ପ୍ରକାଶ ପଟ୍ଟନାୟକ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ‘ବରିଷ୍ଠ ପ୍ରଫେସର’

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗର ପ୍ରଫେସର ଡକ୍ଟର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ୟୁ.ଜି.ସି.ର କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌-୨୦୧୮ ଅନୁସାରେ ‘ବରିଷ୍ଠ ପ୍ରଫେସର’ ରୂପେ ମନୋନୀତ ହୋଇଛନ୍ତି । ଏହି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଓଡ଼ିଆ ପ୍ରଫେସର । ଗତ ୧୦ ତାରିଖ ଦିନ ଏ ସଂକ୍ରାନ୍ତ ବିଜ୍ଞପ୍ତି ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ।


ଉଲ୍ଲେଖନୀୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା ଶ୍ରୀ ପଟ୍ଟନାୟକ ୧୯୮୭ରେ ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ବରିଷ୍ଠ ଅଧ୍ୟାପକ ଓ ୧୯୯୮ରେ ପ୍ରାଧ୍ୟାପକ ହେବାପରେ, ୨୦୦୬ରେ ପ୍ରଫେସର ହୋଇଥିଲେ । ସେହିଦିନଠାରୁ ଦୀର୍ଘ ୧୬ବର୍ଷ ଧରି ସେ ଉକ୍ତ ବିଭାଗର ପ୍ରଫେସର ରହିଛନ୍ତି ଏବଂ ବିଭାଗୀୟ ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।


ୟୁଜିସିର ୨୦୧୮ ମସିହାର ନିର୍ଦ୍ଧାରଣ ଅନୁଯାୟୀ, ‘ବରିଷ୍ଠ ପ୍ରଫେସର’ ପଦବୀକୁ ପ୍ରୋନ୍ନତି ଏକ ବୈୟକ୍ତିକ ସମ୍ମାନ ଏବଂ ଶ୍ରୀ ପଟ୍ଟନାୟକଙ୍କ ପରେ ସେହି ପଦବୀ ପୂରଣ କରା ନଯାଇ ଖାଲି ରହିବ । ତାଙ୍କ ଅବସର ପରେ ବିଭାଗୀୟ ମୁଖ୍ୟ ଓ ପ୍ରଫେସର ପଦବୀ ସେହି ସ୍ତରରେ ନରହି ପୂର୍ବସ୍ତରକୁ ଫେରି ଆସିବ । ୟୁଜିସିର ଏହି ନିର୍ଦ୍ଧାରଣକୁ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏଯାଏ କାର୍ଯ୍ୟକାରୀ କରାଯାଇ ନଥିବା ସତ୍ତ୍ୱେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଥମ କରି ଏହାକୁ କାର୍ଯ୍ୟକାରୀ କରି ପ୍ରଫେସର ପଟ୍ଟନାୟକଙ୍କ ସମେତ ଅନ୍ୟ କେତେଜଣଙ୍କୁ ନିଜ ନିଜ ବିଭାଗର ଦାୟିତ୍ୱ, କୃତିତ୍ୱ ଓ ବରିଷ୍ଠତା ଭିତ୍ତିରେ ଏହି ସମ୍ମାନଜନକ ପ୍ରୋନ୍ନତି ଓ ପଦବୀ ପ୍ରଦାନ କରିଛି ।


ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସଂସ୍କୃତି ବିଭାଗ ଓ ସାହିତ୍ୟ ଅକାଦେମୀର ନିମନ୍ତ୍ରଣ କ୍ରମେ ପ୍ରଫେସର ପ୍ରକାଶ ପଟ୍ଟନାୟକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନର ଚୂଡ଼ାନ୍ତ ବୈଠକରେ ଭାଷାବିଶେଷଜ୍ଞ ଭାବରେ ଯୋଗଦେଇ ଓଡ଼ିଆ ଭାଷାର ଶାସ୍ତ୍ରୀୟମାନ୍ୟତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Leave A Reply

Your email address will not be published.