ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ

0
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA //

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଅନୁରୋଧ ରଖିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବ । ଚିଠି ଲେଖିବାର ମାତ୍ର 2 ମାସ ମଧ୍ୟରେ ତ୍ୱରିତ ପଦକ୍ଷେପ । ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଇଏସଆଇସିର ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି । ସେହିଭଳି ଯାଜପୁର ଜିଲ୍ଲାର ଡୁବୁରୀରେ 100 ଶଯ୍ୟା ବିଶିଷ୍ଟ ESI ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯିବା ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗତ ସେପ୍ଟେମ୍ବର 29 ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପତ୍ର ଲେଖି ଭୁବନେଶ୍ୱର ଇଏସଆଇସିର ଆଂଚଳିକ କାର୍ଯ୍ୟାଳୟ ଅଧୀନରେ ଝାରସୁଗୁଡ଼ା ଠାରେ ଇଆସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ । ଇଏସଆଇସିର ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଥିବା ସମସ୍ୟାକୁ ଦର୍ଶାଇବା ସହ ଉଲ୍ଲେଖ କରିଥିଲେ ଯେ ଭୁବନେଶ୍ୱରରେ ଥିବା ଇଏସଆଇସିର ଆଂଚଳିକ କାର୍ଯ୍ୟାଳୟ ରାଜ୍ୟର ପୂର୍ବାଞ୍ଚଳରେ ଅବସ୍ଥାପିତ ଅଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧିକାରୀଙ୍କୁ ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ ।

ଓଡ଼ିଶାରେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ୱରରେ ଥିବା ଆଂଚଳିକ କାର୍ଯ୍ୟାଳୟ ୧୭ଟି ଜିଲ୍ଲା ନିକଟବର୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି । ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ୧୩ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତୀ ହେବ ।
ଦେଶର ଅନେକ ରାଜ୍ୟରେ ଇଏସଆଇସିର ଗୋଟିଏ କିମ୍ବା ତଦୁର୍ଦ୍ଧ୍ୱ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ୱରର ଇଏସଆଇ ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି । ତେଣୁ ପଶ୍ଚିମ ଓଡ଼ିଶାର କର୍ମଚାରୀ ଏବଂ ଇଏସଆଇସି ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ ।

ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୀର୍ଘ ଦିନର ଚାହିଦା ପୂରଣ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.