ପ୍ରସନ୍ନ କୁମାର ହୋତାଙ୍କ ଅଙ୍ଗେନିଭା କାହାଣୀ-2: “ସିନେମା ଓ ଜିଲ୍ଲାପାଳ”

0
  • TATKAL ODISHA// GUEST EDITOR//ମନର କଥା//
  • ++++++++++++++++++++ ++++++
  • ପ୍ରସନ୍ନ କୁମାର ହୋତା
  • +++++++++++++++++++++++++++

 ଆଉ କିଛିଦିନ ଗଲେ ସିନେମାହଲ୍ କ’ଣ ନୂଆ ପିଲାମାନେ ଜାଣିବେ ନାହିଁ । କିନ୍ତୁ ଆମ ପିଲାବେଳେ ଏବଂ ଯୌବନରେ ସିନେମାହଲ୍ ଏକ ରୋମାଞ୍ଚକ ଜାଗା ଥିଲା । ସ୍କୁଲବେଳେ ବାରଅଣା ଟିକେଟରେ ଦେଖୁଥିଲି -ସେତକ ପଇସା ମା ଅବା ଗାଁରୁ ବୁଲି ଆସିଲେ ସ୍ନେହୀ ମାଉସୀମଉସା ଦିଅନ୍ତି । କଲେଜ ଅମଳରେ ଏକଟଙ୍କା ଚାରିଅଣା ସିଟ ପିଛା ।
ସମୟ ଗଡ଼ିଚାଲିଲା; ବିଦିତ କଟକ ସହର -ପିଲାଦିନ  ୧୯୫୪ରୁ  ୧୯୬୬ (ତା’ପରେ ପଢ଼ିବାକୁ ଦିଲ୍ଲୀ ଚାଲିଗଲି)ର ସ୍ମୃତିଭରା ସହର ।  ୧୯୭୯ରେ କଟକ ଜିଲ୍ଲାପାଳ ହୋଇ କଟକକୁ ଆସିଲି ।
‘ମୁଖ୍ୟମନ୍ତ୍ରୀ ଓ ସିନେମା’ ଲେଖାଟି ପଢ଼ି କିଛି ବନ୍ଧୁ ଏପରି ଆହୁରି ସେବେଳର କଥା ଲେଖିବାକୁ ଉତ୍ସାହିତ କଲେ । ଆଜିର ଲେଖା ସିନେମା ଦେଖା ସହିତ ଜଡ଼ିତ ଅନ୍ୟ ଏକ ଘଟଣା ।

ସମ୍ରାଟ୍ ସିନେମା ନୂଆ ହୋଇ ଖୋଲିଥାଏ । ନୂଆ ହଲ୍, ନୂଆ ଛବି । ବୃହତ୍ତର ପରିବାରରୁ ବରାଦ ଆସିଲା, ସମସ୍ତେ ମିଶି ସିନେମା ଯିବା । ଏଥର ମଧ୍ୟ ଲୋକ ପଠାଇ ଆଗତୁରା ଚାରିଟି ଟିକେଟ୍ ଆଣାହେଲା । ମୋ ଉପର ଭାଇ ଓ ଭାଉଜ ଏବଂ ମୁଁ ମୋ ସ୍ତ୍ରୀ । ବାଲକୋନୀ ଟିକେଟ୍ । ସମୟର କିଛି ପୂର୍ବରୁ ଯାଇ ହଲରେ ପହଞ୍ଚିଗଲୁ । 
ସେତେବେଳେ ଧନୀ ଅବା ଗରିବ ସବୁ ପରିବାରର ସଉକ ଥିଲା ସିନେମା ଦେଖା । ଥିଏଟର ଯୁଗ ଦୁର୍ଭାଗ୍ୟକୁ ପ୍ରାୟ ସରି ସରି ଆସୁଥାଏ । କେବେ କିପରି କିଛିଦିନ ପାଇଁ ଯୌଥ ଚେଷ୍ଟାରେ ନାଟକ ଅଭିନୀତ ହୁଏ ; କିନ୍ତୁ ବ୍ୟବସାୟିକ ସଫଳତା ବିରଳ । ସେଦିନ ସମ୍ରାଟ୍ ସିନେମା ହଲ ଲୋକାରଣ୍ୟ । ଗାଡ଼ିରୁ ଓହ୍ଲାଇ ଜନଗହଳି ଦେଇ ପଶିଲାବେଳକୁ ଦେଖିଲି ଗୋଟାଏ ଟୋକା ହାତରେ କିଛି ଟିକେଟ୍ ଧରି ଶିକାର ଖୋଜିବା ପରି ଚାହାଣୀରେ ଏକଡ଼ ସେକଡ଼ ଦେଖୁଛି । ମୁଁ ଅଟକି ଯିବାରୁ ସେ ଭାବିଲା ବୋଧେ ଏ ବାବୁଙ୍କର ଟିକେଟ୍ ଦରକାର ।

  • ସେ ପାଖକୁ ଲାଗି ଆସି କହିଲା, ‘ବାଲକୋନୀ ଟିକେଟ୍ । ପ୍ରତି ଟିକେଟକୁ ଦଶଟଙ୍କା ଅଧିକ, କୁହ କେତେଟା ଦରକାର ।’
  • ମୁଁ ଦୁର୍ବୁଦ୍ଧିଗ୍ରସ୍ତ ହୋଇ ତା’ ହାତକୁ ଧରିପକାଇ କହିଲି, ‘ତୁମେ ଟିକେଟ ବ୍ଲାକ୍ କରୁଥିବାରୁ ମୁଁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ତୁମକୁ ଗିରଫ କଲି । ଚାଲ ମୋ ସଙ୍ଗେ ।’ ସେ କାଳରେ ସମ୍ଭ୍ରମ ଥିଲା । ସେ ବିଚରା କିଛି ଅପଚେଷ୍ଟା ନକରି ମୋ ସଙ୍ଗେ ଗଲା । ଜଣେ କନେଷ୍ଟବଲ୍ ଗେଟ୍ ପାଖେ ଠିଆ ହୋଇଥିଲେ । ତାଙ୍କୁ ସେ ବାବୁଙ୍କୁ ଧରାଇଦେଇ କହିଲି, ‘ଏ ଟିକେଟ୍ କଳାବଜାରୀ କରୁଥିଲେ । ଥାନାକୁ ପରେ ପଠାଇଦେବ’ ।
  • ମୋ ଉପରଭାଇ ଘରର ସାହାସୀ ବ୍ୟକ୍ତିତ୍ଵ; କିନ୍ତୁ ସେ ମୋ ଆଗଚଲା ପ୍ରକୃତିକୁ ନାପସନ୍ଦ କରି କହିଲା, ‘ତତେ ବୋଧେ ଚିହ୍ନି ପାରି କିଛି କଲାନାହିଁ । ସେମାନଙ୍କର କିନ୍ତୁ ଦଳ ଅଛି । ପକେଟରେ ଛୁରୀ ଆଦି ଥାଇପାରେ । କାହାକୁ ନିଜେ ଗିରଫ କରିବା କ’ଣ ତୁମ କାମ?’

ଯାହାହେଉ ପ୍ରବଳ ଭିଡ଼ ଅତିକ୍ରମ କରି ଭିତରକୁ ପଶିଲୁ । ଭିଡ଼ ମାନେ ନଦେଖିଲା ଭିଡ଼ । ଯେପରି ପ୍ରଥମ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଭାରତ ଇଂଲାଣ୍ଡ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ  ୧୯୮୧-୮୨  ରେ ହେବାବେଳେ ଅସମ୍ଭାଳ ଅବସ୍ଥା ହୋଇଥିଲା । ଆମେ ଧୀରେ ଧୀରେ ବାଲକୋନୀ ଆଡ଼କୁ ଯିବାକୁ ସିଢ଼ି ଆଡ଼କୁ ଅଗ୍ରସର ହେଲୁ । 
ମୁଁ ଦେଖିଲି ଶ୍ରୀମତୀ ଜଙ୍ଗଲରାଜା ସପରିବାରେ ଟିକେଟ କିଣିବା ଲାଗି ଝରକା ପାଖରେ ଠିଆ ହୋଇଛନ୍ତି । ତାଙ୍କ ସଙ୍ଗେ ଶ୍ରୀଯୁକ୍ତ ଜଙ୍ଗଲରାଜା, ଝିଅ ଓ ସାହାସୀ ସମର୍ଥ ମୋର ଅନ୍ତରଙ୍ଗ କନିଷ୍ଠ ସହକର୍ମୀ -ତାଙ୍କ ଜୋଇଁ । ମୁଁ ମୁହୂର୍ତ୍ତକରେ ନିର୍ଣ୍ଣୟ କଲି ଏଠି ଶ୍ରୀମତୀ ଜଙ୍ଗଲରାଜାଙ୍କୁ ନମସ୍କାର ହେବା ମଧ୍ୟ ବିପଦସଂକୁଳ । ସେ ଯଦି କିଛି ଅନୁରୋଧ କରିବେ ମୁଁ ତ କିଛି କରିପାରିବି ନାହିଁ ।

ଶ୍ରୀମତୀ ଜଙ୍ଗଲରାଜା ବିଦିତା ନାରୀରତ୍ନ । କଲେଜବେଳୁ ତାଙ୍କୁ ଜାଣିଛି; ସେ ଆମ ଘରକୁ ଆସନ୍ତି । ତାଙ୍କ ବିଚକ୍ଷଣା ଝିଅ (ପରେ ସେ ବିଧାୟକ ଆଦି ମଧ୍ୟ ହୋଇଥିଲେ) ମୋ ସାନ ଭଉଣୀମାନଙ୍କ ସାଙ୍ଗ । ଶ୍ରୀମତୀ ଜଙ୍ଗଲରାଜା ଆସିଲେ ଘରେ କୋଳାହଳ ଆରମ୍ଭ ହୋଇଯାଏ -ସେ କଥା ଆରମ୍ଭ କରନ୍ତି -ଆଉ କାହାର କିଛି କହିବାର ସୁଯୋଗ ନାହିଁ । କିନ୍ତୁ ଆମେ ସମସ୍ତେ ମାଉସୀ ଆସିଲେ ବୋଲି ତତ୍କାଳୀନ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚଳଣୀରେ ଖୁସି ପ୍ରକଟ କରୁ । ଶ୍ରୀମତୀ ଜଙ୍ଗଲରାଜାଙ୍କ ନାଆଁରେ କିଛି ଅଯଥା ଅପବାଦ- ଚରିତ୍ରଜନିତ ନୁହେଁ – ତାଙ୍କର ନିର୍ଭୟ ଉଚ୍ଚସ୍ୱର ବ୍ୟକ୍ତିତ୍ୱ ସେ ସମୟର ସ୍ତ୍ରୀଲୋକଙ୍କ ତୁଳନାରେ ଟିକେ ଆଗୁଆ ଥିଲା । କିଛି ଈର୍ଷାପରାୟଣ ଲୋକମାନେ ତାଙ୍କୁ ଉଦ୍ଧତ ବୋଲି କହୁଥିଲେ । ଆମେ କିନ୍ତୁ ତାଙ୍କ ଆସିବାକୁ ସଦାବେଳେ ସ୍ନେହର ନିଦର୍ଶନ ବୋଲି ଭାବୁଥିଲୁ । 
ସମୟ ଗଡ଼ି ଚାଲିଲା । ମୁଁ ଆଇ.ଏ.ଏସ୍. ପରୀକ୍ଷାରେ ସଫଳ ହେଲି -ରେଡ଼ିଓରେ ନାମ ଘୋଷଣା ହେଲା । ମା ଦେହ ଖରାପ କରି ଶଯ୍ୟାଶାୟୀ ଥିଲେ । ତାଙ୍କ ‘ନିପାରିବାର’ ପୁଅ ଅଫିସର ହୋଇଗଲା ବୋଲି ଜାଣି ସେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲେ । ଶ୍ରୀଯୁକ୍ତ ଓ ଶ୍ରୀମତୀ ଜଙ୍ଗଲରାଜା ମିଠାହାଣ୍ଡି ଧରି ଆସି ପହଞ୍ଚିଗଲେ । ନିଜ ପୁଅ ସଫଳ ହେଲା ଭଳି ତାଙ୍କର ମନୋଭାବ ଏବଂ ସେହି ଖୁସିରେ ଆସିଛନ୍ତି । ସେ କାଳରେ ବେଶି ପଇସା ନଥିଲା, ଲୁଗାପଟା, ବର୍ଗର, କେକ୍ ଆଦି ଆରମ୍ଭ ହୋଇନଥିଲା -କିନ୍ତୁ ଅମାପ ସ୍ନେହ ସମସ୍ତଙ୍କୁ ବାନ୍ଧି ରଖି ଏକ ସ୍ୱଚ୍ଛ ବାତାବରଣ ସୃଷ୍ଟି କରରୁଥିଲା ।
  ମୋ ସଙ୍ଗେ ମୋର ସୁପର ବ୍ରିଲିୟାଣ୍ଟ ସାଙ୍ଗ (ସେ କେବେ ପାଠ ପଢ଼ିବାର ମୁଁ ଦେଖିନାହିଁ; ତେବେ ସେ ପ୍ରତିଦିନ କିଛି ଉଚ୍ଚକୋଟିର ଇଂରେଜୀ ଉପନ୍ୟାସ ପଢ଼ିଥାଏ ମୁଁ ଜାଣିଥିଲି) ଶ୍ରୀ ପଟ୍ଟନାୟକ ମଧ୍ୟ ଆଇ.ଏ.ଏସ୍. ପରୀକ୍ଷାରେ ନିର୍ବାଚିତ ହେଲେ । ମାଉସୀଙ୍କ ଧ୍ୟାନର କେନ୍ଦ୍ର ହେଲା ସେ ସାଙ୍ଗକୁ କିପରି ତାଙ୍କ ଝିଅ ପାଇଁ ଜୋଇଁ କରିବେ । ତାଙ୍କ ପାଖେ ଥାଏ ସବୁ ଖବର । ମୋ ସାଙ୍ଗ ଶ୍ରୀ ପଟ୍ଟନାୟକ ବେଶ୍ ଆକର୍ଷଣୀୟ ବ୍ୟକ୍ତିତ୍ୱ। ଏବଂ ସେ କେବେ କେବେ ମତେ ଭେଟିବାକୁ ଆସି ଆମଘରେ ଗୁଲିଖଟି ଚାଲିଥାଏ । ଶ୍ରୀମତୀ ଜଙ୍ଗଲରାଜାଙ୍କ ନଜରରେ ଏଇ ଖବର । ସେ ମୋ ପିଛା ପଡ଼ିଗଲେ ; ‘କହିଲେ, ‘ପ୍ରସନ୍ନ, ତୁମ ଭଉଣୀ କଥା ତୁମେ ନବୁଝିଲେ ଆଉ କିଏ ବୁଝିବ ? ତୁମେ ଯେମିତି ହେଲେ ତୁମ ସାଙ୍ଗଙ୍କୁ ବୁଝାଅ, ତୁମ ଭଉଣୀ କେତେ ଭଲ, କେତେ ସ୍ମାର୍ଟ, କେତେ ସୁନ୍ଦର । ମୁଁ ସବୁ ଦେବାନେବା କରିବି । ମୋର ଭାରି ଇଚ୍ଛା ଯେ ସେ ମୋର ଜୋଇଁ ହେବେ ।’

ପ୍ରସନ୍ନ କୁମାର ହୋତା

ମୁଁ କିଛି କିଛି ଚେଷ୍ଟା କଲି; ମୋ ବନ୍ଧୁ ‘ମୋନାଲିସା’ଙ୍କ ହସ ପରି ବିସ୍ମୟକାରୀ ହସ ହସି ହଁ କି ନା କିଛି କହୁନଥାନ୍ତି । ଏପଟେ ମାଉସୀ ନଛୋଡ଼ବନ୍ଦା । ରିକସାରେ ଶ୍ରୀଯୁକ୍ତ ଜଙ୍ଗଲରାଜା ଓ ମାଉସୀ ଆସିବେ । ଜଙ୍ଗଲରାଜା ମଧ୍ୟ ଏକ ପ୍ରଶାସକ କିନ୍ତୁ ଅତିମାତ୍ରାରେ ଶାନ୍ତ ଓ ବିନୀତ । ସେ ଆମ ଘର ହତା ଗେଟ୍ ପାଖେ ଧୀରସ୍ଥିର ହୋଇ ଘଣ୍ଟାଏ ଠିଆ ହୋଇଥିବେ, କିନ୍ତୁ କେବେ ଭିତରକୁ ଆସିବେ ନାହିଁ। ଆମ ଘରେ ଆଠ ଭାଇଭଉଣୀରେ କେହି ନକଲ କରି କୁହନ୍ତି ମାଉସୀ ହେଲେ ପ୍ରକୃତ ଜଙ୍ଗଲରାଜା । ମଉସା ହେଲେ ଠେକୁଆ । କିନ୍ତୁ ଠେକୁଆ ବି କିମ୍ୱଦନ୍ତୀ ଅନୁସାରେ ପ୍ରବଳ ବୁଦ୍ଧିଆ ଏବଂ ଶେଷରେ ଜିତେ । ସେ ତ ପରର କଥା । 
ମୋର ଏଠି ସେଠି କର୍ମକ୍ଷେତ୍ର ଆରମ୍ଭ ହୋଇଗଲା । ମାଉସୀଙ୍କ ସଙ୍ଗେ ଆଉ ବେଶି ଦେଖା ହେଉନଥାଏ । ମୁଁ କଟକ ବାହାରେ । ତେବେ ମୋ ନିଜ ଭଉଣୀମାନେ ମାଉସୀଙ୍କ ଆଇ.ଏ.ଏସ୍. ଜୋଇଁ ପାଇଁ ଆଗ୍ରହ କଥାକୁ ବେଶ୍ ବନେଇ ଚୁନେଇ କୁହନ୍ତି, ମୋ କାନରେ ସେସବୁ ପଡ଼େ ।

ଏପରି ଅବସ୍ଥାରେ ଖବର ପାଇଲି ଯେ ଜଣେ ଯୁବକ ଓ.ଏ.ଏସ୍. ପ୍ରଶାସକ ଜଙ୍ଗଲରାଜାଙ୍କ ଝିଅକୁ ସଙ୍ଗରେ ଲୁଚାଇ ନେଇ ମନ୍ଦିରରେ ବାହା ହୋଇ ପଡ଼ିଛନ୍ତି । ଶ୍ରୀମତୀ ଜଙ୍ଗଲରାଜା ସ୍ୱାମୀଙ୍କୁ ବୋଝେ ଗାଳିଦେଇ ସ୍ୱର୍ଗତ ଶ୍ୱଶୁରଙ୍କ ପୁରୁଣା ବନ୍ଧୁକ ବାହାର କରି ଗୁଳି ଖୋଜିବା ଖବର ମଧ୍ୟ ବ୍ୟାପିଲା । ସେ ଯାହାହେଉ ସମୟ ଅନେକ ଜିନିଷର ସମାଧାନ କରିଥାଏ । ମାଉସୀ ନିଜ ଝିଅର ପସନ୍ଦ ବରଙ୍କୁ ଜୋଇଁ ରୂପେ ବରି ନେଲେ । ମିଳାମିଶା ହୋଇଗଲା ।

ମୁଁ କଟକ କଲେକ୍ଟର ହେଲାବେଳକୁ ଶ୍ରୀଯୁକ୍ତ ମହାନ୍ତି ମୋର ସବୁଠାରୁ ସମର୍ଥ କନିଷ୍ଠ ସହକର୍ମୀ । ଜଗତସିଂହପୁର ବଢ଼ିର ଚାଞ୍ଚଲ୍ୟକର ପରିସ୍ଥିତିରେ ମୋ ମନୋବଳ ଦଶହଜାର ବିକ୍ଷୁବ୍ଧ ଜନତା ଦେଖି ବିବ୍ରତ ହେବା ଲକ୍ଷ୍ୟକରି ସେ ମୋ କଡ଼ରେ ଆସି ଠିଆ ହୋଇଗଲେ; ଗହଳିରୁ ମତେ ଟାଣି ନେଇ ରୁମରେ ବସାଇ ପାଣି ଆଣି ପିଇବାକୁ ଦେଲେ। ବାହାରକୁ ଯାଇ ଘୋଷଣା କରିଦେଲେ- ‘ଜିଲ୍ଲାପାଳ କହିଛନ୍ତି, ଆପଣମାନଙ୍କ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ସେ ଜଗତସିଂହପୁର ଛାଡ଼ି ଯିବେନାହିଁ -ଏବଂ ସବୁ କାମ ନସରିବା ପର୍ଯ୍ୟନ୍ତ ସେ ପାଣି ଛଡ଼ା କୌଣସି ଖାଦ୍ୟ ଏପରିକି ଚାହା ମଧ୍ୟ ପିଇବେ ନାହିଁ ।’ ତାଙ୍କର ଏ ପ୍ରତ୍ୟୁତ୍ପନ୍ନମତି ଘୋଷଣା କ୍ଷୁବ୍ଧ ଜନତାକୁ ମୁହୂର୍ତ୍ତକରେ ଆପଣାର କରିଦେଲା । ତା’ପରେ ସବୁକାମ ସୁରୁଖୁରୁରେ ଚାଲିଲା । ସମର୍ପିତ ଅବସ୍ଥାରେ ସମ୍ମୋହନ ଜାତ ହୁଏ ; ନିଜର ଛୋଟ ଛୋଟ ଆବଶ୍ୟକତା ଆଦୌ ଜଣାପଡ଼େ ନାହିଁ – ଲୋକଙ୍କ ସ୍ନେହ  ନିଜ ଦେହରେ ବିଶୁଦ୍ଧ ରକ୍ତପରି ସଞ୍ଚାରିତ ହୋଇ ଅଭୂତପୂର୍ବ ବଳ ସୃଷ୍ଟି କରେ, ଶାରୀରିକ ପରିଶ୍ରମ କ୍ଳାନ୍ତିକୁ କେଉଁଆଡେ ଉଡ଼ାଇ ନେଇ ଯାଏ ।

ଶ୍ରୀଯୁକ୍ତ ମହାନ୍ତି ପରେ ଆଇଏଏସ କୁ ପଦୋନ୍ନତି ପାଇଲେ । ମାଉସୀ IAS ଜୋଇଁ ପାଇଲେ। ଏବେ ଶ୍ରୀଯୁକ୍ତ ମହାନ୍ତି କୋଭିଡରେ ଚାଲିଗଲେ । ଅପୂରଣୀୟ କ୍ଷତି। ଆପଣଙ୍କୁ ବିଦୂଷକ ଭୂମିକା କରି ହସାଇବି। କିନ୍ତୁ ମୋ ବ୍ୟକ୍ତିଗତ ଜୀବନ ଅନେକାଂଶରେ ଥୁଣ୍ଟା। ଦୁଃଖ ଅସରନ୍ତି। ହର୍ଷ ଉଲ୍ଲାସରେ ରିଟର୍ଣ୍ଣ ଟ୍ରେନ ଚଢ଼ିବି ବୋଲି ବେହିଆମିରେ ମନସ୍ଥ କରିଛି। ତେଣୁ ମୂଳ କଥା ଚାଲୁ।

ମୋଟ ଉପରେ ସେ ସନ୍ଧ୍ୟାରେ ସମ୍ରାଟ୍ ସିନେମା ହଲରେ ମୋ ଅବସ୍ଥା ଅବର୍ଣ୍ଣନୀୟ । ମୋର ପ୍ରିୟ ଭଉଣୀସମ ଝିଅ, ତା’ ବର ଯେକି ମୋର ସହକର୍ମୀ ଏବଂ ବିନୟୀ ଶ୍ରୀଯୁକ୍ତ ଜଙ୍ଗଲରାଜା -ଏବଂ ସର୍ବୋପରି ବଡ଼ପାଟି ସତ୍ତ୍ୱେ ସ୍ନେହୀ ଶ୍ରୀମତୀ ଜଙ୍ଗଲରାଜା… କିନ୍ତୁ ଟିକେଟ୍ କଥା କ’ଣ କରିହେବ?
ତେଣୁ ଲଜ୍ଜା ଲାଗିଲେ ମଧ୍ୟ ଅଣଦେଖା କରି ସପରିବାରେ ସିଢ଼ି ଚଢ଼ିବା ଆରମ୍ଭ କଲୁ । ହଠାତ୍ ଭଉଣୀ ମୋ ପାଖକୁ ଦୌଡ଼ି ଆସିଲା । ମୋ କାନରେ ମଧ୍ୟ ଏକ କୋଳାହଳ ଆସି ପଡ଼ିଲା -ମୁଁ ଅନ୍ୟମାନଙ୍କୁ ଉପରକୁ ଯିବାକୁ କହି ଦେଖିଲା ବେଳକୁ ଭଉଣୀ କାନ୍ଦୁଛି ; ତା’ ବର -ମୋ ସହକର୍ମୀ- କୌଣସିମତେ ହସ ଚାପି ଗମ୍ଭୀର ହେବାକୁ ଚେଷ୍ଟା କରୁଛି ।  ଶ୍ରୀଯୁକ୍ତ ଜଙ୍ଗଲରାଜା ସବୁ ବେଳ ପରି ତାଙ୍କ ପତଳା ଚେହେରାରେ କାନ୍ଥରେ ଆଉଜି ଆହୁରି ମ୍ରିୟମାଣ ଦେଖାଯାଉଛନ୍ତି । ଦୁଇଜଣ ମହିଳା କନେଷ୍ଟବଲ୍ ଶ୍ରୀମତୀ ଜଙ୍ଗଲରାଜାଙ୍କୁ ଦୁଇହାତ ଧରି ଟାଣି ହାଣ୍ଡକପ୍ ପକାଇବାକୁ ଚେଷ୍ଟା କରୁଛନ୍ତି । ଉତ୍ସୁକ ଜନତା ଟିକଟ କିଣା ଆଦି ଭୁଲି ଏ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ଅଗତ୍ୟା ମତେ ସେଠାକୁ ଯିବାକୁ ହେଲା । ଶ୍ରୀଯୁକ୍ତ ମହାନ୍ତି ସେତେବେଳକୁ ଗୋଟିଏ ବାକ୍ୟରେ ଘଟଣାଟି ମତେ ସମ୍ୟକ୍ ଜଣାଇ ସାରିଥାନ୍ତି । ମାଉସୀ ଲାଇନ୍ ଭାଙ୍ଗି  ଟିକଟ୍ ଝରକା ପାଖକୁ ଧସେଇ ପଶିବାବେଳେ ମଧୁପାଟଣା ଥାନା ପୋଲିସ ଇନିସପେକ୍ଟର ତାଙ୍କୁ କାନ୍ଧରୁ ଟାଣିଦେବାରୁ ସେ ବୁଲିପଡ଼ି ବୟସ୍କ ଇନିସପେକ୍ଟରଙ୍କୁ ଗୋଟିଏ ଚଟକଣା ମାରିଛନ୍ତି ।  
ଅସମ୍ଭାଳ ଅବସ୍ଥା । ଭଉଣୀ କାନ୍ଦୁଛି, ଜୋଇଁ ଲୁଚେଇ ହସୁଛି, ସ୍ୱାମୀ ଗୋଟେ ପଟକୁ କାନ୍ଥକୁ ଆଉଜି ବୁଦ୍ଧ ଅବତାର ବନିଛନ୍ତି । ଏବଂ ମାଉସୀ କାଳୀରୂପ ଧାରଣ କରିଛନ୍ତି । ଦୁଇ ଦରବୁଢ଼ୀ ମହିଳା କନେଷ୍ଟବଲ୍ ତାଙ୍କୁ ଜବତ କରିବାକୁ ଚେଷ୍ଟା କରି ଚାଲିଥାନ୍ତି, କିନ୍ତୁ ହାଣ୍ଡକପ୍ ପକାଇ ପାରୁ ନଥାନ୍ତି । ମୋ ପାଟିରୁ ବାହାରି ପଡିଲା, ‘କ’ଣ ହେଲା’ ! ସେ ଦୁଇ କନେଷ୍ଟବଲ୍ ତଥା ଇନିସପେକ୍ଟର ସମସ୍ତେ ମୋର ଚିହ୍ନା । କିନ୍ତୁ ଇନିସପେକ୍ଟର ନିଜ ଗାଲ ଆଉଁସୁଛନ୍ତି ଓ କନେଷ୍ଟବଲ୍ କହିଲେ, ‘ସାର ଆମେ ଆପଣଙ୍କ ସବୁ କଥା ମାନୁ; କହିଲେ ପ୍ରାଣ ଦେଇ ଦେବୁ । କିନ୍ତୁ ଆଜି କ୍ଷମା କରିବେ, ଆପଣଙ୍କ କଥା ଶୁଣିବୁ ନାହିଁ । ଏ ମାଇକିନାର ଏତେ ସାହାସ ! ସେ ଆମ ଇନିସପେକ୍ଟରଙ୍କୁ ସମସ୍ତଙ୍କ ସାମନାରେ ଚଟକଣା ପକାଇଛି । ଆମେ ଆଜି ତାଙ୍କୁ ଛାଡ଼ିବୁ ନାହିଁ ।’
ମୁଁ କୂଟନୀତି ପ୍ରୟୋଗ କରିବାକୁ ଯାଇ କହିଲି, ‘ସତ କଥା । ଏପରି ଖରାପ ବ୍ୟବହାର ଅସହ୍ୟ । ତେବେ ମାଉସୀ ବୋଧେ ଗହଳିରେ ଜାଣିପାରି ନାହାନ୍ତି । କିଏ ଜଣେ ତାଙ୍କ କାନ୍ଧରେ ହାତ ପକାଇଲା ବୋଲି ବୁଲିପଡ଼ି ଜାଣିବା ପୂର୍ବରୁ ହାତ ଉଠାଇ ଦେଲେ । ତଥାପି ଅତ୍ୟନ୍ତ ଖରାପ କଥା । ମାଉସୀ, ଆପଣ ତୁରନ୍ତ କ୍ଷମା ମାଗନ୍ତୁ ! ଆସନ୍ତୁ ଇନିସପେକ୍ଟର ସାହେବ, ମାଉସୀ ଆପଣଙ୍କ ହାତଧରି କ୍ଷମା ମାଗିବେ ।’
ସେତେବେଳକୁ ମାଉସୀଙ୍କ ବିଦିତ ରୂପ ସମଗ୍ରତାରେ ପ୍ରକଟ । ସେ ଗର୍ଜିଉଠି କହିଲେ, ‘କି ଚୋପା କଲେକ୍ଟର ତୁମେ । ଏମାନେ ମତେ ଏମିତି ଟଣାଓଟରା କରୁଛନ୍ତି । ତାଙ୍କୁ ଗାଳି ନଦେଇ ମତେ କହୁଛ କ’ଣ ନା କ୍ଷମା ମାଗ । You are incompetent!’ ତାଙ୍କ ମୁହଁରୁ ପ୍ରଥମଥର ଇଂରେଜୀ ଶୁଣିଲି । ମନେ ପଡ଼ିଲା ମାଉସୀ କଲିକତା ବେଥୁନ୍ କଲେଜ୍ ଗ୍ରାଜୁଏଟ।
‘ଆଲୋ ସଖୀ ଆପଣା ମହତ ଆପେ ରଖି’ । ମୁଁ ଦେଖିଲି, ମୋର କୂଟନୀତିର ଓଲଟା ପରିଣାମ । ମୁଁ ବୁଲିପଡ଼ି ପୃଷ୍ଠଭଙ୍ଗ ଦେବାକୁ ବସିଲାବେଳେ ଗୋଟିଏ ବୋମା ଫୁଟିଲାପରି ଶବ୍ଦ ହେଲା । ସେତେବେଳେ ଆଜିପରି ଟେରରିଷ୍ଟ ଆଦି ନଥିଲେ, ନହେଲେ ସେପରି କିଛି ହେଲା ବୋଲି ପ୍ରତୀୟମାନ ହୋଇଥାନ୍ତା । ବାଧ୍ୟ ହୋଇ ମୁହଁ ଫେରାଇ ଦେଖିଲା ବେଳକୁ କ’ଣ ଦେଖିଲି ! ଏ କି ଅଭୂତପୂର୍ବ ଦୃଶ୍ୟ ! ଶ୍ରୀଯୁକ୍ତ ଜଙ୍ଗଲରାଜା ଫାଟି ପଡ଼ିଛନ୍ତି; ଶ୍ରୀମତୀ ଜଙ୍ଗଲରାଜାଙ୍କ ଉପରେ ଝାମ୍ପି ପଡ଼ିଛନ୍ତି ଏବଂ ତାଙ୍କ ମୁହଁରେ ଗଗନଭେଦୀ ଚିତ୍କାର । ଜନତା ସ୍ତବ୍ଧ । ପୋଲିସବାଲୀମାନେ ମଧ୍ୟ ହାତ ଛାଡ଼ି ଦେଲେଣି । ଶ୍ରୀଯୁକ୍ତ ଜଙ୍ଗଲରାଜା ଶ୍ରୀମତୀଙ୍କୁ ରୀତିମତ ବିଧାଚାପୁଡ଼ା ପକାଇବାରେ ବ୍ୟସ୍ତ ।
ଆଉ ତା’ ସଙ୍ଗେ ସଙ୍ଗେ ଚିତ୍କାର -‘ତୋର ଏଡ଼େ ସାହାସ ! ସାରାଜୀବନ ମତେ ଜଳେଇଲୁ, ମୁଁ ସବୁ ସମ୍ଭାଳିଲି । କିଛି କେବେ ପାଟି ଖୋଲି ନାହିଁ । ତୁ କିଏ କି ! ତୁ ପୁଣି କଟକ କଲେକ୍ଟର ପ୍ରସନ୍ନ ହୋତାଙ୍କୁ  incompetent କହିବୁ । ତୋର ଏତେ ଆସ୍ପର୍ଦ୍ଧା । ଯାହା ହେବ ହେଉ; ଆଜି ତୋ’ ଜିଭ ଓପାଡ଼ିଦେବି ।’ ଘଟଣାର ପରିବର୍ତ୍ତିତ ଦୃଶ୍ୟରେ ଭଉଣୀ ଉଚ୍ଚସ୍ୱରରେ କ୍ରନ୍ଦନରତା, ଜୋଇଁ ହସିହସି ଅସ୍ଥିର । ପୋଲିସ୍ ଇନିସପେକ୍ଟର ମଧ୍ୟ ହସି ପକାଇଲେ । ଦୌଡ଼ିଯାଇ ମଝିରେ ଠିଆହୋଇ ମାଉସୀଙ୍କୁ ରକ୍ଷାକଲେ । ସେ ମହିଳା କନେଷ୍ଟବଲ ଦୁଇଜଣ ମଧ୍ୟ ହସିହସି ଅସ୍ଥିର । ଉପସ୍ଥିତ ଦର୍ଶକବୃନ୍ଦ ମଧ୍ୟ ଖୁସିରେ ଅଧୀର ।
 ସିନେମା ମାଲିକ ଆସି ପହଞ୍ଚିଗଲେ ।

ଇନିସପେକ୍ଟର ଅନୁରୋଧ କଲେ, ‘ଆଣନ୍ତୁ, ଟିଣ ଚୌକି ପକାଇ ଦିଅନ୍ତୁ । ଏ ଫାମିଲି ବସି ସିନେମା ଦେଖିବେ । କଲେକ୍ଟରଙ୍କ ଜଣାଶୁଣା । ଖାଲି ଆଜିଟା ଚଳେଇଦେବା -ଆଗକୁ ନୁହେଁ ।’

ସମସ୍ୟା ସମାଧାନ ହେଲା । ସିନେମା ଦେଖାହେଲା । ତେବେ ସିନେମା ଆରମ୍ଭର କମେଡ଼ି ତୁଳନାରେ ବଲିଉଡ୍ ସିନେମା ଫିକା ଜଣା ପଡ଼ିଲା । 
ମତେ କେତେ ଘଣ୍ଟା ଓ ଦିନ ପର୍ଯ୍ୟନ୍ତ କୁତୁକୁତୁ ଲାଗିଲା -‘ଅବିଚଳିତ ବୁଦ୍ଧଙ୍କୁ ମୁଁ ଦୁର୍ବାସାରେ ପରିଣତ କରି ପାରିଲି’ । କଟକ ଜିଲ୍ଲାପାଳ ହେବାର କଷ୍ଟ ଅନେକ । ବେଳେ ବେଳେ ପରାଭବ ପାଇଁ ମଧ୍ୟ ପ୍ରସ୍ତୁତି ଦରକାର୍। କିନ୍ତୁ ତା’ ଭିତରେ ଆନନ୍ଦର ଝଲକ୍ ମଧ୍ୟ ଆସେ ।

ଜଣେ ସାଧାରଣ କଟକ ଦୂର୍ବଳିଆ ସ୍ୱାସ୍ଥ୍ୟର ପିଲା ଅସାଧାରଣ ସ୍ନେହ ସମର୍ଥନ ପାଇ ନିଜକୁ ଧନ୍ୟ ମନେକରେ । ଭୋର୍ ରୁ ଅଧରାତି ପର୍ଯ୍ୟନ୍ତ ଲୋକଙ୍କ କାମ ସମର୍ପିତ ଭାବେ କରିବାକୁ ଉତ୍ସାହ ପାଏ ।

  • ପ୍ରସନ୍ନ କୁମାର ହୋତା, Ex IAS,
  • ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ,
  • ନୂଆଦିଲ୍ଲୀରେ ଅବସ୍ଥାପିତ
  • MOB –

Leave A Reply

Your email address will not be published.