ଜୀବନ ମନ୍ତ୍ର : ‘ବଢୁ ପ୍ରବଳ, ଗଛ ଗହଳ’

0
  • //ସତ୍ୟବାଦୀ ବଳୀୟାରସିଂହ//
  • //TATKAL ODISHA//

+++++++++++++++++++++++++++++++++

ଜୀବଜଗତର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଏକ ମାନବୀୟ ତଥା ମହନୀୟ କାର୍ଯ୍ୟ । କିନ୍ତୁ ବୃକ୍ଷ ରକ୍ଷଣ ଏକ ବିଜ୍ଞାନସମ୍ମତ, ମହତ୍ବପୂର୍ଣ୍ଣ, ଗୁରୁତ୍ବପୂର୍ଣ୍ଣ ତଥା ଅପରିହାର୍ଯ୍ୟ କାର୍ଯ୍ୟ । ‘TATKAL ODISHAର ଅଭିନଵ ପ୍ରୟାସ ଆରମ୍ଭ ହୋଇଛି I ପ୍ରତ୍ୟେକ ଲୋକ ଅନ୍ତତଃ ଗୋଟିଏ ଗଛ ଲଗାଉ ତାହା ଆମେ ଚାହୁଁ I

  • କବି ସତ୍ୟବାଦୀ ବଳୀୟାରସିଂହ କବିତା ମାଧ୍ୟମରେ “ଜୀବନ ମନ୍ତ୍ର” ସ୍ତମ୍ବରେ ତାହା ବୁଝାଇ ଦେଇଛନ୍ତି I

ଶୁଣ ସକଳ, ପିଲେ ସରଳ ।୧।
ଦେଖ ସକାଳ, ନଭ ନିର୍ମଳ ।୨।
ପକ୍ଷୀଙ୍କ କଳ, ଗଛ ଗହଳ ।୩।
ସବୁଜ ପଲ୍ଲ, ମହକ ଫୁଲ ।୪।
ମନ ପ୍ରଫୁଲ୍ଲ, ଦେହକୁ ଭଲ ।୫।
ଗ୍ରୀଷମ ବେଳ, ବୁହଇ ଝାଳ ।୬।

କି ଅସମ୍ଭାଳ, ଜୀବେ ସକଳ ।୭।
ମନ୍ଦିଏ ଜଳ, ବାୟୁ ଶୀତଳ ।୮।
ପାଇଁ କେବଳ, ପ୍ରାଣ ବିକଳ ।୯।
ସମୁଦ୍ର ଜଳ, ଫୁଲି ପ୍ରବଳ ।୧୦।
ଲଙ୍ଘିଣ କୂଳ, ମାଡିବ ସ୍ଥଳ ।୧୧।
ସର୍ବତ୍ର ଜଳ, ନ ଥିବ ଥଳ ।୧୨।

ଜୀବେ ସକଳ, ହେବେ ବ୍ୟାକୁଳ ।୧୩।
କାହିଁକି କାଳ, ହେଲା ଅକାଳ ।୧୪।
ଯେଣୁ ବିଶାଳ, ହିମ ତରଳ ।୧୫।
ତାହା କେବଳ, ତାତି ପ୍ରବଳ ।୧୬।
ତାତିର ମୂଳ, ଗଛ ନିର୍ମୂଳ ।୧୭।
ପିଲେ ସକଳ, ଏବେ ଜାଣିଲ ! ।୧୮।

ଏପରି କାଳ, ରୋକିବା ବେଳ । ୧୯।
ଏବେଠୁ ଭାଳ, ନ କରି ଆଳ ।୨୦।
ତୁମେ କି ତିଳ, କଠିନ ତାଳ । ୨୧।
ତୁମେ ହିଁ ବଳ, ସିଂହ ସାର୍ଦୁଳ ।୨୨।
ହୋଇଣ ମେଳ, ବିପଦ ଟାଳ ।୨୩।
ପିଲେ ସକଳ, ଉଠ ! ସହଳ ।୨୪।

ଲଗା ଚଞ୍ଚଳ, ଗଛ ବହୁଳ ।୨୫।
ସଯତ୍ନେ ପାଳ, ବଢୁ ସହଳ ।୨୬।
ପତ୍ର କଅଁଳ, ଫୁଲ ଓ ଫଳ ।୨୭।
ମେଲୁ ତା ଡାଳ, ପତ୍ର ଗହଳ ।୨୮।
ଦିଏ ସେ ଅମ୍ଳ, ନିଏ ଯେ କାମ୍ଳ ।୨୯।
ଏ ଦୁଇ ଫଳ, ଜୀବନ ମୂଳ ।୩୦।

ୟା’ପରେ ଭାଳ, କାହିଁକି ଖଳ ।୩୧।
କାଟୁଛି ଡାଳ, ତାଡୁଛି ମୂଳ ।୩୨।
ହୋଇଣ ଦଳ, ଚେତାଅ ଖଳ ।୩୩।
ନ କାଟୁ ଡାଳ, ଗଛର ମୂଳ ।୩୪।
ପୃଥୀ ଶୀତଳ, ନିଘଞ୍ଚ ପଲ୍ଲ ।୩୫।
ବଢୁ ପ୍ରବଳ, ଗଛ ଗହଳ ।୩୬।

..................................  

କବି କଥନ

‘”ଗଛ ଗହଳ'” ଶୀର୍ଷକ କବିତାଟି ଏହି ପରିପ୍ରେକ୍ଷୀରେ ବେଶ୍ ପ୍ରାସଙ୍ଗିକ ।ବାସ୍ତବରେ, ସାରା ସଂସାରର ପରିବେଶରେ ଅସ୍ୱାଭାବିକ ଭାବେ ଅସନ୍ତୁଳନ, ବିଶେଷକରି ଅବକ୍ଷୟ ପରିସ୍ଥିତି ଭଳି ଏକ ଧ୍ୱଂସର ପରିସ୍ଥିତି ସୃଷ୍ଟି ହେବା ଏବଂ ସାରା ଜୀବଜଗତ ଫୁଟନ୍ତା ଖରାର କରାଳ କଡେଇରେ ଭାଜି ହେଲା ଭଳି ପରିସ୍ଥିତି ମଧ୍ୟରେ ଫସି ଯାଉଥିବାର ଅବସମ୍ଭାବୀକୁ ହୃଦବୋଧ କରିବା ପାଇଁ ଏହା ଏକ ଉଦବୋଧନୀ କବିତା । କିନ୍ତୁ ସବୁ ଜାଣୁଥିବା ମହାଞ୍ଜାନୀ ମଣିଷ ନ ଜାଣିଲା ପରି ଯାହା କରଣୀୟ ତା’ ନ କରି ଅବାଞ୍ଛିତ କାର୍ଯ୍ୟ ବେପରୁଆ ଭାବେ କରି ଚାଲିଥିବା ବେଳେ, ସେମାନଙ୍କୁ ଚେତେଇ କହିଲେ ମଧ୍ୟ ସେମାନେ ପରିବଶ ବିଘଟନକାରୀ କାର୍ଯ୍ୟ ଅର୍ଥାତ୍ ଗଛକଟାକୁ ବେପରୁଆ ଭାବେ ପ୍ରାଧାନ୍ୟ ଦେଇ ଅହେତୁକ ଆନନ୍ଦ ପାଆନ୍ତି । ସେମାନଙ୍କୁ କିଛି ଚେତାଇବା ଅପେକ୍ଷା ସରଳ, ସତ୍ୟାନୁସରିତ ତଥା ସଚେତନଶୀଳ ଏବଂ କ୍ରିୟାଶୀଳ ପିଲାଙ୍କ ଉଦ୍ଦେଶ୍ୟରେ ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ପରିସ୍ଥିତି, ତା’ର କାରଣ ଓ ନିରାକରଣ ଉପରେ ଆଧାରିତ ଭାବଯୁକ୍ତ କବିତାଟି ଲେଖିଥିଲି କେତେ ବର୍ଷ ତଳୁ ।

ସତରେ, ମଣିଷ ଏଭଳି ଏକ ଭୟଙ୍କର ପରିସ୍ଥିତିର ବାସ୍ତବତାକୁ ବୁଝନ୍ତୁ, ଏ କରାଳ ପରିସ୍ଥିତିକୁ ଏଡାଇବା ନିମନ୍ତେ କାୟ, ମନ, ବାକ୍ୟରେ ଯତ୍ନଶୀଳ ହୁଅନ୍ତୁ, ଗଛ ହିଁ ସାରା ଜୀବଜଗତକୁ ବଞ୍ଚାନ୍ତି – ଏହି ଗୁରୁତ୍ବପୂର୍ଣ୍ଣ ଭାବକୁ ଗୁରୁତର ଭାବେ ବୁଝନ୍ତୁ, ଏହା ହିଁ ଥିଲା ଏହି କବିତାଟି ଲେଖିବାର ମୂଳ ଉଦ୍ଦେଶ୍ୟ ।

ଆସନ୍ତୁ ! ଆମ ବଞ୍ଚିବା ପାଇଁ ଏଇ ପୃଥିବୀପୃଷ୍ଟରେ ବଞ୍ଚିଥିବା ବଡ ବଡ ଗଛମାନଙ୍କୁ ବଞ୍ଚାଇ ରଖିବା ଏବଂ ବର୍ଷା ଋତୁରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବା ପାଇଁ ଦୃଢ ସଂକଳ୍ପ ନେବା । ଏହି ମହନୀୟ ଭାବ ଓ କାର୍ଯ୍ୟ ପାଇଁ ସମସ୍ତ ଭାବଗ୍ରାହୀ ତଥା କର୍ମପ୍ରବଣ ମାନଙ୍କୁ ଆତ୍ମୀୟତାପୂର୍ଣ୍ଣ ଶୁଭ ଭାବନା ।

  • ସମ୍ପର୍କ //ସତ୍ୟବାଦୀ ବଳୀୟାରସିଂହ//
  • ଦୂରଭାଷ :
    9437355793
    8637254669

Leave A Reply

Your email address will not be published.