ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ : କେମିତି ପାଳନ୍ତି ଗୋଁଣ୍ଡ?
- ଗାଁ ପୂଜାରୀ ‘କାଲୋ’ ବା ‘ଝାକର’ଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା
- ନବାନ୍ନକୁ ଭେଲୁଆଁ, କୋରେ ବା ମହୁଲପତ୍ର ଦୋନାରେ ରଖି ପୂଜା କରାଯାଏ
- ନବାନ୍ନକୁ ବାହାରର ଲୋକଙ୍କୁ ଛୁଇଁବାକୁ ବା ଖାଇବାକୁ ଦିଆଯାଏ ନାହିଁ
ସମ୍ବଲପୁର, ଝାରସୁଗୁଡା,ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼//TATKAL ODISHA//
ପଶ୍ଚିମ ଓଡ଼ିଶାରେ ‘ ନୂଆଁଖାଇ’ ଏକ ଗଣପର୍ବ। ସବୁ ସଂପ୍ରଦାୟ ଲୋକେ ଏଇ କୃଷିଭିରିକ ପର୍ବକୁ ପାଳନ କରିଥାନ୍ତି । ପ୍ରତିବର୍ଷ ଭାଦ୍ରବ ମାସ ଅର୍ଥାତ୍ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ତାହା ପାଳନ ହୁଏ ।
ଗୋଁଣ୍ଡ ଜନଜାତିରେ ‘କାଲୋ’ ବା ‘ଝାକର’ଙ୍କର ଭୂମିକା
ଗୋଁଣ୍ଡ ଲୋକେ ଖୁବ୍ ପାରମ୍ପରିକ ରୀତିରେ ତାହା ପାଳିଥାନ୍ତି । ଏଠି ଗାଁ ପୂଜାରୀ ‘କାଲୋ’ ବା ‘ଝାକର’ଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପରମ୍ପରା ଅନୁସାରେ ନୂଆଁଖାଇ ପୂର୍ବଦିନ ‘କାଲୋ’ ଉପବାସ ରହି ଜମିରୁ ନୂଆ ଧାନ କାଟି ଗାଁର ସମସ୍ତ ପରିବାରଙ୍କୁ ପ୍ରଦାନ କରିଥାନ୍ତି। ସେଇ ନୂଆଧାନ କେଣ୍ଡାକୁ ଗୋଁଣ୍ଡ ପରିବାରର ମୁଖୁଆ ଗଉଳ ବାହାର କରିଥାନ୍ତି। ନୂଆ ଚାଉଳ ସହ ଘରେ ଥିବା ଅରୁଆ ଚାଉଳ ଏବଂ ନଡ଼ିଆ, ଗୁଡ଼ ଆଦି ମିଶାଇ ରନ୍ଧା ଯାଇଥାଏ। ଉକ୍ତ ନବାନ୍ନକୁ ଭେଲୁଆଁ ପତ୍ର, କୋରେ ପତ୍ର ବା ମହୁଲପତ୍ର ଦୋନାରେ ରଖି ପୂଜା କରାଯାଏ ।
ଘରର ମୁରଵୀ ଏହି ପୂଜାକାର୍ଯ୍ୟ ସମ୍ପାଦନ କରିଥାନ୍ତି । ଭୋଗପରେ ସମସ୍ତ ପରିବାର ସଦସ୍ୟ ଏକାଠି ବସି ନବାନ୍ନ ସେବନ କରିଥାନ୍ତି । ଏହି ନବାନ୍ନକୁ ବାହାରର ଲୋକଙ୍କୁ ଛୁଇଁବାକୁ ବା ଖାଇବାକୁ ଦିଆଯାଏ ନାହିଁ । ହେଲେ ଭିନ୍ନ ଭାବେ ପ୍ରସ୍ତୁତ ହୋଇଥିବା କ୍ଷୀରୀ, ପିଠା, ମିଠା ଓ ପଣା ଆଦି ସେମାନଙ୍କୁ ଦିଆଯାଇଥାଏ। ପୂର୍ବରୁ ଗୋଁଣ୍ଡ ଲୋକେ ନୂଆ ବସ୍ତ୍ର ପରିଧାନ କରି ଦିଅଁ ତଥା ପୂର୍ବ ପୁରୁଷଙ୍କୁ ନବାନ୍ନ ଅର୍ପଣ କରିଥାନ୍ତି।
ନବାନ୍ନ ସେବନ ପରେ କନିଷ୍ଠମାନେ ଘରର ବୟୋଜ୍ୟେଷ୍ଠଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି। ନିଜ ନିଜର ବନ୍ଧୁବାନ୍ଧବଙ୍କୁ ଭେଟି ପରସ୍ପର ‘ଜୁହାର’ ଭେଟ କରିଥାନ୍ତି ।
ସକାଳେ ଏହି କାର୍ଯ୍ୟ ସମାପନ ହୁଏ । ଉପରଓଳି ପ୍ରତି ଗ୍ରାମରେ ଲୋକେ ଏକାଠି ହୋଇ କୀର୍ତ୍ତନ ଆଦିରେ ସାମିଲ ହୋଇଥାନ୍ତି । ଏହାକୁ ‘ନୂଆଖାଇ ଭେଟଘାଟ’ ନାମରେ ନାମିତ ହୋଇଛି ।
ରାତ୍ରିରେ ଆମିଷ ଭୋଜନ ହୁଏ । ପରିବାର ଲୋକେ ସାଙ୍ଗରେ ବସି ମାଛ, ମାଂସ ଆଦି ଭୋଜନ କରି ମଜାନେଇଥାନ୍ତି। କେଉଁଠି ଗୋଟିଏ ଦିନ ଏହିପର୍ବ ପାଳୁଥିବାବେଳେ ଆଉ କେଉଁଠି ଦୁଇଦିନ ପାଳନ କରିଥାନ୍ତି । ଏହି କୃଷିଲିରିକ ଗଣପର୍ବ ଏବେ ବିଶ୍ବବ୍ୟାପୀ ପାଳନ ହେଉଥିବା ଦେଖାଯାଇଛି ।