ନେତାଜୀଙ୍କ ‘ଓଡ଼ିଶା ପ୍ରୀତି’
- ଛପା ଇତିହାସର ଅଛପା ସତ୍ୟ
- +++++++++++++++++++++
- Guest EDITOR//ପ୍ରଦ୍ୟୁମ୍ନ ଶତପଥୀ//
- +++++++++++++++++++++++
TATKAL ODISHA//ଐତିହ୍ୟ ଖୋଜ//
ବିଶ୍ଵ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଓଡ଼ିଆ ଓ ଓଡ଼ିଶା ପ୍ରୀତି ସମ୍ପର୍କରେ ଏଯାବତ୍ ସଠିକ୍ ଆଲୋଚନା ନହେବା ଅଥବା ସଠିକ୍ ଭାବରେ ଇତିହାସରେ ବର୍ଣ୍ଣନା ନହେବା ବିଡମ୍ବନା I
ତାହା ଚକ୍ରାନ୍ତିଆ ଷଡ଼ଯନ୍ତ୍ର ନିଶ୍ଚୟ I
“ମୋତେ ତୁମ୍ଭେମାନେ ରକ୍ତ ଦିଅ, ମୁଁ ତୁମ୍ଭମାନଙ୍କୁ ସ୍ବାଧୀନତା ଦେବି” ଏହି ଦୃପ୍ତ କଣ୍ଠର ଆହ୍ବାନ ଥିଲା ଓଡ଼ିଶାର ପାଣି ପବନରେ କୈଶୋର ଜୀବନ କଟାଇ, ମାଧ୍ୟମିକ ଶିକ୍ଷା ସମାପ୍ତ କରି, ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଠାରେ ଗଭୀର ଭକ୍ତି ରଖିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ୍ ହିନ୍ଦ୍ ଫୈ।ଜର ଓଡ଼ିଆ ସୈନିକଙ୍କ ସମ୍ମିଳନୀରେ ବଜ୍ର ନିନାଦିତ ଆହ୍ବାନ ।
ଏହି ସତ୍ୟଟି କେଉଁଠି ପ୍ରକାଶ ପାଇଛି କି ?
ଆଜାଦ୍ ହିନ୍ଦ୍ ଫୈ।ଜରେ ସବୁଠାରୁ ଅଧିକ ସୈନ୍ୟ ଥିଲେ ଓଡ଼ିଆ ଏବଂ ଏହି ଓଡ଼ିଆଙ୍କ ମଧ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଥିଲେ ଗଞ୍ଜାମ ଜିଲ୍ଲାର ବୋଲି ତଥ୍ୟାର୍ପଣ ନହେବାର କାରଣ କ’ଣ ?
୧୯୨୮ରେ ମୋତି ଲାଲ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଲିକତା କର୍ପୋରେସନର ଚିଫ୍ ଏକଜ୍ୟୁଟିଭ ନେତାଜୀଙ୍କ ବ୍ୟତୀତ ଅନ୍ୟ କେହି ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନକୁ ସମର୍ଥନ କରିନଥିଲେ ଏବଂ ମୋତି ଲାଲ ନେହେରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ଅପମାନିତ କରିଥିଲେ । ଏହାର ପ୍ରତିବାଦରେ ମାଟିଆ ବରଜୁଙ୍କ ନେତୃତ୍ବରେ ଦଶ ହଜାର ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ନେତାଜୀ ଓଡ଼ିଆ ଭାଷାରେ ବୁଝାଇବା ପରେ ସଭାସ୍ଥଳକୁ ଯାଇ , ନେତାଜୀ ଏଭଳି ଭାଷାରେ ପ୍ରତିବାଦ କଲେ, ଯେ ମୋତି ଲାଲ ନୀଳକଣ୍ଠ ଦାସଙ୍କୁ କ୍ଷମା ମାଗିଲେ I
ଏହି ଅକାଟ୍ୟ ସତ୍ୟ କ’ଣ ଇତିହାସରେ ସ୍ଥାନିତ ହେଵା ଉଚିତ ନୁହେଁ ?
ସେହିପରି ୧୯୩୮ , ଜାନୁଆରୀ ୧୮ରେ ନେତାଜୀ କଂଗ୍ରେସ ସଭାପତି ହେବାପରେ ସେତେବେଳେର ଯୁବନେତା ହରେକୃଷ୍ଣ ମହତାବଙ୍କ ସମେତ ୧୨ ଜଣଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଭାବେ ମନୋନୀତ କରିଥିଲେ, ଯାହା ଆନୁପାତିକ ଭାବେ ଅନ୍ୟ ରାଜ୍ୟ ଠାରୁ ଅଧିକ ଥିଲା ।
୧୯୩୯ ରେ ମହାତ୍ମାଗାନ୍ଧୀଙ୍କ ବିରୋଧ ସତ୍ତ୍ଵେ କଙ୍ଗ୍ରେସ ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରି ମହାତ୍ମାଗାନ୍ଧୀଙ୍କ ପ୍ରାର୍ଥୀ ପଟ୍ଟାଭି ସୀତାରାମେୟା ଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ମହାତ୍ମାଗାନ୍ଧୀ ଏତେ ମାତ୍ରାରେ କ୍ରୋଧିତ ହୋଇଗଲେ ଯେ ତାଙ୍କ ପାଟିରୁ ବାହାରିଗଲା ” ସୀତାରାମାୟଙ୍କ ପରାଜୟ,ମୋର ପରାଜୟ” । ସେହି ନିର୍ବାଚନରେ ଓଡ଼ିଆ ନେତାଙ୍କ ସମର୍ଥନର ସଂଖ୍ୟା ଜାଣିଲେ ମୁଣ୍ଡରେ ହାତ ଦେବେ । ଏହା ସତ୍ତ୍ୱେ ଦ୍ବିତୀୟ ଥର କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବାପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଓଡ଼ିଶା ଆସି କଟକରେ ପହଞ୍ଚି ” ଯୁବ ଉତ୍କଳ ସଂଘ” ( ୟଙ୍ଗ ଉତ୍କଳ ଆସୋସିଏସନ୍) ସଭାରେ ଯୋଗଦେଇ ପୁରୀ ଆସିଥିଲେ ଏବଂ ଜଗନ୍ନାଥଙ୍କ ଦର୍ଶନ କରି ସାରି ପୁରୀର ଛାତ୍ର ନେତା ଗଙ୍ଗାଧର ମହାପାତ୍ରଙ୍କ ଦ୍ଵାରା ଆୟୋଜିତ ( ପୁରୀ ଜିଲ୍ଲା ସ୍କୁଲ ପଡିଆ) ସଭାରେ ପହଞ୍ଚିଲେ ।
ସ୍ବାଗତ ଭାଷଣ ଦେଇ ଯେତେବେଳେ ଛାତ୍ର ନେତା ଗଙ୍ଗାଧର ନେତାଜୀଙ୍କୁ ଓଡ଼ିଆ ଭାଷାରେ ବକ୍ତବ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କଲେ I ସେତେବେଳେ ହସିହସି ନେତାଜୀ କହିଥିଲେ ” ଗଙ୍ଗାଧର ! ମୁଁ ଜଣେ ଓଡ଼ିଆ, ମୋତେ ବଙ୍ଗୀୟ ବୋଲି କାହିଁକି ଭାବୁଛୁ , ଓଡ଼ିଶାର ପାଣି ପବନରେ ମୋର କୈଶୋର ଜୀବନ କଟିଛି, ମୋର କେବଳ ନୁହେଁ ମୋ ପରିବାରର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ଓଡ଼ିଆ ରକ୍ତ ମୋ ଧମନୀରେ ପ୍ରବାହିତ, ଓଡ଼ିଆଙ୍କ ପଇସାରେ ବାପା ମୋତେ ପାଠ ପଢାଇଛନ୍ତି । ଓଡ଼ିଆ ନେତା ସ୍ବର୍ଗତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସ ମୋ’ର ଆଦର୍ଶ ” ।
ତାଳି ମାଡ଼ରେ ସଭା ପ୍ରକମ୍ପିତ ହୋଇଥିଲା । ସେଠାରୁ ପଦବ୍ରଜରେ ଚନ୍ଦନପୁରରେ ଏକ ଜନସଭାରେ ଯୋଗଦେଇ ଓଡ଼ିଆ ଭାଷାରେ ଏଭଳି ଚମତ୍କୃତ ଭାଷଣ ଦେଲେ ଯେ ଲଜ୍ଜିତ ଗଙ୍ଗାଧର ତାଙ୍କ ପାଦତଳେ ଲମ୍ଵହୋଇ ପଡ଼ି କ୍ଷମା ଭିକ୍ଷା କରିଥିଲେ ।
ପ୍ରତ୍ୟୁତରରେ ନେତାଜୀ କହିଥିଲେ , ଗଙ୍ଗାଧର, ଏତେ କମ୍ ସମୟ ମଧ୍ୟରେ ଏଭଳି ଜନସମାଗମ କରାଇ ତୁମେ ଧନ୍ୟବାଦ ର ପାତ୍ର। ସଭା ସରିବା ପରେ ନେତାଜୀ ଙ୍କ ପାଇଁ ଗରମ୍ ଵରା,ପକଡି,ମଟର ଭୁଗୁନି ଖାଇବାକୁ ଦିଆଯାଇଥିଲା । ଥଟ୍ଟା ପରିହାସ କରି ନେତାଜୀ କହିଥିଲେ ଗଙ୍ଗାଧର ! ମାଛ ବେସର କେବେ ଖୁଆଇଵ ?
ଓଡ଼ିଆ ଖାଦ୍ୟ ପ୍ରତି ରୁଚି ରଖୁଥିବା ନେତାଜୀଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରୀତି ଅନାଲୋଚିତ ।
ଏହା ପରେ ସମସ୍ତେ ଅବଗତ ଅଛେ ଯେ କେଉଁ ଭଳି ଘଟଣାଚକ୍ର ରେ ନେତାଜୀ କଙ୍ଗ୍ରେସରୁ ଇସ୍ତଫା ଦେବାକୁ ଉଚିତ ମନେ କଲେ ଏବଂ ଫରଓ୍ଵାର୍ଡ ବ୍ଲକ ଗଠନ କଲେ ଓ ସେଥିରେ ସଂଗ୍ରାମୀ ଦିବାକର ପଟ୍ଟନାୟକ ରାଜ୍ୟ ସଭାପତି ରହିଲେ ଏବଂ ତାଙ୍କ ସହିତ ସେମାନେ, ଯେଉଁ ମାନଙ୍କୁ ସେ ଜାତୀୟ ନେତୃତ୍ବ ଦେଇଥିଲେ ରହିଲେ ନାହିଁ, ରହିଲେ ବିପ୍ଲବୀ ଯୁବନେତାମାନେ, ଯଥା ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁତ୍ର ଅଶୋକ ଦାସ, ପୁରୀର ଯୁବନେତା ବିବୁଧେନ୍ଦ୍ର ମିଶ୍ର, ଗଙ୍ଗାଧର ମହାପାତ୍ର, ବଳରାମ ମହାନ୍ତି,ସୁରଜ ମଲ୍ଲ ସାହା, ବିଜୟ ପାଣି ।
୧୯୪୧ ମସିହା, ଜାନୁଆରୀ ମାସ ୧୭ ତାରିଖ ବ୍ରିଟିଶ ସରକାରଙ୍କ ନଜରବନ୍ଦୀ ଥିବା ଅବସ୍ଥାରେ ଏକ ମୈ।ଲଵୀ ବେଶରେ ସେ ଅନ୍ତର୍ଦ୍ଧାନ ହୋଇଥିଲେ ଏବଂ ତାଙ୍କୁ ନେଇଥିବା ଗାଡ଼ି ଓଡ଼ିଶାର ଓ ଡ଼୍ରାଇଭର ଓଡ଼ିଆ । ୧୯୪୨ , ମାର୍ଚ୍ଚ ୨୯ ତାରିଖ ରେ ଜର୍ମାନ ରେ ହିଟଲର ଙ୍କ ସହିତ ସାକ୍ଷାତ ଆଲୋଚନା ର ସୂତ୍ରଧର ଥିଲେ ଜଣେ ଓଡ଼ିଆ । ୧୯୪୩, ଜୁନ ୧୩ ରେ ଟୋକିଓରେ କିଭଳି ପହଞ୍ଚି ଜାପାନ ର ପ୍ରଧାନମନ୍ତ୍ରୀ ତୋଜଙ୍କ ସହିତ ସମ୍ପର୍କ ସ୍ଥାପନ କଲେ, ତା’ର ଇତିହାସ ଜାଣିଲେ ପ୍ରତ୍ୟେକ ଓଡ଼ିଆ ଗର୍ଵ ଅନୁଭବ କରିବେ । ୧୯୪୩ ମସିହା, ଅକ୍ଟୋବର ୨୧ ତାରିଖ ରେ ସିଙ୍ଗାପୁର ଠାରେ ନେତାଜୀ ଗଠନ କଲେ ଆଜାଦ୍ ହିନ୍ଦ୍ ସରକାର । ଏହି ସରକାର କୁ ଇଟାଲୀ, ଜର୍ମାନ, ଜାପାନ ସମେତ ଦଶଟି ଦେଶ ସେହି ଦିନ ସ୍ବୀକୃତି ଦେଇଥିଲେ, ଏହାକୁ ସମ୍ଭବ କରାଇ ପାରିଥିଲେ ଜଣେ ଓଡ଼ିଆ ଯିଏ ନେତାଜୀଙ୍କ ସରକାରଙ୍କ ସୂଚନା, ଲୋକସମ୍ପର୍କ ଓ ବୈଦେଶିକ ବିଭାଗ ଦାୟିତ୍ବ ନେଇଥିଲେ, ସେ ଥିଲେ ଗଞ୍ଜାମର ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ।
ନେତାଜୀଙ୍କ ଯୋଜନା ଥିଲା ପ୍ରଥମେ ଓଡ଼ିଶା ବାଟ ଦେଇ ସ୍ବାଧୀନତା ସଂଗ୍ରାମ ଅଭିଯାନ ଆରମ୍ଭ କରିବେ । ସମସ୍ତ ପ୍ରସ୍ତୁତି ସରିଥିଲା, ପୂର୍ବ ସୂଚନା ଦେବା ଓ ତାରିଖ ନିର୍ଦ୍ଧାରଣ ନିମନ୍ତେ ଆଜାଦ୍ ହିନ୍ଦ୍ ଫୈ।ଜର ଦୁଇ ଜଣ ଶିଖ ସୈନିକ ଵେଶ ବଦଳାଇ ଷ୍ଟିମରରେ ଆସି ଗଞ୍ଜାମର ପାଲୁରରେ ପହଞ୍ଚି ଦିବାକର ପଟ୍ଟନାୟକଙ୍କ ଘର ଖୋଜି ପହଞ୍ଚିବା ସମୟରେ ରାତି ଅଧରେ ପଡିଶା ଘର ଗଗନ ପଟ୍ଟନାୟକ ଙ୍କ କବାଟ ବାଡ଼େଇବାପରେ ସେ ଉଠି କହିଲେ କଣ ହେଲା, ଆପଣ ଦିବାକର ପଟ୍ଟନାୟକ ?
ମିଛରେ ସେ ହଁ କରିବାରୁ ନେତାଜୀଙ୍କ ଚିଠି ତାଙ୍କୁ ଧରାଇ ଦେଇ ଥିଲେ । ଏହାକୁ ଏକ ଅପୂର୍ବ ସୁଯୋଗ ମନେକରି କିଛି ପୁରସ୍କାର ଆଶାରେ ସେ ଦୁହିଁଙ୍କୁ ଖାଇବାକୁ ଦେବାକୁ ଡାକି ଗୋଟିଏ ଘରେ ତାଲା ପକାଇ ଦେଇଥିଲେ । ରାତି ରାତି ପୋଲିସ ରେ ଖବର ଦେଇ ଦେବାରୁ ଉକ୍ତ ଶିଖ ସୈନିକ ଦ୍ବୟ ଗିରଫ ହେଲେ ଏବଂ ଦିବାକର ପଟ୍ଟନାୟକ , ଯିଏ ସମସ୍ତ ପ୍ରସ୍ତୁତି କରି ପାଞ୍ଚ ହଜାର ଯୁବକ ଙ୍କୁ ତାଲିମ୍ ଦେଇ ଜଙ୍ଗଲ ରେ ଥିଲେ , ସେ କ୍ୟାମ୍ପରୁ ଗିରଫ ହେଲେ ଓ ଯୋଗାଯୋଗ ଦାୟିତ୍ଵ ରେ ଥିବା ଶ୍ରୀହର୍ଷ ମିଶ୍ର ଙ୍କୁ କଲିକତା ରୁ ଗିରଫ କରାଯାଇଥିଲା । ଏହି ଖବର ପାଇ ମର୍ମାହତ ନେତାଜୀ ବର୍ମା ରେ ଓଡ଼ିଆ ରେଜିମେଣ୍ଟ କ୍ୟାମ୍ପକୁ ଯାଇ ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଠାରୁ ଜଗନ୍ନାଥ ଜଣାଣ ଓ ତିନୋଟି ଦେଶାତ୍ମବୋଧକ ସଙ୍ଗୀତ ଶୁଣି ଆଖି ରେ ଆଖିଏ ଲୁହ ରଖି ସେହି ଚଟାଣରେ ଶୋଇପଡ଼ିଲେ ।
କର୍ଣ୍ଣେଲ ବ୍ରଜମୋହନ ପଟ୍ଟନାୟକ, ଡାକ୍ତର ବୀର କିଶୋର ଭୂୟାଁ, ନରସିଂହ ଚରଣ ଦାସ, ରଣପୁର ମାଟି ର ଶହୀଦ ଦିବାକର ପରିଡ଼ା ଙ୍କ ବଡ଼ଭାଇ ଚକ୍ରଧର ପରିଡ଼ା, ନାରୀ ସେନାର ଝାନ୍ସି ରେଜିମେଣ୍ଟ ର ଅଧିନାୟିକା ଡା ଲକ୍ଷ୍ମୀ ସ୍ବାମୀନାଥନ , ଯିଏ ପରେ ସେହଗଲ ସାଙ୍ଗିଆରେ ପରିଚିତା, ଉପ ଅଧିନାୟିକା ଓଡ଼ିଆ ଝିଅ ଉର୍ମିଳା , ରଜନୀ,କାନ୍ତି ପ୍ରଭୃତି ଚାରିପଟେ ଶୋକାକୁଳ ହୋଇ ଅପେକ୍ଷା କରିଥାନ୍ତି । କିଛି ସମୟପରେ ନେତାଜୀ ଉଠି ଉଚ୍ଚାରଣ କଲେ ” ଜୟ ଜଗନ୍ନାଥ ” ।
ନେତାଜୀଙ୍କ ” ନାରୀ ସେନା” ଓ ଝାନସୀ ବାହିନୀରେ କୋଡ଼ିଏ ହଜାରରୁ ଉର୍ଦ୍ଧ୍ଵ ନାରୀ ଯୋଗ ଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ରମଣୀ ଥିଲେ ।
ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟଯେ ଯେ ଗଞ୍ଜାମ ମାଟିର ଵୀରତ୍ବ, ଐଶ୍ୱର୍ଯ୍ୟ, ପାଣ୍ଡିତ୍ୟ ଏବଂ ସର୍ବାନ୍ତକରଣ ମାତୃଭାଷା, ମାତୃଭୂମି ପ୍ରତି ସମର୍ପିତ ମାନସିକତା ତଥା ପ୍ରଚଣ୍ଡ ସ୍ବାଭିମାନ ର ପରିଚୟ ଆମେ ବହୁ ପ୍ରାଚୀନ ଦଲିଲ୍ ରୁ ପାଇ ଏତେ ଗର୍ବିତ ଯେ ସ୍ବତଃ ସେ ମାଟି ମା ପ୍ରତି ମଥାପାତି ଅଜସ୍ର ମୁଣ୍ଡିଆ ମାରୁଛୁ । ସବୁଠାରୁ ବଡ଼ ବିଡମ୍ବନା ଯେ ଏହି ସବୁ ଗର୍ବିତ ଇତିହାସ ସ୍ଥାନ ପାଇନାହିଁ ଭାରତ ଅବା ଓଡ଼ିଶା ଇତିହାସରେ । ଆଜି ସେହି ବୀର ମାଟି, ସୁଜଳା ସୁଫଳ ସ୍ଵର୍ଣ୍ଣ ପ୍ରସବିନୀ ମାଟି ର ସନ୍ତାନ ସୁରଟ ସହର ରେ ଗୋତି ଖଟି କରୋନା ଭୂତାଣୁ ବୀଜାଣୁ ଆଣି ଗଞ୍ଜାମ ସମେତ ଓଡ଼ିଶାର ଜନଜୀବନ କୁ ଅସୀମ ଆତଙ୍କ ରେ ଆତଙ୍କିତ କରିଛି । ଫରାସୀ ବିରୋଧରେ ଘୁମୁସର ର ରାଜା କୃଷ୍ଣ ଭଞ୍ଜ ଙ୍କ ବୀରତ୍ବର ଇତିହାସ ହେଉ ଅବା ୧୭୭୫ ରୁ ଦୀର୍ଘ ୪୫ ବର୍ଷ ଧରି ଶ୍ରୀକର ଭଞ୍ଜଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଂଘର୍ଷ ର ଇତିହାସ ସ୍ଥାନ ପାଇନାହିଁ । ଆମେ ପଢିଲୁ ଗଞ୍ଜାମ ଡିଷ୍ଟ୍ରକ୍ଟ ମାନୁଆଲ୍ ରେ ଫରାସୀ ଜେନେରାଲ ମନ୍ତବ୍ୟ, ଯାହା ଲିପିବଦ୍ଧ ” Krushna Bhanja was most powerful and a great hero ” । ସେହିପରି ଦେଶପ୍ରେମୀ ସଂଗ୍ରାମୀ , ମହାନ୍ ଯୋଦ୍ଧା ଦୋହରା ବିଷୋଇ ଙ୍କ ଇତିହାସ ପଢିଲେ ପ୍ରତ୍ୟେକ ଓଡ଼ିଆ ର ଲୋମ ଟାଙ୍କୁରି ଉଠିବ । ୧୭୮୦ ମସିହାରେ ପ୍ରାଚୀନ ଘୁମୁସର ରାଜ୍ୟର ରାଜଧାନୀ କୁଲାଡ଼ଗଡ ପାଖରେ ବିଞ୍ଜିଗିରି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଏହି ଅବର୍ଣ୍ଣନୀୟ ବୀର ଙ୍କ ଅସୀମ ସମର ପ୍ରୀତି, ଚମକପ୍ରଦ ଅସୀ ଚାଳନା, ଅବ୍ୟର୍ଥ ଶର ସନ୍ଧାନ, ମଲ୍ଲ ଯୁଦ୍ଧରେ ନିପୁଣତା ଆଦି ଯେଉଁ ଭାଷା ରେ ଉଲ୍ଲେଖ ରହିଛି, ତାକୁ ପଢିଲେ, ସମଗ୍ର ବିଶ୍ଵରେ ଏଭଳି ଜଣେ ବୀର ପୁରୁଷ ଖୋଜିଲେ ମିଳିବେ ନାହିଁ । ଗଞ୍ଜାମ ଜିଲ୍ଲାର ଅନେକ ବୀର ପୁରୁଷ ଓ ଵୀରାଙ୍ଗନାଙ୍କ ସମ୍ପର୍କରେ ନିଷ୍ଠୁର ଇତିହାସ କୁ ଚକ୍ରାନ୍ତ ରଚି ନିରବ କରାଇଦିଆଯାଇଛି । ଗୋଟିଏ ଉଦାହରଣୀୟ ତଥ୍ୟାର୍ପଣ ଏଠାରେ ଉପସ୍ଥାପନ କରାଯାଉଛି । ଉଦାହରଣ ସ୍ୱରୂପ ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଝାନସୀ ରେଜିମେଣ୍ଟର ଵୀରାଙ୍ଗନା । ସ୍ବାଧୀନତା ପରେ ସେ କୁଆଡେ ଗଲେ, କେଉଁଠି ରହିଲେ, ତାଙ୍କ ବିଷୟରେ ଇତିହାସ ନିରବ ରହିଲା, କେହି ଖୋଜିଲେ ନାହିଁ ।
୨୦୦୮ ମସିହାରେ ମହାନ୍ ଗବେଷକ, ଐତିହାସିକ ଅନୀଲ ଧୀର କଲିକତାର ” ନେତାଜୀ ରିସର୍ଚ୍ଚ ନ୍ୟାସନାଲ ଆର୍ମୀ” ସମ୍ପର୍କରେ ଗବେଷଣା କରୁଥିବା ସମୟରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ବିଷୟରେ ଜାଣି କୋରାପୁଟ ଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ନଥି ଖେଳେଇଲେ, କିଛି ଖବର ପାଇଲେ ନାହିଁ । ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ପଚରାଉଚରା କରି ଖବର ପାଇ ଜୟପୁର ଗଲେ ଓ ଦେଖିବାକୁ ପାଇଲେ ଯେ ସେ ଅନେକ ଲୋକ ଙ୍କ ଘରେ ବାସନ କୁସନ ମାଜଣା କରି ବହୁ କଷ୍ଟରେ ଝୁମ୍ପୁଡି ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ହାଏରେ ବିଧାତା, ନେହେରୁ ଙ୍କ ଝିଅ ପ୍ରିୟଦର୍ଶିନୀ ଇନ୍ଦିରା ଦେଶର ପ୍ରଧାନମନ୍ତ୍ରୀ, ତାଙ୍କ ପୁଅ ପ୍ରଧାନମନ୍ତ୍ରୀ, ତାଙ୍କ ପରିବାର ପାଖରେ ପୁରୁଷ ପୁରୁଷ ଧରି କ୍ଷମତା, ଅସୀମ ଅର୍ଥ, ଅର୍ଥାତ୍ ଵୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ଗରିବୀ ସହ ଅକଥନୀୟ ନିର୍ଯାତନା କୁ ଉପଜିଵ୍ୟ କରି ସଂଘର୍ଷ । ଅନୀଲ ବାବୁ ତାଙ୍କୁ ଦେଖାକରିବାକୁ ଯିବା ସମୟରେ ଉଦୁଉଦିଆ ଦ୍ୱିପ୍ରହର ବେଳେ ରୈ।ଦ୍ର ତାପରେ ଫୁଙ୍ଗୁଳା ପିଠି ରେ ଗୋବର ପାରୁଛନ୍ତି । ଅନୀଲ ବାବୁ ତାଙ୍କ ପାଦ ଛୁଇଁ ପ୍ରଣାମ କଲାରୁ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସମସ୍ତ ବିଷୟ ଆଲୋଚନା କରି ତାଙ୍କୁ ଭୁବନେଶ୍ବରରେ ଆଣିବାକୁ ଚାହିଁବାରୁ ସେ ଆସିବାକୁ ରାଜି ହୋଇଗଲେ I ମାତ୍ର କହିଲେ କ’ଣ ପିନ୍ଧି କରି ଯିବି ?
ଅନୀଲ ବାବୁ ବଜାରକୁ ଆସି ଲୁଗା ତିନି ଖଣ୍ଡ କିଣି ଦେବାପରେ ସେ ସେଥିରୁ ଗୋଟିଏ ପିନ୍ଧି ଭୁବନେଶ୍ୱର ଆସିଲେ । ଅନୀଲ ବାବୁଙ୍କ ଠାରୁ ଆମେ ସମସ୍ତ ବିଷୟ ଅବଗତ ହୋଇ ସଙ୍ଗେ ସଙ୍ଗେ ଡିଏଭି, ଚନ୍ଦ୍ରଶେଖରପୁର ସ୍କୁଲ ର ଅଧ୍ୟକ୍ଷ ଡ଼ଃ କେଶବ ଚନ୍ଦ୍ର ଶତପଥୀ ଙ୍କ ସହିତ ଆଲୋଚନା କଲୁ । ସେଦିନ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କୁ ଚାରି ହଜାର ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତା କଲାପରେ ଏବଂ ତାହା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଆଲୋଡନ ସୃଷ୍ଟି ହୋଇଥିଲା । ଅନୀଲ ବାବୁ ଙ୍କ ଧାରାବାହିକ ତ୍ୟାଗ ଓ ସଂଘର୍ଷ ଫଳରେ ୨୦୦୮ ମସିହା, ଅଗଷ୍ଟ ୧୫ , ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କଲେ । ତିନି ଦିନ ପରେ ୧୮ ତାରିଖ ରେ ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କ ଠାରୁ ସମସ୍ତ ବିବରଣୀ ଶୁଣି କାନ୍ଦି ପକାଇଥିଲେ ଓ ନିଜର ସ୍ବତନ୍ତ୍ର କ୍ଷମତା ବଳରେ ସଙ୍ଗେ ସଙ୍ଗେ ସଂଗ୍ରାମୀ ଭତ୍ତା ମଞ୍ଜୁର କରିଥିଲେ ମାସକୁ ୩୦ ହଜାର ଟଙ୍କା । ମାସକୁ ୩୦ ହଜାର ଭତ୍ତା ପାଇବା ବଡ଼କଥା ନୁହେଁ, ଓଡ଼ିଆ ବୀରାଙ୍ଗନା ରାଷ୍ଟ୍ର ଦ୍ବାରା ସମ୍ବର୍ଦ୍ଧିତା ହେବା ଗୈାରବର କଥା, ସମଗ୍ର ଓଡ଼ିଶାବାସୀ ଙ୍କ ପାଇଁ ଥିଲା ସୁବାର୍ତ୍ତା । ବିଧାତାର ଚରମ ରସିକତା ଯେ ଏହି ଵୀରାଙ୍ଗନା ମାତ୍ର ଗୋଟିଏ ମାସର ଭତ୍ତା ପାଇ ଅକ୍ଟୋବର ୬ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଯଦି ଅନୀଲ ବାବୁ ନଥାନ୍ତେ, କି କିଛି କରିନଥାନ୍ତେ, ତେବେ ? ଏଭଳି ପ୍ରଶ୍ନ ଏଇତି ପାଇଁ ଉଠାଉଛୁ ଯେ ଆମ ପାଖରେ ଏଭଳି ଅନେକ ଅଭାବନୀୟ ଅପରିଣାମଦର୍ଶି ଉଦାହରଣୀୟ ଘଟଣାର ଇତିହାସ ଅଛି ଏବଂ ବ୍ୟକ୍ତିଗତ ଭାବେ ଆମେ କ୍ଷତାକ୍ତ ହୋଇଛୁ । ସେଥି ମଧ୍ୟରୁ ଏଇ ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀରାଙ୍ଗନା ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ସମ୍ପର୍କିତ ଏକ ଉଦାହରଣ ଦେଉଛୁ, ଯାହାର ସାକ୍ଷୀ ଅନେକ ଉକ୍ତ ମୁଖପୁସ୍ତକ ରେ ସଂଯୁକ୍ତ ଅଛନ୍ତି, ସିଏ ଇଂ ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ସତ୍ୟବାଦୀ ବଳିୟାର ସିଂହ ( ମହାନ୍ ସାରସ୍ଵତ ସାଧକ ତଥା ଐତିହାସିକ), କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ ( କଳିଙ୍ଗ ପାଇକ ସଙ୍ଗଠନ ର ଅନ୍ୟତମ ପ୍ରତିଷ୍ଠାତା), ଯୁବ ସାମ୍ବାଦିକ ସମରେନ୍ଦ୍ର ବଳିୟାର ସିଂହ ଅବା ବିଜେପି ଦଳର କୃଷକ ନେତା ସୁରଥ ବିଶ୍ବାଳ ହୁଅନ୍ତୁ ।
ଏହି ସମୟରେ ଆମ ଆଖିରେ ପଡ଼ିଲା ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ ” ଉତ୍କଳ ଗାଉଁଲି ଗୀତ” , ଏହାକୁ ପଢ଼ିବା ପରେ ତନ୍ମଧ୍ୟରୁ ସୂତ୍ର ପାଇ ସ୍ବର୍ଗତ କହ୍ନେଇ ଚମ୍ପତିରାୟ ଙ୍କ ” ପାଇକ ଖେଦା” ପଢିଲୁ । ସେଥିରେ ” ପାଇକ ଅଭିନନ୍ଦନ”, ” ପାଇକ ଦଣ୍ଡୁଆଳି”, ପାଇକ କୁହାଟ “, ” ହତିଆର ଜନ୍ମକଥା”, ” ନଳି ଜନ୍ମକଥା”, ” ଖଣ୍ଡା ରହସ୍ୟ”, ପାଇକ ପଟୁଆର”,” ପାଇକ ବେଶ”,” ପାଇକ ଓଗାଳ ଓ ଫିଟାଣ” , ଆଦି ପଢ଼ିବା ପରେ ଦୃଢ଼ ନିଶ୍ଚିତ ହେଲୁ ଯେ ” ଓଡ଼ିଶା ର ସଠିକ୍ ଇତିହାସ ” ଏଯାବତ୍ ଲେଖା ଯାଇନାହିଁ । ଏହା ମଧ୍ୟ ମନରେ ଆସିଲା ଯେ ଯେହେତୁ ଓଡ଼ିଶାର ଇତିହାସ ଓଡ଼ିଆ ଲେଖି ନାହାନ୍ତି, ଇଂରେଜୀ ଐତିହାସିକ, ଯେଉଁ ମାନେ ଓଡ଼ିଆ ଵିଦ୍ବେଷୀ ଲେଖିଛନ୍ତି ସେହେତୁ ଏଭଳି ହୋଇଛି । କାରଣ ବିଜେତା ଯେବେ ପରାଜିତ ର ଇତିହାସ ଲେଖିବ, ସିଏ ନିଶ୍ଚିତ ଭାବରେ ନିଜକୁ ମହିମା ମଣ୍ଡିତ କରିବ ଓ ପରାଜିତ କୁ ମସୀଲିପ୍ତ କରିବ । ଅତଏବ ବ୍ରିଟିଶ ଶାସକଙ୍କୁ ସହଯୋଗ କରିବା ପାଇଁ ସେମାନେ ୧୭୫୭, ଜୁନ ୨୨ ତାରିଖ ଦିନ ୧୨ ଟା ସମୟରେ ବିନା ଯୁଦ୍ଧ ରେ ମାତ୍ର ୩୫୦ ଇଷ୍ଟ ଇଣ୍ଡିଆ କମ୍ପାନୀ ସୈନ୍ୟଙ୍କ ନିକଟରେ ପଲାସି ଯୁଦ୍ଧ ରେ ଆତ୍ମ ସମର୍ପଣ କରିଥିବା ବଙ୍ଗଳା ର କେତେକ ବିଶ୍ଵସ୍ତ କର୍ମଚାରୀ ଙ୍କୁ ଆଣି ଓଡ଼ିଶାକୁ ଶାସନ କଲେ ।
ଅତଏବ ଆମେ ଦୃଢ଼ ନିଶ୍ଚିତ ହେଲୁ ଯେ ୧୮୫୭ ର କେତେକ ବେତନ ଭୋଗି ଆରକ୍ଷୀ କର୍ମଚାରୀ ମାନଙ୍କ ବିଦ୍ରୋହ ” ସିପାହୀ ବିଦ୍ରୋହ” କୈାଣସି ସମୟରେ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ନୁହେଁ, ଏହାର ୪୦ ବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହୋଇଥିବା ପାଇକ ଆନ୍ଦୋଳନ , ଯାହାକୁ ଇତିହାସ “ପାଇକ ବିଦ୍ରୋହ” ନାମରେ ନାମିତ କରିଛି ( କରିବା ମଧ୍ୟ ସ୍ବାଭାବିକ, ଯେହେତୁ ବ୍ରିଟିଶ ଐତିହାସିକ ଲେଖିଛନ୍ତି , ଯେପରି ଇଂରେଜ ମାନଙ୍କ ଭାଷାରେ ଭଗତ ସିଂହ ଜଣେ ଆତଙ୍କବାଦୀ, ଆମ ଭାରତୀୟ ମାନଙ୍କ ଭାଷାରେ ଶହୀଦ ଭଗତ୍ ସିଂ) , ସେହି ଆନ୍ଦୋଳନ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏ ସମ୍ପର୍କରେ ଆମେ ଏକ ଆଲେଖ୍ୟ ପ୍ରଗତିବାଦୀ ରେ ପ୍ରକାଶିତ କରାଇଥିଲୁ । ଏହି ସମୟରେ ଆଦିମାତା କଲୋନୀ ର ଏକ ବିଦ୍ୟାଳୟ ବାର୍ଷିକ ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମ ସି ଏଲ) ର ଜଣେ ବରିଷ୍ଠ ପଦାଧିକାରୀ ,ଯିଏ ସେତେବେଳେ ଜଣେ ଜନାଦୃତ ପରିବେଶବିତ୍ ତଥା ରକ୍ତଦାନ, ବୃକ୍ଷରୋପଣ ଅଭିଯାନ ର ସମର୍ପିତ କାଣ୍ଡାରୀ ଥିଲେ, ସେହି ଭଦ୍ରବ୍ୟକ୍ତି ଇଂ ଶିଶିର ନାୟକ ଙ୍କ ସହିତ ସମ୍ପର୍କ ରେ ଆସିଲୁ । ସେ ଆମର ଆଲେଖ୍ୟ ପଢି କହିଲେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅଧୁନା ୯୯ ବର୍ଷରେ ପଦାର୍ପଣ କରିଥିବା ଏବଂ ଆଗାମୀ ନଭେମ୍ବର ୨୭ ତାରିଖ ରେ ଶତାୟୁ ପୁରୁଷ ହେବାକୁ ଯାଉଥିବା ବରେଣ୍ୟ ହଟ୍ଟନାଥ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ” କଳିଙ୍ଗ ପାଇକ ସଙ୍ଗଠନ” ଗଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ସତ୍ୟବାଦୀ ବଳିୟାର ସିଂହ, ମୋହନ ସୁନ୍ଦର ଦଳସିଂହ ରାୟ, ପ୍ରଫୁଲ୍ଲ ବାହୁଵଳେନ୍ଦ୍ର ,ସୁରଥ ବିଶ୍ବାଳ , ଅମରେନ୍ଦ୍ର ମହାପାତ୍ର, ଭୀମସେନ ପ୍ରଧାନ, ସଂଗ୍ରାମ ଜଗଦ୍ଦେବ ପ୍ରମୁଖ ଏଥିରେ ସମ୍ପୃକ୍ତ । ୨୦୧୪ ରେ କେନ୍ଦ୍ର ରେ ମୋଦି ଙ୍କ ସରକାର ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ମନ୍ତ୍ରୀ ହେବାପରେ ଆମେ ତାଙ୍କୁ ଆମେ ପଢୁଥିବା ଗୋପୀନାଥ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କରିଥିଲୁ ପୁରାତନ ଛାତ୍ର ସଂଘ ର ସଭାପତି ଭାବରେ । ସେ ଆମ ନିମନ୍ତ୍ରଣ ରକ୍ଷା କରି ଆସିଥିବା ସମୟରେ ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହେବାପରେ ସେ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇ ଆଵେଗପୂର୍ଣ୍ଣ ଭାବରେ ଆମଠାରୁ ସମସ୍ତ ପ୍ରକାର ପ୍ରାମାଣିକ ତଥ୍ୟ ମାଗିଲେ । ସମସ୍ତ ପ୍ରାମାଣିକ ତଥ୍ୟ ଶିଶିର ନାୟକ ଯୋଗାଡ଼ କରି ହଟନାଥ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ସହିତ ଆଲୋଚନା କରିଥିଲେ । ସେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଙ୍କୁ ଏକ ଲମ୍ବା ଚିଠି ଲେଖିବା ସହିତ ଏକ ପ୍ରାମାଣିକ ଚିତ୍ର ସନ୍ନିବେଶିତ ସୁଦୃଶ୍ୟ ପୁସ୍ତକ ପ୍ରକାଶ କରାଇ ସମସ୍ତ ଙ୍କୁ ଦେଲେ । ପ୍ରଧାନମନ୍ତ୍ରୀ ଙ୍କ ଓଡ଼ିଶା ଗସ୍ତ ତାରିଖ ଯେତେବେଳେ ପ୍ରକାଶ ପାଇଲା , ସେତେବେଳେ ଶିଶିର ବାବୁ ଓ ବନ୍ଧୁ ଦଳସିଂହ ରାୟ ଆମକୁ କହିଲେ ଯେ ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଲେ କେମିତି ହୁଅନ୍ତା ? ଆମେ ଦୂରଭାଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଏହା ଜଣାଇବା ପରେ ସେ କହିଲେ ବଢ଼ିଆ କଥା, ଆପଣ ଆଗରୁ କାହିଁକି କହିଲେ ନାହିଁ । ଅପେକ୍ଷା କରନ୍ତୁ , ମୁଁ କଥା ହୋଇ ଖବର ଦେବି । ଠିକ୍ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ପୂର୍ବ ଦିନ ଫୋନ କରି କହିଲେ ଯେ ଦାବି ପତ୍ର କ’ଣ, ଆପଣ ୧୨ ଘଣ୍ଟା ଭିତରେ ପାଇକ ଆନ୍ଦୋଳନ ର ବୀର ମାନଙ୍କ ବଂଶଧର ମାନଙ୍କୁ ଭୁବନେଶ୍ୱର ଆଣାଇପାରିଵେ , ପ୍ରଧାନମନ୍ତ୍ରୀ ସେମାନଙ୍କୁ ଓଡ଼ିଶା ରାଜଭବନ ରେ ସମ୍ବର୍ଦ୍ଧିତ କରିବେ । ବୁଝି ମୋତେ ଶୀଘ୍ର କୁହନ୍ତୁ , କାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ ହେଉଛି ? ଏ ଅସମ୍ଭବ କଥା କେମିତି ସମ୍ଭବ, ଦୁଇଶହ ଵର୍ଷ ଭିତରେ କେତେ ପିଢ଼ି ଗଲେଣି, ଅସଲ ଦାୟାଦ ଆମେ କେମିତି ଜାଣିବା ? ଶିଶିର ନାୟକ କହିଲେ ଆପଣ ହଁ କରନ୍ତୁ, ଦାୟିତ୍ଵ ମୋର । ଦାୟାଦ ମାନଙ୍କୁ ନୁହେଁ, ସେମାନଙ୍କ ମାଧ୍ୟମରେ ଵୀର ପାଇକ ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ର ସମ୍ମାନ ଦେବ, ଏଭଳି ସୁଯୋଗ ହାତଛଡ଼ା କରିବା ଅନୁଚିତ୍ । ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ,ପିଣ୍ଡିକୀ ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ,ତାପଙ୍ଗ ଗଡର ଦଳବେହେରା, ଦୀନବନ୍ଧୁ ସାମନ୍ତରାୟ ,ଦୀନା ଓ ଲୋଚନ କନ୍ଧଙ୍କ ଠାରୁ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କ ଦାୟାଦ ମାନଙ୍କୁ ଖବର ଦିଆଗଲା ଓ ଯୁଦ୍ଧ କାଳୀନ ଭିତ୍ତିରେ ଆୟୋଜନ କରାଗଲା । ଠିକ୍ ତା ପରଦିନ ସକାଳ ୯ ଟା ସମୟରେ ପ୍ରଧାନମନ୍ତ୍ରୀ ବୀର ପାଇକ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ଏହି ସଂଗ୍ରାମକୁ ଭାରତ ର ପ୍ରଥମ ମୁକ୍ତି ଆନ୍ଦୋଳନ ର ମାନ୍ୟତା ଦାବିରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କଲେ । ଏହାକୁ ପ୍ରଶଂସା କରିବା ବଦଳରେ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଙ୍କ ନାତିକୁ ଅପହରଣ କରାଇ ପ୍ରଚାର କରାଗଲା ” ବାବୁଲା ହଜିଗଲା ” । ଏବେ ଯେମିତି କରୋନା ଠାରୁ ବେରୋଜଗାରୀ, ମଧ୍ୟବିତ୍ତ ପରିବାରର ଅକଥନୀୟ ନିର୍ଯାତନା ଆଦି ସମ୍ପର୍କରେ ଆଲୋଚନା ନହୋଇ ଆଦିତ୍ୟ ହତ୍ୟା, ସୁଶାନ୍ତ ସିଂ ଆତ୍ମହତ୍ୟା, ବଚନ ପରିବାର କୁ କରୋନା ସମ୍ପର୍କରେ ଆଲୋଚନା ହେଉଛି, ଠିକ୍ ସେହିପରି ହେଲା ଓ ଆମକୁ ତୈଳ ଅର୍ଥ ହିତାଧିକାରୀ ତ କିଏ ଗେରୁଆ ହୋଇଗଲା ବୋଲି କଟୁ ଆକ୍ଷେପ କଲେ । ବାବୁଲା ମିଳିଲା, ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଅସଲ ଚେହେରା ସମସ୍ତେ ଦେଖିଲେ, ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳର ଶେଷ ସଭାରେ, ନୁଆ ଦିଲ୍ଲୀ ର ବିଜ୍ଞାନ ଭବନ ରେ ବଜ୍ର ନିନାଦିତ ସ୍ଵର ରେ ଘୋଷଣା କଲେ ଯେ ଓଡ଼ିଶା ରେ ୧୮୧୭ ମସିହାରେ ହୋଇଥିବା ” ପାଇକ ଆନ୍ଦୋଳନ” ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଏହା ପରେ କେନ୍ଦ୍ରୀୟ ଶିକ୍ଷା ପାଠ୍ୟକ୍ରମ ରେ ପରିବର୍ତ୍ତନ, ସମୁଦାୟ ୨୦୦ କୋଟି ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା, ଡ଼ାକ ଟିକଟ ଉନ୍ମୋଚିତ, ସାମରିକ କଳା ସଂସ୍କୃତି ପ୍ରତିଷ୍ଠାନ , ରାଷ୍ଟ୍ରପତିଙ୍କ ଦ୍ଵାରା ଭୂମିପୂଜନ , ଏସମସ୍ତ ର ଶ୍ରେୟାଧିକାରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସତ୍ୟ ପ୍ରକାଶ କରିବାରୁ ଆମକୁ ଲୋକେ ଗେରୁଆ ବିଶେଷଣ ରେ ବିଭୂଷିତ କଲେ । ଗୋଟିଏ ରୋଗ ଏବେ ଗ୍ରାସ କରିଛି , କାହାର ଭଲକୁ ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ଗଳାକୁ ଚିପି ଦେଉଛି, ମାତ୍ର କାହାର ନିନ୍ଦା କଲାବେଳେ ସେହି ଅଦୃଶ୍ୟ ଶକ୍ତି ଗଳା ମେଲା କରି ଦେଉଛି । ପ୍ରଶଂସା କାତର,ନିନ୍ଦା ପ୍ରଵର ରୋଗରେ ରୋଗାକ୍ରାନ୍ତ ମାନେ ଆମକୁ ଯେତେ ଗାଳିଗୁଲଜ କଲେ, ଯେତେ ଅପପ୍ରଚାର କଲେ ମଧ୍ୟ ଆମର ଅଭିଯାନ ଓ ସଂଘର୍ଷ ର ପଥରୋଧ କରିପାରିନାହାନ୍ତି କି କରିପାରିବେ ନାହିଁ । ଏବେ ତ ଦୁଇବର୍ଷ ଧରି ଜଣେ ଚରଣିଆ ଅହଙ୍କାରୀ ଆମକୁ ମୁଖ ପୁସ୍ତକ ରେ ମିଥ୍ୟାରୋପ କରି ଗାଳି ବର୍ଷଣ କରିଆସୁଛି ଏବଂ ନିଜେ ନିଜର ଅଭିଯୋଗ କୁ ପ୍ରତ୍ୟାହାର କରୁଛି ।
ଅତଏବ ଆମେ ଯଦି ଏହି ଐତିହାସିକ ପାଇକ ଆନ୍ଦୋଳନର ଗର୍ଭାନୁଶୀଳନ କରିବା ତେବେ ମୂଳ ଶ୍ରେୟ ନିଶ୍ଚିତ ଗଞ୍ଜାମ କୁ ଯିବ । ଛପା ଇତିହାସ ର ଏକ ଅଛପା ସତ୍ୟ ଏଠାରେ ଉପସ୍ଥାପିତ ପ୍ରାମାଣିକ ଦଲିଲ୍ ସହ । ଜମିଜମା ଖତିଆନ ରେ ଭୀମପୁର ଦଳବେହେରା ପାଇଥିବା ଆଠ ବାଟି ଦଶମାଣ ଅର୍ଥାତ୍ ୭୬ ଏକର ଅନୁଗୃହୀତ ଜାଗିରିର ଇତିହାସ କୁ ଅନୁଧ୍ୟାନ କଲେ ହିଁ ଛପା ଇତିହାସ ର ଚଞ୍ଚକତା ଧରାପଡିଯିବ । ୧୮୧୭ ମସିହା, ମାର୍ଚ୍ଚ ମାସ ୨୯ ତାରିଖ ରେ ଭଞ୍ଜଭୂମି ଘୁମୁସର ରୁ ଇଂରେଜ ବିରୋଧରେ ଯୁଦ୍ଧ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ଠାରେ ପହଞ୍ଚିଥିଲେ । ଏମାନଙ୍କ ସହିତ ଯୁଦ୍ଧରେ ହାରି ଫିରିଙ୍ଗି ବାହିନୀ ଛତ୍ରଭଙ୍ଗ ଦେଇଥିଲେ । ଘଣ୍ଟଶିଳା ଗିରି ଶିଖରରେ ବାଜି ଉଠିଲା ଘଣ୍ଟା । ହଜାର ହଜାର ପାଇକ ସେନା ଯୋଗଦେଲେ, ଛତ୍ରଭଙ୍ଗ ଫିରିଙ୍ଗି ସେନାକୁ ବିତାଡିତ କରି ଦିନା କନ୍ଧ ଓ ଲୋଚନ କନ୍ଧ ଙ୍କ ନେତୃତ୍ବରେ ଆଦିବାସୀ ବାହିନୀ ବାଣପୁର ରେ ପହଞ୍ଚିଲେ ଏବଂ ଏହା ଦେଖି ପାଇକ ବୀର କୃତିବାସ ପାଟ୍ଟଶାଣୀ ଙ୍କ ମନୋବଳ ବୃଦ୍ଧି ପାଇଲା । ବାଣପୁର ପଲଟଣ ପଡ଼ିଆରେ କୃତିବାସ ଙ୍କ ନେତୃତ୍ବରେ ପାଇକ ସେନା ସହିତ ଶହୀଦ ଦିନା ଓ ଲୋଚନ କନ୍ଧଙ୍କ ସେନାର ମିଳିତ ଦୃଶ୍ୟ ଦେଖି ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପୂର୍ବରୁ ସେନା ଛାଉଣୀ ଉପରେ ଅତର୍କିତ ଆକ୍ରମଣ କରିଦେଲେ ମିଳିତ ବାହିନୀ । ତିନି ଶହରୁ ଉର୍ଦ୍ଧ୍ବ ଗୋରା ଫଉଜ ଏଥିରେ ନିହତ ହୋଇଥିଲେ ଏବଂ ଅସ୍ତ୍ରାଗାର ଖଜଣାଖାନା କୁ ଦଖଲକୁ ନେଲେ । ଫିରିଙ୍ଗି ସେନା ଛତ୍ରଭଙ୍ଗ ଦେବା ପରେ ବାଣପୁର ସ୍ବାଧୀନ ଘୋଷଣା କରି ପଞ୍ଚୁ ନାୟକ କୁ ରାଜା ଘୋଷଣା କରି ଚିଲିକା କୂଳ ଆଡେ ମାଡ଼ି ଚାଲିଲେ, ଛତ୍ରଭଙ୍ଗ ଦେଲେ ଫିରିଙ୍ଗି ସେନା, ଏହା ପରେ ସେନା ମାଡିଚାଲିଲା ଖୋର୍ଦ୍ଧା ଅଭିମୁଖେ । ଏପଟେ ବକ୍ସି ଜଗବନ୍ଧୁ ଙ୍କ ନେତୃତ୍ବରେ ପାଇକ ସେନା ଏହି ଅଭିଯାନ ରେ ଯୋଗଦେଲେ । ଇଂରେଜ ହଟାଅ ଅଭିଯାନ ଟି ପାଇକ ସଂଗ୍ରାମ ରେ ପରିଣତ ହେଲା । ଖବର ପାଇ ଖୋର୍ଦ୍ଧା ରୁ ଫିରିଙ୍ଗି ସେନା ଭୟରେ ଛତ୍ରଭଙ୍ଗ ଦେଇ ଖୋର୍ଦ୍ଧା ରୁ ପଳାଇଗଲେ । ପାଇକ ବୀର ମାନେ ଖୋର୍ଦ୍ଧା ର ସମସ୍ତ ଫିରିଙ୍ଗି ସରକାରୀ କୋଠାବାଡ଼ି ଧ୍ବଂସ କରିଦେଲେ , ରାଜ କର୍ମଚାରୀ ମାନେ କାର୍ଯ୍ୟାଳୟ ଛାଡ଼ି ଲୁଚିଲେ । ଚରମ ବିଶ୍ବାସଘାତକ ଚରଣ ପଟ୍ଟନାୟକ କୁ ପାଇକ ବୀର ଗୋପାଳ ଛୋଟରାୟ ହତ୍ୟା କଲେ । ସଂଗ୍ରାମ ପ୍ରବଳ ଆକାର ଧାରଣ କଲା । ୫ ହଜାର ରୁ ଉର୍ଦ୍ଧ୍ବ ବୋଲି ଐତିହାସିକ ରାଖଲ ଦାସ ବାନାର୍ଜୀ ଯାହା ଲେଖିଛନ୍ତି, ତାହା ଭୁଲ୍, ଏଥିରେ ୨୦ ହଜାର ପାଇକ ସେନା ଖୋର୍ଦ୍ଧା ଦଖଲ କରି ସାରି ପୁରୀ ଅଭିମୁଖେ ଅଭିଯାନ ଆରମ୍ଭ କଲେ । ବାଟରେ ସେମାନଙ୍କୁ ଗଙ୍ଗପଡା ଠାରେ ଫିରିଙ୍ଗି ଲେପ୍ଟନାଣ୍ଟ ଫାରିସ୍ ଓ ଲେପ୍ଟନାଣ୍ଟ ଫ୍ରିକାସ ଙ୍କ ନେତୃତ୍ବରେ ଦୁଇ ପଟୁ ବ୍ରିଟିଶ ସୈନିକ ଯୁଦ୍ଧ କରି ପରାସ୍ତ ହୋଇ ଛତ୍ରଭଙ୍ଗ ଦେଲେ, ଲେପ୍ଟନାଣ୍ଟ ଫାରିସଙ୍କୁ ପିଣ୍ଡିକି ବାହୁବଳେନ୍ଦ୍ର ସମ୍ମୁଖ ଯୁଦ୍ଧ ରେ ବନ୍ଧୁକ ବନାମ ତଲଵାର ଯୁଦ୍ଧ ରେ ହତ୍ୟା କଲେ । ପାଇକ ବାହିନୀ ସେଠାରୁ ତାପଙ୍ଗ ଦେଇ କଣାସ ରେ ପହଞ୍ଚିଥିଲେ ଏବଂ ଦୟାନଦୀ କୂଳରେ ଦୋକନ୍ଦା ମେଳଣ ପଡିଆ ଠାରେ ଅପେକ୍ଷାରତ କଣାସ ଅଞ୍ଚଳ ର ପାଇକମାନେ ଯୋଗଦେବା ପରେ ଏହା ଏକ ବିଶାଳ ପାଇକ ସେନା ରେ ପରିଣତ ହୋଇଥିଲା । ବକ୍ସି ଘୋଡ଼ା ଉପରେ ଠିଆ ହୋଇ ପାଇକମାନଙ୍କୁ ସମ୍ବୋଧିତ କରି ଓଡ଼ିଶାର ବିଭିନ୍ନ ରାଜା, ଜମିଦାର ମାନଙ୍କୁ ଇଂରେଜ ହଟାଓ ଅଭିଯାନ ରେ ଯୋଗ ଦେବାକୁ ନିବେଦନ କଲେ ଏବଂ କଣାସ ଶିବିର ରୁ ବିଭିନ୍ନ ରାଜାଙ୍କ ପାଖକୁ ଦୂତ ପଠାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର କୈାଣସି ସ୍ଥାନରେ ଅବା ଇତିହାସ ର କେଉଁଠି ଲେଖା ଯାଇନାହିଁ, ଯାହା ବ୍ରିଟେନ ର ସବୁଠାରୁ ପୁରୁଣା ପୋର୍ଟ ଗ୍ରୀନ ଉଇଚ ପୋର୍ଟ ର ଗ୍ରୀନ ଉଇଚ ପୋର୍ଟ ମ୍ୟୁଜିୟମ ରେ ଏକ ସୁଦୃଶ୍ୟ ଫଳକ ରେ ଲେଖାଯାଇଛି ଯେ ଭାରତର ପୂର୍ବ ପ୍ରାନ୍ତରେ ହୋଇଥିବା ” ପାଇକ ବିଦ୍ରୋହ କୁ ଦମନ କରାଯାଇନଥିଲେ, ପାଇକମାନଙ୍କ ଦାନ୍ତ ଭାଙ୍ଗିଦିଆଯାଇନଥିଲେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ କରିବା ସମ୍ଭବ ହୋଇନଥାନ୍ତା । ଏପରିକି ସେତେବେଳେ ଫିରିଙ୍ଗି ସେନା ର ନେତୃତ୍ବ ନେଇଥିବା ଓଲ୍ଡଫୟାର ଏହା ସ୍ବୀକାର ପୂର୍ବକ ଫଳକ ସେଠାରେ ସ୍ଥାନ ପାଇଛି । ଫଟୋ ଉଠାଇବା ସେଠାରେ ମନା ଥିବାରୁ ମୋହନ ସୁନ୍ଦର ଦଳସିଂହ ରାୟ ଯାହା ଲେଖା ଯାଇଛି, ତାକୁ ଟିପି ଆଣି ଆମକୁ ଦେଇଛନ୍ତି । ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ସଂଗ୍ରହ ହୋଇଛି , ଏପରିକି ଏଭଳି ତଥ୍ୟ ଆମର ହସ୍ତଗତ ହୋଇଛି, ତାହାର ପ୍ରାମାଣିକ ତଥ୍ୟ ଏଠାରେ ଉପସ୍ଥାପନ କଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ଆପଣ ଙ୍କ ଲୋମ ଟାଙ୍କୁରି ଉଠିବ , ବିଶ୍ବ ଇତିହାସ ପରିବର୍ତ୍ତନ ହେବାକୁ ବାଧ୍ୟ ହେବ । ଆମେ ନିଜେ ଏକ ଭୟଙ୍କର ତୃଟି କରିଛୁ । ଆମର ଇଂରାଜୀ ଭାଷାରେ ଏତେ ଗଭୀରତା ନଥିବାରୁ ଅତି ସତର୍କତାର ସହିତ ଜଣେ ଇଂରାଜୀ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ପ୍ରଶାସକଙ୍କୁ ଓଡ଼ିଆରେ ଅନୁବାଦ କରିବାକୁ ଦେଇଥିଲୁ, ତିନି ମାସ ପରେ ଆଜି ଯେତେବେଳେ ପଚାରିଲୁ, ସେ ମହାଶୟ କହିଲେ, ମୁଁ କୋଉଠି ରଖି ଦେଇଛି, ପାଉନାହିଁ । ଖୋଜୁଛି, ମିଳିଲେ ଆପଣଙ୍କୁ ଦେଇଆସିବି । ଏକ ଭୟଙ୍କର ବିଶ୍ବାସଘାତକତା ର ଆମେ ଶିକାର ହେଲୁ ।
ଉଲ୍ଲେଖ କରୁଛୁ ଯେ ଅନେକ ମାଟି ପ୍ରାଣ, ଇତିହାସ ପ୍ରାଣଙ୍କ ପରାମର୍ଶ କୁ ଆଦେଶ ଭାବେ ଗ୍ରହଣ କରି ଆଜି ଠାରୁ କ୍ରମାଗତ ଭାବେ ଲେଖା ପ୍ରକାଶ ପାଇବ ।
(ସୌଜନ୍ୟ: ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ)