ନୀରବତା ପରେ ଝଡ଼ ! ସୌମ୍ୟ ବାବୁଙ୍କ ପୁଣି ‘ତେରଛା’ ବାଣ?

0

  • ଭୁବନେଶ୍ୱର//TATKAL ODISHA//ANALYSIS//


ନବୀନବାବୁ ଯେଉଁ ପରିମାଣରେ ବିନମ୍ର ଓ ନିରହଂକାର, ତାଙ୍କର ଅମଲାତନ୍ତ୍ର ତା’ଠାରୁ ଅଧିକ ଉଗ୍ର ଓ ଅହଂକାରୀ।” 

 କେଇ ଦିନ ନୀରବତା ପରେ ପୁଣି ଥରେ ‘ସମ୍ବାଦ’ର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ‘ତେରଛା ବାଣ’ ମାରିଛନ୍ତି I ନିଜ ସମ୍ପାଦିତ ‘ସମ୍ବାଦ’ ଖବରକାଗଜର ଅଗଷ୍ଟ 22 ପ୍ରଥମ ପୃଷ୍ଠାରେ ସେ “ଆମ ଘରର ହାଲଚାଲ” ସ୍ତମ୍ବରେ ଏହା ଲେଖିଛନ୍ତି I ସୌମ୍ୟ ବାବୁ ପ୍ରଥମେ ଏଇ କଥା ନିକଟରେ ‘ପ୍ରଜାତନ୍ତ୍ର’ ସମାରୋହରେ କଥାରେ କଥାରେ ଅନେକ କଥା କହିଥିଲେ I ସେତେବେଳେର ବାଣକୁ ନେଇ ଢେର ବିବାଦ ସୃଷ୍ଟି  ହୋଇଥିଲା I ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ବି ହୋଇଥିଲା I

   

ସୌମ୍ୟବାବୁଙ୍କ ସ୍ତମ୍ବ

ବିବାଦ ଥମି ଆସୁଥିବା ବେଳେ ଶ୍ରୀ ପଟ୍ଟନାୟକ ପୁଣି “ପରୋକ୍ଷ ବାଣ” ମାରିଛନ୍ତି I ତାଙ୍କର ଭାଷା ମାର୍ଜିତ ଥିଲେ ହେଁ କଟାକ୍ଷ ବେଶ ତୀକ୍ଷ୍ଣ ରହିଛି I କାହାକୁ ‘ନିଶାନା’ କଲେ ତାହା ଚର୍ଚ୍ଚାର ବିଷୟ I ଲୋକେ ବି ତାହା ଉପରେ ଟୁପୁରୁ ଟାପୁରୁ ହେଉଥିବା ଦେଖାଯାଉଛି I କେତେକ କହୁଛନ୍ତି, ହିନ୍ଦୀ ଗୀତ “କହିଁ ପେ ନିଗାହେଁ, କହିଁପେ ନିଶାନା” ଭଳି ହୋଇଛି I 

 ସୌମ୍ୟ ବାବୁଙ୍କ ସ୍ତମ୍ବରେ ଲେଖିଲେ କଣ? ତାଙ୍କ ଲେଖାର ଶୀର୍ଷକ ରହିଛି –କୋଟିପତି କିରାଣୀଙ୍କ କଥା” I ସେ ଶେଷ ପାରାରେ ଲେଖିଛନ୍ତି…

ବିରଞ୍ଚିବାବୁଙ୍କୁ ବରଖାସ୍ତ କରି ସେ କରିଥିବା ଦୁର୍ନୀତିର ଆମେ କେତେ ପ୍ରତିକାର କରିପାରିଲେ ତାହା ପରବର୍ତ୍ତୀ ସମୟ କହିବ। କିନ୍ତୁ ତାଙ୍କର କଥିତ ଦୁର୍ନୀତି ଯୋଗୁଁ ଯେଉଁମାନେ ଚାକିରି ପାଇବାରୁ ବଞ୍ଚିତ ହେଲେ ସେମାନଙ୍କୁ ନ୍ୟାୟ ଦେବ କିଏ ? ଯେଉଁ ହାକିମମାନଙ୍କର ଅବହେଳା ବା ସଂପୃକ୍ତି ଯୋଗୁଁ ଏପ୍ରକାର ଅଘଟଣ ଘଟିଲା ସେମାନଙ୍କର ବିଚାର କରିବ କିଏ ?”

ପୁଣି ଲେଖିଛନ୍ତି….
 “ଆମର କାହିଁକି ମନେହେଉଛି, ନବୀନବାବୁ ଯେଉଁ ପରିମାଣରେ ବିନମ୍ର ଓ ନିରହଂକାର ତାଙ୍କର ଅମଲାତନ୍ତ୍ର ତା’ଠାରୁ ଅଧିକ ଉଗ୍ର ଓ ଅହଂକାରୀ। ଆଉ ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ପ୍ରମାଣିତ କରିହେବ | ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ସରସ ସୁନ୍ଦର କରି ଗଢ଼ି ତୋଳିବା ସହିତ ଏହାକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ନବୀନବାବୁଙ୍କ ଉଦ୍ୟମକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବୀକାର କରୁଛନ୍ତି। କିନ୍ତୁ ଏହି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଯାଇ ବେଳାଭୂମିରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି କେଉଁ ଉର୍ବର ମସ୍ତିଷ୍କର ଆମେ ଜାଣୁନା। ସୁଖର କଥା ଭକ୍ତମାନଙ୍କ ଭାବନା ଓ ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ଏପ୍ରକାର ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି । କିନ୍ତୁ ଆହୁରି ଅନେକ ନିଷ୍ପତ୍ତି ଏପରି ନିଆଯାଉଛି ଯାହା ରାଜନୈତିକ ଉତ୍ତରଦାୟିତ୍ବର ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପେକ୍ଷା କରୁଛି ।”

ସ୍ତମ୍ବର ଶେଷ ଭାଗରେ ସୌମ୍ୟ ବାବୁ ଲେଖିଛନ୍ତି..

” ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମେ ପଢ଼ିଥିଲୁ ଯେ ଅମଲାତନ୍ତ୍ର ରାଜନୈତିକ ଉତ୍ତରଦାୟିତ୍ରର ଆଢୁଆଳରେ ରହି ସବୁକାର୍ଯ୍ୟ କରେ। ଏବେ କିନ୍ତୁ ମନେହେଉଛି ସବୁକିଛି ଓଲଟି ଯାଇଛି । ସରକାରଙ୍କର କୌଣସି ନୀତିଗତ ମୌଳିକ ନିଷ୍ପତ୍ତି ଏବଂ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଘୋଷଣା ସମୟରେ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। କରୋନା କଟକଣାର ସବୁକଥାକୁ ନୂଆ ନିୟମ ଭାବରେ ଗ୍ରହଣ କରିନେଲା ପରି ଆମ ରାଜନେତାମାନେ ଏହାକୁ ଆଧୁନିକ ଗଣତନ୍ତ୍ରର ନୂଆ ବ୍ୟବସ୍ଥା ଭାବି ମାନି ନେଇଛନ୍ତି।”

ଏହାକୁ ତର୍ଜମା କଲେ ଜଣାପଡୁଛି ଯେ, ସୌମ୍ୟ ବାବୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଢେର ଗୁରୁତ୍ୱ ଦେଇଛନ୍ତି I ତାଙ୍କର ନମ୍ର ଓ ସ୍ୱଚ୍ଛ ନୀତି ଓ ନିରାହଂକାରୀ ସ୍ଵଭାଵକୁ ଶ୍ରୀ ପଟ୍ଟନାୟକ ପ୍ରଂଶସା କରିଛନ୍ତି I

ହେଲେ ଟାର୍ଗେଟ କାହାକୁ?? ତାହା ହୁଏତ ପରେ ସ୍ପଷ୍ଟ ହେବ, ହେଲେ ଏହି ଆଲେଖ୍ୟକୁ ନେଇ କି ପ୍ରତିକ୍ରିୟା ପ୍ରକାଶ ପାଉଛି, ତାହା ଦେଖିବାକୁ ବାକି ରହିଲା I 


Leave A Reply

Your email address will not be published.