ଦୀପତଳ ଅନ୍ଧାର : ଦୁର୍ଗାପୁରପାଟଣା-ବାସୁଆଘାଇ ଗାଁ

0
  • ପାଣିରେ ପଚ ପଚ ରାଜଧାନୀ ଉପକଣ୍ଠ ଗାଁ
  • ପିଚୁ ସଂଯୋଗ ନାହିଁ, ଦୁଇ ପ୍ରବେଶ ପଥ କାଦୁଅରେ ଭର୍ତ୍ତି
  • ଭୁବନେଶ୍ୱର//TATKAL ODISHA//
  • ରିପୋର୍ଟ : ବିଜୟ କୁମାର ସାହୁ /ସୁଦାମ ଭୋଇ

ପ୍ରତିବର୍ଷ ପ୍ରତି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥ ବ୍ୟୟ ହୋଇଥାଏ I ଏଥିସହ ସାଂସଦ ଓ ବିଧାୟକ ପାଣ୍ଠି ବି ଖର୍ଚ୍ଚର ବ୍ୟବସ୍ଥା ରହିଛି I ମାତ୍ର ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ଦୁର୍ଗାପୁରପାଟଣା-ବାସୁଆଘାଇ ଗାଁରେ ତାର ବ୍ୟତିକ୍ରମ ଘଟିଛି I

ନା’ ଏଠି ଡ୍ରେନେଜ ରହିଛି? ନା’ କଂକ୍ରିଟ ରାସ୍ତା ରହିଛି??

ଦେଖନ୍ତୁ ଦୁର୍ଗାପୁରପାଟଣା ଗାଁକୁ ସଂଯୋଗ କରୁଥିବା ପଶ୍ଚିମ ପାର୍ଶ୍ଵ ରାସ୍ତାର ଅବସ୍ଥା

ଗାଁକୁ ସଂଯୋଗ କରିଥିବା ଦୁଇ ପ୍ରମୁଖ ରାସ୍ତା ସାଧାରଣ ବର୍ଷାରେ ପଚ ପଚ I ବେଙ୍ଗ ମୁତିଲେ ଏଠି ପାଣି I ଦୀର୍ଘ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଭିତରେ ଲୋକେ ରହୁଥିଲେ ହେଁ ବିଧାୟକ ଓ ସରପଞ୍ଚଙ୍କ ପାଇଁ କିଛି ଯାଏ ଆସେ ନାହିଁ I

ଭୋଟ ବେଳେ ଯେତେ ଭାଇ ଭାଇ… ଭୋଟ ପରେ ସେତେ ନାହିଁ ନାହିଁ I ସ୍ଥିତି ଏପରି ହୋଇଛି ଯେ, ଗାଁକୁ ଆମ୍ବୁଲାନ୍ସ ଆସିବା ବି ସମ୍ଭବପର ନୁହେଁ I

ଯଦି NH-316 ଓ ଟଙ୍କପାଣି ରୋଡ ସାଇ ମନ୍ଦିର ସଂଲଗ୍ନ ଗାଁର ଏଭଳି ସ୍ଥିତି, ତାହାଲେ ରାଜ୍ୟର ଉପାନ୍ତ ଇଲାକାରେ ଥିବା ଗାଁର ସ୍ଥିତି କଣ ଥିବ ଏଥିରୁ ସାଧାରଣରେ ଅନୁମେୟ I

ଏକାମ୍ର ବିଧାନସଭା କ୍ଷେତ୍ର ଅଧୀନରେ ଥିବା ଏବଂ ଦୁଇଟି ୱାର୍ଡ ବିଶିଷ୍ଟ ଦୁର୍ଗାପୁରପାଟଣା-ବାସୁଆଘାଇରେ ପ୍ରାୟ ଚାରି ହଜାର ଲୋକ ବସବାସ କରୁଛନ୍ତି I ଏଥିରୁ ଅନୁସୂଚିତ ଜାତି ବର୍ଗ ଲୋକଙ୍କ ସଂଖ୍ୟା ପ୍ରାୟ 1500ରୁ ସାମାନ୍ୟ ଅଧିକ I

ସରକାରୀ ନିୟମ ଅନୁସାରେ ଏହି ବର୍ଗ ଲୋକଙ୍କ ଜୀବନ ଧାରଣର ମାନ ଉନ୍ନତ କରିବା ରାସ୍ତା, ବିଜୁଳି, ଡ୍ରେନେଜ, ପାନୀୟ ଜଳ ଓ ସ୍ଥାୟୀ ଘର ଦେବାର ବ୍ୟବସ୍ଥା ରହିଛି I ହେଲେ ଏଠି ତାର ବି ବିଚ୍ୟୁତ ଘଟିଛି I ନେତା ବା ପ୍ରଶାସକ ନିଘା ନାହିଁ I

ନିର୍ବାଚନ ସମୟ ଛାଡିଦେଲେ ନେତାଙ୍କ ପ୍ରାୟ ଦେଖା ମିଳେନାହିଁ I ଫଳରେ କୌଣସି କାର୍ଯ୍ୟ ହୋଇ ପାରୁନି I

ଗାଁର ସମସ୍ୟା ଗୁଡ଼ିକ ହେଉଛି…

  • ଲଗାଣ ବର୍ଷା ହେଲେ ଗାଁର ପାଣି ନିଷ୍କାସନ ହୁଏ ନାହିଁ I
  • ସ୍ଥାୟୀ ଡ୍ରେନ ନାହିଁ, ପାଣି ଯିବା ନାଳସବୁ ଜବରଦଖଲ ହୋଇଛି I
  • ରାସ୍ତା କଂକ୍ରିଟ ବା ପିଚୁ ହୋଇ ନାହିଁ I
  • ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ଥିଲେ ବି ଜଳୁନାହିଁ I
  • କମ୍ୟୁନିଟି ସେଣ୍ଟର ନାହିଁ କି ସ୍ୱୟଂ ସହାୟିକା ଗୋଷ୍ଠୀ ଘରନାହିଁ I
  • ସ୍କୁଲ ଘର ଭଙ୍ଗା, ନାହାନ୍ତି ଆବଶ୍ୟକ ଶିକ୍ଷକ I ପାଞ୍ଚଟି ଶ୍ରେଣୀ ପାଇଁ ଦୁଇଟି ଅସଜଡ଼ା ଘର I ପିଲାମାନେ ବର୍ଷା ହେଲା ମାତ୍ର ଘରକୁ ପଳାନ୍ତି I

ତେବେ ଏହି ବିଷୟରେ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଓ ବିଧାୟକଙ୍କୁ ବାରମ୍ବାର ଜଣାଇଲେ ବି ଫଳ ଶୂନ I

ତେଣୁ ଗାଁ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହ ଫେରାଦ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି I

Leave A Reply

Your email address will not be published.