ନୂଆ ଗପ : ‘ସପ୍ତପୁରୀ ଅମାବାସ୍ୟା ଓ ସାତରଙ୍ଗିଆ ହସ’
ସପ୍ତପୁରୀ ଅମାବାସ୍ୟା ଓ ସାତରଙ୍ଗିଆ ହସ
★★★★★★★★★★★★★★★
ଅରବିନ୍ଦ ଦାସ
ହାତରେ ଓଡ଼ିଆ କ୍ୟାଲେଣ୍ଡର ଟା ଧରି ଦେଖୁ ଦେଖୁ ପ୍ରକାଶ ପାଟିରୁ ବାହାରି ପଡିଲା,
- ଆରେ ,ଆଜି ସାତପୁରୀଅମାବାସ୍ୟା !
ପିଲାବେଳେ ଜେଜେମା କରୁଥିଲା ସାତପୁରୀ।”
ଚିତ୍ରା ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା, - ସାତ ଟା ପୁରୀ ଭୋଗ ହୁଏ ନା କଣ ?ମୁଁ ଜାଣିନି ଏ ପୂଜା ବିଷୟରେ।ବୋଉ ଆପଣ କରୁଥିଲେ ?”
ପାନ ଚୋବାଉ ଚୋବାଉ ସୁଲତା କହିଲେ, - ସପ୍ତପୁରୀ ଅମାବାସ୍ୟା ବା ସାତପୁରୀ ଅମେଇଷାରେ ,ପୁରୀ ଜଗନ୍ନାଥଙ୍କ ମନ୍ଦିରରେ ପୁରଦିଆ ସାତପରସ୍ତିଆ ପୁରୀ ଭୋଗ ହୁଏ।ଆଲାମଚଣ୍ଡୀଙ୍କ ମନ୍ଦିରରୁ ଆସେ ଏଇ ସାତପୁରୀ ତାଟ।ମୋ ବୋଉ କରୁଥିଲା,ଆମେ ବି ବୋହୁ ବେଳେ କରୁଥିଲୁ।କିଏ ଖାଲି ଛେନା ନଡ଼ିଆ ପୁର ଦିଏ ତ କିଏ ବିଭିନ୍ନ ପରସ୍ତ ପାଇଁ ମିଠା ସୁଜି ପୁର,ବୁନ୍ଦିଆ ପୁର ବି ଦିଅନ୍ତି।ଗୋଟେ ବଡ଼ ମଇଦା ଚକଟା ପୁରୀ ଉପରେ ପୁର ରଖି ତା ଉପରେ ଟିକେ ଛୋଟ ପୁରି ରଖି ପୁର ଦେବେ;ପୁଣି ଆଉ ଗୋଟେ ପୁରି ଓ ତା ଉପରେ ଆଉ ପରସ୍ତେ ପୁର, ଏମିତି କରି ଭିତରେ ପାଞ୍ଚଟା ପୁରି ସବା ଉପରେ ଗୋଟେ ବଡ ପୁରି ଘୋଡାଇ ଚାରି କଡରେ ଟିକେ ପାଣି ହାତ ମାରି କରଞ୍ଜି ପିଠା ଭଳି ଚାରି କଡ ମୋଡି,ଧିମା ଆଞ୍ଚରେ ସେ ପେଟୁଆ ପୁରୀ ଛଣା ହୁଏ।ଟିକେ ନିକମା କାମ,ହେଲେ ଗୋଟେ ବିଧି।ଏଇ ଦିନ ଝିଅ ମାନେ ବି ସଙ୍ଗାତ ବସିବା ଭଳି,ସାତପୁରୀ ବସୁଥିଲେ।”
ସୁଲତା ପୁଣି କହିଲେ, - ପଶ୍ଚିମ ଓଡ଼ିଶାରେ ବି ନିଆରା ଢଙ୍ଗରେ ପାଳନ ହୁଏ ପୁରା ଉଆଁସ ବା ସାତପୁରୀ ଅମାବାସ୍ୟା।ଛୋଟ ଛୋଟ ପୁଅ ଝିଅଙ୍କ ଭାରି ପ୍ରିୟ ଏଇ ଦିନଟି।ସେମାନେ ଖୋଳୁଥିବା
ମାଟିତିଆରି ଛୋଟ ଛୋଟ କୁଣ୍ଡି,କାଞ୍ଚି,ଗିନା,ମାଣ,ପନିକି,ଗରିଆ, ଘୋଡ଼ା ଓ କାଠର ଘୋଡ଼ା ହାତୀ ସହ ଏଇ ଦିନ ପାଇଁ ବିକ୍ରି ହୁଏ।ତା ସହ ଚଣା,ଲିଆ,ବାଦାମ,ବୁଟ,ରାଶି ଲଡୁ ଇତ୍ୟାଦି ବାର ପ୍ରକାର ଖାଦ୍ୟ ଜିନିଷ ବି ବିକ୍ରି ହୁଏ।ଝିଅମାନେ ରୋଷେଇ ସାମଗ୍ରୀ ଖେଳି ଘର କରଣା ଶିଖୁଥିଲେ ଓ ପୁଅମାନେ ହାତୀ ଘୋଡ଼ା ଧରି ଖେଳି ଯୁଦ୍ଧକୁ ଯିବା ର ଟ୍ରେନିଂ।ଆମେ ବି ବାଲି,ନଡ଼ିଆ ସଢେଇ ରେ ବୋହୁ ବୋହୁକା ଖେଳ ଖେଳୁଥିଲୁ।
କୁଆଡେ ଗଲା ସେସବୁ ଦିନ। ଆଜିକାଲି ତ ପିଲେ ଭିଡିଓ ଗେମ,ମୋବାଇଲ ଧରି ବସୁଛନ୍ତି।”
ଟିକିଏ ରହି ସୁଲତା ପୁଣି କହିଲେ, - ହଁ ଏଇଦିନକୁ ସମ୍ବଲପୁର ଆଡ଼େ ଲଙ୍କାପୋଡ଼ି ଅମାବାସ୍ୟା ବୋଲି ପାଳନ କରନ୍ତି।ହନୁମାନ କାଳେ ଏଇଦିନ ଲଙ୍କା ପୋଡ଼ି କରିଥିଲେ ବୋଲି ଲୋକଙ୍କ ବିଶ୍ୱାସ।ସେଥିପାଇଁ ମାଟି ତିଆରି ମାଙ୍କଡ ଓ ହାତୀ ଘୋଡ଼ାଙ୍କ ଲାଞ୍ଜରେ ନିଆଁ ଲଗାଇ ସହରର ଗୋଟାଏ ଜାଗାରେ ସବୁକୁ ପୋଡ଼ା ଯାଏ।ଘରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ହୁଏ।ଏହା ଦ୍ବାରା କୁମ୍ଭାର, ବଢେଇ ମାନଙ୍କର ଭଲ ଦୁଇ ପଇସା ରୋଜଗାର ହୁଏ।ପରମ୍ପରା,ସଂସ୍କୃତି ସହ ରୋଜଗାର ର ସମନ୍ଵୟ।
ପ୍ରକାଶ କହିଲା, - ଆଜି ଆମର ରାତିରେ ସାତପୁରୀ କରୁନ ?ୟୁ ଟ୍ୟୁବ,ଇଣ୍ଟରନେଟରେ ଏ ପିଠା ତିଆରି ଆରାମରେ ଶିଖି ପାରିବ।”
ଟିକେ ବିରକ୍ତ ହୋଇ ଘର ଭିତରକୁ ଚାଲିଗଲା ଚିତ୍ରା।ଟ୍ରାନ୍ସଫର ହୋଇ ଏଇ ନୂଆ ଜାଗାକୁ ଦୁଇ ଦିନ ହେଲା ଆସିଛନ୍ତି।ଘରଦ୍ୱାର ଠିକ କରି ସଜଡ଼ା ହୋଇନି।ଆଉ ବାବୁଙ୍କର ଫରମାଇସି ହୋଇଗଲାଣି ସପ୍ତପୁରୀ।ବଦଳି’ର ନାଁ ଶୁଣିଲେ ଚିଡ଼େ ଚିତ୍ରା। - ବଦଳି ହୋଇ ନୂଆ ଜାଗାକୁ ଯିବାରେ ଫାଇଦା ବି ଅଛି।
ନୂଆ ଜାଗା,ନୂଆ ମଣିଷ ଙ୍କ ସହ ମିଳାମିଶା ବି ଭିନ୍ନ ଏକ ଅନୁଭୁତି।ଦେଖିବ,ତମକୁ ନୂଆ ନୂଆ ଜିନିଷ ଶିଖିବାକୁ ମିଳିବ।ଜୀବନ, ଜୀବନଚର୍ଯ୍ୟା, ଜୀବନଧାରା ଓ ଆମେ ଭେଟୁଥିବା ନୂଆ ମଣିଷ ମାନେ ହେଉଛନ୍ତି ଇନ୍ଦ୍ରଧନୁ ଭଳି; ବିଭିନ୍ନ ରଙ୍ଗର ସମାହାର।ଆକାଶ ରେ ଦେଖାଯାଉଥିବା ଇନ୍ଦ୍ରଧନୁ ଅପେକ୍ଷା ଏଇ ଇନ୍ଦ୍ରଧନୁ ଆମ ଜୀବନକୁ ଖୁସିରେ ଭରନ୍ତି।”
ବିବାହ ର ଦେଢ଼ ବର୍ଷ ଭିତରେ, ଚାକିରୀରେ ଦ୍ଵିତୀୟ ବଦଳି ଯୋଗୁଁ ଚିତ୍ରା ର ଅଭିଯୋଗ ଶୁଣି ଦାର୍ଶନିକ ଭଳି ପ୍ରକାଶ ଏଇ କଥା ପଦକ କହିଥିଲା। - ସେଇ ଇନ୍ଦ୍ରଧନୁ କୁ ଭାଜିକି ନା ତରକାରୀ କରିବି ?କେଉଁ ଜାଗାରେ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରି ପାରିବନି”।ଚିଡିଯାଇ କହିଥିଲା ଚିତ୍ରା।
ଦ୍ଵିତୀୟ ବଦଳି ପରେ କଲୋନୀ କୁ ନୂଆ ହୋଇ ଆସିବା ପରେ ଚିତ୍ରାକୁ ପ୍ରଥମେ ଟିକେ ଆଖାଡୁଆ ଲାଗିଥିଲା।
ନିୟମିତ ବ୍ୟବଧାନରେ ବଦଳି ହେଉଥିବା କର୍ମଚାରୀ ଙ୍କ ଭଳି ସ୍ଵାମୀ ପ୍ରକାଶଙ୍କ ଚାକିରୀରେ ଏଇଟା ହେଉଛି ସବୁଠୁ ବଡ଼ ବିରକ୍ତିକର ଜିନିଷ।ଧୀରେ ଧୀରେ ଅବଶ୍ୟ ଦେହସୁହା ହୋଇଯିବ।
ନୂଆ ଜାଗା ଓ ନୂଆ ମଣିଷଙ୍କ ସହ ଆଡ଼ଜଷ୍ଟ ହେବାକୁ ଟିକିଏ ସମୟ ଲାଗିବ।
ଜିନିଷ ସଜାଡୁ ସଜାଡୁ ଚିତ୍ରା କହିଲା, - ତମ ବସ ଙ୍କୁ କହି ଆଉ ଟିକେ ଅଧିକ ସମୟ ଏଇଠି ରହିବାକୁ କୁହ।ବୋଉଙ୍କ ଦେହ କଥା ବରଂ କହିବ।”
ହସିଦେଇ ପ୍ରକାଶ କହିଲା, - ଆଜି ସକାଳେ ଚା ପାଇଁ ବସ୍ ଡାକିଛନ୍ତି।ତମେ ନିଜେ କହିଦେବ।”
ପ୍ରକାଶ ସାଙ୍ଗରେ ନିଜ ବୋଉ ଓ ଚିତ୍ରାକୁ ନେଇ ବସ୍ ଙ୍କ ଘରେ ପହଞ୍ଚିଲା।
କାଦମ୍ବିନୀ ମ୍ୟାଡମ ଚିତ୍ରା ଓ ସୁଲତା ଙ୍କୁ ଭିତରକୁ ଡାକି ଗପସପ ଆରମ୍ଭ କରିଦେଲ।କାନ୍ଥ ରେ ଫ୍ୟାମିଲି ଫଟ।ବସଙ୍କ ପରିବାର ସହ ତାଙ୍କ ମାଙ୍କ ଫଟ।
ଚିତ୍ରା ପଚାରିଲା, - ଏ କିଏ ?”
- ମୋ ଶାଶୁ।ଏଇଠି ରୁହନ୍ତି।ଅମାବାସ୍ୟା ବୋଲି,କଲୋନୀ ର ଜଗନ୍ନାଥ ମନ୍ଦିର ଯାଇଛନ୍ତି।ମନ୍ଦିରରେ ଦୁଇ ତିନି ଘଣ୍ଟା ବସନ୍ତି।ଆପଣ ମନ୍ଦିର ଦେଖିଲେଣି ?’
ଚିତ୍ରା କହିଲା, - ଘର ସଜାଡିବାରୁ ଫୁରସତ ମିଳିନି।ସୁବିଧା ହେଲେ ଆଜି ଯିବୁ।ଆଛା,ସାର୍ ଅଫିସ ଓ ପିଲାମାନେ ସ୍କୁଲ ଗଲା ପରେ ଆପଣ କଣ କରନ୍ତି ?ଖାଲି ଅର୍ଥାତ ଫୁରୁସତ ସମୟ କେମିତି କାଟନ୍ତି ?”
- ଫୁରୁସତ୍ ଆଉ କେଉଁଠି ?ଘରକାମ ଓ ମୋ ଶାଶୁଙ୍କ ଫର୍ମାଇସି ପୂରଣ କରୁକରୁ ସମୟ ଯାଏ।ସାରଙ୍କ ଠାରୁ ତାଙ୍କ ମା ଅଧିକ ଖାଇବା ସୌକିଆ।ତେବେ ମୁଁ ଖୁସିରେ କରେ।ଯେତେହେଲେ ବି ଗୁରୁଜନ ମଣିଷ।”
ସୁଲତା ଦୀର୍ଘ ନିଶ୍ଵାସ ଛାଡ଼ି କହିଲେ, - ଭାଗ୍ୟରେ ଥିଲେ ତୁମ ଭଳି ବୋହୂ ମିଳନ୍ତି।ଆଜିକାଲି ବୋହୂ ଗୁଡ଼ାଙ୍କୁ ରୋଷେଇ ଭାରି କଷ୍ଟ।ଆମ ବେଳେ ଛ ତିଅଣ,ନଅ ଭଜା ନକଲେ ଆମ ଶାଶୁ ଖୁଣ୍ଟା ଦେଉଥିଲେ।ପଖାଳ ହେଉ କି ଗରମ,ଥାଳି ଚାରିକଡେ ସଜା ହୋଇ ସବୁ ଜିନିଷ ରହିବ।ଆଜି ଯେମିତି ସାତପୁରୀ ଅମାବାସ୍ୟା।ଏବେ ତ ଖଣ୍ଡେ ପୁର ଦିଆ ପୁରୀ କରିବା କଷ୍ଟ।”
ଚିତ୍ରା ଚଟ୍ କିନା କାଦମ୍ବିନୀଙ୍କୁ କହିଲା, - ଆପଣଙ୍କର ତ ରୋଷେଇଆ ଆସୁଥିବେ।”
କାଦମ୍ବିନୀ କହିଲେ, - ସବୁ ନିଜ ହାତରେ କରେ।ସବୁଦିନ ଶାଶୁଙ୍କ ଭାତ ଥାଳି ପାଖରେ ଛଅ ସାତପ୍ରକାରଭଜା,ତରକାରୀ ରଖେ।ଗତକାଲି ସକାଳେ ଆଳୁ ଭଜା,ଭେଣ୍ଡି ଭଜା,ବାଇଗଣ ଭଜା,ଝୁଡ଼ଙ୍ଗ ଭଜା ସହ ଆଳୁ ମଟରତରକାରୀ,କ୍ୟାପ୍ସିକମ୍ ପନିର୍ ,କୋବି ଟମାଟର ମସଲା କରିଥିଲି।ରାତିରେବି ରୁଟି ସାଙ୍ଗରେ ସାତ ପ୍ରକାର। “
- ସାତ ପ୍ରକାର !ଏତେ ପ୍ରକାର କୁ କରିବାକୁ ସମୟ କେମିତି ପାଉଛନ୍ତି ?
- ସମୟ ବାହାର କରିବାକୁ ପଡେ।କଷ୍ଟ ତ ହୁଏ।ତେବେ ଅଭ୍ୟାସରେ ପଡିଗଲାଣି।ଆଜି ବି ମୋ ଶାଶୁ ନିଶ୍ଚେ ସାତ ପୁରୀ କରିବାକୁ କହିବେ।”
ଘର କୁ ଫେରିଲା ବାଟରେ ସୁଲତାଙ୍କ ପାଟିରେ ଭୂରି ଭୂରି ପ୍ରଶଂସା କାଦମ୍ବିନୀ’ଙ୍କ ର।ଚିତ୍ରା ତାଙ୍କ ପାଖରୁ ଟ୍ରେନିଂ ନେଉ ବୋଲି କେତେଥର କହିସାରିଲେଣି।
ପ୍ରକାଶ ପଚାରିବାରୁ ଚିତ୍ରା କହିଲା, - ତମ ବସ ଙ୍କ ସ୍ତ୍ରୀ ସବୁଦିନ ଇନ୍ଦ୍ରଧନୁ ଭଜା,ତରକାରୀ ମାନେ ସାତ ପ୍ରକାର ଜିନିଷ ତାଙ୍କ ଶାଶୁ ଙ୍କୁ ଦେଉଛନ୍ତି ଶୁଣି ବୋଉ ଚାହୁଁଛନ୍ତି ମୁଁ ବି ସେମିତି କରେ ବୋଲି।”
- ଦେଖିଲ, ମୁଁ କହୁ ନଥିଲି ,ତମକୁ ଇନ୍ଦ୍ରଧନୁ ଅଭିଜ୍ଞତା ମିଳିବ ବୋଲି।ତମେ ରେସିପି ଶିଖି ଯାଉନ ?”
ବାଟରେ ଜଗନ୍ନାଥ ମନ୍ଦିର ପଡିଲା ବୋଲି ଗାଡି ଅଟକାଇ ଭିତରକୁ ଗଲେ ।ଅଫିସ ଡ୍ରାଇଭର ଚିହ୍ନାଇ ଦେଲା ବସ୍ ଙ୍କ ମାଙ୍କୁ। ଭେଟ ହୋଇଗଲା କାଦମ୍ବିନୀମ୍ୟାଡମ ଙ୍କ ଶାଶୁ ଅରୁଣା’ଙ୍କ ସହ।ଚିତ୍ରା ନିଜ ପରିଚୟ ଦେଇ ତାଙ୍କ ଘରକୁ ଯାଇଥିଲା ବୋଲି କହିଲା। ସୁଲତା ନିଜ ଆଡୁ ବହୁତ ପ୍ରଶଂସା କଲେ କାଦମ୍ବିନୀଙ୍କର । - ଗତ ଜନ୍ମରେ ଢେର ପୁଣ୍ୟ କରିଥିଲେ ବୋଲି ଏମିତି ବୋହୁ ପାଇଛନ୍ତି।ଏତିକି ରକମ୍ ଖାଇବା କରୁଛି ଆପଣଙ୍କ ବୋହୂ।ନହେଲେ ଆଜିକା ସମୟରେ ସାତ ଆଠ ପ୍ରକାର କିଏ କରୁଛି ?ମୋ ବୋହୂ କୁ ଟ୍ରେନିଂ ନେବାକୁ ଆପଣଙ୍କ ବୋହୂ ପାଖକୁ ପଠାଇବି।”
ଚିତ୍ରା ମୁଣ୍ଡ ତଳକୁ କରି କହିଲା, - ମାଉସୀ ,ଆପଣ ନିଶ୍ଚେ ଏତେ ପ୍ରକାର ଜିନିଷ ର ଟେକନିକ ଶିଖାଇଥିବେ।”
ହସିଦେଇ ଅରୁଣା ଦେବୀ ଯାହା କହିଲେ,ତା ଶୁଣି ଆବାକାବା ହୋଇଗଲା ଚିତ୍ରା।
ଘରକୁ ଫେରିଲା ପରେ ଚୁପ୍ କିନା ବସିଥିଲେ ସୁଲତା।
ପ୍ରକାଶ ପଚାରିଲା, - ବୋଉର କଣ ହୋଇଛି ?”
-ତମ ବସ’ଙ୍କ ମା ଙ୍କ ଠାରୁ,ଇନ୍ଦ୍ରଧନୁ ଭଜା,ତରକାରୀର ସିକ୍ରେଟ୍ ରେସିପି ଜାଣିଲାପରେ ଶକ ପାଇ ଯାଇଛନ୍ତି।”
ଟିକେ ରହି ପ୍ରକାଶ ବଡ଼ ପାଟିରେ କହିଲା, - ଆଜି ରାତିରେ ସପ୍ତପୁରୀ କରିବ।ବୋଉ ତୁମକୁ ବତାଇ ଦେବ।
ଚିତ୍ରା କିଛି କହିବା ପୂର୍ବରୁ ସୁଲତା କହିଲେ, - କିଛି ଦରକାର ନାହିଁ।ସାଦା ପୁରୀ ଓ ଆଳୁଦମ କର ବୋହୁ।”
ଚିତ୍ରା ର ମନେ ପଡୁଥିଲା କାଦମ୍ବରୀ ଙ୍କ ଶାଶୁ ଅରୁଣାଙ୍କ ସେଇ କଥା, ସାତ ପ୍ରକାର ଭଜା,ତରକାରୀ ରେସିପି ର ସିକ୍ରେଟ। - ଦେଖେଇ ହେବା ପ୍ରକୃତି ଟିକେ ଅଛି ମୋ ବୋହୂର।ଏସବୁ ଟେକନିକ ମୋ ବୋହୂ ର ନିଜସ୍ଵ।ଗୋଟେ କଡେଇ ରେ କିଛି ପରିବା ପକେଇ ଭଜା ସନ୍ତୁଳା ଓ ଆଉ ଗୋଟେ କଡ଼େଇ ରେ ମସଲା କଷି ଆଳୁ,ପରିବା,ମଟର, କାବୁଲି ଚଣା, ପନିର୍ ଇତ୍ୟାଦି ପକେଇ ତରକାରୀ କରେ।ଖାଇଲା ବେଳକୁ ଭଜା ସନ୍ତୁଳା କଡ଼େଇ ରୁ ସବୁ ପରିବା ଓ ମସଲା ତରକାରୀ କଡ଼େଇ ରୁ ଜିନିଷ ଅଲଗା ଅଲଗା ବାଛି ବାଢ଼ି ଦିଏ।ହୋଇ ଗଲା ସାତ ଆଠ ପ୍ରକାର।ଆଉ ଯେଉଁଦିନ କିଛି ରାନ୍ଧି ନଥାଏ, ସେଦିନ ଫ୍ରିଜରେ ବଳିଥିବା ବିଭିନ୍ନ ଜିନିଷ ଗରମ କରି ଥୁଏ।”
ମନକୁ ମନ ହସୁଥିଲା ଚିତ୍ରା।
ପ୍ରକାଶକୁ ଲାଗିଲା ଚିତ୍ରା ମୁହଁରେ ଯେମିତି ସାତପରସ୍ତିଆ, ସାତରଙ୍ଗିଆ ଇନ୍ଦ୍ରଧନୁ ଭଳି ସପ୍ତପୁରୀ ହସ ଫୁଟି ଉଠୁଥିଲା।
(©️ଅରବିନ୍ଦ ଦାସ)