ପୌଷ ପୂର୍ଣିମାରେ ମହାପ୍ରଭୁଙ୍କ ବିରଳ ‘ଦେବାଭିଷେକ’ ନୀତି : କେମିତି ଥିଲା ଜାଣନ୍ତୁ..

0

TATKAL ODISHA /ଐତିହ୍ୟ ଖୋଜ

ପୁଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କଦ୍ୱାଦଶ ଯାତ୍ରା” ଅନ୍ତର୍ଗତ ଏକ ଯାତ୍ରା, ଏହି ଯାତ୍ରା କାଳରେ ଠାକୁର ମାନଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ । ଏହାପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ଟୋପର ଲାଗି ହୋଇ ରାତ୍ର ପହୁଡ଼ ହେବ….

……………. ………………………………. … .

ପୌଷ ପୂର୍ଣିମା ଅବସରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ଶ୍ରୀମନ୍ଦିରରେ ସକାଳଧୂପ ଆସିବା ସମୟରେ ଯଥା ବିଧି ଅନୁଷ୍ଟିତ ହୋଇଅଛି । ପୌରାଣିକ ତଥ୍ୟ ଅନୁଯାୟୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଟିତ ହୋଇଆସୁଅଛି ।

ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ରାତ୍ର ଘ.୩.୨୫ ରେ ସମ୍ପନ୍ନ ହେବା ପରେ ଭିତର ଶୋଧ ଘ.୩.୫୫, ମଙ୍ଗଳ ଆଳତି ଘ.୪.୨୦ ରେ ବଢି ପରବର୍ତ୍ତୀ ଦୈନଦିନ ନୀତି ସାମ୍ପାଦିତ ହୋଇ, ସକାଳ ଧୂପ ପୂଜା ଘ.୮.୪୫ ରେ ବସିବା ସମୟରେ ପ୍ରତିହାରୀ ନିଯୋଗ ସାମନାରେ କୋଠ ସୁଆଁସିଆ କରିଥିବା ଚାଳଘରେ, ଦେଉଳ ପୁରୋହିତ ଓ ବ୍ରାହ୍ମଣ ମାନେ ଥାଇ ପର୍ବ ଯାତ୍ରା ଯୋଗାଣିଆ ଙ୍କ ଠାରୁ ଘିଅ ଓ ହୋମ ସାମଗ୍ରୀ ନେଇ ହୋମ କରାଯାଇଥିଲା, ସକାଳଧୂପ ଘ. ୯.୪୦ ରେ ଶେଷ ହୋଇ, ସକାଳଧୂପ ପ୍ରସାଦ ବାହାରି ଘ. ୯.୫୫ ରେ ପାଣି ପଡ଼ିଲାପରେ, କେବଳ ମହାପ୍ରଭୁଙ୍କ ବାଡ଼ରେ ଘ.୧୦.୧୫ ରେ ମଇଲମ ହୋଇ, ଘ.୧୦.୫୦ ରେ ତଢଉ ଉତରି ଲାଗି ହୋଇଥିଲେ,ଏହାପରେ ମହାପ୍ରଭୁଙ୍କ ବାଡେ ମହାସ୍ନାନ ପୂଜାଠା ଘ.୧୧.୧୦ ରେ ବଢିବା ପରେ ପୂର୍ବଦିନ ରାତ୍ରରୁ ଅଧିବାସିତ ହୋଇ ରହିଥିବା ଭୋଗମଣ୍ଡପ ଘର ମୁଦ ଖୋଲାଯାଇ ଘିଆକୁ ଗରମ ପାଇଁ ସୁଦୁ ସୁଆର ତାଡ଼ରେ ରୋଷ ଘରୁ ନିଆଁ ଆଣି ତରଳାଇ ଅଧିବାସିତ ଜଳ ରେ ମିସାଇ ଥିଲେ, ପାଳିଆ ପଢ଼ିଆରୀ ଭିତର ବାହାର ଟେରା ବାନ୍ଧି ଅଧିବାସିତ ହୋଇଥିବା ଜଳ ଛେକ ଭୋଗମଣ୍ଡପ ଘରୁ ଆଣିବାନିମନ୍ତେ ଡାକିଯିବାରେ ବାଘ ମୁହଁ ବାନ୍ଧି ଗରାବଡୁ ସେବକ ମାନେ ଭୋଗମଣ୍ଡପ ଘରୁ ଗରାମାନଙ୍କୁ ହାତରେ ଧରି ଘଣ୍ଟ,ଛତା, କାହାଳୀ ସହ ପଟୁଆରରେ ଚାରି ଥରରେ ନେଇ ଚାରି ପନ୍ତିରେ ସାଜିତ କରି ରଖିଲା ପରେ,ଶିତଳ ଭୋଗ ଡାକିଯାଇଥିଲେ,,

ଛେକ ଆସିଲାପରେ ପଞ୍ଚପଚାରର ପୂଜା ବିଧି ରେ ଧୂପ,ଦୀପ ଓ ନୈବେଦ୍ୟ ପରେ ଜଳ ଲାଗି ହୋଇଥିଲା ଜଳ ଛେକ ଆଣିଥିବା ଗରାବଡୁ ସେବକ ମାନେ ପୂଜକଙ୍କ ଦର୍ପଣ ଓ ଅଭିଷେକ ପାତ୍ରରେ ଜଳଲାଗି କରିଥିଲେ । ଏହି ଅଭିଷେକ କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଅନୁଷ୍ଟିତ ହୋଇଥିଲା, ଏହାପରେ ପାଣି ପଡି ମଇଲମ ଓ ନୂଆ ଲୁଗା ଲାଗି ବଢିବାପରେ, ରୁପା ପିଙ୍ଗଣରେ ଚନ୍ଦନ ବିଜେ ହୋଇ ଆସି ସର୍ବାଙ୍ଗ ବଢିଥିଲା, ଏହାପରେ ଶ୍ରୀଦେବୀ ଆଜ୍ଞାମାଳ ପାଇ ପାଳୁଆ ମହାଜନଙ୍କ ହାତରେ ବିଜେ ହୋଇ ସାତପହାଚ ନିକଟରେ ଥିବା ପାଲିଙ୍କିରେ ବସି ଲଷ୍ମୀ ମନ୍ଦିରକୁ ଯାତ୍ରା କରିଥିଲେ, ଲଷ୍ମୀଙ୍କ ଜଗମୋହନ ଖଟରେ ମା’ଲଷ୍ମୀ ବିଜେ ହେଲାପରେ , ମା’ଙ୍କ ମାଜଣା, ବନକଲାଗି ଓ ବେଶ ବଢିଥିଲା । ଏହି ଅବସରରେ ଘ.୧.୩୦ ରେ ସିଂହାସନରେ ମହାପ୍ରଭୁଙ୍କୁ ଶ୍ରୀପୟର ଲାଗି ହୋଇ ଅଭିଷେକ ବେଶ ଆରମ୍ଭ ହୋଇ ସୁନା ଅଳଙ୍କାର ଲାଗି ଓ ମାଳ ଫୁଲ, କର୍ପୁର ଲାଗି ବଢି, ବେଶ ଘ.୫.୪୫ ଶେଷ ହୋଇଥିଲା , ଏହାପରେ ପାଣି ପଡି ଟେରା ବନ୍ଧା ଯାତ୍ରାଙ୍ଗି ଭୋଗ, ପାଇଁ ରୋଷ ଘରକୁ ଡାକି ଯାଇଥିଲେ, ରୋଷରୁ ଘଣ୍ଟ,ଛତା, କାହାଳୀ ପଟୁଆରରେ ଭୋଗ ଛାମୁକୁ ଆସିଲାପରେ ମା’ ଲଷ୍ମୀ ବାହୁଡା ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହୋଇଥିଲେ, ଏହାପରେ ପସାଦ ଲାଗି ବଢି, ଦଣ୍ଡ ଛତ୍ର ସଂସ୍କାର କରାଯାଇ ସିଂହାସନକୁ ଉଠିଥିଲା, ଭିତରଛୁ ମହାପାତ୍ର ଲକ୍ଷ୍ମଣ ରୂପେ ଦଣ୍ଡ ଛତ୍ର ଓ ପାଳିଆ ଭଣ୍ଡାର ମେକାପ ହନୁମାନ ରୂପେ ଦଣ୍ଡ ଛତ୍ର ର ମୂଳକୁ ଧାରଣ କରିଥିଲେ, ଏହାପରେ ଷୋଡଶ ଉପଚାରରେ ପୂଜା ହୋଇଥିଲା । ପୂଜା ବଢିଲା ପରେ ପାଣି ପଡି ତିନିବାଡରେ ବନ୍ଦାପନା ବଢି ମହାପ୍ରଭୁଙ୍କ ଠାରେ ଫୁଲ ଶର ଓ ଫୁଲ ଆୟୁଧ ଲାଗି ହୋଇଥିଲା, ସିଂହାସନ ଉପରେ ଚାମର ଆଲଟ ଲାଗି ଓ ଘସା ବିଡ଼ିଆ ଦହି ମଣୋହି ବଢି, ଅଖଣ୍ଡ ମେକାପ ବଇଠା ଧାରଣ କରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥିଲେ, ପାଳିଆ ଖୁଣ୍ଟିଆ ବେତ ଧରି ମଣିମା ମଣିମା ଡାକ ପଡି, ରାଜନୀତି ବନ୍ଦାପନା ବଢି ଫୁଲ,ଧନୁଶର ଓ ଗ ଦି ପ୍ରସାଦ ମଇଲମ ହୋଇ ସିଂହାସନ ତଳକୁ ଆସିଥିଲା, ଏହାପରେ ଦଖିଣି ଘର ଭୋଗ ସାରି, ଶ୍ରୀ ରଘୁନାଥ ଭିତର ସିଂହାସନକୁ ବିଜେ ହୋଇ, ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ପାଳିଆ ମହାଜନଙ୍କ ଦ୍ୱାରା ହାତରେ ବିଜେ ହୋଇ ଆସି ସାତପାହାଚ ନିକଟରେ ଥିବା ପାଲିଙ୍କିରେ ବିଜେ ହୋଇ ଲଷ୍ମୀ ମନ୍ଦିରକୁ ବାହାର ଅଭିଷେକ ନିମନ୍ତେ ଯାତ୍ରା କରିଥିଲେ , ଏଠାରେ ଭଦ୍ରାସନରେ ବିଜେ ହେବାପରେ ମହାସ୍ନାନ ବଢିଥିଲା, ସରଘରୁ ଭୋଗ ଆସି ଭୋଗ ବଢି, ବନ୍ଦାପନା ପରେ, ଶ୍ରୀରଘୁନାଥ ବାହୁଡା ବିଜେ ହୋଇ ଦଖିଣି ଘରକୁ ବିଜେ କଲାପରେ, ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ସମାପ୍ତ ହୋଇଥିଲା । ଏଠାରେ ଉଲେଖ ଯୋଗ୍ୟ ଏହି ଦିନ ଲକ୍ଷ୍ମଣ ଭାବରେ ବିତରଚ୍ଛ ମହାପାତ୍ର ଦଣ୍ଡ ଧରି ସିଂହାସନରେ ଛିଡା ହୋଇ ରହିଥିଲାବେଳେ ଓ ହନୁମାନ ଭାବରେ ପାଳିଆ ଭଣ୍ଡାର ମେକାପ ଦଣ୍ଡ ଛତ୍ର ତଳକୁ ଧରି ଆଣ୍ଠୁମାଡ଼ି ବସିବା ସମୟରେ, ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରି ବନ୍ଦା ପନା କରିଥାନ୍ତି, ଅନ୍ୟ କୌଣସି ବିନ ମହାପ୍ରଭୁଙ୍କ ନୈବେଦ୍ୟ ସମୟରେ ପୂଜାପଣ୍ଡା ସାମନ୍ତଙ୍କ ବ୍ୟତୀତ ରତ୍ନସିଂହାସନ ଉପରେ କାହାର ବସିବାର ଅଧିକାର ନଥାଏ । କିନ୍ତୁ ଏହିଦିନ ନୈବେଦ୍ୟ ଅର୍ପଣ ସମୟରେ, ଭିତରଚ୍ଛ ମହାପାତ୍ର ଓ ଭଣ୍ଡାର ମେକାପ ରତ୍ନ ସିଂହାସନରେ ଉପସ୍ଥିତ ଥାଇ ଷୋଡଶ ଉପଚାରରେ ପୂଜା ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଏହା ଏକ ଅନନ୍ୟ ପରମ୍ପରା ପୌଷ ପୂର୍ଣିମା ଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଚେତନାର ଉଦାର ବାଦୀ ଉପାସନାର ଶ୍ରୀ ରାମ ଉପାସନାର ଏକ ବିଚିତ୍ର ସମନ୍ୱୟ ପରିଲକ୍ଷିତ ହୋଇଥାଏ ।

Leave A Reply

Your email address will not be published.