ଗଣତାନ୍ତ୍ରିକ ପରମ୍ପରା ବର୍ତ୍ତମାନ କଳୁଷିତ ହେବାକୁ ଲାଗିଛି । ଯେଉଁଠି ଗଣତନ୍ତ୍ରର ମୂଲ୍ୟାଙ୍କନ ନିର୍ବାଚନର ହାରଜିତ ଉପରେ ନିର୍ଭର କରୁଛି ଏବଂ ନିର୍ବାଚନରେ ଜିତିବା ବା ହାରିବା ପ୍ରାର୍ଥୀ ବା ଦଳର ଆଭିମୁଖ୍ୟ ‘ମାଗଣା ଯୋଜନା’ ଉପରେ ବେଶୀ ନିର୍ଭର କରୁଛି। ଯଦି ଏହା ୧ ଟଙ୍କିଆ ବା ୨ ଟଙ୍କିଆ ଚାଉଳ, ୫ କେଜି ମାଗଣା ରାସନ, ମାଗଣା ଲାପଟପ, ମାଗଣା ଗ୍ୟାସ୍ ଷ୍ଟୋଭ ଉପରେ ନିର୍ଭର ଯୋଗ୍ୟ, ତାହାଲେ ଏହି ଗଣତନ୍ତ୍ର କେଉଁ “ଗଣତନ୍ତ୍ର” ବୋଲି ଆପଣ କୁହନ୍ତୁ ?

// (ଲେଖକଙ୍କ ନିଜସ୍ୱ ମତ)//

//DR SATYENDRA PATNAIK //

(English in Graduation, MA in Ancient Indian History, Culture & Archaeology. (Visva Bharati University) Santiniketan, Ph.D in History. Professor under Gauhati University. Now Rector in KIIT University. Authored several books on History, religion, Tourism, Social Anthropology.)

MOB: 94370 41465

Leave A Reply

Your email address will not be published.