ପୁରୀ,ଏକାମ୍ରକ୍ଷେତ୍ର ପରେ କୋଣାର୍କ: କଣ ବଦଳିବ ରୂପ? ଜାଣନ୍ତୁ..
³ ଗାଡ଼ିମୋଟର ପାର୍କିଂ ପାଇଁ ‘ମଲ୍ଟି ମୋଡାଲ୍ ହବ୍’
³ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ
³ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ
³ ୫-ଟି କାର୍ଯ୍ୟକ୍ରମ ଅଧୀନରେ ରହିବ ଐତିହ୍ୟ ପ୍ରକଳ୍ପ
³ ମନ୍ଦିର ପ୍ରବେଶସ୍ଥଳରେ ସୁଦୃଶ୍ୟ ଏଣ୍ଟ୍ରି ପ୍ଲାଜା
³ ମନ୍ଦିର ସମ୍ମୁଖ ୩୦ ଏକର ଜମିରେ ଲ୍ୟଣ୍ଡ୍ସ୍କାପିଂ
³ ଛଅ ଥାକିଆ ହେବ ୩.୫ କିମି ବାହ୍ୟ ରିଂ ରୋଡ୍
ଭୁବନେଶ୍ୱର: (ତତ୍କାଳ ଓଡ଼ିଶା)
ପୁରୀ ଓ ଏକାମ୍ର କ୍ଷେତ୍ର ପରେ ଏବେ କୋଣାର୍କର ପାଳି । କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ‘ଅନ୍ତର୍ଜାତୀୟ ମାନର’ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶ ଚିଠା ଯୋଜନା । ଏହି ଐତିହ୍ୟ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜନସାଧାରଣଙ୍କ ଠାରୁ ମତ ଲୋଡ଼ିଛନ୍ତି । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ । ମତାମତ ଦେବାର ଠିକଣା ହେଉଛି-
ଳକ୍ଟଦ୍ଭବକ୍ସଳପକ୍ଟଭମମଅଶଜ୍ଞବସକ୍ଷ.ମକ୍ଟଜ୍ଞ । ମତାମତ ଆଧାରରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ କାମ ଆଗେଇ ଚାଲିଛି । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ଏହି କୋଣାର୍କ ଐତିହ୍ୟାଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଏହାକୁୁ ଅନ୍ତର୍ଜାତୀୟ ମାନର କରାଯିବ । ୫-ଟି କାର୍ଯ୍ୟକ୍ରମ ଅଧୀନରେ ରହିବ ଏହି ଐତିହ୍ୟ ପ୍ରକଳ୍ପ । ସେଥିପାଇଁ କୋଣାର୍କ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସାଢ଼େ ତିନି କିଲୋମିଟର ବାହ୍ୟ ରିଂ ରୋଡ୍କୁ ଛଅ ଥାକିଆ ରାସ୍ତା ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ରାସ୍ତାର ବିକାଶ କରାଯିବ । ଫେରିବାଲାଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଓ ଲ୍ୟଣ୍ଡସ୍କାପିଂ୍ କରାଯିବ । ପ୍ରବେଶସ୍ଥଳରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ ‘ମଲ୍ଟି ମୋଡାଲ ହବ୍’ ନିର୍ମାଣ କରାଯିବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ କରାଯିବ । ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାବ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ୱସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି । ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିରର ମୁଖ୍ୟ ଅଂଶ ଭାଙ୍ଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀଙ୍କ ଦକ୍ଷତାର ଜୟଗାନ କରିଆସୁଛି । ଏହି ମନ୍ଦିର ତତ୍କାଳୀନ ଓଡ଼ିଶାର ସମ୍ପନ୍ନତା ବିଷୟରେ ସୂଚିତ କରିଥାଏ । ମନ୍ଦିର ଗାତ୍ରରେ ଜିରାଫ୍ର ଚିତ୍ର ଆଫ୍ରିକୀୟ ଦେଶଙ୍କ ସହିତ ତତ୍କାଳୀନ ଓଡ଼ିଶାର ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ । ୧୯୮୪ରେ ୟୁନେସ୍କୋ କୋଣାର୍କକୁ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀଙ୍କ ଆର୍ôଥକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ । କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ୱସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲାବେଳେ ପୂର୍ତ୍ତ ସଚିବ କିଶନ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଐତିହ୍ୟ ପ୍ରକଳ୍ପ ସଂପର୍କିତ ରିପୋର୍ଟ ଉପସ୍ଥାପନା କରିଥିଲେ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।