ନିଚ୍ଛକ ସତ କାହାଣୀ-‘ପଞ୍ଚୁଆ ଚଢେଇୟାଣୀ’

0

  • ************
  • ଶିଳ୍ପୀ କେଶୁ ଦାସ
  • *************
  • TATKAL ODISHA//ଐତିହ୍ୟ ଖୋଜ//
  • ********************************

+++++++++++++++++++++++++++++++++++++++

ବାଲେଶ୍ୱର ଏକ ସ୍ୱାଭିମାନର ମାଟି I ସଂସ୍କୃତି ଓ ପରମ୍ପରା ପ୍ରତିଟି ଧୂଳିକଣାରେ ମଜ୍ଜି ଯାଇଛି I ଅନେକ ଲୋକ ନାଟ ଜିଲ୍ଲାରେ କାହିଁ କେଉଁ ଯୁଗରୁ ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଆସିଛି I ବିଲୁପ୍ତ ପ୍ରାୟ ଚଢ଼େୟା-ଚଢେଇୟାଣୀ ଲୋକନାଟ ତା’ ଭିତରୁ ଅନ୍ୟତମ। ତାକୁ ତ ବଞ୍ଚାଇ ରଖିବାକୁ ପଡ଼ିବ I ଏହି ପ୍ରୟାସ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଶିଳ୍ପୀ କେଶୁ ଦାସ I

ଆସନ୍ତୁ TATKAL ODISHAରେ ତାଙ୍କର ଅଙ୍ଗେନିଭା ନିଚ୍ଛକ କାହାଣୀ ଦେଖିବା…

ଗପ ହେଲେ ବି ସତ…

+++++++++++++++++++++++++++++++++++++++

ବାଙ୍ଗିରୀପୋଷୀ ଏକ୍ସପ୍ରେସ ପ୍ରତିଦିନ ସକାଳୁ ସକାଳୁ ଭୁବନେଶ୍ୱର ଆଡ଼େ ଧାଏଁ ଉତ୍ତର ଓଡ଼ିଶାର ହସକାନ୍ଦ, ଭଲମନ୍ଦକୁ ମୁଣ୍ଡେଇ । ଆଜି ବି ଧାଉଁଛି । କୋରନା ପରେ ଟ୍ରେନରେ ଠେଲାପେଲା ନ ଥିଲେ ବି ସିଟ୍ ପୁରା ଫୁଲ୍ । ଗୋଟିଏ ବଗିରେ ମୁହାଁମୁହିଁ ବସିଛନ୍ତି କିଛି ବାରିପଦିଆ ଓ ବାଲେଶ୍ବରୀଆ ।

ବାଙ୍ଗିରୀପୋଷୀରୁ ଆସିଥିବା ଦୁଇଟି କଲେଜ ପଢୁଆ ଝିଅ ସୋର ପାଖାପାଖି ନିଜ ନିଜ ଠରାଠରି ହୋଇ ହସୁଥାନ୍ତି । ତାଙ୍କ ସାମ୍ନାରେ ମନ ଦୁଃଖରେ ବସିଥିବା କଳା ମଚମଚ ଆଗକୁ ପେଟ ବାହାରି ଆସିଥିବା ପ୍ରାୟ ୪୫ ବର୍ଷ ବୟସର ପୁରୁଷଟି । ସବୁଜିଆ ରଙ୍ଗର ସାଧାରଣ ବେନିୟନ ସହ ମାଟିଆ ରଙ୍ଗର ପେଣ୍ଟ ପିନ୍ଧିଥିବା ଲୋକଟି ଗେରୁଆ ରଙ୍ଗ ଖୋର୍ଦ୍ଧା ଗାମୁଛା କାନ୍ଧରେ ପଡ଼ିଛି ।

ସେହି ସାଧାରଣ ଲୋକଟିର ଭେଷଭୂଷା, ଠାଣିବାଣୀ ଏମିତି କିଛି କାରଣ ନାହିଁ ଯୁବତୀ ଦୁଇଜଣକୁ କିରିକିରି ହସିବା ପାଇଁ ।

ପୁରସ୍କାର ଗ୍ରହଣ କରୁଛନ୍ତି ପଞ୍ଚୁଆ ଓରଫ ପଞ୍ଚାନନ ଦଳେଇ

ମିନତୀ ଆଖିଠାରି ସରିତାକୁ ଦେଖାଇ ଦେଉଥାଏ ସେହି ଲୋକର ଚପଲ ପିନ୍ଧା ହଳୁଆ ପାଦକୁ । ସେହି ପାଦରେ ଲାଗିଛି ନାଲି ଅଳତା । ଏହି ଅଳତା ହିଁ ମୁରୁକା ହସର ମୂଳ କାରଣ । ସାଧାରଣତଃ ଉତ୍ତର ଓଡ଼ିଶାର ପୁରୁଷ ମାନେ ବାହା ହେବାକୁ ଗଲେ ପାଦରେ ଅଳତା ଲଗାନ୍ତି । ପୁଣି ବାହାଘର ପରେ ପ୍ରଥମ ଜୋଇଁ ଶଶୁର ଘରକୁ ଗଲେ ହଳଦୀ ଗୋଡ଼ ଧୂଆରେ ଶାଳୀମାନେ ଭିଣୋଇକୁ ଜୋର ଜବରଦସ୍ତ ଅଳତା ଲଗାଇ ଦିଅନ୍ତି ।

ତେଣୁ ଏହି ଅଧାଳିଆ ଲୋକଟି ବାହା ହେଲା ନା ହଳଦୀ ଗୋଡ଼ ଧୂଆ ଯାଇ ଶଶୁର ଘରୁ ଫେରିଲା ? ହେଲେ ମନ ଦୁଃଖରେ ବସିଛି କାହିଁକି ?

କିଛି ଅଘଟଣ ଘଟିଲା କି ଶଶୁର ଘରେ ଶାଳୀମାନଙ୍କ ସହ ଚିନ୍ତା କରି ମିନତୀ ଓ ସରିତା ହସୁଥାନ୍ତି । ଏହି ଦୁଇଜଣ ଠରାଠରି ହସରେ ବଗିର ଅନ୍ୟ ଯାତ୍ରୀଙ୍କ ନଜରକୁ ଆସିଲା ଲୋକଟି।

ବଗି ଭିତରଟା ସମସ୍ତଙ୍କ ନଜରକୁ ଆସିଯାଇଥିବା ଜାଣିପାରି ଲୋକଟି କହିଲା – ‘ତମେ ମାନେ ଅଳତା ନଗା ଦେଖି ହସୁଛ କି ?

ମୋ ନାଁ ପଞ୍ଚୁଆ, ପଞ୍ଚାନନ ଦଳେଇ, ଘର ଗୁଡୁଦା ପାଟଣା, ଓଡ଼ିଶା ସରକାର ଦ୍ବାରା ଘୋଷିତ ବାଲେଶ୍ବର ଜିଲ୍ଲା ପୋଷ୍ୟ କଳାଗ୍ରାମ । ମୁଁ ଚଢେଇୟା ନାଟରେ ଚଢେଇୟାଣୀ ରୋଲ କରେ ।’

ଟିକେ ନାରୀ ଢଙ୍ଗ ମିଶା ଗର୍ବ କଲା ଠାଣିରେ କହିଲା ।
ପୁଣି ସେହି ସ୍କଟ ଜିନ ପିନ୍ଧା ଯୁବତୀ ଦୁଇଜଣ ଅନାଅନି ହୋଇ ହସିଲେ । ଏ ଯେଉଁ କନ୍ଦର୍ପ ରୂପ, ଏଥିରେ ପୁଣି ଚଢେଇୟାଣୀ ଭୂମିକାରେ ଅଭିନୟ । ଲୋକେ ଯାହା ଦେଖୁଥିବେ ଇତ୍ୟାଦି ଦୁଇଜଣ ଆଖିରେ ଆଖିରେ କଥା ହେଉଥିଲେ ।

ଟ୍ରେନରେ ଟାଇମ୍ ପାସ୍ କରିବା ପାଇଁ ସରିତା ପଚାରିଲା – ହଁ ଯେ, ତୁମେ ଚଢେଇୟାଣୀ ହୁଅ, ତେବେ ଅଳତା ନାଇଛ କେନେ ?
ପଞ୍ଚୁଆ କହିଲା – ଚାରିଦିନ ବାଲେଶ୍ବରର ନୋସିରେ ପ୍ରଥମ ଥର ପାଇଁ ବାଲେଶ୍ବରୀ ଚଢେଇୟା ନାଟ ପ୍ରତିଯୋଗିତା ହୋଇଥିଲା । ଆମ ଭଗବତୀ ଚଢେଇୟା ନାଟ ଦଳ ଭାଗ ନେଇଥିଲା । ମୁଁ ବି ଭାଗ ନେଇଥିଲି । କାଲି ସନ୍ଧ୍ୟାରେ ପ୍ରାଇଜ ଦିଆଗଲା ।

ମିନତୀ କଥାକୁ ମଜେଇବା ପାଇଁ ପଚାରିଲା – ତୁମ ଦଳ କଣ ଫାଷ୍ଟ ହେଲା ??
ପଞ୍ଚୁଆ ମନ ଦୁଃଖ କରି କହିଲା – ନା, ହେଲେ ମୋତେ ଶ୍ରେଷ୍ଠ ଚଢେଇୟାଣୀ ଭାବରେ ବିଚାରକମାନେ ପୁରଷ୍କାର ଦେଲେ । ମତେ ସାଲ, ଫୁଲତୋଡା, ମାନପତ୍ର ଅତିଥି ମାନେ ଦେଲେ । ଖୁସି ହୋଇ ପାଖରେ ବ୍ୟାଗକୁ ହାତ ବଢ଼ାଇ କହିଲା – ଦେଖବ ନା ଦେଖିବ ?? ବ୍ୟାଗରୁ ସାଲ, ମାନପତ୍ର, ଫୁଲତୋଡା କାଢୁ କାଢୁ କହିଲା – ମୁଁ ମୋ ଜୀବନରେ ପ୍ରଥମ ଏମିତି ସମ୍ମାନ ପାଇଲି । ଏହାକୁ ନେଇ ଯାଉଛି ମୋ ସ୍ତ୍ରୀକୁ ଦେଖାଇବା ପାଇଁ ।
ମିନତୀ ପଚାରିଲା – ତମ ସ୍ତ୍ରୀ କେଉଁଠି କି ?


ଲେଖକ ///ଶିଳ୍ପୀ କେଶୁ ଦାସ, ବାଲେଶ୍ୱର//

ମନ ଦୁଃଖରେ ପଞ୍ଚୁଆ କହିଲା – ମୋ ସ୍ତ୍ରୀ ଆଜକୁ ୧୫ ଦିନ ହେଲା କଟକ ବଡ଼ ମେଡିକାଲରେ ପଡ଼ିଛି । ତାର ଦେହ ବହୁତ ଖରାପ । ମୋ ବଡ଼ ପୁଅ ତା ମାଆ ସହ ଅଛି । ମୁଁ ଆଜି ଯାଉଛି । ଚଢେଇୟା ନାଟ ପ୍ରତିଯୋଗିତାରେ ନାମ ଲେଖେଇବା ପରଦିନରୁ ତାର ବେମାରୀ ଆରମ୍ଭ ହେଲା । ମୁଁ ରେୟାରସିଲ ପାଇଁ ଯାଇ ପାରିଲି ନାହିଁ । ପୁଅକୁ ଅଳ୍ପ କିଛି ଟଙ୍କା ଦେଇ ପଠାଇ ଦେଇଥିଲି ।


ଆମ ବାଲେଶ୍ବରର ଲୋକନାଟ ହେଉଛି ଚଢେଇୟା ନାଟ । ଆମ ବାପ ଚଉଦ ପୁରୁଷରୁ ଏହି ନାଟ କରି ଲୋକଙ୍କ ମନୋରଞ୍ଜନ କରିବା ସହ କିଛି ରୋଜଗାର କରୁଥିଲେ । ମୁଁ ବାର ବର୍ଷ ବୟସରୁ ଏହି ଚଢେଇୟା ନାଟରେ ମିଶିଛି”

ବଗିରେ ପରିବେଶ ଅଲଗା ଅଲଗା ଲାଗୁଥାଏ ।ସମସ୍ତ ଯାତ୍ରୀ ପଞ୍ଚୁଆ ପାଖରୁ ଆହୁରି କଣ ଶୁଣିବା ପାଇଁ ଚାହୁଁଛନ୍ତି ଜାଣି ପଞ୍ଚୁଆ ବୁଝାଇ କହିଲା – ଦେଖ, ଆମେ କଳାକାର ଲୋକ । ଆମର ସୁଖଦୁଃଖ ସବୁ ସମ୍ମାନ । ଆମେ ପରା ଗାଆଣ ଗାଇଲା ବେଳେ ଲୋକକୁ ବୁଝାଉ ଯେ ଦୁଃଖସୁଖ, ହସକାନ୍ଦ ରହିବ । ତାକୁ ସହି ଜୀବନକୁ ଆଗେଇ ନେବା । ବାହାରକୁ ଟାଣ କରି ବଗିର ଲୋକକୁ ବୁଝାଇଲା ମଧ୍ୟ ନିଜ ଭିତରେ ନିଜକୁ ବୁଝାଇ ପାରୁ ନ ଥିଲା ।

ପୁଣି କହିଲା – ଦେଖ, ଆମ ବାଲେଶ୍ବରର ଲୋକନାଟ ହେଉଛି ଚଢେଇୟା ନାଟ । ଆମ ବାପ ଚଉଦ ପୁରୁଷରୁ ଏହି ନାଟ କରି ଲୋକଙ୍କ ମନୋରଞ୍ଜନ କରିବା ସହ କିଛି ରୋଜଗାର କରୁଥିଲେ । ମୁଁ ବାର ବର୍ଷ ବୟସରୁ ଏହି ଚଢେଇୟା ନାଟରେ ମିଶିଛି । ପ୍ରଥମେ ପ୍ରଥମେ ମୁଁ ମଞ୍ଚକୁ ବାଦ୍ୟଯନ୍ତ୍ର ବହିବା, ପାଲ ସଜାଡ଼ିବା, ଚାହା ଦେବାରୁ ଆରମ୍ଭ କରି ବାଜା ବଜାଇବା, ପାଳିଆ ହେବା ଇତ୍ୟାଦି କଲା ପରେ ୨୫ ବର୍ଷ ଧରି ଚଢେଇୟାଣୀ ରୋଲରେ ଗାଉଛି ଓ ନାଚୁଛି ।

ବାଲେଶ୍ବରର ଏହି ଲୋକ ନାଟ ଆମ ଜିଲ୍ଲାର ସ୍ବାଭିମାନ । ତାକୁ ତ ବଞ୍ଚାଇ ରଖିବାକୁ ପଡ଼ିବ ନା ? ସେଥିପାଇଁ ମୁଁ ରହିଗଲି ଚଢେଇୟା ନାଟ ପାଇଁ । ମାଆ ପୁଅକୁ ମେଡିକାଲ ପଠାଇଦେଲି । ଆଉ ଦେଖ, କଳାକାରକୁ ଭଗବାନ ସବୁବେଳେ ପରୀକ୍ଷା କରନ୍ତି ଯେ ଦୁଃଖ କଷ୍ଟ ପରେ ବି କଳାକୁ ଧରି ରଖିଛି ନା ଛାଡ଼ି ଦେଉଛି ? ତା ପରେ ମତେ ଭଗବାନ ଭେଣ୍ଡିଆ ପୁଅଟେ ଦେଇଛି । ଏତିକି କହି ଗ୍ୟାଗରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ସାଲ କାଢ଼ି ଦେଖାଉ ଥିବା ବେଳେ ପାଖରେ ବସିଥିବା ଜଣେ ବ୍ୟକ୍ତି ସମ୍ବାଦ ଖବରକାଗଜ ଦେଖାଇ ପଚାରିଲେ – ଏଇଟା ତୁମର ଫଟୋ କି ??

ପଞ୍ଚୁଆ ଆଗ୍ରହ ସହ ଅନାଇ ଦେଖି ମନେ ମନେ କୁରୁଳି ଯାଉଥିବା ବେଳେ ଅନ୍ୟ ସମସ୍ତେ ପଞ୍ଚୁଆର ସତ୍ୟତାର ପ୍ରମାଣ ପାଇ ତାକୁ ଅନାଇଥିଲେ ।
ପଞ୍ଚୁଆକୁ ଟାହିଟାପରା କରୁଥିବା ସରିତା ଓ ମିନତୀର ମନ ଧୀରେ ଧୀରେ ତରଳୁଥାଏ । ମନେ ମନେ ଭାବୁଥାଏ – ଏ ହିଁ ପ୍ରକୃତରେ କଳାକାର ।

ଟିକେ ଥମ ଧରି ଯାଉଥିବା ପରିବେଶକୁ ଚହଲେଇ ମିନତୀ କହିଲା – ମୋ ନାମ ମିନତୀ ମହାପାତ୍ର ଓ ମୋ ସାଙ୍ଗ ନାମ ସରିତା ସିଂ । ଆମେ ଏକା ଗାଁର । ପିଲାଟି ଦିନ ବନ୍ଧୁ । ମୁଁ ଭୁବନେଶ୍ୱରରେ ନୃତ୍ୟ ସଂଗୀତ ମହାବିଦ୍ୟାଳୟରେ ଫିଥ୍ ଇୟର ଓଡ଼ିଶୀ ଛାତ୍ରୀ । ମୋ ବନ୍ଧୁ ମଧ୍ୟ ଭୁବନେଶ୍ୱର ରିଜିଓନାଲ ସେଣ୍ଟରରେ ବିଇଡି କରୁଛି । ମୁଁ ଓଡ଼ିଶୀ ନୃତ୍ୟର ଗବେଷଣା କରୁଛି । କିନ୍ତୁ ବାଲେଶ୍ବରର ଲୋକ ନାଟ ଚଢେଇୟା ନାଟ ବିଷୟରେ ପ୍ରଥମ ଶୁଣିଲି । ଆଉ ଜାଣିଲି ଜଣେ କଳାକାରର ନିଷ୍ଠା, ସାଧନା ଓ କର୍ତ୍ତବ୍ୟ କଣ ? ତେବେ ଆପଣ ଦୟାକରି ଚଢେଇୟା ନାଟ ବିଷୟରେ ଆଉ କିଛି କହିବେ କି ??

ପଞ୍ଚୁଆ କହିଲା – କଣ କହିବି । ବହୁତ କଥା ଅଛି । ଏହି ଚଢେଇୟା ନାଟରେ ପୁରୁଷ ମାନେ ହିଁ ନାରୀ ଭେଷରେ ଚଢେଇୟାଣୀ ରୋଲ କରନ୍ତି । ତେଣୁ ସେମାନେ ପାଦରେ ଅଳତା ଲଗାନ୍ତି । ଅଳତା ଲଗା ପାଦ ଯେ ଦିନ ଗାଁରେ ବୁଲେ । ଗାଁ ଭାଇ ପଚାରନ୍ତି – କି ରେ କାଲି ରାତିରେ କେଉଁଠି ଦଳ ଯାଇଥିଲା ? କେମିତି ଗାଇଲୁ ? କେତେ ଟଙ୍କା ପୁରଷ୍କାର ପାଇଲୁ ?

ତୁ ଝିଅ ଖରାପ ଭାବିବୁନି, ଅନେକ ଗାଁର ଭେଣ୍ଡିଆ ଟୋକା ମାନେ ମୋ ଛାତି ସେପ୍ଟିପିନରେ ଟଙ୍କା ଝୁଲେଇ ପୁରଷ୍କାର ଦେବା ପାଇଁ ଭିଡ଼ । ବହୁତ ଟଙ୍କା ଉଠେ । ମନ କୁଣ୍ଢେ ମୋଟା ହୋଇଯାଏ । ଅନ୍ୟ ତିନିଜଣକୁ ଟଙ୍କା ପୁରଷ୍କାର କମ ଦିଅନ୍ତି । ମୁଁ ସବୁ ଟଙ୍କା ମୋ ଗୁରୁଙ୍କୁ ଦେଇ ଦିଅ । ଆମ ଗୁରୁ ସମସ୍ତଙ୍କ ଟଙ୍କା ଏକାଠି କରି ପୁଣି ସମସ୍ତଙ୍କୁ ସମାନ ଭାଗରେ ଭାଗ କରିଦିଅନ୍ତି । ଆମେ ସମସ୍ତେ ଖୁସ୍ । ବହୁତ କଥା ଅଛି ଲୋ ଝିଅ । କଥା ସରିବନି ।
ସରିତା ପଚାରିଲା – ଚଢେଇୟା ନାଟରେ କଣ ହୁଏ, ଟିକେ କୁହ । ଆମେ ଶୁଣିବା ।

ପଞ୍ଚୁଆ କହିଲା – ଆରମ୍ଭ କଲେ କଟକ ଡେଇଁ ଯିବ । ସାର କଥା କହୁଛି ଶୁଣ । ଜଗନ୍ନାଥଙ୍କୁ ଯେଉଁ ବିଶ୍ବାବସୁ ଶବର ପୂଜା କରୁଥିଲେ ଗୁମ୍ଫାରେ ନୀଳମାଧବ ଭାବରେ । ସେଇ ବିଶ୍ବାବସୁ ଶବର ସମ୍ପ୍ରଦାୟର କାହାଣୀ । ତାଙ୍କ ଶବର ଜାତିର ଯେଉଁମାନେ ଚଢେଇ ମାରି ଚଳୁଥିଲେ । ସେମାନଙ୍କୁ ଚଢେଇୟା ଚଢେଇୟାଣୀ କୁହାଯାଏ । ନୂଆ ନୂଆ ବାହା ହେଇଥିବା ଚଢେଇୟା ଚଢେଇୟାଣୀ ସ୍ବାମୀ ସ୍ତ୍ରୀ ଜଙ୍ଗଲକୁ ଯାଇଥିଲେ ଚଢେଇ ମାରିବା ପାଇଁ । ସେଦିନ ବର୍ଷା ହେଲା ଓ ବାଘ ମାଡ଼ି ଆସିଲା । ବାଘ ସହ ଯୁଦ୍ଧ କରୁ କରୁ ଦୁଇ ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ହୋଇଗଲା । କାହାଣୀ ଏଇଠୁ ଆରମ୍ଭ । ଦୁହେଁ ଦୁହିଁଙ୍କୁ ଖୋଜୁ ଖୋଜୁ ଚଢେଇୟାଣୀ ଗୋଟିଏ ଗାଁର ପଣ୍ଡା ପୁଅ ପାଖରେ ଧରମ ନାତୁଣୀ ହୋଇ ରହିଲା । ଚଢେଇୟା ସେହି ଗାଁର ବାଙ୍କୁ ପାଖରେ ପହଞ୍ଚିଲା । ନାଚଗୀତ ମାଧ୍ୟମରେ ଦୁଇ ଦୁଇଜଣଙ୍କର ପରିଚୟ ଦେବେ । ପଣ୍ଡା ପୁଅ ଓ ବାଙ୍କୁ ଦୁଇ ଜଣକୁ ଭେଟେଇବେ । ଦୁହିଁଙ୍କର ଅଖିଆ ଅପିଆ, ଅନିଦ୍ରା ପାଇଁ ସ୍ବାସ୍ଥ୍ୟର ପରିବର୍ତ୍ତନ ଘଟିଥିବାରୁ କେହି କାହାକୁ ଚିହ୍ନି ପାରିଲେ ନାହିଁ । ସେଇଠୁ ଆରମ୍ଭ ହେବ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ । ଦୁହେଁ ଦୁହିଁଙ୍କୁ ବୌଦ୍ଧିକ, ସାମାଜିକ ଓ ପୌରାଣିକ ପ୍ରଶ୍ନ ପଚାରି ଉତ୍ତର ମାଗିବେ । ମଝିରେ ମଝିରେ ପଣ୍ଡା ପୁଅ ଓ ବାଙ୍କୁ ମଜା ମଜା କଥା , ଟାହିଟାପରା ଆସରକୁ ଜମେଇ ରଖନ୍ତି ଦର୍ଶକଙ୍କୁ ରାତିସାରା । ଶେଷରେ ମିଳନ ହୋଇ ଘରକୁ ଫେରନ୍ତି ।

ଏହା ଭିତରେ ଅନେକ କଥା ଅଛି । ନ ଦେଖିଲେ ବୁଝି ପାରିବୁନି କେବେ କଳା ଭରି ରହିଛି ।

କହୁ କହୁ କଟକ ଷ୍ଟେସନ ଆସିଗଲା । ପଞ୍ଚୁଆ ଯିବା ପାଇଁ ଛିଡ଼ା ହେବାରୁ ସରିତା ପଞ୍ଚୁଆର ପାଦ ଛୁଇଁ ଜୁହାର ମାତ୍ରେ ମିନତୀ ଜୁହାର ହୋଇ କହିଲା – ମୁଁ ଆଜି ପ୍ରକୃତ କଳାକାରଙ୍କୁ ଭେଟିଲି । ମୁଁ ଆଉ ବର୍ଷେ ପରେ ଆପଣଙ୍କ ଗାଁରେ ଗୋଟିଏ ବର୍ଷ ରହି ଏହା ଉପରେ ଗବେଷଣା କରିବି ଓ ଲୋକଲୋଚନକୁ ଆଣିବି।

ଆଉ ଗୋଟେ କଥା ପଚାରିବି । ମତେ ଆପଣଙ୍କ ଦଳରେ ଚଢେଇୟାଣୀ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ଦେବେ ନା ?

ପଞ୍ଚୁଆ କଣ ଉତ୍ତର ଦେବ ଭାବିବା ଆଗରୁ ବଗିର ସମସ୍ତ ଯାତ୍ରୀ ଜଣେ ପରେ ଜଣେ ପାଦ ଛୁଇଁ ଜୁହାର କରୁଥିଲେ ।
ମିନତୀକୁ ହଁ କି ନା ଉତ୍ତର ଦେବାକୁ ଯାଉଥିବା ବେଳେ ଅନ୍ୟ ଯାତ୍ରୀମାନେ ପଞ୍ଚୁଆକୁ ପଛରୁ ପେଲୁଥିଲେ ଟ୍ରେନରୁ ଓହ୍ଲାଇବା ପାଇଁ ।

  • ଶିଳ୍ପୀ କେଶୁଦାସ
  • ବାଲେଶ୍ୱର

Leave A Reply

Your email address will not be published.