ପ୍ରସନ୍ନ କୁମାର ହୋତାଙ୍କ ଭାଷାନ୍ତର ଗଳ୍ପ -ରେଡ୍
- ମୂଳ ରଚନା – ସମରସେଟ୍ ମମ୍ଭା
- ଭାଷାନ୍ତର – ପ୍ରସନ୍ନ କୁମାର ହୋତା
(RED -William Somerset Maugham) - TATKAL ODISHA//STORY TELLER//
- (ମ୍ୟାଟ୍ରିକୁଲେସନ ପରେ ସମରସେଟ୍ ମମ୍ ଙ୍କୁ ପଢ଼ିବା ଆରମ୍ଭ । ତାଙ୍କର କ୍ଷୁଦ୍ରଗଳ୍ପ ମୋ ପ୍ରଥମ କିଶୋର ଜୀବନର ପାଥେୟ । Master of Human Irony -Master of Unforgiving Storytelling – ଏମିତି କିଛି ମନ୍ତବ୍ୟ ତାଙ୍କ ଉପରେ ପଢ଼ିଥିଲି । ମତେ ତାଙ୍କର ‘RAINS’ ସବୁଠାରୁ ଉତ୍କୃଷ୍ଟ ଲାଗେ । ‘RED’ ପାଖାପାଖି ସମର୍ଥ ଗଳ୍ପ । ସେତେବେଳର ଲେଖକ ଓ ପାଠକ ଗଳ୍ପ ଲେଖିବାରେ, ପଢ଼ିବାରେ ସମୟ ଦେଉଥିଲେ-ଏବେ ପଢ଼ିଲେ ବେଳେ ବେଳେ ଟିକେ ଲମ୍ୱା ଲାଗୁଛି । ମୂଳ ଗପର ଭାବକୁ ଅକ୍ଷୁଣ୍ଣ ରଖି ଅନୁବାଦ ଉପସ୍ଥାପନା କରିବାକୁ ଚେଷ୍ଟା କରିଛି । ଏତେ ବର୍ଷ ପରେ ଏହି ଅନୁବାଦର ଉତ୍ସ ହେଲା ମାନନୀୟ ତରୁଣ କାନ୍ତି ମିଶ୍ରଙ୍କ ଅପୂର୍ବ ଗଳ୍ପ ‘ଲଳିତ ଆଖ୍ୟାନ’ । ତାହା ଏବେ ପଢିବାକୁ RED ମୋ ମନକୁ ପୁଣି ଅଧିକାର କଲା । ତରୁଣଙ୍କ ଗଳ୍ପ ଦୁଇ ସମାନ୍ତରାଳ ଗଳ୍ପ ଲହରୀ ସୃଷ୍ଟି କରାଇଲା – RED , ଏଵଂ କଳାଜାଇ l ସିମ୍ପୋନୀ ସଙ୍କଳନରେ ଏହା ପ୍ରକୃତ TRILOGY! କ୍ଷୁଦ୍ରଗଳ୍ପ-ରସବିଦଗ୍ଧ ପାଠକ ପାଇଁ ଚରମ ଆହ୍ଵାନ!)
ସଂଧ୍ୟା ହୋଇ ଆସୁଥିଲା । ଷ୍ଟିମର୍ ସାଉଥ ସି ର ସୁନ୍ଦର ଦ୍ୱୀପ ପାଖେଇଲା । ସ୍କିପର୍ ତାଙ୍କ ପକେଟରୁ ଘଣ୍ଟା ବାହାର କରି ଦେଖିଲେ । ଦ୍ୱୀପ ଭିତରକୁ ଯାଇ ପୋତାଶ୍ରୟର ରାସ୍ତା ଖୋଜିବାକୁ ନାବିକକୁ ଉପରେ ଚଢ଼ାଇ ରାସ୍ତା ବତାଇବାକୁ କହିଲେ । ନଡ଼ିଆଗଛର ବାହୁଙ୍ଗା ସନ୍ଧିରୁ ଆସୁଥାଏ ମଧୁର ପବନ -ନା ଗରମ ନା ଥଣ୍ଡା। ଭୂସ୍ୱର୍ଗର ଏକ ଛୋଟ ନମୁନା । କ୍ୟାପଟେନ କହିଲେ ସେ ଅନେକଦିନ ତଳେ ଏ ଦ୍ୱୀପକୁ ଜାଣିଥିଲେ । ଏବେ ସେ ଗୋଟିଏ ବୋତଲ ଭଲ ହ୍ୱିସ୍କି ନେଇ ବନ୍ଦରରେ ଓହ୍ଲାଇବାକୁ ଚାହିଁଲେ, କିନ୍ତୁ ଅନ୍ଧାରରେ ରାସ୍ତା ଦେଖାଗଲା ନାହିଁ । ଅଗତ୍ୟା ସକାଳ ହେବାକୁ ଅପେକ୍ଷା କରିବେ ବୋଲି ସ୍ଥିର କଲେ।
ଚାଇନିଜ୍ ରାନ୍ଧୁଣିଆ ସାଂଧ୍ୟ ଭୋଜନ ପ୍ରସ୍ତୁତ ବୋଲି କହିଲା । କ୍ୟାପଟେନ ମଧ୍ୟ ଖାଇବା ଖାଇ, ଚାହା ପିଇଲେ, ସିଗାର ପିଇଲେ । କେହି ଜଣେ ବାଞ୍ଜୋ ବଜାଇଲେ -କିଛି ନାଚଗୀତ ଚାଲିଲା , ସେଥିରେ କିଛି କାମୁକତାର ଲହର। କିନ୍ତୁ କ୍ୟାପଟେନ୍ ଚୁପଚାପ ଯାଇ ଶୋଇପଡ଼ିଲେ । ରାତିଯାକ ସମୁଦ୍ର ଢେ଼ଉ ଶବ୍ଦ । ସକାଳୁ ସମୁଦ୍ର ଶାନ୍ତ । ଷ୍ଟିମର ସୁରୁଖୁରୁରେ ବନ୍ଦରରେ ଯାଇ ଲଙ୍ଗର ପକାଇଲା । ସେ ସଂଧ୍ୟାରୁ ପ୍ରସ୍ତୁତ ରଖିଥିବା ମଦ ବୋତଲ ଧରି ଛୋଟ ନୌକାରେ ବସି ଷ୍ଟିମରରୁ ଓହ୍ଲାଇଗଲେ । ରବିବାର । କୂଳରେ ପହଞ୍ଚିଲେ । ପବନ ମଧୁର, ବାତାବରଣ ଚୁପଚାପ୍ । ଭିତରକୁ ରାସ୍ତା । କୂଳ ପର୍ଯ୍ୟନ୍ତ ନଡ଼ିଆଗଛର ତୋଟା । ସରୁ ଓ ସନ୍ତସନ୍ତିଆ ରାସ୍ତା । କିନ୍ତୁ ଗୋଟେ ପଟେ ସେ ଗୋଟିଏ ସୁଦୃଶ୍ୟ ଘର ଦେଖିଲେ -ମଝିରେ ଗୋଟେ ନାଳ, ଆରପଟେ କୌଣସି ଧନୀ ଗୋରାଲୋକର ଘର । ସେଠାକୁ ଯିବାକୁ ପାଇଁ ଗୋଟିଏ ପତଳା ଗଛରେ ତିଆରି ସେତୁଟିଏ । କିଛି ଆଶଙ୍କା ସତ୍ତ୍ୱେ ସେ ଗଛର ତିଆରି ସେଇ ପୋଲ ସାହାଯ୍ୟରେ ଯାଇ ଆରପଟ ଘରେ ପହଞ୍ଚିଲେ । ତାଙ୍କ ସାମନାରେ ଘରର ମାଲିକ ନେଲସନ୍ । ତାଙ୍କୁ ଘର ଭିତରକୁ ପାଛୋଟି ନେଲେ । ଭଲ ଚୌକୀରେ ବସାଇଲେ ଓ ହ୍ୱିସ୍କିଭରା ଗ୍ଲାସ ବଢ଼ାଇଦେଲେ । କ୍ୟାପଟେନ୍ ଚାରିଆଡ଼େ ଆଖି ବୁଲାଇଲେ; ପ୍ରକୋଷ୍ଠରେ ଭରା ବହି ଓ ପତ୍ରିକା, ଗୋଟେ ପୁରୁଣା ପିଆନୋ । ନେଲସନ୍ ସ୍ୱିଡିଶ ଦେଶୀୟ ଲୋକ । ଅନେକଦିନ ପରେ କ୍ୟାପଟେନ ଏପରି ବହିପତ୍ରରେ ଭରା ଘର ଭିତରେ ଚୁପଚାପ୍ ବସି ହ୍ୱିସ୍କି ପିଇବା ଆରମ୍ଭ କଲେ ଓ ଧୂମ୍ରପାନ କଲେ । ନେଲସନ୍ ଅତିଥିଙ୍କୁ ନିରୀକ୍ଷଣ କଲେ -କ୍ୟାପଟେନ୍ ଦୀର୍ଘକାୟ, ମୋଟା, ଚନ୍ଦା, ମୁହଁ ଆରକ୍ତ, ବେକମୂଳ ମଧ୍ୟ ଲାଲ, ମଦ୍ୟପାନରେ ଅଭ୍ୟସ୍ତ ଚେହେରା । ଗୋଟିଏ ବିରାଟକାୟ ମଧ୍ୟବୟସ୍କ ନାବିକର ଅନାକର୍ଷଣୀୟ ଚେହେରା । ନେଲସନ୍ ନିଜକୁ ଭାବୁକ ବୋଲି ଗଣୁଥିଲେ -ତେଣୁ ସେ କ୍ୟାପଟେନଙ୍କ ବର୍ତ୍ତମାନର ଚେହେରା ପଛରେ ଯୌବନ ବେଳର କିଛି ଆକର୍ଷଣୀୟ ରୂପ ଥିଲାକି ବୋଲି ଗଭୀର ଚାହାଣୀରେ ଦେଖିବାକୁ ଚେଷ୍ଟା କଲେ । ହଠାତ୍ ସେପରି କିଛି ଜଣାଗଲା ନାହିଁ ।
କ୍ୟାପଟେନ୍ କହିଲେ – ଆପଣଙ୍କ ଘର ବେଶି ପୁରୁଣା ଲାଗୁନାହିଁ । ନେଲସନ୍ କହିଲେ -ଏଠି ଏଘର ମୁଁ ତିଆରି କରିଛି । ଏହା ପୂର୍ବରୁ ଏଠି ସ୍ଥାନୀୟ ପ୍ରଥା ଅନୁସାରେ ନିର୍ମିତ ଗୋଟିଏ ସୁନ୍ଦର କୁଟୀର ଥିଲା ବୋଲି ମୋତେ କୁହାଯାଇଥିଲା । କିନ୍ତୁ ମୁଁ ଆସି ଦେଖିଲା ବେଳକୁ ତାହା ଜରାଜୀର୍ଣ୍ଣ ହୋଇ ସାରିଥିଲା’ ।
କ୍ୟାପଟେନ୍ କହିଲେ, ‘ମୁଁ ଗ୍ରେ’ଙ୍କ ଦୋକାନ ପାଇଁ କିଛି ବାକସ ଭରା ଜର୍ମାନ ଜିନିଷ ଆଣିଛି ।’
ନେଲସନ୍ କହିଲେ, ‘ହଁ ଗ୍ରେ’ଙ୍କ ଦୋକାନ ଆମ ଘର ଠାରୁ ବେଶି ଦୂର ନୁହେଁ ‘।
କ୍ୟାପଟେନ୍ କୋପ୍ରା ନେଇ କରି ଫେରିବେ ବୋଲି କହିଲେ । କ୍ୟାପଟେନଙ୍କ ଆଖି ଲାଲ ଲାଲ, ବେକ ମେଦବହୁଳ । ସେ ଗୋଟେ ନେଳିଆ ସାର୍ଟ ପିନ୍ଧି ପେଟ ଆଗକୁ କରି ଗୋଡ଼ହାତ ଲମ୍ୱାଇ ବସିଥିଲେ । ତାଙ୍କୁ ଦେଖି ନେଲସନଙ୍କୁ ଜଣା ପଡ଼ିଲାନି ଯେ ସେ ଯୌବନରେ କେବେ ଚଞ୍ଚଳିଆ ଥିବେ ।
କ୍ୟାପଟେନ୍ ପଚାରିଲେ, ‘ଆପଣ ଏଠାକୁ କିପରି ଆସିଲେ?’
ନେଲସନ୍ କହିଲେ, ‘ମୋ ସ୍ୱାସ୍ଥ୍ୟ ଭଲ କରିବାକୁ ମୁଁ ଏ ସୁନ୍ଦର ଜାଗାକୁ ଆସିଥିଲି । ପଚିଶ ବର୍ଷ ତଳର କଥା । ଏ ଜାଗା ମତେ ବହୁତ ସୁନ୍ଦର ଲାଗିଥିଲା -ମତେ ପଚିଶ ବର୍ଷ ବୟସ ହୋଇଥିଲା – ଷ୍ଟକହୋମ, ବନ୍ ଆଦି ମତେ ଅଲଗା ରାଜ୍ୟର ପରି ଲାଗିଥିଲା । ମୁଁ ଏଠି ପହ଼ଞ୍ଚି ଭାବିଲି, ଏ ସୁନ୍ଦର ଜାଗାରେ ବର୍ଷେ ରହିଲେ ମୋର ସଂପୂର୍ଣ୍ଣ ଜୀବନର ସ୍ୱପ୍ନ ପୂରା ହୋଇଯିବ । ମୁଁ ଏଠି ରହିବାକୁ ସ୍ଥିର କରିଦେଲି । ଅବଶ୍ୟ ଏଠି ଗୋରାଲୋକ ଦେଖିବାକୁ ବହୁତ କମ ମିଳନ୍ତି । ନେଲସନ୍ କିଛି ହ୍ୱିସ୍କି ଢାଳି ନିଜେ ପିଇବା ଆରମ୍ଭ କଲେ । ‘ଏମିତି ଜାଗା ସୁନ୍ଦର; କିନ୍ତୁ ଏହାର ଯାଦୁ ଅଦ୍ଭୂତ; ଏଠି ମଣିଷ ନିଜକୁ ଭୁଲିଯାଏ’,-ନେଲସନ ଅଧିକ କହିଲେନି । ସେ ଭାବିଲେ, ‘ଏ କ୍ୟାପଟେନର ଏସବୁ ସ୍ୱପ୍ନର କଥାରେ କୌଣସି ଆଗ୍ରହ ନଥିବ ।’
ନେଲସନ୍ ହଠାତ୍ କହିବସିଲେ, ‘ମୁଁ ତୁମକୁ ଆଗରୁ ଜାଣିଥିଲା ପରି ମତେ ଲାଗୁଛି । ଯେପରି ମୁଁ ପୁରୁଣାକାଳରେ ଗୋଟେ ଜାହାଜରେ ଦାସ ଥିଲି; ତୁମେ ସର୍ଦ୍ଦାର ଥିଲ । ପ୍ରତିଦିନ ମତେ ନୌକାରେ ଆହୁଲା ମାରିବାକୁ ହେଉଥିଲା । ତୁମେ ଚାବୁକ୍ ଧରି ଆମ ସମସ୍ତଙ୍କୁ ଜଗିଥିଲ । ମୁଁ ଜଣେ ଲୋକ ବିଷୟରେ ଅନେକଥର ଭାବିଛି, ତା’ ନାମ ‘ରେଡ୍’ । ମୁଁ ତାକୁ କେବେ ଦେଖିନି, କିନ୍ତୁ ତା’ ବିଷୟରେ ଏତେ ବେଶି ଶୁଣିଛି ଯେ ଶୟନେ-ସପନେ-ଜାଗରଣେ ତା’ କଥା ଭାବିବାର ଲାଗିଛି -ସେ ଗ୍ରୀକ୍ ଦେଶୀୟ କୌଣସି ଯୁବା ଈଶ୍ୱର ପରି ସୁନ୍ଦର; ଗୋରା, କଳା କଳା ଆଖି, ଲାଲ ବାଳ । ସେ ଅଦ୍ଭୂତ ସୁନ୍ଦର । ତା’ ଆଗରେ ଆଉ କେହି ଚେହେରା ଠିଆ ହୋଇପାରିବ ନାହିଁ । ସେ ଗୋଟିଏ ଆମେରିକାନ ନାବିକ । ସେ ନିଜ ଜାହାଜ ଛାଡ଼ି, କାମରୁ ଲୁଚିକରି ପଳାଇ ଆସିଥିଲା । ଏ ଦ୍ଵୀପରେ ତା’ ଜାହାଜ ପଳାଇବା ପର୍ଯ୍ୟନ୍ତ ସେ ଲୁଚି ରହିଲା ।
କିଛିକ୍ଷଣରେ ରେଡ୍ ଗୋଟିଏ ସୁନ୍ଦରୀ ଝିଅକୁ ଭେଟିଲା; ଏହି ଦ୍ୱୀପର ସୁନ୍ଦର ଝିଅ । ତା’ ହାତ ଖୁବ୍ କୋମଳ ଆଉ ସୁନ୍ଦର, ତା’ ହସରେ ସକାଳ ସୂର୍ଯ୍ୟର ଝଲକ, ତା’ ଆଖିରେ ଚନ୍ଦ୍ରର ଶୀତଳ ଅଗ୍ନି । ସେ ଯେତେବେଳେ ରେଡକୁ ଭେଟିଥିଲା, ତାକୁ ଷୋହଳ ବର୍ଷ ହୋଇଥିବ । ଝିଅଟି ରେଡକୁ ସଦ୍ୟତୋଳା ସପୁରୀ କାଟି ଖାଇବାକୁ ଦେଲା । ଆଡାମଙ୍କୁ ଇଭ୍ ଭେଟିବା ପରି ସେ ମୁହୂର୍ତ୍ତ -ପ୍ରକୃତ ପ୍ରେମର ମୁହୂର୍ତ୍ତ ଯାହା ଆଗରେ ବାକି ସୃଷ୍ଟିର ସବୁ ଆନନ୍ଦ ତୁଚ୍ଛ, ନଗଣ୍ୟ । ରେଡ୍ ତରୁଣ ସୁନ୍ଦର ଯୁବା । ତାଙ୍କ ମିଳନ ଅପୂର୍ବ । ମୁଁ ତିନିବର୍ଷ ପରେ ସେ ଅପୂର୍ବ ସୁନ୍ଦରୀ ଝିଅକୁ ଭେଟିଲି । ମତେ ସେବେ ମଧ୍ୟ ଲାଗିଥିଲା, ଆଉ ଏବେ ମଧ୍ୟ ଲାଗୁଛି -ସେମାନଙ୍କ ମିଳନ କେତେ ଚମତ୍କାର, ସହଜ, ସରଳ – ସୃଷ୍ଟିରେ ସ୍ୱଚ୍ଛ ଓ ଚିରନ୍ତନ ପ୍ରେମର ନମୁନା । ଯେପରି ‘ଗାର୍ଡନ ଅଫ୍ ଏଡେନ୍’ ର ଚିତ୍ର ।
ସେମାନେ ପରସ୍ପରରେ ମଗ୍ନ ରହିଲେ । ସମୁଦ୍ରକୂଳରୁ କିଛି ଦୂରକୁ ଯାଇ ଏହି କେନାଲ ପାଖରେ ସେମାନେ ତାଙ୍କ ସୁନ୍ଦର କୁଟୀରରେ ରହିବା ଆରମ୍ଭ କଲେ । ସେ ପର୍ଣ୍ଣକୁଟୀର ତାଙ୍କ ପାଇଁ କୌଣସି ପ୍ରାସାଦଠାରୁ କମ ନୁହେଁ । ସେମାନେ ଦିନତମାମ ପରସ୍ପରରେ ମତ୍ତ ରହି ଚଳଚଞ୍ଚଳ ସମୟ ଜାଣି ପାରୁନଥିଲେ । ସେ ଝିଅ ତା ପାଇଁ ସ୍ଥାନୀୟ ଧୂଆଁପତ୍ର ବଳି ବିଡ଼ି ତିଆର କରୁଥିଲା, ଆଉ ରେଡକୁ ସେଇ ବିଡ଼ି ପିଇବାକୁ ଦେଉଥିଲା । ରେଡ୍ ମାଛ ଧରିବାରେ ଓସ୍ତାଦ୍ । ରଙ୍ଗ ବେରଙ୍ଗର ତାଙ୍କ ବଗିଚା, ସୁନେଲୀ ସୂର୍ଯ୍ୟକିରଣ, ଧଳା ଚକ୍ ଚକ୍ ପାଣି, ରଙ୍ଗ ବେରଙ୍ଗ ମାଛ, ଚଢ଼େଇ, ଚାରିଆଡ଼େ ନଡ଼ିଆଗଛ ଏବଂ ଗଛମାନଙ୍କ ଗହଳି ଦେଇ ବହୁଥିବା ପବନ -ଏହିପରି ବିତି ଯାଉଥିଲା ତାଙ୍କ ଭୂସ୍ୱର୍ଗର ଦିନସବୁ । ସେମାନେ ପରସ୍ପରକୁ ସଂପୂର୍ଣ୍ଣଭାବେ ଭଲପାଉଥିଲେ । ଏପରି ନିବିଡ଼ ପ୍ରେମ କେବେ ସରିଯିବ ବୋଲି କୌଣସି ଭାବନାର ସ୍ଥାନ ନଥିଲା । କିନ୍ତୁ ରେଡ୍ ପୁରୁଷ, ତା ପ୍ରେମ ଥରେ ଅଧେ କ୍ଳାନ୍ତ ହୋଇ ଯାଉଥିଲା ।
କେହି ଜଣେ ଆସି କହିଲା ଯେ, ସମୁଦ୍ରକୂଳରେ ଗୋଟିଏ ଜାହାଜ ଲଙ୍ଗର ପକେଇଛି । କେତେ ଜିନିଷ କିଣାବିକା ସେଠାରେ ଚାଲିଛି । ରେଡ୍ ଝିଅଟିକୁ କହିଲା -ମୁଁ କିଛି ସ୍ଥାନୀୟ ଗୁଆ ଓ ନଡ଼ିଆ ବିନିମୟରେ ଆମର ପ୍ରୟୋଜନୀୟ କିଛି ଜିନିଷ ସେଇ ଜାହାଜରୁ ଆଣିବି । ସେଇ ଝିଅକୁ ସେ ସ୍ୟାଲି ବୋଲି ଡାକୁଥିଲା । ସ୍ୟାଲି ରେଡ୍ ପ୍ରତି ଏତେ ଆସକ୍ତ ଆଉ ମଗ୍ନ ଥିଲା ଯେ ତାଙ୍କର ଆଉ କିଛି ଜିନିଷ ଦରକାର ବୋଲି ସେ ଭାବି ପାରୁନଥିଲା । ତଥାପି ରେଡ୍ ର ମନଖୁସି କରିବାକୁ ସେ କୌଣସି ପ୍ରତିବାଦ କରିନଥିଲା । ରେଡ୍ ଯେ ଗଲା, ସେ ଗଲା । ଆଉ ବାହୁଡ଼ି ନ ଆସିଲା । ଉଡ଼ା ଖବର ଆସିଲା -ରେଡ୍ ର ସୁନ୍ଦର ସ୍ୱାସ୍ଥ୍ୟବାନ୍ ଚେହେରା ଦେଖି ଜାହାଜର କ୍ୟାପଟେନ୍ ତାକୁ ମଦ ପିଆଇ ଅଚେତ କରିଦେଲା ଓ ସେ ଶୋଇଥିବା ଅବସ୍ଥାରେ ତାକୁ ନେଇ ଗଭୀର ସମୁଦ୍ରକୁ ଚାଲିଗଲା ।
ସେବେଠାରୁ ସ୍ୟାଲି, ରେଡ୍ ଫେରିବ ବୋଲି ସମୁଦ୍ର ଆଡ଼କୁ ପ୍ରତିଦିନ ଝାଙ୍କି ରହିଲା । ରେଡ୍ ତା’ର, ସେ ନିଶ୍ଚୟ ଆସିବ, ତେଣୁ ସମୁଦ୍ରର ଦୂର ଦିଗବଳୟକୁ ପ୍ରତିଦିନ ଚାତକ ପରି ଚାହିଁ ରହିଲା । ନିଜର ଯତ୍ନ ନେବା ସେ ପୁରା ଭୁଲିଗଲା; ତା’ର ସୌନ୍ଦର୍ଯ୍ୟ ସତ୍ତ୍ୱେ ସେ ଏକ ମଳିନ ଜହ୍ନପରି ଫିକା ଦେଖାଗଲା । ତା’ ସଙ୍ଗେ ତା’ର ଦୂରସଂପର୍କୀୟା ମାଉସୀ ଆସି ସେ କୁଟୀରରେ ରହିଲା । ସ୍ୟାଲି ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସମୁଦ୍ରକୂଳକୁ ଯାଏ; ସମସ୍ତଙ୍କୁ ରେଡ୍ କଥା ପଚାରେ, କେହି କିଛି କୁହନ୍ତି ନାହିଁ । ସେ କିନ୍ତୁ ସ୍ୱର୍ଗୀୟ ପ୍ରେମର ସେ ମୁହୂର୍ତ୍ତର ସତ୍ୟତାକୁ ଛାଡ଼ିପାରେନା । କିଛିଦିନରେ ସେ ଗୋଟିଏ ମଲାଛୁଆ ଜନ୍ମକରେ; କିନ୍ତୁ ସେଥିଯୋଗୁ ତା’ ସୌନ୍ଦର୍ଯ୍ୟର ସ୍ନିଗ୍ଧତା କମେ ନାହିଁ ବା ତା’ ମନରୁ ରେଡକୁ ଖୋଜିବା ମଧ୍ୟ ବନ୍ଦ ହୁଏ ନାହିଁ ।
ଏହିପରି ଅବସ୍ଥାରେ ମୁଁ ଷ୍ଟକହୋମ ଛାଡ଼ି ବନ୍ ଏବଂ ବନ୍ ପରେ ଏହି ସୁନ୍ଦର ଦ୍ୱୀପରେ ପହଞ୍ଚେ । ସ୍ୟାଲିକୁ ସମୁଦ୍ରକୂଳରେ ବସି ଦୂର ଦିଗବଳୟକୁ ଅପେକ୍ଷମାଣ ତାହାର ମନକିଣା ଚେହେରାକୁ ଏକ ସୂର୍ଯ୍ୟାସ୍ତରେ ଦେଖେ । ବାସ୍, ମୋର କଥା ଶେଷ ….ଶୟନେ, ସପନେ, ଜାଗରଣେ, ମୁଁ ସ୍ୟାଲିର ଚାରିପାଖେ ଘୁରିବୁଲେ । ମୋ ପାଖରେ ପଇସା ଥାଏ, ମୁଁ ସ୍ୟାଲିକୁ ବାହାହେବାକୁ ପ୍ରସ୍ତାବ କରେ । ସ୍ୟାଲି ସାମାନ୍ୟ ମତ୍ର ଆଗ୍ରହ ଦେଖାଏ ନାହିଁ । କିନ୍ତୁ ମାଉସୀ ବୁଢ଼ୀ କ୍ରମଶଃ ବେମାର ରୁହନ୍ତି ; ମୁଁ ତାଙ୍କ କଥା ବୁଝାବୁଝି କରିବାକୁ ତାଙ୍କ ଘରକୁ ଯିବାଆସିବା କରେ । କୌଣସି ପୁରୁଷସୁଲଭ ପ୍ରବୃତ୍ତି ଦେଖାଇ ସ୍ୟାଲିକୁ ବିରକ୍ତ କରାଏ ନାହିଁ । ତିନିବର୍ଷ ଖଣ୍ଡେ ପରେ ସ୍ୟାଲି ମାଉସୀ କଥାରେ ରାଜିହୋଇ ମତେ ବାହା ହେବାକୁ ହଁ କରେ, କିନ୍ତୁ ତା’ର ଗୋଟେ ସର୍ତ୍ତ, ମାଉସୀ ମାର୍ଥା ପରେ ମତେ କହିଥାଏ – ସେ ରେଡ୍ ଫେରିବ ବୋଲି ବିଶ୍ୱାସ ରଖିଛି; ମୁଁ ସେ ବିଷୟରେ ତାକୁ କେବେହେଲେ କିଛି ପଚାରିବି ନାହିଁ ଏବଂ ତା’ର ଯେବେ ଇଚ୍ଛା ହେବ, ସେ ଦିନର କେଉଁ ବି ମୁହୂର୍ତ୍ତରେ ସମୁଦ୍ରକୂଳ ଯାଇ ବୁଲିବ ।
ମୁଁ ସ୍ୟାଲିର ସରଳତା, ତା’ର ସମର୍ପିତ ଭାବ, ତା’ର ଏକନିଷ୍ଠତାକୁ ସ୍ୱୀକାର କରି ସାରିଥିଲି-ମତେ ଲାଗିଥିଲା ଯେ ଏହି ଏକନିଷ୍ଠ ପ୍ରେମଭାବ କାଳକ୍ରମେ ମୋ ପ୍ରତି ପ୍ରେମରେ ପରିଣତ ହେବ । ପ୍ରଥମ ଦେଖାରେ ସ୍ୟାଲିର ଆଖିର ବିଷାଦଭରା ସୌନ୍ଦର୍ଯ୍ୟର ସତ୍ୟନିଷ୍ଠ ଗଭୀରତା ମତେ ଅଭିଭୂତ କରିଥିଲା । ନେପଲସ୍ ର ଗ୍ରୀକ୍ PSYCHE statue ମୋର ମନରେ ଉଭା ହେଲା ।
ବୁଢ଼ୀ ମାଉସୀ ମୋ ସଙ୍ଗେ ଗପ କରିବାକୁ ଭଲପାଉଥିଲା -ମୁଁ ମୋର ସ୍ୱାସ୍ଥ୍ୟକୁ ଭଲ କରିବାରେ ଚେଷ୍ଟା କରୁଥିଲି -ସ୍ୟାଲିକୁ କୌଣସି ଅତ୍ୟଧିକ ପ୍ରେମ ନିବେଦନ କରି ନିଜ ଜୀବନରେ ଅଯଥା କଷ୍ଟ ଆଣିବାକୁ ଚାହୁଁ ନଥିଲି’ ।
ନେଲସନ ବର୍ଣ୍ଣନା କରି ଚାଲିଲେ – ସେ ୟୁରୋପରୁ ନିଜ ବହି ଓ ପିଆନୋ ମଗାଇଲେ – ତାଙ୍କର ବଞ୍ଚିବାକୁ ପୁନର୍ବାର ଆଗ୍ରହ ହେଲା । ସେ ସାହସ କରି ସ୍ୟାଲିକୁ ନିଜ ମନକଥା କହିଲେ- ସ୍ୟାଲି ପ୍ରଥମେ ବାରମ୍ୱାର ମନା କରୁଥିଲା । କିନ୍ତୁ ନେଲସନ୍ ସମସ୍ତ ଭଦ୍ରାମୀର ସହ ତାଙ୍କ ପ୍ରସ୍ତାବ ରଖିବାରେ ଲାଗିଲେ । ସେଠାକାର ଛୋଟ ସମାଜ, ବୁଢ଼ୀ ମାଉସୀ, ସମସ୍ତେ ସ୍ୟାଲିକୁ ଦିନରାତି ବୁଝାଇଲେ ଯେ ରେଡ୍ ଆଉ ଆସିବାର ନାହିଁ । ନେଲସନ୍ ଭଦ୍ରଲୋକ, ବଢ଼ିଆ ପ୍ରସ୍ତାବ, ମନା କରିବା ଠିକ୍ ହେବ ନାହିଁ । ଏହି ପାଲା ଅନବରତ ଚାଲିଲା; ଶେଷରେ ସ୍ୟାଲି ଅଗତ୍ୟା ହଁ ଭରିଲା । କିନ୍ତୁ ଯେଉଁ ଦିନ ବାହାଘର ହେବାର କଥା, ସେଦିନ ସକାଳେ ନେଲସନ୍ ସେ କୁଟୀରକୁ ଯାଇ ଦେଖିଲେ ଯେ ସ୍ୟାଲି ପୁରା ଘରକୁ ଜଳାଇ ଭସ୍ମ କରିଦେଇଛି ।
ନେଲସନଙ୍କୁ ବି ଠିକ୍ ଲାଗିଲା -ସ୍ମୃତି ସବୁ ଜଳିପୋଡ଼ି ଖତମ କରାଯାଉ । ତାଙ୍କ ଜୀବନର ନୂଆ ସ୍ୱପ୍ନ ଆରମ୍ଭ ହେଉ ।
ପ୍ରଥମ କିଛି ସପ୍ତାହ ନେଲସନ୍ ଖୁସି ହୋଇଗଲେ । ସ୍ୟାଲି ତାଙ୍କ ସ୍ତ୍ରୀ, ଶଯ୍ୟାସଙ୍ଗିନୀ । କିନ୍ତୁ ଅଳ୍ପ କେଇ ସପ୍ତାହରେ ସେ ଜାଣିଗଲେ ଯେ ସ୍ୟାଲି ରେଡ୍ କୁହିଁ ଖୋଜି ଚାଲିଛି । ରେଡ୍ ଆସିଗଲେ ତାକୁ ତାଙ୍କୁ ଛାଡ଼ିବାକୁ ଗୋଟେ ମୁହୂର୍ତ୍ତ ବି ନଲାଗିପାରେ । ସେ ଏପରି କିଛି କହିନଥିଲା । କିନ୍ତୁ ସେ ଜାଣିଥିଲେ ଯେ ସ୍ୟାଲିର ହୃଦୟର ନିଭୃତତମ କୋଣରେ ତାଙ୍କ ପାଇଁ କିଛି ଜାଗା ନାହିଁ । ସେ ସେଥିରେ ପ୍ରବେଶ କରିପାରିବେ ନାହିଁ-କାରଣ ତାହା ଶୂନ୍ୟ ଓ ରୁଦ୍ଧ ସ୍ଥାନ । କିନ୍ତୁ ସେ ଯେ ସ୍ୟାଲିର ପ୍ରେମରେ ସଂପୂର୍ଣ୍ଣ ନିମଜ୍ଜିତ । କ୍ରମଶଃ ତାଙ୍କର ନିଜ ପ୍ରତି, ସ୍ୟାଲି ପ୍ରତି କ୍ରୋଧ ଜନ୍ମିଲା, ଘୃଣା ମଧ୍ୟ ଆରମ୍ଭ ହେଲା । ସେ ସ୍ୟାଲିର ପ୍ରେମରୁ ନିଜକୁ ମୁକ୍ତ କରିବାକୁ ଚାହିଁଲେ -କିନ୍ତୁ ତାହା ମଧ୍ୟ ସମ୍ଭବ ନଥିଲା । ସେ ରେଡ୍ ନାମକ ଅଦୃଶ୍ୟ ବ୍ୟକ୍ତିକୁ ଘୃଣା କରୁଥିଲେ; ତାର ରୂପଗୁଣ ବର୍ଣ୍ଣନା ତାଙ୍କୁ ତୀବ୍ର କଷ୍ଟ ଦେଉଥିଲା । କିନ୍ତୁ ସେ ଭାବୁକ ଓ ଭଦ୍ର ଥିଲେ । ନିଜକୁ ଏହି କଠୋର ପୃଥିବୀରୁ ସେ ମୁକ୍ତ କରିପାରୁନଥିଲେ । ସ୍ୟାଲି ରେଡକୁ ଅପେକ୍ଷା କରିବା ପରି ନେଲସନ୍ ସ୍ୟାଲିକୁ ଅପେକ୍ଷା କରୁଥିଲେ ।
ଏମିତି ମାସ ବର୍ଷ ଗଡ଼ି ଚାଲିଲା, କ୍ରମଶଃ ସମୟ ତା ପ୍ରଭାବ ଦେଖାଇଲା । କ୍ରୋଧ ପରିବର୍ତ୍ତେ ସହିଷ୍ଣୁତା; ଘୃଣା ପରିବର୍ତ୍ତେ ସହନଶୀଳତା ଧୀରେ ଧୀରେ ତାଙ୍କ ଦୁହିଙ୍କ ଜୀବନକୁ ଗୋଟିଏ ଅଭ୍ୟାସରେ ପରିଣତ କରିଦେଲା । ସ୍ୟାଲିର ବାହ୍ୟ ସୌନ୍ଦର୍ଯ୍ୟ ବୟସର ଛାପରେ ଲୁଚିଗଲା, ସେ ମଧ୍ୟ ତାଙ୍କ ନିଜ ଜୀବନକୁ ଏକ ଅଭ୍ୟାସ ରୂପେ ସ୍ୱୀକାର କରିନେଲେ । ପରସ୍ପର ଅନେକ ବର୍ଷ ଏକାଠି ରହି, ପରସ୍ପର ସଙ୍ଗେ ଭଦ୍ରଭାବେ ଚଳିବା ସ୍ୱୀକାର କରିନେଲେ- ପ୍ରତ୍ୟେକ ପ୍ରତ୍ୟେକଙ୍କୁ କୌଣସିଭାବେ ବିରକ୍ତ କରାଉନଥିଲେ । ତଥାପି ନେଲସନଙ୍କୁ ମଝିରେ ଘୋର ବିଷାଦ ଘାରୁଥିଲା ଯେ, ସ୍ୟାଲି ତାର ମନର କେଉଁ ଗୋପନ କୋଣରେ ଏବେ ମଧ୍ୟ ରେଡକୁ ଖୋଜି ଚାଲିଥିଲା ।
ବିଚିତ୍ର ପରିସ୍ଥିତି, ବିଚିତ୍ର ସୃଷ୍ଟିର ଲୀଳା । ଯଦି ସ୍ୟାଲି ତାଙ୍କୁ ପ୍ରକୃତରେ ଭଲପାଇଥାନ୍ତା ତେବେ ବୋଧହୁଏ ପରିଣତି କିଛି ଅପୂର୍ବ ହୋଇନଥାନ୍ତା । ପ୍ରେମ ଏକ ଅଦ୍ଭୁତ ଲୀଳା; ମିଳିଲେ କିଛି ବର୍ଷରେ ସରିଯାଇପାରେ, କର୍ପୁର ପରି ଉଡ଼ି ଯାଇପାରେ । କିଛି କାଳ ଅନ୍ତେ ପ୍ରେମିକ ପ୍ରେମିକା ପରସ୍ପରକୁ ଦେଖିବାକୁ ବି ସହ୍ୟ କରିନପାରନ୍ତି … ନ ମିଳିଲେ ସାରା ଜୀବନ ପ୍ରେମା ଝୁରି ହେଉଥାଏ… ମୋ ଅପୂର୍ବ ପ୍ରେମ କେଉଁଆଡ଼େ ଉଭେଇଗଲା ? ମୁଁ ତାକୁ ଖୋଜି ବାହାର କରିବି… ଇତ୍ୟାଦି ! ପ୍ରେମର ପ୍ରକୃତ ଦୁଃଖ ବିଚ୍ଛେଦ ନୁହେଁ; ସମୟର ପ୍ରଭାବରେ ଅବଶ୍ୟମ୍ଭାବୀ ଉଦାସୀନତା !
କିନ୍ତୁ ନେଲସନ୍ ଚେଷ୍ଟାକରି ମଧ୍ୟ ଉଦାସୀନ ହୋଇ ପାରୁନଥିଲେ । ଅଜଣା ଆତତାୟୀକୁ ଖୋଡିବା ପରି ସ୍ୟାଲି ପରିବର୍ତ୍ତେ ସେ ରେଡକୁ କ୍ରୋଧ ଓ ଘୃଣାରେ ଖୋଜି ଚାଲିଥିଲେ । ଯେଉଁ ପ୍ରେମିକ ବା ପ୍ରେମିକା ଆଖିରୁ ଘଡ଼ିଏ ଅନ୍ତର କରି ହେଉନଥିବ; କାଳର କରାଳ ନୀରବ ପ୍ରଭାବରେ କିଛି ବର୍ଷରେ ପ୍ରେମିକ/ପ୍ରେମିକା ପ୍ରତି ଆଖି ଉଠାଇ ଦେଖି ପାରିବି ନାହିଁ: ସେ ଅଦୃଶ୍ୟ ହୋଇଯାନ୍ତେ କି ବୋଲି ଅଜବ ଭାବନା ମନରେ ଅଜାଣତରେ ଆସି ଯାଉଥିବ ।
ସେ କ୍ୟାପଟେନଙ୍କୁ କହିଲେ ଯେ ସ୍ୟାଲି ଓ ରେଡ୍ ଭାଗ୍ୟବାନ୍ କାରଣ ତାଙ୍କ ବିଚ୍ଛେଦ ଚିରନ୍ତନ ପ୍ରେମର ସୌନ୍ଦର୍ଯ୍ୟରେ ଭରା । ଏକାଠି ରହିଥିଲେ ସେମାନେ ମଧ୍ୟ ଉଦାସୀନତାର ଶିକାର ହୋଇଥାନ୍ତେ । ସେ ପର୍ଯ୍ୟନ୍ତ ନେଲସନ ନିଜ ଭାବନାକୁ ନିଜକୁ କହିବା ପରି ବର୍ଣ୍ଣନା କରି ଚାଲିଥିଲେ । ହଠାତ୍ ସେ ଆଗନ୍ତୁକ ଅତିଥିଙ୍କ ବିଷୟରେ ସଚେତନ ହୋଇଗଲେ । ତାଙ୍କ ମନରେ ତୀବ୍ର ସନ୍ଦେହର ବିଜୁଳି, ଘଡ଼ଘଡ଼ି ଏକାଠି ନିଃଶବ୍ଦରେ ଗୁଞ୍ଜରି ଉଠିଲା । ସେ କ୍ୟାପଟେନଙ୍କୁ ଚାହିଁ କହିଲେ, ‘ଆଚ୍ଛା, ଏତେ କଥା ମୁଁ କହିଲିଣି, ଆପଣଙ୍କ ନାମ ପଚାରି ନାହିଁ । ଆପଣଙ୍କ ନାମ କଣ ?’
କ୍ୟାପଟେନ୍ ମୁହଁ ବ୍ୟଙ୍ଗହସରେ ଭରା; ନେଲସନଙ୍କୁ ଲାଗିଲା ସେ ଏକ ବିକୃତ ମଦ୍ୟପ ଗନ୍ଧର୍ବକୁ ଦେଖୁଛନ୍ତି -ତାଙ୍କ ମନ ଘୃଣା କ୍ରୋଧରେ ମନ୍ଥି ହୋଇଗଲା । ତାଙ୍କ ସନ୍ଦେହକୁ ବାକ୍ୟରେ ପରିଣତ କରି କ୍ୟାପଟେନ୍ ଅବଜ୍ଞାରେ କହି ପକାଇଲେ, ‘ବହୁତ ବର୍ଷ ହେଲା, ମୁଁ ମୋର ଏହି ନାମ ଭୁଲି ଯାଇଥିଲି । ଯେବେ ମୁଁ ଏ ଦ୍ୱୀପରେ ଥିଲି, ଲୋକମାନେ ମତେ ରେଡ୍ ବୋଲି ଡାକୁଥିଲେ ।’ ରେଡ୍ ର ମୋଟା ବିକୃତ ଚେହେରା ଆହୁରି ଘୃଣିତ ଦେଖାଗଲା । କିନ୍ତୁ ନୀରବ ହସରେ କ୍ୟାପଟେନର ସାରା ଶରୀର ହଲିବାରେ ଲାଗିଲା; ତାର ମଦ୍ୟପ ମୁହଁ ଓ ଲାଲ ଆଖିରୁ କିଛି ବ୍ୟଙ୍ଗାଶ୍ରୁ ଗଡ଼ି ପଡ଼ିଲା ।
ଠିକ୍ ସେହି ସମୟରେ ନେଲସନଙ୍କୁ ଜଣେ ଦୀର୍ଘକାୟ ସ୍ଥୂଳ ଶରୀର ମହିଳା ଆସି ଘରର କିଛି ବ୍ୟାପାର ବିଷୟରେ ପଦେ ଦୁଇପଦ ପଚାରିଲେ । ଅତିଥିଙ୍କୁ ସେ ଦେଖିଲେ କି ନାହିଁ, ବା ଦେଖି ବୀତସ୍ପୃହ ଥିଲେ ତା ବି ଜଣା ପଡ଼ିଲା ନାହିଁ । ସେ ଧୀରେ ଧୀରେ ଘର ଅଭ୍ୟନ୍ତରକୁ ଚାଲିଗଲେ ।
ନେଲସନ୍ ଆଗନ୍ତୁକଙ୍କୁ ଭଦ୍ରାମୀ ଦୃଷ୍ଟିରୁ କହିଲେ, ‘ମୁଁ ଆପଣଙ୍କୁ ମୋ ଚାକର ଟୋକାକୁ କହିଦେଉଛି, ସେ ଗ୍ରେ ଷ୍ଟୋରରେ ଆପଣଙ୍କୁ ପହଞ୍ଚାଇ ଦେବ । ଆଜ୍ଞା ଟିକେ ହୁସିଆର ହୋଇଯିବେ; ନାଳରେ ଗଳି ପଡ଼ିବେ ନାହିଁ ।’ କ୍ୟାପଟେନ୍ କହିଲେ, ‘ଠିକ୍ କଥା; ମୁଁ ଦେଖିଚାହିଁ ଯିବି ।’
ନେଲସନ୍ କିଛିକ୍ଷଣ ସୃଷ୍ଟିର ବିଚିତ୍ରତାକୁ ଭାବିବାରେ ଲାଗିଲେ । ସ୍ୟାଲି ଏହି ପଶୁପରି ଲୋକଟାକୁ ଝୁରି ଝୁରି ନିଜ ଜୀବନ ଓ ତାଙ୍କ ଜୀବନ ନଷ୍ଟ କରିଦେଲା । ଅବା ଏହାହିଁ ଜୀବନର ସର୍କସ; ମ୍ୟାଜିକ ଦର୍ପଣ ଯେଉଁଥିରେ ତୁମେ ଅତି ମୋଟା, ବା ଅତି ଡେଙ୍ଗା ବା ଅତି ଅଲଗା ଦେଖାଯିବ । ମଣିଷର ଜୀବନ ଏହିପରି ଅଦ୍ଭୁତ । ସ୍ୟାଲିକୁ ସେ ଅନେକ ବର୍ଷପରେ ଠିକ୍ ଭାବେ ଦେଖିଲେ – ଗୋଟିଏ କଳା, ବୟସ୍କା ମୋଟି ସ୍ତ୍ରୀଲୋକ । ନେଲସନ୍ ଭାବିଲେ ଯେ କିପରି ସେ ସାରା ଜୀବନ ଏହି ନାରୀର ପ୍ରେମ ପାଇବା ପାଇଁ ନିଜର ସମଗ୍ର ଜୀବନକୁ ସମର୍ପିତ କରି ଦେଇଥିଲେ । ତାଙ୍କୁ ପୁରା ଜୀବନ ଠକାମିରେ ପଡ଼ିଲା ପରି ଲାଗିଲା; ଈଶ୍ୱର ତାଙ୍କ ପ୍ରତି ଅତ୍ୟନ୍ତ ନିର୍ଦ୍ଦୟ । ଏହି ବିକୃତ ମଦ୍ୟପ ରେଡ୍ ତାଙ୍କ ଜୀବନର ସବୁ ସୁଖ ନେଇଗଲା ।
ଏହି ସମୟରେ ସ୍ୟାଲି ପଶିଆସି କହିଲେ,‘ଡିନର୍ ପ୍ରସ୍ତୁତ ହୋଇ ଯାଇଛି; ଖାଇବା ବାଢ଼ିବି ?’
ନେଲସନ୍ ରେଡ୍ ର ବିସ୍ତୃତ ବିବରଣୀ ଦେବା କଥା ମନରୁ ପୋଛିଦେଲେ । କହିଲେ, ‘ଏ ମୋଟା ଲୋକ ଜଣକ ଖବର ଆଣିଛି ଯେ ମୋ ବଡ଼ଭାଇ ବହୁତ ବେମାର ଅଛନ୍ତି । ମୁଁ ଭାବୁଛି ଦୁଇଚାରିଦିନ ପରେ ବାହାରି ତାଙ୍କୁ ଦେଖିବାକୁ ଯିବି ଭାରି ।’
ସ୍ୟାଲି ନିରୀହ ଚାହାଣିରେ ପଚାରିଲା, ‘ତୁମେ କେତେ ଦିନ ପାଇଁ ଯିବ ? କ’ଣ ବେଶି ସମୟ ଲାଗିଯିବ ? ’
ନେଲସନ୍ କୌଣସି ଉତ୍ତର ଦେଲେ ନାହିଁ । ତାଙ୍କ କାନ୍ଧ ନଚାଇ ଜଣାଇଲେ ଯିବା ଫେରିବାର କୌଣସି ନିର୍ଦ୍ଦିଷ୍ଟତା ନାହିଁ ।
—–
ସମ୍ପର୍କ : ପ୍ରସନ୍ନ କୁମାର ହୋତା, IAS, ନୂଆଦିଲ୍ଲୀ, MOB -9711985400