ପ୍ରସନ୍ନ କୁମାର ହୋତାଙ୍କ କଥା ଓ କାହାଣୀ-1: “ବହି ପଢ଼ା”

0
  • +++++++++++++++++++++++++++
* ବହି ପଢ଼ା   
   -ପ୍ରସନ୍ନ କୁମାର ହୋତା
+++++++++++++++++++++++++++++++++++++
" ବହି ପାଠକ ବିନା ଶୁଖା କାଗଜ ଯେଉଁଥିରେ କିଛି କାଳିଦାଗ ଲାଗିଛି। ଲେଖକ ଶଦ୍ଦ କଳ୍ପଚିତ୍ର ସୃଷ୍ଟି କରେ, କିନ୍ତୁ ସେ ଚିତ୍ର ଜୀବନ୍ତ ହୁଏ ଯେବେ ପାଠକ ସେ ଶଦ୍ଦରାଜି ନିଜ ଭିତରକୁ ପ୍ରବେଶ କରାଏ।"
 ବହି କଣ ତାହା ମୁଁ ସାତ ବର୍ଷ ବୟସରେ ଜାଣିପାରିଲି- ବହିରେ ସନ୍ନିବେଶିତ ଶବ୍ଦ-ସ୍ୱପ୍ନ ସବୁ ମତେ ବଶୀଭୂତ କରିନେଲେ।
ଦେହ ଅସୁସ୍ଥ ରହୁଥିବା ହେତୁ ମୁଁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଠିକଭାବେ ଆରମ୍ଭ କରିପାରିନଥିଲି। ଏହି ଅବସ୍ଥାରେ ବାପାଙ୍କର  ବଦଳି ହେଲା ବଲାଙ୍ଗୀରକୁ।  ଚତୁର୍ଥ ଶ୍ରେଣୀରେ ନାମଲେଖା ପରୀକ୍ଷା ହେଲା -ବଲାଙ୍ଗୀର ସହରର ସରକାରୀ ମାଇନର ସ୍କୁଲରେ। ସବୁ ବିଷୟରେ ମୁଁ ଶୂନ୍ୟ ପାଇଲି -ଅଙ୍କ ତଥା ଓଡ଼ିଆ ପରୀକ୍ଷାରେ। ତଥାପି ସେତେବେଳେ ଏତେ ଭିଡ଼ ନଥିଲା, ଏବଂ ବାପା ଜିଲ୍ଲାସ୍ତରୀୟ ଅଫିସର ଥିଲେ। ତାଙ୍କ ସଙ୍ଗେ କାମ କରୁଥିବା ଯୋଗାଡ଼ିଆ ଲୋକମାନେ କୌଣସିମତେ ମୋର ନାମ ଲେଖାଇ ଦେଲେ। ଶ୍ରେଣୀ ଶିକ୍ଷକ ପ୍ରବଳ ପ୍ରତାପୀ ସୁଦର୍ଶନ ପୁରୋହିତ ସାର୍। ସ୍କୁଲ ଯିବାର ପ୍ରଥମ ସପ୍ତାହରେ ଗୋଟିଏ ଅଙ୍କ ଭୁଲ କରିଦେଲି -ପୁରୋହିତ ସାର୍ ଗୋଟିଏ ଚାପୁଡ଼ା ପକାଇଲେ। ମୋ ପ୍ୟାଣ୍ଟ ଓଦା ହୋଇଗଲା। ମୁଁ ଘରକୁ ଧାଇଁ ପଳାଇଲି, ଆଉ ସ୍କୁଲ ଗଲିନାହିଁ। ବାପାଙ୍କୁ ଘରର ଭାଇଭଉଣୀଙ୍କ ଗହଳି ମଧ୍ୟରେ ଜାଣିବାକୁ ସମୟ ଲାଗିଗଲା ଯେ ତାଙ୍କ ଦୁର୍ବଳିଆ ପୁଅ ମାଡ଼ ଭୟରେ ସ୍କୁଲ ଯାଉନାହିଁ।
ବାପା ଜିଲ୍ଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ। ଅବକାରୀ ବିଭାଗର ସହକର୍ମୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଅଧିକ। ସମସ୍ତଙ୍କ ସକାଶେ ଆମ ଘରେ ଗୋଟିଏ ଚାହା ଭୋଜି ଅନୁଷ୍ଠିତ ହେଲା; ଆମ ସ୍କୁଲର ସବୁ ବିଶିଷ୍ଟ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଗଲା। ପୁରୋହିତ ସାର୍ ହସିଦେଇ ମତେ କାଖରେ ଉଠାଇନେଲେ। ବାପା ଶିଖାଇଥିବା ଭଜନ ‘ଭବସାଗର ତାରଣ କାରଣ ହେ’ ଗାଇଲି -ପ୍ରଧାନ ଶିକ୍ଷକ ମିତ୍ରସାର୍ ପ୍ରଶଂସା କଲେ। ମୋର ଡର ଭାଙ୍ଗିଗଲା।
ବାପା କଟକ ଟୁରରେ ଗଲେ, ଫେରିଲେ ଏକଟଙ୍କା ଖର୍ଚ୍ଚକରି ଘର ପାଇଁ ପାଇଁ ଚାରିଗୋଟି ଚଟି ପୁସ୍ତିକା ସହିତ - ‘ବଡ଼ ମଣିଷଙ୍କ ପିଲାଦିନ’- କୁଳବୃଦ୍ଧ ମଧୁସୂଦନ, ପଣ୍ଡିତ ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକିରମୋହନଙ୍କ ଜୀବନୀ- ବିଶେଷ ଭାବରେ ତାଙ୍କ ପିଲାଦିନ ତଥା ଯୌବନରେ ଘଟିଥିବା ସ୍ମରଣୀୟ ଘଟଣାର ଗଳ୍ପ। ମୁଁ ସେ ଚାରିଟିଯାକ ବହି ପଢ଼ିଲି। ଗପ ପରି ସେ କଥା ସବୁ ମତେ ବହୁତ୍ ଭଲ ଲାଗିଲେ। ବହି ପଢ଼ିବା ନିଶା ମତେ ଏତେ ଘାରିଗଲା ଯେ ମୁଁ ଗପବହି ଖୋଜି ଖୋଜି ପଢ଼ିବାରେ ଲାଗିଲି ।

ସେତେବେଳେ ଏତେ ବହିପତ୍ର ନଥିଲା। ଇଂରେଜୀ ଜଣା ନଥିଲା -ତେଣୁ ବାପା ବା ବଡ଼ଭାଇଙ୍କ ବହି ପଢ଼ିବା ଅସମ୍ଭବ। ବଡ଼ ଭଉଣୀଙ୍କ ଇତିହାସ ବହି ଆଣି ଗପପରି ପଢ଼ିଦେଲି। ବଜାରରୁ ସଉଦା ଆସିଲେ ଖବରକାଗଜ ଠୁଙ୍ଗା ଚିରି ଗପ ଥିଲେ ପଢ଼ିବାକୁ ଚେଷ୍ଟାକଲି। ପାଖ ପଡ଼ିଶାଙ୍କ ଘରକୁ ଯାଇ ଲଜ୍ଜାଛାଡ଼ି ‘ଗୋଟିଏ ଗପବହି ଦିଅ’ ବୋଲି ମାଗିଲି। ଷଢ଼ମାସିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କଲି। ବାପାଙ୍କର ପଦୋନ୍ନତି ହୋଇ କଟକ ବଦଳି ହେଲା। ଆମେ ପହଞ୍ଚିଲୁ ୨୯ କ୍ୟାଣ୍ଟନମେଣ୍ଟ ରୋଡ, ଶ୍ରୀଯୁକ୍ତ ରମେଶଚନ୍ଦ୍ର ରଥଙ୍କ (ଅବସର ପ୍ରାପ୍ତ ଆଇ.ଏ.ଏସ୍) ଘରର କିଛି ଅଂଶରେ ଭଡ଼ାରେ ରହିଲୁ। ବିରାଟ ହତା, ଫୁଲଫଳଗଛରେ ଭରା, ଅନେକ ଚଢ଼େଇ। ଏସବୁ ବହୁତ ଭଲଲାଗିଲା; କିନ୍ତୁ ବହିଖୋଜା ଲାଗିରହିଲା। ରଥ ସାହେବଙ୍କ ଘରେ ଥିବା ଅଳ୍ପ ଓଡ଼ିଆ ବହି ଶୀଘ୍ର ସରିଗଲା।

ବଡ଼ଭାଇ ନମସ୍ୟ ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ପାଖେ ଅନେକ ବହି -ବେଶି ଇଂରେଜୀରେ। ଆମ ମିଶନ୍ ସ୍କୁଲ (ପରେ ଖ୍ରୀଷ୍ଟ କଲେଜିଏଟ) ଲାଇବ୍ରେରୀରୁ ସପ୍ତାହରେ ଖଣ୍ଡେ ପତଳା ବହି ମିଳେ। କିନ୍ତୁ ଚତୁର୍ଥ ଶ୍ରେଣୀରୁ ଇଂରେଜୀ କିଛି ପଢ଼ିବା ଆରମ୍ଭ କରାଯାଇଥାଏ। ଠାସକୁ ଲଗାଇ ଇଂରେଜୀ ବହି ପଢ଼ିବାକୁ ଚେଷ୍ଟା କରୁଥାଏ। 
ପଞ୍ଚମ ଶ୍ରେଣୀରେ ପୁଣି ଦେହ ଖରାପ, ଏବଂ ସ୍କୁଲ ଯିବା ବନ୍ଦ। କିନ୍ତୁ ବହିପଢ଼ା ବନ୍ଦ ନଥାଏ। ବଡ଼ ଭଉଣୀ ମୋ ପ୍ରତି ସ୍ନେହଶୀଳା।

 ରେଭେନ୍‌ସା ଗାର୍ଲସ ସ୍କୁଲର ବସ୍ ଆସେ। ମୁଁ ଭଉଣୀ ସଙ୍ଗେ ଦୌଡ଼ି ଦୌଡ଼ି ଗେଟ୍ ପାଖରେ ଅଟକିଥିବା ବସରେ ତାକୁ ବସାଇ ବଡ଼ପାଟିରେ ଅନୁରୋଧ କରେ -‘ଯେପରି ହେଲେ ମୋ ପାଇଁ ଗୋଟେ ଗପବହି ଆଣିବୁ’; ବସରେ ବସିଥିବା ତା’ ସାଙ୍ଗମାନେ ହସନ୍ତି। ସେ ସାଢ଼େ ତିନିଟା ବେଳକୁ ସ୍କୁଲରୁ ଫେରେ; ମୁଁ ଚାତକ ପରି ଗେଟ୍ ପାଖେ ଟହଲୁଥାଏ। ସେ ବସରୁ ଓହ୍ଲାଇ ଗପବହିଟିଏ ମୋ ହାତକୁ ବଢ଼ାଇଦିଏ। ମୁଁ ଚାଲୁ ଚାଲୁ ପଢ଼ିବା ଆରମ୍ଭ କରିଦିଏ -କାରଣ ବହି ସାରି ତା' ଆରଦିନ ସେ ସ୍କୁଲ ଗଲାବେଳକୁ ମତେ ଫେରାଇବାକୁ ହେବ। ଏହି ସର୍ତ୍ତରେ ସେ ଦିନକପାଇଁ ବହିଟିଏ ମାଗି ଆଣିଥାଏ। ସେ ଆଉ ତା ସାଙ୍ଗମାନଙ୍କ ସ୍ନେହ ଯୋଗୁ ସେତେବେଳେ ମୁଁ କେତେ ବହି ପଢ଼ିପକାଇଲି -ସେଥିରେ ଶର୍ବରୀ, ବାଲିରାଜା, ମଲାଜହ୍ନ ମଧ୍ୟ ଅନ୍ତର୍ଭୁକ୍ତ। କିପରି କେଜାଣି ଏସବୁ ବହି ପଢ଼ି ବୁଝିବାକୁ ମତେ କିଛି ଅସୁବିଧା ଲାଗୁନଥାଏ। ଏହି ସମୟରେ ପଣ୍ଡିତ ଲିଙ୍ଗରାଜ ମିଶ୍ର (ତତ୍କାଳୀନ ଆଇନ୍ ମନ୍ତ୍ରୀ ଏବଂ ବାଚସ୍ପତି ମଧ୍ୟ) ମୋ ମା’ଙ୍କ ପିଇସା ସଂପର୍କୀୟ ହୁଅନ୍ତି। ବାଲ୍ମିକିଙ୍କ ମୂଳ ସଂସ୍କୃତ ରାମାୟଣର ସାତକାଣ୍ଡକୁ ସାତଖଣ୍ଡ ବନ୍ଧେଇ ପୁସ୍ତକରେ ଓଡ଼ିଆରେ ଅନୁବାଦ କରି ଆମ ଘରକୁ ଆସି ତାହା ଉପହାର ସ୍ୱରୂପ ଦେଲେ। ମୁଁ ସେହି ସାତଖଣ୍ଡ ବହିକୁ ସାତ ସାତଥର ପଢ଼ି ପକାଇଲି। ବାଳକୃଷ୍ଣ କରଙ୍କ ‘ଶିଶୁ ସଂଖାଳୀ’ ମଧ୍ୟ ଆସିଗଲା। ପ୍ରଜାତନ୍ତ୍ରର ମୀନାବଜାର ଓ ମାତୃଭୂମିର ସପ୍ତାହରେ ଥରେ ପିଲାଙ୍କ ପୃଷ୍ଠା ।

ପଡ଼ିଶା ହତାରେ ରେଭିନ୍ୟୁ ଡିଭିଜନାଲ କମିଶନର ଶ୍ରୀଯୁକ୍ତ ବ୍ରଜସୁନ୍ଦର ମହାନ୍ତିଙ୍କ କୋଠୀ। ତାଙ୍କ ଘରେ ଅନେକ ପୁଅଝିଅ ଏବଂ ଅନେକ ବହି ମଧ୍ୟ। ମୋର ବିଶେଷ କରି ମନେଅଛି -Wide Wide World ବୋଲି ଗୋଟିଏ ଅତି ଚମତ୍କାର ପତ୍ରିକା । ମହାନ୍ତି ସାହେବ ତା'ର ପୁରୁଣା କପିସବୁ ବନ୍ଧାଇ ରଖିଥିଲେ। ତାଙ୍କ ବଡ ପୁଅ ଭାଇଙ୍କୁ ପଢ଼ିବାକୁ ଦେଲେ -ଦ୍ୱିପ୍ରହରରେ ସନ୍ତର୍ପଣରେ ଆଣି ମୁଁ ତାହା ସବୁ ପଢ଼ିଗଲି -ଆସ୍ତେ ଆସ୍ତେ ବୁଝିଗଲି ମଧ୍ୟ। 


ଏହି ସମୟରେ ବାଲିଯାତ୍ରା ଆରମ୍ଭ ହୋଇଗଲା। ମତେ ମୋ ମା ଅନ୍ୟମାନଙ୍କଠାରୁ ଲୁଚାଇ କରି ଗୋଟିଏ ଟଙ୍କା ଦେଲେ  । ମୁଁ ତ ସ୍କୁଲ ଯାଉନଥାଏ। ଦିନ ଦ୍ୱିପ୍ରହରରେ ସେ ଟଙ୍କାଟିକୁ ଧରି ମୁଁ ଯାତ୍ରା ପଡ଼ିଆରେ ଯାଇ ପହଞ୍ଚିଲି। ମୋର ଚିରଦିନ ପେଟ ଖରାପ -ତେଣୁ ଖାଇବା ଦୋକାନ ଆଦି ଛାଡ଼ି ମୁଁ ପଛପଟକୁ ନିରୋଳାରେ ଥିବା ବହିଦୋକାନ ଧାଡ଼ିରେ ପହଞ୍ଚିଲି। ସାହସ ହେଉନଥାଏ; ତଥାପି ଭିଡ଼ ନଥିବା ହେତୁ ସେ ଦୋକାନମାନଙ୍କ ପାଖେ ଠିଆ ହୋଇଥାଏ। ମଝିରେ ମଝିରେ ଜଣେ ଅଧେ ଆସି ବହିଟିଏ ଓଲଟାଇ ଦେଖୁଥାନ୍ତି -କେହି କିଛି କିଣୁଥାନ୍ତି -ବାକୀ ନକିଣି ସେପରି ଥୋଇଦେଇ ଚାଲିଯାଉଥାନ୍ତି; ସେମାନେ ସବୁ ବୟସ୍କ -ତାଙ୍କର ସେପରି କରିବାର ଅଧିକାର ଅଛି -ମୋର ଅଛି କି? ମାତ୍ର ଗୋଟିଏ ଟଙ୍କା, ୧୯୫୫ ମସିହାରେ ଗୋଟିଏ ଟଙ୍କାର ମଧ୍ୟ ମୂଲ୍ୟ ଥିଲା। ମୁଁ ସାହସ କରି ସବୁଠାରୁ ବଡ଼ ବହି ଦୋକାନରେ ପଶି ବହି ଦେଖିବା ଆରମ୍ଭ କଲି। କର୍ମଚାରୀ ମୋ ଆଡ଼କୁ ଉହୁଙ୍କି ଆସୁଥିଲେ -ମାଲିକ ହେବେ ବୋଧହୁଏ -ସେ ବାରଣ କଲେ। ମୁଁ କିଛି ବହି ଦେଖୁ ଦେଖୁ ଗପବହି ଥାକ ଉପରେ ନଜର ପଡ଼ିଗଲା। ‘କଥା ସଂଗ୍ରହ’ ଖୋଲି ପଢ଼ୁ ପଢ଼ୁ ଭୋଳ ହୋଇଗଲି- ସେମିତି ଠିଆହୋଇ ଗୋଟିଏ ପରେ ଗୋଟିଏ ଗପ ପଢ଼ି ଚାଲିଲି। ଦୁଇ ଘଣ୍ଟା ବା ଅଧିକ ସମୟ ବିତିଗଲା। ସଂଧ୍ୟା ହୋଇ ଆସିଲା। ଅନ୍ଧାର ହେବାରୁ ବଲବ ଜଳିଲା; ମୋର ହୋସ ଆସିଲା ଯେ ମୁଁ ଏପରି କରିବା ବୋଧହୁଏ ଅସମୀଚୀନ, ଏବଂ ଅପମାନଜନକ ମଧ୍ୟ ହୋଇପାରେ। ମୁଁ ସଂକୁଚିତ ହୋଇ ମାଲିକଙ୍କ ପାଖକୁ ଯାଇ କହିଲି -ମୋ ପାଖେ ଗୋଟିଏ ଟଙ୍କା ମାତ୍ର ଅଛି। ଏ ବହିର ଦାମ ଅଢ଼େଇ ଟଙ୍କା। ମତେ ଅନୁମତି ଦେଲେ ମୁଁ ଏହିପରି ଏବେ ଆଉ ଘଣ୍ଟାକରେ ବହିଟିର ପଢ଼ା ସାରି ଥାକରେ ରଖିଦେବି। ଏ ଟଙ୍କାଟି ଆପଣ ରଖନ୍ତୁ। ସେ କିଛି ମନାକଲେ ନାହିଁ। ମୁଁ ସେହିପରି ପଛପଟକୁ ତଳେ ବସି ବହିଟି ପଢ଼ି ଚାଲିଲି। ବହିର ଗପସବୁ ପଢ଼ା ସରିଲା -ଯାହା ମୋର ମନେପଡ଼ୁଛି ସେଥିର ଶେଷ ଗପ ଥିଲା ଶ୍ରୀଯୁକ୍ତ କାଳନ୍ଦୀଚରଣ ପାଣିଗ୍ରାହୀଙ୍କ ‘ସାଗରିକା’ ଗଳ୍ପ। ମୁଁ ବହିଟି ଯତ୍ନରେ ଥାକରେ ଥୋଇ ଦୋକାନ ଆଗକୁ ଆସିଲି। ମାଲିକ ମତେ ଅଟକାଇଲେ। କହିଲେ, ‘ଏ ସିଙ୍ଗଡ଼ାଟି ଖାଅ। ତୁମ ଟଙ୍କାଟି ରଖ।’ ମୁଁ ଧୀରେ କହିଲି, 'ମୋର ବେଶି ପେଟ ଖରାପ ରୁହେ। ବଜାର ଜଳଖିଆ ଖାଇବାକୁ ବାପା ମନା କରିଛନ୍ତି'।

ସେ ହସି ପକାଇଲେ, ବାପାଙ୍କ ନାମ ପଚାରି ଶୁଣି ଖୁସି ହୋଇ କହିଲେ, ‘ଆମ ହୋତାଙ୍କ ପୁ୍ଅ; ତୁମ ବଡ଼ଭାଇ ବହୁତ ଭଲ ଛାତ୍ର।(ସେ କାଳରେ ଭଲ ଛାତ୍ରଙ୍କ ଚର୍ଚ୍ଚା ଘରେଘରେ ।) ହଉ ଟିକେ ରୁହ। ଆରେ ଧାଇଁ ଯାଇ ଗୋଟେ ରସଗୋଲା ଆଣିବୁ।’ ରସଗୋଲା ଆସିଲା। ସେ କହିଲେ, ‘ଏ ରସଗୋଲା ଖାଅ; ଏଥିରେ ପେଟ ଖରାପ ହେବ ନାହିଁ। କାଲି ଆସିବ, ବେଳାବେଳି। ଘରେ କହିକରି ଆସିବ ଯେ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରକୁ ଆସୁଛ। ଯେତେ ଇଚ୍ଛା ସେତେ ବହି ପଢ଼ିବ। ତୁମ ଟଙ୍କାଟି ରଖ। ମା’ ଦେଇଛନ୍ତି ବୋଧେ! ତାଙ୍କ ପାଇଁ କିଛି ଜଳଖିଆ କିଣି ନେଇ ଯାଅ।’ ବୋଧହୁଏ ମାନନୀୟ ଅନନ୍ତ ମିଶ୍ର ଏ କଥା ମତେ କହିଥିଲେ।
 
ସେକାଳରେ ଅନେକ ହୃଦୟବାନ ଲୋକ ଥିଲେ। ଲାଭକ୍ଷତିର ହିସାବ ଏତେ କଡ଼ାକଡ଼ି ହେଉନଥିଲା। ତା’ ଆରଦିନ ମଧ୍ୟ ଆସି ବହି ପଢ଼ିଲି। ସେ ମହାଶୟ ଗଲାବେଳକୁ ମତେ ‘ଦଶକୁମାର ଚରିତ’ ବୋଲି ଖଣ୍ଡିଏ ବହି ହାତରେ ଗୁଞ୍ଜିଦେଲେ। ପଇସା ନେବାକୁ ମନାକଲେ। 
କିଛି ଦିନ ପିଉସୀ ପୁଅ ଭାଇ ସ୍ନେହୀ ଶ୍ରୀ ରଘୁନାଥ ଦାସଙ୍କ ଘରେ ଭୁନେଶ୍ବରରେ ରହିଲି। ମାର୍କେଟ ବିଲଡିଂରେ ଗୋଟିଏ ସରକାରୀ ଲାଇବ୍ରେରୀ ଥାଏ। ସେଠାରେ ବହୁତ ବହି। ଓଡିଆ ଅନୁବାଦରେ ରୋମା ରୋଲାଁ ଙ୍କ ଜା କ୍ରିସ୍ଥୋପି ଓ ସରଭାନ୍ନ୍ତେସଙ୍କ ଡନ କୁସ୍ତି ( Don  Quihote) ଆଦି ପଢ଼ିଲି।
*        *        *        *
ଷଷ୍ଠ ଶ୍ରେଣୀରେ ସ୍କୁଲରେ ପହଞ୍ଚିବାରୁ ଶିକ୍ଷକମାନେ କହିଲେ, ‘ଆରେ ତୁମେ ତ ବର୍ଷେ କାଳ ପାଠ ପଢ଼ିନାହଁ, ଉପର ଶ୍ରେଣୀରେ କିପରି ବସିବ ?’ ମାନନୀୟ ଏକାଦଶୀ ରଣାସାର୍ ମୋର ଚତୁର୍ଥ ଶ୍ରେଣୀରେ ‘କଦଳୀ ଚାଷ’ ଶୀର୍ଷକ ରଚନା ପଢ଼ି V.V. Good ଲେଖିଥିଲେ -କାରଣ ଗ୍ରାମରୁ ବୁଲି ଆସିଥିବା ମୋ ମଉସାଙ୍କୁ ପଚାରି ମୁଁ ସେଥିର ଆରମ୍ଭରେ ଲେଖିଥିଲି, -

“

ଏବଂ ଶେଷରେ ଲେଖିଥିଲି ଯେ କଦଳୀ ଚାଷ ଚାଷୀକୁଳର ଆର୍ଥିକ ଅବସ୍ଥାରେ ବିକାଶ କରାଇବ। କିପରି କେଜାଣି ଏତକ ତାଙ୍କ ମନରେ ଥିଲା - ସେ କହିବାରୁ ମୋର ଷଷ୍ଠଶ୍ରେଣୀ ପାଇଁ ଆଡମିଶନ୍ ଟେଷ୍ଟ କରାଗଲା। ଭଲ କଲାରୁ ଷଷ୍ଠଶ୍ରେଣୀରେ ଦାଖିଲା ମିଳିଲା। ବହି ପଢ଼ିବା ନିଶା ଲାଗି ରହିଥାଏ। ଅଷ୍ଟମ ଶ୍ରେଣୀ ବେଳକୁ ସ୍କୁଲରେ ସୁଛାତ୍ର ରୂପେ ଗଣା ଯାଉଥାଏ। ନବମଶ୍ରେଣୀରେ ପୁଣି ଦେହ ଖରାପ। ପୁନର୍ବାର ସ୍କୁଲ ବନ୍ଦ- ଘରେ ବସି ପଢ଼େ। କିଛି କିଛି ଅଙ୍କ କରେ, ବେଶି ଗପବହି ପଢ଼େ। ତେବେ ଏତେ ବହି ମତେ ଯୋଗାଇବ କିଏ! ମଦୁଆ ଶୁଙ୍ଘିଶୁଙ୍ଘି ମଦଆଡ୍ଡା ଖୋଜି ପାଇବା ପରି, ମୁଁ ସପ୍ତମ ଶ୍ରେଣୀରେ ଅଲିସା ବଜାରର ଛୋଟିଆ ଲାଇବ୍ରେରୀରେ ପହଞ୍ଚେ। ସେଠି ଭରା କେତେ ବହି, ପରୀ କାହାଣୀ ଓ ଦେଶ ବିଦେଶର ଲୋକ କଥା। ଅନ୍ୟ ଗପ ସଙ୍ଗେ ନରୱେ ଦେଶର କିଛି ଲୋକ କଥା ପଢିଲି ।

 ଏହି ଷଷ୍ଠ ବା ସପ୍ତମ ଶ୍ରେଣୀରେ ମୋ ଜୀବନର ପଢ଼ିଥିବା ସର୍ବୋତ୍କୃଷ୍ଟ ଗଳ୍ପମାନଙ୍କ ମଧ୍ୟରୁ ଏକ ଅପୂର୍ବ ଗଳ୍ପ ସୌଭାଗ୍ୟବଶତଃ ପାଇ ପଢ଼ି ପକାଇଲି। ଏବେ ମଧ୍ୟ ମତେ ଲାଗେ ଏହାର ସମକକ୍ଷ ଗଳ୍ପ ବିରଳ। ମାନନୀୟ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ କୃତଜ୍ଞତା ଜଣାଉଛି- ସେ କାଳରେ ସେ କଷ୍ଟ ସ୍ୱୀକାର କରି ବିଶ୍ୱସ୍ତରର ଲେଖା ଅନୁବାଦ କରି ଓଡ଼ିଆ ସାହିତ୍ୟର ପରିସର ବୃଦ୍ଧି କରିଥିଲେ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି -ବୋଧହୁଏ ମୁଁ ଯାହା ପଢ଼ି କ୍ଷୁଦ୍ରଗଳ୍ପ ବୋଲି ଭାବିଛି ତାହା ଏକ ଉପନ୍ୟାସର ଅଂଶ; କିନ୍ତୁ ଶ୍ରୀଯୁକ୍ତ ମହାନ୍ତି ତାକୁ ଗଳ୍ପ ହିସାବରେ ପାଠକ ସାମନାରେ ରଖିଥିଲେ। ସାରା ଜୀବନ ତା’ପରେ ଖୋଜିଛି -କେତେ ସମର୍ଥ ବନ୍ଧୁଙ୍କୁ ପଚାରିଛି; କେହି କିନ୍ତୁ ସେ ଗଳ୍ପ କେଉଁଠି ମିଳିବ ସେକଥା କହିପାରି ନାହାନ୍ତି। ଗଳ୍ପର ନାମ ବୋଧହୁଏ ‘ବାମନ’। ଏତେ ଚମତ୍କାର କାହାଣୀ ସଂକ୍ଷେପରେ କହୁଛି -କାଳେ ଆପଣମାନଙ୍କ ଭିତରୁ କେହି ଏ ବିଷୟରେ ଜାଣିଥିବେ; ଏବଂ ଏ କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିପାରିବେ। ଗପଟି ଏହିପରି -ଜଣେ ଆର୍ମି କମାଣ୍ଡର ଥିଲେ, କିନ୍ତୁ ସର୍ବୋଚ୍ଚ ପଦୋନ୍ନତି ହୋଇପାରି ନଥିଲା। ତାଙ୍କର ଆଶା, ପୁଅଟିଏ ହେଲେ ତାକୁ ଭଲଭାବରେ ଗଢ଼ିବେ -ଏବଂ ସେ ଆର୍ମିରେ ଅଫିସର ହୋଇ କାଳକ୍ରମେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବ। ବାହାଘରର ଅନେକ ବର୍ଷ ପରେ ତାଙ୍କର ପୁଅ ଜନ୍ମ ହେଲା, କିନ୍ତୁ   ତିନିଚାରିବର୍ଷ ବୟସ ବେଳକୁ ଜଣାପଡ଼ିଗଲା ଯେ ନିୟତିର କ୍ରୂର ପରିହାସରେ ପିଲାଟି ବାମନ। କମାଣ୍ଡରଙ୍କ ଭଗ୍ନ ହୃଦୟ ନିଷ୍ଫଳ କ୍ରୋଧରେ ପରିଣତ ହେଲା।  ମଦ ପିଇ ଦୁଃଖ ଭୁଲାଉ ଭୁଲାଉ ତାଙ୍କର ଦେହାନ୍ତ ହୋଇଗଲା। (ସୁନ୍ଦର ବର୍ଣ୍ଣନା ଅଛି -ସଂକ୍ଷିପ୍ତକରଣ ପାଇଁ ଲେଖୁ ନାହିଁ) ତାଙ୍କ ସ୍ତ୍ରୀ ମଧ୍ୟ ଭଗ୍ନ ହୃଦୟ ଓ ଭଗ୍ନସ୍ୱାସ୍ଥ୍ୟରେ ମୃତ୍ୟୁବରଣ କଲେ। ବାମନ ସେତେବେଳକୁ ଅଠରବର୍ଷର ଯୁବକ। ସେ ଧନୀ ପିତାଙ୍କର ସବୁ ସଂପତ୍ତିର ଏକମାତ୍ର ଅଧିକାରୀ। ତାଙ୍କ ସ୍ୱପ୍ନର ଦୁନିଆକୁ ସେ ନିଜ କାମନା ଅନୁସାରେ ସଜାଇଲେ। ବଡ଼ ପିଆନୋ ବିକ୍ରୀ ହୋଇଗଲା, ତା ଜାଗାରେ ଛୋଟ ସାଇଜ ଓ ଉଚ୍ଚତାର ପିଆନୋ ଆସିଲା। ଘରର ସମସ୍ତ ଆସବାବପତ୍ର ମଧ୍ୟ ପରିବର୍ତ୍ତିତ ହେଲା। ବଡ଼ ଘୋଡ଼ା ଆଦି ବଦଳା ହୋଇ ଛୋଟ ସୁନ୍ଦର ପୋନି(ତଟୁ ଘୋଡ଼ା) ଓ ଘୋଡ଼ାଗାଡ଼ି ଆସିଲେ। ଘରର ସମସ୍ତ ଭୃତ୍ୟ ସାନ ଉଚ୍ଚତାର ବଛାହେଲେ। ଯୁବକ ବିବାହଯୋଗ୍ୟ ହେବାରୁ କିଛି ଚେଷ୍ଟା ପ୍ରଚେଷ୍ଟା ପରେ ଗୋଟିଏ ସୁନ୍ଦରୀ ବାମନ କନ୍ୟା ମିଳିଲେ -ବାମନ କିନ୍ତୁ ସୁଢ଼ଳ। ଯୁବକଙ୍କ ସଂସାର ସଂପୂର୍ଣ୍ଣ ହୋଇଗଲା।

 ଅନେକ ସଂଧ୍ୟାରେ ସେମାନେ ତାଙ୍କ ଛୋଟ ଘୋଡ଼ାଗାଡ଼ିରେ ସହର ବୁଲି ଘରକୁ ଆସି ଖାଇବା ଖାନ୍ତି। ଜଣେ ଯତ୍ନଶୀଳ ଅପେକ୍ଷାକୃତ ଦୀର୍ଘ ବାମନ ଖାନ୍‌ସାମା ତାଙ୍କୁ ବହୁ ଆଦରରେ ବିଭିନ୍ନ ଜିନିଷ ତିଆରି କରି ଖୁଆନ୍ତି। ତା’ପରେ ଛୋଟ ସାଇଜର ସେ ପରୀକନ୍ୟା ବସି ଛୋଟ ପିଆନୋ ବଜାନ୍ତି ଏବଂ ସ୍ୱାମୀସ୍ତ୍ରୀ ଉଭୟ ମିଶି ଗୀତ ଗା’ନ୍ତି। ଛୋଟ ପିଆଲାରେ କିଛି ଦାମୀ ପାନୀୟ ପରସ୍ପରର ସୁସ୍ୱାସ୍ଥ୍ୟ କାମନା କରି ପିଅନ୍ତି ଏବଂ ପ୍ରେମର ମଧୁର ସ୍ୱାଦରେ ତାଙ୍କର ମହାର୍ଘ୍ୟ କିନ୍ତୁ ଏକ ସାନ  ପଲଙ୍କରେ ପରସ୍ପର କୋଳରେ ରାତି ବିତାନ୍ତି। କିଛିବର୍ଷ ପରେ ପରୀକନ୍ୟା ଗର୍ଭବତୀ ହେଲେ- ବାମନ ଯୁବକ ଚର୍ଚ୍ଚରେ ବିଶେଷ ପ୍ରାର୍ଥନାର ଆୟୋଜନ କରାଇଲେ ଯେ ଗର୍ଭଜନିତ କୌଣସି ବିପଦ ନ ଆସୁ। ପ୍ରକୃତି ସହାୟ ହେଲା -କିଛିମାସ ପରେ ଯଥା ସମୟରେ ଘରକୁ ଉଜ୍ଜ୍ୱଳ କରି ଏକ ସୁନ୍ଦର ଶିଶୁପୁତ୍ର ଜନ୍ମହେଲା । ସ୍ୱାମୀସ୍ତ୍ରୀଙ୍କ ସଂସାର ପରିପୂର୍ଣ୍ଣ ହୋଇଗଲା। 

କିଛି ବର୍ଷରେ ଜଣାପଡ଼ିଲା ଯେ ପୁତ୍ର ସନ୍ତାନଟି ସ୍ୱାଭାବିକ ଓ ସକ୍ଷମ ବାଳକ ତଥା କିଶୋର। ସେ ବଡ ହେବାରେ ଲାଗିଲା। ସାତବର୍ଷ ବେଳକୁ ମା’ଠାରୁ ଡେଙ୍ଗା, ନଅବର୍ଷ ବେଳକୁ ବାପାଠାରୁ ଉଚ୍ଚ ଏବଂ ଦଶବର୍ଷ ବେଳକୁ ଘରର ମୁଖ୍ୟ ଖାନ୍‌ସାମା ଠାରୁ ମଧ୍ୟ ଅଧିକ ଲମ୍ୱା ହୋଇଗଲା। କିଛି ବର୍ଷରେ ଦିନେ ସଂଧ୍ୟାରେ ବାମନ ସ୍ୱାମୀସ୍ତ୍ରୀ ତାଙ୍କ ଛୋଟ ଘୋଡ଼ାଗାଡ଼ିରେ ସାଂଧ୍ୟଭ୍ରମଣ କରି ଫେରିଲା ବେଳକୁ ଦେଖିଲେ ପୁତ୍ରମଣି ସମବୟସ୍କ ଓ ଅଧିକ ଲମ୍ୱର ଦୁଇ ସ୍କୁଲବନ୍ଧୁଙ୍କ ସହ ମଦ ପିଇ ଖାନ୍‌ସାମାକୁ ଘୋଡ଼ା ବନେଇ ଗୋଟିଏ ଚାବୁକ୍ ତିଆରି କରି ତାକୁ ପିଟି ପିଟି ଘରେ ଘୋଡ଼ା ପରିଭ୍ରମଣର ଅନୁକରଣ କରୁଛନ୍ତି। (ଆଉ ଲମ୍ୱାଇବି ନାହିଁ -ଏତେ ଚମତ୍କାର ବର୍ଣ୍ଣନା ଯେ ଏବେବି ମତେ ଅଭିଭୂତ କରି ରଖିଛି) ବାପ ବାମନପୁତ୍ର ଜନ୍ମ ହେବାରୁ ଭଗ୍ନ ହୃଦୟରେ ପ୍ରାଣ ହରାଇଲେ। ବାମନ ଉତ୍ତରାଧିକାରୀ ସ୍ୱାଭାବିକ ସନ୍ତାନର ଜନକ ହୋଇ ଭଗ୍ନ ହୃଦୟରେ ଏକ ସଂଧ୍ୟାରେ ପାନୀୟ ସଙ୍ଗେ ବିଷ ଖାଇ ସ୍ୱାମୀସ୍ତ୍ରୀ ଓ ଖାନ୍‌ସାମା ପ୍ରାଣ ବିସର୍ଜନ କଲେ। 
ଆମେ ଆମ ଅହଂକୁ ରୁଚି ଭାବି ଦୁନିଆକୁ ସେପରି ସଜାଉ; ପ୍ରକୃତି ଆମକୁ ଅନେକ ସମୟରେ ଉପହାସ କରେ।

ଏ ଗପ କଥା ଓ କେଉଁଠି ମିଳିବ - କେହି ସଠିକ୍ କହିଲେ ମୁଁ ତାଙ୍କୁ ଏକହଜାର ଟଙ୍କା ଉପହାର ଭେଟି ଦେବି। ଅଧୀର ହୋଇ ଅପେକ୍ଷା କରୁଛି।
        
(ଆରଥରକୁ)
 

Leave A Reply

Your email address will not be published.