ପଞ୍ଚଲିଙ୍ଗେଶ୍ବରରେ ପୋଲିସ ଫାଣ୍ଡି ଖୁବଶୀଘ୍ର : ପୂର୍ବାଞ୍ଚଳ ଆଇଜି
ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ
ନୀଳଗିରି, (ଗଦାଧର ଦାସ):
ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାରୁ ସେଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ପୀଠ କମିଟି ଓ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ I ଦୀର୍ଘ ଦିନର ସେହି ଦାବି ପୂରଣ ହୋଇଛି I ଏହି ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ I
ପୂର୍ବାଞ୍ଚଳ ରେଞ୍ଜ ଆଇଜି ଶ୍ରୀ ପଟ୍ଟନାୟକ ଓ ବାଲେଶ୍ଵର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମିଳିତ ଭାବେ ନୀଳଗିରି ଉପଖଣ୍ଡସ୍ଥ ସନ୍ତରାଗଡିଆ ସନ୍ନିକଟ ପଞ୍ଚଲିଙ୍ଗେଶ୍ବରରେ ପହଞ୍ଚି ଆଇନ ଶୃଙ୍ଖଳାର ତଦାରଖ କରିଛନ୍ତି । ଏହି ଅବସରରେ ଆଇଜି ଶ୍ରୀ ପଟ୍ଟନାୟକ କହିଥିଲେ, ଶୈବପୀଠରେ ଚୋରି, ଡକାୟତି ଏବଂ ଧର୍ଷଣ ଭଳି ଘଟଣା କାର୍ଯ୍ୟ ହେଉଥିବା ଅଭିଯୋଗ ରହିଛି । ପର୍ଯ୍ୟଟକମାନେ ନିଜକୁ ସେଠାରେ ସୁରକ୍ଷିତ ମଣୁନାହାଁନ୍ତି I ଦିନକୁଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛିI । ତେଣୁ ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଫାଣ୍ଡି କିମ୍ବା ଆଉଟ୍ ପୋଷ୍ଟ ପ୍ରତିଷ୍ଠା କରିବାକୁ ବାରମ୍ବାର ଦାବି ଉଠିଥିଲା । ତାର ଏବେ ସମୟ ଆସିଛି I ଖୁବଶୀଘ୍ର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ I
ତେବେ ଆଇଜି ଓ ଏସପିଙ୍କର ଏଭଳି ପଦକ୍ଷେପକୁ ନୀଳଗିରି ବାସୀ ସ୍ୱାଗତ କରିଛନ୍ତି । ନୀଳଗିରିର ବରିଷ୍ଠ ଆଡ଼ଭୋକେଟ ତଥା ପଞ୍ଚଲିଙ୍ଗେଶ୍ୱର ଶୈ ପୀଠର କମିଟି ସଦସ୍ୟ ଅମରେନ୍ଦ୍ର ପଟ୍ଟନାୟକ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ତାହା ତୁରନ୍ତ କାର୍ଯ୍ୟକରୀ ହେବା ପାଇଁ ଦାବି ଦୋହରାଇଛନ୍ତି I