ଝାରସୁଗୁଡ଼ା ଟକ୍କର : କଇଁଛ ବେଗରେ ବିରୋଧୀ ?
- **************************************
- ବାଜି ସାରିଛି ବିଗୁଲ୍ । ପ୍ରସ୍ତୁତ ହୋଇଛି ରଣକ୍ଷେତ୍ର । ଅଥଚ ସମରସଜ୍ଜା ଅସଂପୂର୍ଣ୍ଣ । ଅର୍ଥାତ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିେଜେଡିକୁ ଛାଡ଼ି ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀ ଦଳ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା ନ କରି ପଛରେ ପଡ଼ିଯାଇଛନ୍ତି । ଏଭଳି ସ୍ଥିତିରେ ବିଜେଡି ଆଉ ଏକ ପାଦ ଆଗକୁ ପକାଇ ନୂଆ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା ସହ ବ୍ଲକ୍ୱାରୀ ଦଳୀୟ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରି ନିଜର ଦବଦବା ଆରମ୍ଭ କରିଛି । ଦେଖନ୍ତୁ ସମୀକ୍ଷା…
- ++++++++++++++++++++++++++++++++
ଭୁବନେଶ୍ୱର,//TATKAL ODISHA//
ପାଗ ଭିଡ଼ୁ ଭିଡ଼ୁ ବାଘ ଚମ୍ପଟ ମାରିଲା I ଠିକ ଏହି ଭଳି ଭାବେ ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ କଂଗ୍ରେସ ଓ ବିଜେପି କାର୍ଯ୍ୟକରୁଥିବା ଚର୍ଚ୍ଚା ଜୋର ଧରିଛି ।
ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ହେଉଛି ଶେଷ ଉପନିର୍ବାଚନ । ଏଠି କିଏ ବାଜିମାତ୍ ମାରିବ, ଆଉ କାହାର ଚିତ୍ପଟାଙ୍ଗ୍ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ । ହେଲେ ଶାସକ ଦଳ ଏହାକୁ ହାଲୁକା ଭାବରେ ନେଉନାହିଁ । ନିଜର ଦବଦବା ପାଇଁ ଅଧିକ ଭୋଟ୍ରେ ଜିତିବାକୁ ରଣନୀତି ପ୍ରସ୍ତୁତ କରିଛି ।
ଝାରସୁଗୁଡ଼ା ମ୍ୟୁନିସିପାଲିଟି ସମେତ ୪ ବ୍ଲକ୍ ପାଇଁ ବିଜେଡି ୧୨ ଜଣ ବରିଷ୍ଠ ମନ୍ତ୍ରୀ ଓ ବିଧାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି । ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ରେ ଜିତାଇବାର ଦାୟିତ୍ୱ ଏମାନେ ସମ୍ଭାଳିବେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜେଡି ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା ସହ ବ୍ଲକ୍ୱାରୀ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରିବାର ଅନେକ କାରଣ ରହିଛି । କାରଣ ଏହି ଉପନିର୍ବାଚନର ଫଳ ହିଁ ‘ଟର୍ଣ୍ଣିଂ ପଏଣ୍ଟ’ ହେବ । ଏହାର ପ୍ରଭାବ ସାରା ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଉପରେ ପଡ଼ିବ । ସଦ୍ୟ ସମାପ୍ତ ଅତାବିରା ଓ ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବି ଏକ ପାଖିଆ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରି ଶାସକ ଦଳ ସଫଳ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ବ୍ଲକ ଗାଁ ସ୍ତରରେ ନେତାଙ୍କୁ ସଜେଇ ସାରିଲାଣି । କିନ୍ତୁ ବିରୋଧୀ ଭୁବନେଶ୍ୱରରେ ଅଙ୍କ କଷୁୁଛନ୍ତି । ଏପରିକି ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନ ଇତିହାସକୁ ଦେଖିଲେ ବିଜେଡି ସହ ଟକ୍କର ଦେବାକୁ ବିରୋଧୀ ସକ୍ଷମ ହୋଇପାରିନାହାନ୍ତି । ବିଜେଡି ଭୋଟ୍ ହେବାର ବହୁ ଦିନ ଆଗରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନାମ ଘୋଷଣା କରିଥିଲେ ହେଁ ବିରୋଧୀ ବିଜେପି ଓ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହାନ୍ତି । ପ୍ରାର୍ଥୀତ୍ୱ ନାମ ଘୋଷଣାକୁ ନେଇ ଦୁଇ ଦଳ ଭିତରେ ଛକାପଞ୍ଜା ଚାଲିଛି । ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ନାହାନ୍ତି । ତେଣୁ ତାଙ୍କ ଦଳର ରଣନୀତି ସ୍ପଷ୍ଟ ହୋଇନାହିଁ । ପ୍ରଥମରୁ ସେ ଯେଉଁଭଳି ଶାସକ ଦଳ ଓ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରୁଥିଲେ ଝରସୁଗୁଡ଼ା ଉପନିର୍ବାଚନ ବିଗୁଲ୍ ବାଜିବା ପରେ ତାଙ୍କ ପାଟି ଖୋଲିବା କେହି ଦେଖିନାହାନ୍ତି । ସମ୍ଭବତଃ ଦଳୀୟ ପ୍ରାର୍ଥୀ ନାମ ଘୋଷଣା ନେଇ ସେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରି ଥାଇପାରନ୍ତି । ଖୁବ୍ଶୀଘ୍ର ଘୋଷଣା କରିବେ । ହେଲେ ଯୁଦ୍ଧ ମୈଦାନରେ ଶାସକ ଦଳ ଠାରୁ ପଛରେ ପଡ଼ିଯାଇଛି ଏହି ଜାତୀୟ ଦଳ ।
ବିଜେପି ଭଳି କଂଗ୍ରେସର ଗତିବିଧି କଇଁଛ ବେଗରେ ଚାଲିଛି । ଏବେ ବି ଦଳର ରଣନୀତି ପ୍ରସ୍ତୁତ ହୋଇନାହିଁ
ଅନ୍ୟପକ୍ଷରେ ବିଜେପି ଭଳି କଂଗ୍ରେସର ଗତିବିଧି କଇଁଛ ବେଗରେ ଚାଲିଛି । ଏବେ ବି ଉଭୟ ଦଳର ରଣନୀତି ପ୍ରସ୍ତୁତ ହୋଇନାହିଁ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)କୁ ପଠାଯାଇଛି ବୋଲି ଶୁଣାଯାଉଛି । ତେବେ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଉକ୍ତ କିମଟି ସୁପାରିଶକ୍ରମେ ପ୍ରାର୍ଥୀ ଘୋଷଣା ହେବ । ପ୍ରାୟ ତିନି ଦିନ ଭିତରେକଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଅମାନତ୍ ସ୍ଥିତି ଦୋହରାଇବ ବୋଲି ଶାସକ ଦଳର ଜଣେ ନେତା କଟାକ୍ଷ କରିଛନ୍ତି । ତାଙ୍କ ମତରେ କଂଗ୍ରେସ ଦ୍ୱିତୀୟ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭବାନା ରହିଛି ।
ତେଣୁ ବିରୋଧୀଙ୍କ କଇଁଛ ବେଗରେ ଗତି ଏବଂ ଦିପାଳିଙ୍କ ପାଇଁ ଭୋଟରଙ୍କ ଅନୁକମ୍ପା ମନେଭୋବ ଶାସକ ବିଜେଡି ଯେ’ ବାଜିମାତ୍ ନମାରିବ ତାହା ଏବେଠାରୁ ଜଳ ଜଳ ଦୁସୁଛି ।