ଜୁନାଗଡ଼ରେ ଜମି ମାଫିଆଙ୍କ ଦୌରାତ୍ମ୍ୟ: ସନ୍ଦେହ ଘେରରେ ସରକାରୀ ଅଧିକାରୀ ?
- ରିପୋର୍ଟ : ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି,//TATKAL ODISHA// - ********************************
- “ବାଡ଼ ଯଦି ଖେତ ଖାଏ ଖେତ କାହିଁ ପାଇଁ ଜଗିବା”
- ଓଡ଼ିଆରେ ଥିବା ଏହି ଢଗ କଳାହାଣ୍ଡି ଜିଲ୍ଲାର ପୁରାତନ ସହର ଜୁନାଗଡ ପାଇଁ ପୁରା ପ୍ରଯୁଜ୍ୟ I ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁକୁ ସ୍ଥାନୀୟ ପ୍ରଶାସନ ସୁରକ୍ଷା ଦେଇ ପାରୁ ନ ଥିବାର ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଜାତୀୟ ରାଜପଥ -୨୬ ପାର୍ଶ୍ବରେ ଥିବା ଅନେକ କୋଟି କୋଟି ଟଙ୍କାର ମୂଲ୍ୟବାନ ସରକାରୀ ଅନାବାଦୀ ଜମି ହଡ଼ପ ହେବାକୁ ଯାଉଛି I ପ୍ରଶାସନର ନାକ ତଳେ ଏସବୁ ଚାଲିଛି I
- ଜୁନାଗଡ ଡାକଘର ପାଖ ପୁରୁଣା ବସଷ୍ଟାଣ୍ଡ ଠାରୁ ପଶ୍ଚିମ ଦିଗକୁ ଏନଏଚ ଉପରେ ଅଳ୍ପ ଦୂରରେ ବାମ ପାର୍ଶ୍ବରେ ଥିବା ସରକାରୀ ଅନାବାଦି ଜମି ଜୁନାଗଡ ନଜୁଲ ସିଟ ନଂ-୧ ଅନ୍ତର୍ଗତ ପ୍ଲଟ ନଂ ୧୨୯୭ କିମ୍ବା ୧୨୯୮ ଜମି ଉପରେ ନବେ ଦଶକରେ ଏକ ଜଗନ୍ନାଥ ମନ୍ଦିର ଥିଲା । ସରକାରୀ ଜମି ଉପରେ ଥିବା ହେତୁ ତତ୍କାଳୀନ ତହସିଲଦାର/ ଉପଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉକ୍ତ ଜଗନ୍ନାଥ ମନ୍ଦିରକୁ ଭଙ୍ଗାଇ ଦେଇଥିଲେ । ମନ୍ଦିର ଭଙ୍ଗା ଘଟଣାରେ ପୋଲିସ କେସ ମଧ୍ୟ ଥିବାର ଜଣାପଡିଛି । ଉକ୍ତ ଜମି ଉପରେ ଘର ଡିହ ହିନ ମାନେ ଘର କରି ରହୁଥିବାର ଦେଖା ଯାଉଥିଲା।
ସେହି ଜମି ର ପାର୍ଶ୍ବରେ ଅର୍ଥାତ ଦକ୍ଷିଣ ରେ ଜୁନାଗଡ ସିଟ ନଂ ୪ ରେ ଥିବା ପ୍ଳଟ ନଂ ୧୨୪୦ ର କେତେକ ଜମିକୁ ଜମି ମାଫିଆ ମାନେ ଅଳ୍ପ ମୂଲ୍ୟରେ କିଣି ଥିବା ବେଳେ ସେହି ଜମି ସହ ଜାତୀୟ ରାଜପଥର ସଂଯୋଗୀକରଣ ରାସ୍ତା ନ ଥିବା ହେତୁ ସେହି ଜମି ମୂଲ୍ୟ ହିନ ହୋଇ ଯାଇ ଥିବା କାରଣରୁ ଜମି ମଫିଆମାନେ ପାର୍ଶ୍ୱସ୍ଥ ସରକାରୀ ଅନାବାଦି ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜବର ଦାଖଲକାରୀ ଠାରୁ ଚଢା ମୂଲ୍ୟରେ ଆପୋଷି ଭାବରେ କିଣି ଉକ୍ତ ଘରକୁ ଭାଙ୍ଗି ଦେବାପରେ ଭିତରେ ଥିବା ପ୍ରାଇଭେଟ ଜମିକୁ ସିଧା ସଳଖ ରାସ୍ତା କରି ପ୍ଳଟ ନଂ ୧୨୪୦ ର ବଜାର ମୂଲ୍ୟ ବଢାଇ ଚଢା ମୂଲ୍ୟରେ ବିକ୍ରି କରିବାର ଯୋଜନା କରୁଥିବା ଦେଖା ଯାଇଛି । ସେଥିପାଇଁ ଜୁନାଗଡ ସହର ଉପକଣ୍ଠ ବନମାଳୀପୁର ପାଖ ପରୁଆଭାଡି ଜଙ୍ଗଲରୁ ରାତି ଆଧିଆ ମାଟି ବୁହା ଯାଇ ପ୍ଳଟ ନଂ ୧୨୪୦ ଉପରେ ପକାଇ ଘର ଉପଯୋଗି କରୁଥିବା ଦେଖାଯାଉଛି । ଏଠାରେ କୁହା ଯାଇପାରେ ଯେ ଯଦିଓ ରାଜପଥ ପାର୍ଶ୍ୱସ୍ଥ ଉକ୍ତ ଜମିକୁ ଅକ୍ତିଆର କରାଯାଇ ନ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମିର ବଜାର ମୂଲ୍ୟ ନଗଣ୍ୟ ଏବଂ ଉକ୍ତ ସରକାରୀ ଅନବାଦି ଜମିକୁ ଜବର ଦାଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମିର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି । - ବର୍ତ୍ତମାନ ସେହି ଜମିକୁ ମଫିଆମାନେ ଜବର ଦାଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ୍ କରିବାର ଯୋଜନା କରିଛନ୍ତି ।
ଏହି କାରବାରରେ ସ୍ଥାନୀୟ ଜଣେ ପ୍ରଶାସକ ସିଧାସଳଖ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି I ସେ ଜମି ମାଫିଆଙ୍କୁ ସହଯୋଗ ପାଇଁ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛନ୍ତି I
ଫଳରେ ଦୁର୍ମୁଲ୍ୟ ଜମି ଜବର ଦଖଲ ହେଉଛି I ଉକ୍ତ ଜମିରେ ଶହ ଶହ ଟ୍ରକ/ ହାଇବା ମାଧ୍ୟମରେ ମାଟି ପକାଯାଉଥିଲେ ହେଁ ସମ୍ପୃକ୍ତ ଅଧିକାରୀ କାହିକି ନୀରବରେ ବସିଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ତାଙ୍କୁ ମଫିଆ ମାନେ ଏହି କାରବାର ପାଇଁ ସାତ ଲକ୍ଷ ଟଙ୍କା ଦେଇଥିବାର ଶୁଣାଯାଉଛି ।
ଯଦି ଏହା ସତ ତାହାଲେ ସାଙ୍ଘାତିକ I
ଅନ୍ୟପକ୍ଷରେ କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସେହି ଜମି ଉପରେ ନିଯୋଜିତ କରାଇ ସମସ୍ତ ପ୍ରକାର ବାଧା ବିଘ୍ନକୁ ହଟାଇବାର ଯୋଜନା କରାଯାଇଥିବା ବେଳେ ଯିଏ ପାଟି ଫିଟାଇବ ତାକୁ ଦମନ କରି ଦିଆ ଯିବ ବୋଲି ମାଫିଆ ମାନେ କହୁଥିବା ଚର୍ଚ୍ଚା ହେଉଛି । ତେଣୁ କେହି ଭୟରେ ପାଟି ଫିଟାଉ ନ ଥିବାର ଦେଖା ଯାଉଛି । ଉକ୍ତ ମହାଜନି ଜମିକୁ ଏକ କୋଟିରେ କିଣି ସେହି ଜମି ସହ ରାଜପଥକୁ ସଂଯୋଗି କରଣ ରାସ୍ତା ପାଇଁ ସରକାରୀ ଅନାବାଦି ଜମିକୁ ଜବର ଦାଖଲ କରି ସଂଯୋଗ୍ ରାସ୍ତା କରିବା ପରେ ସେହି ମହାଜନି ଜମି ରେ ମାଟି ପକାଇ ଘର ଉପଯୋଗୀ କରାଯାଇ ଦଶ କୋଟି ଟଙ୍କାରେ ବିକ୍ରି କରାଯିବାର ଯୋଜନା ପ୍ରସ୍ତ୍ରୁତ କରାଯାଇଥିବା ଆଲୋଚନା ହେଉଛି । ସେଥିପାଇଁ ସରକାରୀ ସ୍ତରରେ ଏବଂ ବେସରକାରୀ ସ୍ତରରେ ସବୁ ମାଷ୍ଟର ପ୍ଲାନ ହୋଇଥିବା କୁହାଯାଉଛି ।
ଏସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅସଲ କଥା ପଦାକୁ ଆସି ପାରନ୍ତା I ସ୍ଥାନୀୟ ଲୋକେ ତାହା ଦାବି କରିଛନ୍ତି I